‘‘ସେମାନେ କହିଲେ ଆମ ଜୀବନରେ ବହୁ ଅନୁକୂଳ ପରିବର୍ତ୍ତନ ହେବ, କିନ୍ତୁ ସେମାନେ ଆମକୁ ଧୋକ୍କା ଦେଲେ’’ କହିଛନ୍ତି ଜୁନୱାନି ଗ୍ରାମର ପ୍ରୀତମ୍‌ କୁଞ୍ଜମ୍‌। ‘‘ଆମ ଜମି ନେବା ପରେ ଅଧିକାରୀମାନେ ଆମକୁ ଲିଜ୍‌ର କେବଳ ଏକ ଛୋଟିଆ ଅଂଶ ଫେରାଇଥିଲେ ଏବଂ ଆମକୁ ଭରସା ଦେଇଥିଲେ ଯେ ଆମେ ସବୁ ପାଇବୁ। ଆମ ମଧ୍ୟରୁ ଅନେକ ଘର, ବାରି, ଜମି ସବୁକିଛି ହରାଇଛୁ କିନ୍ତୁ ପ୍ରକୃତରେ ଆମେ ଆମର ଜଙ୍ଗଲ, ବିସ୍ତୀର୍ଣ୍ଣ ଘାସଜମି, ସାର୍ବଜନୀନ ଜମି, ଶ୍ମଶାନ ଏବଂ ଖେଳ ପଡ଼ିଆ ସବୁକିଛି ହରାଇଲୁ। ଆମେ ମାସ ମାସ ଧରି ଆମର ଜମି ଫେରିପାଇବା ପାଇଁ ସରକାରୀ କାର୍ଯ୍ୟାଳୟକୁ ଦୌଡ଼ୁଛୁ।’’

ଛତିଶଗଡ଼ର ଧାମତରି ଜିଲ୍ଲାର ଜୁନୱାନିର ବାସିନ୍ଦା, ଏହି ସ୍ଥାନ ରାଇପୁରଠାରୁ ୧୪୦ କିଲୋମିଟର ଦୂରରେ ଅବସ୍ଥିତ। ସେମାନେ ଡିସେମ୍ବର ୨୦୧୫ରେ ତାଙ୍କର ଜମି ଫେରାଇ ଆଣିବା ପାଇଁ ସଂଗ୍ରାମ ଆରମ୍ଭ କରିଥିଲେ। ସେମାନେ ଅନୁସୂଚିତ ଜନଜାତି ଏବଂ ଅନ୍ୟ ପାରମ୍ପରିକ ବନବାସୀ ଆଇନ କିମ୍ବା ଜଙ୍ଗଲ ଅଧିକାର ଆଇନ (ଏଫଆରଏ) ଅଧିନରେ ତାଙ୍କର ଜମି ଅଧିକାର ପାଇବା ପାଇଁ ଲଢ଼ୁଛନ୍ତି। ଏହି ଆଇନ ଡିସେମ୍ବର ୨୦୦୬ରେ ପ୍ରଣୟନ କରାଯାଇଥିଲା, ଜାନୁଆରୀ ୦୧, ୨୦୦୮ରେ ବଳବତ୍ତର ରହିଥିଲା। ଏଫଆରଏ ଦେଶବ୍ୟାପି ବନବାସୀମାନଙ୍କର ପାରମ୍ପରିକ ଜଙ୍ଗଲ ଅଧିକାର ଫେରାଇ ଆଣିବା ପାଇଁ ସୁବିଧା ପ୍ରଦାନ କରେ। ଏହା ଲଘୁ, ଜଙ୍ଗଲଜାତ ଉତ୍ପାଦ ବ୍ୟବହାର ଓ ଅନାବାଦୀ ଗୋଚର ଜମି ବ୍ୟବହାର ପାଇଁ ଗୋଷ୍ଠୀକୁ ଅଧିକାର ମଞ୍ଜୁରୀ କରେ ଏବଂ ଡିସେମ୍ବର ୧୩, ୨୦୦୫ ଅନୁଯାୟୀ ଆଦିବାସୀମାନେ ଚାଷ କରୁଥିବା ଜମି ଉପରେ ବ୍ୟକ୍ତିଗତ ଅଧିକାର ମଧ୍ୟ ପ୍ରଦାନ କରେ।

