ବୁଦ୍ଧୁରାମ ଚିଣ୍ଡା ଭୟରେ ଥରୁଥିଲେ। ଜହ୍ନ ରାତିରେ ସେ ଏକ ବିଶାଳ କଳା ଆକୃତିର ଛାୟାମୂର୍ତ୍ତିଠାରୁ ମାତ୍ର କେଇ ଗଜ ଦୂରରେ ଛିଡ଼ା ହୋଇଥିଲେ । କଠାଫର ଗ୍ରାମରେ ଥିବା ନିଜ ଘରେ ଅଧା ଆଉଜା ହୋଇଥିବା କବାଟ ଫାଙ୍କରେ ଛିଡ଼ା ହୋଇ ଏହି ୬୦ ବର୍ଷ ବୟସ୍କ ଭୁଞ୍ଜିଆ ଆଦିବାସୀ ଚାଷୀ ବାହାରକୁ ଉଙ୍କିମାରି ଦେଖୁଥିଲେ।

ଓଡ଼ିଶାର ସୁନାବେଡ଼ା ବନ୍ୟପ୍ରାଣୀ ଅଭୟାରଣ୍ୟର କେନ୍ଦ୍ର ଓ ପ୍ରମୁଖ ସ୍ଥାନରେ ଥିବା ୫୨ଟି ଜନବସତି ମଧ୍ୟରୁ ଗୋଟିଏରେ ରହୁଥିବା ଏହି ଚାଷୀଙ୍କ ପାଇଁ ଏଭଳି ବିଶାଳକାୟ ସ୍ତନ୍ୟପାୟୀ ପ୍ରାଣୀଙ୍କୁ ଦେଖିବା ଆଦୌ ଅସ୍ୱାଭାବିକ କଥା ନଥିଲା।

ତଥାପି, ସେ କହିଥିଲେ, “ସେ ମୋତେ ଓ ମୋର କଚ୍ଚା ଘରକୁ ମାତ୍ର କିଛି ମିନିଟ୍ ମଧ୍ୟରେ ଦଳି ଦେବା ବିଷୟରେ ଭାବି ମୁଁ ଭୟରେ ଥରୁଥିଲି।” କିଛି ସମୟ ପରେ ସେ ବାଡ଼ିପଟକୁ ଚାଲିଗଲେ ଏବଂ ଏକ ତୁଲସୀ ଗଛ ପାଖରେ ଛିଡ଼ା ହେଲେ : “ମୁଁ ଦେବୀ ଲକ୍ଷ୍ମୀ ଏବଂ ସେହି ବଡ଼ ହାତୀମାନଙ୍କୁ ପ୍ରାର୍ଥନା କଲି। ହାତୀପଲ ହୁଏତ’ ମୋତେ ଦେଖିଥିବେ।”

ବୁଦ୍ଧୁରାମଙ୍କ ପତ୍ନୀ ସୁଲକ୍ଷ୍ମୀ ଚିଣ୍ଡା (୫୫) ମଧ୍ୟ ହାତୀଙ୍କ ଗର୍ଜ୍ଜନ ଶୁଣିପାରିଥିଲେ। ସେ ଏଠାରୁ ଗୋଟିଏ କିଲୋମିଟର ଦୂରରେ ଥିବା ଗାଁ ଭିତରେ ଥିବା ଘରେ ସେମାନଙ୍କ ପିଲା ଓ ପରିବାର ସହିତ ଥିଲେ।

ଗୋଟିଏ ଘଣ୍ଟା ପରେ ହାତୀ ପଲ ସେହି ସ୍ଥାନ ଛାଡ଼ି ଚାଲିଗଲେ।

ଡିସେମ୍ବର ୨୦୨୦ର ସେହି ଘଟଣାକୁ ମନେ ପକାଇ ଏହି ଚାଷୀ ଜଣଙ୍କ ଭାବନ୍ତି ଯେ ତାଙ୍କ ପ୍ରାର୍ଥନା କାମ ଦେଲା।

ତେଣୁ ଡିସେମ୍ବର ୨୦୨୨ରେ ହାତୀମାନେ ଯେତେବେଳେ ସେମାନଙ୍କର ମାର୍ଗ ପରିବର୍ତ୍ତନ କରିଥିଲେ, ସେତେବେଳେ କେବଳ ବୁଦ୍ଧୁରାମ ନୁହନ୍ତି ନୂଆପଡ଼ା ଜିଲ୍ଲାର ୩୦ ଆଦିବାସୀ ଗ୍ରାମର ଅନ୍ୟ ବାସିନ୍ଦାମାନେ ଆଶ୍ୱସ୍ତ ହୋଇଥିଲେ।

PHOTO • Ajit Panda
PHOTO • Ajit Panda

ଓଡ଼ିଶାର ସୁନାବେଡ଼ା ବନ୍ୟପ୍ରାଣୀ ଅଭୟାରଣ୍ୟ ନିକଟରେ ଥିବା କଠାଫରସ୍ଥିତ ଏହି ଘରେ ବୁଦ୍ଧୁରାମ ଓ ତାଙ୍କ ପତ୍ନୀ ସୁଲକ୍ଷ୍ମୀ ସେମାନଙ୍କ ପରିବାର ସହିତ ରହିଥାନ୍ତି

