ମାୟା ଥାମୀ ପିଠିରେ ୩୦ କିଲୋଗ୍ରାମ ଓଜନର ଗୋଟିଏ ଗ୍ୟାସ ସିଲିଣ୍ଡର ଉଠାଇ ତିନି କିଲୋମିଟର ବାଟ ଅତିକ୍ରମ କରିଛନ୍ତି । ଏହି ଭାରୀ ସାମଗ୍ରୀ ବୋହି ସେ ୨୦୦ ଶିଢ଼ି ଚଢ଼ିବା ପରେ ଦିନର ପ୍ରଥମ ଗ୍ରାହକଙ୍କ ପାଖରେ ସିଲିଣ୍ଡର ପହଞ୍ଚାଇଛନ୍ତି ।

୩୨ ବର୍ଷ ବୟସ୍କା ଥାମୀ ଧଇଁସଇଁ ହୋଇ କୁହନ୍ତି, ‘‘ଏବେ ମୁଁ ସେଠାରେ ଥିବା ପାହାଡ଼ ଉପରେ ଆଉ ଗୋଟିଏ ସିଲିଣ୍ଡର୍‌ ଦେବାକୁ ଯିବି,’’ କିଛି ଦୂରରେ ଥିବା ଗୋଟିଏ ସ୍ଥାନକୁ ସେ ଇସାରା କରନ୍ତି। ଏହି କାମ ପାଇଁ ୮୦ ଟଙ୍କାର ପାରିଶ୍ରମିକ ଗ୍ରହଣ କରିବା ପରେ, ସେ ତୁରନ୍ତ ନିଜର ପରବର୍ତ୍ତୀ ଡେଲିଭରୀ ପାଇଁ ବାହାରି ଯାଆନ୍ତି। ପରବର୍ତ୍ତୀ ଛଅ ଘଣ୍ଟା ପର୍ଯ୍ୟନ୍ତ, ସେ ଏମିତି ତରବର ହୋଇ ଏଲପିଜି (ଲିକ୍ୟୁଫାଏଡ୍‌ ପେଟ୍ରୋଲିୟମ ଗ୍ୟାସ୍‌) ସିଲିଣ୍ଡର୍‌ ବୋହିବେ ।

‘‘ସାମଗ୍ରୀ ଅଧିକ ଓଜନ ହୋଇଥିଲେ ପୁରୁଷ କୁଲିଙ୍କୁ ପ୍ରାଥମିକତା ଦିଆଯାଏ ଏବଂ ଆମେ ପୁରୁଷ ହୋଇନଥିବାରୁ ଲୋକମାନେ ଆମ ସହିତ ମୂଲଚାଲ କରିଥା’ନ୍ତି,’’ ମାୟା କୁହନ୍ତି। ସମାନ ଦୂରତା ପର୍ଯ୍ୟନ୍ତ ସାମଗ୍ରୀ ପହଞ୍ଚାଇବା ଲାଗି ମହିଳାମାନଙ୍କୁ ୮୦ ଟଙ୍କା ମିଳୁଥିବା ବେଳେ ପୁରୁଷଙ୍କୁ ସମାନ ଦୂରତା ପାଇଁ ୧୦୦ ଟଙ୍କା ମିଳିଥାଏ।

