ମନ୍ଦିର ଭିତରକୁ ଯିବା ସମୟରେ ଅଧିକାଂଶ ଭକ୍ତଙ୍କୁ ସେମାନଙ୍କ ମୁଣ୍ଡ ନୁଆଁଇବା ଲାଗି ବାଧ୍ୟ କରେ ଚାରି ଫୁଟ ଉଚ୍ଚତାର ପ୍ରବେଶ ଦୁଆର। କିନ୍ତୁ ରୋଗରୁ ମୁକ୍ତି ଦେବାରେ ଦେବୀଙ୍କ ଶକ୍ତି ପ୍ରତି ଭକ୍ତି ଏତେ ଅଧିକ ଯେ ମରହା ଓ ଆଖପାଖ ଗାଁରୁ ଆସୁଥିବା ଅନେକ ଭକ୍ତ ଏଠାକୁ ଆସି ମୁଣ୍ଡ ନୁଆଁନ୍ତି।
“ଯଦି ଆପଣଙ୍କ ପରିବାରରେ କେହି ଅସୁସ୍ଥ ହୁଅନ୍ତି, ତେବେ ଆପଣ ଆସି ଭଗବତୀଙ୍କୁ ପ୍ରାର୍ଥନା କରିପାରନ୍ତି,” ବାବୁ ସିଂହ କହନ୍ତି। ଝଙ୍କାଳିଆ ବରଗଛ ତଳେ ବସିଥିବା ଅନ୍ୟମାନଙ୍କ ଭଳି ସେ ବି ପୂଜାପାଠ ଆରମ୍ଭ ହେବାକୁ ଅପେକ୍ଷା କରିଛନ୍ତି। ଏହି ମନ୍ଦିରରେ ପୂଜା ପାଉଥିବା ଦେବୀ ହେଉଛନ୍ତି ଭଗବତୀ। “ସେ ସବୁ ସମସ୍ୟାର ସମାଧାନ କରିବେ – ରୋଗ ହେଉ କି ଭୁତ୍ (ଭୁତ) କିମ୍ବା ଡାୟନ୍ (ଡାଆଣି),” କଥାରେ କଥା ଯୋଡ଼ି ଦୃଢ଼ ବିଶ୍ୱାସର ସହ ସେ କହନ୍ତି।
ଆଜି ବୁଧବାର, ଏବଂ ଆଜିକା ପୂଜାପାଠ ଅଧିବେଶନର ବିଶେଷତ୍ୱ ବେଶ୍ ଅଧିକ – ଆଜି ମନ୍ଦିରର ପୂଜକ (ସ୍ଥାନୀୟ ଭାଷାରେ ପଣ୍ଡା)ଙ୍କ ଶରୀରରେ ଠାକୁରାଣୀ ପ୍ରବେଶ କରିବେ। ତାଙ୍କ ଜରିଆରେ, ଦେବୀ ମାତା ଭକ୍ତମାନଙ୍କର ସବୁ ପ୍ରଶ୍ନର ଉତ୍ତର ଦେବେ ଏବଂ ସେମାନଙ୍କ ସବୁ ସମସ୍ୟାର, ସାଧାରଣତଃ ଯାହା ସ୍ୱାସ୍ଥ୍ୟ ସଂପର୍କିତ ସମସ୍ୟାର, ସମାଧାନ ବାଟ ବତାଇବେ।
ଭକ୍ତମାନଙ୍କର ଏହି ଶ୍ରୋତାମଣ୍ଡଳୀର ଅଧିକାଂଶ ହେଉଛନ୍ତି ଗହଦାରା, କୋନି, କୁଡ଼ନ, ଖାମରି, ମାଝୋଲି, ମରହା, ରକସେହା ଏବଂ କଠେରି ବିଲହାଟା ଗାଁର ପୁରୁଷ। ତଥାପି, ମୁଣ୍ଡ ଉପରୁ ଲମ୍ବିଥିବା ଓଢ଼ଣାରେ ମୁହଁ ଢାଙ୍କି, କେତେକ ମହିଳା ବି ଉପସ୍ଥିତ ଥାଆନ୍ତି।
