କେରଳର ତ୍ରିସୁରରେ ପି. ଭମ୍ବାଲୁର ଗ୍ରାମରେ ଚନ୍ଦ୍ରନ ମାଷ୍ଟରଙ୍କ ପରିସରକୁ ପରିଦର୍ଶକମାନଙ୍କର ଯିବା ଆସିବା ଲାଗି ରହିଛି। ଛାତ୍ରଛାତ୍ରୀ, ଶିକ୍ଷକମାନେ ଓ ପଶୁପାଳନ ଶିକ୍ଷାନବିଶ ଏବଂ ଏପରିକି ଅଧିକାରୀମାନେ ଏଠାକୁ ଏମିତି ଆସନ୍ତି ଯେମିତି ଏହା ଏକ ସାର୍ବଜନୀନସ୍ଥଳ। କିଛି ପରିମାଣରେ ଏହା ମଧ୍ୟ। ଦୂରଦୂରାନ୍ତରୁ ଲୋକମାନେ ମଧ୍ୟ ତାଙ୍କର ୨୨ଟି ଗାଈ ଓ ଦୁଇଟି ଷଣ୍ଢଙ୍କୁ ଦେଖିବାକୁ ଆସୁଛନ୍ତି- ଏଗୁଡ଼ିକ ମଧ୍ୟରୁ ଅଧିକାଂଶ ବିରଳ ଦେଶୀ ପ୍ରଜାତିର। ଏହି ପୂର୍ବତନ ଇଂରାଜୀ ଶିକ୍ଷକ ଏକ ଅସଲି କାଥିଆଓ୍ୱାଡି ଘୋଡ଼ା ଏବଂ କେତେକ ଦେଶୀ ପ୍ରଜାତିର ପକ୍ଷୀଙ୍କ ପାଇଁ ମଧ୍ୟ ଗୌରବ ଅନୁଭବ କରନ୍ତି। ତେବେ ମୁଖ୍ୟ ଆକର୍ଷଣ ହେଉଛି କ୍ଷୁଦ୍ରକାୟ ଭେଚୁର- ପୃଥିବୀର କ୍ଷୁଦ୍ରତମ ଗାଈ- ଏବଂ କେରଳ ଗୋ-ଜାତିର ବାମନ ପ୍ରଜାତିଗୁଡ଼ିକ।

ପରିଦର୍ଶକମାନଙ୍କର ଆଗ୍ରହ ମଧ୍ୟ ରାଜ୍ୟରେ ଘରୋଇ ପ୍ରଜାତିର ଗାଈଗୋରୁ ଏବଂ ଅନ୍ୟ ପଶୁ ସମ୍ପଦର ଭାଗ୍ୟ ଉପରେ କ୍ରମବର୍ଦ୍ଧିଷ୍ଣୁ ଚିନ୍ତା ପ୍ରତିଫଳିତ କରୁଛି। ଅନ୍ୟ  ଯେକୌଣସି ସ୍ଥାନ ପରି ଅଧିକ ଦୁଗ୍ଧ ଉତ୍ପାଦନ ପାଇଁ ଶଙ୍କର ପ୍ରଜାତିର ଗୋ-ସମ୍ପଦ ଉପରେ ଅତ୍ୟଧିକ ଗୁରୁତ୍ୱ ମଧ୍ୟ ଦେଶୀ ଜୀବଜନ୍ତୁ ସଂଖ୍ୟାରେ ଦ୍ରୁତ ଅବନତି ଆଣୁଛି। ଏହି ଦୃଷ୍ଟିକୋଣର ପରିଣାମ ସମ୍ପର୍କରେ ବର୍ତ୍ତମାନ ଭୀଷଣ ଆଲୋଚନା-ପର୍ଯ୍ୟାଲୋଚନା ଚାଲିଛି। କେରଳର ଗୋ-ସମ୍ପଦ ସଂଖ୍ୟା ୧୯୯୬ରୁ ୨୦୦୭ ମଧ୍ୟରେ ପ୍ରାୟ ୪୮ ପ୍ରତିଶତ ହ୍ରାସ ପାଇଛି।

