କଡ଼ଲୁର ଜିଲ୍ଲାରେ କିଞ୍ଜମପେଟ୍ଟାଇ ଗ୍ରାମର ଜଣେ ମହିଳା ମାଛ କଟାଳି କଲା କୁହନ୍ତି, ‘‘ମହିଳା ମାଛ କଟାଳୀଙ୍କ ପାଇଁ କୌଣସି ସ୍ଥାନ ନାହିଁ’’।

ସିଙ୍ଗାରତୋପ ସେତୁ ତଳେ ୬୦ ବର୍ଷ ବୟସ୍କା କଲା ବସିଥାନ୍ତି। କଡ଼ଲୁର ପୁରୁଣା ସହରର ବନ୍ଦର ପୋତାଶ୍ରୟ ବାହାରେ ଏହି କଂକ୍ରିଟ ଓ ଧାତବ ସେତୁ ଅବସ୍ଥିତ । ଏଠାରେ ପ୍ରାୟ ୨୦-୩୦ ଜଣ ମାଛ ବିକ୍ରେତା ଓ କଟାଳି ବସିଥାନ୍ତି ଏବଂ ସେମାନେ ସମସ୍ତେ ମହିଳା।

କଡ଼ଲୁର ଜିଲ୍ଲାରେ ୫୭.୫ କିଲୋମିଟର ସମୁଦ୍ର ଉପକୂଳ ରହିଛି ଏବଂ ଏଠାରେ ଥିବା ବନ୍ଦର ପୋତାଶ୍ରୟରେ ଗୋଦାମ, ପଣ୍ୟାଗାର, ଦୋକାନ ଏବଂ ମାଛ ଧରା ଡଙ୍ଗା ଭର୍ତ୍ତି ହୋଇ ରହିଥାଏ।

କଲା (କେବଳ ନିଜର ପ୍ରଥମ ନାମ ବ୍ୟବହାର କରିଥାନ୍ତି) କୁହନ୍ତି, ‘‘ବନ୍ଦରକୁ ଅଧିକରୁ ଅଧିକ ସଂଖ୍ୟାରେ ବ୍ୟବସାୟୀ ଓ ଟ୍ରକ ଆସିବା କାରଣରୁ ଆମ ପାଇଁ ସ୍ଥାନାଭାବ ଦେଖା ଦେଇଥିଲା। ଆମକୁ ସେଠାରୁ ତଡ଼ି ଦିଆଗଲା ଏବଂ ଆମେ ବହୁ କଷ୍ଟରେ ଏହି ସର୍ବସାଧାରଣ ସ୍ଥାନରେ ଆସି ରହିଲୁ। ଏହି ସ୍ଥାନଟି ପୋତାଶ୍ରୟ ବାହାରେ ଅଛି।’’

ମାଛ ବିକ୍ରି କରିବା, କାଟିବା, ଶୁଖାଇବା ଏବଂ ମାଛ ଅବଶେଷ ସାମଗ୍ରୀ ବିକ୍ରି କରିବା ଭଳି କାର୍ଯ୍ୟ କରୁଥିବା କଲାଙ୍କ ଭଳି ମହିଳାମାନଙ୍କୁ ଧୀରେ ଧୀରେ ବାହାର କରି ଦିଆଯାଉଛି । ପଢ଼ନ୍ତୁ: ମାଛ ଅବଶେଷ ବିକ୍ରି କରୁଥିବା ପୁଲିଙ୍କ ଦୁଃଖ

ମତ୍ସ୍ୟଜୀବୀ ମହିଳାମାନଙ୍କୁ ସାଧାରଣତଃ ମାଛ ବିକ୍ରେତା ରୂପରେ ଚିତ୍ରିତ କରାଯାଇଥାଏ, କିନ୍ତୁ ଏଭଳି ମହିଳାଙ୍କ ପାଖରେ ଅର୍ଥାଭାବ ରହିଥାଏ କିମ୍ବା ସେମାନେ ଶାରୀରିକ ରୋଗରେ ପୀଡ଼ିତ ହୋଇଥାନ୍ତି, ସେମାନେ ଅନ୍ୟ ବିକ୍ରେତାଙ୍କ ପାଖରେ ବସି ମାଛ କାଟିଥାନ୍ତି ଏବଂ ସଫା କରିବା କାମ କରିଥାନ୍ତି ।

