‘‘ଯଦି ଏ ବେଉସା ବୁଡ଼ିଯିବ, ତା’ହେଲେ ମୋ ପାଖରେ ଅନ୍ୟ ରାଜ୍ୟକୁ ଯିବା ବ୍ୟତୀତ ଆଉ କିଛି ବିକଳ୍ପ ରହିବ ନାହିଁ,’’ ଆସାମ ଦରଙ୍ଗ ଜିଲ୍ଲା ଅନ୍ତର୍ଗତ ନ-ମାଟି ଗ୍ରାମର ଝୁଡ଼ି କାରୀଗର ମାଜେଦା ବେଗମ୍‌ କୁହନ୍ତି।

୨୫ ବର୍ଷୀୟା ଏହି ମହିଳା କାରୀଗର ଜଣେ ଦିନ ମଜୁରିଆ ଏବଂ ଏକାକିନୀ ମା’, ତାଙ୍କ ମୁଣ୍ଡ ଉପରେ ୧୦ ବର୍ଷର ପୁଅ ଓ ଅସୁସ୍ଥ ମା’ଙ୍କ ଦେଖାଶୁଣା କରିବାର ବୋଝ ରହିଛି। ‘‘ମୁଁ ଗୋଟିଏ ଦିନରେ ୪୦ ଖାସା (ଝୁଡ଼ି) ତିଆରି କରିପାରିବି, କିନ୍ତୁ ଏବେ ମୁଁ ମାତ୍ର ୨୦ଟି ବୁଣିପାରୁଛି,’’ ସେ ସ୍ଥାନୀୟ ମିୟା ଭାଷାରେ କୁହନ୍ତି। ମାଜେଦା ବୁଣୁଥିବା ୨୦ଟି ଝୁଡ଼ି ପାଇଁ ୧୬୦ ଟଙ୍କା ରୋଜଗାର କରିଥା’ନ୍ତି, ଯାହାକି ଅନୁସୂଚିତ ନିଯୁକ୍ତି ପାଇଁ ରାଜ୍ୟର ସର୍ବନିମ୍ନ ମଜୁରି ୨୪୧.୯୨ ଟଙ୍କା ( ୨୦୧୬ ବର୍ଷ ପାଇଁ ସର୍ବନିମ୍ନ ମଜୁରି ଆଇନ, ୧୯୪୮ ଉପରେ ରିପୋର୍ଟ ) ଠାରୁ ଯଥେଷ୍ଟ କମ୍।

ବାଉଁଶ ଦର ବୃଦ୍ଧି ପାଇବା ଏବଂ ଏଠାକାର ପନିପରିବା ମଣ୍ଡିରେ ଝୁଡ଼ିର ଚାହିଦା କମିବା କାରଣରୁ ବାଉଁଶ ଝୁଡ଼ି ବିକ୍ରିରୁ ହେଉଥିବା ଆୟ ପ୍ରଭାବିତ ହୋଇଛି। ଦରଙ୍ଗରେ ଆସାମର ସବୁଠୁ ବଡ଼ ଦୁଇଟି ମଣ୍ଡି ରହିଛି: ବେଚିମାରି ଓ ବାଲୁଗାଁ। ଏଠାରୁ କୃଷିଜାତ ଉତ୍ପାଦ ସମଗ୍ର ଉତ୍ତରପୂର୍ବାଞ୍ଚଳ ଏବଂ ଦିଲ୍ଲୀ ପର୍ଯ୍ୟନ୍ତ ପଠାଯାଏ।

ବାଧ୍ୟତାମୂଳକ ପ୍ରବାସକୁ ନେଇ ମାଜେଦାଙ୍କ ଆଶଙ୍କା ଆଦୌ ଅମୂଳକ ନୁହେଁ। ହନିଫ ଅଲୀ (୩୯) ଆମକୁ ସ୍ଥାନୀୟ ମଦ୍ରାସା ପାଖରେ ଥିବା ୱାର୍ଡ ଏ ଆଖପାଖ ଅଞ୍ଚଳକୁ ଦେଖାଇ ଦେଇ କୁହନ୍ତି, ‘‘ଭଲ କାମ’’ ସନ୍ଧାନରେ ପ୍ରାୟ ୮୦ରୁ ୧୦୦ ପରିବାର ଏଠାରୁ ଚାଲି ଯାଇଛନ୍ତି। ଏକଦା ବାଉଁଶ ହସ୍ତଶିଳ୍ପ କାମରେ ପ୍ରାୟ ୧୫୦ ପରିବାର ନିୟୋଜିତ ଥିଲେ, କିନ୍ତୁ ଏବେ, ଅଧିକାଂଶ ଘର ଖାଲି ପଡ଼ିଛି, କାରଣ ଶିଳ୍ପକାରମାନେ କଫି ବଗିଚାରେ କାମ କରିବା ଲାଗି କେରଳ ଓ କର୍ଣ୍ଣାଟକ ଭଳି ଅନ୍ୟ ରାଜ୍ୟକୁ ଚାଲି ଯାଇଛନ୍ତି।