ପଶ୍ଚିମବଙ୍ଗର ଏହି ବ୍ୟସ୍ତବହୁଳ ସହର ଦାର୍ଜିଲିଂ ପୂର୍ବ ହିମାଳୟରେ ୨,୦୪୨ ମିଟର ଉଚ୍ଚତାରେ ରହିଛି। ପାହାଡ଼ିଆ ଅଞ୍ଚଳ ହୋଇଥିବା କାରଣରୁ ସଡ଼କ ମାର୍ଗରେ ଯାତାୟାତ କରିବାରେ ସମସ୍ୟା ଦେଖାଦେଇଥାଏ, ଏହି କାରଣରୁ ଲୋକମାନେ ପନିପରିବା, ପାଣି, ସିଲିଣ୍ଡର ଭଳି ଦୈନନ୍ଦିନ ଆବଶ୍ୟକତା ରହିଥିବା ସାମଗ୍ରୀ ଏବଂ ଏପରିକି ଫର୍ଣ୍ଣିଚର୍‌ (ଯାହାକୁ ଥରେ କିଣାଯାଏ)କୁ ମଧ୍ୟ ନେବା ଆଣିବା ଲାଗି କୁଲିଙ୍କ ଉପରେ ନିର୍ଭର କରିବାକୁ ପଡ଼ିଥାଏ। ପାହାଡ଼ି ଗଡ଼ାଣିଆ ରାସ୍ତାରେ ଯାନବାହନ ଚାଲିପାରିବ ନାହିଁ, ସେଥିପାଇଁ ଲୋକମାନେ ନିଜଆଡ଼ୁ ସାମଗ୍ରୀ ବୋହି ନିଅନ୍ତି କିମ୍ବା ଗ୍ୟାସ ଏଜେନ୍ସି କିମ୍ବା ଦୋକାନୀ କୁଲିଙ୍କ ଜରିଆରେ ପଠାଇଥା’ନ୍ତି।

Maya Thami climbs 200 stairs to deliver the day's first gas cylinder. Like other porters, she migrated from Nepal to work in Darjeeling, West Bengal
PHOTO • Rhea Chhetri
Maya Thami climbs 200 stairs to deliver the day's first gas cylinder. Like other porters, she migrated from Nepal to work in Darjeeling, West Bengal
PHOTO • Rhea Chhetri

ଦିନର ପ୍ରଥମ ଗ୍ୟାସ ସିଲିଣ୍ଡର ପହଞ୍ଚାଇବା ପାଇଁ ମାୟା ଥାମୀ ୨୦୦ ଶିଢ଼ି ଚଢ଼ନ୍ତି। ଅନ୍ୟ କୁଲିଙ୍କ ଭଳି ସେ କାମ କରିବା ଲାଗି ନେପାଳରୁ ପଶ୍ଚିମବଙ୍ଗର ଦାର୍ଜିଲିଂକୁ ଆସିଛନ୍ତି

Left: Maya Thami rests after delivering a cylinder.
PHOTO • Rhea Chhetri
Right: Lakshmi Thami (left) and Rebika Thami (right)  each carrying a sack of potatoes weighing 60 kilos
PHOTO • Rhea Chhetri

ବାମ : ଗୋଟିଏ ସିଲିଣ୍ଡର ପହଞ୍ଚାଇ ସାରିବା ପରେ ମାୟା ଥାମୀ ବିଶ୍ରାମ ନେଇଛନ୍ତି । ଡାହାଣ : ଲକ୍ଷ୍ମୀ ଥାମୀ (ବାମ) ଏବଂ ରେବିକା ଥାମୀ (ଡାହାଣ) ୬୦ କିଲୋଗ୍ରାମ ଲେଖାଏଁ ଓଜନର ଆଳୁ ବସ୍ତା ବୋହି ନେଉଛନ୍ତି

ନେପାଳର ମାୟା ଥାମୀ ୧୨ ବର୍ଷ ହେବ ଦାର୍ଜିଲିଂରେ କୁଲି କାମ କରୁଛନ୍ତି। ତାଙ୍କ ଭଳି ସହରର ଅନ୍ୟ କୁଲିମାନେ ମଧ୍ୟ ବ୍ୟାପକ ସଂଖ୍ୟାରେ ନେପାଳର ମହିଳା ପ୍ରବାସୀ ଏବଂ ଥାମୀ ସମ୍ପ୍ରଦାୟ (ପଶ୍ଚିମବଙ୍ଗରେ ଅନ୍ୟାନ୍ୟ ପଛୁଆ ବର୍ଗ ଭାବେ ତାଲିକାଭୁକ୍ତ)ର ଅଟନ୍ତି। ସେମାନେ ନାମଲୋ ନାମକ ଗୋଟିଏ ଫିତା ବ୍ୟବହାର କରି, ବନ୍ଧା ହୋଇଥିବା ଡୋକୋ (ବାଉଁଶର ଟୋକେଇ)ରେ ପନିପରିବା, ସିଲିଣ୍ଡର ଏବଂ ପାଣି ଡବା ଭର୍ତ୍ତି କରି ବୋହି ନେଇଯାଆନ୍ତି।

