ମାର୍ଚ୍ଚ ୧୨, ୨୦୧୮ରେ ୪୦ହଜାରରୁ ଅଧିକ କୃଷକ ଫସଲର ଉପଯୁକ୍ତ ମୂଲ୍ୟ ଓ କୃଷିଋଣ ଛାଡ଼ଠାରୁ ଆରମ୍ଭ କରି ଜଙ୍ଗଲ ଅଧିକାର ଆଇନ ଲାଗୁ କରିବା ଓ ଜାତୀୟ କୃଷି ଆୟୋଗ (ସ୍ୱାମୀନାଥନ କମିଶନ)ଙ୍କ ସୁପାରିସ କାର୍ଯ୍ୟକାରୀ କରିବା ପର୍ଯ୍ୟନ୍ତ ଆଦି ଦାବି ପୂରଣ କରିବା ଲାଗି ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ଉଦ୍ଦେଶ୍ୟରେ ବିଧାନଭବନ ଘେରାଉ ପାଇଁ ମୁମ୍ବାଇ ସହରରେ ଆସି ପହଞ୍ଚିଥିଲେ।

ରାଜ୍ୟ ସରକାରଙ୍କ ଅଣଦେଖା ଓ ସେମାନଙ୍କ ସମସ୍ୟା ପ୍ରତି ଲଗାତର ମତଭେଦ କାରଣରୁ ଅସନ୍ତୁଷ୍ଟ ଚାଷୀମାନେ ଅଖିଳ ଭାରତୀୟ କିସାନ ସଭା ଦ୍ୱାରା ଆୟୋଜିତ ଦୀର୍ଘ ପଦଯାତ୍ରାରେ ସାମିଲ ହୋଇଥିଲେ। ସେମାନେ ନାସିକର ସିବିଏସ ଛକରୁ ବାହାରି ୬ଦିନ ମଧ୍ୟରେ ୧୮୦ କିମି ଦୂର ପଦଯାତ୍ରା କରି ଦକ୍ଷିଣ ମୁମ୍ବାଇର ଆଜାଦ ମୈଦାନରେ ପହଞ୍ଚିଥିଲେ।

ହଜାର ହଜାର ସଂଖ୍ୟାରେ କୃଷକ ଧୈର୍ଯ୍ୟର ସହ ବସିରହି ସେମାନଙ୍କ ନେତାମାନଙ୍କ ଭାଷଣ ଶୁଣିଥିଲେ-ଏକ ଛୋଟ ପ୍ରତିନିଧି ଦଳ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲା- ଆଶା ଥିଲା ଯେ ସେମାନଙ୍କ ଦାବିକୁ ସରକାର ବିଚାର କରିବେ ଏବଂ ସେମାନଙ୍କ କଷ୍ଟଦାୟକ ପଦଯାତ୍ରାର ପ୍ରଭାବ ପଡ଼ିବ।

ଏସବୁ ଘଟଣା ଦ୍ୱାରା ଅନୁପ୍ରାଣିତ ହୋଇ ପରୀର ଜ୍ୟୋତି ଶିନୋଲି ଭାରତୀୟ ଚାଷୀ ବିଷୟରେ ଏକ କବିତା ଲେଖିଲେ, ଯେଉଁଥିରେ ଚାଷୀର ଭାବନା ପ୍ରତିଫଳିତ ହେଉଥିଲା । ଏଠାରେ ଦିଆଯାଇଥିବା ଭିଡିଓ ପରୀ ଟିମ ଦ୍ୱାରା ପ୍ରସ୍ତୁତ, ଯେଉଁଥିରେ ପଦଯାତ୍ରାର ପ୍ରଥମ ଓ ଶେଷଦିନର ଦୃଶ୍ୟ ରହିଛି । ଏହାସହିତ କବିତାର ପଦ ‘ମୁଁ ଜଣେ କୃଷକ, ମୁଁ ଏହି ଦୀର୍ଘ ପଦଯାତ୍ରାରେ ଚାଲିଛି’ର ଅଡିଓ ରହିଛି ।

ଭିଡିଓ ଦେଖନ୍ତୁ: ‘ତେଣୁ ଖାଲି ହାତରେ ମୁଁ ଏହି ଦୀର୍ଘଯାତ୍ରାରେ ଚାଲିଛି...’

मी एक शेतकरी , करतो पायी हा प्रवास

मी एक शेतकरी, माझा हा संघर्ष...
उभ्या भारताचा मी पोशिंदा, पण माझं जगणं कठीण...

दुष्काळ, कर्ज, पीक दर....किती गणवू माझ्या व्यथा...
माझा आवाज पोहचवया करतो पायी हा मी प्रवास...

उभं आयुष्य गेलं शेतीतं...
माझं रगात न् घाम मिसळलं या मातीत
ऐका हो जरा माझं करतो पायी हा मी प्रवास...

पाहिलं ना ओ मी ऊन न् वारा...
राबलो दिन-रात, पण हाती काही नाही आले...
तोच कोरा हात घेऊनी, करतो पायी हा प्रवास...

