ସାଥୀ ମନି ରାତି ପାଇଁ ପ୍ରସ୍ତୁତ ହେବା ସମୟରେ ସେ ନିଜ ଘର ଚାରିପାଖକୁ ଦେଖନ୍ତି ଏବଂ ଏକ ଦ୍ରୁତ ଯାଞ୍ଚ କରନ୍ତି: ତାଙ୍କର ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଏବଂ ଭଲ ପୋଷାକପତ୍ରଗୁଡ଼ିକ ପ୍ଲାଷ୍ଟିକ୍‌ରେ ଗୁଡ଼ାଯାଇ କାନ୍ଥରେ ଝୁଲିଛି; ରୋଷେଇ ବାସନ ଚଟାଣରୁ ଦୁଇ ଫୁଟ୍‌ ଉଚ୍ଚରେ ଥିବା ସିମେଣ୍ଟ୍ ସ୍ଲାବ୍‌ ଉପରେ ରହିଛି ।

କେରଳର କୋଚିଠାରେ ଥିବା ଥେବରା- ପେରାନ୍ଦୁର କେନାଲ କଡ଼ରେ ଥିବା ଗାନ୍ଧିନଗର ପି ଆଣ୍ଡ୍ ଟି କଲୋନୀର ୬୫ ବର୍ଷ ବୟସ୍କ ବାସିନ୍ଦା (ଟିପି)ସାଥୀ କହିଲେ, ‘‘ଅନେକ ସମୟରେ ମୁଁ ରାତି ୨ଟାରେ ମଧ୍ୟ ଉଠିଯାଏ, ଦେଖେ ମୋ ଘରେ ପାଣି ଭାସୁଛି । ମୁଁ ଅନେକ ତକିଆ ଓ ବେଡ୍‌ସିଟ୍‌ ହରେଇଛି, ଯେଉଁଗୁଡ଼ିକ ସଫା କରିବା ପରେ ମଧ୍ୟ କଳାଦାଗ ଏବଂ ଦୁର୍ଗନ୍ଧ ଯାଏ ନାହିଁ, ମୋତେ ସେଗୁଡ଼ିକ ଫିଙ୍ଗିବାକୁ ହୋଇଥାଏ ।

ଟିପି କେନାଲ ପେରାନ୍ଦୁର ପୁଝାଠାରୁ ଉତ୍ତରରେ ଥେବରାଠାରୁ ଦକ୍ଷିଣରେ କୋଚି ପର୍ଯ୍ୟନ୍ତ ପ୍ରବାହିତ। ଏହା ସହରର ସ୍ଥିର ଜଳରେ ମିଶିବା ପୂର୍ବରୁ ପ୍ରାୟ ୯.୮୪ କିଲୋମିଟର ଯାତ୍ରା କରିଥାଏ । ଏହି କେନାଲ ହେଉଛି କୋଚିରେ ପ୍ରବାହିତ ହେଉଥିବା ଛଅଟି ମୁଖ୍ୟ ଜଳପଥ ମଧ୍ୟରୁ ଅନ୍ୟତମ । ଅନ୍ୟଗୁଡ଼ିକ ହେଉଛି ଇରାପାଲି କେନାଲ, ଚିଲାଭନୁର୍ କେନାଲ, ଥେବରା କେନାଲ ଏବଂ ମାର୍କେଟ୍‌ କେନାଲ୍‌; ଏର୍ନାକୁଲମ୍‌ରେ ଏବଂ ଏହାର ଆଖପାଖରେ ଟ୍ରାଫିକ୍‌ ଗହଳିକୁ ସହଜ କରିବା ପାଇଁ ରାଜ୍ୟ ଏଗୁଡ଼ିକୁ ଜଳପଥ ଭାବରେ ପ୍ରୋତ୍ସାହିତ କରିବାକୁ ଯୋଜନା କରିଥାଏ ।

ଗତ ତିନି ଦଶକ ମଧ୍ୟରେ କୋଚିର ଜନସଂଖ୍ୟା ଦୁଇ ଗୁଣିତ ହୋଇ ୨.୧ ନିୟୁତରେ ପହଞ୍ଚିଛି, ଏକ ମିଟରରୁ କମ୍‌ ଗଭୀର ଟିପି କେନାଲ ଏକ ଖୋଲା ନର୍ଦ୍ଦମା ପାଲଟିଛି; ଏହା ମେଟ୍ରୋ ନିର୍ମାଣ କାର୍ଯ୍ୟ ଏବଂ ଜଳ ପ୍ରବାହ ଅଭାବ କାରଣରୁ ଦୁଇଟି ସ୍ଥାନରେ ଅବରୁଦ୍ଧ ହୋଇଛି । କେନାଲ କଡ଼ରେ ଥିବା ଡାକ୍ତରଖାନା, ସ୍ଥାନୀୟ ବଜାର, ଶିଳ୍ପ ଏବଂ ଘରମାନଙ୍କର ବର୍ଜ୍ୟ ସିଧାସଳଖ ଏଥିରେ ମିଶୁଛି । ପ୍ରାୟ ୬୩୨ ଆଉଟ୍‌ଲେଟ୍‌ ପାଇପ୍‌ ଏବଂ ୨୧୬ ଷ୍ଟ୍ରିଟ୍‌ ଡ୍ରେନେଜ୍‌ ଚ୍ୟାନେଲ୍‌ ଅଶୋଧିତ ବର୍ଜ୍ୟ, ଔଦ୍ୟୋଗିକ ବର୍ଜ୍ୟ ଏବଂ ବର୍ଷା ଜଳ କେନାଲ ମଧ୍ୟକୁ ଛାଡ଼ନ୍ତି । କୂଳରେ ଶୁଷ୍କ ବର୍ଜ୍ୟ ଜମା ହୋଇ ରହିଥିବାରୁ ଏହି କେନାଲ କେତେକ ସ୍ଥାନରେ ଆଠ ମିଟରରୁ କମ୍‌ ହୋଇଯାଇଛି ।

