ଆମେ ମହାରାଷ୍ଟ୍ରର ମନୋରମ ତିଲାରୀ ଜଙ୍ଗଲ ଅଞ୍ଚଳ ଦେଇ ଯାଉଥିଲୁ। ସୀମାବର୍ତ୍ତୀ ଜଙ୍ଗଲକୁ ଲାଗି ରହିଥିବା ଗୋପାଳକ ବସ୍ତିର ମହିଳାମାନଙ୍କୁ ଭେଟି ସେମାନଙ୍କର ସ୍ୱାସ୍ଥ୍ୟ ସମସ୍ୟା ବିଷୟରେ ଆମର ଆଲୋଚନା କରିବାର ଥିଲା। ମହାରାଷ୍ଟ୍ରର କୋହ୍ଲାପୁର ଜିଲ୍ଲାର ଏକ ସହର ଚାନ୍ଦଗଡ଼କୁ ଯିବା ବାଟରେ ମୁଁ ପଚାଶ ବର୍ଷ ବୟସରେ ଜଣେ ମହିଳା ରାସ୍ତା କଡ଼ରେ ଏକ ଗଛ ତଳେ ତାଙ୍କର ଚାରିଟି ଛେଳିକୁ ଜଗି ଖୁସିରେ ଏକ ବହି ଧରି ବସି ଥିବାର ଦେଖିଲି।

ମେ ମାସର ଏକ ମେଘୁଆ ଅପରାହ୍ନରେ ଏହି ଅସ୍ୱାଭାବିକ ଦୃଶ୍ୟ ଦେଖି ଆମ କାର୍ ଅଟକିଗଲା, ଏବଂ ଆମେ ଚାଲି ଚାଲି ସେହି ମହିଳା, ରେଖା ରମେଶ ଚାନ୍ଦଗଡ଼ଙ୍କ ପାଖକୁ ଗଲୁ। କଥାବାର୍ତ୍ତା କରିବା ପରେ ଜଣାପଡ଼ିଲା ଯେ ସେ ବିଠୋବାଙ୍କର ଜଣେ ଭକ୍ତ। ବିଠୋବା ହେଉଛନ୍ତି ମହାରାଷ୍ଟ୍ର ଏବଂ କର୍ଣ୍ଣାଟକରେ ଅନେକଗୁଡ଼ିଏ ସମ୍ପ୍ରଦାୟର ଆରାଧ୍ୟ ଦେବତା। ରେଖାତାଇ ଆମକୁ ବିଠୋବାଙ୍କର ନାମ ଜପ କରି ସନ୍ଥ ନାମଦେବଙ୍କର ଗୋଟିଏ ଭଜନ ଗାଇ ଶୁଣାଇଲେ। ନାମଦେବ ମହାରାଷ୍ଟ୍ରର ଜଣେ ସନ୍ଥ କବି ଏବଂ ପଞ୍ଜାବରେ ମଧ୍ୟ ପୂଜା ପାଆନ୍ତି। ୱାର୍କରିପନ୍ଥର ଜଣେ ସମର୍ଥକ ନାମଦେବଙ୍କର ଭଜନଗୁଡ଼ିକ ଭକ୍ତି ପରମ୍ପରାର ଭାବ ପାଇଁ ଜଣାଶୁଣା। ଧାର୍ମିକ ପରମ୍ପରାର ବିପରୀତ, ଭକ୍ତି ପରମ୍ପରାରେ ପୂଜା ପାଇଁ କୌଣସି ପ୍ରଥାକୁ ଅନୁସରଣ କରାଯିବା ବାଧ୍ୟତାମୂଳକ ନୁହେଁ। ରେଖାତାଇ ଭକ୍ତି ଆନ୍ଦୋଳନର ଜଣେ ଅନୁଗାମୀ।