ଛତିଶଗଡ଼ ସରକାର ଦାବି କରୁଛନ୍ତି ଯେ ଏଫଆରଏ ଅଧିନରେ ଅନ୍ୟ ରାଜ୍ୟ ତୁଳନାରେ ଅଧିକ ଜମି ଅଧିକାର ଆଦିବାସୀମାନଙ୍କୁ ପ୍ରଦାନ କରିଛନ୍ତି, ରାୟପୁରରେ ନଭେମ୍ବର ୧୫, ୨୦୧୫ରେ ଆୟୋଜିତ ଜଙ୍ଗଲ ଅଧିକାର କର୍ମଶାଳାରେ ତଥ୍ୟ ଉପସ୍ଥାପନ କରାଯାଇଥିଲା, ଯେଉଁଠାରେ ଉଭୟେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କର ପ୍ରତିନିଧି ଉପସ୍ଥିତ ରହିଥିଲେ, ଏକ ଭିନ୍ନ ବାସ୍ତବତା ଦର୍ଶାଇଥିଲା।

ରାଜ୍ୟ ସରକାର ଗତ ସାତ ବର୍ଷ ମଧ୍ୟରେ ୬୦ ପ୍ରତିଶତ ଆଦିବାସୀଙ୍କ ଦ୍ୱାରା ବ୍ୟକ୍ତିଗତ ଦାବି ଖାରଜ କରିଛନ୍ତି - ବା ଏହା ଏଫଆରଏ ଅଧିନରେ କରାଯାଇଥିବା ପ୍ରାୟ ୫୧୨,୦୦୦ ଦାବି। ନିୟମରେ ଦର୍ଶାଯାଇଛି ଯେ ଜଣେ ବୟସ୍କ ବ୍ୟକ୍ତିଙ୍କ ପିଛା ୨.୫ ଏକର ନିର୍ଦ୍ଧାରିତ ହୋଇଛି ଯେତେବେଳେ କି ଛତିଶଗଡ଼ ସରକାର ପ୍ରତି ପରିବାର ପିଛା ହାରାହାରି ୨ ଏକର ଜଙ୍ଗଲ ଜମିକୁ କେବଳ ସ୍ୱୀକୃତି ଦେଇଛନ୍ତି।

ଯେତେବେଳେ କି ଛତିଶଗଡ଼ର ୪୪ ପ୍ରତିଶତ ଜମି ହେଉଛି ଜଙ୍ଗଲ ଜମି, ଏହି ଅଧିକାର ହକ୍‌ଦାର ଲୋକମାନଙ୍କୁ ମଞ୍ଜୁର କରାନଯିବା କାରଣରୁ ଏହା ଅଧିକ ଗୁରୁତ୍ୱପୂର୍ଣ୍ଣ ହୋଇପଡ଼ିଛି। ସମାନ କର୍ମଶାଳାରେ ଉପସ୍ଥାପିତ ତଥ୍ୟରୁ ଜଣାପଡ଼ିଛି ଯେ କେରଳ ଏବଂ ତ୍ରିପୁରା ସମାନ ପ୍ରକାରର ବ୍ୟକ୍ତିଗତ ଦାବିର ମାତ୍ର ୩୪ ପ୍ରତିଶତ ଅଗ୍ରାହ୍ୟ କରିଛନ୍ତି।