PHOTO • Mahibul Hoque
PHOTO • Mahibul Hoque

ବାମ : ଆସାମର ଦରଙ୍ଗ ଜିଲ୍ଲା ଅନ୍ତର୍ଗତ ନ-ମାଟି ଗ୍ରାମର ଜଣେ ବାଉଁଶ ଝୁଡ଼ି ବୁଣାଳି ମାଜିଦା ବେଗମ ଦିନକୁ ୪୦ଟି ଝୁଡ଼ି ତିଆରି କରିପାରିବେ କିନ୍ତୁ ଏବେ ଚାହିଦା ହ୍ରାସ ପାଇଥିବା କାରଣରୁ ସେମାନେ ଏହାର ଅଧା ତିଆରି କରିପାରୁଛନ୍ତି । ଡାହାଣ : ବୁଣିବା ପ୍ରକ୍ରିୟାର ପ୍ରଥମ ପଦକ୍ଷେପ ଝୁଡ଼ିର ମୂଳ ଢାଞ୍ଚା ବା ଟୋଲି ତିଆରି ପ୍ରକ୍ରିୟା ଦେଖାଇ ଦେଉଛନ୍ତି ହନିଫ ଅଲୀ

PHOTO • Mahibul Hoque
PHOTO • Mahibul Hoque

ବାମ : ନିଜ ପରିବାରର ବାଉଁଶ ଝୁଡ଼ି ବ୍ୟବସାୟକୁ ପରିଚାଳନା କରୁଥିବା ସିରାଜ ଅଲୀ କୁହନ୍ତି ଯେ ପ୍ଲାଷ୍ଟିକ କଣ୍ଟେନର୍‌ ଆସିବା ଯୋଗୁ ସେମାନଙ୍କ ତିଆରି ଝୁଡ଼ିର ଚାହିଦା ହ୍ରାସ ପାଇଛି । ଡାହାଣ : ଗାଁ ସ୍କୁଲରେ ନିଜର ଦୁଇ ପିଲା ପାଠ ପଢ଼ୁଥିବାରୁ ଜମିଲା ଖାତୁନ ଅନ୍ୟ ରାଜ୍ୟକୁ ପ୍ରବାସ କରିପାରିବେ ନାହିଁ

କୋଭିଡ-୧୯ ଲକଡାଉନ୍‌ ପରେ, ବିକ୍ରି ଯଥେଷ୍ଟ ହ୍ରାସ ପାଇଛି। ‘‘ପୂର୍ବରୁ ଆମେ ପ୍ରତି ସପ୍ତାହରେ ୪୦୦ରୁ ୫୦୦ ଖାସା ବିକ୍ରି କରୁଥିଲୁ, କିନ୍ତୁ ଆମେ ମାତ୍ର ୧୦୦ରୁ ୧୫୦ଟି ବିକ୍ରି କରିପାରୁଛୁ,’’ ସିରାଜ୍‌ ଅଲୀ (୨୮) କୁହନ୍ତି। ସେ ନିଜ ପରିବାରର ବାଉଁଶ ଝୁଡ଼ି ବ୍ୟବସାୟ ଚଳାଉଛନ୍ତି। ‘‘ମହାମାରୀ ସମୟରେ ପନିପରିବା ବ୍ୟବସାୟୀମାନେ ସେମାନଙ୍କ ଉତ୍ପାଦ ପ୍ୟାକ୍‌ କରିବା ଓ ରଖିବା ପାଇଁ ପ୍ଲାଷ୍ଟିକ୍‌ ଟ୍ରେ ଓ ବସ୍ତା ଉପଯୋଗ କଲେ। ଆମେ ସେହି ସମୟରେ ଟୁକ୍ରି (ଛୋଟ ବାଉଁଶ ଝୁଡ଼ି) ବିକ୍ରି କରିପାରିଲୁ ନାହିଁ,’’ ସେ କହିଥିଲେ।