ମାୟା କୁହନ୍ତି, ‘‘ବାହାଘର ପରେ ଦାୟିତ୍ୱ ବଢ଼ିଯାଇଥିଲା ତେଣୁ ମୁଁ ମୁଗଲାନ୍‌ (ଭାରତ) ଚାଲି ଆସିଲି।’’ ନେପାଳରେ ସେ ଓ ତାଙ୍କ ସ୍ୱାମୀ ବୌଦ୍ଧେ ୨ କଟ୍ଠା (୦.୦୬ ଏକର) ଜମିରେ ଚାଉଳ, ବାଜରା ଓ ଆଳୁ ଚାଷ କରୁଥିଲେ। ଏହାବ୍ୟତୀତ, ସେମାନେ ଛୋଟ ଛୋଟ ଦୋକାନରେ ଦିନ ମଜୁରିଆ ଭାବେ କାମ ମଧ୍ୟ କରୁଥିଲେ। ୨୦୨୧ରେ ଉଭୟ ସଡ଼କ ମାର୍ଗରେ ନେପାଳ ସୀମା ପାର୍‌ ହୋଇ କିଛି ଘଣ୍ଟା ଦୂରତାରେ ଥିବା ଦାର୍ଜିଲିଂକୁ ଚାଲି ଆସିଥିଲେ।

ମାୟା ଗ୍ୟାସ୍‌ ଏଜେନ୍ସିଂରୁ ସିଲିଣ୍ଡର ନେଇ ଲୋକଙ୍କ ଘରେ ପହଞ୍ଚାଇ ଦିଅନ୍ତି। ‘‘ମୁଁ ସାଧାରଣତଃ ସକାଳ ୭ଟାରେ କାମକୁ ବାହାରିଯାଏ ଏବଂ ସେଠାରେ ସିଲିଣ୍ଡର ବିତରଣ କରୁଥିବା ଲୋକମାନଙ୍କ ସହିତ ମୋ ପାଳିକୁ ଅପେକ୍ଷା କରିଥାଏ,’’ ସେ କୁହନ୍ତି। ଗୋଟିଏ ଦିନରେ ସେ ସାଧାରଣତଃ ଚାରିରୁ ପାଞ୍ଚଟି ସିଲିଣ୍ଡର ପହଞ୍ଚାଇଥା’ନ୍ତି, ଏଥିରୁ ତାଙ୍କର ଦୈନିକ ପ୍ରାୟ ୫୦୦ ଟଙ୍କା ରୋଜଗାର ହୋଇଥାଏ। ମାୟା କୁହନ୍ତି, ‘‘ ନାମଲୋ ବ୍ୟବହାର କରି ମୁଣ୍ଡ ଉପରେ ଓଜନିଆ ସିଲିଣ୍ଡର ଉଠାଇବା କାରଣରୁ ମୋର ବହୁ ମାତ୍ରାରେ କେଶ ଝଡ଼ିଯାଇଛି ଏବଂ ଶରୀରରେ ଯନ୍ତ୍ରଣା ହେଉଛି।’’ ମାୟାଙ୍କର ରକ୍ତଚାପ ମଧ୍ୟ ହ୍ରାସବୃଦ୍ଧି ହେଉଛି ।

ମାୟା ଲୋକଙ୍କ ଘରେ ସିଲିଣ୍ଡର୍‌ ପହଞ୍ଚାଇଥା’ନ୍ତି। ସକାଳ ୭ଟାରୁ ତାଙ୍କର ଦିନ ଆରମ୍ଭ ହୋଇଥାଏ ଏବଂ ସେ ସାଧାରଣତଃ ଗୋଟିଏ ଦିନରେ ସେ ସାଧାରଣତଃ ଚାରିରୁ ପାଞ୍ଚଟି ସିଲିଣ୍ଡର ପହଞ୍ଚାଇଥା’ନ୍ତି। ଆଉ ଏହି କଠିନ ପରିଶ୍ରମ ବଦଳରେ ତାଙ୍କୁ ଦୈନିକ ୫୦୦ ଟଙ୍କା ପାରିଶ୍ରମିକ ମିଳିଥାଏ