‘‘ଆମେ ବିକ୍ରେତାଙ୍କ ପାଖରେ ବସି ରହିଥାଉ, କାରଣ ସେମାନଙ୍କଠାରୁ ମାଛ କିଣୁଥିବା ଗ୍ରାହକମାନେ ଆମ ପାଖରେ ସେଗୁଡ଼ିକୁ କଟାଇଥାନ୍ତି ଓ ସଫା କରିଥାନ୍ତି। ମାଛ ବିକ୍ରେତାଙ୍କ ପାଖରେ ନବସିଲେ, ଆମର ବେପାର ହେବ ନାହିଁ,’’ କଲା କୁହନ୍ତି।

At the Cuddalore Old Town harbour there are roughly 20 to 30 fish-cutters  and vendors and they are all women
PHOTO • M. Palani Kumar
Sitting under the Singarathope bridge, Kala is eating lunch from a nearby eatery.  She says, ' A meal costs around Rs. 30 to 40, depending on whether I take a curry in addition to a piece of fish. Often it is late by the time I get to eat'
PHOTO • M. Palani Kumar

ବାମ: କଡ଼ଲୁର ପୁରୁଣା ସହର ବନ୍ଦର ପୋତାଶ୍ରୟ ନିକଟରେ ୨୦ରୁ ୩୦ ଜଣ ମାଛ କଟାଳି ଓ ବିକ୍ରେତା ଅଛନ୍ତି ଏବଂ ସେମାନେ ସମସ୍ତେ ମହିଳା। ଡାହାଣ : କଲା ସିଙ୍ଗାରତୋପ ସେତୁ ନିକଟରେ ବସି ନିକଟସ୍ଥ ଭୋଜନାଳୟରୁ ମଧ୍ୟାହ୍ନ ଭୋଜନ ଖାଉଛନ୍ତି। ସେ କୁହନ୍ତି, ‘ଏଠାରେ ଖଣ୍ଡେ ମାଛ ସହିତ ଅଲଗା ଗୋଟିଏ ତରକାରୀ ନେଲେ ମୋତେ ଗୋଟିଏ ମିଲ୍‌ ପାଇଁ ୩୦ରୁ ୪୦ ଟଙ୍କା ଦେବାକୁ ପଡ଼ିଥାଏ। ଅଧିକାଂଶ ସମୟରେ ମୋ ଖାଇବା ଡେରି ହୋଇଯାଏ’

ଉପ୍ପନାର ଓ ପରବନାର ନଦୀ ଯେଉଁଠି ବଙ୍ଗୋପସାଗରରେ ମିଶିଛନ୍ତି ସେହିଠାରେ କଡ଼ଲୁର ବନ୍ଦର ରହିଛି। ଭାରତର ୭,୫୦୦ କିଲୋମିଟର ସାମୁଦ୍ରିକ ଉପକୂଳର ଆଧୁନିକୀକରଣ ଓ ବିକାଶ ଲାଗି କେନ୍ଦ୍ର ସରକାରଙ୍କ ସାଗରମାଳା ପ୍ରକଳ୍ପ ଅଧୀନରେ ଏହାର ସମ୍ପ୍ରସାରଣ ଓ ଆଧୁନିକୀକରଣ କରାଯାଉଛି ।