ସାଥିଙ୍କ ଘର, ଏର୍ନାକୁଲମ୍‌ ଜଙ୍କସନ୍‌ ରେଲୱେ ଷ୍ଟେସନ୍‌ ପଛ ପଟେ ଥିବା ପି ଆଣ୍ଡ୍ ଟି କଲୋନୀରେ ଥିବା ଅନ୍ୟ ସମସ୍ତଙ୍କ ଘର ପରି କେନାଲ କୂଳରେ ରହିଛି । ଏହି କଲୋନୀ ପ୍ରାୟ ୨୫୦ ମିଟର ପୋରାମ୍ବୋକେ ଜମି (ଅନାଦାବୀ ଜମି ଯାହା ସରକାରଙ୍କ ସମ୍ପତ୍ତି କିମ୍ବା ସାର୍ବଜନୀନ ଉଦ୍ଦେଶ୍ୟ ପାଇଁ ସଂରକ୍ଷିତ) ଅକ୍ତିଆର କରିଛି । ବାସିନ୍ଦାମାନେ କୁହନ୍ତି, ‘‘ପାରାମ୍ବୋକେ ଜମିରେ ଏକ ଅସ୍ଥାୟୀ ଘର ତିଆରି କରିବା ଘର ଭଡ଼ା ନେବାଠାରୁ ଅଧିକ ଶସ୍ତା । ସମୟ କ୍ରମେ, ସେମାନେ କଂକ୍ରିଟ୍ ବ୍ଲକ୍‌ ଏବଂ ସ୍ଥାନୀୟ ପାଦ୍ରୀଙ୍କ ଦ୍ୱାରା ଦାନ କରାଯାଇଥିବା ଟିଣ ଛାତ ବ୍ୟବହାର କରି ସେମାନେ ସେମାନଙ୍କର ଚାଳ ଏବଂ ତାର୍ପୋଲିନ୍‌ ଘରକୁ ଅର୍ଦ୍ଧ ପକ୍କା ଘରରେ ପରିଣତ କରିଥିଲେ ।

'I have woken up many times to find water flooding my home', says Sathi; she and her husband Mani live next to this canal where all the waste of the area is dumped
PHOTO • Adarsh B. Pradeep
'I have woken up many times to find water flooding my home', says Sathi; she and her husband Mani live next to this canal where all the waste of the area is dumped
PHOTO • Adarsh B. Pradeep

ସାଥି କୁହନ୍ତି, ‘ଅନେକ ସମୟରେ ମୁଁ ଉଠି ଦେଖିଛି ମୋ ଘର ଭିତରେ ପାଣି ଭାସୁଛି’; ସେ ଏବଂ ତାଙ୍କ ସ୍ୱାମୀ ମଣି ଏହି କେନାଲ କଡ଼ରେ ରୁହନ୍ତି ଯେଉଁଠାରେ ଏହି ଅଞ୍ଚଳର ସମସ୍ତ ବର୍ଜ୍ୟ ଜମା ହୁଏ

ସାଥୀ ତାଙ୍କ ଘର ପଛପାଖରେ ଥିବା କେନାଲର ମଇଳା ପାଉଁଶିଆ ପାଣିକୁ ନିର୍ଦ୍ଦେଶ କରି କହିଥିଲେ, ‘‘ଯେତେବେଳେ ମୁଁ ପ୍ରଥମେ ଆସିଥିଲି [ଏଠାକୁ] ପାଣି ପରିଷ୍କାର ଥିଲା ଏବଂ ଆମେ ମଝିରେ ମଝିରେ ଭଲ ପରିମାଣର ମାଛ ଧରୁଥିଲୁ । ଆଜି ସେଠି ମାଛ ନାହିଁ କେବଳ ବର୍ଜ୍ୟ ଜଳ ପାଇପ୍‌ଗୁଡ଼ିକ ଏହା ଭିତରକୁ ପ୍ରବାହିତ ହେଉଛି ।’’ କେନାଲ କଡ଼ରେ ଥିବା ସମସ୍ତ ଘରର ରୋଷେଇ ଘର ଏବଂ ଶୌଚାଳୟର ବର୍ଜ୍ୟ ସିଧାସଳଖ କେନାଲ ମଧ୍ୟକୁ ଆସେ । ସେ କହିଥିଲେ, ‘‘ପ୍ରତ୍ୟେକ ଥର ଯେତେବେଳେ ମୁଁ ଏହି ମଇଳା ପାଣିରେ ଗୋଡ଼ ଦିଏ, ମୋ ଗୋଡ଼ରେ ପିତ୍ତିକା ହୋଇଥାଏ ।’’