କେରଳ ଗୋ-ପାଳନ ବିଭାଗ(ଏଏଚ୍‌ଡି)ର ନିର୍ଦ୍ଦେଶକ ଡ. ଆର୍‌.ବିଜୟ କୁମାର କୁହନ୍ତି, ରାଜ୍ୟର ନୂତନ ପ୍ରଜନନ ନୀତି ‘‘ବିଦେଶୀ [ଅର୍ଥାତ୍‌ ଅଣ-ଦେଶୀ] ଜର୍ମ ପ୍ଲାଜମ ୫୦ ପ୍ରତିଶତକୁ ସୀମିତ କରିଛି। ଆମେ ବର୍ତ୍ତମାନ ଦେଶୀ ପ୍ରଜନନ ବହୁଗୁଣିତ କରୁଛୁ। ଏପରିକି ଆମେ ଦେଶୀ ଷଣ୍ଢମାନଙ୍କର ବୀର୍ଜ ସହ କୃତ୍ରିମ ଗର୍ଭଧାରଣ କରାଉଛୁ।’’ ଏବଂ ଯଦିଓ ୧୯୯୬ରୁ ୨୦୦୭ ମଧ୍ୟରେ ପଶୁମାନଙ୍କର ସଂଖ୍ୟାରେ ହ୍ରାସ ଘଟିଛି, ‘‘ଏହି ସମୟ ମଧ୍ୟରେ ରାଜ୍ୟରେ ଦୁଗ୍ଧ ଉତ୍ପାଦନ ବୃଦ୍ଧି ପାଇଛି। ଦୈନିକ ହାରାହାରି ୬ ଲିଟରରୁ ଏହା ୮.୫. ଲିଟରକୁ ବୃଦ୍ଧି ପାଇଛି, ଯଦିଓ ଏ ମଧ୍ୟରୁ ୮୭% ଆସିଛି କେରଳର ଶଙ୍କର ଜାତୀୟ ଗୋ ସମ୍ପଦଠାରୁ।’’

ତଥାପି, ଶଙ୍କର ପ୍ରଜାତି ସହ ଦୁଗ୍ଧ ଉତ୍ପାଦନ ଖର୍ଚ୍ଚ ଅଧିକ। ଭେଚୁର ଏବଂ କାଶରଗୋଡ଼େ ପରି ଦେଶୀ ବାମନ ପ୍ରଜାତିର ଖାଦ୍ୟ ଆବଶ୍ୟକତା ଖୁବ୍‌ କମ୍‌। ସେମାନଙ୍କର ଖାଦ୍ୟରୁ ଦୁଗ୍ଧ ପରିବର୍ତ୍ତନ ଖୁବ୍‌ ଭଲ। ଶଙ୍କର ପ୍ରଜାତି ଜୀବଜନ୍ତୁଙ୍କର ରକ୍ଷଣାବେକ୍ଷଣ ଅଧିକା ଏବଂ ସେମାନେ ଅଧିକ ରୋଗଗ୍ରସ୍ତ ହୁଅନ୍ତି। ଚନ୍ଦ୍ରନ ମାଷ୍ଟ୍ର କୁହନ୍ତି, ‘‘ଏହି ବଡ଼କାରା ବାମନଙ୍କୁ ଦେଖନ୍ତୁ''। "ମୋର ସନ୍ଦେହ ମୁଁ ଦିନରେ ତା’ର ଖାଦ୍ୟ ବାବଦରେ ୫ରୁ ୧୦ଟଙ୍କା ଖର୍ଚ୍ଚ କରେ କି ନ କରେ। ତଥାପି ସେ ମୋତେ ୩ରୁ ୪ଲିଟର ଦେଉଚି। କିନ୍ତୁ ତା’ର ଦୁଗ୍ଧର ମାନ ଖୁବ୍‌ ଅଧିକ ଏବଂ ମୁଁ ଗୋଟିଏ ଲିଟରରୁ ୫୦ଟଙ୍କା ପାଇପାରିବି। ତେଣୁ ଏହି ପ୍ରକାରେ ଲାଭ ଅଧିକ। ସେମାନଙ୍କ ପାଇଁ ଉଚ୍ଚମାନର ଖାଦ୍ୟ ମଧ୍ୟ ଆବଶ୍ୟକ ନୁହେଁ। ରୋଷେଇ ଘରର ଅଦରକାରୀ ଜିନିଷ ଏବଂ ବଳକା ତା’ ପାଇଁ ବ୍ୟବହାର କରାଯାଇପାରିବ ଏବଂ ସେମାନେ କୌଣସି ବିଶେଷ ଗୁହାଳ କିମ୍ବା କିଛି ଆବଶ୍ୟକ କରନ୍ତି ନାହିଁ।’’ ତଥାପି ସେ ଦୁଗ୍ଧ ବିକ୍ରୟ କରନ୍ତି ନାହିଁ। ତେବେ ‘‘ପ୍ରତିବର୍ଷ କେଇଟି ବାଛୁରି ବିକ୍ରୟ କରନ୍ତି ଯେତେବେଳେ ମୁଁ ଯେତିକି ଚଳେଇପାରିବି ତା’ଠାରୁ ସଂଖ୍ୟା ଅଧିକ ବଢ଼ିଯାଏ’’ ସେତେବେଳେ ସେ ସେଗୁଡ଼ିକ ବିକ୍ରୟ କରନ୍ତି।

