ତରୁଣ ଖମ୍ରି ଅଟକ ରଖିବାର ଆଘାତରୁ ଏ ପର୍ଯ୍ୟନ୍ତ ଆରୋଗ୍ୟ ଲାଭ କରିପାରିନାହିଁ।

କମ୍ମାଭାଇ ଲଖାଭାଇ ରାବାରୀ ମତ ଦିଅନ୍ତି, ‘‘ସେ ଆଉ ଥରେ ସ୍ୱାସ୍ଥ୍ୟ ଫେରିପାଇବାକୁ ସମୟ ଲାଗିବ’’।

ଏହି ପଶୁପାଳକ ଜଣକ ତାଙ୍କ ଗୋଠରେ ଥିବା ଗୋଟିଏ ଯୁବ ଅଣ୍ଡିରା ଓଟ ବିଷୟରେ କହୁଛନ୍ତି।

ଜାନୁଆରୀ ୨୦୨୨ର ଅସାଧାରଣ ଘଟଣା ପରିପ୍ରେକ୍ଷୀରେ କମ୍ମାଭାଇଙ୍କ ଆଶାପୂର୍ଣ୍ଣ କଣ୍ଠସ୍ୱରକୁ ବୁଝି ହେଉଥିଲା। ସେତେବେଳେ ମହାରାଷ୍ଟ୍ରର ଅମରାବତୀଠାରେ ସ୍ଥାନୀୟ ପୋଲିସ ଦ୍ୱାରା ୫୮ଟି ଓଟକୁ ଅଟକ ରଖାଯାଇଥିଲା। ଯଦିଓ ଗୋଟିଏ ମାସ ପରେ ଫେବୃଆରୀ ମାସରେ ସେମାନଙ୍କୁ ଛାଡ଼ି ଦିଆଯାଇଥିଲା, ସବୁ ଓଟଙ୍କର ସ୍ୱାସ୍ଥ୍ୟ ଖରାପ ହୋଇଯାଇଥିଲା।

ସେମାନଙ୍କ ଚରାଳୀମାନେ କହନ୍ତି ଯେ ସେମାନଙ୍କୁ ଅଟକ ରଖାଯିବା ସମୟରେ ଏହି ଜୀବମାନେ ସେମାନଙ୍କର ନିୟମିତ ଖାଦ୍ୟ ଖାଇବାକୁ ପାଇନଥିଲେ। ସେମାନଙ୍କୁ ଯେଉଁ ଗୋ-ରକ୍ଷଣ କେନ୍ଦ୍ରଠାରେ ରଖାଯାଇଥିଲା ତାହା ହେଉଛି ଗାଈମାନଙ୍କୁ ଖୁଆଇବା ପାଇଁ ବ୍ୟବସ୍ଥା କରାଯାଇଥିବା ଏକ ଗୋ-ଆଶ୍ରୟ ସ୍ଥଳ। କମ୍ମାଭାଇ କହନ୍ତି, ‘‘ସେମାନେ ହେଉଛନ୍ତି ଖୋଲାରେ ଚରୁଥିବା ଜୀବ ଏବଂ ବଡ଼ ବଡ଼ ଗଛର ପତ୍ର ଖାଆନ୍ତି। ସେମାନେ ଗୋ-ଖାଦ୍ୟ ଖାଆନ୍ତି ନାହିଁ।’’

Left: The camels were detained and lodged in a confined space at the Gaurakshan Sanstha in Amravati district. Right: Kammabhai with Khamri, a young male camel who has not yet recovered from the shock of detention
PHOTO • Akshay Nagapure
Left: The camels were detained and lodged in a confined space at the Gaurakshan Sanstha in Amravati district. Right: Kammabhai with Khamri, a young male camel who has not yet recovered from the shock of detention
PHOTO • Jaideep Hardikar

