‘‘ଏବେ ଟିଭି ଓ ମୋବାଇଲ ଅଛି। ଲୋକମାନେ ସେଥିରେ ନିଜର ମନୋରଞ୍ଜନ କରି ନେଉଛନ୍ତି,’’ ଢୋଲକ (ଢୋଲ ବାଜା) ର ରିଙ୍ଗକୁ ଟାଇଟ୍‌ କରିବା ସମୟରେ ମୁସଲିମ୍‌ ଖଲିଫା କହିଥାନ୍ତି।

ମୁସଲିମ୍‌ ଖଲିଫା ଦ୍ୱାଦଶ ଶତାବ୍ଦୀର ଯୋଦ୍ଧା ଆଲ୍ଲା ଓ ଉଦଲ (କେତେକ ଜାଗାରେ ଉଦଲ ସ୍ଥାନରେ ରୁଦଲ ବୋଲି ଉଲ୍ଲେଖ ଅଛି)ଙ୍କ ବୀରଗାଥା ଗାଇଥାନ୍ତି। ଏହି ଲୋକ ଗାୟକ ଏବଂ ଢୋଲ ବାଦକ ବିହାର ସମସ୍ତିପୁର ଜିଲ୍ଲାର ବାସିନ୍ଦା ଏବଂ ପାଖାପାଖି ପାଞ୍ଚ ଦଶନ୍ଧି ଧରି ବୁଲି ବୁଲି ବାଜା ବଜାଇବା ସହ ଗୀତ ଗାଉଛନ୍ତି। ତାଙ୍କ ସ୍ୱର ତୀକ୍ଷ୍ଣ ଓ ସଙ୍ଗୀତମୟ ଅନୁଭୂତ ହୋଇଥାଏ, ଏଥିରୁ ସେ ଜଣେ ପୋଖତ ଗାୟକ ବୋଲି ପ୍ରମାଣ ମିଳିଥାଏ।

ଏପ୍ରିଲ-ମେ ମାସରେ ଧାନ, ଗହମ ଏବଂ ମକା କଟା ହେବା ଋତୁରେ ସେ ଚାଷ ଜମିରେ ବୁଲି ବୁଲି ଢୋଲ ବଜାଇଥାନ୍ତି ଏବଂ ଗୀତ ଗାଆନ୍ତି। ଚାଷୀଙ୍କୁ ବୀରଗାଥା ଶୁଣାନ୍ତି। ପାଖାପାଖି ଦୁଇ ଘଣ୍ଟା ଧରି ଗୀତ ଶୁଣାଇବା ବଦଳରେ ତାଙ୍କୁ ପ୍ରାୟ ୧୦ କିଲୋଗ୍ରାମ ଖାଦ୍ୟଶସ୍ୟ ମିଳିଥାଏ। ସେ କୁହନ୍ତି, ‘‘ଏହି ତିନୋଟି ଫସଲ କାଟିବାରେ ପ୍ରାୟ ଗୋଟିଏ ମାସ ଲାଗିଥାଏ, ସେଥିପାଇଁ ସେ ମାସ ସାରା କ୍ଷେତରେ ବୁଲି ବୁଲି ଗୀତ ଗାଆନ୍ତି।’’ ତିନି ମାସର ବିବାହ ଋତୁରେ ତାଙ୍କର ବିଶେଷ ଚାହିଦା ରହିଥାଏ ଏବଂ ଏହି ସମୟରେ ସେ ୧୦ରୁ ୧୫,୦୦୦ ଟଙ୍କା ରୋଜଗାର କରିଥାନ୍ତି ।

ଆଲ୍‌ହା-ଉଦଲଙ୍କ ବୀରଗାଥା ଏତେ ଲମ୍ବା ଯେ ଯଦି ସେ ସମ୍ପୂର୍ଣ୍ଣ କାହାଣୀ ଶୁଣାଇବେ ତା’ହେଲେ ଅନେକ ଦିନ ଲାଗିଯିବ ଏବଂ ଏଥିପାଇଁ ସଂକଳ୍ପବଦ୍ଧ ଏବଂ ଏକାଗ୍ରଚିତ୍ତ ହୋଇ ଶୁଣୁଥିବା ଶ୍ରୋତାଙ୍କ ଆବଶ୍ୟକତା ରହିଛି। ଖଲିଫା କୁହନ୍ତି, ‘‘ବର୍ତ୍ତମାନ ସମୟରେ ଏତେ ଲମ୍ବା କାହାଣୀ ଶୁଣିବ କିଏ?’’ ଖାଲିସପୁର ଗ୍ରାମର ବାସିନ୍ଦା ଏହି ୬୦ ବର୍ଷ ବୟସ୍କ ଲୋକଗାୟକଙ୍କ ଚାହିଦା ଏବେ କମିଯାଉଥିବା ଦେଖିବାକୁ ମିଳିଛି, ଯାହାର ସିଧାସଳଖ ପ୍ରଭାବ ତାଙ୍କ ରୋଜଗାର ଉପରେ ପଡ଼ୁଛି । ତାଙ୍କ ପିଲାମାନେ ମଧ୍ୟ ଆଲ୍‌ହା-ଉଦଲଙ୍କ କାହାଣୀ ଶୁଣିବାକୁ ଆଗ୍ରହ ପ୍ରକାଶ କରନ୍ତି ନାହିଁ ବୋଲି ସେ ନିରାଶ ହୋଇ କୁହନ୍ତି ।