ସାଥୀ ପୂର୍ବରୁ ଜଣେ ଘରୋଇ ସହାୟିକା ଭାବରେ କାର୍ଯ୍ୟ କରୁଥିଲେ । ସେ କହିଲେ, ‘‘ମୁଁ ପ୍ରାୟତଃ ଦୁଇଟି ଘରେ କାମ କରୁଥିଲି ଏବଂ ମାସିକ ଟ. ୪,୫୦୦ ପର୍ଯ୍ୟନ୍ତ ଆୟ କରୁଥିଲି । ଯେତେବେଳେ କେନାଲ ଭର୍ତ୍ତି ହୋଇଯାଉଥିଲା ମୁଁ ମୋ ଘର ଛାଡ଼ି ଯାଇପାରୁନଥିଲି ଏବଂ ସେହି ଦିନର ମଜୁରୀ ହରାଉଥିଲି । ସେହି ଦିନ ମୁଁ ଚିରା ପ୍ଲାଷ୍ଟିକ୍‌ର ମଇଳା, ଅଶୋଧିତ ବର୍ଜ୍ୟ ଜଳ ଏବଂ ନିକଟସ୍ଥ ବସ୍‌ ଡିପୋର ଗ୍ରିଜ୍‌ ସଫା କରିବା ଏବଂ ଶୁଖାଇବାରେ କଟାଉଥିଲି, ଯାହା ପାଣି ଦ୍ୱାରା ଆସୁଥିଲା [ମୋ ଘର ଭିତରକୁ] ।

ତାଙ୍କ ସ୍ୱାମୀ କେ. ଏସ୍‌. ମନି, ୬୯ ଜଣେ ଦିନ ମଜୁରିଆ ଶ୍ରମିକ ଭାବରେ କାର୍ଯ୍ୟ କରୁଥିଲି । ତୀର୍ଥଯାତ୍ରା ଋତୁରେ ସେ ୧୬୦ କିଲୋମିଟର ଦୂରରେ ପଥନମଥିଟ୍ଟା ଜିଲ୍ଲାରେ ଥିବା ସାବରୀମାଳା ମନ୍ଦିର ବାହାରେ ଏକ ଛୋଟ ଉଠା ଚା’ ଏବଂ ଜଳଖିଆ ଦୋକାନ ଭଡ଼ା ଦେଉଥିଲେ । ସାଥୀ କୁହନ୍ତି, ଦିନ ମଜୁରୀରୁ ତାଙ୍କର ନିୟମିତ ଆୟ ଟ. ୩,୦୦୦ ଥିଲା ଏବଂ ନଭେମ୍ବରରୁ ଫେବୃଆରୀ ପର୍ଯ୍ୟନ୍ତ ତୀର୍ଥଯାତ୍ରା ଋତୁର କେଇ ମାସ ସମୟ ମଧ୍ୟରେ ଏହା ଟ. ୨୦,୦୦୦ରେ ପହଞ୍ଚୁଥିଲା ।

ବର୍ତ୍ତମାନ କେଇ ବର୍ଷ ହେବ ମନି ଶଯ୍ୟାଶାୟୀ ଅଛନ୍ତି । ସେ ଜଣେ ମଧୁମେହି; କିଛି ବର୍ଷ ପୂର୍ବେ ଏକ ସଂକ୍ରମଣ ପରେ, ତାଙ୍କ ବାମ ଗୋଡ଼ର ତଳ ଭାଗ କଟାଯାଇଥିଲା । ଏହି ଦମ୍ପତ୍ତି ତାଙ୍କ ଶ୍ୱାସ ଏବଂ ମଧୁମେହର ଚିକିତ୍ସା ନିମନ୍ତେ ମାସିକ ଟ. ୨,୦୦୦ ଖର୍ଚ୍ଚ କରନ୍ତି । ସେ କୁହନ୍ତି, ଆମେ ଉଭୟେ ରାଜ୍ୟର ଟ. ୧,୪୦୦ ପରିମାଣର ବୃଦ୍ଧାବସ୍ଥା ପେନ୍‌ସନ୍‌ ପାଇଁ ଯୋଗ୍ୟ । ମନି ବର୍ତ୍ତମାନ ଚାରି ମାସ ହେବ ତାଙ୍କର ପେନ୍‌ସନ୍‌ ପାଇବାକୁ ସମର୍ଥ ହୋଇନାହାନ୍ତି, ତାଙ୍କର ହାତ ସମନ୍ୱୟ ଦୁର୍ବଳ ଏବଂ ସେ ତାଙ୍କ ନାମ ଠିକ୍‌ ଭାବରେ ସ୍ୱାକ୍ଷର କରିପାରନ୍ତି ନାହିଁ । ସାଥୀଙ୍କ ପେନ୍‌ସନ୍‌ ଦୁଇ କିଲୋମିଟର ଦୂରରେ ଥିବା ତାଙ୍କର ୟୁନିୟନ୍‌ ବ୍ୟାଙ୍କ ଶାଖା ଆକାଉଣ୍ଟକୁ କ୍ରେଡିଟ୍ ହେଉଛି ।