ବାମ: ଓଟମାନଙ୍କୁ ଅଟକ ରଖାଯାଇଥିଲା ଏବଂ ଅମରାବତୀ ଜିଲ୍ଲାର ଗୋ-ରକ୍ଷଣ ସଂସ୍ଥାରେ ଏକ ଆବଦ୍ଧ ସ୍ଥାନରେ ରଖାଯାଇଥିଲା। ଡାହାଣ: ଅଟକ ରଖାଯିବାର ମାନସିକ ଆଘାତରୁ ଏ ପର୍ଯ୍ୟନ୍ତ ଆରୋଗ୍ୟ ଲାଭ କରିନଥିବା ଏକ ଯୁବ ଅଣ୍ଡିରା ଓଟ ଖମ୍ରି ସହିତ କମ୍ମାଭାଇ

ତେଣୁ ଯେତେବେଳେ ମାସେରୁ ଅଧିକ ସମୟ ସେମାନେ ସୋୟାବିନ୍‌ ଏବଂ ଅନ୍ୟ ଫସଲ ଅବଶେଷ ଖାଇବାକୁ ବାଧ୍ୟ ହୋଇଥିଲେ ସେମାନଙ୍କର ସ୍ୱାସ୍ଥ୍ୟ କ୍ଷୟ ହୋଇଥିଲା। ୨୦୨୨ ମସିହା ଫେବୃଆରୀ ମାସର ମଧ୍ୟ ଭାଗରେ ଯେତେବେଳେ ସେମାନେ ସେମାନଙ୍କର ପାଞ୍ଚ ଜଣ ଚିନ୍ତାଗ୍ରସ୍ତ ପଶୁପାଳକଙ୍କ ପାଖକୁ ଆସିଥିଲେ ସେମାନଙ୍କର ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଲା। ଜୁଲାଇ ସୁଦ୍ଧା ୨୪ଟି ଓଟ ମୃତ୍ୟୁବରଣ କରିସାରିଥିଲେ।

ମାଲିକମାନେ ଏହି ଓଟମାନଙ୍କୁ ହଠାତ୍‌ ଅଲଗା କରିବା ଏବଂ ଏହା ପରେ ସେମାନଙ୍କୁ ବନ୍ଦ କରି ରଖିବାର ଆଘାତକୁ ଦୋଷ ଦିଅନ୍ତି। କମ୍ମାଭାଇଙ୍କ ପରି ଚାରି ଜଣ ମାଲିକ ହେଉଛନ୍ତି ରାବାରୀ ସମୂହର; ଜଣେ ହେଉଛନ୍ତି ଫକିରାନି ଜାଟ୍‌। ଏମାନେ ସମସ୍ତେ ପାରମ୍ପରିକ ଓଟପାଳକ ସେମାନଙ୍କର ମୂଳ ସ୍ଥାନ ହେଉଛି ଗୁଜରାଟର କଚ୍ଛ-ଭୁଜ ଜିଲ୍ଲା।

ଏକ ନିଷ୍ଠୁର ଘଟଣାକ୍ରମରେ ଏହି ଅସହାୟ ପଶୁପାଳକମାନଙ୍କୁ ସେହି କେନ୍ଦ୍ର ଦ୍ୱାରା ସ୍ଥିର କରାଯାଇଥିବା ତଥା ଏହି ପଶୁମାନଙ୍କ ପାଇଁ ଅନୁପଯୁକ୍ତ ହୋଇଥିବା ଖାଦ୍ୟ ପାଇଁ ଦୈନିକ ଖାଦ୍ୟ ନିମନ୍ତେ ଓଟ ପିଛା ଟ. ୩୫୦ ପୈଠ କରିବାକୁ ମଧ୍ୟ ହୋଇଥିଲା। ଗୋ-ରକ୍ଷଣ ସଂସ୍ଥା ଦ୍ୱାରା ହିସାବ କରାଯାଇଥିବା ବିଲ୍‌ ଥିଲା ଟ. ୪ ଲକ୍ଷ। ଏହି ଗୋ-ଆଶ୍ରୟ ନିଜକୁ ଏକ ସ୍ୱେଚ୍ଛାସେବୀ ଅନୁଷ୍ଠାନ କହିଥାଏ କିନ୍ତୁ ଏହା ରାବାରୀମାନଙ୍କ ଉପରେ ଓଟମାନଙ୍କ ଯତ୍ନ ଏବଂ ରକ୍ଷଣାବେକ୍ଷଣ ନିମନ୍ତେ ଏକ ଦେୟ ଲଦି ଦେଇଥିଲା।