ପଞ୍ଚାୟତର ଭୋଟର ତାଲିକା ଅନୁଯାୟୀ ଜୁନୱାନିରେ ୨୬୫ ଜଣ ଭୋଟର ରହିଛନ୍ତି - ତେବେ ବ୍ୟକ୍ତିଗତ ଅଧିକାର ଭାବରେ ସେମାନଙ୍କର ହକ୍‌ ହେଉଛି ୬୬୨ ଏକର। କିନ୍ତୁ ସ୍ଥାନୀୟ କର୍ମୀ ବେଣିପୁରୀ ଗୋସ୍ୱାମୀ କହନ୍ତି ଯେ ‘‘ଦଶନ୍ଧି ଦଶନ୍ଧି ପୁରୁଣା ରେକର୍ଡ ବ୍ୟବହାର କରାଯାଇଛି ଏବଂ ବ୍ୟକ୍ତିଗତ ଲିଜ୍‌ରେ ମାତ୍ର ୧୮୦ ଏକର ଜମି ଦିଆଯାଇଛି। ମଧୁ ସରିନ୍‌, ଭୁବନେଶ୍ୱର ଭିତ୍ତିକ ପରିବେଶ ଓ ସ୍ଥାୟୀ ସମସ୍ୟାର ନୀତି ଗୋଷ୍ଠୀ ଓ ଗବେଷଣା ଅନୁଷ୍ଠାନ ବସୁନ୍ଧରାର କାର୍ଯ୍ୟନିର୍ବାହୀ କମିଟିର ସଭାପତି କହିଛନ୍ତି ଯେ ‘‘ଆମ ଆଇନ୍‌ ଜଣେ ବୟସ୍କଙ୍କୁ ୨.୫ ଏକର ଜମି ପାଇଁ ଅନୁମତି ଦିଏ । କିନ୍ତୁ ସେମାନଙ୍କୁ ଛୋଟ ଜମି ଦିଆଯାଇଛି, ତାହାବି କେବଳ ବାପାଙ୍କ ନାମରେ।’’ ମହିଳାମାନଙ୍କୁ ଜୁନୱାନିରେ କୌଣସି ଜମି ଦିଆଯାଇନାହିଁ, କୁଞ୍ଜମ୍ କହନ୍ତି। ‘‘କୌଣସି ଗୋଟିଏ ମହିଳାଙ୍କ ନାମ ପଞ୍ଜୀକୃତ ହୋଇନାହିଁ।’’ ଏବଂ ସେ କହନ୍ତି ଯେ କୌଣସି ଚିହ୍ନଟକରଣ ବା ମାନଚିତ୍ର ଏହି ଲିଜ୍‌ ସହିତ ପ୍ରଦାନ କରାଯାଇନାହିଁ।

PHOTO • Shirish Khare

ମହିଳାମାନଙ୍କୁ ଜୁନୱାନିରେ କୌଣସି ଜମି ଦିଆଯାଇନାହିଁ ଯେତେବେଳେ କି ଅନ୍ୟ ଗ୍ରାମବାସୀମାନଙ୍କୁ ଅଳ୍ପ ଜମି ଦିଆଯାଇଛି

ଛତିଶଗଡ଼ ରାଜ୍ୟ କେତେ ମଞ୍ଜୁର କରିବ ସେହି ଗୋଷ୍ଠୀ ଲିଜ୍‌ର ସଂଖ୍ୟା ଘୋଷଣା କରିନାହିଁ (ତାହା ବ୍ୟକ୍ତିଗତ ସ୍ୱତ୍ୱାଧିକାରଠାରୁ ଭିନ୍ନ)। ‘‘ଯଦିଓ ଆଇନ ଅଧିନରେ ଏକ ବିଧାନ ରହିଛି, ସରକାର ଗୋଷ୍ଠୀ ଲିଜ୍‌ ପାଇଁ ଜମି ପ୍ରଦାନ କରୁନାହାନ୍ତି,’’ କହିଛନ୍ତି ବେଣିପୁରୀ। ଗୋଷ୍ଠୀ ଲିଜ୍ ଅଧିନରେ, ରାଇପୁରରେ ସମାନ କର୍ମଶାଳାରେ ଉପସ୍ଥାପନ କରାଯାଇଥିବା ତଥ୍ୟ ଅନୁଯାୟୀ, ଗୁଜୁରାଟ ପ୍ରତି ଗ୍ରାମ ପିଛା ହାରାହାରି ୨୮୦ ଏକର ଜଙ୍ଗଲ ଜମି, କର୍ଣ୍ଣାଟକ ହାରାହାରି ୨୬୦ ଏକର, ମହାରାଷ୍ଟ୍ର ୨୪୭ ଏକର ଏବଂ ତେଲେଙ୍ଗାନା ୬୭୬ ଏକର ଜମି ବିତରଣ କରିଛନ୍ତି।

