ସେ ଅମଳ କରିଥିବା ତାଜା ବାଇଗଣର ୪୦ କିଲୋ ଝୁଡ଼ି ପିଛା ୨୦୦ ଟଙ୍କା କମ୍‌ ଦରରେ ବିକ୍ରି କରି ଶସ୍ୟ ସଂଗ୍ରହକାରୀ ଏଜେଣ୍ଟଙ୍କ ନିକଟରୁ ପୁରୁଣା ୫୦୦ ଟଙ୍କିଆ ନୋଟ୍‌ ନେବା ବ୍ୟତୀତ ବାନ୍ଦୁ ଘୋରମଡ଼େଙ୍କ ପାଖରେ ଆଉ କିଛି ଉପାୟ ନଥିଲା ।

ନାଗପୁରରୁ ପ୍ରାୟ ୫୦ କିଲୋମିଟର ଦୂର ଚିଚୋଲିରେ ଗାଜର, ପାଳଙ୍ଗ, ବାଇଗଣ ଏବଂ ଭେଣ୍ଡି ଚାଷ କରୁଥିବା ଏହି ୪୦ ବର୍ଷରୁ ଅଧିକ ବୟସର ଚାଷୀ ଜଣକ କହିଲେ, “ଏତିକିରେ ଯଦି ମୁଁ ବିକି ନ ଥାଆନ୍ତି, ତେବେ ମୋ ବାଇଗଣ ନଷ୍ଟ ହୋଇଯାଇଥାଆନ୍ତା । ଯେଉଁମାନେ ଖାଦ୍ୟଶସ୍ୟ ବା କପା ଚାଷ କରୁଛନ୍ତି ସେମାନେ କିଛି ଦିନ ପାଇଁ ତାଙ୍କ ଫସଲକୁ ରଖିପାରିବେ; କିନ୍ତୁ ମୁଁ ପାରିବିନି ।”

ବର୍ଷ ବର୍ଷ ହେଲା, ଅକ୍ଟୋବରରୁ ଡିସେମ୍ବର ମାସ ଯାଏ ସବୁଦିନ ସକାଳେ, ଘୋରମଡ଼େ ତାଙ୍କ ଟେମ୍ପୋରେ ଚାରି କୁଇଣ୍ଟାଲ (୪୦୦ କିଲୋ) ପନିପରିବା ବୋଝେଇ କରି ନାଗପୁରରେ ଥିବା ସରକାରୀ କୃଷିଜାତ ସାମଗ୍ରୀ ବଜାର କମିଟିର ମଣ୍ଡିକୁ ଆଣନ୍ତି, ଯେଉଁଠି ଏଜେଣ୍ଟମାନଙ୍କ ଜରିଆରେ ଅଧିକୃତ ବ୍ୟବସାୟୀମାନେ ଚାଷୀଙ୍କ ସାମଗ୍ରୀ କିଣି ନିଅନ୍ତି ।

ନଭେମ୍ବର ୮ ତାରିଖରୁ, ଉଚ୍ଚ ମୂଲ୍ୟଯୁକ୍ତ ନୋଟ୍‌ ପ୍ରଚଳନ ନିଷିଦ୍ଧ ହେବା ପରେ, ସବୁଦିନ ମଣ୍ଡିରେ କମ୍‌ ଦାମରେ ସାମଗ୍ରୀ ବିକିବାକୁ ବାଧ୍ୟ ହେଉଛନ୍ତି ଘୋରମଡ଼େ। ତାଙ୍କ ପୁଅ ପାଞ୍ଚ କିଲୋମିଟର ଦୂରରେ ଥିବା ବ୍ୟାଙ୍କକୁ ଯାଇ ପୁରୁଣା ନୋଟ୍‌ ଜମା କରିବାକୁ ଧାଡ଼ିରେ ଠିଆ ହେଉଛନ୍ତି ।

ତଥାପି, ପୁରୁଣା ନୋଟ୍‌ ନେବାକୁ ରାଜି ହେଉଥିବାରୁ ଘୋରମଡ଼େ କିଛିଟା ରୋଜଗାର କରୁଛନ୍ତି । ଶୀଘ୍ର ନଷ୍ଟ ହେବା ଭଳି ଫସଲ ଅମଳ କରୁଥିବା ଆଉ କେତେକ ଚାଷୀ କିନ୍ତୁ ସେତିକି ରୋଜଗାର କରିପାରୁନାହାନ୍ତି, ସେମାନେ ଖୁବ୍‌ କ୍ଷତି ସହୁଛନ୍ତି ।