ମୂଳତଃ ଉତ୍ତର କୋଚିର ପାରାଭୁର୍‌ର ବାସିନ୍ଦା ହୋଇଥିବା ସାଥୀ ୪୬ ବର୍ଷ ପରେ ମନିଙ୍କ ସହିତ ତାଙ୍କର ବିବାହ ପରେ ସ୍ୱାମୀଙ୍କ ସହିତ ପି ଆଣ୍ଡ୍ ଟି କଲୋନୀରେ ରହିବାକୁ ଆସିଥିଲେ । ଏହି ସ୍ଥାନକୁ ପସନ୍ଦ କରିବା ପଛର କାରଣ ଦର୍ଶାଇ ସେ କୁହନ୍ତି, ‘‘ଏହି ସ୍ଥାନ ଆମକୁ ସହଜରେ ସହରକୁ ଯିବାକୁ ଦେଉଥିଲା ଏବଂ ଆମର ଯାତ୍ରା ଖର୍ଚ୍ଚ ବଞ୍ଚାଉ ଥିଲା ।’’

Left: during high tide, the canal overflows. Right: Invasive weeds grows in the stagnant water, where mosquitoes, files, snakes and rats proliferate
PHOTO • Adarsh B. Pradeep
Left: during high tide, the canal overflows. Right: Invasive weeds grows in the stagnant water, where mosquitoes, files, snakes and rats proliferate
PHOTO • Adarsh B. Pradeep

ବାମ : ଉଚ୍ଚ ଜୁଆର ସମୟରେ , କେନାଲ ଉଛୁଳି ପଡ଼େ ।  ଡାହାଣ : ସ୍ଥିର ଜଳ ଅନୁପ୍ରବେଶକାରୀ ତୃଣଗୁଡ଼ିକର ବୃଦ୍ଧି ପାଏ , ଯେଉଁଠାରେ ମଶା , ମାଛି , ସାପ ଏବଂ ମୂଷାର ବଂଶ ବୃଦ୍ଧି ହୋଇଥାଏ

ମନିଙ୍କ ଭଉଣୀ ତୁଳସୀ କ୍ରିଷ୍ଣନ୍‌, ୬୧ ହେଉଛନ୍ତି ସେମାନଙ୍କ ପଡୋଶୀ । ସେ କୁହନ୍ତି, ‘‘ଯେତେବେଳେ ଆମେ ପ୍ରାୟ ୫୦ ବର୍ଷ ତଳେ ପ୍ରଥମେ ଏଠାକୁ ଆସିଥିଲୁ, ସେତେବେଳେ ଅଳ୍ପ କେଇଟି ଘର ଥିଲା, ବର୍ତ୍ତମାନ ଏଠାରେ ୮୫ଟି ଘର ଅଛି ଏବଂ ୮୧ଟି ପରିବାର ବାସ କରୁଛନ୍ତି ।’’ ସ୍ଥାନୀୟ ନିର୍ବାଚନ ପାଇଁ ନିକଟରେ ହୋଇଥିବା ଏକ ସର୍ବେକ୍ଷଣ ତୁଳସୀଙ୍କ ପରି ସବୁ ବାସିନ୍ଦାମାନଙ୍କୁ କଲୋନୀର ବିବରଣୀ ଜାଣିବାର ସୁଯୋଗ ଦେଇଛି ।

ତୁଳସୀଙ୍କର ଓଷ୍ଟିଓପୋରୋସିସ୍‌ ତାଙ୍କ ପାଇଁ ଛିଡ଼ା ହେବା ଏବଂ ଚାଲିବାକୁ କଷ୍ଟକର କରିଛି । ସେ କୁହନ୍ତି, ‘‘ଯେତେବେଳେ ଭୀଷଣ ବର୍ଷା ହୁଏ, ମୁଁ ପାଣି ଭିତର ଦେଇ ମୁଖ୍ୟ ରାସ୍ତା [ଉଚ୍ଚ ସ୍ଥାନରେ ଥିବା]କୁ ଯିବା କଷ୍ଟ ହୁଏ । ତେଣୁ, ମୋ ସ୍ୱାମୀ ଏବଂ ମୁଁ ଆମ ଝିଅ ଘରକୁ ଚାଲିଯାଉ । କିନ୍ତୁ ଆମେ ସେମାନଙ୍କ ସହ କେତେ ଦିନ ରହିପାରିବୁ ?’’ ତାଙ୍କ ଝିଅ ରେଖା ସାଜନ ପି ଆଣ୍ଡ୍ ଟି କଲୋନୀଠାରୁ ଏକ କିଲୋମିଟର ଦୂରରେ ଗାନ୍ଧିନଗରରେ ବାସ କରନ୍ତି ।

ଏହି କଲୋନୀ ଜମି ପୌର ନଗର ନିଗମ – ଗ୍ରେଟର୍‌ କୋଚିନ୍‌ ଡେଭଲପମେଣ୍ଟ୍ ଅଥରିଟି (ଜିସିଡିଏ)ର । ବାସିନ୍ଦାମାନଙ୍କ ଅନୁଯାୟୀ, ‘ପି’ ଏବଂ ‘ଟି’ ‘ପାୱାର’ ଓ ‘ଟେଲିକମ୍ୟୁନିକେସନ୍‌’କୁ ଦର୍ଶାଇଥାଏ; ସେଠାରେ ଏକ ଭାରତ ସଞ୍ଚାର ନିଗମ ଲିମିଟେଡ୍‌ (ବିଏସ୍‌ଏନ୍‌ଏଲ୍‌) ଡିପୋ ମାତ୍ର ୫୦ ମିଟର ଦୂରରେ ରହିଛି ।

