ତିନି ଆଙ୍ଗୁଠି, ଗୋଟିଏ ଓଦା ଆୟତାକାର କପଡ଼ା ଖଣ୍ଡ ଓ ଏକ ହାଲୁକା ସ୍ପର୍ଶ। ‘‘ମୋତେ ଅତି ସତର୍କ ହେବାକୁ ପଡ଼ିଥାଏ।’’

ବିଜୟା ଉପକୂଳ ଆନ୍ଧ୍ରପ୍ରଦେଶର ସ୍ଥାନୀୟ ମିଠା ପୁତେରୁକୁଲୁ ତିଆରି ସମ୍ପର୍କରେ ସୂଚନା ଦେଉଛନ୍ତି। ଚାଉଳ ପିଠଉରେ ପ୍ରସ୍ତୁତ ପତଳା କାଗଜ ଭଳି ଚାଦରକୁ ମୋଡ଼ି ସେଥିରେ ଗୁଡ଼, କାଜୁକିସମିସ୍‌ ଭଳି ଡ୍ରାଏଫ୍ରୁଟ୍‌ ଭରିବା ପରେ ଘିଅ ଦେଇ ଏହି ମିଠା ତିଆରି କରାଯାଏ। ପର୍ବପର୍ବାଣୀ ସମୟରେ ଏହାର ବିକ୍ରି ବୃଦ୍ଧି ପାଇଥାଏ। ବିଜୟା ଜଣେ କୁଶଳୀ ମିଠା କାରୀଗର ଏବଂ ସେ ଦୈନିକ ପ୍ରାୟ ୨୦୦ ରେକୁ ତିଆରି କରିଥା’ନ୍ତି। ସେଗୁଡ଼ିକୁ ସ୍ଥାନୀୟ ମିଠା ଦୋକାନୀମାନେ କିଣନ୍ତି। ‘‘ପୁତେରୁକୁଲୁ ତିଆରି ସମୟରେ ମୋତେ ସମ୍ପୂର୍ଣ୍ଣ ଭାବେ ସେଥିପ୍ରତି ଧ୍ୟାନ ଦେବାକୁ ହୋଇଥାଏ। ମୁଁ କାହା ସହିତ କଥା ହୋଇପାରିବି ନାହିଁ,’’ ସେ ପରୀକୁ କହିଛନ୍ତି।

‘‘ ପୁତେରୁକୁଲୁ ବିନା ମୋ ଘରେ କୌଣସି ପର୍ବପର୍ବାଣୀ, ପୂଜାପାଠ କିମ୍ବା କୌଣସି ବିଶେଷ ସମାରୋହ ଅସମ୍ପୂର୍ଣ୍ଣ ଲାଗିଥାଏ,’’ ଜି. ରାମକୃଷ୍ଣ କୁହନ୍ତି। ସେ ସ୍ଥାନୀୟ କିଛି ଦୋକାନରେ ପ୍ୟାକିଂ ସାମଗ୍ରୀ ଓ ବକ୍ସ ଯୋଗାଇ ଦେବାରେ ସହାୟତା କରିଥାନ୍ତି। ସେ ଗର୍ବର ସହିତ କୁହନ୍ତି, ‘‘ମୁଁ ଏହାକୁ ଖୁବ୍‌ ପସନ୍ଦ କରିଥାଏ କାରଣ ଏହା ଆଚମ୍ବିତ କରିଦେଇଥାଏ। ପ୍ରଥମ କଥା ହେଉଛି ଏହା କାଗଜ ଭଳି ଦେଖାଯାଏ, ଏବଂ ଆପଣ ଭାବିବେ ଯେ ଆପଣ କାଗଜ ଖାଉଛନ୍ତି। କିନ୍ତୁ ଆପଣ ଏହାକୁ ଖାଇବା କ୍ଷଣି, ଏହା ମୁହଁରେ ମିଳେଇଯାଏ। ଦୁନିଆରେ ଆଉ କେଉଁଠି ଏମିତି ମିଠା ଥିବ ବୋଲି ମୋତେ ଲାଗୁ ନାହିଁ।’’

ଆନ୍ଧ୍ରପ୍ରଦେଶର ଡକ୍ଟର ବି.ଆର ଆମ୍ବେଦକର କୋନସୀମା ଜିଲ୍ଲାରେ ଉତ୍ପାଦିତ ହେଉଥିବା ଚାଉଳରୁ ଏହି ପତଳା ମିଠା ତିଆରି ହୁଏ। ରାମଚନ୍ଦ୍ରପୁରମ୍‌ ମଣ୍ଡଳ ଅଧୀନ ଆତ୍ରେୟପୁରମ୍‌ ଗ୍ରାମ ନିବାସୀ ମିଠେଇ କାରୀଗର କାୟଲା ବିଜୟା କୋଟା ସତ୍ୟବତୀ କୁହନ୍ତି, ‘‘ଏ ଚାଉଳ ଅଠାଳିଆ ହୋଇଥାଏ। ସେଥିପାଇଁ ଏହାକୁ ରେକୁ (ମିଠା ଚାଦର) ତିଆରି ଛଡ଼ା ଅନ୍ୟ କୌଣସି କାମରେ କେହି ଉପଯୋଗ କରନ୍ତି ନାହିଁ। ଆତ୍ରେୟପୁରମର ପୁତରେକୁ ୨୦୨୩ରେ ଭୌଗୋଳିକ ସଂକେତକ (ଜିଆଇ) ଟ୍ୟାଗ ମିଳିଥିଲା। ଏହି ଜିଆଇ ଟ୍ୟାଗ୍‌ ୧୪ ଜୁନ୍‌ ୨୦୨୩ରେ ବିଶାଖାପାଟଣାରେ ସାର ଆର୍ଥର୍‌ କଟନ୍‌ ଆତ୍ରେୟପୁରମ୍‌ ପୁତରେକୁଲା ମାନ୍ୟୁଫେକ୍ଚରର୍ସ ୱେଲଫେୟାର ଆସୋସିଏସନକୁ ଦିଆଯାଇଥିଲା।