PHOTO • P. Sainath

ପୃଥିବୀର ସର୍ବକନିଷ୍ଠ ଭେଚୁର ବାଛୁରୀ ଏହି ଫଟୋ ନିଆଯିବାର ମାତ୍ର ୬ଘଣ୍ଟା ପୂର୍ବରୁ ଜନ୍ମ ହୋଇଥିଲା

ସେ କୁହନ୍ତି, ବହୁ ପୂର୍ବରୁ ଭେଚୁର ଗାଈମାନଙ୍କ ଦୁଗ୍ଧର ଔଷଧୀୟ ଗୁଣ ରହିଛି ବୋଲି ଆୟୁର୍ବେଦରେ ଉଲ୍ଲେଖ କରାଯାଇଛି। ନିକଟରେ କେରଳ କୃଷି ବିଶ୍ୱବିଦ୍ୟାଳୟ (କେଏୟୁ)ରେ କରାଯାଇଥିବା ଅଧ୍ୟୟନ ମଧ୍ୟ ଦର୍ଶାଉଛି ଯେ, ଭେଚୁର ଗାଈମାନଙ୍କଠାରୁ ମିଳୁଥିବା ଫ୍ୟାଟ ଏବଂ ସମୁଦାୟ କଠିନ ଉପାଦାନର ପ୍ରତିଶତ ଶଙ୍କରଜାତୀୟ ଗାଈମାନଙ୍କ ଦୁଗ୍ଧରୁ ମିଳୁଥିବା ପ୍ରତିଶତଠାରୁ ଅଧିକ। ଭେଚୁର ଦୁଗ୍ଧରେ ଫ୍ୟାଟକଣିକାଗୁଡ଼ିକର କ୍ଷୁଦ୍ର ଆକାର ଏହାକୁ ଶିଶୁ ଏବଂ ଅସୁସ୍ଥମାନଙ୍କ ପାଇଁ ଅଧିକ ଉପଯୁକ୍ତ କରିଛି।

ଏଏଚ୍‌ଡିର ନିର୍ଦ୍ଦେଶକ ଆର୍‌.ବିଜୟ କୁମାର କୁହନ୍ତି, ଦେଶୀ ପ୍ରଜାତିର ଅବନତି ପଛରେ ଅନେକ କାରଣ ରହିଛି। କେବଳ ଅନେକ ପୂର୍ବରୁ ‘‘ଅପ୍ରଚାରିତ’’ ପ୍ରଜାତିଗୁଡ଼ିକର ବନ୍ଧ୍ୟାକରଣ ଏହାର କାରଣ ନୁହେଁ। ସେ ‘‘ଅର୍ଥକରୀ ଫସଲ ଆଡକୁ, ଯାହା ପଶୁ ଆଧାରିତ କୃଷିକୁ ହ୍ରାସ କରିଛି ଏବଂ ବଡ଼ ପଶୁମାନଙ୍କୁ ପାଳନ କରିବାର ସମୟ କିମ୍ବା ଧୈର୍ଯ୍ୟ ନଥିବା ନୂଆ ପିଢ଼ିର କୃଷକମାନଙ୍କ ଆଡ଼କୁ – ସେମାନେ ଛୋଟ ଗୃହପାଳିତ ପଶୁମାନଙ୍କୁ ଅଗ୍ରାଧିକାର ଦିଅନ୍ତି ଏବଂ ଉଚ୍ଚ ଦୁଗ୍ଧ ଉତ୍ପାଦକତା ପାଇଁ ଶଙ୍କର ପ୍ରଜାତି ପ୍ରତି ଅଧିକ ଆଗ୍ରହ ଆଡ଼କୁ’’ ନିର୍ଦ୍ଦେଶ କରନ୍ତି ।

