ଚମନି ମୀନା ତାଙ୍କ ବୟସ ମନେ ପକାଇ ପାରନ୍ତିନି, କିନ୍ତୁ ସେ ମନେ ରଖିଛନ୍ତି ଯେ ତାଙ୍କ ଯୁବାବସ୍ଥାରେ ଖାଦ୍ୟର ସ୍ୱାଦ ଖୁବ୍ ଭଲ ଥିଲା: “ଆଜିକାଲି ଏହା ଅଲଗା ଲାଗୁଛି । ଆଉ ଆପଣ ଖାଦ୍ୟର ସେହି ସମାନ ବାସ୍ନା ପାଉନାହାନ୍ତି । ଦେଶୀ (ସ୍ୱଦେଶୀ) ବିହନ ଆଉ ନାହିଁ । ଏବେ ବିଭିନ୍ନ କିସମ ଖୋଜିବା କଷ୍ଟକର।”
ରାଜସ୍ଥାନର ଉଦୟପୁର ସହର ଉପକଣ୍ଠ ଘାଟି ଗାଁରେ ରହୁଥିବା ଚମନିବାଇଙ୍କୁ ପ୍ରାୟ ୮୦ ବର୍ଷ ହେଲାଣି ବୋଲି ସେ ମନେ କରନ୍ତି ଏବଂ ପିଲାବେଳରୁ ହିଁ ସେ ବିହନ ସଞ୍ଚୟ କରିଆସୁଛନ୍ତି । ଚମନିବାଇ ମନେ ପକାନ୍ତି ଯେ, କେମିତି ସେ ଓ ତାଙ୍କ ସ୍ୱାମୀ ସେମାନଙ୍କ ଘର ଓ କ୍ଷେତ ଗଢ଼ିଥିଲେ ଏବଂ କେବଳ ବଞ୍ଚି ରହିବା ପାଇଁ ହିଁ କେତେ କାମ କରିବାକୁ ପଡ଼ିଥିଲା । ତଥାପି, ସେ କହନ୍ତି, ସେମାନଙ୍କ ଯୁବାବସ୍ଥାରେ ଜୀବନ ଓ ଖାଦ୍ୟ ଏବର ତୁଳନାରେ ଭଲ ଥିଲା ।
ବର୍ଷ ବର୍ଷ ଧରି ଚମନିବାଇ ଓ ତାଙ୍କ ପରିବାର ବିଭିନ୍ନ କିସମର ସ୍ଥାନୀୟ ବିହନ ସଂରକ୍ଷଣ କରିଛନ୍ତି । ଏବେ ତାଙ୍କ ଜ୍ଞାନ ଓ ଅନୁଭୂତିକୁ ସେ ତାଙ୍କ ବୋହୂମାନଙ୍କୁ ସମର୍ପି ଦେଇଛନ୍ତି । ସେ କହିଲେ, “ମହିଳାମାନେ ଭଲ ଭାବରେ ବିହନ ସଞ୍ଚିପାରନ୍ତି’’ । ‘‘ସେମାନେ ସେଗୁଡ଼ିକର ଯତ୍ନ ନିଅନ୍ତି ଏବଂ ସେଗୁଡ଼ିକୁ ବଦଳାଇ ନୂଆ ବିହନ ରଖିବା କଥା ମନେ ରଖନ୍ତି । ଏହି ପ୍ରକ୍ରିୟା ହେଉଛି, ଟିକିନିଖି ବିବରଣୀର କଥା ।”
ଯେତେବେଳେ ସେମାନେ ବିବାହ କଲେ, ଚମନିବାଇଙ୍କ ବୋହୂ ଚମ୍ପାବାଇ ଓ ଡଲିବାଇ ଜାଣି ନଥିଲେ ଯେ ବିହନକୁ କେମିତି ରଖାଯିବ ଏବଂ ସଂରକ୍ଷଣ କରାଯିବ। ବର୍ଷ ବର୍ଷ ଧରି ସେମାନେ ସେମାନଙ୍କ ଶାଶୁଙ୍କୁ ନିରୀକ୍ଷଣ କଲେ ଏବଂ ତାଙ୍କର ପାରମ୍ପରିକ ଜ୍ଞାନ ଓ କୌଶଳକୁ ଆପଣେଇ ନେଲେ । ଏବେ, ଗୋଟିଏ ଦଶନ୍ଧିର ଅନୁଭବ ପରେ, ସେମାନେ ଯାହା ସବୁ ଶିଖିଥିଲେ ମତେ ଦେଖାଇବାକୁ ଉତ୍ସୁକ ଥିଲେ ।