ରାଜ୍ୟର ତୃତୀୟ ଖାଦ୍ୟ ପଦାର୍ଥ ରୂପରେ ପୁତରେକୁ ଜିଆଇ ଟ୍ୟାଗ୍‌ ମିଳିଛି। ପୂର୍ବରୁ ତିରୁପତି ଲଡ଼ୁ ଏବଂ ବାନ୍ଦର ଲଡୁକୁ ଏହି ମାନ୍ୟତା ପ୍ରଦାନ କରାଯାଇଥିଲା। ଆନ୍ଧ୍ରପ୍ରଦେଶରେ ହସ୍ତଶିଳ୍ପ, ଖାଦ୍ୟ ପଦାର୍ଥ, କୃଷି ଏବଂ ଅନ୍ୟାନ୍ୟ ଶ୍ରେଣୀରେ ଜିଆଇ ଟ୍ୟାଗ୍‌ ପାଇଥିବା ୨୧ଟି ଉତ୍ପାଦ ରହିଛି । ଗତ ବର୍ଷ ପୁତରେକୁ ସମେତ ଗୋଆର ବେବିଙ୍କା ମିଠା, ମୁରୈନାର ଗଜକ ଏବଂ ମୁଜାଫରପୁରର ଗୁଡ଼କୁ ମଧ୍ୟ ଜିଆଇ ଟ୍ୟାଗ୍‌ ଦିଆଯାଇଥିଲା ।

Left: Vijaya’s works in a small corner of her house. She calls this her workspace. It’s filled with the inverted pot, rice batter, dry coconut leaves and an old pickle jar amongst other things.
PHOTO • Amrutha Kosuru
Right: Jaya biyyam is a special kind of rice is used to make poothareku . The rice is soaked for 30-45 minutes before grinding it into a batter that is used to make the thin films or rekulu.
PHOTO • Amrutha Kosuru

ବାମ : ବିଜୟା ନିଜ ଘର ଭିତରେ ଏକ ଛୋଟିଆ କୋଣରେ କାମ କରନ୍ତି। ଏହାକୁ ସେ ନିଜ କାର୍ଯ୍ୟସ୍ଥଳୀ କୁହନ୍ତି। ଏହି ସ୍ଥାନରେ ଓଲଟା ପାତ୍ର, ଚାଉଳ ପିଠଉ, ଶୁଖିଲା ନଡ଼ିଆ ପତ୍ର ଏବଂ ପୁରୁଣା ଆଚାର ଡବା ସମେତ ଅନ୍ୟାନ୍ୟ ଜିନିଷ ରହିଛି । ଡାହାଣ : ଜୟ ବିୟମ ନାମକ ସ୍ୱତନ୍ତ୍ର କିସମର ଚାଉଳରେ ପୁତରେକୁକୁ ତିଆରି କରାଯାଏ। ଚାଉଳକୁ ପ୍ରାୟ ଅଧ ଘଣ୍ଟା ୪୫ ମିନିଟ୍‌ ଭିଜାଇବା ପରେ ଏହାକୁ ବାଟି ପିଠଉ ପ୍ରସ୍ତୁତ କରାଯାଏ। ଏହି ପିଠଉକୁ ପତଳା ଚାଦର ଭଳି ଆକୃତି ଦିଆଯାଏ ଯାହାକୁ ରେକୁଲୁ କୁହନ୍ତି

ଅଭିଜ୍ଞ ମିଠେଇ କାରୀଗର ବିଜୟା ୨୦୧୯ ଠାରୁ ରେକୁ ତିଆରି କରି ଆସୁଛନ୍ତି ଏବଂ ସେ କୁହନ୍ତି ତାଙ୍କୁ ସବୁବେଳେ ଏଥିରେ ପୂର୍ଣ୍ଣ ଏକାଗ୍ରତା ବିନିଯୋଗ କରିବାକୁ ହୋଇଥାଏ। ‘‘କିନ୍ତୁ ଅନ୍ୟ ମିଠେଇ ତିଆରି କରିବା ସମୟରେ ମୁଁ ଲୋକମାନଙ୍କ ସହ ମୁକ୍ତ ଭାବେ କଥା ହୋଇପାରିବି କାରଣ ସେଗୁଡ଼ିକୁ ତିଆରି କରିବା ସହଜ ହୋଇଥାଏ,’’ ଏବଂ ସେ ନିଜ ପରିବାର ପାଇଁ - ସୁନ୍ନୁଣ୍ଡଲୁ, କୋୱା ଏବଂ ଅନ୍ୟାନ୍ୟ ମିଠା ତିଆରି କରନ୍ତି। ବିରି ଡାଲିକୁ ଘିଅରେ ଭାଜିବା ପରେ ଭଲ ଭାବେ କୁଟି ସେଥିରେ ଚିନି କିମ୍ବା ଗୁଡ଼ ମିଶାଇ ତିଆରି କରାଯାଉଥିବା ଲଡୁକୁ ସୁନ୍ନୁଣ୍ଡଲୁ କୁହନ୍ତି।