ସୁଲକ୍ଷ୍ମୀ ଏବଂ ବୁଦ୍ଧୁରାମଙ୍କର ୫ ପୁଅ ଓ ଗୋଟିଏ ଝିଅ ଅଛନ୍ତି। ପରିବାରରେ ସମସ୍ତେ କୃଷି କାର୍ଯ୍ୟରେ ନିୟୋଜିତ ଓ ସେମାନେ ପ୍ରାୟ ୧୦ ଏକର ଜମିରେ ଚାଷ କରିଥାନ୍ତି। ସେମାନଙ୍କ ଦୁଇ ବଡ଼ ପୁଅ ବାହା ହୋଇଯାଇଛନ୍ତି ଏବଂ କଠାଫର ଗାଁରେ ସେମାନଙ୍କ ପତ୍ନୀ ଓ ପିଲାମାନଙ୍କ ସହିତ ରହୁଛନ୍ତି। ବୁଦ୍ଧୁରାମ ଓ ସୁଲକ୍ଷ୍ମୀ ଗୋଟିଏ ଦଶନ୍ଧି ପୂର୍ବରୁ ଚାଷ ଜମି ନିକଟରେ ଥିବା ସେମାନଙ୍କ ଘରକୁ ଚାଲି ଆସିଥିଲେ।

ଏହି ସ୍ଥାନରେ ହିଁ ହାତୀମାନେ ବୁଲନ୍ତି, ଖାଦ୍ୟ ସନ୍ଧାନରେ ଆସନ୍ତି ।

ପରଦିନ ସକାଳେ ବୁଦ୍ଧୁରାମ ଯେତେବେଳେ ନିଜ ଧାନ କ୍ଷେତରେ କ’ଣ କ୍ଷତି ହୋଇଛି ଦେଖିବାକୁ ଯାଇଥିଲେ, ସେ ଦେଖିଥିଲେ ଯେ ଛିଡ଼ା ହୋଇ ରହିଥିବା ପ୍ରାୟ ଅଧା ଏକର ଜମିର ଫସଲ ନଷ୍ଟ ହୋଇଯାଇଛି। ଏହା ଖାମୁଣ୍ଡା (ଋତୁକାଳୀନ ଝରଣାକୁ ବନ୍ଧ ମାଧ୍ୟମରେ ଅଟକାଇ ସୃଷ୍ଟି କରାଯାଇଥିବା ସ୍ଥାନ)ରେ ଥିଲା। ଏହା ତାଙ୍କର ମୁଖ୍ୟ ଜମି ମଧ୍ୟରୁ ଅନ୍ୟତମ ଯେଉଁଥିରୁ ସେ ୨୦ ବସ୍ତା (ପ୍ରାୟ ଗୋଟିଏ ଟନ) ଧାନ ପ୍ରତିବର୍ଷ ଉତ୍ପାଦନ କରିଥାନ୍ତି । “ମୁଁ ପ୍ରାୟ ପାଞ୍ଚ ମାସର ଧାନ ହରେଇଲି,’’ ସେ କହିଥିଲେ। “ମୁଁ ଏବେ କାହାକୁ ଅଭିଯୋଗ କରିବି?” ସେ ପ୍ରଶ୍ନ କରିଥିଲେ।

କାହାଣୀରେ ଆଉ ଏକ ମୋଡ଼ ରହିଛି : ବୁଦ୍ଧୁରାମ ଯାହାକୁ ନିଜର ଜମି ବୋଲି କୁହନ୍ତି ଏବଂ ସୁଲକ୍ଷ୍ମୀଙ୍କ ସହିତ ଚାଷ କରିଥାନ୍ତି ତାହା ତାଙ୍କ ନାଁରେ ନାହିଁ । ୬୦୦ ବର୍ଗକିଲୋମିଟର ପରିଧି ବିଶିଷ୍ଟ ଅଭୟାରଣ୍ୟର ମୂଳ ଏବଂ କେନ୍ଦ୍ରସ୍ଥଳୀରେ ରହୁଥିବା ସେ ଓ ତାଙ୍କ ଭଳି ଆହୁରି ଅନେକ ଚାଷୀ ଚାଷ କରୁଥିବା ଜମିର ରେକର୍ଡ ସେମାନଙ୍କ ନାଁରେ ନାହିଁ ଏବଂ ସେମାନେ ଆଦୌ ଏଥିପାଇଁ ଖଜଣା ଦିଅନ୍ତି ନାହିଁ । “ମୁଁ ଚାଷ କରୁଥିବା ଅଧିକାଂଶ ଜମି ଜଙ୍ଗଲ ବିଭାଗ ଅଧୀନରେ ରହିଛି। ମୋତେ ଜଙ୍ଗଲ ଅଧିକାର [ ଅନୁସୂଚିତ ଜନଜାତି ଏବଂ ଅନ୍ୟାନ୍ୟ ପାରମ୍ପରିକ ଜଙ୍ଗଲ ଅଧିବାସୀ (ଜଙ୍ଗଲ ମାନ୍ୟତା) ଅଧିକାର ଆଇନ ] ଆଇନ ପଟ୍ଟା [ସରକାରୀ ଜମି ଦସ୍ତାବିଜ] ମିଳି ନାହିଁ ।