ତେବେ ଦାମ୍‌ ଏବଂ ରକ୍ଷଣାବେକ୍ଷଣ ଆଉ ଏକ ପ୍ରସଙ୍ଗ । ଚନ୍ଦ୍ରନ ମାଷ୍ଟର କୁହନ୍ତି, ‘‘୧୯୯୪ରେ ମୁଁ ସ୍ଥାନୀୟ ପ୍ରଜାତିକୁ ବଦଳାଇବା ପୂର୍ବରୁ ମୋର ତିନୋଟି ଶଙ୍କର ଗାଈ ଥିଲା। ସେ ମଧ୍ୟରୁ ଗୋଟିଏ ଥିଲା ସୁଇସ୍‌ ବ୍ରାଉନ୍‌। ମୋତେ ପ୍ରତ୍ୟେକଙ୍କ ଉପରେ ଦୈନିକ ପ୍ରାୟ ଟ. ୪୦୦ ଖର୍ଚ୍ଚ କରିବାକୁ ହେଉଥିଲା। ସେମାନଙ୍କ ଖାଦ୍ୟ ଖୁବ୍‌ ଦାମୀ ଥିଲା। ଏବଂ ତାହା ଦିନକୁ ପ୍ରାୟ ଟ. ୨୦୦ ଥିଲା। ଦାନା ଖାଦ୍ୟ, ଚାଉଳ ଗୁଣ୍ଡ, ଗହମ ଗୁଣ୍ଡ, ପିଡ଼ିଆ, ସବୁଜ ଘାସ, ଏହି ସଂଖ୍ୟା ଅଗଣିତ। ସେମାନେ ସବୁ ସମୟରେ ଅସୁସ୍ଥ ହୋଇଯିବେ ଓ ପ୍ରତି ସପ୍ତାହରେ ପଶୁ ଚିକିତ୍ସକ ଡାକିବାକୁ ହେବ। ପଶୁ ଡାକ୍ତରଙ୍କ ପରିଦର୍ଶନ ଖର୍ଚ୍ଚ ପାଇଁ ଟ. ୧୫୦ ସହ ତାଙ୍କ ପାଇଁ ଯିବା ଆସିବା ଗାଡ଼ି ଖର୍ଚ୍ଚ ମଧ୍ୟ ଥିଲା।’’

ଏହି ପରିବର୍ତ୍ତନ କରିବା ପରଠାରୁ: ‘‘କୌଣସି ପଶୁ ଚିକିତ୍ସକ ମୋ ଗାଈମାନଙ୍କୁ ଗତ ୧୭ବର୍ଷରେ ଦେଖିନାହାଁନ୍ତି। ମୁଁ ସେମାନଙ୍କ ମଧ୍ୟରୁ କୌଣସି ଗୋଟିକର ମଧ୍ୟ ବୀମା କରିନାହିଁ। ଏମାନେ ସହନଶୀଳ ଏବଂ ସୁସ୍ଥ ଜୀବ।'' ଅନେକ ବିଶେଷଜ୍ଞମାନେ ଏହା ଦର୍ଶାଇଛନ୍ତି ଯେ ଭାରତର ଦେଶୀ ଗାଈଗୋରୁ (ବୋସ୍‌ ଇଣ୍ଡିକସ) ଏହି ଜଳବାୟୁ ସହ ଖାପଖୁଆଇବା ପାଇଁ ବିବର୍ତ୍ତିତ ହୋଇଛନ୍ତି ଏବଂ ‘‘ରୋଗ, ପରଜୀବୀମାନଙ୍କୁ ସହ୍ୟ କରିବା ପାଇଁ ଏବଂ ବିନା ମାନବ ସହାୟତାରେ ବାଛୁରୀ ଜନ୍ମ ଦେବା ପାଇଁ ମଧ୍ୟ।’’ ପ୍ରଫେସର ସୋସମ୍ମା ଲିପେଙ୍କ ପରି ବୈଜ୍ଞାନିକମାନେ ଯିଏକି କେଏୟୁରେ ଭେଚୁରମାନଙ୍କର ପୁନଃ ପ୍ରତ୍ୟାବର୍ତ୍ତନରେ ଅଗ୍ରଣୀ ଭୂମିକା ଗ୍ରହଣ କରିଛନ୍ତି, ସେ ମଧ୍ୟ ସୂଚିତ କରନ୍ତି ଯେ, ଏହି ବାମନ ଜୀବଗୁଡ଼ିକର ‘‘ଫାଟୁଆ ଏବଂ ସ୍ତନଫୁଲା ରୋଗ ପ୍ରତି ଭଲ ପ୍ରତିରୋଧ ରହିଛି। ଉଭୟ ରୋଗ କେରଳରେ ଶଙ୍କର ଗାଈମାନଙ୍କୁ ରୋଗିଣା କରୁଛି। ଭେଚୁର ଗାଈଗୋରୁଙ୍କର ମଧ୍ୟ ଶ୍ୱାସ ପ୍ରଣାଳୀ ସଂକ୍ରମଣର ଖୁବ୍‌ କମ୍‌ ଉଦାହରଣ ରହିଛି।।’’

