“ଯଦି ସେମାନେ ଲୋକଙ୍କର ନୁହେଁ, କେବଳ ବନ୍ୟପ୍ରାଣୀମାନଙ୍କର ସୁରକ୍ଷା ଚାହୁଁଛନ୍ତି, ତେବେ ନିର୍ବାଚନ ବେଳେ ସେମାନେ ପଶୁମାନଙ୍କୁ ଭୋଟ୍‌ ମାଗନ୍ତୁ । ଆମେ ଜଙ୍ଗଲ ଉପରେ ଆମର ଅଧିକାର ତ ପାଉନାହୁଁ, ଏମିତି କି ମଣିଷର ମର୍ଯ୍ୟାଦା ବି ପାଉନାହୁଁ,” ଏହା କହନ୍ତି ଅନାର ସିଂହ ବଡ଼ୋଲେ । ଆଦିବାସୀ ସଂପ୍ରଦାୟ ଦ୍ୱାରା ପରିବେଶ ନଷ୍ଟ ହେଉଛି ବୋଲି ମଧ୍ୟପ୍ରଦେଶ ବନ ବିଭାଗ ଅଧିକାରୀମାନଙ୍କର ବକ୍ତବ୍ୟ ଏବଂ ଏଭଳି ବକ୍ତବ୍ୟ ଭିତ୍ତିରେ ସେମାନଙ୍କୁ ପୈତୃକ ବାସସ୍ଥଳୀରୁ ହଟାଇବା ଯଥାର୍ଥ ବୋଲି ଦର୍ଶାଇବା ସନ୍ଦର୍ଭରେ ସେ ଏହା କହନ୍ତି ।

ବରେଲା ଆଦିବାସୀ ସଂପ୍ରଦାୟର ୩୫ ବର୍ଷୀୟ ବଡ଼ୋଲେ ୨୧ ନଭେମ୍ବର, ୨୦୧୯ରେ ଆୟୋଜିତ ଜଙ୍ଗଲ ଅଧିକାର ସମାବେଶରେ ଯୋଗ ଦେବା ପାଇଁ ଗତ ସପ୍ତାହରେ ମଧ୍ୟପ୍ରଦେଶ ବୁର୍‌ହାନପୁର ଜିଲ୍ଲାର ଖଇରଖେଡ଼ା ଗାଁରୁ ଦିଲ୍ଲୀ ଆସିଥିଲେ ।

ସେ କହନ୍ତି ଯେ, ସେମାନଙ୍କ ଫସଲ ଉପରେ ବାରମ୍ବାର ବୁଲ୍‌ଡୋଜର ଚଳାଇ ଜଙ୍ଗଲ ବିଭାଗ ବହୁ ଆଦିବାସୀଙ୍କୁ ସେମାନଙ୍କ ସଂପ୍ରଦାୟର ଜଙ୍ଗଲ ଜମି ଉପରେ ଅଧିକାରରୁ ବଞ୍ଚିତ କରିଛି । ଯାହା ଫଳରେ ସେମାନେ କୃଷି ଶ୍ରମିକ ଭାବରେ ଦିନ ମଜୁରିଆ କାମ ଖୋଜିବାକୁ ବାଧ୍ୟ ହୋଇଛନ୍ତି । ପରେ ସେହି ଜମି ଉପରେ ଜଙ୍ଗଲ ବିଭାଗ ଅଧିକାରୀମାନେ ମାଲିକାନା ଜାହିର କରିବା ସହ ରାଜସ୍ୱ ଲାଭ ପାଇଁ ସେଥିରେ ବୃକ୍ଷରୋପଣ କରିଛନ୍ତି । କୁହାଯାଉଛି ଯେ ବୁରହାନପୁର ଜିଲ୍ଲାର ୧୨ଟି ଗାଁ ଉପରେ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ସ୍ଥାପନ ପାଇଁ ଜଙ୍ଗଲ ବିଭାଗ ମସୁଧା କରୁଛି ।

