କେବେ କେମିତି ମହୁମାଛି ବସାର ଗାତ ଭିତରେ ସାପଟିଏ ଥାଏ । ବିକ୍କାପାତିମୁଣ୍ଡ ଗାଁର କାଥେ କୁଟ୍ଟନ କହନ୍ତି, “ସାପ ଭିତରେ ଥିବା ସମୟରେ ମହୁମାଛିମାନେ ଆପଣଙ୍କୁ ମହୁ ବାହାର କରାଇ ଦେବେ ନାହିଁ (ମହୁ ସଂଗ୍ରହକାରୀ ବ୍ୟକ୍ତିଙ୍କ ସୁରକ୍ଷା ପାଇଁ), କିନ୍ତୁ କୌଣସି ପ୍ରକାରେ ସାପଟି ବାଟ ଛାଡ଼ି ଆର ପାଖକୁ ଚାଲିଯିବ ।” ତା’ପରେ ମହୁ ସଂଗ୍ରାହକ ହାତ ପୂରାଇ ସେଇ ସୁସ୍ଵାଦୁ ସୁନେଲି ମହୁଫେଣାକୁ ବାହାର କରିପାରିବେ । କାଥେ କହନ୍ତି, “ସାପଟି ମହୁମାଛିଙ୍କୁ ‘କଥା’ ଦେଇଥାଏ– ଯିଏ ବି ମହୁ ନେବାକୁ ଆସନ୍ତୁ, ମୁଁ କାହାରିକୁ କାମୁଡ଼ିବି ନାହିଁ ।”

ଅବଶ୍ୟ,ଏହା ସେତେବେଳେ ଠିକ୍‌, ଯେତେବେଳେ ମହୁ ସଂଗ୍ରାହକ ପବିତ୍ର ମନ ଓ ଶରୀରରେ ଆସିଥାଆନ୍ତି । ଅନ୍ୟଥା, କଥା ଅଲଗା ହୋଇପାରେ ।

କାଥେଙ୍କ ଭଳି ତିଲତୋଷ କୁଟ୍ଟନ ବି ଜଣେ ମହୁ ସଂଗ୍ରାହକ ଏବଂ ସେ ବି ବିକ୍କାପାତିମୁଣ୍ଡରେ ରହୁଥିବା ଟୋଡ଼ା ଆଦିବାସୀ ସଂପ୍ରଦାୟର । ଏହି ଗାଁରେ ପ୍ରାୟ ୩୫ ଜଣ ଟୋଡ଼ା ରହନ୍ତି । ପାହାଡ଼ିଆ ଅଞ୍ଚଳ ଓ ଉପତ୍ୟକାର ଏକ ଅବକ୍ଷୟାଭିମୁଖୀ ଶୋଲା ଜଙ୍ଗଲ ଭିତର ଦେଇ ସେ ଓ ତାଙ୍କ ପୁଅ ଆମ ସହିତ ଚାଲି ଚାଲି ଯାଉଥିଲେ । ପାଖରେ ଥିଲା ଏକ ତୃଣଭୂମି, ଯେଉଁଠି ଟୋଡ଼ା ସଂପ୍ରଦାୟର ମଇଁଷିମାନେ ଘାସ ଚରିବାକୁ ଘୂରିବୁଲନ୍ତି । ଟୋଡ଼ା ସଂପ୍ରଦାୟର ଆଦିବାସୀମାନେ ତାମିଲନାଡୁର ନୀଳଗିରି ପାର୍ବତ୍ୟାଞ୍ଚଳରେ ରହନ୍ତି । ସେମାନେ ପଶୁପାଳକ ଗୋଷ୍ଠୀର ଏବଂ ପ୍ରକୃତିକୁ ସମ୍ମାନ ପ୍ରଦର୍ଶନ କରିବା ଉଦ୍ଦେଶ୍ୟରେ ସଂପୂର୍ଣ୍ଣ ନିରାମିଷ ଭୋଜନ କରନ୍ତି । ଏବଂ ସେମାନେ ଧରିତ୍ରୀ ମାତାଙ୍କୁ ସମ୍ମାନ ଜଣାଇବା ପାଇଁ ଖାଲି ପାଦରେ ଚାଲନ୍ତି ।