ବୁଦ୍ଧୁରାମ ଓ ସୁଲକ୍ଷ୍ମୀ ଭୁଞ୍ଜିଆ ସମୁଦାୟର ଅଧିବାସୀ। ସେମାନଙ୍କ ସମୁଦାୟର ୩୦ ପରିବାର କଠାଫର ଗ୍ରାମରେ ରୁହନ୍ତି (୨୦୧୧ ଜନଗଣନା)। ଏଠାରେ ରହୁଥିବା ଅନ୍ୟ ଆଦିବାସୀ ସମୁଦାୟ ହେଲେ ଗୋଣ୍ଡ ଓ ପାହାଡ଼ିଆ। ସେମାନଙ୍କ ଗ୍ରାମ ଓଡ଼ିଶାର ନୂଆପଡ଼ା ଜିଲ୍ଲା ବୋଡେନ ବ୍ଲକରେ ଆସୁଛି ଏବଂ ଏହା ଛତିଶଗଡ଼ ନିକଟବର୍ତ୍ତୀ ସୁନାବେଡ଼ା ମାଳଭୂମିର ଦକ୍ଷିଣ ସୀମାରେ ରହିଛି ।

ହାତୀମାନେ ସେମାନଙ୍କର ଚଲାପଥରେ ଏହି ମାର୍ଗ ଦେଇ ଅତିକ୍ରମ କରିଥାନ୍ତି।

PHOTO • Ajit Panda
PHOTO • Ajit Panda

ବାମ : ବୁଦ୍ଧୁରାମ ଓ ତାଙ୍କ ପତ୍ନୀ ସୁଲକ୍ଷ୍ମୀ (ଡାହାଣ) କ୍ଷେତ ପାଖରେ ଥିବା ସେମାନଙ୍କ ଘରେ

ପରିବେଶ ଓ ଜଙ୍ଗଲ ମନ୍ତ୍ରଣାଳୟର ୨୦୦୮-୨୦୦୯ ବାର୍ଷିକ ରିପୋର୍ଟରେ ସୁନାବେଡ଼ାକୁ ଚାରିଟି ନୂଆ ବ୍ୟାଘ୍ର ଅଭୟାରଣ୍ୟ ମଧ୍ୟରୁ ଗୋଟିଏ ଭାବେ ଚିହ୍ନଟ କରାଯାଇଥିଲା। ମହାବଳ ବାଘ ବ୍ୟତୀତ ଏଠାରେ କଲରାପତରିଆ ବାଘ, ହାତୀ, ଭାଲୁ, ଭାରତୀୟ ଗଧିଆ, ବଣୁଆ ଘୁଷୁରି, ଗୟଳ ଏବଂ ବଣୁଆ କୁକୁର ଦେଖିବାକୁ ମିଳନ୍ତି।

ଜଙ୍ଗଲ ବିଭାଗ ଅଧିକାରୀମାନେ କଠାଫର ସମେତ ସୁନାବେଡ଼ା ଏବଂ ପାଟଦଡ଼ା ମାଳଭୂମିର ଅଧିକାଂଶ ଗ୍ରାମକୁ ଯାଇ ଗ୍ରାମବାସୀଙ୍କ ସହିତ ଅନୌପଚାରିକ ବୈଠକରେ ଆଲୋଚନା କରିଛନ୍ତି । ସେମାନଙ୍କୁ ଏଠାରୁ ସ୍ଥାନାନ୍ତର କରିବା ପାଇଁ ରାଜି କରେଇବାକୁ ଚେଷ୍ଟା କରିଛନ୍ତି । ୨୦୨୨ରେ, ଢେକୁନପାନି ଓ ଗତିବେଡ଼ା ନାମକ ଦୁଇଟି ଗ୍ରାମର ଲୋକମାନେ ସ୍ଥାନାନ୍ତର ହେବାକୁ ରାଜି ହୋଇଥିଲେ।

ଏହି ଲୋକମାନେ କେବଳ ଆକ୍ରମଣକାରୀ ହାତୀଙ୍କ କବଳରୁ ମୁକ୍ତି ପାଇବାକୁ ଏପରି ଚାହୁଁଥିଲେ।

୨୦୧୬-୧୭ ବନ୍ୟପ୍ରାଣୀ ଗଣନ ଅନୁଯାୟୀ, ଓଡ଼ିଶାରେ ୧୯୭୬ଟି ହାତୀ ଅଛନ୍ତି। ଏହାର ପ୍ରାୟ ୩୪ ପ୍ରତିଶତ ଜଙ୍ଗଲ ଘନତ୍ୱ ନିଃସନ୍ଦେହରେ ହାତୀଙ୍କୁ ଆକୃଷ୍ଟ କରିଥାଏ। ମାୟାଧର ସରାଫ ସୁନାବେଡ଼ା ଅଭୟାରଣ୍ୟର ବାଉଁଶ ବିଷୟରେ ଉଲ୍ଲେଖ କରି କୁହନ୍ତି: “ସେମାନେ ସୁନାବେଡ଼ା-ପାଟଦଡ଼ା ଦେଇ ଅତିକ୍ରମ କରିଥାନ୍ତି ଯେଉଁଠି ପ୍ରଚୁର ମାତ୍ରାରେ ବାଉଁଶ ଦେଖିବାକୁ ମିଳିଥାଏ।” ପୂର୍ବତନ ବନ୍ୟପ୍ରାଣୀ ୱାଡ଼େନ ସରାଫ ଆହୁରି କୁହନ୍ତି, “ସେମାନେ ନୂଆପଡ଼ା ଭିତରେ ପ୍ରବେଶ କରିବା ପରେ ପ୍ରାୟ ୧୫୦ କିଲୋମିଟର ପର୍ଯ୍ୟନ୍ତ ଜିଲ୍ଲାରେ ରହିଥାନ୍ତି ଏବଂ ଏହାପରେ ପଶ୍ଚିମରେ ଛତିଶଗଡ଼କୁ ବାହାରି ଯାଆନ୍ତି।