‘‘ମୋ ପରିବାର ଓ ନିଜର ଭରଣପୋଷଣ ପାଇଁ ମୁଁ କିଛି ଟଙ୍କା ରୋଜଗାର କରିବାକୁ ଚାହୁଁଥିଲି। ମୁଁ ଆଉ କିଛି କାମ ଜାଣେ ନାହିଁ ତେଣୁ ଏ କାମ କଲି,’’ ମିଠା ଦୋକାନକୁ ରେକୁ ବିକ୍ରି କରିବା କାମକୁ ସେ କେମିତି ଆସିଲେ ସେ ସମ୍ପର୍କରେ ସୂଚନା ଦେଇ ବିଜୟା କୁହନ୍ତି।

ମାସ ଆରମ୍ଭରେ ସେ ସ୍ଥାନୀୟ ବଜାରରୁ ୫୦ କିଲୋଗ୍ରାମ ଖୋଲା ଚାଉଳ କିଣନ୍ତି। କେବଳ ଜୟା ବିୟମ୍‌ ଚାଉଳରେ ପୁତରେକୁଲୁ ତିଆରି ହୁଏ ଏବଂ ଏହି ଚାଉଳ କିଲୋ ପ୍ରତି ୩୫ଟଙ୍କାରେ ମିଳିଥାଏ। ‘‘ଏହି ଚାଉଳକୁ ରାନ୍ଧିବା ପରେ ଅତି ଅଠାଳିଆ ହୋଇଯାଏ ତେଣୁ ରେକୁ ତିଆରି କରିବା ଛଡ଼ା ଅନ୍ୟ କୌଣସି କାମରେ ଏହାକୁ କେହି ବ୍ୟବହାର କରନ୍ତି ନାହିଁ,’’ ବିଜୟା ସୂଚନା ଦେଇଥାନ୍ତି।

ମିଠା କାରୀଗର ଭାବେ ତାଙ୍କର କାମ ପ୍ରତିଦିନ ସକାଳ ୭ଟାରୁ ଆରମ୍ଭ ହୁଏ। ରେକୁ ତିଆରି କରିବା ଲାଗି ସେ ପ୍ରଥମ ଅଧା କିଲୋ ଜୟା ବିୟମ ଚାଉଳକୁ ଧୋଇବା ପରେ ଅତିକମ୍‌ରେ ୩୦ ମିନିଟ୍‌ ପର୍ଯ୍ୟନ୍ତ ପାଣିରେ ଭିଜାଇ ଦିଅନ୍ତି ।

ତାଙ୍କ ପିଲାମାନେ ସ୍କୁଲ୍‌ ଚାଲିଯିବା ପରେ ବିଜୟା ଭିଜା ହୋଇଥିବା ଚାଉଳକୁ ଚିକ୍କଣ, ବହଳିଆ କରି ବାଟି ଦିଅନ୍ତି। ଏହାକୁ ଏକ ପାତ୍ରରେ ରଖିବା ସହିତ ଘର ବାହାରେ ଥିବା ନିଜର ଛୋଟିଆ କାର୍ଯ୍ୟଶାଳାରେ ଏକ ଛୋଟ ଷ୍ଟୁଲ୍‌ ଉପରେ ରଖିଦିଅନ୍ତି ।

ଶେଷରେ ସକାଳ ପ୍ରାୟ ୯ଟା ବେଳେ ନିଜ କାର୍ଯ୍ୟଶାଳାର କୋଣରେ ଗୋଟିଏ ପଟ କଣା ଥିବା ଏକ ସ୍ୱତନ୍ତ୍ର ପାତ୍ରରେ ବିଜୟା ଅତି ଭଙ୍ଗୁର, ପତଳା ଜାଲି ଭଳି ରେକୁଲୁ ତିଆରି ଆରମ୍ଭ କରନ୍ତି । ସେ କୁହନ୍ତି, ‘‘କେବଳ ସ୍ଥାନୀୟ ଅଞ୍ଚଳରେ ଏହି ମାଟି ପାତ୍ର ତିଆରି କରାଯାଏ। ଅନ୍ୟ କୌଣସି ପାତ୍ର କିମ୍ବା ବାସନ ଏଥିରେ ବ୍ୟବହୃତ ହୋଇପାରିବ ନାହିଁ । ଏହି ବାସନ ସହାୟତାରେ ରେକୁ ର ଓଲଟା ଆକୃତି ତିଆରି କରାଯାଏ।’’

Left: Rice batter and the cloths used to make pootharekulu.
PHOTO • Amrutha Kosuru
Right: Vijaya begins making the reku by dipping a cloth in the rice batter she prepares
PHOTO • Amrutha Kosuru

ବାମ : ପୁତରେକୁଲୁ ତିଆରିରେ ବ୍ୟବହୃତ ଚାଉଳ ପିଠଉ ଏବଂ କପଡ଼ା। ଡାହାଣ : ବିଜୟା ନିଜେ ପ୍ରସ୍ତୁତ କରିଥିବା ପିଠଉରେ ଏକ କପଡ଼ା ବୁଡ଼ାଇ ରେକୁ ତିଆରି ଆରମ୍ଭ କରିଛନ୍ତି

Veteran sweet maker, Vijaya has been making reku since 2019 and she says she always has to give it her full concentration. When she dips the cloth in the rice batter and lays it on the pot, a  film forms on the inverted pot (right)
PHOTO • Amrutha Kosuru
Veteran sweet maker, Vijaya has been making reku since 2019 and she says she always has to give it her full concentration. When she dips the cloth in the rice batter and lays it on the pot, a  film forms on the inverted pot (right)
PHOTO • Amrutha Kosuru