PHOTO • Jaideep Hardikar

ନାଗପୁରର କୃଷିଜାତ ସାମଗ୍ରୀ ବଜାର କମିଟିରେ ନିଜ ପାଳଙ୍ଗ ଫସଲ ସହିତ ଚନ୍ଦ୍ରଭାନ ଝୋଡ଼େ: ଦେଶର ବିଭିନ୍ନ ଭାଗରେ ବର୍ଷ ପରେ ବର୍ଷ ଧରି ମରୁଡ଼ି ପଡ଼ିବା ପରେ ଏ ବର୍ଷ ଭଲ ବର୍ଷା ହୋଇଥିବାରୁ ଭଲ ଅମଳ ହୋଇଥିଲା ଏବଂ ଚାଷୀମାନେ ଭଲ ଦାମରେ ଫସଲ ବିକିପାରିବେ ବୋଲି ଆଶା କରୁଥିଲେ

ଖବରକାଗଜ ରିପୋର୍ଟରୁ ଜଣାଯାଏ ଯେ ଗ୍ରାହକ ନ ଥିବାରୁ ଠାଣେ ଏବଂ ପୁଣେର ବିଭିନ୍ନ ବଜାରରେ ବି ଅନେକ ଚାଷୀ ସେମାନଙ୍କ ପନିପରିବାକୁ ଅଳିଆଗଦାରେ ପରିଣତ ହେବାକୁ ଛାଡ଼ି ଦେଇଛନ୍ତି ।

ହଠାତ୍‌ ଦର ଖସି ଆସିବା ପ୍ରତିବାଦରେ, ନାଗପୁରରୁ ପ୍ରାୟ ୧୬୦ କିଲୋମିଟର ଦୂର ଅମରାବତୀ ଅନ୍ତର୍ଗତ ହିୱାରଖେଡ଼ ବଜାରରେ କମଳା ଚାଷୀମାନେ ସେମାନଙ୍କ କମଳାକୁ ରାସ୍ତା ଉପରେ ପାହାଡ଼ ଭଳି ଗଦା କରି ରଖିଛନ୍ତି ।

ବେପାରୀମାନେ କିଣିବା ବନ୍ଦ କରିଦେବାରୁ ଦର କମିଯାଇଛି । ଅଧିକାଂଶ ଚାଷୀ ପୁରୁଣା ନୋଟ୍‌ ନେଉ ନଥିବାରୁ ବେପାରୀମାନେ କିଣୁନାହାନ୍ତି ।

କେବଳ କ’ଣ ବିମୁଦ୍ରୀକରଣ ଭଳି ଅପରିଣାମଦର୍ଶୀ ପଦକ୍ଷେପର ଅପରିହାର୍ଯ୍ୟ ପରିଣତି ହିଁ ଚାଷୀଙ୍କ ଦୁର୍ଦ୍ଦଶାର କାରଣ ନା ସେମାନେ ନଗଦ ଆକାରରେ ପ୍ରଚଳନଯୋଗ୍ୟ ନୋଟ୍‌ ନେବାକୁ ଜିଦ୍‌ କରି ନିଜ ଗୋଡ଼ରେ ନିଜେ କୁରାଢ଼ି ମାରିଛନ୍ତି ?

ବ୍ୟବସାୟୀମାନେ ସିଧାସଳଖ ତାଙ୍କ ବ୍ୟାଙ୍କ ଆକାଉଣ୍ଟରେ ଟଙ୍କା ଜମା କରିବେ ବୋଲି କହିଲେ । ଆମାଗାଓଁର ପୂର୍ବତନ ସରପଞ୍ଚ ପାୱାର ଏଥିରେ ରାଜି ହେଲେ । ବିନା ଝିଞ୍ଜଟରେ ତୁରନ୍ତ ଆକାଉଣ୍ଟରେ ଟଙ୍କା ଜମା ହୋଇଗଲା ।