ଏହି ବିକାଶ କାର୍ଯ୍ୟ କଲାଙ୍କ ଭଳି ମତ୍ସ୍ୟଜୀବୀ ମହିଳାଙ୍କୁ ଆହୁରି ସଙ୍କଟ ମଧ୍ୟକୁ ଠେଲି ଦେବ। ସେ କୁହନ୍ତି, ‘‘ମୋତେ ଅନେକ ଥର ସ୍ଥାନାନ୍ତର ହେବାକୁ ପଡ଼ିଛି ଏବଂ ଆଉ ଥରେ ମୁଁ ସ୍ଥାନାନ୍ତର ହୋଇପାରିବି କି ନାହିଁ ସେ ନେଇ ନିଶ୍ଚିତ ନୁହେଁ।’’ ସେ ପୁନର୍ବିକଶିତ କଡ଼ଲୁର ବନ୍ଦର ଓ ପୋତାଶ୍ରୟ ବିଷୟରେ କହୁଛନ୍ତି ଏବଂ ତାଙ୍କ ଭଳି ମାଛ କାମ, ବିଶେଷ କରି ମାଛ କାଟିବା କାମ କରୁଥିବା ମହିଳାଙ୍କ ପାଇଁ ଏଠାରେ କୌଣସି ସ୍ଥାନ ନାହିଁ ବୋଲି ସେ ବିଶ୍ୱାସ କରିଥାନ୍ତି ।

ପୁମ୍ପୁହାର ଉପକୂଳ ଆର୍ଥିକ କ୍ଷେତ୍ର (ସିଇଜେଡ) ଅଧୀନରେ ଆସୁଥିବା ଆଧୁନିକ କଡ଼ଲୁର ବନ୍ଦର ଏକ ତୈଳ ବିଶୋଧନାଗାର, ତାପଜ ବିଦ୍ୟୁତ କେନ୍ଦ୍ର ଏବଂ ଅନ୍ୟ ଶିଳ୍ପ ଉଦ୍ୟୋଗଗୁଡ଼ିକୁ ସେବା ଯୋଗାଇ ଦେବ ବୋଲି ଆଶା କରାଯାଉଛି । ସାଧାରଣତଃ ଗୋଟିଏ କିମ୍ବା ଏକାଧିକ ଉପକୂଳ ଜିଲ୍ଲାର ଏକ ବିସ୍ତୃତ କ୍ଷେତ୍ରକୁ ସିଇଜେଡ ମାନ୍ୟତା ମିଳିଥାଏ ଯାହାର ସେହି ଅଞ୍ଚଳରେ ଥିବା ବନ୍ଦର ସହିତ ଦୃଢ଼ ଯୋଗାଯୋଗ ବ୍ୟବସ୍ଥା ରହିଥାଏ। ଏଭଳି କ୍ଷେତ୍ରରେ ଅଧିକ ସଂଖ୍ୟାରେ ଜାହାଜ ଓ ଅନ୍ୟାନ୍ୟ ଯାନବାହନର ଭିଡ଼ ଦେଖିବାକୁ ମିଳିଥାଏ ଏବଂ ଘରୋଇ ଓ ମାଲ ରପ୍ତାନି-ଆମଦାନୀ ଜନିତ ପରିବହନ ଖର୍ଚ୍ଚ କମାଇବା ଏହାର ଉଦ୍ଦେଶ୍ୟ ।

*****

ତାମିଲନାଡ଼ୁର ନଗପଟ୍ଟିନମ ଜିଲ୍ଲାରେ ଥିବା ତିରୁମୁଲ୍ଲାଇଭାସାଲ ଗ୍ରାମରେ କଲା ଜନ୍ମଗ୍ରହଣ କରିଥିଲେ। ତାଙ୍କ ବାପା କଟ୍ଟମରମ ରେ ମାଛ ଧରୁଥିଲେ ଏବଂ ତାଙ୍କର ମା’ ସେହି ମାଛକୁ ନେଇ ବଜାରରେ ବିକ୍ରି କରୁଥିଲେ । କଲାଙ୍କ ବିବାହ ମାତ୍ର ୧୭ ବର୍ଷ ବୟସରେ ହୋଇଯାଇଥିଲା ଏହାପରେ ସେ ଉତ୍ତର ଉପକୂଳବର୍ତ୍ତୀ କଡ଼ଲୁର ସହର ନିକଟରେ ଥିବା ତାଙ୍କ ସ୍ୱାମୀଙ୍କର ଗ୍ରାମ କିଞ୍ଜମପେଟ୍ଟଇକୁ ଚାଲି ଆସିଥିଲେ ।