ଅଭିଜ୍ଞ ମିଠା କାରୀଗର ବିଜୟା ୨୦୧୯ରୁ ରେକୁ ତିଆରି କରି ଆସୁଛନ୍ତି ଏବଂ ଏହି କାମରେ ତାଙ୍କୁ ସମ୍ପୂର୍ଣ୍ଣ ଏକାଗ୍ରତା ଦେବାକୁ ହୋଇଥାଏ ବୋଲି ସେ କୁହନ୍ତି । ସେ କପଡ଼ାକୁ ଚାଉଳ ପିଠଉରେ ବୁଡ଼ାଇ ପାତ୍ର ଉପରେ ରଖିବା ପରେ ଓଲଟା ପାତ୍ର ଉପରେ ଏକ ପତଳା ଚାଦର ଆକୃତି ସୃଷ୍ଟି ହୋଇଥାଏ (ଡାହାଣ)

ଶୁଖିଲା ନଡ଼ିଆ ପତ୍ର ଜାଳି ପାତ୍ରକୁ ଗରମ କରାଯାଏ। ‘‘ନଡ଼ିଆ ପତ୍ର (ଅନ୍ୟ ଜାଳେଣି ବିପରୀତ) ଶୀଘ୍ର ଜଳିବା ସହିତ ଲଗାତାର ଉତ୍ତାପ ସୃଷ୍ଟି କରିଥାଏ। ପାତ୍ର ଓ ଉତ୍ତାପ ଠିକ୍‌ ନରହିଲେ ରେକୁଲୁ ତିଆରି ହୋଇପାରିବ ନାହିଁ,’’ ସେ କୁହନ୍ତି।

‘‘ଏହି ପାତ୍ର ଦାମ୍‌ ୩୦୦-୪୦୦ ଟଙ୍କା ହେବ। ପ୍ରତି ଦୁଇରୁ ତିନି ମାସରେ ଥରେ ମୁଁ ଏହାକୁ ବଦଳାଇ ଥାଏ। ତା’ଠାରୁ ଅଧିକ ଦିନ ଏହା ଚାଲେ ନାହିଁ,’’ ସେ କହିଥାନ୍ତି। ବିଜୟା ପ୍ରତି ଦୁଇ ସପ୍ତାହରେ ଥରେ ସ୍ଥାନୀୟ ବଜାରରୁ ନଡ଼ିଆ ପତ୍ର କିଣନ୍ତି। ସେ ୫-୬ ବିଡ଼ା କିଣନ୍ତି ଏବଂ ପ୍ରତି ବିଡ଼ା ମୂଲ୍ୟ ୨୦-୩୦ଟଙ୍କା।

ଓଲଟା ପାତ୍ର ଗରମ ହେବା ପରେ, ସେ ଏକ ସଫା ଶୁଖିଲା ଆୟତାକାର କପଡ଼ା ଖଣ୍ଡକୁ ଓଦା କରନ୍ତି । ଏହି କାମ ପାଇଁ ଗୋଟିଏ ସୂତା କପଡ଼ା (ତାଙ୍କ ଶାଢ଼ି କିମ୍ବା ଅନ୍ୟ କୌଣସି କପଡ଼ା)କୁ ସଫା କରି ବ୍ୟବହାର କରାଯାଏ। ସେ ଏକ ବଡ଼ ଥାଳିରେ ପିଠଉକୁ ଢାଳି ଦିଅନ୍ତି ଏବଂ ସେଥିରେ କପଡ଼ା ବୁଡ଼ାଇ ଦିଅନ୍ତି।

ଏହାପରେ ବିଜୟା ଧୀରେ ଧୀରେ କପଡ଼ାକୁ ବାହାର କରି ଆଣନ୍ତି ଏବଂ କପଡ଼ାରେ ଲାଗିଥିବା ପତଳା ପିଠଉ ଆସ୍ତରଣକୁ ଓଲଟା ପାତ୍ର ଉପରେ ରଖି ଦିଅନ୍ତି। ବହୁ ପରିମାଣରେ ଧୂଆଁ ଛାଡ଼ିବା ସହିତ ତୁରନ୍ତ ଏକ ପତଳା ଧୂସର-ଧଳା ଚାଦର ସୃଷ୍ଟି ହୋଇଯାଏ। ଏହାକୁ ଭଲ ଭାବେ ରାନ୍ଧି ହେବା ଲାଗି କିଛି ସେକେଣ୍ଡ ପର୍ଯ୍ୟନ୍ତ ସେହି ପାତ୍ର ଉପରେ ଛାଡ଼ି ଦିଆଯାଏ।

ପରବର୍ତ୍ତୀ ପର୍ଯ୍ୟାୟରେ ଏହାକୁ ଯଥେଷ୍ଟ ଧ୍ୟାନ ଦେଇ ଛୁଇଁବାକୁ ହୋଇଥାଏ। କେବଳ ତିନି ଆଙ୍ଗୁଠି ବ୍ୟବହାର କରି ସେହି ରେକୁକୁ ପାତ୍ରରୁ ବାହାର କରି ଅଣାଯାଏ। ସେ କୁହନ୍ତି, ‘‘ଏହାକୁ ବାହାର କରିବା କାମର ସବୁଠୁ କଠିନ ଭାଗ ଅଟେ। ଯଦି ଏହା ଭାଙ୍ଗିଯିବ ତା’ହେଲେ ନଷ୍ଟ ହୋଇଯିବ। ସେଥିପାଇଁ ମୋତେ ଅତି ସତର୍କ ହେବାକୁ ପଡ଼ିଥାଏ।’’ ସେ ଦକ୍ଷତାପୂର୍ବକ ଏହାକୁ ବାହାର କରି ଆଣନ୍ତି ଏବଂ ନିଜ ପାଖରେ ଥିବା ଏକ ଗଦା ଉପରେ ରଖିଦିଅନ୍ତି। ତାଙ୍କ ଆକଳନ ମୁତାବକ, ଗୋଟିଏ ଘଣ୍ଟାରେ ସେ ୯୦ରୁ ୧୦୦ ରେକୁ ତିଆରି କରିପାରିବେ ଏବଂ ପ୍ରାୟ ଦୁଇରୁ ତିନି ଘଣ୍ଟାରେ ସେ ୧୫୦ରୁ ୨୦୦ ରେକୁ ତିଆରି କରିଦେଇଛନ୍ତି। ପର୍ବପର୍ବାଣୀ ସମୟରେ ଅର୍ଡର ୫୦୦ ଟପିଯାଏ ଏବଂ ସେହି ଅନୁଯାୟୀ ସେ ପିଠଉ ତିଆରି କରନ୍ତି।