ମାଲ୍‌ ପରିବହନ ପାଇଁ ଓଟମାନଙ୍କୁ ବ୍ୟବହାର କରୁଥିବା ଜଣେ ବୟସ୍କ ପଶୁପାଳକ ଜକରା ରାବାରୀ ସୂଚନା ଦେଇଥିଲେ ଯେ, ‘‘ସାରା ବିଦର୍ଭରୁ ଆମ ଲୋକଙ୍କଠାରୁ ଅର୍ଥ ସଂଗ୍ରହ କରିବା ପାଇଁ ଆମକୁ ଦୁଇ ଦିନ ସମୟ ଲାଗିଯାଇଥିଲା’’। ସେ ନାଗପୁର ଜିଲ୍ଲା ସିର୍ସି ଗ୍ରାମରେ ଏକ ଡେରା (ଥଇଥାନ ସ୍ଥାନ)ରେ ବାସ କରନ୍ତି ଏବଂ ସେ ହେଉଛନ୍ତି ସେହି ୨୦ଟି ପରିବାର ମଧ୍ୟରୁ ଅନ୍ୟତମ ଯେଉଁମାନେ ମଧ୍ୟ ଭାରତ ଦେଇ ଆସୁଥିବା ଏହି ଓଟ ଦଳରୁ କିଛି ଓଟ ଗ୍ରହଣ କରିବାର ଥିଲା।

Left: Activists from an Amravati-based animal rescue organization tend to a camel that sustained injuries to its leg due to infighting at the kendra. Right: Rabari owners helping veterinarians from the Government Veterinary College and Hospital, Amravati, tag the camels in line with the court directives
PHOTO • Rohit Nikhore
Left: Activists from an Amravati-based animal rescue organization tend to a camel that sustained injuries to its leg due to infighting at the kendra. Right: Rabari owners helping veterinarians from the Government Veterinary College and Hospital, Amravati, tag the camels in line with the court directives
PHOTO • Rohit Nikhore

ବାମ: ଅମରାବତୀର ଏକ ଜୀବ ଉଦ୍ଧାର ସଂସ୍ଥାର କର୍ମୀମାନେ ସେହି କେନ୍ଦ୍ରରେ ପରସ୍ପର ମଧ୍ୟରେ ମାଡ଼ପିଟିରୁ ଗୋଡ଼ରେ ଆଘାତ ପାଇଥିବା ଗୋଟିଏ ଓଟର ଯତ୍ନ ନେଉଛନ୍ତି। ଡାହାଣ: ନ୍ୟାୟାଳୟଙ୍କ ନିର୍ଦ୍ଦେଶ ଅନୁଯାୟୀ ଟ୍ୟାଗ୍‌ ଲଗାଇବାରେ ରାବାରୀ ଓଟ ମାଲିକମାନେ ସରକାରୀ ପଶୁ ମହାବିଦ୍ୟାଳୟ ଏବଂ ଡାକ୍ତରଖାନା, ଅମରାବତୀରୁ ଆସିଥିବା ପଶୁ ବିଶେଷଜ୍ଞମାନଙ୍କୁ ସାହାଯ୍ୟ କରୁଛନ୍ତି