ସେହି ଦିନ କିଛି ସମୟ ପରେ ତାଙ୍କର ପରିଚିତ ଆଠ ଜଣ ଚାଷୀ ପୁରୁଣା ନୋଟ୍‌ ନେଇ ମଣ୍ଡିରେ ୮୦ କୁଇଣ୍ଟାଲ କପା ବିକିଲେ । ଅନ୍ୟ କିଛି ସାମଗ୍ରୀ ବିକ୍ରି ପାଇଁ ଆସି ନଥିବାରୁ ବ୍ୟବସାୟୀମାନେ କୁଇଣ୍ଟାଲ ପିଛା ୫,୦୦୦ ଟଙ୍କା ଦରରେ ସେମାନଙ୍କଠାରୁ କପା କିଣିଲେ-ଯାହାକି ୪,୭୫୦ ଟଙ୍କାରୁ ୪,୯୦୦ ଟଙ୍କାର ବଜାର ଦର ତୁଳନାରେ ସାମାନ୍ୟ ଅଧିକ ।

ତାହେଲେ କାହିଁକି ଅଧିକାଂଶ ଚାଷୀ ସେମାନଙ୍କ ପଥ ଅନୁସରଣ କରୁନାହାନ୍ତି ? ବୁଝାଇବାକୁ ଯାଇ ପାୱାର କହନ୍ତି:

ଅଧିକାଂଶ ଚାଷୀ ସେମାନଙ୍କ ଉପାର୍ଜନକୁ ବ୍ୟାଙ୍କ ଆକାଉଣ୍ଟରେ ଜମା କରିବାକୁ ଚାହାଁନ୍ତି ନାହିଁ, କାରଣ ସେହି ଏକା ବ୍ୟାଙ୍କରୁ ସେମାନେ କୃଷି ଋଣ ନେଇଛନ୍ତି । ଅଧିକାଂଶ ଚାଷୀ ଦୀର୍ଘ ଦିନ ଧରି ଋଣ କିସ୍ତି ପଇଠରେ ଖିଲାପ କରିଥାଆନ୍ତି, କାରଣ ସେମାନେ ଏତେ ରୋଜଗାର କରିନାହାନ୍ତି ଯେ ଋଣ ପରିଶୋଧ କରିବା ସହିତ ସେମାନଙ୍କ ପରିବାର ଚଳାଇପାରିବେ ।

ସେମାନଙ୍କର ଆଶଙ୍କା ଥାଏ ଯେ, ଥରେ ସେମାନଙ୍କ ଉପାର୍ଜିତ ଅର୍ଥ ବ୍ୟାଙ୍କ ଆକାଉଣ୍ଟକୁ ଚାଲିଗଲେ ବ୍ୟାଙ୍କ ଟଙ୍କା ଉଠାଇବା ଲାଗି ମନା କରିବ ଏବଂ ମାର୍ଚ୍ଚ ମାସ ସୁଦ୍ଧା ସେମାନେ ଋଣ ବାବଦରେ ଚୂଡ଼ାନ୍ତ ପଇଠ କରିବାକୁ ଥିବା ଅର୍ଥରାଶି ସେମାନଙ୍କ ଜମାଖାତାରେ ରଖିବାକୁ ଚାପ ପକାଇବ । ଅଧିକାଂଶ ଚାଷୀ ଜାଣନ୍ତି ଯେ ଏପରି ହେଲେ ସେମାନଙ୍କ ଅବସ୍ଥା ଶୋଚନୀୟ ହୋଇପଡ଼ିବ ।

ଏକପାଖିଆ ଭାବେ ଚାଷୀଙ୍କ ଆକାଉଣ୍ଟରୁ ଋଣ ପରିଶୋଧ ବାବଦ ଟଙ୍କା କାଟି ରଖିବା ସକାଶେ ବ୍ୟାଙ୍କଗୁଡ଼ିକୁ ସରକାରୀ ଆଦେଶ ଦିଆଯାଇ ନାହିଁ । କିନ୍ତୁ ବିଭିନ୍ନ ବ୍ୟାଙ୍କ ଚାପ ପ୍ରୟୋଗ ନୀତି ଅବଲମ୍ବନ କରିଥାଆନ୍ତି, କାରଣ ସେମାନେ ଜାଣିଥାଆନ୍ତି ଯେ ଚାଷୀମାନେ ପରବର୍ତ୍ତୀ ବର୍ଷ ବି ଋଣ ଦରକାର କରିବେ ଏବଂ ତେଣୁ, ବ୍ୟାଙ୍କକୁ ଅସନ୍ତୁଷ୍ଟ କରିବାକୁ ଉଚିତ୍‌ ମଣିବେ ନାହିଁ ।