‘ ଆଠ୍ ଗାଓଁ କେ ଲୋଗ ଆତେ ହୈ, (ଆଠଟି ଗାଁର ଲୋକେ ଏଠାକୁ ଆସନ୍ତି),” ସେଦିନର ଅପରାହ୍ନ ଲାଗି କାର୍ଯ୍ୟରେ ବ୍ୟସ୍ତ ଥାଇ କହନ୍ତି ଭୈୟା ଲାଲ ଆଦିବାସୀ କହନ୍ତି। ସେ ଏଠାକାର ପୂଜକ ଏବଂ ସକଳ ବ୍ୟାଧିର ବ୍ୟାଖାକାର। ସେ ଜଣେ ଗୋଣ୍ଡ ଆଦିବାସୀ ଏବଂ ଅନେକ ପିଢ଼ି ଧରି ତାଙ୍କ ପରିବାର ଦେବୀଙ୍କ ପୂଜାର୍ଚ୍ଚନା କରିଆସୁଛନ୍ତି।
ମନ୍ଦିର ଭିତରେ, ଦଳେ ଲୋକ, ଢୋଲକ ଓ ହାରମୋନିୟମ୍ ସମେତ ବିଭିନ୍ନ ବାଦ୍ୟଯନ୍ତ୍ର ବଜାଉଛନ୍ତି ଏବଂ ରାମ ଓ ସୀତାଙ୍କ ନାମ ଜପୁଛନ୍ତି।
ଗୋଟିଏ କୋଣରେ ରଖାହୋଇଛି ସହଜରେ ଦିଶୁ ନଥିବା ଏକ ପାତ୍ର ଏବଂ ଏହା ଉପରେ ରହିଛି ଥାଳିଟିଏ। “ ଥାଲି ବଜେଗୀ ଆଜ୍ (ସେମାନେ ଆଜି ଥାଲି ବଜାଇବେ),” ନିରବରେ ନିଜ ଜାଗାରେ ରହିଥିବା ଥାଳିକୁ ଇଙ୍ଗିତ କରି ପାନ୍ନା ବାସିନ୍ଦା ନୀଲେଶ ତିୱାରୀ କହନ୍ତି।
ଭୀଷଣ ଭାବରେ ଆଗକୁ ପଛକୁ ଦୋହଲି ଦୋହଲି ପ୍ରବେଶ କରନ୍ତି ଭୈୟା ଲାଲ ଏବଂ ଠାକୁରାଣୀଙ୍କ ସାମନାରେ ନିଜ ଆସନ ଗ୍ରହଣ କରନ୍ତି। ତାଙ୍କୁ ଘେରି ରହିଥାନ୍ତି ପ୍ରାୟ ୨୦ ଜଣ ଭକ୍ତ। ସେମାନେ ବି ଏଥିରେ ଭାଗ ନେଉଛନ୍ତି। ସାରା କୋଠରିର ବାତାବରଣରେ ଭରିଯାଏ ଥାଲି ବାଜିବାର ପ୍ରଚଣ୍ଡ ଶବ୍ଦ, ଧୂପକାଠିରୁ ନିର୍ଗତ ଧୂଆଁ, ପୂଜାପୀଠ ସମ୍ମୁଖରେ ଜଳୁଥିବା କ୍ଷୁଦ୍ର ନିଆଁର ଆଲୋକ। ସବୁ ମିଶି ଏଭଳି ଏକ ସମୟର ପୂର୍ବାଭାସ ସୃଷ୍ଟି କରେ, ଯେଉଁଥିରେ ପୂଜକଙ୍କ ଶରୀରରେ ପ୍ରବେଶ କରିବେ ଦେବୀ ମାତା।
ସଙ୍ଗୀତର ଧ୍ୱନି ତୀବ୍ରତାର ଶୀର୍ଷରେ ପହଞ୍ଚିଲେ, ନିଜ ଗୋଡ଼ ଦୁଇଟିରେ ଭାରସାମ୍ୟ ରଖି ପଣ୍ଡା ସ୍ଥିର ହୁଅନ୍ତି। କେହି କିଛି କହନ୍ତି ନାହିଁ, କିନ୍ତୁ ଦେବୀ ଯେ ତାଙ୍କ ଶରୀରରେ ପ୍ରବେଶ କରିସାରିଛନ୍ତି ବୋଲି