ହୀରା ମୁକାନେ ଥାଣେ ଜିଲ୍ଲାର ଶାହପୁର ତାଲୁକାରେ ଥିବା ତାଙ୍କ ଗ୍ରାମ ଡାଲ୍‌ଖନ୍‌ର ଉପକଣ୍ଠରେ  ମାର୍ଚ୍ଚ ୨୭ରେ ରାତି ଗୋଟାଏ ସମୟରେ ପହଞ୍ଚିଥିଲେ । ହୀରା, ତାଙ୍କ ପୁଅ ମନୋଜ ଓ ବୋହୁ ଶାଲୁ ବିରାମ ବିହୀନ ୧୦୪ କିଲୋମିଟର ପଦଯାତ୍ରା କରି ସେଠାରେ ପହଞ୍ଚିଥଲେ । ସେମାନେ ପାଳଘର ଜିଲ୍ଲା ଅନ୍ତର୍ଗତ ଡହାନୁ ତାଲୁକାର ଗଞ୍ଜଡ ଗ୍ରାମ ପାଖରେ ଥିବା ଇଟାଭାଟି ଯେଉଁଠାକୁ ସେମାନେ କାମ କରିବାକୁ ଯାଇଥିଲେ, ସେଠାରୁ ପଦଯାତ୍ରା କରି ଘରକୁ ଫେରିଛନ୍ତି ।

“କୌଣସି ପରିବହନ ମାଧ୍ୟମ ଉପଲବ୍ଧ ହେଲାନାହିଁ, ଏଣୁ ଆମେ ସାରାଦିନ ଚାଲିଚାଲି ଆସିଲୁ । ସାଧାରଣତଃ ଏସ୍‌ଟି [ରାଜ୍ୟ ପରିବହନ] ବସ୍‌ଗୁଡିକ ଗଞ୍ଜଡ୍‌ରୁ ଶାହପୁରକୁ ଯାଇଥାଏ,” ବୋଲି ହୀରା ୪୫ କୁହନ୍ତି । ସେମାନେ ମାର୍ଚ୍ଚ ୨୬ ପୂର୍ବାହ୍ନ ୪ଟା ବେଳେ ଏହି ୧୨ ଘଣ୍ଟିଆ ଯାତ୍ରା ଆରମ୍ଭ କରିଥିଲେ, ହୀରା ଓ ଶାଲୁ ସେମାନଙ୍କ ମୁଣ୍ଡରେ କନା ବୁଜୁଳା ଓ କଂସାବାସନ ଭର୍ତ୍ତି ଅଖା ମୁଣ୍ଡେଇ ଥିବା ବେଳେ ମନୋଜ ତାଙ୍କ ମୁଣ୍ଡରେ ୧୨ କେଜି ଚାଉଳ ଅଖା ମୁଣ୍ଡେଇ ଥିଲେ ଓ ହାତରେ ୮ କେଜି ରାଗି ଅଟା  ଅଖା ଧରିଥିଲେ । “ଆମର ଗୋଡରେ ଯନ୍ତ୍ରଣା ଅନୁଭବ ହେବନାହିଁ କାରଣ ଏସ୍‌ଟିର ଅନିୟମିତତା ଯୋଗୁଁ ଆମକୁ ଯାହାହେଲେ ମଧ୍ୟ ଚାଲିଚାଲି ବହୁ ପଥ ଯିବାକୁ ପଡିଥାଏ କିନ୍ତୁ କିଛି ରୋଜଗାର କରିନପାରିବା ଅଧିକ ଯନ୍ତ୍ରଣାଦାୟକ ଅଟେ, ବୋଲି ସେ କୁହନ୍ତି ।