*****

ଗୋଟିଏ ବର୍ଷ ତଳେ, ହାଇଦ୍ରାବାଦର ଜନୈକ ଆତ୍ମଘୋଷିତ ପଶୁ ଅଧିକାର କର୍ମୀ ପାଞ୍ଚ ଜଣ ପଶୁପାଳକଙ୍କ ବିରୋଧରେ ତାଲେଗାଓଁ ଦଶାସର ପୋଲିସ ଥାନାରେ ଏକ ଅଭିଯୋଗ ରୁଜୁ କରିଥିଲେ। ସେମାନେ ହାଇଦ୍ରାବାଦର ଏକ କଂସେଇଖାନାକୁ ଓଟ ପଠାଉଥିବା ଅଭିଯୋଗ କରାଯାଇଥିଲା। ଏହି ରାବାରୀମାନେ ମହାରାଷ୍ଟ୍ରର ବିଦର୍ଭ ଅଞ୍ଚଳରେ ଶିବିର କରି ରହୁଥିଲେ। ପୋଲିସ ଏହି ପାଞ୍ଚ ଜଣ ପଶୁପାଳକଙ୍କୁ ନିମଗାଭନ ନାମକ ଏକ ଗାଁରୁ ଗିରଫ କରିଥିଲେ। ଏହି ଗାଁ ଅମରାବତୀ ଜିଲ୍ଲା ପୋଲିସର କାର୍ଯ୍ୟ କ୍ଷେତ୍ର ମଧ୍ୟରେ ଆସିଥାଏ। ଏହି ମାଲିକମାନଙ୍କୁ ପ୍ରାଣୀ କ୍ରୁରତା ପ୍ରତିରୋଧ ଅଧିନିୟମ, ୧୯୬୦ର ଧାରା ୧୧ (୧)(ଘ) ଅଧିନରେ ଗିରଫ କରାଯାଇଥିଲା ଏବଂ ଓଟମାନଙ୍କୁ ଅମରାବତୀରେ ଏକ ଗୋ-ରକ୍ଷଣ କେନ୍ଦ୍ରରେ ଅଟକ ରଖାଯିବା ପାଇଁ ପଠାଇ ଦିଆଯାଇଥିଲା। (ପଢ଼ନ୍ତୁ: କଚ୍ଛ ଓଟଙ୍କ ହେପାଜତ: ଯାଯାବରଙ୍କ ଜାହାଜ )

ଯଦିଓ ସ୍ଥାନୀୟ ନ୍ୟାୟାଳୟ ତୁରନ୍ତ ମାଲିକମାନଙ୍କୁ ଜାମିନ ମଞ୍ଜୁର କରିଦେଇଥିଲେ, ସେମାନଙ୍କ ଜୀବମାନଙ୍କ ପାଇଁ ଯୁଦ୍ଧ ଲମ୍ବା ହୋଇଚାଲିଲା ଏବଂ ଜିଲ୍ଲା ନ୍ୟାୟାଳୟ ପର୍ଯ୍ୟନ୍ତ ପହଞ୍ଚିଲା। ଜାନୁଆରୀ ୨୫, ୨୦୨୨ ରେ ଅମରାବତୀର ଜଣେ ମାଜିଷ୍ଟ୍ରେଟ୍‌ ଏହି ଓଟମାନଙ୍କ ହେପାଜତ ଅଧିକାର ନିମନ୍ତେ ଗୋ-ରକ୍ଷଣ ସଂସ୍ଥା ସମେତ ତିନୋଟି ପ୍ରାଣୀ ଅଧିକାର ସଂସ୍ଥାର ଆବେଦନ ଖାରଜ କରିଥିଲେ। ଏହା କେତେଗୁଡ଼ିଏ ସର୍ତ୍ତ ପୂରଣ କରିବା କ୍ଷେତ୍ରରେ ପାଞ୍ଚ ଜଣଯାକ ରାବାରୀ ପଶୁପାଳକଙ୍କ ଆବେଦନକୁ ଅନୁମତି ଦେଇଥିଲା।

ପଶୁପାଳକମାନଙ୍କୁ ଏହି ଜୀବମାନଙ୍କ ରକ୍ଷଣାବେକ୍ଷଣ ଏବଂ ଯତ୍ନ ନିମନ୍ତେ ଗୋ-ରକ୍ଷଣ ସଂସ୍ଥା ଦ୍ୱାରା ସ୍ଥିର କରାଯାଇଥିବା ଏକ ଉପଯୁକ୍ତ ଦେୟ ପୈଠ କରିବାକୁ କୁହାଯାଇଥିଲା। ଫେବୃଆରୀ ୨୦୨୨ରେ ଅମରାବତୀରେ ଏକ ଜିଲ୍ଲା ଏବଂ ସେସନ୍‌ ଅଦାଲତ ପ୍ରତି ଜୀବ ପିଛା ଦୈନିକ ଖର୍ଚ୍ଚ ଟ. ୨୦୦କୁ ହ୍ରାସ କରିଥିଲା।