ଏହି ପରିବାର ସାଇତି ରଖିବା ପାଇଁ ମାଟି କାଦୁଅରେ ତିଆରି ବଡ଼ ବଡ଼ ପାତ୍ର ବ୍ୟବହାର କରନ୍ତି । ପ୍ରାକୃତିକ ଓ ସ୍ଥାନୀୟ ସାମଗ୍ରୀରୁ ତିଆରି ଏହି ସବୁ ପାତ୍ରରେ ବିହନ ଥଣ୍ଡା ରହେ ।
ବିହନକୁ ଶୁଖିଲା ରଖିବା ପାଇଁ, ଏହି ପାତ୍ରରେ ବଡ଼ କଣାଟିଏ କରି ଏଥିରେ ପୁରୁଣା ମକାର ତୁଷ ପୂରାଇ ଦିଆଯାଏ । କୀଟମାନଙ୍କୁ ଦୂରେଇ ରଖିବା ପାଇଁ ଏହାର ବାହାର ପଟେ କିରାସିନି, ନିମ୍ବ ଏବଂ ପାଉଁଶର ପ୍ରଲେପ ଦିଆଯାଏ ।
ମଞ୍ଜି ଥିବା ବଡ଼ ବଡ଼ ଲାଉ ଓ କଖାରୁକୁ ମଧ୍ୟ ସାଇତି ରଖନ୍ତି ମୀନା ପରିବାର। ବେଳେବେଳେ, ସେମାନେ କୋଠି ବୋଲି କୁହାଯାଉଥିବା ସ୍ୱତନ୍ତ୍ର ଭାବେ ନିର୍ମିତ କାନ୍ଥ ପଛପଟେ ମଞ୍ଜିଗୁଡ଼ିକୁ ବାହାର କରନ୍ତି । ଏହି ସ୍ଥାନରେ ମଞ୍ଜିଗୁଡ଼ିକ ସୁରକ୍ଷିତ ରହେ ।
“ମୋର ସେ ସମୟର କଥା ମନେ ଅଛି, ଯେତେବେଳେ ଆମ ଗାଁରେ ବନ୍ୟାପାଣି ମାଡ଼ିଯାଇଥିଲା,” ଅତୀତକୁ ମନେ ପକାଇ କହନ୍ତି ଚମନିବାଇ । “ତାହା ଥିଲା ୧୯୭୩ ମସିହା ଏବଂ ଆମ ଗାଁର ସବୁ ଘର ନଷ୍ଟ ହୋଇଯାଇଥିଲା । ଆମର ସବୁ ଜିନିଷପତ୍ର ବି ନଷ୍ଟ ହୋଇଯାଇଥିଲା, କିନ୍ତୁ ମୋର ସବୁଠୁ ବେଶୀ ଚିନ୍ତା ଥିଲା ବିହନ ପାଇଁ । ତାହା ଥିଲା ମୋ ପାଇଁ ପ୍ରଥମ କଥା ଏବଂ ସେହି ସବୁ ବିହନ ଏବେ ବି ମୋ ପାଖରେ ଅଛି । ଜଣେ ଚାଷୀର ଜୀବନରେ ସେଗୁଡ଼ିକ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଂଶ ।”
ବହୁ ବର୍ଷ ତଳେ, ତାଙ୍କ ପରିବାର ବିହନ ସଞ୍ଚୟ ଓ ଅଦଳବଦଳ ଦିଗରେ କାର୍ଯ୍ୟ ଆରମ୍ଭ କଲେ । ଯାହା ଦ୍ୱାରା ସେମାନେ ଅନେକ ଲୁପ୍ତପ୍ରାୟ କିସମର ବିହନକୁ ସ୍ଥାନୀୟ ଚାଷୀମାନଙ୍କୁ ବାଣ୍ଟିପାରିଲେ। ଏହା ବଦଳରେ ଚାଷୀମାନେ ଯେତିକି ବିହନ ନେଉଥିଲେ ତା’ର ଦେଢ଼ ଗୁଣ ବିହନ ଦେଇ ଋଣ ପରିଶୋଧ କରୁଥିଲେ ।