ମାର୍ଚ୍ଚ ୨ରେ ହୀରା ଯେତେବେଳେ ୨୭ ବର୍ଷ ବୟସ୍କ ମନୋଜ ଓ ୨୫ ବର୍ଷ ବୟସ୍କ ଶାଲୁ ସହିତ ମିଶି ଇଟାଭାଟିରେ କାମ କରିବାକୁ ଘରୁ ବାହାରି ଥିଲେ, ସେତେବେଳେ ସେମାନେ ଚଳିତ ବର୍ଷ ମେ ମାସରେ ହିଁ ଘରକୁ ଫେରିବେ ବୋଲି ଯୋଜନା କରିଥିଲେ । ହେଲେ, ମାର୍ଚ୍ଚ ମାସରେ ଦେଶବ୍ୟାପୀ ତାଲାବନ୍ଦ ଘୋଷଣା କରାଯିବା ଯୋଗୁଁ ସେମାନଙ୍କୁ ସେମାନଙ୍କ କାମ ଅଧାପନ୍ତରିଆ ଭାବେ ଛାଡିବାକୁ ପଡିଲା । “ଆମେ ଆଶା କରିଥିଲୁ ଯେ ମାର୍ଚ୍ଚ ରୁ ମେ ମଧ୍ୟରେ ଆମେ ୫୦,୦୦୦ ଟଙ୍କା ରୋଜଗାର କରିବୁ,” ବୋଲି ସେ ମତେ ଫୋନ୍‌ରେ କହିଲେ । “ମାଲିକ କାମ ବନ୍ଦ କରିଦେଲେ ଓ ଆମକୁ ଘରକୁ ଫେରିଯିବା ପାଇଁ କହିଲେ । ସେ ତିନି ସପ୍ତାହର କାମ ପାଇଁ ଆମକୁ ମାତ୍ର ୮୦୦୦ଟଙ୍କା ଦେଲେ ।’’

ଏଣୁ ସେହି ତିନି ଜଣ ଯେତେବେଳେ ଅପ୍ରତ୍ୟାଶିତ ଭାବେ ମାର୍ଚ୍ଚ ମାସ ଶେଷରେ ଘରକୁ ଫେରିଗଲେ, ହୀରାଙ୍କ ସ୍ୱାମୀ ବିଠ୍ଠଲ୍‌, ୫୨ ଓ ସେମାନଙ୍କ ୧୫ ବର୍ଷର ଝିଅ ସଙ୍ଗୀତା ତାଙ୍କୁ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ – ହୀରା ସେମାନଙ୍କ ଘର ବାହୁଡା ବିଷୟରେ  ସେମାନଙ୍କୁ ଫୋନ୍‌ରେ ସୂଚୀତ କରିବା ପାଇଁ ସମର୍ଥ ହୋଇପାରିନଥିଲେ । ବିଠ୍ଠଲ୍‌ ସିକିଲ୍‌ ସେଲ୍‌ ରୋଗରେ ଆକ୍ରାନ୍ତ ଓ ସେଥିପାଇଁ କୌଣସି ଶାରିରୀକ ପରିଶ୍ରମ କରିପାରନ୍ତିନି, ଏଣୁ ଅନ୍ୟମାନେ ଗଞ୍ଜଡ୍‌ ଯାଇଥିବା ବେଳେ ସେ ନିଜ ଗ୍ରାମରେ ସଙ୍ଗୀତା ସହିତ ରହିଥିଲେ ।

ଜୁଲାଇ ୨୦୧୮ରେ ଯେତେବେଳେ ହୀରା ତାଙ୍କ ପରିବାର ପାଇଁ ରାତ୍ରି ଭୋଜନ ପ୍ରସ୍ତୁତ କରିବାକୁ ଡଲ୍‌ଖାନ୍‌ର ଏକ ଫାର୍ମରେ ପରିବା ତୋଳୁଥିଲେ ସେତେବେଳେ  ହୀରାଙ୍କ ସହିତ ମୋର ଦେଖା ହୋଇଥିଲା । ସେ ମହାରାଷ୍ଟ୍ରରେ ବିଶେଷ ଭାବେ ବିପଦ ଶଙ୍କୁଳ ଅବସ୍ଥାରେ ଥିବା ଜନଜାତି ସମୂହ ଭାବେ ତାଲିକାଭୁକ୍ତ ଏକ ଆଦିବାସୀ ସମ୍ପ୍ରଦାୟ କଟକାରୀ ଜନଜାତି ଅନ୍ତର୍ଭୁକ୍ତ ଅଟନ୍ତି ।

Hira Mukane (with daughter Sangeeta; file photo) returned to Dalkhan village after just three weeks work at a brick kiln
PHOTO • Jyoti Shinoli