ସିରାଜ୍‌ ନିଜର ପାଞ୍ଚ ଜଣିଆ ପରିବାରକୁ ନେଇ ୱାର୍ଡ ଏ’ ରେ ରହୁଛନ୍ତି। ‘‘ଆମେ ସମସ୍ତେ କାମ କରିବା ସତ୍ତ୍ୱେ ସପ୍ତାହକୁ ମାତ୍ର ୩,୦୦୦-୪,୦୦୦ ଟଙ୍କା ରୋଜଗାର କରିପାରୁଛୁ,’’ ସେ କୁହନ୍ତି। ‘‘ଶ୍ରମିକମାନଙ୍କୁ ମଜୁରି ପଇଠ କରିବା ପରେ ଏବଂ ବାଉଁଶ କିଣିବା ଖର୍ଚ୍ଚ ଯିବା ପରେ, ମୋ ପରିବାରର ଆୟ ଦୈନିକ ୨୫୦-୩୦୦ ଟଙ୍କାକୁ ଖସିଆସେ।’’ ଯାହାଫଳରେ, ତାଙ୍କ ଯୌଥ ପରିବାରର ଅନେକ ସଦସ୍ୟ କଫି ବଗିଚାରେ କାମ କରିବା ଲାଗି କର୍ଣ୍ଣାଟକ ଚାଲି ଯାଇଛନ୍ତି। ‘‘ଏଭଳି ପରିସ୍ଥିତି ଲାଗି ରହିଲେ, ମୁଁ ମଧ୍ୟ ଯିବାକୁ ବାଧ୍ୟ ହେବି,’’ ସେ କୁହନ୍ତି।

କିନ୍ତୁ ସମସ୍ତେ ଛାଡ଼ି ଯାଇପାରିବେ ନାହିଁ। ଆଉ ଜଣେ ଝୁଡ଼ି ନିର୍ମାତା ଜମିଲା ଖାତୁନ (୩୫) ନିଜ ଘରେ ବସି କୁହନ୍ତି, ‘‘ମୁଁ କେରଳ (ଜଣେ ପ୍ରବାସୀ ଶ୍ରମିକ ଭାବେ) ଯାଇପାରିବି ନାହିଁ, କାରଣ ମୋ ପିଲାମାନେ ଏଠାରେ ସ୍କୁଲ ଯାଉଛନ୍ତି। ଗାଁର ଅଧିକାଂଶ ଘର ଭଳି, ତାଙ୍କ ଘରେ ମଧ୍ୟ ଶୌଚାଳୟ କିମ୍ବା ଗ୍ୟାସ ସିଲିଣ୍ଡର ସଂଯୋଗ ନାହିଁ। ‘‘ଆମେ ଘରୋଇ ସ୍କୁଲରେ ପିଲାଙ୍କୁ ପାଠ ପଢ଼ାଇପାରିବୁ ନାହିଁ। ଯଦି ଆମେ ବାହାରକୁ ଯିବୁ, ପିଲାମାନଙ୍କ ପାଠପଢ଼ା ନଷ୍ଟ ହୋଇଯିବ,’’ ନ-ମାଟିର ଏହି ବାସିନ୍ଦା ଜଣଙ୍କ କୁହନ୍ତି।

ଗାଁରେ ବାଉଁଶ ଝୁଡ଼ି ବୁଣୁଥିବା ଅଧିକାଂଶ ଲୋକ ଆଧୁନିକ ବାଂଲାଦେଶର ମୈମନସିଂହର ପ୍ରବାସୀ ବଂଶୋଦ୍ଭବ ଅଟନ୍ତି, ଯେଉଁମାନେ ଉପନିବେଶ ଶାସନ କାଳରେ ନିଜ ଘର ଛାଡ଼ି ଏଠାକୁ ଚାଲି ଆସିଥିଲେ। ଉକ୍ତ ସ୍ଥାନ ସେତେବେଳେ ଅବିଭାଜିତ ବାଂଲାଦେଶର ଅଂଶବିଶେଷ ଥିଲା। ‘ମିୟା’ ଶବ୍ଦର ପ୍ରକୃତ ଆକ୍ଷରିକ ଅର୍ଥ ହେଉଛି ‘ଭଦ୍ରଲୋକ’। ତେବେ ଅହମୀୟା ଜାତୀୟ-ରାଷ୍ଟ୍ରବାଦୀ ଲୋକମାନେ ରାଜ୍ୟରେ ଏହି ବଙ୍ଗଳା-ଭାଷୀ ସମ୍ପ୍ରଦାୟକୁ ‘‘ବେଆଇନ ପ୍ରବାସୀ’’ ରୂପରେ ସମ୍ବୋଧିତ କରିବା ଲାଗି ଏହାକୁ ଅପମାନଜନକ ସମ୍ବୋଧନ ରୂପରେ ଉପଯୋଗ କରିଥା’ନ୍ତି।

PHOTO • Mahibul Hoque
PHOTO • Mahibul Hoque

ବାମ : ନ-ମାଟି ଗ୍ରାମ ବାଉଁଶ ଝୁଡ଼ି ବୁଣାଳିମାନଙ୍କର ପେଣ୍ଠସ୍ଥଳୀ, ଯେଉଁମାନଙ୍କ ମଧ୍ୟରୁ ଅଧିକାଂଶ ମିୟା ସମ୍ପ୍ରଦାୟର। ଡାହାଣ : ମିୟାରୁଦ୍ଦିନ ଛୋଟ ବେଳୁ ଝୁଡ଼ି ବୁଣି ଆସୁଛନ୍ତି । ବାଉଁଶ ଝୁଡ଼ି ବିକ୍ରି କରି ସେ ନିଜ ପରିବାର ଚଳାଇଥା’ନ୍ତି