ଛୋଟିଆ ଝରଣାଟିଏ ପାର ହେବା ଏବଂ ଏକ ଢାଲୁ ଉପରକୁ ଚଢ଼ିବା ପରେ ଆମକୁ ତିଲତୋଷ ଗୋଟିଏ ବଡ଼ ଗଛରେ ପ୍ରାୟତଃ ଜଣାପଡୁ ନଥିବା ଏକ ଛୋଟ ଗାତ ଦେଖାଇ ଦିଅନ୍ତି । ଗାତ ମୁହଁରେ ଥିବା ତରଭୁଜ ଆକାରର ପଥରଟିଏ ଭିତରକୁ ଯିବାର ସବୁ ରାସ୍ତା ବନ୍ଦ କରିଦେଇଥାଏ ଏବଂ ଏହା ଚାରିପଟେ ପଲପଲ ମହୁମାଛି ଉଡୁଥାଆନ୍ତି । ଏଗୁଡ଼ିକ ଏସିଆ ମହାଦେଶରେ ପରିଲକ୍ଷିତ ମହୁମାଛି ଯାହାକୁ କହନ୍ତି ଏସିଆନ୍‌ ହନି ବି (Apiscerana) । ସେମାନେ ମହୁବାକ୍ସରେ ଫେଣା ତିଆରି କରନ୍ତି ଏବଂ ସେମାନଙ୍କୁ ପାଳିବା ସବୁଠାରୁ ସହଜ ବୋଲି ମନେ କରାଯାଏ ।

PHOTO • Audra Caroline Bass

ବାମ: ଏକ Apisceranaମହୁମାଛି ବସା । ଡାହାଣ:ସୁମଧୁର ସୁନେଲି ମହୁଫେଣା ବାହାର କରିବା ପୂର୍ବରୁ ଗାତ ମୁହଁ ବନ୍ଦ କରିଥିବା ଗୋଟିଏ ପଥରକୁ ଜଣେ ମହୁ ଶିକାରୀ କାଢ଼ି ଆଣୁଛନ୍ତି

ହେଲେ ମହୁମାଛିଙ୍କୁ ସେମାନଙ୍କ ପ୍ରାକୃତିକ ବାସସ୍ଥଳୀରେ ରହିବାକୁ ଛାଡ଼ି ଦେବା ଲାଗି ଟୋଡ଼ାମାନେ ପସନ୍ଦ କରନ୍ତି । ନୀଳଗିରିର ଅନ୍ୟ ଆଦିବାସୀ ସଂପ୍ରଦାୟ ଭଳି, ବନ୍ୟଜାତ ମହୁ ସଂଗ୍ରହ କରିବା ସମୟରେ, ମହୁମାଛିମାନଙ୍କୁ ବସାରୁ ବାହାର କରିବା ଲାଗି ଟୋଡ଼ାମାନେ ନିଆଁ କିମ୍ବା ଧୂଆଁ ବ୍ୟବହାର କରନ୍ତି ନାହିଁ । ପର୍ବତରେ ଘୂରି ବୁଲୁଥିବା ଭାଲୁମାନଙ୍କୁ ଦୂରେଇ ରଖିବା ପାଇଁ ମହୁମାଛି ବସାଟିଏ ଦେଖିଲେ ଶିକାରୀ ଜଣକ ବସା ମୁହଁରେ ପଥରଟିଏ ରଖି ଦିଅନ୍ତି । ମହୁ ବାହାର କରିବାକୁ ଯେତେବେଳେ ସେ ପ୍ରସ୍ତୁତ ହୁଅନ୍ତି, ସେ ସେହି ପଥରଟିକୁ କାଢ଼ି ଦିଅନ୍ତି ଏବଂ ଗାତ ପାଖରେ ମୁହଁ ଲଗାଇ ଧୀରେ ଧୀରେ ଫୁଙ୍କନ୍ତି । ଏହା ଦ୍ଵାରା ଧୀରେ ଧୀରେ ମହୁମାଛିମାନେ ବାହାରକୁ ବାହାରି ଯାଆନ୍ତି ଏବଂ ମହୁ ଶିକାରୀ ଭିତରେ ହାତ ପୂରାଇ ବସାରେ ଥିବା ବିଭିନ୍ନ ଫେଣାରୁ ମହୁ ବାହାର କରି ନିଅନ୍ତି ।

କେମିତି ତାଙ୍କୁ ମହୁମାଛି ଦଂଶନ କରନ୍ତି ନାହିଁ? ଟୋଡ଼ାମାନେ ବିଶ୍ଵାସ କରନ୍ତି ଯେ, ଏହାର କାରଣ ବ୍ୟକ୍ତି ଜଣଙ୍କର ମନ ଓ ଶରୀର ପବିତ୍ର ବୋଲି ମହୁମାଛିମାନେ ଜାଣିପାରନ୍ତି ।