ଖଲିଫା ଇସଲାମ ଧର୍ମ ପାଳନ କରିଥାନ୍ତି, କିନ୍ତୁ ସେ ନଟ ସମ୍ପ୍ରଦାୟର ପ୍ରତିନିଧିତ୍ୱ କରିଥାନ୍ତି ଯେଉଁମାନେ ବିହାରରେ ଅନୁସୂଚିତ ଜାତି ଭାବେ ତାଲିକାଭୁକ୍ତ। ବିହାରରେ ନଟ ସମ୍ପ୍ରଦାୟର ଜନସଂଖ୍ୟା ୫୮,୮୧୯; କିନ୍ତୁ ମେ ମାସରେ ପରୀ ସହ କଥା ହୋଇ ମୁସଲିମ୍‌ ଖଲିଫା କୁହନ୍ତି, ‘‘୧୦-୧୨ଟି ଗାଁରେ ଅତି କଷ୍ଟରେ ଜଣେ ଅଧେ (ଆଲ୍‌ହା-ଉଦଲ ) ଗାୟକ ମିଳିବେ।’’

Muslim Khalifa (left) sings the tales of Alha-Udal for the farming community in Samastipur district. The folklore (right) about 12th century warriors has 52 episodes and take several days to narrate completely
PHOTO • Umesh Kumar Ray
Muslim Khalifa (left) sings the tales of Alha-Udal for the farming community in Samastipur district. The folklore (right) about 12th century warriors has 52 episodes and take several days to narrate completely
PHOTO • Umesh Kumar Ray

ମୁସଲିମ ଖଲିଫା(ବାମ) ସମସ୍ତିପୁର ଜିଲ୍ଲାର କୃଷି ସମୁଦାୟକୁ ଅଲ୍ଲା-ଉଦଲଙ୍କ କାହାଣୀ ଶୁଣାଇଥାନ୍ତି। ଦ୍ୱାଦଶ ଶତାବ୍ଦୀର ଏହି ବୀରଗାଥା (ଡାହାଣ)ରେ ୫୨ଟି ଅଧ୍ୟାୟ ରହିଛି ଏବଂ ଯଦି ଏହାକୁ ସମ୍ପୂର୍ଣ୍ଣ ଶୁଣାଇବେ ତା’ହେଲେ ଅନେକ ଦିନ ଲାଗିଯିବ

The 60-year-old Khalifa at his home in Khalispur village
PHOTO • Umesh Kumar Ray

ଖାଲିସପୁର ଗ୍ରାମରେ ନିଜ ଘରେ ୬୦ ବର୍ଷ ବୟସ୍କ ଖଲିଫା

ଖାଲିସପୁର ଗ୍ରାମରେ ତାଙ୍କ କୁଡ଼ିଆ ଖୁଣ୍ଟ ଉପରେ ଗୋଟିଏ ଢୋଲକ ଟଙ୍ଗା ହୋଇଛି। ଶୋଇବା ଲାଗି କୋଠରୀ ଭିତରେ ଗୋଟିଏ ଚୌକି ରଖାଯାଇଛି ଏବଂ କିଛି ସାମଗ୍ରୀ ପଡ଼ିଛି। ଏହି କୁଡ଼ିଆରେ ଛଅ ପିଢ଼ି ଧରି ମୁସଲିମ ଖଲିଫାଙ୍କ ପୂର୍ବଜମାନେ ରହିଆସିଥିଲେ; ଏବେ ସେ ଏଠାରେ ନିଜ ପତ୍ନୀ ମୋମିନାଙ୍କ ସହ ରହୁଛନ୍ତି। ଆମେ ଯେତେବେଳେ ତାଙ୍କୁ ଆଲ୍‌ହା-ଉଦଲଙ୍କ ବୀରଗାଥା ଶୁଣାଇବା ପାଇଁ ଅନୁରୋଧ କଲୁ, ସେ ସନ୍ଧ୍ୟା ସମୟରେ ଗୀତ ଗାଇବା ଲାଗି ଅନୁକୂଳ ସମୟ ନୁହେଁ ବୋଲି କହି ପରଦିନ ସକାଳେ ଆସିବା ପାଇଁ କହିଲେ। ପରଦିନ ସକାଳେ ଆମେ ଯେତେବେଳେ ତାଙ୍କ ଘରେ ପହଞ୍ଚିଲୁ, ଚୌକି ଉପରେ ଢୋଲ ଥୁଆ ହୋଇଥିଲା ଏବଂ ସେ ନିଜ ପତଳା ନିଶକୁ ମୋଡ଼ୁଥିଲେ।