ଏହା ସହିତ ଜାନୁଆରୀ ୨୦୧୪ରେ, ଛତିଶଗଡ଼ ୪୨୫ଟି ଜଙ୍ଗଲ ଗ୍ରାମକୁ ରାଜସ୍ୱ ଗ୍ରାମ ଭାବରେ ବଦଳାଇବା ପାଇଁ ଏହାର ନିଷ୍ପତ୍ତି ଘୋଷଣା କରିଛି। ଏହା ଲୋକମାନଙ୍କୁ ‘ମୁଖ୍ୟ ସ୍ରୋତ’ରେ ସାମିଲ୍ କରିବା ପାଇଁ ଓ ‘ବିକାଶ’ ପହଞ୍ଚାଇବା ପାଇଁ କରାଯାଇଥିଲା; କିନ୍ତୁ ଏହି ପ୍ରକ୍ରିୟା ସମୟରେ ସେହି ଅଞ୍ଚଳରେ ବାସ କରୁଥିବା ଲୋକଙ୍କ ସହିତ ବିଚାର ବିମର୍ଷ କରାଯାଇନଥିଲା ଏବଂ ସମାନ ଜମି ଉପରେ ଉଭୟ ରାଜସ୍ୱ ଏବଂ ଜଙ୍ଗଲ ବିଭାଗ ନ୍ୟାୟିକ ଦାବି କରିଛନ୍ତି। ଆଦିବାସୀମାନେ ଚିନ୍ତାରେ ପଡ଼ିଛନ୍ତି ଯେ ସେମାନଙ୍କର ଜଙ୍ଗଲ ଅଧିକାର ଏହି ବିଭାଗୀୟ ଯୁଦ୍ଧରେ ବଳିପଡ଼ିପାରେ। କୁଞ୍ଜମ୍‌ କହିଛନ୍ତି ଯେ ‘‘ହଜାର ହଜାର ଏକର ଜମି ଗାଁର ରହିଛି।’’ ‘‘ଯାହାକି କୌଣସି ବିଭାଗ ବା ଘରୋଇ କ୍ଷେତ୍ରକୁ ଦିଆଯାଇପାରିବ ନାହିଁ।’’

ଅବଶ୍ୟ, ଅନୁସୂଚିତ ଜାତି ଓ ଜନଜାତି ବିଭାଗର ନିର୍ଦ୍ଦେଶକ ରାଜେଶ ସୁକୁମାର ଟୋପୋ ଜୋର୍ ଦେଇ କହିଛନ୍ତି ଯେ ‘‘ଯେତେବେଳେ ବ୍ୟକ୍ତିଗତ ଲିଜ୍‌ର କଥା ଆସେ ଛତିଶଗଡ଼ ବହୁତ ଆଗରେ ଅଛି କିନ୍ତୁ ଏବେ ଗୋଷ୍ଠୀଗତ ଲିଜ୍‌କୁ ଗୁରୁତ୍ୱ ଦିଆଯାଉଛି।’’ ସେ କହିଛନ୍ତି ଯେ ନଭେମ୍ବର ୨୦, ୨୦୧୫ରେ ମୁଖ୍ୟ ସଚିବ କଲେକ୍ଟରଙ୍କୁ ଗୋଷ୍ଠୀ ଲିଜ୍‌ ପ୍ରକ୍ରିୟାରେ ସହାୟତା ପାଇଁ ନିର୍ଦ୍ଦେଶ ଦେଇଥିଲେ ଏବଂ ଏହିକି ଯେ ‘‘ଏପରି ଜମି ରେକର୍ଡରେ ଅନ୍ତର୍ଭୁକ୍ତ ହେବ ନାହିଁ।’’