ଭିଡିଓ ଦେଖନ୍ତୁ : ଦାର୍ଜିଲିଂର କୁଲି

ପନିପରିବା ବୋହୁଥିବା କୁଲି ଏବଂ ସିଲିଣ୍ଡର୍‌ ବୋହୁଥିବା କୁଲି ଭିନ୍ନ ହୋଇଥା’ନ୍ତି। ସେମାନେ ରାତି ଆଠଟା ପର୍ଯ୍ୟନ୍ତ ଚୌକ ବଜାରରେ କାମ ଅପେକ୍ଷାରେ ରହିଥା’ନ୍ତି, କେବଳ ଗୁରୁବାର ଦିନ ବଜାର ବନ୍ଦ ରହିଥାଏ। ବିହାରରୁ ଆସିଥିବା ଜଣେ ଦୋକାନୀ ମନୋଜ ଗୁପ୍ତା କୁହନ୍ତି, ‘‘ଗ୍ରାହକଙ୍କୁ ନିଜ ପନିପରିବା ବିକ୍ରି କରିବା ପରେ, ଆମେ ପାଖରେ ଛିଡ଼ା ହୋଇଥିବା କୁଲିଙ୍କୁ ଡାକୁ । ଏହାପରେ ଗ୍ରାହକ ଏବଂ କୁଲିଙ୍କ ମଧ୍ୟରେ ସାମଗ୍ରୀ ପରିବହନକୁ ନେଇ ମୂଲଚାଲ ହୋଇଥାଏ।

‘‘ ନସକେମ୍‌ ବୋକ୍‌ଚୁ ଭନ୍ଦା ଭନ୍ଦା ୭୦ କେଜି କୋ ଭାରୀ ବୋକନେ ବାନି ଭଇସାକ୍ୟୋ (ମୁଁ ୭୦ କିଗ୍ରା ଓଜନ ଉଠାଇବାରେ ଅଭ୍ୟସ୍ତ ହୋଇଗଲିଣି),’’ ପନିପରିବା ବୋହୁଥିବା ୪୧ ବର୍ଷୀୟା କୁଲି ମନକୁମାରୀ ଥାମୀ କୁହନ୍ତି। ଏବେ ସେ ଗୋଟିଏ ହୋଟେଲ୍‌କୁ ୭୦ କିଲୋଗ୍ରାମ ପରିବା ନେଇ ଯାଉଛନ୍ତି। ସେ ଆହୁରି କୁହନ୍ତି, ‘‘ଯଦି ମୁଁ ଏତିକି ଓଜନ ଉଠାଇବାକୁ ମନା କରିଦେବି ତା’ହେଲେ ଏହି କାମ ଆଉ କାହାକୁ ମିଳିଯିବ ଏବଂ ମୋର ୮୦ ଟଙ୍କା କ୍ଷତି ହେବ।’’

ଧନକୁମାରୀ ଥାମୀ ଆହୁରି କୁହନ୍ତି, ‘‘ପ୍ରାୟତଃ ସବୁ ହୋଟେଲ୍‌ ଚୌକ ବଜାର ଉପରେ ରହିଥିବାରୁ ଆମକୁ ୧୫ରୁ ୨୦ ମିନିଟ୍‌ ପର୍ଯ୍ୟନ୍ତ ପାହାଡ଼ ଚଢ଼ିବାକୁ ପଡ଼ିଥାଏ। ପାଖାପାଖି ୧୦ ମିନିଟ୍‌ ଦୂରରେ ଥିବା ହୋଟେଲ ପାଇଁ, ଆମକୁ ୬୦ରୁ ୮୦ ଟଙ୍କା ମିଳେ ଏବଂ ଅଧିକ ଦୂରରେ ଥିବା ହୋଟେଲ୍‌ ପାଇଁ ୧୦୦ରୁ ୧୫୦ ଟଙ୍କା ପର୍ଯ୍ୟନ୍ତ ମିଳିଯାଏ।’’

