ଗୋଟିଏ ହାତୀ ନିଜ ଫାନ୍ଦି (ପ୍ରଶିକ୍ଷକ) କୁ ଭୁଲିଯାଏ ନାହିଁ ବୋଲି ଶରତ ମୋରାନ କୁହନ୍ତି। ସେ ୯୦ରୁ ଅଧିକ ହାତୀଙ୍କୁ ତାଲିମ ଦେଇଛନ୍ତି । ସେ ଆହୁରି କହିଛନ୍ତି ଯେ ହାତୀ ତା’ ଜୀବନ କାଳ ଭିତରେ ବନ୍ୟ ହାତୀ ପଲ ମଧ୍ୟରେ ଘଞ୍ଚ ଜଙ୍ଗଲରେ ଥିଲେ ବି ନିଜ ଫାନ୍ଦି ପାଖକୁ ଦୌଡ଼ି ଆସେ ।
ପିଲଖାନା - ତାଲିମ ପାଇଁ ଏକ ଅସ୍ଥାୟୀ ଶିବିରରେ ନବଜାତ ହାତୀ ଶାବକଙ୍କୁ ଧୀରେ ଧୀରେ ମଣିଷ ସ୍ପର୍ଶ ସହ ପରିଚିତ କରାଯାଏ, ଯାହାକି କିଛି ଦିନ ଧରି ପୁନରାବୃତ୍ତି କରାଯାଏ, ଯେପର୍ଯ୍ୟନ୍ତ ଏହା ନିତିଦିନିଆ ଘଟଣା ନ ହୋଇଛି । ଶରତ କୁହନ୍ତି, “ପ୍ରଶିକ୍ଷଣ ସମୟରେ ଟିକିଏ ଯନ୍ତ୍ରଣା ମଧ୍ୟ ବହୁତ ଲାଗିଥାଏ ।’’
ଦିନ ଗଡ଼ିବା ସହିତ ହାତୀ ଛୁଆଙ୍କ ଆଖପାଖରେ ଲୋକଙ୍କ ସଂଖ୍ୟା ବଢ଼ାଯାଏ, ସେହି ସମୟ ପର୍ଯ୍ୟନ୍ତ ଯେତେବେଳେ ଲୋକଙ୍କ ସହ ରହିବାରେ ଆଉ ତାକୁ ଅସୁବିଧା ଲାଗେ ନାହିଁ ।
ଶରତ ଏବଂ ଅନ୍ୟ ପ୍ରଶିକ୍ଷକମାନେ ତାଲିମ ସମୟରେ ଏହି ମୋଟା ଚମଡ଼ା ବିଶିଷ୍ଟ ପ୍ରାଣୀଙ୍କୁ ସୁଖଦାୟକ ଗୀତ ଗାଇ ପଶୁ ଓ ଏହାର ପ୍ରଶିକ୍ଷକଙ୍କ ମଧ୍ୟରେ ବନ୍ଧୁତ୍ୱର କାହାଣୀ ବର୍ଣ୍ଣନା କରନ୍ତି ।
"ତୁମେ ପାହାଡରେ ଥିଲ,
ବଡ କାକୋ ବାଉଁଶ ଖାଉଥିଲ ।
ପ୍ରଶିକ୍ଷକଙ୍କ ଆକର୍ଷଣ ବଳରେ
ତୁମେ ଘାଟୀକୁ ଆସିଛ ।
ମୁଁ ତୁମକୁ ଶିଖାଇବି,
ମୁଁ ତୁମକୁ ମନେଇବି,
ଏବେ ଶିଖିବାର ସମୟ!