ବୁଝିବାକୁ ବାକି ନଥାଏ। ନିଜ ନିଜ ପ୍ରଶ୍ନର ଉତ୍ତର ପାଇବା ଲାଗି ଭକ୍ତମାନେ ତତ୍ପର ହୋଇ ଉଠନ୍ତି। ପ୍ରଶ୍ନଗୁଡ଼ିକୁ ଭୈୟା ଲାଲଙ୍କ କାନରେ ଚୁପଚୁପ୍ କରି କହିଦିଆଯାଏ ଏବଂ ସେ କିଛି ଦାନା ଉଠାନ୍ତି। ସେଗୁଡ଼ିକୁ ତାଙ୍କ ସାମନା ଚଟାଣ ଉପରେ ଫିଙ୍ଗି ଦିଅନ୍ତି, ଏହାର ସଂଖ୍ୟା ଉପରେ ନିର୍ଭର କରେ ପ୍ରଶ୍ନର ଉତ୍ତର- ହୁଏତ ସୁଖଦ କିମ୍ବା ଚିନ୍ତାଜନକ।
ଭକ୍ତମାନେ ସେଠାରେ ଜଳୁଥିବା ଧୂପକାଠିର ପାଉଁଶ ସଂଗ୍ରହ କରନ୍ତି ଏବଂ ପବିତ୍ର ବୋଲି ବିଚାର କରି ଗିଳି ଦିଅନ୍ତି। ଏହା ହିଁ ସେମାନେ ଭୋଗୁଥିବା ବ୍ୟାଧିରୁ ମୁକ୍ତି ପାଇବାର ଉପାୟ। ମଡହାଇ ମାତାଙ୍କ ପ୍ରସାଦର ଔଷଧୀୟ ଗୁଣ ବେଶ ଶକ୍ତିଶାଳୀ। “ଯେତେ ଦୂର ଯାଏଁ ମୁଁ ଜାଣେ, ଏହା କେବେ ବିଫଳ ହୋଇନାହିଁ,” ଅଳ୍ପ ହସି କହନ୍ତି ପଣ୍ଡା ।
ଏଠାକାର ଲୋକେ କହନ୍ତି ଯେ ରୋଗ ଚିକିତ୍ସାର ଅବଧି ଆଠ ଦିନ। ତା’ ପରେ, ଭୈୟା ଲାଲ କହନ୍ତି, “ଆପଣ ଯାହା ଇଚ୍ଛା ତାହା ଦେବୀଙ୍କୁ ଅର୍ପଣ କରିପାରନ୍ତି: ନଡ଼ିଆ କିମ୍ବା ଅଠବାଇ (ଗହମରେ ତିଆରି ଛୋଟ ପୁରି ), କନ୍ୟା ଭୋଜନ କିମ୍ବା ଭାଗବତ – ତାହା ଭକ୍ତଙ୍କ ଇଚ୍ଛା ଉପରେ ନିର୍ଭର କରେ।”
‘ଆମେ ଆମ ଜମି ହରାଇବାକୁ ଯାଉଥିବାରୁ ସମସ୍ତଙ୍କୁ ଖରାପ ଲାଗୁଛି। କିନ୍ତୁ ମୋତେ ବେଶୀ ଖରାପ ଲାଗୁଛି ଏଥିପାଇଁ ଯେ ଆମେ ଏହି ପବିତ୍ର ସ୍ଥାନଟିକୁ ହରାଇବୁ। ଯଦି ଗାଁ ଲୋକେ କାମଧନ୍ଦା ଖୋଜିବା ଲାଗି ଚାଲିଯିବାକୁ ସ୍ଥିର କରନ୍ତି, ତେବେ କିଏ ଜାଣେ, ଆମ ଲୋକମାନଙ୍କର ଅବସ୍ଥା କ’ଣ ହେବ’