ଏହା ରାବାରୀମାନଙ୍କ ପାଇଁ ଏକ ବଡ଼ ଆଶ୍ୱସ୍ତି ଥିଲା। ସେମାନେ ପୂର୍ବରୁ ଏହି ଦେୟ ଅଧିକ ଦେଇଥିବାରୁ ସେମାନଙ୍କୁ ଆଉ ଅତିରିକ୍ତ ଅର୍ଥ ଯୋଗାଡ଼ କରିବାକୁ ହୋଇନଥିଲା।

A herder from the Rabari community takes care of a camel who collapsed on the outskirts of Amravati town within hours of its release
PHOTO • Akshay Nagapure

ରାବାରୀ ସମୂହର ଜଣେ ପଶୁପାଳକ ମୁକ୍ତି ପାଇବାର କେଇ ଘଣ୍ଟା ମଧ୍ୟରେ ଅମରାବତୀ ସହର ବାହାରେ ବେହୋସ ହୋଇଯାଇଥିବା ଏକ ଓଟର ଯତ୍ନ ନେଉଛନ୍ତି

ଜାକରା ରାବାରୀ କହନ୍ତି, ‘‘ଆମେ ଅଦାଲତଙ୍କ ଦେୟ, ଓକିଲଙ୍କ ଦେୟ ଏବଂ ଅଭିଯୁକ୍ତ ପାଞ୍ଚ ଜଣ ପଶୁପାଳକଙ୍କ ଭଲମନ୍ଦ ବୁଝିବାରେ ପ୍ରାୟ ଟ. ୧୦ ଲକ୍ଷ ବ୍ୟୟ କରିଛୁ’’।

୨୦୨୨ ମସିହା ଫେବୃଆରୀ ମାସର ମଧ୍ୟ ଭାଗରେ ଓଟମାନଙ୍କୁ ଶେଷରେ ସେମାନଙ୍କ ମାଲିକଙ୍କୁ ହସ୍ତାନ୍ତର କରାଯାଇଥିଲା, ଯେଉଁମାନେ ଲକ୍ଷ୍ୟ କରିଥିଲେ ଯେ ସେମାନଙ୍କ ଓଟମାନେ ଅସୁସ୍ଥ ଏବଂ କୁପୋଷିତ ହୋଇଛନ୍ତି। ଛାଡ଼ି ଦିଆଯିବାର କେଇ ଘଣ୍ଟା ମଧ୍ୟରେ ଦୁଇଟି ଓଟ ଅମରାବତୀ ସହର ବାହାରେ ପ୍ରାଣ ହରାଇଥିଲେ।

ଆଉ ୩-୪ ମାସ ପରେ, ଅନ୍ୟଗୁଡ଼ିକ ମଧ୍ୟ ମୃତ୍ୟୁବରଣ କରିଥିଲେ। ଛତିଶଗଡ଼ର ବଲୋଦା ବଜାର ଜିଲ୍ଲାରେ ଥିବା ତାଙ୍କ ଶିବିରରୁ ସାଜନ ରାବାରୀ ପରୀ ସହ ଫୋନ୍‌ରେ କଥାବାର୍ତ୍ତା କରି କହିଥିଲେ, ‘‘ମାର୍ଚ୍ଚରୁ ଏପ୍ରିଲ୍‌ ଆମେ ସେମାନଙ୍କ ଖରାପ ସ୍ୱାସ୍ଥ୍ୟ କାରଣରୁ ଅଧିକ ଦୂର ଚାଲିପାରିନଥିଲୁ। ଖରାଦିନେ ଆମ ଡେରାକୁ ଆସିବା ରାସ୍ତାରେ ସେମାନେ ସବୁଜ ପତ୍ର ପାଇନଥିଲେ ଏବଂ ମୌସୁମୀ ଆସିବା ବେଳକୁ ସେମାନେ ଏତେ ଦୁର୍ବଳ ହୋଇଯାଇଥିଲେ ଯେ ସେମାନେ ଅସୁସ୍ଥ ହୋଇଗଲେ ଏବଂ ଗୋଟିଏ ପରେ ଗୋଟିଏ ମୃତ୍ୟୁବରଣ କଲେ। ସେହି ଦଳରୁ ସେ ନେଇଥିବା ଚାରୋଟି ଓଟ ମଧ୍ୟରୁ ଦୁଇଟି ମୃତ୍ୟୁବରଣ କରିଛନ୍ତି।