ପେଟ ପୂରିଯିବା ପରେ, ହାତୀମାନେ ପ୍ରାୟ ଏକ ମାସ ପରେ ଅଳ୍ପ ବହୁତେ ସେହି ରାସ୍ତା ଦେଇ ବଲାଙ୍ଗିର ଫେରି ଆସନ୍ତି ।

ବର୍ଷକୁ ଦୁଇ ଥର ଚାଲୁଥିବା ଏହି ଯାତ୍ରା ସିଧାସଳଖ ସେହି ରାସ୍ତା ଦେଇ ହାତୀମାନଙ୍କୁ ନେଇ ଯାଏ ଯେଉଁଠି ବୁଦ୍ଧୁରାମଙ୍କ ଭଳି ଅନ୍ୟ ଭୁଞ୍ଜିଆ, ଗୋଣ୍ଡ ଓ ପାହାଡ଼ୀ ଆଦିବାସୀ ଚାଷୀ ସୁନାବେଡ଼ା ଅଭୟାରଣ୍ୟ ଭିତରେ ଏବଂ ଏହାର ଆଖପାଖ ଜମିରେ ଛୋଟ ଛୋଟ କ୍ଷେତରେ ବର୍ଷା ଆଧାରିତ କୃଷି କରିଥାନ୍ତି। ଆଦିବାସୀଙ୍କ ଜୀବିକା ସ୍ଥିତି ୨୦୨୧ର ରିପୋର୍ଟ ଅନୁଯାୟୀ , ଓଡ଼ିଶାରେ ଆଦିବାସୀଙ୍କ ପରିବାର ମଧ୍ୟରେ ଜମି ମାଲିକାନା ଉପରେ ରିପୋର୍ଟରେ “ଓଡ଼ିଶାରେ ସର୍ବେକ୍ଷଣ କରାଯାଇଥିବା ଆଦିବାସୀ ପରିବାର ମଧ୍ୟରୁ ୧୪.୫ ପ୍ରତିଶତ ଭୂମିହୀନ ଏବଂ ୬୯.୭ ପ୍ରତିଶତ ନାମମାତ୍ର ଚାଷୀ ଭାବେ ପଞ୍ଜିକୃତ ହୋଇଛନ୍ତି ।”

PHOTO • Ajit Panda
PHOTO • Ajit Panda

ବୁଦ୍ଧୁରାମ ଓ ସୁଲକ୍ଷ୍ମୀ ସେମାନଙ୍କ ଘର ଆଗରେ ଥିବା ଜମିରେ ପନିପରିବା (ବାମ) ଏବଂ ପଛପଟେ ଥିବା ଜମିରେ କଦଳୀ ଚାଷ କରିଥାନ୍ତି (ଡାହାଣ)

କୋମନା ରେଞ୍ଜର ଉପ-ବନାଞ୍ଚଳ ଅଧିକାରୀ ଶିବ ପ୍ରସାଦ ଖମାରୀ କୁହନ୍ତି ଯେ, ହାତୀମାନେ ବର୍ଷକୁ ଦୁଇ ଥର ଏହି ଅଞ୍ଚଳକୁ ଆସିଥାନ୍ତି – ଥରେ ମୌସୁମୀ ବର୍ଷା (ଜୁଲାଇ) ସମୟରେ ଏବଂ ଆଉ ଥରେ ଡିସେମ୍ବର ମାସରେ। ସେ ଏହି ଅଭୟାରଣ୍ୟକୁ ଜଗିଥାନ୍ତି ଏବଂ ହାତୀମାନଙ୍କର ଉପସ୍ଥିତି ବିଷୟରେ ତାଙ୍କ ପାଖରେ ପ୍ରାଥମିକ ସୂଚନା ରହିଛି । ସେ କୁହନ୍ତି ଯେ, ହାତୀମାନେ ସେମାନଙ୍କ ଯିବା ବାଟରେ ବିଭିନ୍ନ ପ୍ରଜାତିର ଘାସ ଏବଂ କୃଷି ଫସଲ, ବିଶେଷ କରି ଖରିଫ ଧାନ ସନ୍ଧାନରେ ରହିଥାନ୍ତି । “ହାତୀମାନେ ପ୍ରତି ବର୍ଷ ବିଭିନ୍ନ ଗ୍ରାମରେ ଫସଲ ନଷ୍ଟ କରି ଦେବା ସହ ଘର ଭାଙ୍ଗି ଦେଇଥାନ୍ତି,’’ ସେ ଡିସେମ୍ବର ୨୦୨୦ର ଘଟଣା ବିଷୟରେ ଉଲ୍ଲେଖ କରି କହିଥିଲେ ।

ତେଣୁ ବୁଦ୍ଧୁରାମଙ୍କ ଛିଡ଼ା ହୋଇଥିବା ଫସଲକୁ ହାତୀପଲ ନଷ୍ଟ କରି ଦେବା ଏକ ସାଧାରଣ କଥା।

ବନ୍ୟପ୍ରାଣୀ କୌଣସି ଚାଷୀଙ୍କ ଫସଲ ନଷ୍ଟ କରି ଦେଲେ ସେମାନଙ୍କୁ ଅର୍ଥକରୀ ଫସଲ ପାଇଁ ଏକର ପିଛା ୧୨,୦୦୦ ଟଙ୍କା ଏବଂ ଧାନ ଓ ଅନ୍ୟାନ୍ୟ ଶସ୍ୟ ପାଇଁ ଏକର ପିଛା ୧୦,୦୦୦ ଟଙ୍କା ମିଳିଥାଏ, ଓଡ଼ିଶାର ପିସିସିଏଫ (ବନ୍ୟପ୍ରାଣୀ) ଏବଂ ମୁଖ୍ୟ ବନ୍ୟପ୍ରାଣୀ ୱାର୍ଡେନଙ୍କ ୱେବସାଇଟରୁ ଜଣାପଡ଼ିଛି । ଏଥିରେ ବନ୍ୟପ୍ରାଣୀ (ସୁରକ୍ଷା) (ଓଡ଼ିଶା) ନିୟମାବଳୀ ୧୯୭୪କୁ ଉଲ୍ଲେଖ କରାଯାଇଛି ।