କିନ୍ତୁ ନୂଆ ନୂଆ ମହୁ ସଂଗ୍ରହ ଶିଖିବା ଆରମ୍ଭ କରୁଥିବା ଯୁବକମାନେ (ଟୋଡ଼ା ସଂପ୍ରଦାୟର କେବଳ ପୁରୁଷମାନେ ମହୁ ସଂଗ୍ରହ କରନ୍ତି) ବେଳେ ବେଳେ ମହୁମାଛି ଦଂଶନର ଶିକାର ହୁଅନ୍ତି । ତିଲତୋଷ କହନ୍ତି,“ପ୍ରଥମେ ପ୍ରଥମେ ସେମାନେ (ନବାଗତମାନେ)ଭୟ କରନ୍ତି, କିନ୍ତୁ କେତେ ଥର ମହୁମାଛି ଦଂଶିବା ପରେ ଏହା ସ୍ଵାଭାବିକ ହୋଇଯିବ। ତା ପରେ ସେମାନେ ଆଉ ଭୟ କରିବେ ନାହିଁ ।” ଏମିତି କି ସେ ଏହି କଥା କହୁଥିବା ବେଳେ ହିଁ ପ୍ରାୟ ୧୨  ବର୍ଷର ତାଙ୍କ ପୁଅକୁ ଗୋଟିଏ ମହୁମାଛି ଦଂଶିଦେଲା । ତିଲତୋଷ ତାଙ୍କ ପୁଅ ପାଖକୁ ଯାଆନ୍ତି, ଶରୀରର ଯେଉଁ ଜାଗାରେ ମହୁମାଛି ଦଂଶିଥିଲା ପରୀକ୍ଷା କରନ୍ତି, ଏବଂ ତାକୁ ସେମିତି ଛାଡ଼ି ଦିଅନ୍ତି ।

ପୂର୍ବରୁ, କାଥେ କୁଟ୍ଟନ ଜଣେ ଶିକାରୀଙ୍କ କଥା କହିଥିଲେ ଯାହାଙ୍କୁ ମହୁମାଛିମାନେ ଦଂଶନ କରିଥିଲେ, କାରଣ, “ସେ ‘ନିୟମ’ ପାଳନ କରି [ନଥିଲେ] ।” ମନ୍ଦିରରେ ପୂଜା ଦିନ ଭଳି ନିର୍ଦ୍ଦିଷ୍ଟ କେତେକ ଦିନରେ ସଂପ୍ରଦାୟର ଲୋକେ କାମ କରିବା କଥା ନୁହେଁ।

PHOTO • Audra Caroline Bass

ଗାଁରେ ଗଢ଼ା ହେବାକୁ ଥିବା ମନ୍ଦିରରେ ବ୍ୟବହାର ପାଇଁ କାଥେ କୁଟ୍ଟନ ବାଉଁଶ ପାତିଆରେ କିଛି ସାମଗ୍ରୀ ତିଆରି କରୁଛନ୍ତି । ଦିନ ଥିଲା, କେବଳ ଜଙ୍ଗଲଜାତ ସାମଗ୍ରୀରେ ଟୋଡ଼ାମାନଙ୍କର ଘର ତିଆରି ହେଉଥିଲା, କିନ୍ତୁ ଏବେ ସରକାରଙ୍କ ଦ୍ଵାରା ନିର୍ମିତ ଘରେ ଅନେକ ବ୍ୟକ୍ତି ରହୁଛନ୍ତି

ଚତୁର୍ଦ୍ଦିଗରେ ପାହାଡ଼ ଘେରି ରହିଥିବା ଗାଁର ଏକ ଗଛ ତଳେ ବସି ଏ କଥା କହୁଥିବା ବେଳେ କାଥେ, ଏକାଗ୍ରଚିତ୍ତରେ ବାଉଁଶରୁ ପାତିଆ ତିଆରି କରୁଥିଲେ ଏବଂ ଲମ୍ବା ଲମ୍ବା ପାତିଆକୁ ନରମ କରୁଥିଲେ । ତାଙ୍କ ଚାରିପଟେ ଗୋଲାକାର ବାଉଁଶ ପାତିଆ ଏବଂ ବାଉଁଶ ଛେଲା ବିଛେଇ ହୋଇ ତଳେ ପଡ଼ି ରହିଥିଲା । ଅନ୍ୟ କେତେକ ପୁରୁଷ ବି ବାଉଁଶ ପାତିଆରେ ନରମ ରସି ତିଆରି କରୁଥିଲେ, ପାଖରେ କେତେ ଜଣ ମହିଳା ବସି ଶାଲ୍‌ ଉପରେ ଛୁଞ୍ଚିକାମ କରି ଟୋଡ଼ାମାନଙ୍କର ନିଜସ୍ଵ ସୂକ୍ଷ୍ମ ଡିଜାଇନ୍‌ କରୁଥିଲେ । ଏହି ବାଉଁଶ ପାତିଆଗୁଡ଼ିକ ଏକ ନୂଆ ମନ୍ଦିର ଗଢ଼ିବାରେ ବ୍ୟବହୃତ ହେବ ।