ହୀରା ମୁକାନେ ( ତାଙ୍କ ଝିଅ ସଙ୍ଗୀତା ଙ୍କ ସହିତ ; ଫାଇଲ୍‌ ଫଟୋ) ଇଟାଭାଟିରେ କେବଳ ତିନି ସପ୍ତାହ କାମ କରିବା ପରେ ଡଲ୍‌ଖାନ୍‌ ଗ୍ରାମକୁ ଫେରିଗଲେ

ଘର ଛାଡି ଇଟାଭାଟିରେ ଯାଇ କାମ କରିବା ନିଷ୍ୱତି ଗ୍ରହଣ କରିବା ହୀରାଙ୍କ ପରିବାର ପାଇଁ ଏକ ବଡ ପଦକ୍ଷେପ ଥିଲା – ଏହି କାମ ପାଇଁ ଏହା ହେଉଛି ସେମାନଙ୍କ ପ୍ରଥମ ପ୍ରୟାସ । ଆଜି ପର୍ଯ୍ୟନ୍ତ, ସେମାନେ ଜମିହୀନ କୃଷି ଶ୍ରମିକ ଭାବେ ନିଜର ଜୀବିକା ଅର୍ଜନ କରୁଥିଲି । ହେଲେ, ଯେତେବେଳେ ଡଲ୍‌ଖାନ୍‌ର ଜମିମାଲିକମାନେ ସେମାନଙ୍କ ଜମିସବୁ ମୁମ୍ବାଇ – ନାଗ୍‌ପୁର୍‌ ଏକ୍ସପ୍ରେସ୍‌ୱେ ପାଇଁ ବିକ୍ରି କରିବାକୁ ଆରମ୍ଭ କଲେ, ୨୦୧୭-୧୯ ମଧ୍ୟରେ, ସେତେବେଳେ ସେମାନଙ୍କ ଜୀବନ ଜୀବିକା ପ୍ରଭାବିତ ହେଲା ।

“ଗତ କିଛି ବର୍ଷ ହେବ ଆମକୁ ଜମିରେ ବିଶେଷ କାମ ମିଳୁନାହିଁ, ଏଥିପାଇଁ ଆମେ ଇଟାଭାଟିକୁ ଯିବା ପାଇଁ ନିଷ୍ପତି ନେଲୁ । ହେଲେ ଆମ ଭାଗ୍ୟ ସାଥି ଦେଲାନାହିଁ । ଆମମାନଙ୍କୁ ରୋଗ କାରଣରୁ ଘରକୁ ଫେରିବାକୁ ପଡିଲା,” ବୋଲି ହୀରା କୁହନ୍ତି ।

କୃଷି ଶ୍ରମିକ ଭାବେ କାମ କରି ହୀରା, ମନୋଜ ଓ ଶାଲୁ ଯାହା ରୋଜଗାର କରନ୍ତି ତାହା ସେମାନଙ୍କ ଘରର ଆବଶ୍ୟକତା ପୂରଣ କରିବାରେ ସହାୟକ ହୋଇଥାଏ । ଦିନକୁ ୧୦୦ ଟଙ୍କା କୃଷି ମଜୁରି ହିସାବରେ ପୂରା କୃଷି ଓ ଅମଳ ଋତୁରେ ମାସକୁ ପ୍ରାୟ ୨୦ଦିନ କାମ କରି ସେମାନଙ୍କୁ ମିଳିତ ଭାବେ ମାସକୁ ପ୍ରାୟ ୫୦୦୦-୬୦୦୦ ଟଙ୍କା ମିଳିଥାଏ । ମନୋଜ ଥାଣେ ଠାରେ ଥିବା ନିର୍ମାଣ ସ୍ଥଳିଗୁଡିକରେ କାମ କରି ପାଖାପାଖି ଆଉ ୬୦୦୦ ହଜାର ଟଙ୍କା ଅଧିକ ରୋଜଗାର କରନ୍ତି । “ମୁଁ ଦୁଇ ମାସ ପାଇଁ ଯାଏ ଓ ଜୁନ୍‌ରେ ବୁଣାବୁଣି ଋତୁ ଆରମ୍ଭ ହେବା ବେଳକୁ ଫେରିଆସେ । ମୁଁ ସିମେଣ୍ଟ ସହିତ କାମ କରିବା ଅପେକ୍ଷା ଜମିରେ କାମ କରିବାକୁ ଅଧିକ ପସନ୍ଦ କରେ,” ବୋଲି ସେ ମୋତେ ୨୦୧୮ରେ କହିଥିଲେ ।