आता रडूही येईना, माझी आसवं सुकली...
इतकं का भोगतोय, मी शेतकरी म्हणून?
नको हा जन्म पुन्हा, यासाठी पायी हा प्रवास...

असं काय मी मागतोय, माझं हक्काचं जगणं
जगाल का हो तुम्ही माझं हे जीवन?
माझा आवाज पोहचवया, करतो पायी हा प्रवास...

माझा अंत होण्याआधी, जरा ऐका हो माझं
उभा भारत हा माझा नायतर मरील उपाशी
म्हणून करतो, पायी हा प्रवास

ମୁଁ ଜଣେ କୃଷକ, ମୁଁ ଏହି ଦୀର୍ଘଯାତ୍ରାରେ ଚାଲିଛି

ମୁଁ ଜଣେ କୃଷକ, ଏହା ହେଉଛି ମୋର ସଂଘର୍ଷ

ମୁଁ ସାରା ଭାରତକୁ ଖାଦ୍ୟ ଯୋଗାଉଛି, ତଥାପି ନିଜେ ଦୁଃସ୍ଥିତିରେ ଅଛି

ମରୁଡ଼ି, ଋଣ, ଫସଲ ମୂଲ୍ୟ ଆଉ କେତେ ସଂଘର୍ଷ କଥା କହିବି

ମୋର ସ୍ୱର ଉତ୍ତୋଳନ ପାଇଁ ମୁଁ ଏହି ଦୀର୍ଘଯାତ୍ରାରେ ଚାଲିଛି

ସାରା ଜୀବନଟା ମୋର ଚାଷରେ ବିତିଲା

ମୋ ଲୁହ ଓ ଲହୁ ମାଟିରେ ମିଶିଲା

ତୁମେମାନେ କ’ଣ ମୋ ସ୍ୱର ଶୁଣି ପାରୁନାହଁ, ମୁଁ ଏହି ଦୀର୍ଘଯାତ୍ରାରେ ଚାଲିଛି

ଟାଣ ଖରାକି ପ୍ରଖର ଝଡ଼କୁ ମୁଁ ଖାତିର କରିନାହିଁ

ମୁଁ ଦିନରାତି ଖଟିଛି, କିନ୍ତୁ ବଦଳରେ କିଛି ପାଇନାହିଁ

ତେଣୁ ଖାଲି ହାତରେ ମୁଁ ଏହି ଦୀର୍ଘଯାତ୍ରାରେ ଚାଲିଛି

ଆଜି ମୁଁ କାନ୍ଦି ମଧ୍ୟ ପାରୁନାହିଁ, ମୋର ଲୁହ ଶୁଖିଯାଇଛି

ମୁଁ କାହିଁକି ଏତେ କଷ୍ଟ ସହୁଛି, ଜଣେ କୃଷକ ବୋଲି?

ମୁଁ ଆଉ ଏପରି ଜୀବନ ଚାହୁଁ ନାହିଁ, ତେଣୁ ଏହି ଦୀର୍ଘଯାତ୍ରାରେ ଚାଲିଛି

କ’ଣ ମୋର ଦାବି, ବଂଚିବା ପାଇଁ ଅଧିକାର

ତୁମମାନଙ୍କ ମଧ୍ୟରେ କେହି ମୋ ଭଳି ଜୀବନ ଜିଇଁପାରିବ?

ମୋ କଥା ସମସ୍ତଙ୍କୁ କହିବା ଲାଗି, ମୁଁ ଏହି ଦୀର୍ଘଯାତ୍ରାରେ ଚାଲିଛି

ମୋ ଜୀବନ ଚାଲିଯିବା ଆଗରୁ, ଟିକେ ମୋ କଥା ଶୁଣ

ନହେଲେ ମୋର ଏ ଭାରତ ଭୋକରେ ମରିଯିବ

ସେଥିପାଇଁ ମୁଁ ଏହି ଦୀର୍ଘଯାତ୍ରାରେ ଚାଲିଛି।

କବିତାର ଅନୁବାଦ କରିଛନ୍ତି ନମିତା ୱାଇକର

ପରୀ ଟିମ : ଜ୍ୟୋତି ଶିନୋଲି, ସମ୍ୟୁକ୍ତା ଶାସ୍ତ୍ରୀ, ସିଦ୍ଧାର୍ଥ ଆଦେଲକର ଓ ସିଂଚିତା ମାଜୀ

ଏହା ସହିତ ମଧ୍ୟ ଦେଖନ୍ତୁ: ନିରାଶାର କ୍ଷେତରୁ - ଆଶାର ଏକ ଯାତ୍ରା

ଅନୁବାଦ: ଓଡ଼ିଶାଲାଇଭ୍‍

Translator : OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

ଏହାଙ୍କ ଲିଖିତ ଅନ୍ୟ ବିଷୟଗୁଡିକ OdishaLIVE