Left: To check if the papery film of rice has formed, Vijaya attempts to nudge it slowly with her fingers.
PHOTO • Amrutha Kosuru
Right: Vijaya uses only a few fingers to separate the thinly formed film from the inverted pot
PHOTO • Amrutha Kosuru

ବାମ : ଚାଉଳରେ କାଗଜ ଭଳି ପତଳା ଆସ୍ତରଣକୁ ଯାଞ୍ଚ କରିବା ଲାଗି ବିଜୟା ନିଜ ଆଙ୍ଗୁଠିରେ ତା’କୁ ଧୀରେ ଧୀରେ ବାହାର କରିବା ପାଇଁ ଚେଷ୍ଟା କରନ୍ତି। ଡାହାଣ : ବିଜୟା ଓଲଟା ପାତ୍ର ଉପରେ ପ୍ରସ୍ତୁତ ହୋଇଥିବା ପତଳା ଚାଦରକୁ ଅଲଗା କରିବା ଲାଗି ମାତ୍ର କେତୋଟି ଆଙ୍ଗୁଠିକୁ ଉପଯୋଗ କରିଥା’ନ୍ତି

Shyamala and Sathya working at KK Nethi Pootharekulu shop in Atreyapuram
PHOTO • Amrutha Kosuru
Shyamala and Sathya working at KK Nethi Pootharekulu shop in Atreyapuram
PHOTO • Amrutha Kosuru

ଅତ୍ରେୟପୁରମର କେକେ ନେତି ପୁତରେକୁକୁ ଦୋକାନରେ କାମ କରୁଛନ୍ତି ଶ୍ୟାମଳା ଓ ସତ୍ୟା

ଅତ୍ରେୟପୁରମ୍‌ରେ ଅନେକ ମହିଳା ରେକୁଲୁ ତିଆରି କରନ୍ତି, ଅଧିକାଂଶ ଘରେ କରନ୍ତି କିନ୍ତୁ କିଛି ଦୋକାନରେ ମଧ୍ୟ କାମ କରନ୍ତି।

ଭି. ଶ୍ୟାମଲା (୫୪) କେକେ ନେତି ପୁତରେକୁଲୁ ଦୋକାନରେ କାମ କରନ୍ତି। ଏହି ଦୋକାନ ଅତ୍ରେୟପୁରମ ବସ ଷ୍ଟପ୍‌ ପାଖରେ ରହିଛି। ସେ ଦୋକାନଠାରୁ ପ୍ରାୟ ଚାରି କିଲୋମିଟର ଦୂରରେ ରୁହନ୍ତି ଏବଂ ଗତ ୨୫-୩୦ ବର୍ଷ ଧରି ମିଠା ତିଆରି କରି ଆସୁଛନ୍ତି। ବିଜୟାଙ୍କ ଭଳି ଶ୍ୟାମଲା ଘରେ ରେକୁ ତିଆରି କରି ନିଜ କ୍ୟାରିଅର ଆରମ୍ଭ କରିଥିଲେ। ସେଦିନ କଥା ମନେ ପକାଇ ସେ କୁହନ୍ତି, ‘‘ମୁଁ ଗୋଟିଏ ଦିନରେ ୧୦୦ ଶିଟ୍‌ ତିଆରି କରୁଥିଲି ଏବଂ ଏଥିପାଇଁ ମୋତେ ୨୫-୩୦ ଟଙ୍କା ମିଳୁଥିଲା।’’ ସେ ବିଶେଷ କରି ପୁତରେକୁଲୁ ତିଆରିର ଅନ୍ତିମ ପର୍ଯ୍ୟାୟରେ ସାମିଲ ହୋଇଥା’ନ୍ତି। ସେ ଚିନି, ଗୁଡ଼, ଡ୍ରାଏ ଫ୍ରୁଟ୍ସ, ପର୍ଯ୍ୟାପ୍ତ ମାତ୍ରାରେ ଘିଅ ଏବଂ ଅନ୍ୟ ସାମଗ୍ରୀ ସହିତ ମିଶାଇ ମୋଡ଼ନ୍ତି। ଶ୍ୟାମଲା କୁହନ୍ତି ଯେ ତାଙ୍କୁ ନିଜ କାର୍ଯ୍ୟସ୍ଥଳୀକୁ ଯିବାରେ ସମସ୍ୟା ହୋଇଥାଏ, କାରଣ ତାଙ୍କର ‘‘ଆଣ୍ଠୁ ଦରଜ ହୋଇଥାଏ।’’ ସେଥିପାଇଁ ତାଙ୍କ ପୁଅ ସବୁଦିନ ତାଙ୍କୁ ଦୋକାନରେ ଆଣି ଛାଡ଼ି ଦିଏ।