ଯେତେବେଳେ ବି ବରେଲା ଆଦିବାସୀ ସଂପ୍ରଦାୟ ସେମାନଙ୍କ ସଂପ୍ରଦାୟର ଜଙ୍ଗଲ ଜମି ଉପରେ ଚାଷବାସର ଅଧିକାର ସାବ୍ୟସ୍ତ କରିବାକୁ ଉଦ୍ୟମ କରିଛନ୍ତି କେମିତି ଜଙ୍ଗଲ ବିଭାଗର ଆକ୍ରୋଶର ଶିକାର ହୋଇଛନ୍ତି ସେ କଥା ବି ସେ କହନ୍ତି । ଉଦାହରଣ ସ୍ୱରୂପ, ୨୦୧୯ ଜୁଲାଇରେ ପଡ଼ୋଶୀ ସିୱାଲ ଗାଁରେ ଉଚ୍ଛେଦ ଅଭିଯାନକୁ ବିରୋଧ କରି ବାହାରିଥିବା ପ୍ରତିବାଦ ଶୋଭାଯାତ୍ରା ଉପରେ ଜଙ୍ଗଲ ବିଭାଗ ଅଧିକାରୀମାନେ ବନ୍ଧୁକରୁ ପେଲେଟ୍‌ ମାଡ଼ କରିଥିଲେ । ସେ କହନ୍ତି, “ଆମେ ଯେଉଁ ଜମିରେ ସୋୟାବିନ୍‌, ମକା, ଯଅ ଏବଂ ଧାନ ଭଳି ଖାଦ୍ୟଶସ୍ୟ ଚାଷ କରୁଛୁ ତା ଉପରେ ବୃକ୍ଷରୋପଣ କରି ବିଭିନ୍ନ ନିଗମକୁ ଲିଜ୍‌ ସୂତ୍ରରେ ଦେବା ପାଇଁ ସରକାର ଚାହୁଁଛନ୍ତି’’ । ‘‘ଆମକୁ ଡରାଇବା ପାଇଁ ଏବଂ ଅନ୍ୟ ସ୍ଥାନକୁ ପଳାଇବା ଲାଗି ବାଧ୍ୟ କରିବା ଲାଗି ଆମ ଫସଲ ପୋଡ଼ି ଦିଆଯାଉଛି । ଏସବୁ ଜମି ଉପରେ ଆମର ଅଧିକାର ସଂପର୍କିତ ମାମଲାଗୁଡ଼ିକର ଶୁଣାଣି ହୋଇନାହିଁ।”

Anar Singh Badole (centre) with other members of the Jagrit Adivasi Dalit Sangathan at Gurudwara Rakab Ganj Sahib in central Delhi on the morning of the November 21 rally.
PHOTO • Janhavi Mittal/The Oakland Institute
Adivasi women are often the first to encounter the force of the forest department while accessing their community forest resources. Many persist and lead both the legal and everyday struggles for forest rights, as they did in Delhi too, some holding banners that said ‘Hak nahi to jail sahi’ (‘Give us our rights or put us in jail’)
PHOTO • Janhavi Mittal/The Oakland Institute
Groups from Chhattisgarh and Madhya Pradesh marching to Jantar Mantar.
PHOTO • Janhavi Mittal/The Oakland Institute

ବାମ: ନଭେମ୍ବର ୨୧ ସମାବେଶ ଦିନ ସକାଳେ ମଧ୍ୟ ଦିଲ୍ଲୀର ଗୁରୁଦ୍ୱାର ରକାବ ଗଞ୍ଜ ସାହିବରେ ଅନାଲ ସିଂହ ବଡ଼ୋଲେ (ମଝି) ଏବଂ ଜାଗୃତ ଆଦିବାସୀ ଦଳିତ ସଂଗଠନର ଅନ୍ୟ ସଦସ୍ୟମାନେ । ମଝି: ଛତିଶଗଡ଼ ଓ ମଧ୍ୟପ୍ରଦେଶରୁ ଆସିଥିବା ବିଭିନ୍ନ ଆଦିବାସୀ ଦଳ ଯନ୍ତର ମନ୍ତର ଅଭିମୁଖେ ଯାତ୍ରା କରୁଛନ୍ତି । ଡାହାଣ: ସମ୍ବଳ ସଂଗ୍ରହ ପାଇଁ ସେମାନଙ୍କ ସଂପ୍ରଦାୟର ଜଙ୍ଗଲକୁ ଯାଇଥିବା ସମୟରେ ପ୍ରାୟତଃ ପ୍ରଥମେ ଆଦିବାସୀ ମହିଳାମାନେ ହିଁ ଜଙ୍ଗଲ ବିଭାଗର ଆକ୍ରୋଶର ସମ୍ମୁଖୀନ ହୁଅନ୍ତି । ଅନେକ ଏହାର ବିରୋଧ କରନ୍ତି ଏବଂ ଜଙ୍ଗଲ ଅଧିକାର ପାଇଁ ଉଭୟ ଆଇନଗତ ଏବଂ ନିତିଦିନିଆ ଜୀବନରେ ଲଢ଼େଇ ଜାରି ରଖିଛନ୍ତି । ଦିଲ୍ଲୀରେ ମଧ୍ୟ ସେମାନେ ତାହା କରିଥିଲେ ଏବଂ କେତେକ ବ୍ୟାନର୍‌ରେ ଲେଖା ଥିଲା ‘ହକ୍‌ ନେହିଁ ତୋ ଜେଲ୍‌ ସହି’ (‘ଆମ ଅଧିକାର ଦିଅ, ନଚେତ୍‌ ଆମକୁ ଜେଲ୍‌ରେ ପୂରାଅ’)

