ନାମ: ବାଜେସିଂ ପାର୍ଗୀ ଜନ୍ମ: ୧୯୬୩ ଗାଁ: ଇଟାୱା। ଜିଲ୍ଲା: ଦାହୋଡ଼, ଗୁଜରାଟ। ଗୋଷ୍ଠୀ: ଆଦିବାସୀ ପଞ୍ଚମାହାଲି ଭିଲ। ପରିବାର ସଦସ୍ୟ: ବାପା – ଚିସକା ଭାଇ। ମା’ – ଚତୁରା ବେନ। ଏବଂ ପାଞ୍ଚ ଭାଇଭଉଣୀଙ୍କ ମଧ୍ୟରେ ବାଜେସିଂ ହେଉଛନ୍ତି ପ୍ରଥମ ସନ୍ତାନ। ପରିବାରର ଜୀବିକା – ଚାଷ କାମ ମୂଲିଆ।
ଗୋଟିଏ ଗରିବ ଆଦିବାସୀ ପରିବାରରେ ଜନ୍ମ ହୋଇଥିବାରୁ ଉତ୍ତରାଧିକାରୀ ଭାବେ ସେ ଯାହା ପାଇଛନ୍ତି ସେ ସମ୍ପର୍କରେ ବାଜେସିଂ ଲେଖନ୍ତି – ‘ତାଙ୍କ ମା’ଙ୍କ ଜରାୟୁର ଅନ୍ଧକାର’, ‘ମରୁଭୂମି ପରି ବିଶାଳ ଏକାକୀତ୍ଵ’, ‘କୂଅ-ଭର୍ତ୍ତି ଝାଳ’ ଓ ‘ନେଳିଆ –ବିଷାଦ ଭରା’, ‘ଭୋକ’, ଏବଂ ‘ଜୁଳୁଜୁଳିଆ ପୋକଙ୍କ ଆଲୁଅ’। ଅବଶ୍ୟ ତା’ ସହ ଥିଲା ଜନ୍ମ ବେଳୁ ଶବ୍ଦମାନଙ୍କ ପ୍ରତି ଶ୍ରଦ୍ଧା।
ଥରେ ଗୋଟିଏ ଗଣ୍ଡଗୋଳର ଅସତର୍କତା ଭିତରେ ହଠାତ୍ ଗୁଳିଟିଏ ଆସି ସେତେବେଳେ ଯୁବକ ଥିବା ଆଦିବାସୀଟିର ହନୁହାଡ ଓ ବେକ ମଝିରେ ପଶି କଣା କରି ବାହାରିଗଲା। ସେହି କ୍ଷତ ଯୋଗୁଁ ତା’ର ସ୍ଵର ଏପରି ଆକ୍ରାନ୍ତ ହେଲା ଯେ ସାତ ବର୍ଷର ଚିକିତ୍ସା, ୧୪ଟି ଅସ୍ତ୍ରୋପଚାର ଓ ଉତ୍କଟ ଋଣଭାର ସତ୍ତ୍ୱେ ଆଉ ଠିକ୍ ହେଲା ନାହିଁ। ତାହା ବେଡ଼ି ଉପରେ କୋରଡ଼ା ସଦୃଶ ଥିଲା। ପ୍ରଥମତଃ, ସେ ଜନ୍ମ ହୋଇଥିବା ଗରିବ ଆଦିବାସୀ ସମ୍ପ୍ରଦାୟର ସ୍ଵର ଅତି ନିଥର ଥିଲା ଓ ତାକୁ ବ୍ୟକ୍ତିଗତ ଭାବେ ଉପହାର ସଦୃଶ ମିଳିଥିବା ସ୍ଵରତନ୍ତ୍ରୀ ଏବେ ଭୀଷଣ ଭାବେ କ୍ଷତିଗ୍ରସ୍ତ ହୋଇଗଲା। କେବଳ ଯାହା ତାଙ୍କର ଦୃଷ୍ଟିଶକ୍ତି ପୂର୍ବ ପରି ତୀକ୍ଷ୍ଣ ହୋଇ ରହିଲା। ଦୀର୍ଘ ସମୟ ବ୍ୟବଧାନରେ ଜଣେ ଶ୍ରେଷ୍ଠ ପ୍ରୁଫ୍ରିଡର ଭାବେ ବାଜେସିଂ ଗୁଜରାଟୀ ସାହିତ୍ୟରେ ପଦାର୍ପଣ କରିଥିଲେ। ତେବେ ତାଙ୍କ ନିଜସ୍ୱ ରଚନାବଳି ଯେଉଁ ଗୁରୁତ୍ଵ ପାଇବା କଥା ତାହା ମିଳି ନଥିଲା।
ଏଠାରେ ଓଡିଆରେ ଅନୁଦିତ ଗୁଜରାଟୀ ଲିପିରେ ଲିଖିତ ବାଜେସିଂଙ୍କ ମୂଳ ପଞ୍ଚମାହାଲି ଭିଲି ଉପଭାଷାର କବିତା ତାଙ୍କ ଦ୍ଵନ୍ଦ୍ଵକୁ ପ୍ରକାଶ କରେ।