ଦୋକାନରେ ପହଞ୍ଚିବା ପରେ ସେ ଏକ ଛୋଟିଆ ସ୍ଥାନରେ ବସି ପଡ଼ନ୍ତି। ସେ ଗୋଟିଏ ଉଚ୍ଚା ଷ୍ଟୁଲ୍‌ ନିଅନ୍ତି, ନିଜ ଶାଢ଼ି ସଜାଡ଼ନ୍ତି ଏବଂ ଏପରି ଜାଗାରେ ବସିଯାଆନ୍ତି ଯେଉଁଠି ତାଙ୍କ ଉପରେ ସୂର୍ଯ୍ୟ କିରଣ ପଡ଼ିବ ନାହିଁ। ତାଙ୍କ ମୁହଁ ରାସ୍ତା ଆଡ଼କୁ ରହିଥାଏ ଏବଂ ସେହି ସ୍ଥାନ ଦେଇ ଯାଉଥିବା ଲୋକମାନେ ତାଙ୍କୁ ପୁତରେକୁ ମୋଡ଼ୁଥିବା ଦେଖନ୍ତି ।

ଶ୍ୟାମଲା ନିଜ ପାଖରେ ଥିବା ଗଦାରୁ ଧ୍ୟାନର ସହିତ ଗୋଟିଏ ରେକୁ ଉଠାନ୍ତି ଏବଂ ସେଥିରେ ଯଥେଷ୍ଟ ମାତ୍ରାରେ ଘିଅ ଲଗାନ୍ତି। ଏହାପରେ ସେ ସେଥିରେ ଗୁଡ଼ ପାଉଡର ପକାନ୍ତି। ସେ କୁହନ୍ତି, ‘‘ଗୋଟିଏ ସାଦା ପୁତରେକୁଲୁ ପାଇଁ ଏସବୁ ସାମଗ୍ରୀ ଲଗାଇବାକୁ ହୋଇଥାଏ।’’ ଏହାପରେ ସେ ରେକୁ ର ବାକି ଅଧା ଭାଗକୁ ମୋଡ଼ନ୍ତି। ତା’ପରେ ସେ ରେକୁକୁ ଧୀରେ ଧୀରେ ସମ୍ପୂର୍ଣ୍ଣ ମୋଡ଼ନ୍ତି। ଏହି ସମୟରେ ଯେମିତି ଏସବୁ ସାମଗ୍ରୀ ଖସିପଡ଼ିବ ନାହିଁ ସେଥିପ୍ରତି ଧ୍ୟାନ ଦିଅନ୍ତି । ଗୋଟିଏ ପୁତରେକୁ ମୋଡ଼ିବା ପାଇଁ ଗୋଟିଏ ମିନିଟରୁ ସାମାନ୍ୟ ଅଧିକ ସମୟ ଲାଗିଥାଏ। ଏହାକୁ ପ୍ରାୟତଃ ଲମ୍ବା ଆୟତାକାର ଆକୃତିରେ ମୋଡ଼ାଯାଏ, କିନ୍ତୁ ଏହାକୁ ଶିଙ୍ଗଡ଼ା ଭଳି ତ୍ରିକୋଣୀୟ ଆକାରରେ ମଧ୍ୟ ମୋଡ଼ାଯାଇପାରିବ।

ସମୋସା (ସିଂଗଡ଼ା) ଆକାରରେ ମୋଡ଼ିବା ପାଇଁ ଶ୍ୟାମଲାଙ୍କୁ ଗୋଟିଏ ପୁତରେକୁ ଲାଗି ଅତିରିକ୍ତ ତିନି ଟଙ୍କା ମିଳିଥାଏ। ସେ କୁହନ୍ତି, ‘‘ ସମୋସା ଆକାରରେ ମୋଡ଼ିବା ମୋ ପାଇଁ କଷ୍ଟ କାମ। ମୋତେ ଅତି ସତର୍କତା ଅବଲମ୍ବନ କରିବାକୁ ହୁଏ, ନଚେତ୍‌ ରେକୁ ଭାଙ୍ଗିଯିବ।’’

Shyamala folds a film of rice paper with dry fruits, jaggery powder and more to make a poothareku . First she gently flattens the film, spreads a few drops of sugar syrup and a then generous amount of ghee after which she adds dry fruits
PHOTO • Amrutha Kosuru
Shyamala folds a film of rice paper with dry fruits, jaggery powder and more to make a poothareku . First she gently flattens the film, spreads a few drops of sugar syrup and a then generous amount of ghee after which she adds dry fruits
PHOTO • Amrutha Kosuru

ପୁତରେକୁ ତିଆରି କରିବା ଲାଗି ଶ୍ୟାମଲା ଡ୍ରାଏ ଫ୍ରୁଟ୍ସ, ଗୁଡ଼ ପାଉଡର ଏବଂ ଅନ୍ୟାନ୍ୟ ସାମଗ୍ରୀ ମିଶାଇ ଏହାକୁ ମୋଡ଼ିଥା’ନ୍ତି। ସର୍ବପ୍ରଥମେ ସେ ପତଳା ଚାଦରକୁ ଧୀରେ ଧୀରେ ଖୋଲି ଦିଅନ୍ତି, ସେଥିରେ କିଛି ବୁନ୍ଦା ଚିନି ରସ ଛିଞ୍ଚନ୍ତି ଏବଂ ତା’ପରେ ଆବଶ୍ୟକ ଘିଅ ଲଗାନ୍ତି। ଏହାପରେ ସେଥିରେ ଡ୍ରାଏ ଫ୍ରୁଟ୍ସ ଭରନ୍ତି

Shyamala (left) says, 'I have to be very careful or the reku will break.' Packed pootharekulu ready to be shipped
PHOTO • Amrutha Kosuru
Shyamala (left) says, 'I have to be very careful or the reku will break.' Packed pootharekulu ready to be shipped
PHOTO • Amrutha Kosuru