ସାରା ଭାରତରେ ଜମି ଅଧିକାର ପାଇଁ ଗଠିତ ବିଭିନ୍ନ ସଂଗଠନର ଏକ ସାମୂହିକ ଗୋଷ୍ଠୀ, ଭୂମି ଅଧିକାର ଆନ୍ଦୋଳନ ପକ୍ଷରୁ ଆୟୋଜିତ ଏହି ସମାବେଶରେ ବଡ଼ୋଲେଙ୍କ କାହାଣୀ ଯେତିକି ସାଧାରଣ ସେତିକି ହୃଦୟସ୍ପର୍ଶୀ ଥିଲା । ଏଥିରେ ଭାରତର ବିଭିନ୍ନ ଭାଗରୁ ଅତି କମ୍‌ରେ ୨,୦୦୦ ଲୋକ (ସଂଗଠକମାନଙ୍କ ଅନୁସାରେ ୫,୦୦୦) ଅଂଶଗ୍ରହଣ କରିଥିଲେ ଏବଂ ପ୍ରତିଟି ସଂପ୍ରଦାୟ ବନ ବିଭାଗ ସହ ସେମାନଙ୍କ ମୁକାବିଲାର ଅନୁଭୂତି ସଂପର୍କରେ କହିଥିଲେ ।

ବେଆଇନ ଭାବେ ଅଟକ ରଖିବାରୁ ଆରମ୍ଭ କରି ଫସଲ ଜାଳି ଦେବା ପର୍ଯ୍ୟନ୍ତ ବିଭିନ୍ନ ଉପାୟରେ କେମିତି ଚାପ ପ୍ରୟୋଗ କରି ଉନ୍ନୟନ ପ୍ରକଳ୍ପ ପାଇଁ ସେମାନଙ୍କ ସ୍ୱୀକୃତି ନିଆଯିବା ଏବଂ ରାଜପଥ, ବଡ଼ ବଡ଼ ବନ୍ଧ, ଅର୍ଥକରୀ ଫସଲ ଲକ୍ଷ୍ୟରେ ବୃକ୍ଷରୋପଣ, ଖଣି ଏବଂ ଅନ୍ୟାନ୍ୟ ପ୍ରକଳ୍ପ ଲାଗି ଜବରଦସ୍ତି ସେମାନଙ୍କୁ ବାସଚ୍ୟୁତ କରାଯାଉଥିବା କଥା ସେମାନେ କହିଥିଲେ ।

ଏହି ପ୍ରକ୍ରିୟାରେ ବିଭିନ୍ନ ଆଦିବାସୀ ସଂପ୍ରଦାୟକୁ ସେମାନଙ୍କ ସଂପ୍ରଦାୟର ଜଙ୍ଗଲରୁ ସମ୍ବଳ ମିଳୁନାହିଁ ଏବଂ ତଥାକଥିତ ସୁରକ୍ଷିତ ସଂରକ୍ଷଣ ଅଞ୍ଚଳ ନାଁରେ ସେମାନଙ୍କ ପଶୁ ଚରାଇବାର ଅଧିକାରକୁ ବି ଛଡ଼ାଇ ନିଆଯାଇଛି । ପୂର୍ବପୁରୁଷ ବସବାସ କରିଆସୁଥିବା ଜମିରେ ସେମାନଙ୍କୁ ଜବରଦଖଲକାରୀ ବୋଲି ଅଭିହିତ କରାଯିବା କଥାକୁ ନେଇ ସେମାନଙ୍କର କ୍ରୋଧ ଦିଲ୍ଲୀର ପ୍ରତିବାଦ ସମାବେଶରେ ସ୍ପଷ୍ଟ ବାରି ହେଉଥିଲା ।