ପରବର୍ତ୍ତୀ ପାଞ୍ଚ ମିନିଟ୍‌ ପର୍ଯ୍ୟନ୍ତ ସେ ଢୋଲକ ର ଦୁଇ ପାଖ ଚମଡ଼ାକୁ ଟାଇଟ୍‌ କରିବା ପାଇଁ ରଶିକୁ ଭିଡ଼ିବା ନିମନ୍ତେ ସେଥିରେ ଲାଗିଥିବା ପିତ୍ତଳ ରିଙ୍ଗଗୁଡ଼ିକ ରଶିର ଅନ୍ୟ ପାର୍ଶ୍ୱକୁ ଟାଣି ଦେଇଥିଲେ, ଏବଂ ଢୋଲକ କୁ ଆଙ୍ଗୁଠିରେ ବଜାଇ ଠିକ୍‌ ଶବ୍ଦ ବାହାରୁଛି କି ନାହିଁ ଯାଞ୍ଚ କରିଥିଲେ। ପରବର୍ତ୍ତୀ ପାଞ୍ଚ ମିନିଟ୍‌ ପର୍ଯ୍ୟନ୍ତ ସେ ଗୀତ ଶୁଣାଇଥିଲେ, ଯେଉଁଥିରେ ଆଲ୍‌ହା-ଉଦଲ , ବେତୱା ନଦୀ, ଯୁଦ୍ଧ, ସେମାନଙ୍କ ବୀରତ୍ୱ ଆଦି ବିଷୟରେ ଉଲ୍ଲେଖ କରାଯାଇଥିଲା। ସେ କୁହନ୍ତି ଯେ, ଏମିତି ଏକ ସମୟ ଥିଲା ଯେତେବେଳେ ସେ ଆଲ୍‌ହା-ଉଦଲ ଗୀତ ଗାଇବା ପାଇଁ ୧୦ କୋସ (ପାଖାପାଖି ୩୧ କିଲୋମିଟର)ରୁ ଅଧିକ ବାଟ ଯାତ୍ରା କରୁଥିଲେ।

ଗୀତ ଶୁଣାଇବା ପରେ ସେ ଢୋଲକ ର ରିଙ୍ଗ୍‌କୁ ତଳକୁ କରି ଚମଡ଼ାକୁ ଢିଲା କରିଥିଲେ ଏବଂ ପୁଣିଥରେ ନେଇ ଖୁଣ୍ଟରେ ଟାଙ୍ଗି ଦେଇଥିଲେ। ‘‘ଚମଡ଼ାକୁ ଯଦି ଢିଲା କରିବେ ନାହିଁ ତା’ହେଲେ ତାହା ଖରାପ ହୋଇଯିବ ଏବଂ ବର୍ଷାରେ ବିଜୁଳି ମାରିଲେ, ଢୋଲକ ଫୁଟି ମଧ୍ୟ ଯିବ,’’ ସେ କୁହନ୍ତି। ‘‘କିନ୍ତୁ ଏମିତି କାହିଁକି ହୁଏ, ଜଣା ନାହିଁ ।’’

ତାଙ୍କ ଢୋଲକର ଢାଞ୍ଚା କାଠରେ ତିଆରି ହୋଇଛି ଏବଂ ତାହା ପାଖାପାଖି ୪୦ ବର୍ଷ ପୁରୁଣା। ତେବେ, ରଶି ଓ ଚମଡ଼ା ଏକାଧିକ ଥର ବଦଳାଯାଇଛି, କିନ୍ତୁ ଢାଞ୍ଚା ସେମିତି ରହିଛି। ସେ କୁହନ୍ତି, ‘‘ଢୋଲକର ଢାଞ୍ଚା ସୁରକ୍ଷିତ ରହିଛି। ଏଥିରେ ସୋରିଷ ତେଲର ଲେପ ଦିଆଯାଏ ଯାହାଫଳରେ ଉଈଙ୍କଠାରୁ ଏହାକୁ ସୁରକ୍ଷିତ ରଖାଯାଇପାରିବ।’’

ମୁସଲିମ ଖଲିଫା ୨୦-୩୦ ବର୍ଷ ପୂର୍ବର ସମୟକୁ ଆଲ୍‌ହା-ଉଦଲ ଗାୟକଙ୍କ ପାଇଁ ସ୍ୱର୍ଣ୍ଣିମ କାଳ ବୋଲି କହିଥାନ୍ତି, ଯେତେବେଳେ ବିଦେସିୟା ନାଚ କାର୍ଯ୍ୟକ୍ରମରେ ଆଲ୍ଲା ଉଦଲ ଗାୟକଙ୍କ ଚାହିଦା ରହୁଥିଲା। ‘‘ବଡ଼ ଜମିଦାର ମଧ୍ୟ ନିଜ ଘରକୁ ଡାକୁଥିଲେ ଏବଂ ବୀରଗାଥା ଶୁଣୁଥିଲେ।’’

ଆଲ୍‌ହା-ଉଦଲଙ୍କ ବୀରଗାଥା ଏତେ ଲମ୍ବା (୫୨ ଅଧ୍ୟାୟ) ଯେ ଯଦି ସମ୍ପୂର୍ଣ୍ଣ ଶୁଣାଇବେ, ତା’ହେଲେ ଅନେକ ଦିନ ଲାଗିଯିବ। ଖଲିଫା କୁହନ୍ତି, ‘କିନ୍ତୁ ଆଜିର ତାରିଖରେ ଏତେ ଲମ୍ବା କାହାଣୀ ଶୁଣିବ କିଏ?’