କିନ୍ତୁ କୌଣସି ଜମି ମାଲିକାନା ରେକର୍ଡ ନଥିବା କାରଣରୁ ବୁଦ୍ଧୁରାମ ଏହି କ୍ଷତିପୂରଣ ଦାବି କରିପାରିବେ ନାହିଁ।

“ମୁଁ ମୋ ପୂର୍ବଜମାନଙ୍କଠାରୁ ଏହାକୁ [ଜମିକୁ] ପାଇଥିଲି, କିନ୍ତୁ ଜଙ୍ଗଲ ସଂରକ୍ଷଣ ଆଇନ ୧୯୮୦ ଅନୁଯାୟୀ ସବୁକିଛି ସରକାରଙ୍କର,’’ ବୁଦ୍ଧୁରାମ କୁହନ୍ତି । “ଜଙ୍ଗଲ ବିଭାଗ ଆମର ଗତିବିଧି ଏବଂ ଆମ ଜମି ଓ କୃଷି ବିକାଶ ପ୍ରୟାସରେ ବାଧା ସୃଷ୍ଟି କରିଥାଏ,’’ ସେ କହିଥିଲେ ।

ସେ କେନ୍ଦୁ ପତ୍ର ସଂଗ୍ରହ ବିଷୟରେ କହୁଛନ୍ତି । ଜଙ୍ଗଲରେ ରହୁଥିବା ଲୋକମାନେ ଏଥିରୁ ଏକ ସ୍ଥିର ଆୟ କରିଥାନ୍ତି। “ଜଙ୍ଗଲ ଅଧିକାର ଆଇନ (ଏଫଆରଏ) ୨୦୦୬ ଅଧୀନରେ ମାଲିକାନା, ଲଘୁ ବନ୍ୟଜାତ ଉତ୍ପାଦ ସଂଗ୍ରହ, ଉପଯୋଗ ଏବଂ ନିଷ୍କାସନ ଅଧିକାର ଅନୁମତିପ୍ରାପ୍ତ। ତେବେ, ଆଦିବାସୀମାନେ କୁହନ୍ତି ଯେ ସେମାନଙ୍କୁ ଏହି ଅଧିକାରରୁ ବଞ୍ଚିତ କରାଯାଉଛି।

ମହୁଲ ଫୁଲ ଓ ଫଳ, ଚାର, ହରିଡ଼ା ଏବଂ ଅଁଳା ଆଦି ଜଙ୍ଗଲଜାତ ସାମଗ୍ରୀ ସେମାନଙ୍କ ଗାଁ ଠାରୁ ୨୨ କିଲୋମିଟର ଦୂର ବୋଡେନ ବଜାରରେ ଭଲ ଦରରେ ବିକ୍ରି ହୋଇଥାଏ। ତେବେ ପରିବହନ ସୁବିଧା ନଥିବା କାରଣରୁ ବୁଦ୍ଧୁରାମ ନିଜେ ଏକାକୀ ସବୁବେଳେ ବଜାରକୁ ଯାଇପାରିବେ ନାହିଁ । ବେପାରୀମାନେ ଏସବୁ ସାମଗ୍ରୀ ପାଇଁ ଗାଁ ଲୋକଙ୍କୁ ଅଗ୍ରୀମ ଦେଇ ଯାଇଥାନ୍ତି। ତେବେ ବୁଦ୍ଧୁରାମ ନିଜେ ବଜାରକୁ ଯାଇ ଯେତିକି ଟଙ୍କାରେ ବିକ୍ରି କରିଥାନ୍ତେ ସେମାନେ ତା’ଠାରୁ କମ୍‌ ଟଙ୍କା ଦିଅନ୍ତି । “କିନ୍ତୁ ଆଉ କୌଣସି ବିକଳ୍ପ ନାହିଁ,” ସେ କୁହନ୍ତି।

*****

PHOTO • Ajit Panda
PHOTO • Ajit Panda

ବାମ: ବଣୁଆ କୁକୁଡ଼ାଙ୍କ ଦାଉରୁ ବଞ୍ଚାଇବା ଲାଗି ଲଙ୍କା ଗଛକୁ ମଶାରି ଘୋଡ଼େଇ ଦିଆଯାଇଛି । ଡାହାଣ : ବୁଦ୍ଧୁରାମ ଏବଂ ସେମାନଙ୍କ ପରିବାର ପାଖରେ ୫୦ ଗୋରୁ ଏବଂ କିଛି ଛେଳି ଅଛନ୍ତି