ପରିବାରର ସମସ୍ତ ରୋଜଗାର ପରିବାରର ବିଭିନ୍ନ ଅତ୍ୟାବଶ୍ୟକ ସାମଗ୍ରୀ ଯେପରିକି ଚାଉଳ, ତେଲ ଓ ଲୁଣ ଆଦି କିଣିବା ସହିତ  ବିଠ୍ଠଲ୍‌ଙ୍କ ଔଷଧ ଖର୍ଚ୍ଚ ଓ ସେମାନଙ୍କ ଚାଳ ଛାତ ଥିବା ଗୋଟିଏ ବଖରା ବିଶିଷ୍ଟ ଘରର ବିଦ୍ୟୁତ୍‌ ବିଲ୍‌ ବାନ୍ଧିବାରେ ଖର୍ଚ୍ଚ ହୋଇଥାଏ । ମାସକୁ ଦୁଇଥର ଉପ-ଜିଲ୍ଲା ଡାକ୍ତରଖାନାରେ ବିଠ୍ଠଲ୍‌ଙ୍କ ରକ୍ତ ପରିଭରଣ ବା ବ୍ଲଡ୍‌ ଟ୍ରାନ୍ସଫ୍ୟୁଜନ୍‌ କରିବାକୁ ପଡେ ଓ ଯେତେବେଳେ ଡାକ୍ତରଖାନାରେ ଔଷଧ ସରିଯାଏ, ସେତେବେଳେ ତିନି ମାସ ପାଇଁ ତାଙ୍କର ଟାବ୍‌ଲେଟ୍‌ଗୁଡିକ କଣିବାକୁ ସେମାନେ ୩୦୦-୪୦୦ଟଙ୍କା ଖର୍ଚ୍ଚ କରିଥାନ୍ତି ।

ଯେତେବେଳେ କୋଭିଡ୍‌- ୧୯ ତାଲାବନ୍ଦ ଘୋଷଣା କରାଗଲା ଓ ଥାଣେ ଓ ପାଳଘରର ଇଟାଭାଟିଗୁଡିକରେ କାମ ବନ୍ଦ ହୋଇଗଲା, ସେତେବେଳେ ୩୮ ବର୍ଷ ବୟସ୍କ ସଖି ମୈତ୍ରେୟ (ଉପରେ ଥିବା ପ୍ରଚ୍ଛଦ ଫଟୋରେ) ଓ ତାଙ୍କ ପରିବାର ମଧ୍ୟ ଡହାନୁ ତାଲୁକାରେ ଅବସ୍ଥିତ ଚଞ୍ଚଲେ ଗ୍ରାମର ରଣ୍ଡୋଲ୍‌ପଡା ପଲ୍ଲୀକୁ ଫେରିଆସିଥିଲେ । ତାଙ୍କ ପଲ୍ଲୀରେ ପହଞ୍ଚିବା ପାଇଁ ସେମାନେ ଥାଣେ ଜିଲ୍ଲାର ଭିୱାଣ୍ଡି ତାଲୁକାର ଗଣେଷପୁରୀରେ ଥିବା ଇଟାଭାଟି ଯେଉଁଠାରେ ସେମାନେ ଫେବୃଆରି ଠାରୁ କାମ କରୁଛନ୍ତି ସେଠାରୁ ପ୍ରାୟ ୭୦କିମ ରାସ୍ତା ଚାଲିଚାଲି ଅତିକ୍ରମ କରିଥିଲେ ।

ଚାରିଜଣ ସଦସ୍ୟ ବିଶିଷ୍ଟ ଏହି ପରିବାର – ଯେଉଁଥିରେ ସଖିଙ୍କ ସ୍ୱାମୀ ରିଶ୍ୟା, ୪୭, ଝିଅ ଶାରିକା, ୧୭ ଓ ପୁଅ ସୁରେଶ,୧୪ ରୁହନ୍ତି- ରଣ୍ଡୋଲପଡାରେ ରହୁଥିବା ୨୦ ଆଦିବାସୀ ଜନଜାତି ପରିବାର ମଧ୍ୟରୁ ଗୋଟିଏ । ଥାଣେ ଓ ପାଳଘରରେ ରହୁଥିବା ଅନ୍ୟ ଜନଜାତି ପରିବାର ଭଳି ସେମାନେ ମଧ୍ୟ ପ୍ରତି ବର୍ଷ ଇଟାଭାଟିରେ କାମ କରିବା ପାଇଁ ଦେଶାନ୍ତର ଗମନ କରିଥାନ୍ତି ।