‘‘ମୋ ଶାଶୁ ମୁନିଆମ୍ମା ମୋତେ ମାଛ ବିକ୍ରି ସହିତ ପରିଚିତ କରେଇ ଦେଇଥିଲେ। ଆମେ ଦୁହେଁ ମିଶି, କିଞ୍ଜମପେଟ୍ଟଇ ବଜାରରେ ଗ୍ରାହକମାନଙ୍କୁ ମାଛ ବିକ୍ରି କରୁଥିଲୁ,’’ କଲା ପୁରୁଣା କଥା ମନେ ପକେଇ କୁହନ୍ତି। ସେମାନେ ନେତଲି (କୋକଲି ମାଛ), କୋଡ଼ୁୱା (ବାରାମୁଣ୍ଡି), ସୁରା (ସାର୍କ), କେରା (ଟୁନା) ଓ ଅନ୍ୟାନ୍ୟ ମାଛ ବିକ୍ରି କରୁଥିଲେ ଯାହାକି ମାଛ ଧରାଯିବା ପରିମାଣ ଉପରେ ନିର୍ଭର କରୁଥିଲା।

ଦୁଇ ଦଶନ୍ଧି ପୂର୍ବରୁ ଅସୁସ୍ଥତା କାରଣରୁ ମୁନିଆମ୍ମାଙ୍କ ପରଲୋକ ଘଟିଲା ଏବଂ କଲା ଏଠାରେ କାର୍ଯ୍ୟ କରିବା ଜାରି ରଖିଲେ । ସେ ଓ ତାଙ୍କ ସ୍ୱାମୀ ରମନଙ୍କର ଚାରି ପିଲା ଅଛନ୍ତି - ଦୁଇ ପୁଅ ଏବଂ ଦୁଇ ଝିଅ । କଲା ଓ ତାଙ୍କ ପରିବାର ତାମିଲନାଡ଼ୁରେ ସବୁଠୁ ପଛୁଆ ବର୍ଗ (ଏମବିସି) ଭାବେ ବର୍ଗୀକୃତ ପଟ୍ଟନାବର ସମୁଦାୟର ପ୍ରତିନିଧିତ୍ୱ କରିଥାନ୍ତି ।

Kala has been cutting fish for the last 15 years. Before this she was a fish vendor for two decades. ' It was my mother-in-law who introduced me to fish vending soon after I moved to my husband’s village at Kinjampettai as a young bride.'
PHOTO • M. Palani Kumar
'We need to be near the vendors, as the customers who buy fish from them, get it cut and cleaned by us. If we are not close to the vendors, we won’t get business'
PHOTO • M. Palani Kumar

ବାମ: ବିଗତ ୧୫ ବର୍ଷ ଧରି କଲା ମାଛ କାଟିବା କାମ କରି ଆସୁଛନ୍ତି। ଏଥିପୂର୍ବରୁ ସେ ଦୁଇ ଦଶନ୍ଧି ପର୍ଯ୍ୟନ୍ତ ଜଣେ ମାଛ ବିକ୍ରେତା ଭାବେ କାମ କରୁଥିଲେ । ‘ମୁଁ ନୂଆ କନିଆ ହୋଇ ମୋ ସ୍ୱାମୀଙ୍କର ଗାଁ କିଞ୍ଜମପେଟ୍ଟଇକୁ ଚାଲି ଆସିବା ପରେ ମୋ ଶାଶୁ ମୋତେ ମାଛ ବିକ୍ରି କାମକୁ ଆଣିଥିଲେ।’ ଡାହାଣ: ‘ଆମେ ବିକ୍ରେତାଙ୍କ ପାଖରେ ବସି ରହିଥାଉ, କାରଣ ସେମାନଙ୍କ ଠାରୁ ମାଛ କିଣୁଥିବା ଗ୍ରାହକମାନେ ଆମ ପାଖରେ ସେଗୁଡ଼ିକୁ କଟେଇଥାନ୍ତି ଓ କେଳେଇଥାନ୍ତି। ମାଛ ବିକ୍ରେତାଙ୍କ ପାଖରେ ନବସିଲେ, ଆମର ବେପାର ହେବ ନାହିଁ ’