ଏସବୁ ପ୍ରସଙ୍ଗ ଭିତରେ ଆନ୍ଧ୍ରପ୍ରଦେଶ, ମହାରାଷ୍ଟ୍ର ଏବଂ ଓଡ଼ିଶା ଭଳି ରାଜ୍ୟରେ ବଳପୂର୍ବକ ଜଙ୍ଗଲ ପରିଚାଳନା ବିରୋଧରେ ସଂଘର୍ଷର ସଫଳତା କଥା ସ୍ଥାନ ପାଇଥିଲା। ୨୦୦୬ରେ ପ୍ରଣୀତ ଅଧିସୂଚିତ ଜନଜାତି ଏବଂ ଅନ୍ୟ ପାରମ୍ପରିକ ବନବାସୀ (ଜଙ୍ଗଲ ଅଧିକାରକୁ ସ୍ୱୀକୃତି) ଆଇନ, କିମ୍ବା ଜଙ୍ଗଲ ଅଧିକାର ଆଇନ (FRA)ରେ ଥିବା ଆଇନଗତ ସୁରକ୍ଷା ବ୍ୟବସ୍ଥାରୁ ଏସବୁ ସଂଘର୍ଷକୁ ବଳ ମିଳିଥିଲା ।

ଯେମିତି କି ହିମାଚଳ ପ୍ରଦେଶର ଲୋକେ କରିପାରିଛନ୍ତି। ତାଙ୍କ ରାଜ୍ୟରେ FRAର ବିଭିନ୍ନ ବ୍ୟବସ୍ଥା ସଂପର୍କିତ ସଚେତନତା ବଢୁଛି ବୋଲି ସମାବେଶରେ କହିଥିଲେ କାଙ୍ଗଡ଼ା ଜିଲ୍ଲା ପାଲାମପୁର ସହରର ପ୍ରକାଶ ଭଣ୍ଡାରୀ। ଉଦାହରଣ ସ୍ୱରୂପ, ଏହି ଆଇନ ବଳରେ କିନ୍ନୌର ଜିଲ୍ଲାର ବିଭିନ୍ନ ଆଦିବାସୀ ସଂପ୍ରଦାୟ, ସେମାନଙ୍କ ଜୀବିକା ଓ ପରିବେଶ ପ୍ରତି ବିପଦ ଆଶଙ୍କାରେ ସମ୍ମିଳିତ କଶାଙ୍ଗ ଜଳବିଦ୍ୟୁତ୍‌ ପ୍ରକଳ୍ପକୁ ବିରୋଧ କରୁଛନ୍ତି । ଜଙ୍ଗଲ ଉପରେ ବିଭିନ୍ନ ସଂପ୍ରଦାୟର ଅଧିକାରକୁ ନେଇ କାର୍ଯ୍ୟରତ ଏକ ବେସରକାରୀ ସଂସ୍ଥାରେ ଭଣ୍ଡାରୀ କାମ କରୁଛନ୍ତି । ଯେଉଁ ରାଜ୍ୟର ୬୦ ପ୍ରତିଶତ ବନାଞ୍ଚଳ ସେଠାରେ, “ଜଙ୍ଗଲ ଜମିକୁ ବାଦ ଦେଇ କୌଣସି ବୃହତ୍‌ ଉନ୍ନୟନ ପ୍ରକଳ୍ପ ସ୍ଥାପିତ ହୋଇପାରିବ ନାହିଁ”। ସେ କହନ୍ତି, “ଏହି କାରଣରୁ ଏ ଅଞ୍ଚଳର ଉଭୟ ପରିବେଶ ଏବଂ ଲୋକଙ୍କ ପାଇଁ, ସେମାନଙ୍କର ଜଙ୍ଗଲ ଅଧିକାରକୁ ସ୍ୱୀକୃତି ମିଳିବା ଗୁରୁତ୍ୱପୂର୍ଣ୍ଣ।”

Prakash Bhandari of Palampur town in Kangra district with his eight-year-old son, Abir.
PHOTO • Janhavi Mittal/The Oakland Institute
At the rally was also R. Narasimhan, from Visakhapatnam district, with other members of the Andhra Pradesh Girijana Sangham.
PHOTO • Janhavi Mittal/The Oakland Institute
Ram Lakhan and Phuleri Devi from Baghauri village in Uttar Pradesh's Robertsganj block have various charges against them, including destruction of turtle habitats. As protectors of the environment themselves, they say these are false allegations
PHOTO • Janhavi Mittal/The Oakland Institute