ଭିଡ଼ିଓ ଦେଖନ୍ତୁ : ଆଲ୍‌ହା-ଉଦଲଙ୍କୁ ଜୀବନ୍ତ ରଖିଛନ୍ତି ମୁସଲିମ ଖଲିଫା

ବିଦେସିୟା ବିଶିଷ୍ଟ ଭୋଜପୁରୀ ନାଟ୍ୟକାର ସ୍ୱର୍ଗତ ଭିଖାରୀ ଠାକୁରଙ୍କ ଏକ ଅତ୍ୟନ୍ତ ପ୍ରସିଦ୍ଧ ନାଟକ। ରୋଜଗାର ପାଇଁ ସହରକୁ ପଳାୟନ ଉପରେ ଆଧାରିତ ଏହା ଏକ ପାରମ୍ପରିକ ଭୋଜପୁରୀ ନାଟକ। ଏପରି ଲୋକକଥାକୁ ଗୀତ ଓ ନୃତ୍ୟ ଶୈଳୀରେ ପରିବେଷଣ କରାଯାଇଥାଏ।

ଖଲିଫା ସେହି ସମୟ କଥା ମନେ ପକାଇଥାନ୍ତି ଯେତେବେଳେ ଜମିଦାର ଲୋକ ସେମାନଙ୍କ ଭଳି ଆଲ୍‌ହା-ଉଦଲ  ଗାୟକମାନଙ୍କୁ ବହୁତ ସମ୍ମାନ ଦେଉଥିଲେ। ‘‘ବର୍ଷ ସାରା ଗୀତର ଏତେ ଚାହିଦା ଥିଲା ଯେ ସାମାନ୍ୟ ଫୁରସତ ମଧ୍ୟ ମିଳୁନଥିଲା। ସେମାନେ ଏତେ ଗାଉଥିଲେ ଯେ ତାଙ୍କର ଗଳା ବସି ଯାଉଥିଲା। ବେଳେ ବେଳେ ସେ ସଙ୍ଗୀତ ପରିବେଷଣ କରିବାକୁ ମନା କରି ଦେଉଥିଲେ।

*****

ବୀରଗାଥା ମହାକାବ୍ୟ ଆଲ୍‌ହା-ଉଦଲ ଭାରତର ଉତ୍ତର ରାଜ୍ୟରେ ବେଶ ଲୋକପ୍ରିୟ ରହିଆସିଛି। ‘ଦ ୱାର୍ଲ୍ଡ ଅଫ୍‌ ମ୍ୟୁଜିକ୍‌’ ନାମକ ପତ୍ରିକାରେ କରୀନ ଶୋମରଙ୍କ ଦ୍ୱାରା ପ୍ରକାଶିତ ଲେଖା ଅନୁସାରେ ଦ୍ୱାଦଶ ଶତାବ୍ଦୀରେ ଉତ୍ତରପ୍ରଦେଶର ମହୋବାରେ ଚନ୍ଦେଲ ରାଜା ପରମାଲଙ୍କ ଶାସନ ଥିଲା। ଆଲ୍ଲା ଏବଂ ଉଦଲ, ଦୁଇ ଭାଇ ତାଙ୍କର ସେନାପତି ଥିଲେ। କୁହାଯାଏ ଯେ, ମହୋବାର ସୁରକ୍ଷା ଦାୟିତ୍ୱ ସମ୍ଭାଳୁଥିବା ଦୁଇ ଭାଇ ବୀର ଏବଂ କୁଶଳୀ ଯୋଦ୍ଧା ଥିଲେ। ଆଲ୍‌ହା-ଉଦଲଙ୍କର ଏହି ବୀରଗାଥା ମହୋବା ଏବଂ ଦିଲ୍ଲୀ ମଧ୍ୟରେ ଭୀଷଣ ଯୁଦ୍ଧ ସହିତ ସମ୍ପୂର୍ଣ୍ଣ ହୋଇଥାଏ।