ପାୱାର କହିଲେ, “ବ୍ୟାଙ୍କ ଆକାଉଣ୍ଟରେ ଟଙ୍କା ଜମା କରିବାକୁ ମୁଁ ରାଜି ହେଲି, କାରଣ ମୋ ନାଁରେ କୌଣସି ଋଣ ନାହିଁ ଏବଂ ମୋର ତୁରନ୍ତ ଟଙ୍କା ଦରକାର ନାହିଁ । ଆମର କୃଷି ଋଣ ମୋ ବାପାଙ୍କ ଆକାଉଣ୍ଟରେ ରହିଛି, ତେଣୁ ମୋ ଆକାଉଣ୍ଟରୁ ବ୍ୟାଙ୍କ ଟଙ୍କା କାଟିପାରିବ ନାହିଁ ।”

ମଣ୍ଡିକୁ ଆସିଥିବା ଅନ୍ୟ ଆଠ ଜଣ ଚାଷୀଙ୍କର ବି ତୁରନ୍ତ ଟଙ୍କା ଦରକାର ନଥିଲା ବୋଲି ସେ କହିଲେ। “କିନ୍ତୁ ଅନ୍ୟ କୌଣସି ରୋଜଗାର ପନ୍ଥା ନ ଥାଇ ପରିବାର ଚଳାଇବା ପାଇଁ ଚାଷ କରୁଥିବା ଅଧିକାଂଶ କ୍ଷୁଦ୍ର ଚାଷୀ ଚେକ୍‌ ନେବାକୁ କିମ୍ବା ଆକାଉଣ୍ଟରେ ଜମା କରିବାକୁ ରାଜି ହେବେ ନାହିଁ ।”

ନଭେମ୍ବର ୧୬ ତାରିଖି ବୁଧବାର ଦିନ, ନାଗପୁରରୁ ପ୍ରାୟ ୭୦ କିଲୋମିଟର ଦୂର ୱାର୍ଦ୍ଧା ଜିଲ୍ଲାର ସେଲୁ ସହରର ମଣ୍ଡିରେ ୩୮ ବର୍ଷୀୟ ସୁଦାମ ପାୱାର ଥିଲେ ଏକମାତ୍ର ଚାଷୀ, ଯିଏ କି ତାଙ୍କର ନଅ କୁଇଣ୍ଟାଲ କପା ବିକିବାକୁ ଆସିଥିଲେ ।

ମୁଖ୍ୟତଃ ସୋୟାବିନ ଓ କପା ଚାଷ କରାଯାଉଥିବା ୧୦୦ଟି ଗାଁ ପାଇଁ ଉଦ୍ଦିଷ୍ଟ ସେଲୁର କୃଷିଜାତ ସାମଗ୍ରୀ ବଜାର କମିଟି (APMC) ପରିଚାଳିତ ମଣ୍ଡିର ଉପାଧ୍ୟକ୍ଷ ତଥା ଚାଷୀ ରାମକୃଷ୍ଣ ଉମାଥେ କହିଲେ,“ଚାଷୀଙ୍କୁ ବରବାଦ କରିଦେଇଛି ବିମୁଦ୍ରୀକରଣ’’। ‘‘ପ୍ରାୟ ଏକ ସପ୍ତାହ କାଳ, ଆମ ବଜାରକୁ କେହି ହେଲେ କ୍ରେତା କି ବିକ୍ରେତା ଆସି ନଥିଲେ ।”