୨୦୦୧ରେ କଲା ଜାଣିପାରିଥିଲେ ଯେ ତାଙ୍କର ହୃଦରୋଗ ସମସ୍ୟା ରହିଛି। ସେ କୁହନ୍ତି, ‘‘ମୋର ନିଶ୍ୱାସପ୍ରଶ୍ୱାସ ହଠାତ୍‌ ବଢ଼ିଗଲା ଏବଂ ମୁଁ ସବୁବେଳେ ଅଣ ନିଶ୍ୱାସୀ ଅନୁଭବ କଲି।’’ ମୁଣ୍ଡରେ ୨୦ରୁ ୨୫ କିଲୋଗ୍ରାମ ଓଜନିଆ ମାଛ ମୁଣ୍ଡେଇ ବନ୍ଦର ପୋତାଶ୍ରୟରୁ ବଜାର ପର୍ଯ୍ୟନ୍ତ ନେବା ଏବଂ ସେଠାରୁ ସହରକୁ ବିକ୍ରି କରିବାକୁ ନେବା ଯୋଗୁଁ ତାଙ୍କର ଏଭଳି ସମସ୍ୟା ଦେଖା ଦେଇଥିବା ସେ କୁହନ୍ତି। ସେହିବର୍ଷ, ଅଶାନ୍ତ ସମୁଦ୍ରରେ ମାଛ ଧରୁଥିବା ସମୟରେ କଲାଙ୍କର ୪୫ ବର୍ଷୀୟ ସ୍ୱାମୀ ରମନ ପ୍ରାଣ ହରେଇ ଥିଲେ।

କଲା କୁହନ୍ତି, ‘‘ଏହା ଅତ୍ୟନ୍ତ କଷ୍ଟକର ସମୟ ଥିଲା।’’ ୨୦୦୫ରେ ସେ ପଡ଼ିଯିବାରୁ ତାଙ୍କର ଗୋଡ଼ ଭାଙ୍ଗିଗଲା। ଏହା ପରିସ୍ଥିତିକୁ ଆହୁରି ଖରାପ କରିଦେଲା। ଆଘାତ ଓ ହୃଦରୋଗ ସମସ୍ୟା ଯୋଗୁଁ ମାଛ ବୋହି ନେଇ ଦୂର ବାଟ ଚାଲି ଚାଲି ଯିବା ତାଙ୍କ ପାଇଁ ଖୁବ କଷ୍ଟକର ହୋଇପଡ଼ିଲା। ଏହି ସମୟରେ ସେ ନିଷ୍ପତ୍ତି ନେଲେ, ‘‘ମୁଁ ବନ୍ଦର ପୋତାଶ୍ରୟରେ ରହି ମାଛ କାଟିବା କାମ କରିବି।’’

କଲା ଜଣେ ସାହୁକାରଠାରୁ ୪ ପ୍ରତିଶତ ସୁଧରେ ୨୦,୦୦୦ ଟଙ୍କା ଉଧାର ଆଣିଥିଲେ। ୮୦୦ ଟଙ୍କା ଦେଇ ସେ ବୋଟି ଛୁରି କିଣିଲେ, ଆଉ ଗୋଟିଏ ଛୁରି ପାଇଁ ୪୦୦ ଟଙ୍କା ଓ ଚୌକି କିଣାରେ ୨୦୦ ଟଙ୍କା ଖର୍ଚ୍ଚ କଲେ। ଅବଶିଷ୍ଟ ଟଙ୍କା ସେ ଘର ଖର୍ଚ୍ଚରେ ବିନିଯୋଗ କରିଥିଲେ ଏବଂ ଏବେ ସେ ଋଣ ଅର୍ଥ ପରିଶୋଧ କରୁଛନ୍ତି ।