ବୁଦ୍ଧୁରାମ ଓ ସୁଲକ୍ଷ୍ମୀ ସେମାନଙ୍କ ଫାର୍ମହାଉସର ଆଟ୍ (ଉଚ୍ଚା ଜମି)ରେ ମକା, ବାଇଗଣ, ଲଙ୍କା, କମ୍‌ ଅବଧି ବିଶିଷ୍ଟ ଧାନ ଏବଂ କୋଳଥ ଓ ହରଡ଼ ଭଳି ଡାଲି ଚାଷ କରିଥାନ୍ତି। ମଝି ଓ ତଳୁଆ ଜମିରେ (ସ୍ଥାନୀୟ ଅଞ୍ଚଳରେ ବାହାଲ ନାମରେ ପରିଚିତ) ସେମାନେ ଉଭୟ ମଧ୍ୟମ ଓ ଲମ୍ବା ଅବଧି କିସମର ଧାନ ଚାଷ କରିଥାନ୍ତି ।

ଖରିଫ ଋତୁରେ ସୁଲକ୍ଷ୍ମୀ ପାଟଦଢ଼ା ଜଙ୍ଗଲ ଅଞ୍ଚଳରେ ଥିବା ସେମାନଙ୍କର ଚାଷ ଜମିରେ ଘାସ ବାଛିବା, ସବୁଜ ପତ୍ର ଓ କନ୍ଦ ସଂଗ୍ରହ କରିବା କାମ କରିଥାନ୍ତି । “ତିନି ବର୍ଷ ପୂର୍ବରୁ ମୋ ବଡ଼ ପୁଅ ବାହାଘର ପରେ ମୋତେ ରୋଷେଇ କରିବା କାମରୁ ଫୁରସତ ମିଳିଛି । ଏବେ ମୋ ବୋହୂ ଏହି କାମ କରୁଛି,” ସେ କୁହନ୍ତି ।

ପରିବାର ନିକଟରେ ପ୍ରାୟ ୫୦ ଗୋରୁ ଅଛନ୍ତି ଯେଉଁଥିରେ ତିନି ଯୋଡ଼ି ବଳଦ ଓ ଗୋଟିଏ ଯୋଡ଼ି ମଇଁଷି ଅଛନ୍ତି। ପରିବାର ପାଖରେ କୌଣସି ଯାନ୍ତ୍ରିକ କୃଷି ଉପକରଣ ନଥିବା କାରଣରୁ ବଳଦଗୁଡ଼ିକ ହଳ କରିବାରେ ଉପଯୋଗ ହୋଇଥାନ୍ତି ।

ବୁଦ୍ଧୁରାମ ଗାଈ ଦୁହଁନ୍ତି ଏବଂ ଛେଳି ଓ ମେଣ୍ଢା ଚରେଇବାକୁ ନିଅନ୍ତି। ସେମାନେ ନିଜ ଉପଯୋଗ ପାଇଁ ମଧ୍ୟ କିଛି ଛେଳି ପାଳିଛନ୍ତି । କିନ୍ତୁ ଗତ ଦୁଇ ବର୍ଷ ମଧ୍ୟରେ ଏହି ପରିବାର ହିଂସ୍ରଜନ୍ତୁଙ୍କ ଉପଦ୍ରବ କାରଣରୁ ୯ଟି ଛେଳି ହରାଇଛନ୍ତି, ତଥାପି ସେମାନେ ଛେଳି ପାଳିବା ବନ୍ଦ କରିବାକୁ ଚାହୁଁନାହାନ୍ତି ।

ଗତ ଖରିଫ ଋତୁରେ ବୁଦ୍ଧୁରାମ ପାଞ୍ଚ ଏକର ଜମିରେ ଧାନ ଚାଷ କରିଥିଲେ। ଏହାଛଡ଼ା ସେ ଦୁଇ ପ୍ରକାରର ବିନ୍ସ, ମୁଗ, ବିରି, କୋଳଥ, ଚିନାବାଦାମ, ଲଙ୍କା, ମକା ଓ କଦଳୀ ଆଦି ଚାଷ କରିଥିଲେ । “ପ୍ରବଳ ଥଣ୍ଡା କାରଣରୁ ମୁଗ ଫସଲ ନଷ୍ଟ ହୋଇଯିବା ଯୋଗୁ ଗତ ବର୍ଷ ମୁଁ ଆଦୌ ବିହନ ରଖିପାରିନଥିଲି, କିନ୍ତୁ ଅନ୍ୟ ଡାଲି ଚାଷରୁ ଏହି କ୍ଷତି ଭରଣା ହୋଇଯାଇଥିଲା,” ସେ କହିଥିଲେ ।

“ଆମେ ନିଜର ଉପଯୋଗ ପାଇଁ ପ୍ରାୟ ଦୁଇ ଟନ ଧାନ ଓ ଯଥେଷ୍ଟ ଡାଲି, ମାଣ୍ଡିଆ, ପନିପରିବା ଓ ଅନ୍ୟାନ୍ୟ ତୈଳ ବୀଜ ପାଇଥିଲୁ,” ସୁଲକ୍ଷ୍ମୀ କହିଥିଲେ । ଏହି ଦମ୍ପତି କୁହନ୍ତି ଯେ, ସେମାନେ ଚାଷରେ କୌଣସି ରାସାୟନିକ ସାର କିମ୍ବା କୀଟନାଶକ ବ୍ୟବହାର କରନ୍ତି ନାହିଁ; ଗୋରୁଙ୍କ ଗୋବର ଓ ମୂତ୍ର ଏବଂ ଫସଲ ଅବଶେଷ ସେମାନଙ୍କ ପାଇଁ ଯଥେଷ୍ଟ। “ଆମେ ଯଦି କହୁ ଆମର ସମସ୍ୟା ଅଛି କିମ୍ବା ଖାଦ୍ୟାଭାବ ଦେଖାଦେଇଛି, ଏହା ପୃଥିବୀ ମାତାକୁ ଅପମାନିତ କରିବା ଭଳି ହେବ,” ବୁଦ୍ଧୁରାମ କହିଥିଲେ। “ଆମେ ଯଦି ପୃଥିବୀ ମାତାର ଅଂଶବିଶେଷ ନହେବା ତା’ହେଲେ ଏହା ଆମକୁ କିଭଳି ଖାଦ୍ୟ ଯୋଗାଇଦେବ?” ସୁଲକ୍ଷ୍ମୀ ପ୍ରଶ୍ନ ଛଳରେ କହିଥିଲେ ।