Sakhi Maitreya and her family, of Randolpada hamlet, went to work at a brick kiln in February this year: 'Last year we couldn’t go because we feared that the earthquake would destroy our hut. So we stayed back to protect our home' (file photos)
PHOTO • Jyoti Shinoli
Sakhi Maitreya and her family, of Randolpada hamlet, went to work at a brick kiln in February this year: 'Last year we couldn’t go because we feared that the earthquake would destroy our hut. So we stayed back to protect our home' (file photos)
PHOTO • Jyoti Shinoli

ରାଣ୍ଡୋଲ୍‌ପଡା ପଲ୍ଲୀର ସଖି ମୈତ୍ରେୟ ଓ ତାଙ୍କର ପରିବାର, ଚଳିତ ବର୍ଷ ଫେବୃଆରିରେ ଇଟାଭାଟିରେ କାମ କରିବାକୁ ଯାଇଥିଲେ; ‘ଗତ ବର୍ଷ ଆମେ ଯାଇପାରିନଥିଲୁ କାରଣ ଭୂମିକମ୍ପରେ ଆମ କୁଡିଆ ଧ୍ୱଂସ ହୋଇଯିବ ବୋଲି ଆମେ ଡରିଯାଇଥିଲୁ। ଏଣୁ ଆମ ଘରକୁ ସୁରକ୍ଷିତ ରଖିବା ପାଇଁ ଆମେ ଏଠାରେ ରହିଲୁ । (ଫାଇଲ୍‌ ଫଟୋ)

ପାଳଘର, ଯାହା ଅତୀତରେ ଥାଣେ ଜିଲ୍ଲାର ଏକ ଅଂଶ ଥିଲା, ୨୦୧୪ରେ ଏକ ସ୍ୱତନ୍ତ୍ର ଜିଲ୍ଲାରେ ପରିଣତ ହୋଇଥିଲା ।  ଏହି ମିଶ୍ରିତ ଜିଲ୍ଲାର ତଫସିଲ୍‌ଭୁକ୍ତ ଜନଜାତିର ଜନସଂଖ୍ୟା ହେଉଛି ୧,୫୪୨,୪୫୧ଯାହା ସମୁଦାୟ ଜନସଂଖ୍ୟାର ୧୩.୯୫ (ସେନ୍‌ସସ୍‌ ୨୦୧୧) ଅଟେ । ବିଭିନ୍ନ ଜନଜାତି ଯେପରିକି ଠାକୁର, କଟକାରି, ୱର୍ଲି, ମହ୍ଲାର୍‌ କୋଲି ଓ ଅନ୍ୟମାନେ ଏହି ଜିଲ୍ଲାରେ ଓ ଏହାର ଚାରିପାଖରେ ଥିବା ବିଭିନ୍ନ ଜଙ୍ଗଲରେ ପ୍ରାୟ ୩୩, ୦୦୦୦ ହେକ୍ଟର ଅଞ୍ଚଳରେ ବସବାସ କରନ୍ତି ।

ପ୍ରତିବର୍ଷ ଥାଣେ ଓ ପାଳଘରର ଆଦିବାସୀ କୃଷି ଶ୍ରମିକମାନେ ଜମି ମାଲିକମାନେ ମୌସୁମୀ ଋତୁରେ କରିଥିବା ଫସଲ ଅମଳ କରି ସାରିବା ପରେ ନଭେମ୍ବର ମାସରେ ଦେଶାନ୍ତର ଗମନ କରିବାକୁ ଆରମ୍ଭ କରନ୍ତି । ସେମାନଙ୍କ ମଧ୍ୟରୁ ଅଧିକାଂଶ ପରବର୍ତ୍ତୀ ମୌସୁମୀ ଆସିବା ପର୍ଯ୍ୟନ୍ତ ଇଟାଭାଟିକୁ କାମ କରିବାକୁ ଚାଲିଯାଆନ୍ତି ।