ମୁସଲିମ୍‌ ଖଲିଫାଙ୍କ କହିବା ଅନୁଯାୟୀ, ତାଙ୍କର ପୂର୍ବଜ ମହୋବା ଜିଲ୍ଲାର ବାସିନ୍ଦା ଥିଲେ ଏବଂ ସେମାନେ ମୋଗଲ ବାଦଶାହ ଆକବରଙ୍କ ସମୟରେ ସେଠାରୁ ପଳାୟନ କରି ବିହାରରେ ଆସି ଶରଣ ନେଇଥିଲେ। ତାଙ୍କର ପୂର୍ବଜମାନେ ରାଜପୁତ ସମ୍ପ୍ରଦାୟର ଥିଲେ। ସେମାନେ ଯେତେବେଳେ ବିହାରରେ ପହଞ୍ଚିଲେ, ସେମାନଙ୍କ ପୂର୍ବଜମାନେ ଜୀବିକା ନିର୍ବାହ ପାଇଁ ଆଲ୍‌ହା-ଉଦଲଙ୍କ କାହାଣୀକୁ ଗୀତ ମାଧ୍ୟମରେ ଗାଇବାର ପାରିବାରିକ ପରମ୍ପରାକୁ ଜାରି ରଖିଲେ। ପିଢ଼ି ପରେ ପିଢ଼ି ଏହି କଳା ସ୍ଥାନାନ୍ତରିତ ହୋଇ ଆସିଛି।

ମୁସଲିମ୍‌ ଖଲିଫାଙ୍କ ପିତା ସିରାଜୁଲ ଖଲିଫାଙ୍କର ଯେତେବେଳେ ପରଲୋକ ଘଟିଲା, ସେତେବେଳେ ତାଙ୍କ ବୟସ ମାତ୍ର ଦୁଇ ବର୍ଷ ଥିଲା। ଏହା ପରେ ତାଙ୍କ ମା’ ଏକାକୀ ହିଁ ତାଙ୍କୁ ପାଳିଥିଲେ। ସେ କୁହନ୍ତି, ‘‘ବଡ଼ ହେବା ସହିତ, ଯେତେବେଳେ ମୁଁ କୌଣସି ଗାୟକଙ୍କଠାରୁ ଆଲ୍‌ହା-ଉଦଲ ଗାୟନ ଶୁଣୁଥିଲି, ମୁଁ ତାଙ୍କ କାହାଣୀ ଶୁଣିବାରେ ମଜ୍ଜି ଯାଉଥିଲି,’’ ସେ ନିଜ ପିଲାଦିନ କଥା ମନେ ପକାଇ କୁହନ୍ତି। ‘‘ସରସ୍ୱତୀଙ୍କ କୃପାରୁ ଥରେ ମୁଁ ଯେଉଁ ଗୀତ ଶୁଣୁଥିଲି, ମନେ ରହି ଯାଉଥିଲା। ମୁଁ କେବଳ ଏହି (ଆଲ୍‌ହା-ଉଦଲ) ଗୀତର ନିଶାରେ ପଡ଼ିଯାଇଥିଲି ଏବଂ ଆଉ କୌଣସି କାମ ଉପରେ ଧ୍ୟାନ କେନ୍ଦ୍ରିତ କରିପାରିଲି ନାହିଁ।’’

Before his performance, he takes five minutes to tighten the ropes on his dholak and drums his fingers to check the sound and goes on to sing the Alha-Udal saga.
PHOTO • Umesh Kumar Ray
Before his performance, he takes five minutes to tighten the ropes on his dholak and drums his fingers to check the sound and goes on to sing the Alha-Udal saga.
PHOTO • Umesh Kumar Ray

ଗାଇବା ପୂର୍ବରୁ ସେ ଢୋଲର ରଶିକୁ ଭିଡ଼ିବା ପାଇଁ ପାଞ୍ଚ ମିନିଟ୍‌ ସମୟ ନେଇଥାନ୍ତି ଏବଂ ଆଙ୍ଗୁଠିରେ ବଜାଇ ଠିକ୍‌ ଶବ୍ଦ ଆସୁଛି କି ନାହିଁ ଦେଖନ୍ତି। ଏହାପରେ ପରବର୍ତ୍ତୀ, ପାଞ୍ଚ ମିନିଟ୍‌ ପର୍ଯ୍ୟନ୍ତ ସେ ଉଚ୍ଚ ସ୍ୱରରେ ଆଲ୍‌ହା-ଉଦଲଙ୍କ ଗୀତ ଗାଇ ଶୁଣାଇଥାନ୍ତି