କେରଳରେ ଅଧିକାଂଶ ପଶୁ ସମ୍ପଦ ମାଲିକମାନେ ପ୍ରାୟତଃ କ୍ଷୁଦ୍ର କିମ୍ବା ନାମମାତ୍ର ଚାଷୀ କିମ୍ବା ଏପରିକି ଭୂମିହୀନ। ଏହି ରାଜ୍ୟରେ ସମୁଦାୟ ଶଙ୍କର ପ୍ରଜାତି ଗୋ-ସମ୍ପଦର ସଂଖ୍ୟା ଦେଶରେ ସର୍ବାଧିକ। ଯଦିଓ ଏହାର ହାରାହାରି ଦୁଗ୍ଧ ଉତ୍ପାଦନ ବୃଦ୍ଧି ପାଇଛି। ଉତ୍ପାଦନ ଚାହିଦାଠାରୁ ଖୁବ୍‌ କମ୍‌ରେ ରହିଛି। କେରଳ ଦେଶର ଶୀର୍ଷ ଉତ୍ପାଦକ ମଧ୍ୟରେ ନାହିଁ। ତେବେ ଦୁଗ୍ଧ ଲିଟର ପିଛା ଖାଦ୍ୟ ଉପଯୋଗରେ ଏହା ଭାରତରେ ଅନ୍ୟତମ ସର୍ବୋଚ୍ଚ ରାଜ୍ୟ। ସମାଲୋଚକମାନେ କୁହନ୍ତି, କେରଳକୁ କ୍ଷତିଗ୍ରସ୍ତ କରିଥିବା ଗାଈଗୋରୁ ଓ ଦେଶୀ ପ୍ରଜାତି ସଂଖ୍ୟାରେ ଦ୍ରୁତ ହ୍ରାସକୁ ଅବହେଳା କରିବା ଭୁଲ୍‌, ଏଥିସହ ଦଶନ୍ଧି ପୁରାତନ ନୀତି ଯାହା ଅନୁଯାୟୀ କୌଣସି କୃଷକ ଲାଇସେନ୍ସ ବିନା ଷଣ୍ଢ ରଖିବା ବେଆଇନ ମଧ୍ୟ ଭୁଲ୍‌। ଏହି ଲାଇସେନ୍ସ କେବଳ ଏଏଚ୍‌ଡିର ରାଜ୍ୟ ନିର୍ଦ୍ଦେଶକ ସ୍ତରରେ ସୁପାରିଶ କରାଯାଏ।

PHOTO • P. Sainath

ଚନ୍ଦ୍ରନ ମାଷ୍ଟର୍‌ ଭେଚୁର୍‌ ଗାଈ ଏବଂ ବାଛୁରୀ ସହ

ଆଇନଗତ ଦୃଷ୍ଟିରୁ ଦେଖିବାକୁ ଗଲେ ଚନ୍ଦ୍ରନ ମାଷ୍ଟର୍‌ ଏବଂ ଅନ୍ୟମାନେ ଆଇନ ଭାଙ୍ଗୁଛନ୍ତି । କିନ୍ତୁ ଏହା ସତ ଯେ କୌଣସି ଚାଷୀ ଗୋଟିଏ ‘‘ବେଆଇନ ଷଣ୍ଢ’’ ରଖିଛନ୍ତି ନା ନାହିଁ ସେ ସମ୍ପର୍କରେ ଜାଣିବାରେ ରାଜ୍ୟର କୌଣସି ଉପାୟ ନାହିଁ ? ଜଣେ ବିଶେଷଜ୍ଞ କୁହନ୍ତି, ‘‘ଗୋଟିଏ ହିଂସ୍ର ପଞ୍ଚାୟତ ଜଣେ ଚାଷୀର ଜୀବନ ନର୍କ କରି ଦେଇପାରେ । ଯଦି ସେହି ଚାଷୀଙ୍କର ସେହି ପଞ୍ଚାୟତର ଶାସକ ଦଳ ସହ ଖରାପ ସମ୍ପର୍କ ଅଛି ତେବେ ସେମାନେ ତାଙ୍କୁ ମାସ ମାସ ଅଦାଲତରେ ରଖିପାରିବେ ।