ଆଜିରା, ୭୨ ତାଙ୍କ ସ୍ୱର୍ଗତ ଝିଅ ଏବଂ ଜ୍ୱାଇଁଙ୍କ ଘରେ ଏକୁଟିଆ ବାସ କରୁଛନ୍ତି । ତାଙ୍କର ରାସ୍ତା ନିକଟରେ ତେଜରାତି ବିକ୍ରି କରୁଥିବା ଏକ ଛୋଟ ଦୋକାନ ଥିଲା କିନ୍ତୁ ସେ କୁହନ୍ତି, ସରକାର ଏହା ଭାଙ୍ଗି ଦେଇଥିଲେ ଏବଂ ବର୍ତ୍ତମାନ ସେ ତାଙ୍କ ଘରୁ କିଛି ଜିନିଷ ବିକ୍ରି କରୁଛନ୍ତି, ଦିନକୁ ପ୍ରାୟ ଟ. ୨୦୦ ରୋଜଗାର କରୁଛନ୍ତି । ସେ କୁହନ୍ତି, ‘‘ଅନେକ ଲୋକ ବାକିରେ କିଣନ୍ତି ତେଣୁ ଏହା କଷ୍ଟକର [ହିସାବ ରଖିବା] । ମୋର ପକ୍ଷାଘାତ ବିଶିଷ୍ଟ ଗୋଡ଼ ଏବଂ ଶ୍ୱାସ ସମସ୍ୟା ଯୋଗୁଁ ଚାଲିବା ଏବଂ ଅଧିକ ଜିନିଷ କିଣିବା କଷ୍ଟକର ।’’

କେରଳ ଦକ୍ଷିଣ ପୂର୍ବ ମୌସୁମୀ ଋତୁ (ଜୁନ୍‌ରୁ ସେପ୍ଟେମ୍ବର)ରେ ହାରାହାରି ୨୮୮୫  ମିମି ବୃଷ୍ଟି ପାଇଥାଏ । ଏହି ମୌସୁମୀ କୋଚିର ସଡ଼କ ବର୍ଜ୍ୟ ନିଷ୍କାସନ ପ୍ରଣାଳୀକୁ କାଦୁଅ ଏବଂ ପ୍ଲାଷ୍ଟିକ୍‌ରେ ଅବରୁଦ୍ଧ କରିଦିଏ । ରାସ୍ତା ଉପରେ ଜମା ହୋଇଥିବା ବର୍ଷା ପାଣି ଶେଷରେ ଆବର୍ଜନା ସହିତ କେନାଲ ଭିତରକୁ ପଶେ, କଳା ମଇଳା ପାଣି ପି ଆଣ୍ଡ୍ ଟି କଲୋନୀର ବାସିନ୍ଦାମାନଙ୍କ ଘର ଭିତରକୁ ସିଧାସଳଖ ନେଇଆସେ । ଉଚ୍ଚ ଜୁଆର ସାଧାରଣତଃ ଜଳର ପରିମାଣ ବୃଦ୍ଧି କରେ ଏବଂ ନର୍ଦ୍ଦମା ଜଳକୁ ହାଲ୍‌କା କରିଦିଏ । କିନ୍ତୁ କୂଳଗୁଡ଼ିକରେ ନିର୍ମାଣ ଅଞ୍ଚଳ ଏବଂ ନିମ୍ନ ଭୂଲମ୍ବ କିମ୍ବା ସମାନ୍ତରାଳ କ୍ଲିଅରାନ୍ସ ଥିବା ବ୍ରିଜ୍‌ଗୁଡ଼ିକର ସଂଖ୍ୟା ବୃଦ୍ଧି କେନାଲର ଅନେକ ଅଂଶକୁ ସମୁଦ୍ର ଜଳର ପ୍ରବେଶ ବନ୍ଦ କରିଦେଇଛି, ଏହାକୁ ସ୍ଥିର କରିଦେଇଛି ।

Left: Mary Vijayan remembers a time when her brothers swam in the canals. Right: Aajira's small grocery store was demolished by the government
PHOTO • Adarsh B. Pradeep
Left: Mary Vijayan remembers a time when her brothers swam in the canals. Right: Aajira's small grocery store was demolished by the government
PHOTO • Adarsh B. Pradeep

ବାମ : ମ୍ୟାରି ବିଜୟନ୍ ସେହି ସମୟକୁ ମନେ ପକାନ୍ତି ଯେବେ ତାଙ୍କ ଭାଇମାନେ କେନାଲରେ ପହଁରୁଥିଲେ ଡାହାଣ : ଆଜିରାଙ୍କ ଛୋଟ ତେଜରାତି ଦୋକାନ ସରକାରଙ୍କ ଦ୍ୱାରା ଭାଙ୍ଗି ଦିଆଯାଇଥିଲା

ଏହି ସ୍ଥିର ଜଳ ଅନୁପ୍ରବେଶକାରୀ ତୃଣଗୁଡ଼ିକର ଦ୍ରୁତ ବୃଦ୍ଧିକୁ ପ୍ରୋତ୍ସାହିତ କରିଥାଏ ଯେମିତିକି ପାଣି ଦଳ (ଇଚୋର୍ନିଆ କ୍ରେସିପ୍ସ), ଯାହା ଧୀରେ ଧୀରେ ବୃଦ୍ଧି ପାଏ ଏବଂ ଜଳର ପ୍ରବାହକୁ ଅଟକାଇଥାଏ । ଏହା ମଧ୍ୟ ମଶା ଏବଂ ମାଛିଙ୍କ ପ୍ରଜନନକୁ ଉତ୍ସାହିତ କରିଥାଏ । ଶୌଚାଳୟ ପାଇପ୍‌ ମଧ୍ୟ ଦେଇ ପଶିଆସୁଥିବା ସାପ ଏବଂ ମୂଷା ହେଉଛନ୍ତି ସାଧାରଣ ପର୍ଯ୍ୟଟକ । ସାଥୀ କୁହନ୍ତି, ‘‘ମୂଷାମାନେ ମୋ ଷ୍ଟିଲ୍‌ ଆଲ୍‌ମିରା ଭିତରକୁ ପଶିଯାଆନ୍ତି ଏବଂ ସେମାନେ ମୋର ଅନେକ ପୋଷାକ ନଷ୍ଟ କରିଦେଇଛନ୍ତି ।’’