ରାଜ୍ୟ ଜଙ୍ଗଲ ମନ୍ତ୍ରୀ ମହେଶ ଗାଗଡ଼ା ଏହି ଲେଖକଙ୍କୁ ସାକ୍ଷାତକାରରେ କହିଛନ୍ତି ଯେ, ‘‘ଆଦିବାସୀ ଗୋଷ୍ଠୀ ଅଣଆଦିବାସୀଙ୍କ ତୁଳନାରେ ଅଧିକ ସହଜରେ ଲିଜ୍‌ [ଜଙ୍ଗଲ] ଜମି ପାଇଥାନ୍ତି। ଯେହେତୁ ଏହି ଜମି ଗ୍ରାମ ସ୍ତରରେ ବଣ୍ଟନ କରାଯାଇଥାଏ [ଗ୍ରାମସଭା ଦ୍ୱାରା କରାଯାଇଥିବା ସୁପାରିଶ୍ ଆଧାରରେ] ଏବଂ ଏହା ସରକାରଙ୍କ ଦ୍ୱାରା ବଣ୍ଟନ କରାଯାଇନଥାଏ। କିନ୍ତୁ ବହୁ ଦାବି ବାତିଲ୍ କରାଯାଉଛି ଏବଂ ଏହି ଅଭିଯୋଗଗୁଡ଼ିକ ସମୀକ୍ଷା କରାଯାଉଛି।’’

କିନ୍ତ ଆଦିବାସୀ ସମତା ମଞ୍ଚ, ରାୟପୁରର ଇନ୍ଦୁ ନେତମ୍ କହିଛନ୍ତି, ‘‘ସରକାର ଭୋଟ୍ ବ୍ୟାଙ୍କ୍ ଖେଳ ଖେଳୁଛନ୍ତି। ପରିସଂଖ୍ୟାନରୁ ଜଣାପଡ଼ିଛି ଯେ ଲିଜ୍‌ ଦେବା ପ୍ରକ୍ରିୟା ୨୦୦୯ ମସିହା ପରେ ୩ ବର୍ଷ ପାଇଁ ପ୍ରାୟ ସ୍ଥିର ହୋଇରହିଥିଲା। ଅବଶ୍ୟ ୨୦୧୩ ନିର୍ବାଚନ ସମୟରେ, ୧୦୦,୦୦୦ ଲିଜ୍ ପଦ୍ଧତି ଏକ ବର୍ଷ ମଧ୍ୟରେ ସମ୍ପୂର୍ଣ୍ଣ ହୋଇଥିବା ରିପୋର୍ଟ କରାଯାଇଥିଲା। ଏବେ ଏହି ପ୍ରକ୍ରିୟା ପୁଣି ମନ୍ଥର ହୋଇଯାଇଛି।’’

ଏପରିକି ଧମତରୀର ଆଦିବାସୀମାନେ ସେମାନଙ୍କୁ ଏଫଆରଏ ଅଧିନରେ ପ୍ରତିଶ୍ରୁତି ଦିଆଯାଇଥିବା ଅଧିକାର ପାଇବା ପାଇଁ ରାଜ୍ୟ ପ୍ରଶାସନ ନିକଟରେ ମୁଣ୍ଡ ପିଟୁଛନ୍ତି, ଛତିଶଗଡ଼ରେ ୧୮୬,୦୦୦ ଏକର ଜମି ୨୦୦୫-୨୦୧୦ ମଧ୍ୟରେ ଶିଳ୍ପ ପାଇଁ ବିନିଯୋଗ କରାଯାଇଥିଲା, ଏହା ରାଜ୍ୟ ସଂସଦରେ ଖଣି ବିଭାଗ ତରଫରୁ ଉପସ୍ଥାପନ କରାଯାଇଥିବା ରିପୋର୍ଟରୁ ଜଣାପଡ଼ିଛି। ଏହି ବିନିଯୋଗ ହୋଇଥିବା ଜମି ମଧ୍ୟରୁ ୯୭ ପ୍ରତିଶତ ଖଣି ଖନନ ପାଇଁ ଚିହ୍ନିତ ହୋଇଛି।