ପୁରୁଣା କଥା ମନେ ପକାଇଆଉ ଜଣେ ଗ୍ରାମବାସୀ ଉନୀର କୁଟ୍ଟନ କହନ୍ତି ଯେ, ଯେତେବେଳେ ପ୍ରଚୁର ପରିମାଣରେ କୁରିଞ୍ଜି ଫୁଲ ଫୁଟେ, ମହୁମାଛିମାନେ ଏହାର ରସ ନେଇ ଏକ ବିଶେଷ ପ୍ରକାରର ମହୁ ପ୍ରସ୍ତୁତ କରନ୍ତି । ଏହି ଫୁଲ ୧୨ ବର୍ଷରେ ଥରେ ଫୁଟେ, ଏବଂ ଏହି ଋତୁରେ (ସାଧାରଣତଃ ଏପ୍ରିଲରୁ ଜୁନ୍‌) ପାହାଡ଼ ସାରା ବାଇଗଣି ଓ ନୀଳ ରଙ୍ଗର ଗାଲିଚାରେ ଭରିଯାଏ-ତେଣୁ ଏହାର ନାଁ ନୀଳଗିରି ବା ନୀଳ ପାହାଡ଼ । କିନ୍ତୁ ଆଜିକାଲି ,ଏମିତିକି କୁରିଞ୍ଜି ଋତୁରେବି ଖୁବ୍‌ କମ ଫୁଲ ଫୁଟୁଛି ବୋଲି କହି ସେ ଦୁଃଖ ପ୍ରକାଶ କରନ୍ତି । ଏବଂ ଏଥିଯୋଗୁଁ ଏହି ବିଶେଷ ପ୍ରକାରର ମହୁ ଆଜିକାଲି ସହଜରେ ମିଳୁନାହିଁ ।

PHOTO • Audra Caroline Bass

ଟୋଡ଼ାମାନଙ୍କର ସ୍ଵତନ୍ତ୍ର ଛୁଞ୍ଚିକାମ ହୋଇଥିବା ଏକ ପାରମ୍ପରିକ ଶାଲ ଘୋଡ଼େଇ ହୋଇଛନ୍ତି ବୟୋଜ୍ୟେଷ୍ଠ ଗ୍ରାମବାସୀ ଉନୀର କୁଟ୍ଟନ । କେମିତି ମହୁମାଛିମାନେ ନୀଳ କୁରିଞ୍ଜି ଫୁଲର ରସରୁ ଏକ ସ୍ଵତନ୍ତ୍ର ଧରଣର ମହୁ ତିଆରି କରନ୍ତି ସେ କଥା ସେ କହନ୍ତି ।

ତିଲତୋଷ କୁଟ୍ଟନ କହନ୍ତି, ଫୁଲ ସଂଖ୍ୟା କମି କମି ଯାଉଥିବାରୁ ପ୍ରତି ବର୍ଷ ମହୁର ପରିମାଣ କମିଗଲା ଭଳି ଲାଗୁଛି । ଯଦିଓ ସେ ଏହାର କୌଣସି କାରଣ ସଂପର୍କରେ କହନ୍ତି ନାହିଁ, ଆମେ ଅନୁମାନ କରୁ ଯେ, ଜଳବାୟୁ ପରିବର୍ତ୍ତନ ଏବଂ ତାମିଲନାଡୁର ପାହାଡ଼ ଉପତ୍ୟକାରେ ଥିବା ଶୋଲା ଜଙ୍ଗଲ ଏବଂ ତୃଣଭୂମିକୁ ଚାଷଜମିରେ ପରିବର୍ତ୍ତନ କରିବା କାରଣରୁ ଏହା ହୋଇପାରେ ।