ଏଠାକାର ବାସିନ୍ଦାମାନେ କହନ୍ତି ଯେ ଏଠାକାର ବହୁ ଲୋକ ଟାଇଫଏଡ୍ (ସ୍ଥାନୀୟ ଭାଷାରେ ବାବାଜୁ କୀ ବିମାରୀ , ବାବାଜୁ ମାନେ ଏକ ଦିବ୍ୟ ଆତ୍ମା)ରେ ପୀଡ଼ିତ ହୁଅନ୍ତି। ସାରା ରାଜ୍ୟରେ ମହିଳାଙ୍କ ସ୍ୱାସ୍ଥ୍ୟ ଓ ଶିଶୁ ଜନ୍ମ ଅବହେଳିତ। ପ୍ରତି ୧,୦୦୦ ଶିଶୁ ଜନ୍ମ କ୍ଷେତ୍ରରେ ୪୧ ଜଣ ଶିଶୁ ପ୍ରାଣ ହରାନ୍ତି ଏବଂ ୨୦୧୯-୨୧ର ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ଭେ ୫ , ଅନୁସାରେ ମଧ୍ୟ ପ୍ରଦେଶରେ ଶିଶୁ ମୃତ୍ୟୁହାର ସର୍ବାଧିକ।
ପାନ୍ନା ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଅଞ୍ଚଳ ଏବଂ ଏହାର ଆଖପାଖ ଗାଁଗୁଡ଼ିକର ଲୋକେ ସଚଳ ସ୍ୱାସ୍ଥ୍ୟ ସେବା ସୁବିଧାରୁ ବଞ୍ଚିତ ଏବଂ ସବୁଠାରୁ ପାଖ ସରକାରୀ ହାସପାତାଳ ରହିଛି ଏଠାରୁ ୫୪ କିଲୋମିଟର ଦୂର ପାନ୍ନା ସହରରେ, ଏବଂ ପ୍ରାୟ ୨୨ କିଲୋମିଟର ଦୂର ଅମାନଗଞ୍ଜରେ ରହିଛି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର (ପିଏଚସି)।
“ଏଠାକାର ଲୋକେ ଡାକ୍ତରଙ୍କ ପାଖକୁ ଏବଂ ହାସପାତାଳ ଯିବାକୁ ଏବଂ ସେମାନେ ଦେଉଥିବା ଔଷଧ ଖାଇବାକୁ କୁଣ୍ଠାବୋଧ କରନ୍ତି,” ପ୍ରାୟ ସାତ ବର୍ଷ ହେଲା ପାନ୍ନାର ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ କାର୍ଯ୍ୟରତ ‘କୋଷିକା’ ନାମକ ଏକ ବେସରକାରୀ ସଂଗଠନର ଦେବଶ୍ରୀ ସୋମାନି କହନ୍ତି। “ଆମ ପାଇଁ ସବୁଠାରୁ କଷ୍ଟକର କାମ ହେଲା, ଦେଶୀୟ ଚିକିତ୍ସା ପଦ୍ଧତି ଉପରେ ସେମାନଙ୍କ ଆସ୍ଥାକୁ ଅତୁଟ ରଖିବା ସହିତ ସେମାନଙ୍କୁ ଡାକ୍ତରଙ୍କ ପାଖକୁ ପଠାଇବା,” ସେ କହନ୍ତି। “ଗାଁ ଲୋକଙ୍କ ବିଶ୍ୱାସ ଯେ ରୋଗ ହେଉଛି ଦେବତା କିମ୍ବା ପରଲୋକଗତ ପୂର୍ବପୁରୁଷଙ୍କ କ୍ରୋଧର ଏକ ଲକ୍ଷଣ ମାତ୍ର।”