ଫରେଷ୍ଟ୍ ସର୍ଭେ ଅଫ୍ ଇଣ୍ଡିଆ (ଭାରତର ଜଙ୍ଗଲ ସର୍ବେକ୍ଷଣ) ରେକର୍ଡ କରିଛି ଯେ ରାଜ୍ୟରେ ୨୩୩,୦୦୦ ଏକରର ଜଙ୍ଗଲ କ୍ଷେତ୍ର ଖଣି ଖନନ ପାଇଁ ୧୯୯୭ ଏବଂ ୨୦୦୭ ମଧ୍ୟରେ ଦିଆଯାଇସରିଛି। ରାଜ୍ୟ ଏବଂ କେନ୍ଦ୍ର ଖଣି ଖନନ ବିଭାଗର ବାର୍ଷିକ ରିପୋର୍ଟରେ ଦର୍ଶାଯାଇଛି ଯେ କେବଳ ୨୦୧୪ରେ ଛତିଶଗଡ଼ରୁ ୨୦,୮୪୧ କୋଟି ଟଙ୍କା ମୂଲ୍ୟର ଖଣିଜ ପଦାର୍ଥ ଉତ୍ତୋଳନ କରାଯାଇଛି।

PHOTO • Shirish Khare

ଧମତରୀର ଆଦିବାସୀମାନେ ତାଙ୍କର ଜଙ୍ଗଲ ଅଧିକାର ପାଇଁ ଲଢ଼ୁଥିବା ବେଳେ , ମାତ୍ର ପାଞ୍ଚ ବର୍ଷ ଭିତରେ ଛତିଶଗଡ଼ରେ ଖଣି ଖନନ ପାଇଁ ୧୫୦ , ୦୦୦ ଏକର ଜମି ନ୍ୟସ୍ତ କରାଯାଇଛି

ସରକାରଙ୍କର ଆଭିମୁଖ୍ୟ ସୁସ୍ପଷ୍ଟ। ‘ଏବେ ଯଦି ଆମେ ଆମର ଜମି ହରାଇବୁ, ଆମେ କୁଆଡେ ଯିବୁ’? କହନ୍ତି ପ୍ରୀତମ କୁଞ୍ଜମ୍‌।

ଶିରିଶ ଖରେ ଏବଂ ଦୀପକ ଗୁପ୍ତା

ଏହି ବିଷୟର ଏକ ସଂସ୍କରଣ ଡିସେମ୍ବର ୪, ୨୦୧୫ରେ ରାଜସ୍ଥାନ ପତ୍ରିକାର ରାଇପୁର ସଂସ୍କରଣରେ ପ୍ରକାଶିତ ହୋଇଥିଲା। ପଲ୍ଲବୀ କୁଲକର୍ଣ୍ଣି ହେଉଛନ୍ତି ଜଣେ ମରାଠା, ହିନ୍ଦୀ ଏବଂ ଇଂରାଜୀ ଅନୁବାଦିକା। ଆପଣ ଏଠାରେ ଅନୁବାଦିକାଙ୍କ ସହ ଯୋଗାଯୋଗ କରିପାରିବେ: @2pal6

ଅନୁବାଦ: ଓଡ଼ିଶାଲାଇଭ୍‍

Shirish Khare

پلّوی کلرنی ایک آئی ٹی مترجم ہیں، جو ہندی نیوز ویب سائٹ ’ویب دنیا‘ میں کام کرتی ہیں، جہاں ان کی توجہ سرچ ٹولس کے مواد اور سوشل میڈیا انٹرفیس پر ہوتی ہے۔ وہ ممبئی میں رہتی ہیں۔ آپ مترجم سے یہاں رابطہ کر سکتے ہیں: @2pal6 شریش کھرے رائے پور، چھتیس گڑھ میں مقیم ہیں، اور راجستھان پتریکا کے لیے خصوصی نامہ نگار کے طور پر کام کرتے ہیں۔

کے ذریعہ دیگر اسٹوریز شیریش کھرے
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

کے ذریعہ دیگر اسٹوریز OdishaLIVE