ବାମ: ଆଠ ବର୍ଷର ପୁଅ ଅବୀର ସହିତ କାଙ୍ଗଡ଼ା ଜିଲ୍ଲା ପାଲାମପୁର ସହରର ପ୍ରକାଶ ଭଣ୍ଡାରୀ। ମଝି: ଆନ୍ଧ୍ରପ୍ରଦେଶ ଗିରିଜନ ସଂଘମ୍‌ର ଅନ୍ୟ ସଦସ୍ୟମାନଙ୍କ ସହିତ ସମାବେଶରେ ଯୋଗ ଦେଇଥିଲେ ବିଶାଖାପାଟନମ୍‌ ଜିଲ୍ଲାର ଆର୍‌. ନରସିଂହନ୍‌ । ଡାହାଣ: ଉତ୍ତର ପ୍ରଦେଶ ରବର୍ଟସ୍‌ଗଞ୍ଜ ବ୍ଲକ୍‌ର ବାଘୌରି ଗାଁର ରାମ ଲଖନ ଏବଂ ଫୁଲେରି ଦେବୀ, ସେମାନଙ୍କ ନାଁରେ କଇଁଛମାନଙ୍କର ବାସସ୍ଥଳୀ ନଷ୍ଟ କରିବା ସମେତ ଅନେକ ଅଭିଯୋଗ ରହିଛି। ନିଜେ ସେମାନେ ପରିବେଶ ସୁରକ୍ଷା କର୍ମୀ ଏବଂ କହନ୍ତି ଯେ ଏ ସବୁ ଅଭିଯୋଗ ମିଥ୍ୟା

ସମାବେଶରେ ଯୋଗ ଦେଇଥିବା ଲୋକଙ୍କ ଭିତରେ ଥିଲେ ଆର୍‌. ନରସିଂହନ୍‌, ଯେ କି ଇସ୍ପାତ ମନ୍ତ୍ରାଳୟରେ କାମ କରନ୍ତି । ବିଶାଖାପାଟନମ୍‌ ଜିଲ୍ଲାର ଏକ ପଞ୍ଚମ ତଫସିଲ ଅଞ୍ଚଳରେ ସେ ରହନ୍ତି । ତାଙ୍କ ସହିତ ଆନ୍ଧ୍ରପ୍ରଦେଶ ଗିରିଜନ ସଂଘମ୍‌ର ଲୋକମାନେ ଥିଲେ । ସେ କହନ୍ତି, “ଆଦିବାସୀମାନେ ହିଁ ଆଦିବାସୀଙ୍କୁ ସୁରକ୍ଷା ଦେଉଛନ୍ତି । ସରକାର ଆମ ଦେଶଜ ପରମ୍ପରା ନଷ୍ଟ କରିବାରେ ଲାଗିଥିବା ବେଳେ ଆମକୁ ଏହା କରିବାକୁ ପଡ଼ିବ।” ତାଙ୍କ ଅଞ୍ଚଳରେ ବକ୍‌ସାଇଟ୍‌ ଖଣି ପାଇଁ ବିସ୍ଥାପନ ଏବଂ ପ୍ରଦୂଷଣ ଯୋଗୁଁ ଜିଲ୍ଲାର ଲାମ୍ବାଡ଼ି ଏବଂ କୋଣ୍ଡା ଧୋରା ଆଦିବାସୀମାନଙ୍କର ଗାଁ ଓ ସଂସ୍କୃତି ଆଗକୁ ଆହୁରି ଭୁଶୁଡ଼ି ପଡ଼ିବ ବୋଲି ସେ ଚିନ୍ତିତ । ପଞ୍ଚମ ତଫସିଲ ଅଞ୍ଚଳଗୁଡ଼ିକ ମୁଖ୍ୟତଃ ଆଦିବାସୀ ବହୁଳ ଏବଂ ଭାରତୀୟ ସମ୍ବିଧାନରେ ଏହା ପାଇଁ ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା ରହିଛି । ତଥାପି, ୨୦୧୫ରେ ପରିବେଶ ମନ୍ତ୍ରାଳୟ ଏବଂ ରାଜ୍ୟର ବନ ବିଭାଗ ଖଣିଜ ଉତ୍ତୋଳନ ପାଇଁ ଦୁଇଟି ବୃହତ୍‌ ନିଗମକୁ ଅନୁମତି ଦେଇଥିଲେ । ସଂଘମ୍‌ କର୍ମୀମାନେ ଅଭିଯୋଗ କରନ୍ତି ଯେ ଜଙ୍ଗଲ ଅଧିକାର ଆଇନର ସିଧାସଳଖ ଉଲ୍ଲଂଘନ କରି ଏହା କରାଯାଇଥିଲା ଏବଂ ଏଥିପାଇଁ ଆବଶ୍ୟକ ହେଉଥିବା ରାଜ୍ୟ ଆଦିବାସୀ ଉପଦେଷ୍ଟା ମଣ୍ଡଳୀର ପରାମର୍ଶ ନିଆଯାଇ ନଥିଲା ।