ଏହି ସମୟରେ ସେ ରହମାନ ଖଲିଫା ନାମକ ଜଣେ ଗାୟକଙ୍କ ସଂସ୍ପର୍ଶରେ ଆସିଲେ, ଯାହାଙ୍କୁ ସେ ‘ଉସ୍ତାଦ୍‌’ (ଗୁରୁ) କହି ସମ୍ବୋଧିତ କରିଥାନ୍ତି। ‘‘ମୁଁ ତାଙ୍କ ସହିତ କାର୍ଯ୍ୟକ୍ରମ ପରିବେଷଣ କରିବାକୁ ଯାଉଥିଲି। ତାଙ୍କର ସେବା କରୁଥିଲି, ତାଙ୍କ ଜିନିଷପତ୍ର ଉଠାଉଥିଲି,’’ ସେ କୁହନ୍ତି । ବେଳେବେଳେ ରେହମାନ ଖଲିଫା ତାଙ୍କୁ ଢୋଲକ ଧରାଇ ଦେଉଥିଲେ ଏବଂ କହୁଥିଲେ ଗୀତ ଗାଅ। ‘‘ତାଙ୍କ ସହିତ ରହି ମୁଁ ଆଲ୍‌ହା-ଉଦଲଙ୍କ ବୀରଗାଥାର ୧୦-୨୦ ଅଧ୍ୟାୟ ମନେ ରଖି ଦେଇଥିଲି।’’

ଖଲିଫା ପାଠଶାଠ ପଢ଼ିନାହାନ୍ତି, କିନ୍ତୁ ପାଠପଢ଼ା ପ୍ରତି ତାଙ୍କର ଆଗ୍ରହ ଥିଲା। ସେ ସରକାରୀ ସ୍କୁଲକୁ ମଧ୍ୟ ଯାଉଥିଲେ, କିନ୍ତୁ ଦିନେ ତାଙ୍କୁ ଶିକ୍ଷକ ପିଟିଥିଲେ, ତା’ପରଠାରୁ ସେ ସ୍କୁଲ ଯିବା ବନ୍ଦ କରିଦେଲେ।

ସେ କୁହନ୍ତି, ‘‘୭-୮ ବର୍ଷ ବୟସ ହୋଇଥିବ। ମୋ ସ୍ୱର ଆରମ୍ଭରୁ ଭଲ ଥିଲା, ସ୍କୁଲର ଶିକ୍ଷକ ମୋତେ ଖୁବ୍‌ ଭଲ ପାଉଥିଲେ ଏବଂ ଗୀତ ଗାଇବାକୁ କହୁଥିଲେ। ଥରେ ପ୍ରାର୍ଥନା ବୋଲିବା ସମୟରେ ମୋର କିଛି ଭୁଲ ହୋଇଗଲା, ଜଣେ ଶିକ୍ଷକ ମୋତେ ଜୋର୍‌ କରି ଚାପୁଡ଼ା ମାରିଲେ। ଏଥିରେ ରାଗି ଯାଇ ମୁଁ ସ୍କୁଲ ଯିବା ଛାଡ଼ିଦେଲି।’’

ମୁସଲିମ୍‌ ଖଲିଫାଙ୍କ ଜୀବନ କୌଣସି କାହାଣୀଠାରୁ କମ୍‌ ନୁହେଁ। ତାଙ୍କର ସବୁଠୁ ବଡ଼ ସନ୍ତୋଷ ହେଉଛି ଆଲ୍‌ହା-ଉଦଲଙ୍କ ଗୀତ ଗାଇ ସେ ନିଜ ସଉକ ପୂରା କରିପାରିଛନ୍ତି। କିନ୍ତୁ ତାଙ୍କ ଜୀବନରେ ମଧ୍ୟ କିଛି ଅବଶୋଷ ରହିଯାଇଛି। ଏହି କଳା ବଳରେ ସେ ନିଜର ଚାରି ପିଲାଙ୍କୁ ଲାଳନପାଳନ କରି ବଡ଼ କରିଥିଲେ । ଏହି ଢୋଲକ ବଜାଇ ସେ ତାଙ୍କ ପିଲାଙ୍କ ବାହାଘର ମଧ୍ୟ କରିଛନ୍ତି । କିନ୍ତୁ ଏବେ ସେ ସମୟ ବଦଳିଯାଇଛି ଏବଂ ଏହି କାମରେ ଘର ଚଳାଇବା କଷ୍ଟକର ହୋଇପଡ଼ିଛି । ଏବେ ଗୋଟିଏ ଦୁଇଟି ଘରୋଇ ଆୟୋଜନରେ ହିଁ ତାଙ୍କୁ ଡକରା ଆସୁଛି, ଏଥିପାଇଁ ତାଙ୍କୁ ୩୦୦ରୁ ୫୦୦ ଟଙ୍କା ମିଳିଯାଉଛି।