ପ୍ରକୃତ କଥା ହେଉଛି ଛତିଶଗଡ଼ ଏବଂ ଆନ୍ଧ୍ରପ୍ରଦେଶରେ ଥିବା ରାବାରୀ ସମୂହ ପାଇଁ ଉଦ୍ଦିଷ୍ଟ ଥିବା ଓଟଗୁଡ଼ିକ ମଧ୍ୟରୁ ଅଧିକାଂଶ ରାସ୍ତାରେ କିମ୍ବା ସେମାନଙ୍କ ଥଇଥାନ ଶିବିରରେ ପହଞ୍ଚିବାର ତୁରନ୍ତ ପରେ ମୃତ୍ୟୁବରଣ କରିଥିଲେ।

ଯେଉଁ ୩୪ଟି ଓଟ ବଞ୍ଚି ଯାଇଥିଲେ ସେମାନେ ଏ ପର୍ଯ୍ୟନ୍ତ ସେମାନଙ୍କୁ ଅଟକ ରଖାଯାଇଥିବାର ମାନସିକ ଆଘାତରୁ ନିଜକୁ ମୁକ୍ତ କରିପାରିନାହାନ୍ତି।

Left: The Rabari herders say their animals turned sickly at the kendra. Right: The caravan walking towards their settlement camp in Wardha district after gaining custody over their animals. 'What did the complainants gain from troubling us?'
PHOTO • Akshay Nagapure
Left: The Rabari herders say their animals turned sickly at the kendra. Right: The caravan walking towards their settlement camp in Wardha district after gaining custody over their animals. 'What did the complainants gain from troubling us?'
PHOTO • Akshay Nagapure

ବାମ: ରାବାରୀ ପଶୁପାଳକମାନେ କହନ୍ତି ସେମାନଙ୍କ ପଶୁମାନେ କେନ୍ଦ୍ରଠାରେ ଅସୁସ୍ଥ ହୋଇଯାଇଥିଲେ। ଡାହାଣ: ସେମାନଙ୍କ ପଶୁମାନଙ୍କ ଉପରେ ହେପାଜତ ଅଧିକାର ଲାଭ କରିବା ପରେ ଏହି ଓଟ ଦଳ ୱାର୍ଦ୍ଧା ଜିଲ୍ଲାରେ ଥିବା ସେମାନଙ୍କ ଥଇଥାନ ଶିବିର ଆଡ଼କୁ ଆସୁଛନ୍ତି। ‘ଅଭିଯୋଗକାରୀମାନେ ଆମକୁ ହଇରାଣ କରି କ’ଣ ଲାଭ ପାଇଲେ?’

*****

ଖାମ୍ରିର ସୌଭାଗ୍ୟ ଯେ ସେ ବଞ୍ଚିଛି।

କମ୍ମାଭାଇ କହନ୍ତି ସେ ଏହି ଦୁଇ ବର୍ଷ ବୟସର ଓଟକୁ ପରିବହନ ପାଇଁ ବ୍ୟବହାର କରିବେ ନାହିଁ ଯେ ପର୍ଯ୍ୟନ୍ତ ସେ ସମ୍ପୂର୍ଣ୍ଣ ସୁସ୍ଥ ନ ହୋଇଛି।