ଜଙ୍ଗଲ ଅଧିକାର ଆଇନ-FRAକୁ ପ୍ରଭାବଶାଳୀ ଢଙ୍ଗରେ କାର୍ଯ୍ୟକାରୀ କରିବା ସହିତ ପାରମ୍ପରିକ ଭାବେ ଜଙ୍ଗଲରେ ବସବାସ କରୁଥିବା ଉଭୟ ବ୍ୟକ୍ତି ଓ ସଂପ୍ରଦାୟର ଅଧିକାରକୁ ସ୍ୱୀକାର କରିବା ଦିଗରେ ଏଥିରେ ଥିବା ବ୍ୟବସ୍ଥା ଲାଗୁ କରିବା ଥିଲା ଏହି ସମାବେଶର ମୁଖ୍ୟ ଦାବି । ସେମାନଙ୍କ ଜଙ୍ଗଲ ପ୍ରତି ବିପଦ ଆଶଙ୍କା ଏବେ FRAର ସ୍ଥିତି ଆଡ଼କୁ ମୁହାଁଇଲାଣି ବୋଲି ପ୍ରତିବାଦରେ ଭାଗ ନେଇଥିବା ଅନେକ ବ୍ୟକ୍ତି ଜୋର ଦେଇ କହିଥିଲେ ।

ଜଙ୍ଗଲ ଅଧିକାର ଆଇନର ସାମ୍ବିଧାନିକ ବୈଧତା ଉପରେ ପ୍ରଶ୍ନ ଉଠାଇ ଦାୟର ହୋଇଥିବା ଆବେଦନର ଶୁଣାଣି ସୁପ୍ରିମ କୋର୍ଟରେ ଚାଲିଛି । ଯଦି କୋର୍ଟ FRAକୁ ଖାରଜ କରି ଦିଅନ୍ତି, ତେବେ ଆଦିବାସୀ ଓ ଅନ୍ୟାନ୍ୟ ପାରମ୍ପରିକ ବନବାସୀ ସଂପ୍ରଦାୟର ଦଶ ଲକ୍ଷରୁ ଅଧିକ ଲୋକଙ୍କ ବେଦଖଲି ଆଇନାନୁମୋଦିତ ହୋଇଯିବ ।

ବଡ଼ୋଲିଙ୍କ ସ୍ତ୍ରୀ ରିୟାଲି ଦାୱରଙ୍କ କହିବା ଅନୁସାରେ ୨୦୦୬ ମସିହା ପରେ ସେମାନଙ୍କ ବିରୋଧରେ ସରକାରୀ କାର୍ଯ୍ୟାନୁଷ୍ଠାନ ବଢ଼ିବାରେ ଲାଗିଲା । ଉଚ୍ଛେଦ ବିରୋଧରେ ପ୍ରତିବାଦ କରିବାରୁ ସେହି ବର୍ଷ ତାଙ୍କୁ ତାଙ୍କ ୧୧ ଦିନର ପୁଅଠାରୁ ଅଲଗା କରି ବହୁ ଦୂରରେ ଥିବା ଜେଲ୍‌ରେ ୪୫ ଦିନ ରଖାଗଲା । ସେ ତାଙ୍କ ଲଢ଼େଇ ଜାରି ରଖିଛନ୍ତି ଏବଂ ଦିଲ୍ଲୀ ସମାବେଶରେ ଅନ୍ୟମାନଙ୍କ ସହ ସ୍ୱର ମିଳାଇ କହିଛନ୍ତି: ‘ୱ ଜମିନ୍‌ ସରକାରୀ ହୈ, ଜୋ ଜମିନ୍‌ ହମାରୀ ହୈ’ (‘ପ୍ରକୃତରେ ସରକାରୀ ଜମି ହିଁ ଆମର ଜମି’) ।

Rajkumari Bhuiya (left) of Dhuma village in UP's Sonbhadra district with the traditional bow and arrows her Bhuiya community used to defend their land. She is a member of the All India Union of Forest Working People and a leader in organising her community to file claims to forest resources.
PHOTO • Janhavi Mittal/The Oakland Institute
 Rama Shankar, of the Gond Adivasi community in Lilasi Kala village in Sonbhadra, set the momentum with his music
PHOTO • Janhavi Mittal/The Oakland Institute