ଏଲୋପାଥିକ ଔଷଧର ବ୍ୟବହାର କ୍ଷେତ୍ରରେ ବି ସେମାନେ ପାଉଥିବା ‘ଚିକିତ୍ସା’ ସେମାନଙ୍କ ଜାତିଗତ ପରିଚୟ ଉପରେ ନିର୍ଭର କରେ। ଯାହା ଏହି ଚିକିତ୍ସା ପଦ୍ଧତି ଅବଲମ୍ବନ ସଂପର୍କରେ ସେମାନଙ୍କୁ ଅଧିକ ଚିନ୍ତିତ କରାଇଥାଏ।
*****
ଏ ଅଞ୍ଚଳରେ ପ୍ରସ୍ତାବିତ କେନ-ବେତୱା ନଦୀ ସଂଯୋଗୀକରଣ ପ୍ରକଳ୍ପ (କେବିଆରଏଲପି) ଯୋଗୁଁ ପାନ୍ନା ଓ ଛତରପୁର ଅଞ୍ଚଳର ଅଧିକାଂଶ ଗାଁ ବୁଡ଼ିଯିବ। ଯଦିଚ ବହୁ ଦଶନ୍ଧି ଧରି କେବଳ ପ୍ରସ୍ତାବରେ ରହିଆସିଛି, ତଥାପି, ଏହା କାର୍ଯ୍ୟକାରୀ ହେଲେ କେଉଁଠିକୁ ଏବଂ କେବେ ଯିବାକୁ ପଡ଼ିବ ବୋଲି ଏଠାକାର ଲୋକେ ଅନିଶ୍ଚିତତା ଘେରରେ ରହିଆସିଛନ୍ତି। “ ଖେତି ବନ୍ଦ ହୈ ଅବ୍ ” (ଚାଷକାମ ବନ୍ଦ ରହିଛି),” ନିଶ୍ଚିତ ସ୍ଥାନଚ୍ୟୁତ ହେବାକୁ ପଡ଼ିବ ବୋଲି ବୁଝାଇ ଦିଅନ୍ତି ଏଠାକାର ପୁରୁଷମାନେ। (ପଢ଼ନ୍ତୁ : ପାନ୍ନା ବ୍ୟାଘ୍ର ଉଦ୍ୟାନରେ ଆଦିବାସୀ: ଅଭିଶପ୍ତ ଭବିଷ୍ୟତ )
ସେମାନେ ଏତିକି ଜାଣିଛନ୍ତି ଯେ, “ଆମେ ଆମ ଭଗବତୀଙ୍କୁ ସାଙ୍ଗରେ ନେଇଯିବୁ,” ଦୃଢ଼ ଭାବରେ କହନ୍ତି ଭୈୟା ଲାଲ। “ଆମେ ଆମ ଜମି ହରାଇବାକୁ ଯାଉଛୁ ବୋଲି ସମସ୍ତଙ୍କୁ ଖରାପ ଲାଗୁଛି। କିନ୍ତୁ ମୋତେ ଏଥିପାଇଁ ବେଶୀ ଖରାପ ଲାଗୁଛି ଯେ ଆମେ ଏହି ପବିତ୍ର ସ୍ଥାନକୁ ହରାଇବୁ। ଗାଁ ଲୋକେ ଯଦି କାମଧନ୍ଦା ଖୋଜିବା ଲାଗି ଛାଡ଼ି ଚାଲିଯିବାକୁ ସ୍ଥିର କରନ୍ତି, ତେବେ କିଏ ଜାଣେ, ଆମ ଲୋକମାନଙ୍କର ଅବସ୍ଥା କ’ଣ ହେବ। ଗାଁ ଛିନ୍ନଭିନ୍ନ ହୋଇଯିବ। ଯଦି ଦେବୀ ଭଗବତୀଙ୍କୁ ପୁଣି ସ୍ଥାପନ କରିବା ବ୍ୟବସ୍ଥା ଥାଇ ସ୍ଥାନ ମିଳିଯାଏ ତେବେ ଆମେ ସମସ୍ତେ ସୁରକ୍ଷିତ ରହିବୁ,” ସେ କହନ୍ତି।