PHOTO • Mahibul Hoque
PHOTO • Mahibul Hoque

ମୂଳ ବା ଆଧାର (ବାମ) ଭାଗ ଝୁଡ଼ିର ଆକାରକୁ ପରିଭାଷିତ କରିଥାଏ। ଆଧାର ତିଆରି ସରିବା ପରେ, ମହିଳାମାନେ ଏଥିରେ ପତଳା ପାତିଆ ବୁଣିବା (ଡାହାଣ) ଆରମ୍ଭ କରନ୍ତି

ଦରଙ୍ଗ ଜିଲ୍ଲାର ନ-ମାଟି ଗ୍ରାମ ଗୌହାଟୀଠାରୁ ୧୧୦ କିଲୋମିଟର ଦୂରରେ ଅବସ୍ଥିତ। ଏହି ସ୍ଥାନ ବାଉଁଶ ହସ୍ତଶିଳ୍ପର କେନ୍ଦ୍ର ଭାବେ ପରିଚିତ ଏବଂ ଏଠାରେ ପାରମ୍ପରିକ ବାଉଁଶ ଝୁଡ଼ି ବୁଣାଯାଏ ଯାହାକୁ ସ୍ଥାନୀୟ ଲୋକମାନେ ଖାସା କହିଥାନ୍ତି। ଟଙ୍ଗନୀ ନଦୀର ବନ୍ୟା ପ୍ରବଣ ସମତଳ ଭୂମିରେ ପ୍ରାୟ ୫୦ଟି ବଙ୍ଗଳା ଭାଷୀ ମୁସଲିମ ପରିବାର ରୁହନ୍ତି। ସେମାନଙ୍କ ପଡ଼ାକୁ ମାଟି ରାସ୍ତା ଓ ସଂକୀର୍ଣ୍ଣ ଗଳି ଦୁଇ ଭାଗରେ ବିଭାଜିତ କରିଛି। ବସତିର ଅଧିକାଂଶ ଘର ବାଉଁଶ ଛପର କିମ୍ବା ଟିଣ କାନ୍ଥରେ ନିର୍ମିତ ଯେଉଁଠି କିଛି କଂକ୍ରିଟ୍‌ ଘର ମଧ୍ୟ ରହିଛି।

ଏହି ଅଞ୍ଚଳର ନାଁ ଖାସାପଟ୍ଟି ଯାହାର ଅର୍ଥ ହେଉଛି ‘ବାଉଁଶ ଝୁଡ଼ି ତିଆରି ହେଉଥିବା ପଡ଼ା’ ଏବଂ ଏଠାକାର ଅଧିକାଂଶ ଘର ବାଉଁଶ ଝୁଡ଼ିରେ ଭର୍ତ୍ତି ହୋଇ ରହିଥାଏ। ‘‘ମୋ ଜନ୍ମ ପୂର୍ବରୁ, ଆମ ଅଞ୍ଚଳର ଲୋକମାନେ ଲାଲପୁଲ, ବେଚିମାରୀ ଏବଂ ବାଲୁଗାଁ ମଣ୍ଡିରେ ଦୈନିକ ଓ ସାପ୍ତାହିକକ ହାଟରେ ବାଉଁଶ ଝୁଡ଼ି ଯୋଗାଇ ଦେଉଥିଲେ,’’ ଚପୋରି କ୍ଲଷ୍ଟରରେ ଥିବା ନିଜ ଘର ବାହାରେ ଝୁଡ଼ି ବୁଣୁଥିବା ୩୦ ବର୍ଷୀୟା ମୁର୍ଶିଦା ବେଗମ କୁହନ୍ତି,

ହନିଫଙ୍କ ପରିବାର ତିନି ପିଢ଼ି ଧରି ଏହି କାମ କରି ଆସୁଚି। ‘‘ଖାସାପଟ୍ଟି କଥା ଉଠିଲେ ଲୋକମାନେ ଜାଣିପାରିବେ ଯେ ଆପଣ ଏହି ଗାଁ ବିଷୟରେ କଥା ହେଉଛନ୍ତି। ତେବେ ସମସ୍ତେ ଏହି ବେଉସା ସହ ଜଡ଼ିତ ନୁହନ୍ତି, ଏହି ସ୍ଥାନରେ ଖାସା ବୁଣାଳିଙ୍କ ପ୍ରଥମ ପିଢ଼ି ନିଜ କାମ ଆରମ୍ଭ କରିଥିଲା।’’