ଶ୍ୟାମଲା (ବାମ) କୁହନ୍ତି, ‘ମୋତେ ଯଥେଷ୍ଟ ଧ୍ୟାନ ଦେବାକୁ ହୁଏ, ନଚେତ୍‌ ରେକୁ ଭାଙ୍ଗିଯିବ।’ ପ୍ୟାକ ହୋଇଥିବା ପୁତରେକୁଲୁ ବାହାରକୁ ଯିବା ପାଇଁ ପ୍ରସ୍ତୁତ ରହିଛି

ଶ୍ୟାମଲା କୁହନ୍ତି, ‘‘ମୋ ମତରେ ସାଦା ଚିନି କିମ୍ବା ଗୁଡ଼ ହିଁ ଅସଲ ପୁତରେକୁ ହୋଇଥାଏ। ଆମ ଗାଁରେ ପିଢ଼ି ପରେ ପିଢ଼ି ଏହାକୁ ତିଆରି କରାଯାଇ ଆସୁଛି।’’ ମିଠାରେ ଡ୍ରାଏ ଫ୍ରୁଟ୍ସ ମିଶାଇବା ନୂଆ କଥା।

ଶ୍ୟାମଲା ଦୋକାନ ମାଲିକ କାସନୀ ନାଗର ସତ୍ୟବତୀ (୩୬)ଙ୍କ ସହିତ ରବିବାରକୁ ଛାଡ଼ି ସବୁଦିନ ସକାଳ ୧୦ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ କାମ କରନ୍ତି। ତାଙ୍କୁ ଦୈନିକ ୪୦୦ ଟଙ୍କା ପାରିଶ୍ରମିକ ମିଳିଥାଏ। ବିଗତ ତିନି ବର୍ଷ ହେବ ଏବଂ ପୁତରେକୁଲୁ କୁ ଜିଆଇ ଟ୍ୟାଗ୍‌ ମିଳିବା ସତ୍ତ୍ୱେ ଏହି ଅର୍ଥରାଶି ବଦଳି ନାହିଁ ।

ଆତ୍ରେୟପୁରମର ପୁତରେକୁ ଜିଆଇ ଟ୍ୟାଗ୍ ମିଳିବା ଦ୍ୱାରା ବିଜୟା ଏବଂ ଶ୍ୟାମଲା ପରି କାରୀଗରମାନଙ୍କ ଉପରେ କୌଣସି ପ୍ରଭାବ ପକାଇ ନାହିଁ । ଜିଆଇ ଟ୍ୟାଗ୍ ପାଇବା ପରେ ତାଙ୍କର ଦିନ ମଜୁରି ବୃଦ୍ଧି ହୋଇନାହିଁ, କିନ୍ତୁ ସେମାନେ କହିଛନ୍ତି ଯେ ଦୋକାନ ମାଲିକ ଏବଂ ଅନ୍ୟ ବଡ଼ ବିକ୍ରେତାମାନେ ଭଲ ଲାଭ କରୁଛନ୍ତି।

ସତ୍ୟା କୁହନ୍ତି, ଆନ୍ଧ୍ରପ୍ରଦେଶ ଏବଂ ତେଲଙ୍ଗାନା ଭଳି ତେଲୁଗୁ ରାଜ୍ୟରେ ପୁତରେକୁ ସର୍ବଦା ଲୋକପ୍ରିୟ ଥିଲା। ‘‘କିନ୍ତୁ ଏବେ ଅନେକ ଲୋକ ଏହା ବିଷୟରେ ଜାଣିଛନ୍ତି। ପୂର୍ବରୁ ପୁତରେକୁ କ’ଣ ସେ ବିଷୟରେ ଅନ୍ୟ ରାଜ୍ୟର ଲୋକଙ୍କୁ ଆମକୁ ବୁଝାଇବାକୁ ପଡ଼ୁଥିଲା। ବର୍ତ୍ତମାନର ଏହାର କୌଣସି ପରିଚୟ ଆବଶ୍ୟକ ନାହିଁ,’’ ସେ କୁହନ୍ତି ।

ସତ୍ୟା ହେଉଛି ସାର୍‌ ଆର୍ଥର କଟନ୍‌ ଆତ୍ରେୟପୁରମ ଉତ୍ପାଦକ କଲ୍ୟାଣ ସଂଘର ଅନ୍ୟତମ ସଦସ୍ୟ। ୧୦ ବର୍ଷରୁ ଅଧିକ ସମୟ ଧରି ଏହି ସଂଘ ପୁତରେକୁ କୁ ଜିଆଇ ଟ୍ୟାଗ ଦେବା ପାଇଁ ଦାବି କରି ଆସୁଥିଲା ଏବଂ ଯେତେବେଳେ ଏହାକୁ ଜୁନ୍‌ ୨୦୨୩ରେ ଜିଆଇ ଟ୍ୟାଗ୍‌ ଦିଆଗଲା, ‘‘ଏହା ସମଗ୍ର ଗାଁ ପାଇଁ ଏକ ଗର୍ବର ବିଷୟ ଥିଲା।’’

Left: A reku formed over the inverted pot.
PHOTO • Amrutha Kosuru
Right: Sathya began her business in 2018
PHOTO • Amrutha Kosuru

ବାମ : ଓଲଟା ପାତ୍ର ଉପରେ ତିଆରି ହୋଇଥିବା ଗୋଟିଏ ରେକୁ। ଡାହାଣ : ସତ୍ୟା ୨୦୧୮ରେ ତାଙ୍କର ବ୍ୟବସାୟ ଆରମ୍ଭ କରିଥିଲେ