ଗୋଟିଏ ଖାଲି ଥିବା କପା କ୍ଷେତରେ ଜାନୁଆରୀ ୨୦୨୩ରେ କମ୍ମାଭାଇ ସ୍ଥାପନ କରିଥିବା ଶିବିରଠାରୁ ଅଳ୍ପ କିଛି ଦୂରରେ ଥିବା ଏକ ଗଛରେ ତା’କୁ ଅନ୍ୟ ଓଟମାନଙ୍କ ସହ ବନ୍ଧା ଯାଇଛି। ଖମ୍ରି ବରକୋଳି ଗଛର ପତ୍ର ଖାଇବାକୁ ଭଲ ପାଏ ଏବଂ ସେ ଏହି ଋତୁରେ ମିଳୁଥିବା କୋଳିଗୁଡ଼ିକ ମଧ୍ୟ ଖାଏ।

ରାବାରୀ ପଶୁପାଳକ ଏବଂ ତାଙ୍କ ପଶୁମାନେ ମହାରାଷ୍ଟ୍ରର ୱାର୍ଦ୍ଧା ଜିଲ୍ଲାର ହିଙ୍ଗାନଘାଟ ସହରଠାରୁ ପ୍ରାୟ ୧୦ କିଲୋମିଟର ଦୂରରେ ଥିବା ନାଗପୁର - ଆଦିଲାବାଦ ରାଜପଥ କଡ଼ରେ ଏକ ଛୋଟ ପଡ଼ା ୱାନୀ ନିକଟରେ ଶିବିର ପକାଇଛନ୍ତି। ଏହି ସମୂହ ସେମାନଙ୍କର ଛେଳି, ମେଣ୍ଢା ଏବଂ ଓଟ ପଲ ସହ ପଶ୍ଚିମ ଏବଂ କେନ୍ଦ୍ର ଭାରତରେ ଯାତାୟତ କରନ୍ତି।

Kammabhai’s goats (left), sheep and camels (right) at their dera near Wani, a small hamlet about 10 km from Hinganghat town in Wardha district
PHOTO • Jaideep Hardikar
Kammabhai’s goats (left), sheep and camels (right) at their dera near Wani, a small hamlet about 10 km from Hinganghat town in Wardha district
PHOTO • Jaideep Hardikar

ୱାର୍ଦ୍ଧା ଜିଲ୍ଲାର ହିଙ୍ଗାନଘାଟ ସହରଠାରୁ ପ୍ରାୟ ୧୦ କିଲୋମିଟର ଦୂରରେ ଥିବା ଏକ ଛୋଟ ପଡ଼ା ନିକଟରେ ଥିବା ସେମାନଙ୍କ ଡେରାରେ କମ୍ମାଭାଇଙ୍କ ଛେଳି (ବାମ), ମେଣ୍ଢା ଏବଂ ଓଟ (ଡାହାଣ)

୨୦୨୨ର ଅଗ୍ନି ପରୀକ୍ଷାରୁ ବର୍ତ୍ତିଯାଇଥିବା ଓଟମାନେ ସେମାନଙ୍କ ମାଲିକମାନଙ୍କ ନଜର ଏବଂ ଯତ୍ନ ଭିତରେ ଅଛନ୍ତି। କମ୍ମାଭାଇ ଆଶା କରନ୍ତି ଯେ ସେମାନେ ବଞ୍ଚିଯିବେ ଏବଂ ଏକ ସମ୍ପୂର୍ଣ୍ଣ ଜୀବନ – ୧୮ ବର୍ଷ କିମ୍ବା ତା’ଠାରୁ ଅଧିକ ବଞ୍ଚିବେ।

କମ୍ମାଙ୍କ ବଡ଼ଭାଇ ଏବଂ ବିଦର୍ଭର ରାବାରୀମାନଙ୍କର ଜଣେ ନେତା ମାଶ୍ରୁ ରାବାରୀ ଯେ କି ସମୂହ ପକ୍ଷରୁ ଆଇନ ଯୁଦ୍ଧରେ ସମନ୍ୱୟ ରକ୍ଷା କରିଥିଲେ, ସେ କହନ୍ତି, ‘‘ଏହି ଘଟଣା ଆମକୁ ଅସରନ୍ତି ସମସ୍ୟା ଦେଇଛି।’’ ସେ ଚିନ୍ତା କରନ୍ତି, ‘‘ହମ୍‌ କୋ ପରେସାନ୍‌ କର୍‌କେ ଇନ୍‌କୋ କ୍ୟା ମିଲା [ଆମକୁ ହଇରାଣ କରି ଅଭିଯୋଗକାରୀମାନେ କି ଲାଭ ପାଇଲେ]?’’