ଏହି ହସ୍ତଶିଳ୍ପକୁ ଜୀବିତ ରଖିବା ଲାଗି ସରକାରୀ ସହାୟତା ହାସଲ କରିବା ନିମନ୍ତେ ଗାଁର ବାଉଁଶ ଶିଳ୍ପକାରଙ୍କୁ ନେଇ ଏକ ସ୍ୱୟଂ ସହାୟକ ଗୋଷ୍ଠୀ (ଏସଏଚଜି)ର ପଞ୍ଜୀକରଣ ପାଇଁ ହନିଫ ଚେଷ୍ଟା କରୁଛନ୍ତି। ‘‘ଯଦି ସରକାର ଆମକୁ ଗୋଟିଏ କାର୍ଯ୍ୟଶାଳା ଖୋଳିବା ପାଇଁ ବୈଷୟିକ ଓ ଆର୍ଥିକ ସହାୟତା ଯୋଗାଇ ଦିଅନ୍ତି, ତା’ହେଲେ ଏହି ହସ୍ତଶିଳ୍ପ ତିଷ୍ଠି ରହିପାରିବ,’’ ସେ ଆଶା କରନ୍ତି।

ଏହି ହସ୍ତଶିଳ୍ପରେ ନିୟୋଜିତ ଥିବା ମୁଖ୍ୟତଃ ମୁସଲିମ ସମ୍ପ୍ରଦାୟର ଲୋକମାନେ କୁହନ୍ତି ଯେ ଭୂମିହୀନ ଯୋଗୁ ସେମାନେ ଚାଷ କରିପାରିବେ ନାହିଁ ତେଣୁ ସେମାନେ ଏହି କାମ କରୁଛନ୍ତି । ‘‘ଏହି ଅଞ୍ଚଳ କୃଷି ଉପରେ ନିର୍ଭରଶୀଳ ହୋଇଥିବା କାରଣରୁ ପନିପରିବା ବ୍ୟବସାୟର ଶୃଙ୍ଖଳାରେ ବାଉଁଶ ଝୁଡ଼ିଗୁଡ଼ିକ ଏକ ଅଭିନ୍ନ ଅଂଶବିଶେଷ,’’ ୱାର୍ଡ ଏ’ର ଜଣେ ଝୁଡ଼ି ବୁଣାଳି ଏବଂ ସାମାଜିକ କର୍ମୀ ୬୧ ବର୍ଷୀୟ ବୟସ୍କ ଅବ୍ଦୁଲ ଜଲିଲ କୁହନ୍ତି ।

‘‘ସ୍ଥାନୀୟ ଲୋକମାନଙ୍କୁ ନିଜ ଉତ୍ପାଦ ବଜାର ପର୍ଯ୍ୟନ୍ତ ନେଇ ଯିବା ଲାଗି ଝୁଡ଼ିର ଆବଶ୍ୟକତା ହୋଇଥାଏ ଏବଂ ବିକ୍ରେତାମାନଙ୍କ ପରିବହନ ନିମନ୍ତେ ପନିପରିବାର ପ୍ୟାକେଜିଂ ପାଇଁ ସେଗୁଡ଼ିକର ଆବଶ୍ୟକତା ରହିଥିଲା। ସେଥିପାଇଁ ଆମେ ଅନେକ ପିଢ଼ି ଧରି ଝୁଡ଼ି ତିଆରି କରିଆସୁଛୁ,’’ ସେ କୁହନ୍ତି।


PHOTO • Mahibul Hoque
PHOTO • Mahibul Hoque

ବାମ : ମୁର୍ଶିଦା ବେଗମଙ୍କ ଅଞ୍ଚଳର ବହୁ ପରିବାର କର୍ଣ୍ଣାଟକ ଓ କେରଳ ଭଳି ଅନ୍ୟ ରାଜ୍ୟକୁ ଚାଲି ଯାଇଛନ୍ତି । ଡାହାଣ : ଝୁଡ଼ି ବୁଣାଳି ଏବଂ ସାମାଜିକ କର୍ମୀ ଅବ୍ଦୁଲ ଜଲିଲ କୁହନ୍ତି, ‘ଆମେ ଏହି କାମରେ ଝାଳରକ୍ତ ନିଗାଡ଼ି ପରିଶ୍ରମ କରୁଥିଲେ ସୁଦ୍ଧା ଆମକୁ ଉଚିତ୍‌ ପାରିଶ୍ରମିକ ମିଳୁନାହିଁ’

PHOTO • Mahibul Hoque
PHOTO • Mahibul Hoque

ବାମ : ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ମୁନସେର ଅଲୀ ଝୁଡ଼ି ନିର୍ମାତାମାନଙ୍କୁ ବାଉଁଶ ବିକ୍ରି କରି ଆସୁଛନ୍ତି । ଡାହାଣ : ବିକ୍ରି କମିଯାଇଥିବାରୁ ଜଣେ ବୁଣାଳିଙ୍କ ଘରେ ଝୁଡ଼ି ଗଦା ହୋଇ ରହିଛି