It’s the rice from  Dr. B.R. Ambedkar Konaseema district of AP that defines this delicately-fashioned sweet. 'Any festival, ritual, or any special occasion in my house is incomplete without pootharekulu, ' says G. Ramakrishna, a resident of Atreyapuram
PHOTO • Amrutha Kosuru
It’s the rice from  Dr. B.R. Ambedkar Konaseema district of AP that defines this delicately-fashioned sweet. 'Any festival, ritual, or any special occasion in my house is incomplete without pootharekulu, ' says G. Ramakrishna, a resident of Atreyapuram
PHOTO • Amrutha Kosuru

ଆନ୍ଧ୍ରପ୍ରଦେଶର କୋନସୀମା ଜିଲ୍ଲାର ଚାଉଳ, ଯେଉଁଥିରେ ଏହି ପତଳା ମିଠା ତିଆରି ହୁଏ। ଅତ୍ରେୟପୁରମ୍‌ ନିବାସୀ ଜି. ରାମକୃଷ୍ଣ କୁହନ୍ତି, ‘ପୁତରେକୁଲୁ ବିନା ମୋ ଘରେ ଯେକୌଣସି ପର୍ବପର୍ବାଣୀ, ପୂଜାପାଠ କିମ୍ବା କୌଣସି ବିଶେଷ ସମାରୋହ ଅସମ୍ପୂର୍ଣ୍ଣ ଲାଗିଥାଏ’

ସତ୍ୟା କୁହନ୍ତି ଯେ ତାଙ୍କ ଦୋକାନ ସହିତ ସବୁ ଦୋକାନରେ ଅର୍ଡର ବୃଦ୍ଧି ପାଇଛି। ‘‘ଆମର ଅଧିକାଂଶ ଅର୍ଡର ମୋଟ ଆକାରରେ ୧୦ ପ୍ୟାକେଟରୁ ଆରମ୍ଭ କରି ୧୦୦ ପ୍ୟାକେଟ୍‌ ପର୍ଯ୍ୟନ୍ତ ଆସିଥାଏ।’’ ପ୍ରତ୍ୟେକ ପ୍ୟାକେଟ୍‌ରେ ୧୦ଟି ପୁତରେକୁଲୁ ମିଠା ଥାଏ।

ସେ କୁହନ୍ତି, ‘‘ଦିଲ୍ଲୀ, ମୁମ୍ବାଇ ଓ ଅନ୍ୟ ସ୍ଥାନରୁ ଲୋକମାନେ ଅର୍ଡର ପଠାଉଛନ୍ତି। ଗାଁରେ ଆମେ ପୁତରେକୁ ମୂଲ୍ୟ ୧୦-୧୨ ଟଙ୍କା ମଧ୍ୟରେ ରଖିଥାଉ। କିନ୍ତୁ ବାହାରେ ବଡ଼ ଦୋକାନରେ ସେମାନେ ୩୦ ଟଙ୍କାରୁ ଅଧିକ ନେଇଥା’ନ୍ତି।’’

‘‘ଜିଆଇ ଟ୍ୟାଗ୍‌ ମିଳିବା ପରେ ଦାମ୍‌ ସେତେ ବଢ଼ି ନାହିଁ। ଦଶ ବର୍ଷ ପୂର୍ବରୁ ଗୋଟିଏ ପୁତରେକୁ ଦାମ୍‌ ୭ ଟଙ୍କା ଥିଲା,’’ ସତ୍ୟା କୁହନ୍ତି ।

ସେ ଆହୁରି କୁହନ୍ତି, ‘‘ଗତ ସପ୍ତାହରେ ଦୁବାଇରୁ ଜଣେ ଝିଅ ମୋ ଦୋକାନକୁ ଆସିଥିଲେ। ପୁତରେକୁଲୁ କେମିତି ତିଆରି ହୁଏ ମୁଁ ତାଙ୍କୁ ଦେଖାଇ ଦେଇଥିଲି ଏବଂ ଏହାକୁ ଦେଖି ସେ ମନ୍ତ୍ରମୁଗ୍ଧ ହୋଇଯାଇଥିଲେ। ମିଠା କେମିତି ତାଙ୍କ ମୁହଁରେ ମିଳେଇ ଗଲା ତାହା ସେ ବିଶ୍ୱାସ କରିପାରିଲେ ନାହିଁ। ଏହାର ପ୍ରସ୍ତୁତିକୁ ସେ ଏକ କଳା ବୋଲି କହିଥିଲେ। ସତ କଥା କହିବାକୁ ଗଲେ, ମୁଁ ଏହା ବିଷୟରେ ଏପରି କେବେ ବି ଭାବି ନଥିଲି। କିନ୍ତୁ ଏକଥା ସତ। ଯେଉଁମାନେ ରେକୁ ତିଆରି କରନ୍ତି ଏବଂ ସେଗୁଡ଼ିକୁ ମୋଡ଼ନ୍ତି, ଅନ୍ୟ କେହି ସେମାନଙ୍କ କାମ କରିପାରିବେ ନାହିଁ।’’

ଏହି ଷ୍ଟୋରୀ ପାଇଁ ରଙ୍ଗ ଦେ ପକ୍ଷରୁ ଅନୁଦାନ ସହାୟତା ମିଳିଛି

ଅନୁବାଦ: ଓଡ଼ିଶାଲାଇଭ୍‍

Amrutha Kosuru

Amrutha Kosuru is a 2022 PARI Fellow. She is a graduate of the Asian College of Journalism and lives in Visakhapatnam.

Other stories by Amrutha Kosuru
Editor : PARI Desk

PARI Desk is the nerve centre of our editorial work. The team works with reporters, researchers, photographers, filmmakers and translators located across the country. The Desk supports and manages the production and publication of text, video, audio and research reports published by PARI.

Other stories by PARI Desk
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Other stories by OdishaLIVE