ସରକାରୀ ନୀତିରେ ମାଛ ବିକ୍ରି ଓ ବିପଣନରେ ସମ୍ପୃକ୍ତ ନଥିବା ମହିଳାମାନେ ଅଣଦେଖା ହୋଇ ରହିଛନ୍ତି। ନେସନାଲ ପଲିସୀ ଅନ୍‌ ମରାଇନ୍‌ ଫିସରିଜ୍‌ ୨୦୧୭ ବା ସାମୁଦ୍ରିକ ମତ୍ସ୍ୟଚାଷ ଉପରେ ଜାତୀୟ ନୀତିରେ କଲାଙ୍କ ଭଳି ମହିଳାଙ୍କ କାର୍ଯ୍ୟକୁ ମାନ୍ୟତା ଦିଆଯାଇଛି। ଏଥିରେ କୁହାଯାଇଛି ଯେ, ‘‘ମତ୍ସ୍ୟପାଳନ କ୍ଷେତ୍ରରେ ମାଛ ଧରିବା ପରବର୍ତ୍ତୀ କାର୍ଯ୍ୟରେ ମୋଟ ଶ୍ରମଶକ୍ତିର ୬୬ ପ୍ରତିଶତ ମହିଳା କାର୍ଯ୍ୟରତ ଅଛନ୍ତି। ପରିବାର ଚଳାଇବା ବ୍ୟତୀତ ମହିଳାମାନେ ମାଛର ଖୁଚୁରା ବିକ୍ରି, ମାଛ ଶୁଖାଇବା ଏବଂ ଅନ୍ୟାନ୍ୟ ମୂଲ୍ୟ ବୃଦ୍ଧି କାର୍ଯ୍ୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାନ୍ତି....’’

ତଥାପି, ଏହି ନୀତିଗତ ଘୋଷଣାକୁ କାର୍ଯ୍ୟକାରୀ କରିବା ଭଳି ସହାୟତା ସେମାନଙ୍କୁ ମିଳିପାରିନାହିଁ।

*****

ଏବେ କଲା ଗୋଟିଏ କିଲୋଗ୍ରାମ ମାଛ ଓ ଚିଙ୍ଗୁଡ଼ିକୁ ଯଥାକ୍ରମେ ୨୦ ଓ ୩୦ ଟଙ୍କାରେ ସଫା କରୁଛନ୍ତି, ଏଥିରୁ ଦିନକୁ ସେ ୫୦୦ ଟଙ୍କା ରୋଜଗାର କରୁଛନ୍ତି। ଜଣେ ମାଛ ବିକ୍ରେତା ଭାବେ ସେ ଏହାଠାରୁ ଦୁଇ ଗୁଣା ଅଧିକ ରୋଜଗାର କରୁଥିଲେ, ହେଲେ ତାହା ଋତୁ ଏବଂ ମାଛର ଉପଲବ୍ଧତା ଉପରେ ନିର୍ଭରଶୀଳ ଥିଲା।

ସୂର୍ଯ୍ୟ ଉଇଁବା ପୂର୍ବରୁ ସେ ଘରୁ ବାହାରନ୍ତି ଏବଂ ଭୋର ୪ଟା ବେଳକୁ ବନ୍ଦର ପୋତାଶ୍ରୟ ନିକଟ ସେତୁ ପାଖରେ ପହଞ୍ଚି ଯାଆନ୍ତି। ଏହାର ୧୩ ଘଣ୍ଟା ପରେ ଅପରାହ୍ଣ ୫ଟା ବେଳକୁ ସେ ଘରକୁ ଫେରନ୍ତି। ‘‘ସକାଳ ବେଳା ବେଶୀ ଭିଡ଼ ହୁଏ, ଯେତେବେଳେ ଗ୍ରାହକ ଓ କେତେକ ଛୋଟ ହୋଟେଲ ମାଲିକମାନେ ମାଛ କିଣିବା, କାଟିବା ଓ ସଫା କରିବାକୁ ଆସନ୍ତି,’’ ସେ କହିଥିଲେ। ସନ୍ଧ୍ୟା ବେଳକୁ କଲା ସାମାନ୍ୟ ବିଶ୍ରାମ ପାଆନ୍ତି ଏବଂ ଏହି ସମୟରେ ସେ ରାତ୍ରିଭୋଜନ ରୋଷେଇ କରିବା ସହିତ ଟିଭିରେ ଡ୍ରାମା ଦେଖନ୍ତି ।