କଞ୍ଚାମାଲ କିଣିବାରେ ଅଧିକ ଟଙ୍କା ଖର୍ଚ୍ଚ ହେଉଥିବାରୁ ବାଉଁଶ ଝୁଡ଼ି ଦାମ୍‌ ବୃଦ୍ଧି ପାଇଥିବା ଶ୍ରମିକମାନେ ସ୍ୱୀକାର କରିଥାନ୍ତି। ଚାପୋରୀ କ୍ଲଷ୍ଟରର ୪୩ ବର୍ଷ ବୟସ୍କ କାରୀଗର ଅଫାଜ୍‌ ଉଦ୍ଦିନ କୁହନ୍ତି ଯେ ୫୦ ଟଙ୍କାର ପ୍ରତ୍ୟେକ ଝୁଡ଼ି ପାଇଁ ତାଙ୍କୁ ୪୦ ଟଙ୍କା ଖର୍ଚ୍ଚ କରିବାକୁ ହୋଇଥାଏ। ଏଥିରେ ବାଉଁଶ, ରଶି, ବୁଣାଳିଙ୍କ ମଜୁରି ଓ ସ୍ଥାନୀୟ ପରିବହନ ଖର୍ଚ୍ଚ ସାମିଲ ରହିଛି।

ମୁନସେର ଅଲୀ ଦୁଇ ଦଶନ୍ଧି ଧରି ବିଭିନ୍ନ ସ୍ଥାନରୁ ବାଉଁଶ ଆଣି ସେଗୁଡ଼ିକୁ ବେଚିମାରି ବଜାରରେ ବିକ୍ରି କରି ଆସୁଛନ୍ତି। ୪୩ ବର୍ଷ ବୟସ୍କ ଏହି ବ୍ୟକ୍ତି ଜଣଙ୍କ କୁହନ୍ତି, ପରିବହନ ଏକ ମୁଖ୍ୟ ବାଧକ। ମୋଟର ଯାନ (ସଂଶୋଧନ) ଆଇନ ଗାଡ଼ି ଓଭରଲୋଡିଂ ପାଇଁ ୨୦,୦୦୦ ଟଙ୍କା ଜୋରିମାନା ଏବଂ ପ୍ରତ୍ୟେକ ଟନ୍‌ ଲୋଡ୍‌ ପାଇଁ ୨,୦୦୦ ଟଙ୍କା ଜୋରିମାନା ନେଇଥାଏ।

ତେବେ, ଆସାମର ହସ୍ତଶିଳ୍ପ ନୀତି ( ୨୦୨୨ ) ଏହା ନିର୍ଦ୍ଧାରିତ କରିଥାଏ ଯେ ବାଉଁଶ ଆଣିବାର ଉତ୍ତରଦାୟିତ୍ୱ ରାଜ୍ୟ ବାଉଁଶ ମିଶନ, ବନ ବିଭାଗର ଅନ୍ୟ ଏଜେନ୍ସି ଏବଂ ପଞ୍ଚାୟତ ଉପରେ ନ୍ୟସ୍ତ ରହିଛି।

ମୂଲ୍ୟ ବୃଦ୍ଧି ଯୋଗୁଁ ମୁନସେର ଅଲି ତାଙ୍କର ପ୍ରମୁଖ ଗ୍ରାହକ - ବାଉଁଶ ଝୁଡ଼ି ନିର୍ମାତାଙ୍କୁ ହରାଇ ଦେଇଛନ୍ତି। ‘‘ସେମାନଙ୍କୁ ପ୍ରତ୍ୟେକ ବାଉଁଶ ଖଣ୍ଡକୁ ୧୩୦-୧୫୦ ଟଙ୍କାରେ କିଣିବାକୁ ହେବ,’’ ସେ କୁହନ୍ତି। ‘‘ଯଦି ସେମାନେ ଏହାକୁ ୧୦୦ ଟଙ୍କାରେ ବିକ୍ରି କରିବେ ତା’ହେଲେ ଲାଭ କ’ଣ?’’

*****

ଖାସା ତିଆରି କରିବାର ବିସ୍ତୃତ ପ୍ରକ୍ରିୟା ବାଉଁଶ କିଣିବାଠାରୁ ଆରମ୍ଭ ହୋଇଥାଏ, ଅବ୍ଦୁଲ ଜଲିଲ୍‌ କୁହନ୍ତି। ‘’୨୦ କିମ୍ବା ୩୦ ବର୍ଷ ପୂର୍ବରୁ ଆମେ ଦରଙ୍ଗର ବିଭିନ୍ନ ଗାଁକୁ ଯାଇ ବାଉଁଶ ଆଣୁଥିଲୁ। କିନ୍ତୁ ବାଉଁଶ ଚାଷ କମିବା କାରଣରୁ ଏଠାରେ ଏହାର ଅଭାବ ଦେଖାଦେବା ପରେ ବ୍ୟବସାୟୀମାନେ କର୍ବି ଆଂଲଂ ଓ ଲକ୍ଷୀମପୁର ଜିଲ୍ଲା କିମ୍ବା ଅରୁଣାଚଳ ପ୍ରଦେଶ ଏବଂ ଅନ୍ୟ ପାର୍ବତ୍ୟ ଅଞ୍ଚଳରୁ ବାଉଁଶ ଯୋଗାଣ କରିବା ଆରମ୍ଭ କରିଥିଲେ।’’