ଜାନୁଆରୀ ୨୦୧୭ରେ ପ୍ରକାଶିତ ହୋଇଥିବା କେରଳ ସିପିଙ୍ଗ୍ ଆଣ୍ଡ୍ ଇନ୍‌ଲ୍ୟାଣ୍ଡ୍ ନାଭିଗେସନ୍ କର୍ପୋରେସନ୍‌ ଦ୍ୱାରା ହୋଇଥିବା ଏକ ଅଧ୍ୟୟନ ସୂଚିତ କରେ ଯେ ‘ଏହି କେନାଲ ଶିଉଳି, ନିମ୍ନ ସ୍ତରର ବ୍ରିଜ୍‌, ଅତିକ୍ରମଣ ଏବଂ ବସ୍ତି ଯୋଗୁଁ କ୍ଷତିଗ୍ରସ୍ତ ହୋଇଛି’। ଆହୁରି ମଧ୍ୟ ‘ଜଳର ପ୍ରବାହ ପାଇଁ ଏବଂ ଏହି ଜଳପଥକୁ ପରିବହନ ନିମନ୍ତେ ଏକ ସମ୍ଭବ ପଦ୍ଧତି ଭାବରେ ବିକଶିତ କରିବା ପାଇଁ କେନାଲ ଚଉଡ଼ା କରିବା ଜରୁରୀ ।’

ସାଥୀଙ୍କ ପଡୋଶୀ, ମେରି ବିଜୟନ ମନେପକାନ୍ତି ସେହି ସମୟ ବିଷୟରେ ଯେତେବେଳେ ସେମାନଙ୍କ ଭାଇମାନେ ଏହି କେନାଲରେ ପହଁରୁଥିଲେ। ସେ ଏବଂ ତାଙ୍କ ସ୍ୱାମୀ ବିଜୟନ କେ., ଯେ କି ନିକଟସ୍ଥ ରେଳ ଷ୍ଟେସନରେ ଜଣେ କୁଲି ଥିଲେ, ୩୦ ବର୍ଷ ହେବ ଏହି କଲୋନୀର ବାସିନ୍ଦା ହୋଇଅଛନ୍ତି । ସେମାନେ ବିବାହ କରିବା ପରେ କୋଚିରୁ ଏଠାକୁ ଚାଲି ଆସିଥିଲେ । ଏହି ୬୨ ବର୍ଷ ବୟସ୍କା ବ୍ୟଙ୍ଗ କରି କୁହନ୍ତି, ‘‘ଏହି କେନାଲ ପ୍ରକୃତରେ ପେରାନ୍ଦୁର ପୁଝାର ଏକ ଶାଖା ନଦୀ । ଲୋକମାନେ ସଫା କରିବା ଏବଂ ଗାଧୋଇବା ପାଇଁ ଏଠାକୁ ଯାଉଥିଲେ । ପାଣି ଏତେ ସଫା ଥିଲା ଯେ ଆମେ ତଳେ ପଡ଼ିଥିବା ଟଙ୍କିକିଆ ମୁଦ୍ରା ମଧ୍ୟ ଦେଖିପାରୁଥିଲୁ । ବର୍ତ୍ତମାନ ଗୋଟିଏ ମଢ଼ ଦେଖାଯିବା ମଧ୍ୟ ଅସମ୍ଭବ ।’’

ଆମେ ମ୍ୟାରୀଙ୍କୁ ଭେଟିବା ସମୟରେ ସେ ତାଙ୍କ ଘର ଚଟାଣରେ ବସି କିଛି ଲଟେରୀ ଟିକେଟ୍ ଗଣୁଥିଲେ, ଆମ ସହ କଥା ହେବା ପାଇଁ କବାଟ ପର୍ଯ୍ୟନ୍ତ ଆସିଲେ । ସେ କହିଲେ, ‘‘ମୁଁ ସାଧାରଣତଃ ରେଳବାଇ ଜଙ୍କସନ୍‌ ଆଖପାଖରେ ଏସବୁ ଟିକେଟ୍ ବିକ୍ରି କରି ଦିନକୁ ୧୦୦- ୨୦୦ ଟଙ୍କା ଆୟ କରେ ।’’ କିନ୍ତୁ ଯେବେଠାରୁ ମହାମାରୀ ଆରମ୍ଭ ହୋଇଛି ଟିକେଟ୍ ବିକ୍ରି ଅନିୟମିତ ହୋଇଯାଇଛି ।