ଏହି ଫାନ୍ଦି ତୁମ ପିଠି ଉପରେ ବସିବ
ଓ ଶିକାର କରିବାକୁ ଯିବ ।’’
ଗୋଟିଏ ଅବଧି ପରେ, ପଶୁମାନଙ୍କର ଗତିବିଧିକୁ ଅଟକାଇଥିବା ଦଉଡ଼ିକୁ ଧୀରେ ଧୀରେ କମାଯାଏ ଏବଂ ତା’ପରେ ସଂପୂର୍ଣ୍ଣ ଭାବରେ ଅପସାରଣ କରାଯାଏ । ପ୍ରଶିକ୍ଷକ କୁହନ୍ତି ଯେ ଗୋଟିଏ ହାତୀକୁ ତାଲିମ ଦେବା ପାଇଁ ଅନେକ ଦଉଡ଼ି ଆବଶ୍ୟକ ଏବଂ ପ୍ରତ୍ୟେକ ଦଉଡ଼ିର ଅଲଗା ଉପଯୋଗ ଓ ନାଁ ଅଛି । ସୁମଧୁର ଗୀତଗୁଡ଼ିକ ସହ ମଧ୍ୟ ହାତୀଟି ବନ୍ଧୁତା କରେ ଯାହା ସେମାନଙ୍କ ପାଇଁ ଆକର୍ଷଣ ସୃଷ୍ଟି କରେ । ଏହାକୁ ଭରସା କରି ପୂର୍ବରୁ ବନ୍ୟ ହାତୀକୁ ଧରିବା ପାଇଁ ଏବଂ ଶିକାରରେ ମଧ୍ୟ ଏହି ଗୀତକୁ ବ୍ୟବହାର କରାଯାଉଥିଲା ।
ବିଶେଷଜ୍ଞ ପ୍ରଶିକ୍ଷକ ଶରତ ମୋରାନ କହିଛନ୍ତି ଯେ ସେ ଜଣେ ଫାନ୍ଦି ହେଲେ କାରଣ, “ଜଙ୍ଗଲ ମଧ୍ୟରେ ମୋ ଗାଁ ଏବଂ ଏଥିରେ ଅନେକଗୁଡ଼ିଏ ହାତୀ ରହିଛନ୍ତି । ଆମେ ପିଲାଦିନରୁ ସେମାନଙ୍କ ସହିତ ଖେଳିଛୁ । ଏହିପରି ଭାବେ ମୁଁ ସେମାନଙ୍କୁ ତାଲିମ ଦେବା ଶିଖିଛି ।”
ହାତୀମାନଙ୍କୁ ତାଲିମ ଦେବା କାର୍ଯ୍ୟ ଏକ ଦଳଗତ କାର୍ଯ୍ୟ । ଶରତ କୁହନ୍ତି, “ପ୍ରଶିକ୍ଷକ ଦଳର ନେତା ହେଉଛନ୍ତି ଫାନ୍ଦି । ତା’ପରେ ଆସନ୍ତି ସହାୟକ ଯାହାଙ୍କୁ ଲୁହୋଟିୟା, ମାହୁତA ଓ ଘାସୀ କୁହାଯାଏ । ଏତେ ବଡ଼ ପଶୁକୁ ନିୟନ୍ତ୍ରଣ କରିବା ପାଇଁ ଅତିକମ୍ରେ ପାଞ୍ଚ ଜଣ ଲୋକ ଆବଶ୍ୟକ ହୁଅନ୍ତି । ଆମକୁ ଖାଦ୍ୟ ମଧ୍ୟ ସଂଗ୍ରହ କରିବାକୁ ପଡ଼ିଥାଏ ।’’ ଗାଁର ଲୋକମାନେ ସେମାନଙ୍କୁ ସାହାଯ୍ୟ କରିଥାନ୍ତି ।
ଆସାମର ତିନ୍ସୁକିଆ ଜିଲ୍ଲାର ଏକ ଛୋଟ ଗାଁ ତରାନିରେ ସେ ରୁହନ୍ତି, ଯାହା ଉପର ଡିହିଙ୍ଗ ରିଜର୍ଭ ଜଙ୍ଗଲ ଦ୍ୱାରା ସୀମାବଦ୍ଧ ହୋଇ ରହିଛି । ହାତୀ ପ୍ରଶିକ୍ଷଣରେ ମୋରାନ୍ ସମ୍ପ୍ରଦାୟର ଦକ୍ଷତା ଶତାବ୍ଦୀ ଶତାବ୍ଦୀ ଧରି ପ୍ରଶଂସିତ ହୋଇଆସୁଛି । ହାତୀକୁ ଧରିବା ଏବଂ ଯୁଦ୍ଧ ପାଇଁ ତାଲିମ ଦେବା ପାଇଁ ସେମାନେ ଏକଦା ପରିଚିତ ଥିଲେ । ଏକ ଆଦିବାସୀ ସମୁଦାୟ, ଉପର ଆସାମର କିଛି ଜିଲ୍ଲାରେ ଏବଂ ଅରୁଣାଚଳ ପ୍ରଦେଶରେ ମଧ୍ୟ ସେମାନେ ବସବାସ କରନ୍ତି ।