ଦେଖନ୍ତୁ : ସଂକଟରେ ଆସାମର ବାଉଁଶ ଝୁଡ଼ି ବୁଣାଳି

ବାଉଁଶ ହସ୍ତଶିଳ୍ପରେ ନା-ମାଟିର ଅନେକ ପରିବାର ନିୟୋଜିତ ଥିଲେ । ଏବେ ଶିଳ୍ପକାରମାନେ କଫି ବଗିଚାରେ କାମ କରିବା ଲାଗି କେରଳ ଓ କର୍ଣ୍ଣାଟକ ଆଦି ରାଜ୍ୟକୁ ଚାଲି ଯାଇଥିବାରୁ ଘରଗୁଡ଼ିକ ଖାଲି ପଡ଼ିଛି

ବାଉଁଶ ଥରେ ବୁଣାଳିଙ୍କ ଘରେ ପହଞ୍ଚିବା ପରେ ପରିବାରର ପୁରୁଷମାନେ ତଳ ଆଡ଼ୁ ୩.୫ ଫୁଟରୁ ଆରମ୍ଭ କରି ୪.୫ ଫୁଟ ପର୍ଯ୍ୟନ୍ତ ବିଭିନ୍ନ ଆକାରର ବେଟୀ (ପାତିଆ) କାଟିଥା’ନ୍ତି ଯେଉଁଥିରେ ଝୁଡ଼ିର ଆଧାର ତିଆରି କରାଯାଏ। ପରସ୍ପରକୁ ସଂଯୋଗ କରୁଥିବା ଖିଅ ତିଆରି କରିବା ଲାଗି ଆଠ, ୧୨ କିମ୍ବା ୧୬ ଫୁଟ ଲମ୍ବାର ପାତି ମଝି ଭାଗରୁ କଟାଯାଏ ଏବଂ ଝୁଡ଼ିର ଉପରିସ୍ଥ  ଭାଗକୁ ଅନ୍ତିମ ରୂପ ଦେବା ଲାଗି ବାଉଁଶର ଅଗ୍ରଭାଗକୁ ଉପଯୋଗ କରାଯାଏ।

ଅପେକ୍ଷାକୃତ ମୋଟା ପାତିଆଗୁଡ଼ିକୁ ଟୋଲି (ମୂଳ ବା ଫ୍ରେମ) ତିଆରିରେ ଉପଯୋଗ କରାଯାଇଥାଏ। ‘‘ଝୁଡ଼ିର ଆକାରକୁ ଟୋଲି ପରିଭାଷିତ କରିଥାଏ। ଥରେ ଆଧାର ତିଆରି ହୋଇସାରିବା ପରେ, ମହିଳା ଓ ପିଲାମାନେ ମଝିରୁ ବୁଲାଇ ପତଳା ପାତିଆ ବୁଣନ୍ତି। ଏହି ପାତିଆକୁ ପେଚ୍ନିବେଟୀ କୁହାଯାଏ,’’ ଜଲିଲ କୁହନ୍ତି।

‘‘ଉପର ଭାଗରେ ବୁଣା ପ୍ରକ୍ରିୟାକୁ ଶେଷ କରିବା ଲାଗି ମଜବୁତ ପାତିଆର ଦୁଇ କିମ୍ବା ତିନି ରାଉଣ୍ଡକୁ ଉପଯୋଗ କରାଯାଇଥାଏ ଯାହାକୁ ଆମେ ପେଚ୍ନି କହିଥାଉ। ଝୁଡ଼ିକୁ ସମ୍ପୂର୍ଣ୍ଣ କରିବା ଲାଗି ଆଧାରର ବଳକା ଭାଗକୁ ଭାଙ୍ଗି ଦେଇ ବୁଣା ହୋଇଥିବା ବାଉଁଶ ପାତିଆରେ ଭର୍ତ୍ତି କରାଯାଏ। ଆମେ ଏହି ପ୍ରକ୍ରିୟାକୁ ମୁରି ଭଙ୍ଗା କହିଥାଉ,’’ ସେ କୁହନ୍ତି।