‘‘ଜଣେ ଦିନ ମଜୁରିଆ ଶ୍ରମିକ ଅଜିତ୍‌ ସୁକୁମାରନ୍‌ କହିଥିଲେ ସରକାର ଅନେକ ବର୍ଷ ହେବ ଏହି କଲୋନୀର ବାସିନ୍ଦାମାନଙ୍କୁ ମୁଣ୍ଡମ୍‌ଭେଲି, କୋଚି [ପ୍ରାୟ ୧୦ କିଲୋମିଟର ଦୂର]ରେ ସ୍ଥାୟୀ ଭାବରେ ଥଇଥାନ କରିବାକୁ ଯୋଜନା କରୁଛନ୍ତି । ମୁଁ ଏହି ପ୍ରସ୍ତାବ ସମ୍ପର୍କରେ ମୋତେ ୧୦ ବର୍ଷ ହୋଇନଥିବା ସମୟରୁ ଶୁଣିଆସୁଛି । ବର୍ତ୍ତମାନ ମୋର ଦୁଇଟି ସନ୍ତାନ ଅଛନ୍ତି ଏବଂ କିଛି ଆଗେଇ ନାହିଁ ।’’ ଅଜିତ୍‌ଙ୍କ ପତ୍ନୀ ସୌମ୍ୟା ହେଉଛନ୍ତି ଜଣେ ଘରୋଇ ସହାୟିକା, ମାସକୁ ପ୍ରାୟ ଟ. ୬,୦୦୦ ଆୟ କରନ୍ତି ଏବଂ ଅଜିତ୍‌ ଦିନକୁ ପ୍ରାୟ ୮୦୦ ଟଙ୍କା ଆୟ କରନ୍ତି, କିନ୍ତୁ ସେ ଗୋଟିଏ ମାସରେ ୧୫ ଦିନରୁ ଅଧିକ କାମ କଦବା କ୍ୱଚିତ ପାଆନ୍ତି । ସେମାନେ ଉଭୟେ ଆର୍ଥିକ ଭାବରେ ଅଜିତ୍‌ଙ୍କ ପିତାମାତା – ତାଙ୍କ ମାଆ ଗୀତା, ୫୪ ଏବଂ ତାଙ୍କ ବାପା କେ. ସୁବ୍ରମଣ୍ୟମ୍‌, ୬୦ଙ୍କୁ ସହଯୋଗ ଦିଅନ୍ତି । ସେମାନେ ତାଙ୍କ ନିକଟସ୍ଥ ଘରେ ରୁହନ୍ତି ।

Left: A bridge on the canal that reduces its width and slows down the flow of water. Right: Waste dumped by Kochi city residents on the canal banks
PHOTO • Adarsh B. Pradeep
Left: A bridge on the canal that reduces its width and slows down the flow of water. Right: Waste dumped by Kochi city residents on the canal banks
PHOTO • Adarsh B. Pradeep

ବାମ : କେନାଲ ଉପରେ ଏକ ପୋଲ ଯାହା ଏହାର ଚଉଡ଼ା କମ୍ କରି ଦିଏ ଏବଂ ପାଣିର ପ୍ରବାହକୁ ଧିମା କରିଦିଏ ଡାହାଣ : କେନାଲ କୂଳରେ କୋଚି ସହରର ବାସିନ୍ଦାଙ୍କ ଦ୍ୱାରା ଜମା କରାଯାଉଥିବା ଆବର୍ଜନା

‘‘ଜୁଲାଇ ୩୧, ୨୦୧୮ରେ କାଉନ୍‌ସିଲର ପୁର୍ନିମା ନାରାୟଣ [୨୦୧୫ରୁ ୨୦୨୦ ପର୍ଯ୍ୟନ୍ତ ଗାନ୍ଧିନଗର ୱାର୍ଡର କାଉନ୍‌ସିଲର] ପ୍ରତ୍ୟେକ ପରିବାରରୁ ଜଣକୁ ୧୦ କିଲୋମିଟର ଦୂରରେ ଥିବା ମୁଣ୍ଡମ୍‌ଭେଲିକୁ ନେବା ପାଇଁ ଏକ ବସ୍‌ ଯୋଗାଡ଼ କରିଥିଲେ । ସେ ଏହି ଯାତାୟତ ପାଇଁ ପରିବାର ପିଛା ଟ. ୧୦୦ ଆଦାୟ କରିଥିଲେ । ଏହା ପରେ ସେମାନେ ସେହି ସ୍ଥାନରେ ଏକ ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ ଓ ପିନାରାଇ ବିଜୟନ୍‌ [କେରଳର ମୁଖ୍ୟମନ୍ତ୍ରୀ] ଆମକୁ ପ୍ରତିଶ୍ରୁତି ଦେଇଥିଲେ ଯେ ୧୦ ମାସ ମଧ୍ୟରେ ଏହା ସମ୍ପୂର୍ଣ୍ଣ ହୋଇଯିବ’’, ସାଥୀ ମନେ ପକାଇଥିଲେ ।