ନିକଟରେ ଯେକୌଣସି ପ୍ରକାର ଅନୁମତି ସହ ସମ୍ପୃକ୍ତ ନାଲିଫିତା ବିଷୟରେ ହରିତଭୂମି (ସବୁଜ ପୃଥିବୀ) ନାମକ ଏକ କୃଷି ଜର୍ନାଲ ପ୍ରକାଶ କରିଛି। ଯଦି ଜଣେ କୃଷକ ଛଅଟି ବଡ଼ ଜୀବ ଏବଂ ୨୦ଟି ପକ୍ଷୀର ସୀମା ଅତିକ୍ରମ କରିବାକୁ ଚାହାଁନ୍ତି, ଏପରିକି ଏକ କ୍ଷୁଦ୍ର ସଂଖ୍ୟାରେ ମଧ୍ୟ ସେ ଏହି ପ୍ରକ୍ରିୟା ଆରମ୍ଭ କରି ପଞ୍ଚାୟତଠାରୁ କ୍ଲିୟରାନ୍ସ ନେବା ଆବଶ୍ୟକ କରନ୍ତି। ଯଦି ସୀମା କୋଟା ଅତିକ୍ରମ କରେ ଆପଣଙ୍କୁ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡକୁ ଯିବାକୁ ହେବ। ଆପଣ  ଯେଉଁ ଆକାରର ସ୍ଥାନ ନିର୍ମାଣ କରିବାକୁ ଚାହୁଁଛନ୍ତି, ତାହା ଉପରେ ନିର୍ଭର କରି ଆପଣଙ୍କୁ ଜିଲ୍ଲା ସହର ଯୋଜନାକାରୀଙ୍କଠାରୁ ପ୍ରମାଣପତ୍ର ନେବା ଆବଶ୍ୟକ ହେବ। ଏପରିକି ରାଜ୍ୟ ମୁଖ୍ୟ ସହର ଯୋଜନାକାରୀଙ୍କଠାରୁ ମଧ୍ୟ ନେବାକୁ ହୋଇପାରେ। ଏଗୁଡ଼ିକୁ କରାନ୍ତୁ ଏବଂ ପଞ୍ଚାୟତ ପାଇଁ ଏକ ବୈଷୟିକ ରିପୋର୍ଟ ପ୍ରସ୍ତୁତ କରିବାକୁ ହେବ ଏବଂ ସେମାନଙ୍କଠାରୁ ଦୁଇ କିମ୍ବା ଚାରୋଟି ସାର୍ଟିଫିକେଟ୍‌ ନେବାକୁ ହେବ । ଏହା ପରେ କୃଷକ ଜିଲ୍ଲା ଚିକିତ୍ସା ଅଧିକାରୀଙ୍କଠାରୁ କ୍ଲିୟରାନ୍ସ ନେବାକୁ ହେବ। ଯାହାଙ୍କ ପାଖରେ ତାଙ୍କ ଫାର୍ମ ପାଇଁ ଯୋଜନା କରାଯାଇଥିବା ୧୦୦ ମିଟର ମଧ୍ୟରେ ଥିବା ସମସ୍ତ ବାସିନ୍ଦାଙ୍କଠାରୁ ଏନ୍‌ଓସି ନେଇ ଦାଖଲ କରିବାକୁ ହେବ।