ଟୋଡ଼ାମାନେ ସେମାନଙ୍କ ଘରେ ବ୍ୟବହାର କରିବା ସହିତ ଗାଁରେ ଭାଗ ବାଣ୍ଟିବା ପାଇଁ ମହୁ ସଂଗ୍ରହ କରନ୍ତି । ଯାହା କିଛି ବଳକା ରହେ ତାକୁ ସେମାନେ ବିକି ଦିଅନ୍ତି । କିନ୍ତୁ ଏଭଳି ଦୃଷ୍ଟାନ୍ତ ବିରଳ ଏବଂ କେବଳ ମହୁ ବଳକା ରହିଲେ କିମ୍ବା ଗାଁକୁ ବୁଲି ଆସିଥିବା ପର୍ଯ୍ୟଟକମାନଙ୍କୁ ସେମାନେ ଏହାକୁ ବିକ୍ରି କରନ୍ତି । ସାଧାରଣତଃ ମହୁ କିଲୋ ପିଛା ୫୦୦ ଟଙ୍କାରେ ବିକ୍ରି ହୁଏ ।

ଜୀବନ ଧାରଣ ପାଇଁ ଟୋଡ଼ା ସଂପ୍ରଦାୟ ଜଙ୍ଗଲ ଉପରେ ନିର୍ଭର କରନ୍ତି ଏବଂ ଅତି ମାତ୍ରାରେ ସ୍ଵାବଲମ୍ବୀ ହୋଇ ଜୀବନ ବିତାନ୍ତି । ସେମାନଙ୍କର ମୁଖ୍ୟ ଖାଦ୍ୟ ହେଲା ମଇଁଷି କ୍ଷୀର ଏବଂ ସେମାନେ ଚାଷ କରୁଥିବା କିଛି ଖାଦ୍ୟଶସ୍ୟ । ଦିନ ଥିଲା, ସେମାନଙ୍କର ଘର ସଂପୂର୍ଣ୍ଣ ଭାବେ ଜଙ୍ଗଲରୁ ମିଳୁଥିବା ସାମଗ୍ରୀରେ ତିଆରି ହେଉଥିଲା । କିନ୍ତୁ ଏବେ ବହୁତ ଲୋକ ସରକାର ତିଆରି କରିଥିବା ଘରେ ରହୁଛନ୍ତି । ସେମାନଙ୍କ ପାଇଁ  ଖାଦ୍ୟର ଏକ ଅତିରିକ୍ତ ଉତ୍ସ ହେଉଛି ମହୁ । କାମ ପାଇଁ କେତେକ ଲୋକ ଗାଁ ଛାଡ଼ି ବାହାରକୁ ଯାଇଛନ୍ତି ତ ଆଉ କେତେକ ଗାଁରେ ହିଁ ଅଛନ୍ତି ।

ତାଙ୍କର ପରବର୍ତ୍ତୀ ପିଢ଼ି ମହୁ ସଂଗ୍ରହ କରିବ ବୋଲି ତିଲତୋଷ ମନେ କରନ୍ତି ନାହିଁ । କିନ୍ତୁ ଅନ୍ୟମାନେ ଅଧିକ ଆଶାବାଦୀ । କାତେଙ୍କ ପରିବାରର ବିଶ୍ଵାସ ଯେ ଯୁବ ପିଢ଼ି ଏହି ପରମ୍ପରାଏବଂ ପ୍ରକୃତି ସହ ସଂପର୍କକୁ ବଜାୟ ରଖିବ । ସେମାନଙ୍କ ମଧ୍ୟରୁ କିଏ ଠିକ୍‌, ସେ କଥା ସମୟ ହିଁ କହିବ ।

ଏହି ସବୁ ସାକ୍ଷାତ୍‌କାର ଆୟୋଜନ କ୍ଷେତ୍ରରେ ସହଯୋଗ ନିମନ୍ତେ କୀଷ୍ଟୋନ୍‌ ଫାଉଣ୍ଡେସନ୍‌କୁ ଧନ୍ୟବାଦ, ଏବଂ ମହୁ ଶିକାରୀମାନଙ୍କୁ ଖୋଜି ପାଇବା ସହିତ ମୋ ସାଙ୍ଗରେ ଯାଇ ପ୍ରତି ସାକ୍ଷାତ୍‌କାରରେ ଅନୁବାଦକ ରୂପେ ସହାୟତା କରିଥିବାରୁ ସର୍ବାନନ୍‌ ରାଜନଙ୍କୁ ଧନ୍ୟବାଦ ।

ଅନୁବାଦ: ଓଡ଼ିଶାଲାଇଭ୍‍

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟ୍ଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡ଼ିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡ଼ିଆ ପରି ବିଭିନ୍ନ କ୍ଷେତ୍ରରେ ଅଡ଼ିଓ ଭିଜୁଆଲ୍ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

Audra Caroline Bass

Audra Caroline Bass is an American India Foundation Clinton Fellow, who worked (September 2016-June 2017) at the Keystone Foundation in Kotagiri, Tamil Nadu. Her project here included collecting the stories of honey hunters.

Other stories by Audra Caroline Bass