PHOTO • Jaideep Hardikar

ୱାର୍ଦ୍ଧା ଜିଲ୍ଲାର ସେଲୁ ସହରରେ ଥିବା APMCରେ ସଦ୍ୟ ଉତ୍ପାଦିତ ସୋୟାବିନ୍‌ ବସ୍ତା

ତେଣୁ, କୁଲି, ପରିବହନକାରୀ ଏବଂ ଅନ୍ୟ ସହଯୋଗୀମାନଙ୍କ ପାଇଁ ବି କାମ ନଥିଲା ବୋଲି କହିଲେ ସହକାରୀ ବଜାର ସଂପାଦକ ମହେନ୍ଦ୍ର ଭଣ୍ଡାରକର ।

ବୁଧବାର ଦିନ ଉମାଥେ କହିଲେ, “ବର୍ଷର ଏହି ସମୟ ହିଁ ଭଲ କାରବାରର ସମୟ, କିନ୍ତୁ ନଭେମ୍ବର ୮ରୁ ନୂଆ ଅମଳ ଆସିବା କମିଯାଇଛି ।”

ଦିନକୁ ଆସୁଥିବା ୫,୦୦୦ କୁଇଣ୍ଟାଲ ଅମଳ ଶୂନକୁ ଖସି ଆସିଥିଲା ବୋଲି ସେ କହିଲେ । “ଗତକାଲି ୧୦୦ ବସ୍ତା (କୁଇଣ୍ଟାଲ) ଆସିଥିଲା ।”

ଉମାଥେ କହିଲେ ଯେ ବ୍ୟବସାୟୀମାନେ ଚେକ୍‌ ଦେବାକୁ କିମ୍ବା ଆକାଉଣ୍ଟକୁ ଟଙ୍କା ପଠାଇବାକୁ କହୁଛନ୍ତି, କିନ୍ତୁ କାଳେ ବ୍ୟାଙ୍କ ‘କୃଷି ଋଣ ବାବଦ ଟଙ୍କା କାଟିଦେବ’ ବୋଲି ଭାବି ଚାଷୀମାନେ ଏହା ଗ୍ରହଣ କରିବାକୁ ରାଜି ନୁହଁନ୍ତି ।

ଉମାଥେ କହିଲେ, “ଏଠାକାର ଅଧିକାଂଶ ଜମିରେ ଜଳସେଚନ ସୁବିଧା ନାହିଁ । ଚାଷୀମାନେ ଘୋର ଆର୍ଥିକ ସଂକଟ ଭିତରେ ରହିଛନ୍ତି । ସେମାନଙ୍କୁ ହାତଉଧାରି ଶୁଝିବାକୁ ଏବଂ ବାକିରେ ଆଣିଥିବା କୃଷି ସାମଗ୍ରୀ ବାବଦ ଟଙ୍କା ପଇଠ କରିବାକୁ ପଡ଼ିବ ଏବଂ ତେଜରାତି ଦୋକାନର ବାକି ପଇସା ଏବଂ କୃଷି ଶ୍ରମିକଙ୍କ ମଜୁରିଦେବାକୁ ହେବ ।”

“ହାତରେ କିଛି ପଇସା ରହିଲେ ଯାଇ ଏହାକୁ ବ୍ୟାଙ୍କରେ ଜମା କରାଯାଏ- ତା ନହେଲେ ବ୍ୟାଙ୍କ ଋଣ ବି ବକେୟା ପଡ଼ିଥାଏ ।”

ଅନ୍ୟ ଏକ କାରଣରୁ ବି ଉତ୍ପାଦର ବିକ୍ରି ଏବଂ ଦର ଖସିବାରେ ଲାଗିଛି: ଖୁଚୁରା ବଜାରରେ ଜିନିଷପତ୍ର କିଣା କମିଯାଇଛି । ନାସିକ୍‌ର ଜଣେ ପାଇକାରୀ ଟମାଟୋ ବ୍ୟବସାୟୀ ରାଜେଶ ଠାକୁର କହିଲେ, “ବ୍ୟବସାୟର ଅଗ୍ରଗତି ପ୍ରଭାବିତ ହୋଇଛି ।”

ଉଦାହରଣ ଦେବାକୁ ଯାଇ ନାଗପୁର APMCର ଜଣେ ନିର୍ଦ୍ଦେଶକ ତଥା କମଳା ବ୍ୟବସାୟୀ ରାଜେଶ ଛାବ୍ରାନି କହିଲେ, ବିମୁଦ୍ରୀକରଣ ପ୍ରଭାବରେ କୋଲକାତା ଓ ଉତ୍ତର ଭାରତର ବଜାରରେ ବିକ୍ରି ହ୍ରାସ ପାଇବା କାରଣରୁ ନାଗପୁର ମଣ୍ଡିକୁ କମଳା ଆସିବା ଏକପ୍ରକାର ବନ୍ଦ ହୋଇଯାଇଛି ।