ସଖିର ପରିବାର ଇଟାଭାଟିରେ କାମକରି ବାର୍ଷିକୁ ପ୍ରାୟ ୬୦,୦୦୦-୭୦, ୦୦୦ ଟଙ୍କା ରୋଜଗାର କରନ୍ତି । “ଗତ ବର୍ଷ ଆମେ ଯାଇପାରିନଥିଲୁ କାରଣ ଭୂମିକମ୍ପରେ ଆମ କୁଡିଆ ଧ୍ୱଂସ ହୋଇଯିବ ବୋଲି ଆମେ ଡରିଯାଇଥିଲୁ । ଏଣୁ ଆମ ଘରକୁ ସୁରକ୍ଷିତ ରଖିବା ପାଇଁ ଆମେ ଏଠାରେ ରହିଲୁ,” ବୋଲି ସଖି ମତେ ଫୋନ୍‌ରେ କହିଛନ୍ତି ।

ମାର୍ଚ୍ଚ ୨୦୧୯ରେ ଯେତେବେଳେ ମୋର ତାଙ୍କ ସହିତ ଦେଖା ହୋଇଥିଲା, ସେତେବେଳେ ତାଙ୍କର ଆଜ୍‌ବେଷ୍ଟସ୍‌ ଛାତ ଥିବା ଇଟା ଘରରେ ମୃଦୁ ଭୂମିକମ୍ପ କାରଣରୁ ଫାଟ ହୋଇଯାଇଥିଲା  – ପ୍ରାୟ ୧୦୦୦ ଉପରେ – ଯାହା ନଭେମ୍ବର ୨୦୧୮ରୁ ପାଳଘର ର ଡାହାନୁ ଓ ତଲସରୀ ତାଲୁକାକୁ ହୋହଲାଇ ଆସୁଛି । ସେହି ମାସରେ ଏହି କ୍ରମର ସବୁଠାରୁ ଶକ୍ତିଶାଳୀ ଭୂମିକମ୍ପ ଯାହାର ପରିମାଣ ରିକ୍ଟର ସ୍କେଲ୍‌ରେ ୪.୩ ଅଟେ, ତାହା ଡହାନୁରେ ଅନୁଭୂତ ହୋଇଥିଲା । ଏଣୁ ରାଣ୍ଡୋଲ୍‌ପଡାର ୱର୍ଲି ପରିବାର ୨୦୧୯ରେ ଇଟାଭାଟିରେ କାମ କରିବାକୁ ଯାଇନଥିଲେ ଓ ସେମାନଙ୍କ ଘରର ସୁରକ୍ଷା ପାଇଁ ସେଠାରେ ରହିଥିଲେ ।

ଚଳିତ ବର୍ଷ ସଖି ଓ ତାଙ୍କ ପରିବାର ଫେବୃଆରିରେ ଇଟାଭାଟିରେ କାମ କରିବାକୁ ଯାଇଥିଲେ କିନ୍ତୁ ତାଲାବନ୍ଦ ଘୋଷଣା ହେବା ପରେ ଦୁଇ ମାସରୁ ଅଳ୍ପ ସମୟ ମଧ୍ୟରେ ସେମାନେ ଘରକୁ ଫେରି ଆସିବାକୁ ବାଧ୍ୟ ହୋଇଛନ୍ତି । ମାର୍ଚ୍ଚ ୨୭ରେ ସୂର୍ଯ୍ୟୋଦୟ ହେବା ପୂର୍ବରୁ ସେମାନେ ସେମାନଙ୍କ ପୋଷାକ, ବାସନ ଓ ୧୦ କେଜି ଚାଉଳ ସେମାନଙ୍କ ମୁଣ୍ଡରେ ମୁଣ୍ଡେଇ ଗଣେଷପୁରୀରୁ ପଦଯାତ୍ରା ଆରମ୍ଭ କଲେ । “ ଭାଟି ମାଲିକ ଭଟ୍ଟିଗୁଡିକ [ଭାଟି] ବନ୍ଦ କରିଦେଲେ ଓ ଆମକୁ ଆମେ କରିଥିବା ସାତ ସପ୍ତାହର କାମର ପଇସା ଦେଇଦେଲେ । ହେଲେ ଆମକୁ ଆହୁରି ଅଧିକ ଦରକାର ଅଛି । ଗତ ବର୍ଷ ମଧ୍ୟ ଆମର କିଛି ରୋଜଗାର ହୋଇନଥିଲା । କେବଳ ୨୦,୦୦୦ ଟଙ୍କାରେ ପୂରା ବର୍ଷ ଆମେ କିପରି ଚଳିବୁ?” ବୋଲି ସଖି ପଚାରନ୍ତି ।  ତାଙ୍କ ମାଲିକ ତାଙ୍କୁ କାହିଁକି ସେହି ସ୍ଥାନ ଛାଡି ଚାଲିଯିବାକୁ କହିଲେ, ସେ କଣ ତାହା ଜାଣନ୍ତି?” କିଛି ଭୂତାଣୁ ଯୋଗୁଁ ବୋଲି ସେ କହିଲେ । ଏହା ସହିତ ଲୋକମାନେ ପରସ୍ପର ମଧ୍ୟରେ ବ୍ୟବଧାନ ରଖିବା ଉଚିତ୍‌ ବୋଲି ମଧ୍ୟ କହିଲେ ।