Kala arrives at the harbour at 4:00 a.m. and leaves around 5:00 p.m. The morning hours are the busiest when customers  purchase fish and get it cut and cleaned
PHOTO • M. Palani Kumar
Kala arrives at the harbour at 4:00 a.m. and leaves around 5:00 p.m. The morning hours are the busiest when customers  purchase fish and get it cut and cleaned
PHOTO • M. Palani Kumar

ଭୋର ୪ଟା ବେଳେ କଲା ବନ୍ଦର ନିକଟରେ ପହଞ୍ଚିଥାଆନ୍ତି ଏବଂ ଅପରାହ୍ଣ ୫ଟା ବେଳେ ଘରକୁ ଫେରନ୍ତି। ସକାଳ ବେଳା ଅଧିକ ଭିଡ଼ ରହିଥାଏ ଯେତେବେଳେ ଗ୍ରାହକମାନେ ମାଛ କିଣିବା, କାଟିବା ଓ ସଫା କରିବା ଲାଗି ଆସିଥାନ୍ତି

In 2001, Kala discovered she had a heart problem. 'I found myself breathing heavily and felt exhausted all the time.' Things worsened when she fell and injured her leg in 2005 making it difficult for her to walk long distances
PHOTO • M. Palani Kumar
Kala relaxes while watching TV over dinner; she finds it difficult to be at ease
PHOTO • M. Palani Kumar

ବାମ: ୨୦୦୧ରେ କଲା ଜାଣିପାରିଥିଲେ ଯେ ତାଙ୍କର ହୃଦରୋଗ ସମସ୍ୟା ରହିଛି। ସେ କୁହନ୍ତି, ‘ମୋର ନିଶ୍ୱାସପ୍ରଶ୍ୱାସ ହଠାତ୍‌ ବଢ଼ିଗଲା ଏବଂ ମୁଁ ସବୁବେଳେ ଅଣ ନିଶ୍ୱାସୀ ଅନୁଭବ କଲି।’ ୨୦୦୫ରେ ସେ ପଡ଼ିଯିବାରୁ ତାଙ୍କର ଗୋଡ଼ ଭାଙ୍ଗିଗଲା। ଏହା ପରିସ୍ଥିତିକୁ ଆହୁରି ଖରାପ କରିଦେଲା। ଡାହାଣ: ରାତ୍ରିଭୋଜନ ସହିତ ଟିଭି ଦେଖିବା ବେଳେ କଲା ସାମାନ୍ୟ ଆରାମ କରିଥାନ୍ତି; ଆରାମ କରିବା ତାଙ୍କୁ ଭଲ ଲାଗେ ନାହିଁ

ମାଛଙ୍କ ପ୍ରଜନନ କ୍ଷତିଗ୍ରସ୍ତ ହେବା ଏବଂ ସାମୁଦ୍ରିକ ପରିବେଶ ନଷ୍ଟ ହେବା କାରଣରୁ ୨୦୧୮ରେ ରିଙ୍ଗ ସିନ୍‌ ଜାଲ ଉପରେ କଟକଣା ଲାଗୁ କରାଯିବା କାରଣରୁ କଲାଙ୍କ ଜୀବିକା ଉପରେ ଆଉ ଏକ ବିପଦ ପଡ଼ିଥିଲା। ଏହି ନିଷିଦ୍ଧାଦେଶ କାରଣରୁ ବହୁ ପୁରୁଷ ଓ ମହିଳା ସେମାନଙ୍କର ଜୀବିକା ହରେଇ ଥିଲେ; ବହୁସଂଖ୍ୟକ ମହିଳା ମାଛ କାଟିବା କାମ କରିବାକୁ ବାଧ୍ୟ ହୋଇଥିଲେ।