ସେ କହିଲେ, “କମଳାର ଦର ଆଜି (ମଙ୍ଗଳବାର) ୨୫ରୁ ୩୫ ପ୍ରତିଶତ ଖସି ଟନ୍‌ ପିଛା ୪୦,୦୦୦ ଟଙ୍କାରୁ ୨୫-୩୦,୦୦୦ ଟଙ୍କା ରହିଛି ’’। ‘‘ପ୍ରତି ଦିନ ମଣ୍ଡିରୁ କୋଲକାତାକୁ ଦଶରୁ ୧୨ଟି କମଳା ବୋଝେଇ ଟ୍ରକ୍‌ ଯାଉଥିଲା, ଯାହାକି ବନ୍ଦ ହୋଇଯାଇଛି।”

ୱାର୍ଦ୍ଧା ଜିଲ୍ଲାର ହିଙ୍ଗାନଘାଟ ସହରରେ ଥିବା APMCର ଜଣେ ନିର୍ଦ୍ଦେଶକ ମଧୁସୂଦନ ହାରାଣେ କହିଲେ, “ନଭେମ୍ବର ୮ରୁ ଆମ APMC ବନ୍ଦ ହୋଇଯାଇଛି ।”

ବିମୁଦ୍ରୀକରଣର ସମୟ ଉପରେ ସେ ପ୍ରଶ୍ନ ଉଠାଇଲେ । ସେ କହିଲେ, “ଆମ ମଣ୍ଡିରେ ବାର୍ଷିକ ପ୍ରାୟ ୧,୫୦୦ କୋଟି ଟଙ୍କାର କାରବାର ହୋଇଥାଏ । ଏହାର ଅଧାରୁ ଅଧିକ ହୋଇଥାଏ ଅକ୍ଟୋବରରୁ ଡିସେମ୍ବର ଭିତରେ-କୃଷିଜାତ ସାମଗ୍ରୀ କାରବାରର ପ୍ରକୃଷ୍ଟ ସମୟ ।”

ବିଡ଼ମ୍ବନା ଯେ, ଦେଶର ବିଭିନ୍ନ ଭାଗରେ ବର୍ଷ ପରେ ବର୍ଷ ମରୁଡ଼ି ପଡ଼ିବା ପରେ ଏ ବର୍ଷ ଭଲ ବର୍ଷା ହୋଇଥିବାରୁ ଭଲ ଅମଳ ହୋଇଥିଲା ଏବଂ ଚାଷୀମାନେ ଭଲ ରୋଜଗାର କରିବେ ବୋଲି ଆଶା କରୁଥିଲେ ।

ଏହି ଲେଖା (ଏଠାରେ ସାମାନ୍ୟ ପରିମାର୍ଜିତ) ପ୍ରଥମେ କୋଲକାତାରୁ ପ୍ରକାଶିତ ଦି ଟେଲିଗ୍ରାଫ୍‌ର ୨୨ ନଭେମ୍ବର ୨୦୧୬ ସଂଖ୍ୟାରେ ପ୍ରକାଶିତ ହୋଇଥିଲା ।

ଅନୁବାଦ: ଓଡ଼ିଶାଲାଇଭ୍‍

Jaideep Hardikar

ଜୟଦୀପ ହାର୍ଦିକର୍‌ ନାଗପୁରର ଜଣେ ସାମ୍ବାଦିକ ଏବଂ ଲେଖକ, ଏବଂ PARIର ଜଣେ କୋର୍‌ ଟିମ୍‌ ସଦସ୍ୟ

ଏହାଙ୍କ ଲିଖିତ ଅନ୍ୟ ବିଷୟଗୁଡିକ ଜୟଦୀପ ହାର୍ଦିକର
Translator : OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

ଏହାଙ୍କ ଲିଖିତ ଅନ୍ୟ ବିଷୟଗୁଡିକ OdishaLIVE