Bala and Gauri Wagh outside their rain-damaged home in August 2019
PHOTO • Jyoti Shinoli

ବାଲା ଓ ଗୌରି ୱାଘ ଅଗଷ୍ଟ ୨୦୧୯ ବର୍ଷା ଦ୍ୱାରା କ୍ଷତିଗ୍ରସ୍ତ ହୋଇଥିବା ସେମାନଙ୍କ ଘର ବାହାରେ ଅଛନ୍ତି

ପ୍ରତିବର୍ଷ ଥାଣେ ଓ ପାଳଘରର ଆଦିବାସୀ କୃଷି ଶ୍ରମିକମାନେ ଜମି ମାଲିକମାନେ ମୌସୁମୀ ଋତୁରେ କରିଥିବା ଫସଲ ଅମଳ କରି ସାରିବା ପରେ ନଭେମ୍ବର ପର ଠାରୁ ଦେଶାନ୍ତର ଗମନ କରିବାକୁ ଆରମ୍ଭ କରନ୍ତି । ସେମାନଙ୍କ ମଧ୍ୟରୁ ଅଧିକାଂଶ ପରବର୍ତ୍ତୀ ମୌସୁମୀ ଆସିବା ପର୍ଯ୍ୟନ୍ତ ଇଟାଭାଟିକୁ କାମ କରିବାକୁ ଚାଲିଯାଆନ୍ତି

ପାଳଘରର ବିକ୍ରମଗଡ ତାଲୁକାର ବାଲା ୱାଘ, ୪୮ ଓ କେତକାରୀ ଜନଜାତିର ଅନ୍ୟମାନେ ଅଗଷ୍ଟ ୨୦୧୯ ବର୍ଷାରେ ବୋରାଣ୍ଡେ ଗ୍ରାମରେ ଭୂଷୁଡି ପଡିଥିବା ସେମାନଙ୍କ ଘରଗୁଡିକୁ ପୁଣିଥରେ ନିର୍ମାଣ କରିବା ନେଇ ଆଶାବାଦୀ ଅଛନ୍ତି । ସେତେବେଳେ ବୈତର୍ଣ୍ଣ ନଦୀରେ ବଢି ଆସି ଗ୍ରାମର ଅନେକ ଘର ନଷ୍ଟ ହୋଇଯାଇଥିଲା । ବନ୍ୟା ପରେ ଛଅ ଜଣ ସଦସ୍ୟ ବିଶିଷ୍ଟ ବାଲାଙ୍କ ପରିବାର – ଯେଉଁଥିରେ ତାଙ୍କ ସ୍ତ୍ରୀ ଗୌରି, ୩୬, ତିନୋଟି କିଶୋରୀ କନ୍ୟା ଓ ଜଣେ ନଅ ବର୍ଷର ପୁଅ ଅଛନ୍ତି- ପ୍ଲାଷ୍ଟିକ୍‌ ପାଲରେ ଏକ ଅସ୍ଥାୟୀ ଛାତ ତିଆରି କରି ସେହି ଭଙ୍ଗା ଘରେ ରହୁଛନ୍ତି ।