ବାମ: ସେମାନଙ୍କ ଜମିର ସୁରକ୍ଷା ପାଇଁ ସେମାନେ ବ୍ୟବହାର କରୁଥିବା ପାରମ୍ପରିକ ଧନୁତୀର ସହିତ ଉତ୍ତର ପ୍ରଦେଶ ସୋନଭଦ୍ରା ଜିଲ୍ଲାର ଧୁମା ଗାଁର ରାଜକୁମାରୀ ଭୂୟା (ବାମରେ) । ସେ ଅଲ୍‌ ଇଣ୍ଡିଆ ୟୁନିଅନ୍‌ ଅଫ୍‌ ଫରେଷ୍ଟ ୱର୍କିଂ ପିପୁଲ୍‌ର ସଦସ୍ୟା ଏବଂ ଜଙ୍ଗଲ ସମ୍ବଳ ଉପରେ ଅଧିକାର ସାବ୍ୟସ୍ତ କରିବାକୁ ସେମାନଙ୍କ ସଂପ୍ରଦାୟକୁ ସଂଗଠିତ କରୁଥିବା ଜଣେ ନେତ୍ରୀ । ଡାହାଣ: ନିଜ ସଙ୍ଗୀତରେ ସମାବେଶକୁ ଗତିଶୀଳ କରାଇଥିଲେ ସୋନଭଦ୍ରାର ଲିଲାସି କଲା ଗାଁ ନିବାସୀ ଗୋଣ୍ଡ ଆଦିବାସୀ ସଂପ୍ରଦାୟର ରାମ ଶଙ୍କର

ବନବାସୀମାନଙ୍କର ଏହି ମିଳିତ ଆନ୍ଦୋଳନ ଏ ପର୍ଯ୍ୟନ୍ତ ଦୁଇଟି ଉଲ୍ଲେଖନୀୟ ସଫଳତା ହାସଲ କରିଛି । ଜଙ୍ଗଲ ଅଧିକାର ଆଇନ FRA ବିରୋଧରେ ସର୍ବପ୍ରଥମେ ଆବେଦନ କରିଥିବା ଅନ୍ୟତମ ବୃହତ୍‌ ପକ୍ଷ- ଭାରତର ବନ୍ୟଜୀବ ଟ୍ରଷ୍ଟ୍‌, ମାମଲାରୁ ଓହରି ଯାଇଛି । ଏବଂ ଭାରତୀୟ ବନ ଆଇନ (୧୯୨୭)ରେ ପ୍ରସ୍ତାବିତ ସଂଶୋଧନକୁ  ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରାଳୟ ପ୍ରତ୍ୟାହାର କରିନେଇଛି । ଏଥିରେ ଜଙ୍ଗଲ ବିଭାଗ ଅଧିକାରୀଙ୍କୁ ଆକ୍ରମଣର ଅଧିକାର ଏବଂ ଏମିତିକି ଜବରଦଖଲକାରୀ ଏବଂ ଶିକାରୀଙ୍କୁ ଗୁଳି କରିବା ଅଧିକାର ପ୍ରଦାନ ଲାଗି ପ୍ରସ୍ତାବ ରହିଥିଲା ।

ଜଙ୍ଗଲ ଅଧିକାର ଆଇନ- FRAର ସୁରକ୍ଷା ସକାଶେ ମାମଲାରେ ପକ୍ଷ ରଖିବା ଲାଗି ବିଭିନ୍ନ ସଂପ୍ରଦାୟର କର୍ମୀ ଏବଂ ଅନ୍ୟମାନେ କରିଥିବା ଆବେଦନକୁ ୨୦୧୯ ସେପ୍ଟେମ୍ବର ୧୨ରେ ସୁପ୍ରିମ କୋର୍ଟ ଅନୁମତି ଦେଇଥିଲେ ଏବଂ ଏହା ଫଳରେ ଔପଚାରିକ ପକ୍ଷ ଭାବରେ ଏହା ୱାଇଲ୍‌ଡଲାଇଫ୍‌ ଫର୍ଷ୍ଟ ଏବଂ ଅନ୍ୟମାନେ ବନାମ ଭାରତ ସରକାର ମାମଲା ରୂପେ ବିବେଚିତ ହୋଇଥିଲା । ନିଜେ ନିଜର ଆଇନକୁ ସୁରକ୍ଷା ଦେବା ଲାଗି ଭାରତ ସରକାରଙ୍କ ଅନାଗ୍ରହକୁ ବିଚାରକୁ ନେଲେ, FRAକୁ ସୁରକ୍ଷିତ ରଖିବା ଲାଗି ଆଇନଗତ ଲଢ଼େଇରେ ଏବେ ଏମାନେ ହିଁ ଏକମାତ୍ର ପକ୍ଷଭୁକ୍ତ ସଂସ୍ଥା ।