ଆଷାଢ (ଜୁନ୍/ଜୁଲାଇ) ଏବଂ କାର୍ତ୍ତିକ (ଅକ୍ଟୋବର- ନଭେମ୍ୱର, ଦୀପାବଳି ପରେ) ମାସରେ ରାଜ୍ୟର କୋଣ ଅନୁକୋଣରୁ ଭକ୍ତମାନେ ଦଳ ଦଳ ହୋଇ ଚାଲି ଚାଲି ଯାନ୍ତି। ସେହି ଭକ୍ତମାନଙ୍କୁ ୱାରି କୁହାଯାଏ। ଚାଲିବା ସମୟରେ ସେମାନେ ଧ୍ୟାନେଶ୍ୱର, ତୁକାରାମ ଏବଂ ନାମଦେବଙ୍କ ଭଳି ସନ୍ଥମାନଙ୍କର ଭକ୍ତି ଗୀତ ଗାଆନ୍ତି। ପ୍ରତିବର୍ଷ, ରେଖାତାଇ ନିଶ୍ଚିତ ଭାବରେ ମହାରାଷ୍ଟ୍ରର ସୋଲାପୁରରେ ଥିବା ପନ୍ଧାରପୁର ମନ୍ଦିରକୁ ଚାଲି କରି ଯାଉଥିବା ଭକ୍ତମାନଙ୍କ ସହିତ ଯୋଗ ଦିଅନ୍ତି।

“ମୋ ପିଲାମାନେ କହୁଛନ୍ତି, ‘ଛେଳି ଜଗେନି। ଘରେ ଆରାମରେ ବସ।’ ହେଲେ ମୋତେ ଏଠି ବସି ବିଠୋବାଙ୍କ ନାମଜପ କରିବାକୁ ଏବଂ ଭଜନ ଗାଇବାକୁ ଭଲ ଲାଗେ। ମୋ ସମୟ ଏମିତି ଆନନ୍ଦରେ ବିତି ଯାଉଛି,” ରେଖାତାଇ କହନ୍ତି। ଦୀପାବଳି ପରେ କାର୍ତ୍ତିକୱାରିରେ ଯୋଗ ଦେବା ପାଇଁ ତାଙ୍କର ବହୁତ ଇଚ୍ଛା।

ଛେଳି ଜଗିବାର, ଗୀତ ଗାଇବାର ଭିଡିଓ ଦେଖନ୍ତୁ

ଅନୁବାଦ : ଓଡ଼ିଶାଲାଇଭ୍‍

Medha Kale

ମେଧା କାଲେ ପୁନେରେ ରହନ୍ତି ଏବଂ ମହିଳା ଓ ସ୍ଵାସ୍ଥ୍ୟ କ୍ଷେତ୍ରରେ କାମ କରିଛନ୍ତି । ସେ ମଧ୍ୟ PARIର ଜଣେ ଅନୁବାଦକ ।

ଏହାଙ୍କ ଲିଖିତ ଅନ୍ୟ ବିଷୟଗୁଡିକ ମେଧା କାଲେ
Text Editor : S. Senthalir

ଏସ ସେନ୍ଥାଲିର ପିପୁଲ୍ସ ଆର୍କାଇଭ୍‌ ଅଫ୍‌ ରୁରାଲ ଇଣ୍ଡିଆର ଜଣେ ବରିଷ୍ଠ ସମ୍ପାଦିକା ଏବଂ ୨୦୨୦ର ପରୀ ସଦସ୍ୟା। ସେ ଲିଙ୍ଗ, ଜାତି ଓ ଶ୍ରମ ବିଷୟକୁ ନେଇ ରିପୋର୍ଟ ସଂଗ୍ରହ କରିଥାନ୍ତି। ସେନ୍ଥାଲିର ୱେଷ୍ଟମିନିଷ୍ଟର ବିଶ୍ୱବିଦ୍ୟାଳୟରେ ଚେଭେନିଂ ଦକ୍ଷିଣ ଏସିଆ ସାମ୍ବାଦିକତା କାର୍ଯ୍ୟକ୍ରମର ୨୦୨୩ର ଜଣେ ସଦସ୍ୟ

ଏହାଙ୍କ ଲିଖିତ ଅନ୍ୟ ବିଷୟଗୁଡିକ S. Senthalir
Translator : OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

ଏହାଙ୍କ ଲିଖିତ ଅନ୍ୟ ବିଷୟଗୁଡିକ OdishaLIVE