ସେଦିନ ତାଙ୍କ ଛାତି ଫାଟିଯିବା ଭଳି ଲାଗିଥିଲା, ଯେଉଁଦିନ ତାଙ୍କର ଏକମାତ୍ର ପୁଅ ତାଙ୍କୁ ପଚାରିଥିଲା ଯେ ସେ କେଉଁ ସମ୍ପତ୍ତି ଅର୍ଜନ କରିଛନ୍ତି। ସେ ସାମାନ୍ୟ ଉଦାସ ହୋଇ କହିଥାନ୍ତି, ‘‘ଏ କଥା ଶୁଣି ମୋତେ ନିରବ ରହିବାକୁ ପଡ଼ିଥିଲା। ସେତିକିବେଳେ ମୋ ମନକୁ ଆସିଲା, ଗୀତ ଗାଇ ବାଜା ବଜାଇଲେ ତ’ କିଛି ସମ୍ପତ୍ତି ଅର୍ଜନ କରିହେବ ନାହିଁ। ନିଜ ଘର ତିଆରି କରିବା ଲାଗି ସେ ଖଣ୍ଡେ ଜମି ସୁଦ୍ଧା କିଣିପାରିନାହାନ୍ତି। ଯେଉଁଠିକୁ ସେ ଯାଇଛନ୍ତି, ତାଙ୍କୁ ଯଥେଷ୍ଟ ସମ୍ମାନ ମିଳିଛି, କିନ୍ତୁ କେବଳ ପେଟ ପୋଷିବା ପାଇଁ ଯେତିକି ଆବଶ୍ୟକ ସେତିକି ରୋଜଗାର ହୋଇଛି।’’

ସେ କୁହନ୍ତି, ‘‘ମୋ ପରିବାର ଅନେକ ପିଢ଼ି ଧରି ଏଠାରେ ରହିଆସୁଛି। ହେଲେ ଯେଉଁ ଜମି ଉପରେ ମୋ କୁଡ଼ିଆ ଅଛି ତାହା ପୋଖରୀ କୂଳରେ ସରକାରୀ ଜମି ଉପରେ ଛିଡ଼ା ହୋଇଛି।’’

After a performance, the musician loosens the leather ropes on his dholak and hangs it back on the wall.
PHOTO • Umesh Kumar Ray
After a performance, the musician loosens the leather ropes on his dholak and hangs it back on the wall
PHOTO • Umesh Kumar Ray

ଗୀତ ଶୁଣାଇବା ପରେ ସେ ଢୋଲକର ଚମଡ଼ା ରଶିକୁ ଢିଲା କରି ପୁଣିଥରେ ଖୁଣ୍ଟରେ ଟାଙ୍ଗି ଦେଲେ

Khalifa and his 55-year-old wife, Momina, in front of their hut. Momina used to work as a tattoo artist in nearby villages
PHOTO • Umesh Kumar Ray

ଖଲିଫା ଏବଂ ତାଙ୍କର ୫୫ ବର୍ଷୀୟା ପତ୍ନୀ ମୋମିନା ନିଜ କୁଡ଼ିଆ ସାମ୍ନାରେ ବସିଛନ୍ତି । ମୋମିନା କିଛି ବର୍ଷ ପୂର୍ବରୁ ନିକଟସ୍ଥ ଗାଁରେ ବୁଲି ଚିତା କୁଟାଇବା କାମ କରୁଥିଲେ

ତାଙ୍କ ପତ୍ନୀ ମୋମିନା (୫୫) ଏକଦା ଜଣେ କୁଶଳୀ ଚିତା କୁଟାଇବା କାରିଗର ଭାବେ ପରିଚିତ ଥିଲେ। ଏବେ ସେ ଶ୍ୱାସ ରୋଗରେ ଆକ୍ରାନ୍ତ ଏବଂ କାନକୁ ଠିକରେ ଶୁଭୁନାହିଁ। ସେ କୁହନ୍ତି, ‘‘ପୂର୍ବରୁ ମୁଁ ଗାଁକୁ ଗାଁ ବୁଲି ହାତରେ ଚିତା କୁଟାଉଥିଲି। ଏବେ ଶରୀରରେ ବଳ ନାହିଁ ତେଣୁ କିଛି କାମ କରିପାରୁନାହିଁ । ମୋ ସ୍ୱାମୀ ହିଁ ମୋତେ ବଞ୍ଚାଇ ରଖିଛନ୍ତି।’’

ଖଲିଫାଙ୍କ ବ୍ୟକ୍ତିଗତ କ୍ଷତିଠାରୁ ବଡ଼ ଆଉ ଏକ ଚିନ୍ତା ରହିଛି । ସେ ଜାଣିଛନ୍ତି ଯେ, ବର୍ତ୍ତମାନର ଯୁବପିଢ଼ି ଆଲ୍‌ହା-ଉଦଲଙ୍କ କାହାଣୀ ଶୁଣିବାକୁ ଆଗ୍ରହୀ ନାହାନ୍ତି। ତା’ଛଡ଼ା ତାଙ୍କ ପରେ ଏ ପରିବାରରେ କେହି ଏହି କଳାକୁ ଆଗକୁ ବଢ଼ାଇବା ଲୋକ ନାହାନ୍ତି।