ଆଜି ବଣୁଆ ହାତୀକୁ ପୋଷା ମନାଇବା ବେଆଇନ, କିନ୍ତୁ ନବଜାତ ହାତୀ ଶାବକମାନଙ୍କୁ ମାନବୀୟ ସ୍ପର୍ଶ ସହିତ ପରିଚିତ କରାଇବା ଆବଶ୍ୟକ ଏବଂ ଶରତ ଓ ତାଙ୍କ ଦଳ ପରି ଫାନ୍ଦିମାନଙ୍କୁ ଏହି କାର୍ଯ୍ୟ ପାଇଁ ଏକ ଲକ୍ଷ ଟଙ୍କା ଟଙ୍କା ପର୍ଯ୍ୟନ୍ତ ପ୍ରଦାନ କରାଯାଉଛି, ଯାହାକି ଏକ ମାସରୁ ତିନି ମାସ ପର୍ଯ୍ୟନ୍ତ ସମୟ ନେଇପାରେ ।
ଗାଁ ବାହାରେ ହୋଇଥିବା ଏହି ଶିବିର ଆକର୍ଷଣର କେନ୍ଦ୍ର ପାଲଟିଛି । ଲୋକମାନେ ହାତୀଙ୍କ ଆଶୀର୍ବାଦ ପାଇବାକୁ ଆସନ୍ତି ଯାହାକୁ ସେମାନେ ଜୀବନ୍ତ ଭଗବାନ ବୋଲି ଭାବନ୍ତି । ତାଙ୍କ ପ୍ରଶିକ୍ଷକ, ଫାନ୍ଦିଙ୍କୁ ପୂଜାରୀ ଭାବରେ ବିବେଚନା କରାଯାଏ, ଏବଂ ସେ କୌଣସି ସ୍ଥାନକୁ ଯିବାକୁ, ଏପରିକି ଘରକୁ କିମ୍ବା ଅନ୍ୟମାନଙ୍କ ଦ୍ୱାରା ରନ୍ଧା ଖାଦ୍ୟ ଖାଇବାକୁ ଅନୁମତି ଦିଆ ଯାଇନଥାଏ । ଏହି ପରମ୍ପରା ସୁୱା ଭାବରେ ଜଣାଶୁଣା । ଶରତ କହିଛନ୍ତି ଯେ ହାତୀକୁ ଦେଖିବା ପାଇଁ ଆସୁଥିବା ପିଲାମାନଙ୍କ ହାତରେ ସେ ତାଙ୍କ ପରିବାର ନିକଟକୁ ଟଙ୍କା ପଠାନ୍ତି ।
ଏହି ଡକ୍ୟୁମେଣ୍ଟାରୀ ମାଘ୍ ବିହୁ ସମୟରେ ନିର୍ମିତ ହୋଇଛି, ଅମଳ ପର୍ବ ଯେତେବେଳେ ଉତ୍ସବ ପାଳନ କରାଯାଏ ଯେଉଁଥିରେ ଏକ ବତକକୁ ପାଣି କଖାରୁ ସହ ରନ୍ଧାଯାଏ । “ଆମେ ଗୋଟିଏ ପଥରରେ ଦୁଇଟି ଚଢ଼େଇ ଶିକାର କରୁ । ତାହା ହେଉଛି, ଆମେ ହାତୀକୁ ତାଲିମ ଦେଉଛୁ ଏବଂ ମାଘ୍ ବିହୁ ପାଳନ କରୁଛୁ । ଆମେ ବତକକୁ ରାନ୍ଧୁଛୁ । ଆମେ ଏହାକୁ ଏକାଠି ଖାଇବୁ,’’ କୁହନ୍ତି ଶରତ ।
ଚାରିଆଡ଼ ଉତ୍ସବ ମୁଖର ହୋଇଥିବା ସତ୍ତ୍ୱେ, ଭିତରେ ଭିତରେ ସେ ଭୟ କରନ୍ତି ଯେ, ଏହି ପରମ୍ପରା ଶୀଘ୍ର ଲୋକ ପାଇଯିବ କାରଣ ଯୁବକମାନେ ଏହି ବୃତ୍ତିକୁ ଗ୍ରହଣ କରୁନାହାନ୍ତି, କାରଣ ଏହାକୁ ଶିଖିବା ପାଇଁ ଲମ୍ବା ସମୟ ଲାଗୁଛି । ଗାଁର ଯୁବକମାନଙ୍କୁ ଆଗେଇ ଆସି ପରମ୍ପରାକୁ ବଞ୍ଚାଇ ରଖିବା ପାଇଁ ଉତ୍ସାହିତ କରିବାକୁ ସେ ଉଦ୍ୟମ କରୁଛନ୍ତି । “ମୁଁ ଧୀରେ ଧୀରେ ଦୁର୍ବଳ ହେଉଛି । ଗାଁ ପୁଅମାନଙ୍କୁ କହୁଛି ଯେ ସେମାନେ ଏହା ଶିଖିବା ଉଚିତ । ମୁଁ ଇର୍ଷାପରାୟଣ ବ୍ୟକ୍ତି ନୁହେଁ, ମୁଁ ଚାହେଁ ସମସ୍ତେ ଶିଖନ୍ତୁ ଏବଂ ଆମର ଏହି ଜ୍ଞାନ ଆଗକୁ ବଢୁ ।’’
ଅନୁବାଦ: ଓଡ଼ିଶାଲାଇଭ୍