ସମ୍ପୂର୍ଣ୍ଣ ପ୍ରକ୍ରିୟା ହାତରେ ହୋଇଥାଏ ବୋଲି ମୁର୍ଶିଦା କୁହନ୍ତି: ‘‘ବାଉଁଶକୁ ଆବଶ୍ୟକ ଆକାରରେ କାଟିବା ଲାଗି ଆମେ ଆରୀ ଉପଯୋଗ କରିଥାଉ। ଆମେ ବାଉଁଶ ଗଣ୍ଡିକୁ କାଟିବା ଲାଗି କୁରହେଲ୍‌ (କୁରାଢ଼ି) କିମ୍ବା ଦାଓ (ଦା’) ବ୍ୟବହାର କରିଥାଉ। ବାଉଁଶ ରଶି ତିଆରି କରିବା ଲାଗି ଆମେ ବହୁତ ଧାରୁଆ ଛୁରି ବ୍ୟବହାର କରିଥାଉ। ଝୁଡ଼ିର ଉପରିସ୍ଥ ଭାଗକୁ ବାନ୍ଧିବା ଲାଗି ଆମେ, ଟୋଲିରବେଟୀ ର ଶେଷ ଭାଗକୁ ପେଚନିବେଟୀରେ ଭର୍ତ୍ତି କରିବା ଲାଗି ବଟାଲି (ବଟାଳି) ଭଳି ଉପକରଣ ବ୍ୟବହାର କରିଥାଉ।’’

ଗୋଟିଏ ଝୁଡ଼ି ବୁଣିବା ଲାଗି ୨୦ରୁ ୨୫ ମିନିଟ୍‌ ଲାଗିଥାଏ; ଏଥିରେ ମୁରି ଭାଙ୍ଗା ଏବଂ ଟୋଲିଭାଙ୍ଗା ପ୍ରକ୍ରିୟା ସାମିଲ ନଥାଏ। ସାପ୍ତାହିକ ହାଟ ଦିନ ପୂର୍ବରୁ ମହିଳାମାନେ ଡେରି ରାତି ପର୍ଯ୍ୟନ୍ତ କାମ କରି ଯଥାସମ୍ଭବ ଅଧିକ ଝୁଡ଼ି ତିଆରି କରିବାକୁ ଚେଷ୍ଟା କରିଥାନ୍ତି। ଏହି କାମ ସେମାନଙ୍କ ଶାରୀରିକ ସ୍ୱାସ୍ଥ୍ୟ ଉପରେ କୁପ୍ରଭାବ ପକାଇଥାଏ।

‘‘ଆମର ପିଠି ଯନ୍ତ୍ରଣା, ହାତ ବିଣ୍ଡି ହେବା ଭଳି ସମସ୍ୟା ସହିତ ବେଳେବେଳେ ବାଉଁଶର ମୁନିଆ ଭାଗ ଫୁଟିଯାଏ,’’ ମୁର୍ଶିଦା କୁହନ୍ତି। ‘‘ବେଳେବେଳେ ଛୁଞ୍ଚି ଭଳି ମୁନିଆ ବାଉଁଶ ଆମ ତ୍ୱଚାରେ କଣା କରି ଦିଏ, ଫଳରେ ଗମ୍ଭୀର ଯନ୍ତ୍ରଣା ହୁଏ। ସାପ୍ତାହିକ ହାଟ ପୂର୍ବରୁ, ଆମେ ଡେରି ରାତି ପର୍ଯ୍ୟନ୍ତ କାମ କରୁ, ପରଦିନ ଆମେ ଯନ୍ତ୍ରଣା କାରଣରୁ ଶୋଇପାରିନଥାଉ।’’

ମୃଣାଲିନୀ ମୁଖାର୍ଜୀ ଫାଉଣ୍ଡେସନ୍‌ ଠାରୁ ପ୍ରାପ୍ତ ଏକ ଫେଲୋସିପ୍‌ ସହାୟତାରେ ଏହି କାହାଣୀ ପ୍ରସ୍ତୁତ କରାଯାଇଛି

ଅନୁବାଦ: ଓଡ଼ିଶାଲାଇଭ୍‍

Mahibul Hoque

ମାହିବୁଲ ହକ୍‌ ଆସାମରେ ରହୁଥିବା ଜଣେ ମଲ୍ଟିମିଡିଆ ସାମ୍ବାଦିକ ଏବଂ ଗବେଷକ। ସେ ୨୦୨୩ର ପରୀ-ଏମଏମଏଫ ଫେଲୋ।

ଏହାଙ୍କ ଲିଖିତ ଅନ୍ୟ ବିଷୟଗୁଡିକ Mahibul Hoque
Editor : Shaoni Sarkar

ଶାଓନି ସରକାର କୋଲକାତାରେ ରହୁଥିବା ଜଣେ ମୃକ୍ତବୃତ୍ତିର ସାମ୍ବାଦିକ।

ଏହାଙ୍କ ଲିଖିତ ଅନ୍ୟ ବିଷୟଗୁଡିକ Shaoni Sarkar
Translator : OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

ଏହାଙ୍କ ଲିଖିତ ଅନ୍ୟ ବିଷୟଗୁଡିକ OdishaLIVE