ସେ କହନ୍ତି, ସେମାନେ ଏ ପର୍ଯ୍ୟନ୍ତ ତର୍କ ଆଲୋଚନା ଚଲାଇଛନ୍ତି ସେମାନେ ଏହି ମାମଲାକୁ ଉଚ୍ଚ ନ୍ୟାୟାଳୟଙ୍କ ନିକଟକୁ ନେବେ ଏବଂ କ୍ଷତିପୂରଣ ଦାବି କରିବେ କି ନାହିଁ।

ଏ ମଧ୍ୟରେ ପୋଲିସ ଅମରାବତୀ ସେସନ୍‌ ଅଦାଲତରେ ଏକ ଚାର୍ଜସିଟ୍‌ ଦାଖଲ କରିଛି କିନ୍ତୁ ଏହି ମୋକଦ୍ଦମାର ଶୁଣାଣି ଏ ପର୍ଯ୍ୟନ୍ତ ଆସିନାହିଁ। ମାଶ୍ରୁ ରାବାରୀ କହନ୍ତି, ‘‘ଆମେ ଏହି ମୋକଦ୍ଦମା ଲଢ଼ିବୁ’’।

‘‘ଆମର ସମ୍ମାନ ବାଜିରେ ଲାଗିଛି।’’

ଅନୁବାଦ : ଓଡ଼ିଶାଲାଇଭ୍‍

Jaideep Hardikar

ଜୟଦୀପ ହାର୍ଦିକର୍‌ ନାଗପୁରର ଜଣେ ସାମ୍ବାଦିକ ଏବଂ ଲେଖକ, ଏବଂ PARIର ଜଣେ କୋର୍‌ ଟିମ୍‌ ସଦସ୍ୟ

ଏହାଙ୍କ ଲିଖିତ ଅନ୍ୟ ବିଷୟଗୁଡିକ ଜୟଦୀପ ହାର୍ଦିକର
Editor : Priti David

ପ୍ରୀତି ଡେଭିଡ୍‌ ପରୀର କାର୍ଯ୍ୟନିର୍ବାହୀ ସମ୍ପାଦିକା। ସେ ଜଣେ ସାମ୍ବାଦିକା ଓ ଶିକ୍ଷୟିତ୍ରୀ, ସେ ପରୀର ଶିକ୍ଷା ବିଭାଗର ମୁଖ୍ୟ ଅଛନ୍ତି ଏବଂ ଗ୍ରାମୀଣ ପ୍ରସଙ୍ଗଗୁଡ଼ିକୁ ପାଠ୍ୟକ୍ରମ ଓ ଶ୍ରେଣୀଗୃହକୁ ଆଣିବା ଲାଗି ସ୍କୁଲ ଓ କଲେଜ ସହିତ କାର୍ଯ୍ୟ କରିଥାନ୍ତି ତଥା ଆମ ସମୟର ପ୍ରସଙ୍ଗଗୁଡ଼ିକର ଦସ୍ତାବିଜ ପ୍ରସ୍ତୁତ କରିବା ଲାଗି ଯୁବପିଢ଼ିଙ୍କ ସହ ମିଶି କାମ କରୁଛନ୍ତି।

ଏହାଙ୍କ ଲିଖିତ ଅନ୍ୟ ବିଷୟଗୁଡିକ Priti David
Translator : OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

ଏହାଙ୍କ ଲିଖିତ ଅନ୍ୟ ବିଷୟଗୁଡିକ OdishaLIVE