“FRA ଏକ ସାମ୍ବିଧାନିକ ବ୍ୟବସ୍ଥା ଏବଂ ଆମେ ଆମ ସମ୍ବିଧାନର ଅପମାନ ସହିବୁ ନାହିଁ ” ସୁପ୍ରିମ୍‌ କୋର୍ଟରେ ଦାୟର ଆବେଦନ ସଂପର୍କରେ ଏହା କହନ୍ତି ନିବାଦା ରାଣା । ଉତ୍ତର ପ୍ରଦେଶ ଖେରି ଜିଲ୍ଲାର ସୁଦା ଗାଁରେ ତାଙ୍କ ଘର, ସେ ଏହି ମାମଲାର ଦୁଇ ଆଦିବାସୀ ଆବେଦନକାରୀଙ୍କ ମଧ୍ୟରୁ ଜଣେ ଏବଂ ଥାରୁ ଆଦିବାସୀ ମହିଳା ମଜଦୁର କିଷାନ ମଞ୍ଚର ଜଣେ ନେତ୍ରୀ । ସେ କହନ୍ତି ଯେ, ଅତୀତରେ ଦୁଧୱା ଜାତୀୟ ଉଦ୍ୟାନ ସ୍ଥାପନ ପାଇଁ ବଳପୂର୍ବକ ପୁନର୍ବାସ ନିମନ୍ତେ ବନ ବିଭାଗ ଗାଁ ଲୋକଙ୍କୁ ସବୁଦିନ ହଇରାଣ କରୁଥିଲା । FRA ସୁରକ୍ଷିତ ଅଞ୍ଚଳର ଲୋକଙ୍କୁ ଜଙ୍ଗଲ ଉପରେ ଅଧିକାର ପ୍ରଦାନ କରେ ଏବଂ ସେମାନଙ୍କ ପୁନର୍ବାସ ପାଇଁ ଗ୍ରାମ ସଭାର ପୂର୍ବ ସୂଚିତ ଅନୁମୋଦନ ଆବଶ୍ୟକ ହୁଏ । ବ୍ୟକ୍ତିଗତ ଜଙ୍ଗଲ, ଜମି ଏବଂ ବସବାସ ଅଧିକାର ପାଇବା କ୍ଷେତ୍ରରେ ତାଙ୍କ ଅଞ୍ଚଳର ଅନେକ ଲୋକଙ୍କୁ ଏହା ସହାୟକ ହୋଇଛି । ସେ କହନ୍ତି, “ଆମେ ଏହା (FRA) ପାଇଁ ଲଢ଼େଇ କରିଛୁ ଏବଂ ଏହା ପାଇଁ ଲଢ଼େଇ ଜାରି ରଖିବୁ ।”

ପ୍ରଥମ ଥର ପାଇଁ ଏହି  ଲେଖାର ଏକ ସଂସ୍କରଣ ଓକ୍‌ଲ୍ୟାଣ୍ଡ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଦ୍ୱାରା ୨୪ ନଭେମ୍ବର ୨୦୧୯ରେ ପ୍ରକାଶିତ ହୋଇଥିଲା

ଅନୁବାଦ: ଓଡ଼ିଶାଲାଇଭ୍‍

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟ୍ଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡ଼ିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡ଼ିଆ ପରି ବିଭିନ୍ନ କ୍ଷେତ୍ରରେ ଅଡ଼ିଓ ଭିଜୁଆଲ୍ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

Janhavi Mittal

ଜାହ୍ନବୀ ମିତ୍ତଲ ଦିଲ୍ଲୀରେ ରହନ୍ତି ଏବଂ ଜମି ଓ ସମ୍ବଳ ଅଧିକାର ପ୍ରସଙ୍ଗ ଉପରେ କାର୍ଯ୍ୟରତ କାଲିଫୋର୍ଣ୍ଣିଆର ଏକ ଆଇନଜୀବୀ ଗୋଷ୍ଠୀ ଓକ୍‌ଲ୍ୟାଣ୍ଡ ଇନ୍‌ଷ୍ଟିଚ୍ୟୁଟ୍‌ର ସେ ଜଣେ ଗବେଷକ ଏବଂ ନୀତି ବିଶ୍ଳେଷକ ।

Other stories by Janhavi Mittal