ମହିଳାଙ୍କ ସହିତ ଭେଦଭାବ ହେଉଥିବା କଥାରେ ଧନକୁମାରୀ ଥାମୀ ସହମତ ହୋଇଥା’ନ୍ତି : ‘‘ କେତା ଲେ ମତଇ ସକଚା ଏସ୍ତୋ କାମ ତା ହଇନା ରଇସୌ ବଇନୀ। ଖଇ ଏତା ତା ବେସୀ ଲେଡିଜ୍‌ ହରୁ ନଇ ଚ ଭାରୀ ବୋକନୀ (ଲୋକମାନେ ଭାବନ୍ତି ଯେ ଏହି କାମ କେବଳ ପୁରୁଷମାନେ କରିପାରିବେ, କିନ୍ତୁ ଏକଥା ଠିକ୍‌ ନୁହେଁ ଦିଦି । ଏଠାକାର ଅଧିକାଂଶ କୁଲି ମହିଳା)।’’ ମଦ ନିଶା କାରଣରୁ ୧୫ ବର୍ଷ ପୂର୍ବରୁ ନିଜ ସ୍ୱାମୀଙ୍କୁ ହରାଇବା ପରେ, ସେ ଏହି କାମ ଆରମ୍ଭ କରିଥିଲେ ।

Left: Dhankumari Thami (blue jacket), Manbahadur Thami and Manmaya Thami (red sweater) rest in Chowk Bazaar between deliveries.
PHOTO • Rhea Chhetri
Right: Asti Thami filling water in cans that she will later deliver to customers
PHOTO • Rhea Chhetri

ବାମ : ଧନକୁମାରୀ ଥାମୀ(ନୀଳ ଜ୍ୟାକେଟ୍‌ ରେ), ମନବାହଦୁର ଥାମୀ ଏବଂ ମନମାୟା ଥାମୀ (ଲାଲ ସ୍ୱେଟରରେ) ସାମଗ୍ରୀ ପହଞ୍ଚାଇବା ପରେ, ଚୌକ ବଜାରରେ ବିଶ୍ରାମ କରୁଛନ୍ତି । ଡାହାଣ : ଅସ୍ତି ଥାମୀ ଡବାରେ ପାଣି ଭରୁଛନ୍ତି, ଯାହାକୁ ସେ ନେଇ ଗ୍ରାହକଙ୍କ ପାଖରେ ପହଞ୍ଚାଇବେ

Asti Thami (left) and Jungey Thami (right) carrying water cans for delivery
PHOTO • Rhea Chhetri
Asti Thami (left) and Jungey Thami (right) carrying water cans for delivery
PHOTO • Rhea Chhetri

ଅସ୍ତି ଥାମୀ (ବାମ) ଏବଂ ଜୁଙ୍ଗେ ଥାମୀ (ଡାହାଣ) ଡେଲିଭରୀ ପାଇଁ ପାଣି ଡବା ବୋହି ନେଇ ଯାଉଛନ୍ତି

ପାନ୍ଦାମ୍‌ ଚା’ ବଗିଚା ଅଞ୍ଚଳର ଏକ ଦମ୍ପତି ଅସ୍ତି ଥାମୀ ଏବଂ ଜୁଙ୍ଗେ ଥାମୀ ଘରକୁ ଘର ବୁଲି ପାଣି ବିତରଣ କରିଥାନ୍ତି। ସେମାନେ କୁହନ୍ତି, ପାଣି ବୋହିବା ବେଶ୍‌ କଷ୍ଟକର କାମ । ଦାର୍ଜିଲିଂର କିଛି ଅଞ୍ଚଳରେ ପାଣି ଅଭାବ କାରଣରୁ ସେମାନଙ୍କୁ ପ୍ରତିଦିନ ଏହି କାମ କରିବାକୁ ପଡ଼ିଥାଏ।