ଚମନିବାଇଙ୍କ ପରିବାର ଏବେ ବି ସେମାନଙ୍କ ପରିବାରର ଆବଶ୍ୟକତା ପାଇଁ ଜୈବିକ ଚାଷ କରୁଥିଲେ ହେଁ ଆଜିକାଲି ବଜାରରେ ପ୍ରଚଳିତ ଧାରାର ଚାପ ବଢ଼ିବାରେ ଲାଗିଛି । ତାଙ୍କ ପୁଅ କେଶରାମ ମୀନା କହିଲେ, “ସରକାର ମାଗଣାରେ ଦେଉଥିବା ବିହନ କିମ୍ବା ସାର ଆମେ କାହିଁକି ନେଉନାହୁଁ ବୋଲି ଗାଁର ଅନେକ ଚାଷୀ ମୋତେ ପଚାରନ୍ତି । ସେମାନେ ମୋତେ ମୁର୍ଖ ବୋଲି କହନ୍ତି । କିନ୍ତୁ ସେସବୁ ସମାନ ଫସଲ ନୁହେଁ । ଆମେ ଘରେ ସେସବୁ ଖାଉନାହିଁ ।”
ବହୁ ଦଶନ୍ଧି ଧରି ଏହି ପରିବାର ବହୁବିଧ ଫସଲ ଚାଷ କରିଆସୁଛନ୍ତି । ଏପରିକି ଆଜି ବି ସେମାନେ ପ୍ରତି ତିନି ମାସରେ ସେମାନଙ୍କ ଫସଲ ବଦଳାଇ ଥାଆନ୍ତି । କିନ୍ତୁ, ବଜାର ଉପରେ ନିର୍ଭରଶୀଳତା ବଢୁଥିବାରୁ ଏହାର ନକାରାତ୍ମକ ପ୍ରଭାବ ଗାଁ ଉପରେ ପଡ଼ିବାରେ ଲାଗିଛି । ନିଜ ଆବଶ୍ୟକତା ମେଣ୍ଟାଇବା ପାଇଁ ପର୍ଯ୍ୟାପ୍ତ ଖାଦ୍ୟଶସ୍ୟ ଅମଳ କରିବାରେ ଅକ୍ଷମ ହୋଇ ବହୁ ପରିବାର ପରିପୂରକ ଭୋଜନ ପାଇଁ ବଜାର ଆଡ଼କୁ ମୁହାଁଇଛନ୍ତି । ଚମନିବାଇ କହିଲେ ଯେ ତାଙ୍କ ଯୁବାବସ୍ଥାରେ ସବୁ କିଛି ସେମାନଙ୍କ କ୍ଷେତରୁ ଅମଳ କରାଯାଉଥିଲା । ସେମାନେ କେବଳ ଲୁଣ କିଣିବାକୁ ବଜାର ଯାଉଥିଲେ ।
ସେ କହନ୍ତି ଯେ, ତାଙ୍କ ସ୍ୱାମୀ ବଞ୍ଚିଥିବା ବେଳେ ପରିବେଶ ଭିନ୍ନ ଥିଲା । “ସେତେବେଳେ ଭଲ ବର୍ଷା ହେଉଥିଲା । ତେଣୁ ଆମ ପାଇଁ ପାଣିର ଅଭାବ ନଥିଲା । ଏବେ ଏହା ଏକ ସଂଘର୍ଷ । ପରିସ୍ଥିତି ଆହୁରି ଖରାପ ହେବାରେ ଲାଗିଛି, କାରଣ ଗରମ ବଢୁଛି ।”
ଭାରତର ବହୁ କୃଷକ ମହିଳା, କିନ୍ତୁ ସେମାନଙ୍କ କାର୍ଯ୍ୟ ଭିତ୍ତିରେ ସେମାନଙ୍କୁ ସ୍ୱୀକୃତି ଦିଆଯାଉନାହିଁ । ଗ୍ରାମୀଣ ଭାରତର କେତେକ ଭାଗରେ, ବେଳେବେଳେ, ଆର୍ଥିକ ମୂଲ୍ୟ ଭିତ୍ତିରେ ବିହନକୁ “ଅଣ୍ଡିରା” କିମ୍ବା “ମାଈ” ଭାବରେ ଚିହ୍ନଟ କରାଯାଉଛି । କପା, ତମାଖୁ ଏବଂ କଫି ସମେତ ବିଭିନ୍ନ ଅର୍ଥକାରୀ ଫସଲ ଲାଗି ଅଣ୍ଡିରା ବିହନର ଉପାଦେୟତା ଅଧିକ । ପନିପରିବା ଏବଂ କେତେକ ଛୁଇଁକୁ ମାଈ ବିହନ ବୋଲି ବିବେଚନା କରାଯାଉଛି, କାରଣ ସେଗୁଡ଼ିକ ପରିବାରର ପ୍ରତିପୋଷଣ କରିଥାଆନ୍ତି ।