ବ୍ୟସ୍ତ କୃଷି ଋତୁରେ ପରିବାରର ସମସ୍ତେ ଫସଲ ରୋଇବା, ବାଛିବା ଏବଂ ଅମଳ କରିବା କାମରେ ଲାଗିଥାନ୍ତି। ଆଉ ସେମାନେ ଅନ୍ୟମାନଙ୍କ ଜମିରେ ମଧ୍ୟ କାମ କରନ୍ତି; ସେମାନଙ୍କୁ ଧାନ ଆକାରରେ ଯାହା ପାରିଶ୍ରମିକ ମିଳିଥାଏ।

PHOTO • Ajit Panda

୨୦୨୦ରେ ହାତୀମାନେ ନଷ୍ଟ କରି ଦେଇଥିବା ଧାନ କ୍ଷେତ। ଏହାର ପରବର୍ତ୍ତୀ ବର୍ଷ, ୨୦୨୧ରେ, ବିନା ଚାଷରେ ଧାନ ଗଛ ଉଠିଥିଲା। “ମୁଁ ଦେଖିଲି ହାତୀମାନେ ଦଳି ଦେବା ଯୋଗୁ ଜମିରେ ପଡ଼ିଥିବା ଧାନରୁ ଗଛ ଉଠିଥିଲା। ବିହନ ଅଙ୍କୁରିତ ହେବ ବୋଲି ମୁଁ ନିଶ୍ଚିତ ଥିଲି

ବୁଦ୍ଧୁରାମ କୁହନ୍ତି ଯେ, ହାତୀମାନେ ଯେଉଁ ବର୍ଷ ଛିଡ଼ା ହୋଇଥିବା ଧାନ ଫସଲ ନଷ୍ଟ କରି ଦେଇଥିଲେ ତା’ପର ବର୍ଷ ୨୦୨୧ରେ ବୁଦ୍ଧୁରାମ ଆଦୌ ଚାଷ କରିନଥିଲେ । ତାଙ୍କର ଏହି ନିଷ୍ପତ୍ତିର ସୁଖଦ ପରିଣାମ ମିଳିଥିଲା: ମୁଁ ଦେଖିଲି ଯେ ହାତୀମାନେ ଦଳି ଦେବା ଯୋଗୁ ଜମିରେ ପଡ଼ିଥିବା ଧାନରୁ ଗଛ ଉଠିଥିଲା। ବିହନ ଅଙ୍କୁରିତ ହେବ ବୋଲି ମୁଁ ନିଶ୍ଚିତ ଥିଲି,” ସେ କହିଥିଲେ । “ପ୍ରଥମ ମୌସୁମୀ ବର୍ଷାରେ ଜମିରେ ପଡ଼ିଥିବା ଧାନ ଗଜା ହେଲା ଏବଂ ମୁଁ ସେଗୁଡ଼ିକ ଉପରେ ଦୃଷ୍ଟି ରଖିଥିଲି। ଆଦୌ (ଟଙ୍କା) ଖର୍ଚ୍ଚ ନକରି ମୁଁ ୨୦ ବସ୍ତା (ଗୋଟିଏ ଟନ) ଧାନ ପାଇଥିଲି।”

ଏହି ଆଦିବାସୀ ଚାଷୀ ଜଣଙ୍କ କୁହନ୍ତି, “ଆମ ଜୀବନ ପ୍ରକୃତି ସହ କିଭଳି ନିବିଡ଼ ଭାବେ ଜଡ଼ିତ ସରକାର ତାହା ବୁଝିପାରିବେ ନାହିଁ। ଏ ମାଟି, ପାଣି ଓ ଗଛ, ବନ୍ୟପ୍ରାଣୀ, ପକ୍ଷୀ ଓ କୀଟପତଙ୍ଗ - ଏମାନେ ସମସ୍ତେ ସହାବସ୍ଥାନ ପାଇଁ ପରସ୍ପରକୁ ସହାୟତା କରିଥାନ୍ତି।”

*****

ହାତୀମାନେ ଚଳପ୍ରଚଳ ହେବା କାରଣରୁ ଏହି ଅଞ୍ଚଳ ପାଇଁ ଆଉ ଏକ ସମସ୍ୟାକୁ ଜନ୍ମ ଦେଇଛି । ଯେଉଁଠି ଖୋଲା ତାର ଥାଏ ହାତୀମାନେ ସେଗୁଡ଼ିକୁ ଟାଣି ଖସେଇ ଦେଇଥାନ୍ତି ଏବଂ ଏହା ମରାମତି ନହେବା ପର୍ଯ୍ୟନ୍ତ ଜିଲ୍ଲାର ବୋଡେନ ଓ କୋମନା ବ୍ଲକରେ ଗାଁଗୁଡ଼ିକ ଦିନ ଦିନ ଧରି ବିଦ୍ୟୁତ ସେବାରୁ ବଞ୍ଚିତ ରହିଥାନ୍ତି ।