କୋଭିଡ-୧୯ ମହାମାରୀ ସମୟରେ ନୂଆ ଲୋକମାନେ ମାଛ କାଟିବା ବେଉସାକୁ ଆସିଥିଲେ। ପୂର୍ବରୁ, ମୁଖ୍ୟତଃ ପଟ୍ଟନାବର ସମୁଦାୟର ମହିଳାମାନେ ଏହି କାମ କରୁଥିଲେ। କିନ୍ତୁ ଲକଡାଉନ ସମୟରେ କାମ କରିବାର ସୁଯୋଗ ନମିଳିବା କାରଣରୁ ଅନ୍ୟାନ୍ୟ ପଛୁଆ ବର୍ଗ (ଓବିସି) ଏବଂ ଅନୁସୂଚିତ ଜାତି (ଏସସି) ପ୍ରଜାତିର ମହିଳାମାନେ ଏଠାକାର ଶ୍ରମ ବଜାରରେ ପ୍ରବେଶ କଲେ ଏବଂ ବନ୍ଦର ପୋତାଶ୍ରୟରେ ମତ୍ସ୍ୟପାଳନ ସହ ଜଡ଼ିତ କାର୍ଯ୍ୟରେ ନିୟୋଜିତ ହେଲେ। ‘‘ଏହା ପରଠାରୁ ପରିସ୍ଥିତି ଆହୁରି ସଙ୍କଟପୂର୍ଣ୍ଣ ହୋଇପଡ଼ିଲା,’’ ସେ କହିଥିଲେ।

‘‘ଭବିଷ୍ୟତ ଆହୁରି ଅସୁରକ୍ଷିତ ଲାଗୁଛି। କିନ୍ତୁ ମୁଁ ଯେତେଦୂର ପାରିବି କାମ ଜାରି ରଖିବି। ମୋତେ ମୋ କଥା ବୁଝିବାକୁ ହେବ ଏବଂ ମୋ ଦୁଇ ନାତିଙ୍କ ଖର୍ଚ୍ଚ ଉଠେଇବାକୁ ପଡ଼ିବ। ତଥାପି କାମ ଛାଡ଼ିବା ଲାଗି ମୋର ଇଚ୍ଛା ନାହିଁ,’’ ସେ କହିଥିଲେ।

ସଙ୍ଗୀତା ଧର୍ମରାଜନ ଏବଂ ୟୁ ଦିବ୍ୟୋଥିରନ ଙ୍କ ସହଯୋଗରେ

ଅନୁବାଦ: ଓଡ଼ିଶାଲାଇଭ୍‍

Nitya Rao

Nitya Rao is Professor, Gender and Development, University of East Anglia, Norwich, UK. She has worked extensively as a researcher, teacher and advocate in the field of women’s rights, employment and education for over three decades.

Other stories by Nitya Rao
Editor : Urvashi Sarkar

Urvashi Sarkar is an independent journalist and a 2016 PARI Fellow.

Other stories by Urvashi Sarkar
Photographs : M. Palani Kumar

M. Palani Kumar is Staff Photographer at People's Archive of Rural India. He is interested in documenting the lives of working-class women and marginalised people. Palani has received the Amplify grant in 2021, and Samyak Drishti and Photo South Asia Grant in 2020. He received the first Dayanita Singh-PARI Documentary Photography Award in 2022. Palani was also the cinematographer of ‘Kakoos' (Toilet), a Tamil-language documentary exposing the practice of manual scavenging in Tamil Nadu.

Other stories by M. Palani Kumar
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Other stories by OdishaLIVE