ପାନ୍ନାଲାଲ ପଟେଲ, ଜଣେ କୃଷକ ଏବଂ ସାମାଜିକ କର୍ମୀ । ସେ ଚାଷବାସ ସଂପର୍କିତ ବିଭିନ୍ନ କାର୍ଯ୍ୟ ଏବଂ ବିହନ ସଂରକ୍ଷଣ ପ୍ରଣାଳୀ ଦିଗରେ ମେୱାର ଅଞ୍ଚଳର ମହିଳା କୃଷକଙ୍କ ସହ କାର୍ଯ୍ୟ କରିଆସୁଛନ୍ତି । ସେ ବୁଝାଇ ଦେଲେ ଯେ ଜୈବିକ ଚାଷ କରି ଜୀବନଧାରଣ କରିବା କେତେ କଷ୍ଟକର । “ମେୱାରର ସେହି ସବୁ ମହିଳା ଗୋଷ୍ଠୀକୁ ଆମେ ସମର୍ଥନ କଲୁ ଯେଉଁମାନେ ବଜାରରେ ବିକିବା ଲାଗି ନିଜ ନିଜ ଫସଲରୁ ମୂଲ୍ୟଯୁକ୍ତ ଶସ୍ୟ ଅମଳ କରୁଥିଲେ । କିନ୍ତୁ ଶସ୍ୟ ଉତ୍ପାଦନର ଧାରା ବଜାୟ ରଖିବା କଷ୍ଟକର ହେଲା । ନଗଦ ଟଙ୍କା ଏବଂ ଫସଲ ଆମ ପାଇଁ ଆହ୍ୱାନ ସୃଷ୍ଟି କଲା । ମହିଳାମାନଙ୍କ ପାଇଁ ବ୍ୟବସାୟ କରିବା ଆହୁରି କଷ୍ଟକର, କାରଣ ସେମାନଙ୍କୁ ସବୁବେଳେ ପରିବାରରୁ ସମର୍ଥନ ମିଳେନାହିଁ । ସେମାନେ ଏକା ସାଙ୍ଗରେ ପରିବାର ଓ ପୁଞ୍ଜି ପରିଚାଳନା କରିବାକୁ ଚେଷ୍ଟା କଲେ । ସ୍ଥାନୀୟ ବିହନ ସବୁ ନଷ୍ଟ ହୋଇଗଲା ।”
ସୌଭାଗ୍ୟବଶତଃ, ଚମନିବାଇଙ୍କ ନାତିନାତୁଣୀମାନେ ପରିବାରର ପାରମ୍ପରିକ ଜୈବିକ ଚାଷକାମ ଜାରି ରଖିବାକୁ ଚାହାନ୍ତି । ଜେଜେ ମାଆଙ୍କ କାର୍ଯ୍ୟ ଓ ଜ୍ଞାନର ମୂଲ୍ୟକୁ ସେମାନେ ବୁଝିପାରନ୍ତି । ହେଲେ ସେମାନଙ୍କ ପାଇଁ ସଫଳତା ଲାଭ କରିବା ଦିନକୁ ଦିନ କଷ୍ଟକର ହେବାରେ ଲାଗିଛି ବୋଲି ସ୍ୱୀକାର କରନ୍ତି ।
ଇତ୍ୟବସରରେ, ରାଜସ୍ଥାନରେ ଆନୁବଂଶିକ ଭାବେ ପରିବର୍ତ୍ତିତ ବିହନ ପ୍ରଚଳନ ଦିଗରେ ପ୍ରଚେଷ୍ଟା ଚାଲିଛି ଯାହାକୁ କି ବହୁ କୃଷକ ଓ ସାମାଜିକ କର୍ମୀ ବିରୋଧ କରୁଛନ୍ତି । ଏହା ଫଳରେ ସେମାନଙ୍କ ନିଜସ୍ୱ କ୍ଷେତରେ କ’ଣ ଉପୁଜାଇବେ ବୋଲି ସ୍ଥିର କରିବାକୁ କୃଷକମାନଙ୍କର ସଂଘର୍ଷ ଆହୁରି ବଢ଼ିପାରେ । ହୁଏତ ଏହା ସେମାନଙ୍କୁ ନୂଆ ନୂଆ ସରକାରୀ ନୀତି ଆପଣେଇ ନେବାକୁ ବାଧ୍ୟ କରିବ ଯାହାକି ସେମାନଙ୍କ ନିଜର ଓ ନିଜ ପରିବାରର ଭାର ସମ୍ଭାଳିବା କ୍ଷମତାକୁ ପ୍ରତିହତ କରିବ ।
ଅନୁବାଦ: ଓଡ଼ିଶାଲାଇଭ୍