ଚନ୍ଦ୍ରନ ମାଷ୍ଟରଙ୍କ ଘରକୁ ମୋର ପ୍ରଥମ ଗସ୍ତ ସମୟରେ ମୁଁ ଅନ୍ୟ ଅଞ୍ଚଳର ଆଉ ଜଣେ ପୋଷାଜୀବ ନୀରିକ୍ଷକଙ୍କୁ ଭେଟିଥିଲି। ନିଜ ନାମ ପ୍ରକାଶ ନ କରି ସେ ମୋତେ କହିଥିଲେ, ‘‘ମୋର ଅଧିକାଂଶ ଗସ୍ତ ସମୟରେ ମୁଁ ଶଙ୍କର ପ୍ରଜାତି ଦ୍ଵାରା ସାମ୍ନା କରାଯାଉଥିବା ସମସ୍ୟା ଦେଖିଥାଏ। ସେମାନେ ପାଣିପାଗରେ ସାମାନ୍ୟ ପରିବର୍ତ୍ତନରେ ଅସୁସ୍ଥ ହୋଇଯାଆନ୍ତି। ସେମାନେ ସାମାନ୍ୟ ଗରମ ସହ୍ୟ କରିପାରନ୍ତି ନାହିଁ’’। ଚନ୍ଦ୍ରନ ମାଷ୍ଟର କୁହନ୍ତି, ‘‘ଆପଣ ଗୋଟିଏ ରାତି ମଧ୍ୟ ଶାନ୍ତିରେ ଶୋଇପାରିବେ ନାହିଁ। ଶଙ୍କର ଜୀବଗୁଡ଼ିକ ୧୦ମିନିଟ୍‌ ବର୍ଷା ମଧ୍ୟ ସହ୍ୟ କରିପାରିବେ ନାହିଁ। ଦେଶୀ ପ୍ରଜାତିଗୁଡ଼ିକ ପାଇଁ ଆପଣ ଗୁହାଳ ବି ଆବଶ୍ୟକ କରିବେନି।’’। ଏହି ନିରୀକ୍ଷକ ମୁଣ୍ଡ ହଲାଇଲେ : ‘‘ଯଦି ମୁଁ ଗୋଟେ ଗାଈ ରଖେ ତେବେ ଏହା ଏକ ଭେଚୁର ହେବ।’’

(ପିଏସ୍‌: ଦି ହିନ୍ଦୁରେ ଏହି କାହାଣୀର ଗୋଟିଏ ଅଂଶ ପରେ, କଳାହାଣ୍ଡିର କୃଷି ସହ ଗଭୀର ଭାବରେ ସମ୍ପୃକ୍ତ ଏକ ସାମୂହିକ ସଂଗଠନ ସହ ବାଘ୍ୟ ବିକାଶ ଅଭିଯାନ ଚନ୍ଦ୍ରନ ମାଷ୍ଟରଙ୍କୁ ବିରଳ ଖରିଆର ପ୍ରଜାତିର ଦୁଇଟି ବାଛୁରୀ ଉପହାର ଦେବ ବୋଲି ଘୋଷଣା କରିଥିଲା। ତେବେ ବର୍ତ୍ତମାନ ସମସ୍ୟା ହେଉଛି ସେମାନଙ୍କୁ ପଶ୍ଚିମ ଓଡ଼ିଶାରୁ କେରଳର ତ୍ରିଶୂରକୁ ପରିବହନ କରିବା। )

ଏହି ପ୍ରବନ୍ଧଟି ପ୍ରଥମେ ୨୦୧୨ ଜାନୁଆରୀ ୬ ତାରିଖରେ ଦି ହିନ୍ଦୁରେ ପ୍ରକାଶିତ ହୋଇଥିଲା।

ଅନୁବାଦ: ଓଡ଼ିଶାଲାଇଭ୍‍


ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟ୍ଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡ଼ିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡ଼ିଆ ପରି ବିଭିନ୍ନ କ୍ଷେତ୍ରରେ ଅଡ଼ିଓ ଭିଜୁଆଲ୍ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

ପି.ସାଇନାଥ ପିପୁଲ୍ସ ଆର୍କାଇବ ରୁରାଲ ଇଣ୍ଡିଆର ସଂସ୍ଥାପକ ସମ୍ପାଦକ, ସେ କେଇ ଦଶକ ଧରି ଜଣେ ଗ୍ରାମୀଣ ସମ୍ବାଦଦାତା ଭାବରେ କାର୍ଯ୍ୟ କରିଛନ୍ତି ଏବଂ ସେ ‘ଏଭ୍ରିବଡି ଲଭ୍ସ ଏ ଗୁଡ୍ ଡ୍ରଟ୍’ର ଲେଖକ।

Other stories by P. Sainath