ସେ ଦୁଃଖର ସହିତ କୁହନ୍ତି, ‘‘ମୋ ବାପା-ଜେଜେବାପା ଏବଂ ତାଙ୍କର ପୂର୍ବଜମାନେ ଆଲ୍‌ହା-ଉଦଲ ଗାଉଥିଲେ। ଏବେ ମୁଁ ଗାଉଛି, କିନ୍ତୁ ମୋ ପୁଅ ଏହାକୁ ଶିଖିଲା ନାହିଁ। ପିଲାଙ୍କ ଭିତରେ କୌଣସି ଆଗ୍ରହ ନାହିଁ । ‘‘ଆମେ ସଉକରେ ଗାଇବା, ବଜାଇବା ଆରମ୍ଭ କରିଥିଲୁ। କିନ୍ତୁ ବର୍ତ୍ତମାନର ପିଲାମାନେ ଏଥିପ୍ରତି ଧ୍ୟାନ ଦେଉନାହାନ୍ତି।’’

‘‘ପୂର୍ବରୁ, ବାହାଘରରେ ଖୁର୍ଦ୍ଦକ ବାଜା - ଶେହନାଇ ଓ ତବଲା ଭଳି ଆନୁସଙ୍ଗିକ ବାଦ୍ୟ ଯନ୍ତ୍ର- ବାଜୁଥିଲା। ପରେ ଏହା ସ୍ଥାନରେ ଅଂଗ୍ରେଜୀବାଜା ବାଜିଲା ଯେଉଁଥିରେ ଡ୍ରମ, ତୁରୀ, ଶେହନାଇ, କୀବୋର୍ଡ ଓ ଅନ୍ୟାନ୍ୟ ବାଦ୍ୟଯନ୍ତ୍ର ଏକ ସଙ୍ଗେ ବଜା ହୁଏ। ତା’ପରେ ଏକ ଟ୍ରଲି ଆସିଲା, ଯେଉଁଥିରେ ସ୍ଥାନୀୟ ଗାୟକମାନେ ଅଂଗ୍ରେଜୀବାଜା ର ଗୀତ ଗାଉଥିଲେ। ଆଉ ଏବେ ଡିଜେ ଚାଲିଛି । ବାକି ସବୁ ବାଦ୍ୟଯନ୍ତ୍ର ପ୍ରଚଳନ ବନ୍ଦ ହୋଇଯାଇଛି।’’

‘‘ମୁଁ ମରିବା ପରେ ଏହି କଳାର ଚିହ୍ନବର୍ଣ୍ଣ ରହିବ ନାହିଁ ଏକଥା ଭାବିଲା ବେଳକୁ ମନ ଦୁଃଖ ହୋଇଥାଏ,’’ ସେ କୁହନ୍ତି।

ଏହି ଷ୍ଟୋରୀ ବିହାରର ଜଣେ ଶ୍ରମିକ ନେତାଙ୍କ ସ୍ମୃତିରେ ପ୍ରଦାନ କରାଯାଉଥିବା ଫେଲୋଶିପ ଅଧୀନରେ ପ୍ରସ୍ତୁତ କରାଯାଇଛି। ରାଜ୍ୟର ଅବହେଳିତ ଲୋକଙ୍କ ଉନ୍ନତି ପାଇଁ ସେ ସାରା ଜୀବନ ସଂଘର୍ଷ କରିଥିଲେ।

ଅନୁବାଦ : ଓଡ଼ିଶାଲାଇଭ୍‍

Umesh Kumar Ray

ଉମେଶ କୁମାର ରାଏ ହେଉଛନ୍ତି ଜଣେ ‘ପରୀ’ ଫେଲୋ (୨୦୨୨)। ସେ ବିହାରେ ରହୁଥିବା ଜଣେ ମୁକ୍ତବୃତ୍ତ ସାମ୍ବାଦିକ ଯେ କି ସମାଜର ଅବହେଳିତ ବର୍ଗଙ୍କ ଉପରେ ଲେଖାଲେଖି କରନ୍ତି।

ଏହାଙ୍କ ଲିଖିତ ଅନ୍ୟ ବିଷୟଗୁଡିକ Umesh Kumar Ray
Editor : Devesh

ଦେବେଶ ଜଣେ କବି, ସାମ୍ବାଦିକ, ଚଳଚ୍ଚିତ୍ର ନିର୍ମାତା ଓ ଅନୁବାଦକ। ସେ ପିପୁଲ୍ସ ଆର୍କାଇଭ୍‌ ଅଫ୍‌ ରୁରାଲ ଇଣ୍ଡିଆରେ ହିନ୍ଦୀ ଭାଷା ସମ୍ପାଦକ ଓ ହିନ୍ଦୀ ଅନୁବାଦ ସମ୍ପାଦକ।

ଏହାଙ୍କ ଲିଖିତ ଅନ୍ୟ ବିଷୟଗୁଡିକ Devesh
Editor : Shaoni Sarkar

ଶାଓନି ସରକାର କୋଲକାତାରେ ରହୁଥିବା ଜଣେ ମୃକ୍ତବୃତ୍ତିର ସାମ୍ବାଦିକ।

ଏହାଙ୍କ ଲିଖିତ ଅନ୍ୟ ବିଷୟଗୁଡିକ Shaoni Sarkar
Translator : OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

ଏହାଙ୍କ ଲିଖିତ ଅନ୍ୟ ବିଷୟଗୁଡିକ OdishaLIVE