ସେବେଠାରୁ ପାଖାପାଖି ତିନି ବର୍ଷ ସମୟ ଅତିକ୍ରମ କରିଯାଇଛି ଏବଂ ଏହି ବାସିନ୍ଦାମାନେ କୁହନ୍ତି ସାମୟିକ ସହାୟତା ଶିବିରଗୁଡ଼ିକ ସେମାନେ ଦେଖିଥିବା ଏକମାତ୍ର ସହଯୋଗ । ୨୦୧୯ରେ ଅଗଷ୍ଟ ୮ ଏବଂ ୧୫ ମଧ୍ୟରେ ଏର୍ନାକୁଲମ୍‌ରେ ୨୩୭୫.୯ ମିମି ବର୍ଷା ହୋଇଥିଲା (ସ୍ୱାଭାବିକ ୨୦୩୮ ମିମିଠାରୁ ଏହା ୧୭ ପ୍ରତିଶତ ଅଧିକ) । ନିଚ୍ଚା ସ୍ଥାନରେ ରହୁଥିବା ହଜାର ହଜାର ଲୋକଙ୍କୁ ଉଚ୍ଚ ସ୍ଥାନକୁ ନେବାକୁ ହୋଇଥିଲା । ଏହି ବର୍ଷା ଟିପି କେନାଲରେ ବନ୍ୟା ଆଣିଥିଲା । ସାଥୀ ସେ ସମୟକୁ ମନେପକାଇ କହିଥିଲେ, ‘‘ଆମ ପଡୋଶୀମାନେ ଏବଂ ମୁଁ ମନିଙ୍କୁ ଆମ କାନ୍ଧରେ ରିଲିଫ୍‌ ଶିବିରକୁ ନେଇଯାଇଥିଲୁ । ଏହା ଖୁବ୍‌ କଷ୍ଟକର କାମ ଥିଲା କାରଣ ଉଚ୍ଚ ବାଡ଼ ଏବଂ ଆମ ଘରଗୁଡ଼ିକ ମଧ୍ୟରେ ଥିବା ଗଳିରେ ଦୁଇ ଜଣ ଲୋକ ପାଖାପାଖି ଚାଲିବା ପାଇଁ ମଧ୍ୟ ଯଥେଷ୍ଟ ସ୍ଥାନ ନଥିଲା।’’

ଡିସେମ୍ବର ୨୦୨୦, ସ୍ଥାନୀୟ ନିର୍ବାଚନ ପରିପ୍ରେକ୍ଷୀରେ ୧୦ ମାସ ସମୟ ମଧ୍ୟରେ ପୁନର୍ବାସ ପ୍ରତିଶ୍ରୁତି ଅନେକ ପ୍ରାର୍ଥୀଙ୍କ ଦ୍ୱାରା ଉପସ୍ଥାପିତ କରାଯାଇଥିଲା । ଏହା ପରେ ଜିସିଡିଏ ଉଭୟ ‘ଭୂମିହୀନ’ ଏବଂ ‘ଘର ସମ୍ପୂର୍ଣ୍ଣ କରିବାକୁ ଅସମର୍ଥ ଥିବା’ମାନଙ୍କ ପାଇଁ ଗୃହ ନିର୍ମାଣ ନିମନ୍ତେ କେରଳ ସରକାରଙ୍କ ଲାଇଫ୍‌ ମିଶନ୍‌ ପ୍ରୋଜେକ୍ଟ ଅଧିନରେ ମୁଣ୍ଡମ୍‌ଭେଲିଠାରେ ୭୦% ଜମି ଉପରେ ୮୮ଟି ଆପର୍ଟମେଣ୍ଟ୍ ନିର୍ମାଣ କରିବାକୁ ଯୋଜନା କରିଥିଲା । ଅବଶ୍ୟ, ଏହି ପ୍ରୋଜେକ୍ଟ ପାଇଁ ସାମଗ୍ରୀ ଯୋଗାଣ ପାଇଁ ଭରସା କରାଯାଇଥିବା କମ୍ପାନୀ ଦେବାଳିଆ ହୋଇଗଲା ଏବଂ ସମସ୍ତ ଉତ୍ପାଦନ ଓ ଯୋଜନା ଅଟକି ଯାଇଥିଲା । ଜିସିଡିଏର ଅଧ୍ୟକ୍ଷ ଭି. ସଲିମ୍‌ କୁହନ୍ତି, ‘‘ବର୍ତ୍ତମାନ ଏକ ନୂତନ ପ୍ରସ୍ତାବ ତିଆରି ହୋଇଛି ଏବଂ ଆମେ ପାଇଲିଂ ପରୀକ୍ଷଣ ସମ୍ପୂର୍ଣ୍ଣ କରିସାରିଛୁ । ଆମେ କେରଳ ସରକାରଙ୍କ ବୈଷୟିକ କମିଟିର କ୍ଲିଅରାନ୍ସ ପାଇଁ ଅପେକ୍ଷା କରିଛୁ ।’’

କଲୋନୀ ବାସିନ୍ଦାମାନେ ତଥାପି ଏ ନେଇ ସନ୍ଦିହାନ । ତୁଳସୀ କୁହନ୍ତି, ‘‘ଏଠାରେ ଆମେ କେମିତି ଅଛୁ ତାହା ଦେଖିବାକୁ କେହି ଆସନ୍ତି ନାହିଁ । ଯେମିତି ମୁଣ୍ଡମ୍‌ଭେଲିକୁ ଆମର ଗସ୍ତ ଆମ ସ୍ମୃତିରୁ ଅଦୃଶ୍ୟ ହୋଇଯାଇଛି ସେମିତି ଅଧିକାରୀମାନଙ୍କର ମଧ୍ୟ ।’’

ଅନୁବାଦ: ଓଡ଼ିଶାଲାଇଭ୍‍

Adarsh B. Pradeep

Adarsh B. Pradeep is studying print journalism at the Asian College of Journalism, Chennai

Other stories by Adarsh B. Pradeep
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Other stories by OdishaLIVE