ସେମାନେ ଶାହପୁର ତାଲୁକାର ତେମ୍ଭାରେ ଗ୍ରାମ ପାଖରେ ଥିବା ଏକ ଇଟାଭାଟିକୁ ସେମାନଙ୍କ ଘର ମରାମତି କରିବା ପାଇଁ ଯଥେଷ୍ଟ ପଇସା ରୋଜଗାର କରିବା ଆଶାରେ ଆସିଥିଲେ । “ମାର୍ଚ୍ଚ ୧୧ରେ ଆମେ ସେଠାକୁ ଯାଇଥିଲୁ, ମାର୍ଚ୍ଚ ୨୫ରେ ସେଠାରୁ ଆସିଲୁ,” ବୋଲି ସେ ମତେ ଫୋନ୍‌ରେ କହିଲେ । ସେମାନେ ଯେତେବେଳେ ୫୮ କିଲୋମିଟର ରାସ୍ତା ଅତିକ୍ରମ କରି ସେମାନଙ୍କ ଘରକୁ ଫେରିଲେ, ସେତେବେଳେ ସେମାନେ ଦୁଇ ସପ୍ତାହରେ ରୋଜଗାର କରିଥିବା ୫୦୦୦ ଟଙ୍କା ନିଜ ସହିତ ଆଣିଥିଲେ ।

“ବର୍ତ୍ତମାନ ସବୁ କିଛି ସରିଗଲାଣି,” ବୋଲି ନିରାଶଭରା ଓ ପରିବାର ପାଇଁ ଚିନ୍ତିତ ଥିବା ବାଲା ଗମ୍ଭୀର ସ୍ୱରରେ କୁହନ୍ତି । “ଆଶା ତାଇ [ସ୍ୱୀକୃତ ସାମାଜିକ ସ୍ୱାସ୍ଥ୍ୟ କର୍ମୀ] ଆସିଥିଲେ ଓ ଆମକୁ ଆମର ହାତ ସାବୁନ୍‌ରେ ଧୋଇବାକୁ ଓ ଅନ୍ୟମାନଙ୍କ ଠାରୁ ବ୍ୟବଧାନ ରଖିବାକୁ କହିଛନ୍ତି । ହେଲେ ଏହା କିଭଳି ସମ୍ଭବ ହେବ, ମୋର ପରିବାରକୁ ରଖିବା ପାଇଁ ମୋ ପାଖରେ ଏକ ଉପଯୁକ୍ତ ଘର ମଧ୍ୟ ନାହିଁ ? ଏପରି ପରିସ୍ଥିତିରେ ଆମେମାନେ ମରିଯିବା ଭଲ ।’’

ମାର୍ଚ୍ଚ ୨୬ ତାରିଖରେ ଅର୍ଥମନ୍ତ୍ରୀଙ୍କ ଦ୍ୱାରା କୋଭିଡ୍‌- ୧୯ ରିଲିଫ୍‌ ପ୍ୟାକେଜ୍‌ର ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଅଧିନରେ ପ୍ରତ୍ୟକ୍ଷ ଲାଭାଂଶ ବିତରଣ ଖବର ଶୁଣି ବାଲାଙ୍କ ମନରେ କିଛି ଆଶା ଜାଗ୍ରତ ହୋଇଛି । “ଆମ ଗ୍ରାମର କେହିଜଣେ ମତେ ଏ ବିଷୟରେ ଜଣାଇଲେ” ବୋଲି ସେ କୁହନ୍ତି । “ହେଲେ ମୁଁ କ’ଣ ଏ ଟଙ୍କା ପାଇପାରିବି? ମୋର କୌଣସି ବ୍ୟାଙ୍କ ଆକାଉଣ୍ଟ ନାହିଁ ।

ଅନୁବାଦ: ଓଡ଼ିଶାଲାଇଭ୍‍

Jyoti Shinoli

جیوتی شنولی پیپلز آرکائیو آف رورل انڈیا کی ایک رپورٹر ہیں؛ وہ پہلے ’می مراٹھی‘ اور ’مہاراشٹر۱‘ جیسے نیوز چینلوں کے ساتھ کام کر چکی ہیں۔

کے ذریعہ دیگر اسٹوریز جیوتی شنولی