୨୦୨୧ରେ, ଓଡ଼ିଶାର ଗନ୍ଧମାର୍ଦ୍ଦନ ବନାଞ୍ଚଳରୁ ସୀତାନଦୀ ଅଭୟାରଣ୍ୟ ଦେଇ ୩୦ଟି ହାତୀଙ୍କ ଏକ ପଲ ପଡ଼ୋଶୀ ଛତିଶଗଡ଼କୁ ଯାଇଥିଲେ। ଜଙ୍ଗଲ ବିଭାଗର ତଥ୍ୟ ଅନୁଯାୟୀ, ସେମାନେ ଉତ୍ତର-ପୂର୍ବ ଦିଗରେ ବଲାଙ୍ଗିର ଜିଲ୍ଲା ଦେଇ ନୂଆପଡ଼ା ଜିଲ୍ଲାରେ ଥିବା ଖୋଲି ଗାଁ ଆଡ଼କୁ ଯାଇଥିଲେ। ଡିସେମ୍ବର ୨୦୨୨ରେ ସେମାନଙ୍କ ମଧ୍ୟରୁ ଦୁଇଟି ହାତୀ ସମାନ ରାସ୍ତା ଦେଇ ଫେରିଥିଲେ।

ସୁନାବେଡ଼ା ପଞ୍ଚାୟତର ୩୦ ଗାଁ ଦେଇ ସେମାନଙ୍କ ବାର୍ଷିକ ଯାତ୍ରା ମାର୍ଗରେ ଯିବା ପରିବର୍ତ୍ତେ ସେମାନେ ସିଧାସଳଖ ସୁନାବେଡ଼ା ବନ୍ୟପ୍ରାଣୀ ଅଭୟାରଣ୍ୟରେ ପ୍ରବେଶ କରିଥିଲେ ଏବଂ ସେହି ରାସ୍ତା ଛାଡ଼ି ଦେଇଥିଲେ।

ସମସ୍ତେ ଆଶ୍ୱସ୍ତ ହୋଇଥିଲେ ।

ଅନୁବାଦ : ଓଡ଼ିଶାଲାଇଭ୍‍

Ajit Panda

ଅଜିତ ପଣ୍ଡା ଓଡ଼ିଶାର ଖଡ଼ିଆଳ ସହରରେ ରହନ୍ତି । ସେ ‘ଦି ପାଓନିୟର’ର ଭୁବନେଶ୍ୱର ସଂସ୍କରଣର ନୂଆପଡ଼ା ଜିଲ୍ଲା ସମ୍ବାଦଦାତା ଏବଂ ସ୍ଥାୟୀ କୃଷି, ଆଦିବାସୀମାନଙ୍କର ଜମି ଏବଂ ଜଙ୍ଗଲ ଉପରେ ଅଧିକାର, ଲୋକନୃତ୍ୟ ଏବଂ ଉତ୍ସବ ସଂପର୍କରେ ବିଭିନ୍ନ ପତ୍ରପତ୍ରିକାରେ ଲେଖିଛନ୍ତି ।

ଏହାଙ୍କ ଲିଖିତ ଅନ୍ୟ ବିଷୟଗୁଡିକ Ajit Panda
Editor : Sarbajaya Bhattacharya

ସର୍ବଜୟା ଭଟ୍ଟାଚାର୍ଯ୍ୟ ପରୀର ଜଣେ ବରିଷ୍ଠ ସହାୟିକା ସମ୍ପାଦିକା । ସେ ମଧ୍ୟ ଜଣେ ଅଭିଜ୍ଞ ବଙ୍ଗଳା ଅନୁବାଦିକା। କୋଲକାତାରେ ରହୁଥିବା ସର୍ବଜୟା, ସହରର ଇତିହାସ ଓ ଭ୍ରମଣ ସାହିତ୍ୟ ପ୍ରତି ଆଗ୍ରହୀ।

ଏହାଙ୍କ ଲିଖିତ ଅନ୍ୟ ବିଷୟଗୁଡିକ Sarbajaya Bhattacharya
Editor : Priti David

ପ୍ରୀତି ଡେଭିଡ୍‌ ପରୀର କାର୍ଯ୍ୟନିର୍ବାହୀ ସମ୍ପାଦିକା। ସେ ଜଣେ ସାମ୍ବାଦିକା ଓ ଶିକ୍ଷୟିତ୍ରୀ, ସେ ପରୀର ଶିକ୍ଷା ବିଭାଗର ମୁଖ୍ୟ ଅଛନ୍ତି ଏବଂ ଗ୍ରାମୀଣ ପ୍ରସଙ୍ଗଗୁଡ଼ିକୁ ପାଠ୍ୟକ୍ରମ ଓ ଶ୍ରେଣୀଗୃହକୁ ଆଣିବା ଲାଗି ସ୍କୁଲ ଓ କଲେଜ ସହିତ କାର୍ଯ୍ୟ କରିଥାନ୍ତି ତଥା ଆମ ସମୟର ପ୍ରସଙ୍ଗଗୁଡ଼ିକର ଦସ୍ତାବିଜ ପ୍ରସ୍ତୁତ କରିବା ଲାଗି ଯୁବପିଢ଼ିଙ୍କ ସହ ମିଶି କାମ କରୁଛନ୍ତି।

ଏହାଙ୍କ ଲିଖିତ ଅନ୍ୟ ବିଷୟଗୁଡିକ Priti David
Translator : OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

ଏହାଙ୍କ ଲିଖିତ ଅନ୍ୟ ବିଷୟଗୁଡିକ OdishaLIVE