ଏଠାରୁ ୧୦ କିଲୋମିଟର ଦୂର ମଝଗାୱାଁରୁ ଆସିଛନ୍ତି ସନ୍ତୋଷ କୁମାର। ପ୍ରାୟ ୪୦ ବର୍ଷ ହେଲା ସେ ଏହି ମନ୍ଦିରକୁ ନିୟମିତ ଆସୁଛନ୍ତି। “ ତସଲ୍ଲି ମିଲତି ହୈ (ଏଠାରେ ମୋତେ ଶାନ୍ତି ମିଳେ),” କହନ୍ତି ଏହି ୫୮ ବର୍ଷୀୟ ବ୍ୟକ୍ତି ଜଣକ।
“ଯେହେତୁ ଏବେ ଆମକୁ ଏହି ସ୍ଥାନ ଛାଡ଼ି ଚାଲି ଯିବାକୁ ହେବ, ତେଣୁ ମୁଁ ଭାବିଲି, ହୁଏତ କିଛି ବର୍ଷ ପାଇଁ ମୁଁ ଦେବୀଙ୍କ ଦର୍ଶନ ପାଇପାରିବି ନାହିଁ, ତେଣୁ ଚାଲି ଆସିଲି,” ନିଜର ଛଅ ଏକର ଚାଷଜମିରେ ମସୁର (ଛୁଇଁ), ଚନା (ଚଣା), ଏବଂ ଗେହୁଁ (ଗହମ) ଚାଷ କରୁଥିବା ଏହି ଚାଷୀ ଜଣକ କହନ୍ତି।
ବୟସର ୨୦ ଦଶକରେ ଥିବା ତାଙ୍କ ପୁଅ ଦେବୀଙ୍କର ପୂଜା ପରମ୍ପରାକୁ ଅବ୍ୟାହତ ରଖିବେ ବୋଲି ନିଶ୍ଚିତ ନୁହଁନ୍ତି ଭୈୟା ଲାଲ, “ୱହ ତୋ ଉନକେ ଉପର ହୈ ,” ହସି ହସି ସେ କହନ୍ତି। ତାଙ୍କ ପୁଅ ସେମାନଙ୍କର ପାଞ୍ଚ ଏକର ଚାଷଜମିରେ ଗେହୁଁ (ଗହମ) ଓ ସରସୋଁ (ସୋରିଷ) ଚାଷ କରନ୍ତି। କିଛି ଫସଲ ସେମାନେ ବିକି ଦିଅନ୍ତି ଓ ବାକି ତକ ନିଜେ ଖାଇବା ପାଇଁ ରଖନ୍ତି।
“ ଆରାମ ମିଲତି ହୈ ” , ଅମାନଗଞ୍ଜରୁ ଆସିଥିବା ଜଣେ କୃଷକ ମଧୁ ବାଇ କହନ୍ତି। “ ଦର୍ଶନ କେ ଲିୟେ ଆୟେ ହୈ, ” ଅନ୍ୟ କେତେକ ମହିଳାଙ୍କ ସହିତ ପଡ଼ିଆରେ ବସିଥିବା ଏହି ୪୦ ବର୍ଷୀୟା ମହିଳା ଜଣକ କହନ୍ତି। ପ୍ରଚ୍ଛଦରୁ ଅନବରତ ଭାସିଆସୁଥାଏ ତାଳଲୟରେ ପରିବେଷିତ ଗୀତ ସହିତ ଢୋଲ ବାଜିବାର ସରସ ଧ୍ୱନି।
ସେ କହୁଥିବା ସମୟରେ ଢୋଲ ଓ ହାରମୋନିୟମର ଧୀର ମଧୁର ଧ୍ୱନି ଶୀର୍ଷରେ ପହଞ୍ଚେ ଏବଂ ପାଖରେ ରହି ବି ଆମେ ପରସ୍ପରକୁ ଶୁଣିପାରୁନାହିଁ। “ ଦର୍ଶନ କରକେ ଆତେ ହୈ (ଏବେ ମୁଁ ଦେବୀଙ୍କ ଦର୍ଶନ କରି ଆସୁଛି),” ସେ କହନ୍ତି, ଏବଂ ଠିଆ ହୋଇ ନିଜର ଶାଢ଼ି ସଜାଡ଼ି ନିଅନ୍ତି।
ଅନୁବାଦ : ଓଡ଼ିଶାଲାଇଭ୍