ଅସ୍ତି କୁହନ୍ତି, ‘‘ମୁଁ ଓ ମୋ ସ୍ୱାମୀ ପ୍ରତିଦିନ ସକାଳ ୬ଟାରୁ ପାନ୍ଦାମରୁ ପାଣି ନେଇ ଯାଇଥାଉ। ଆମେ କଣ୍ଟେନରରେ ପାଣି ଭରିଥାଉ ଏବଂ ଚାହିଦା ଅନୁସାରେ ଗ୍ରାହକଙ୍କ ଘରେ ପହଞ୍ଚାଇଥାଉ।’’ ପାନ୍ଦାମରେ ଥିବା ସେମାନଙ୍କ ଭଡ଼ା ଘର ସେହି ସ୍ଥାନରୁ ପାଖାପାଖି ଦୁଇ କିଲୋମିଟର ଦୂରରେ ରହିଛି ଯେଉଁଠାରୁ ସେମାନେ ପାଣି ସଂଗ୍ରହ କରନ୍ତି ।

ଜୁଙ୍ଗେ କୁହନ୍ତି, ସେ କିଛିଦିନ ମାଂସ ବିକ୍ରି କାମ ମଧ୍ୟ କରିଥିଲେ, କିନ୍ତୁ କୋଭିଡ୍‌ କାରଣରୁ ଏହି ବ୍ୟବସାୟରେ ତାଙ୍କର କ୍ଷତି ହେଲା। ତେଣୁ ବାଧ୍ୟ ହୋଇ ଏହି ଦମ୍ପତିଙ୍କୁ ପୁଣିଥରେ କୁଲି କାମ ଆରମ୍ଭ କରିବାକୁ ପଡ଼ିଲା।

*****

'Until [my children] Bhawana and Bhawin finish studying, I will carry cylinders,' says Maya Thami
PHOTO • Rhea Chhetri

ମାୟା ଥାମୀ କୁହନ୍ତି, ‘ମୋ ପିଲା ଭାବନା ଓ ଭାବିନ୍‌ଙ୍କ ପାଠପଢ଼ା ଶେଷ ନହେବା ପର୍ଯ୍ୟନ୍ତ, ମୁଁ ସିଲିଣ୍ଡର ଉଠାଇବା କାମ ଜାରି ରଖିବି’

ମାୟା ଥାମୀଙ୍କ ସ୍ୱାମୀ ବୌଦ୍ଧେ ଥାମୀ ଦ୍ୱିତୀୟ ପିଢ଼ିର ପ୍ରବାସୀ। ତାଙ୍କ ମାତା-ପିତା ମଧ୍ୟ କୁଲି କାମ କରିଥିଲେ ଏବଂ ଦାର୍ଜିଲିଂର ହୋଟେଲରେ ପନିପରିବା ପହଞ୍ଚାଉଥିଲେ। ମାୟା ଏବଂ ବୌଦ୍ଧେ ନିଜର କାର୍ଯ୍ୟସ୍ଥଳୀ ଚୌକ ବଜାର ଠାରୁ ପାଖାପାଖି ୫୦ ମିନିଟ୍‌ ଦୂର, ଗୋଶାଳା ନିକଟରେ ମାସିକ ୨,୫୦୦ ଟଙ୍କା ଭଡ଼ାରେ ଘର ନେଇଛନ୍ତି ।

ବହୁସଂଖ୍ୟାରେ କୁଲିମାନେ ନିଜ ପରିବାର ସହିତ ଏହି ଅଞ୍ଚଳରେ ଘର ଭଡ଼ା ନେଇ ରହିଥାନ୍ତି, କାରଣ ଏଠାରେ ଶସ୍ତା ଦରରେ ଘର ଭଡ଼ା ମିଳିଥାଏ।

ମାୟା ଏବଂ ବୌଦ୍ଧେଙ୍କ ପିଲାମାନେ, ଭାବନା ଓ ଭାବିନ୍‌ ଏବେ ସ୍କୁଲ୍‌ରେ ପଢ଼ୁଛନ୍ତି; ତାଙ୍କର ପାଠପଢ଼ା ମାୟାଙ୍କ ପ୍ରାଥମିକତା : ‘‘ ଭାବନା ର ଭାବିନ ପରଞ୍ଜଲ୍‌ ମୋ ମେରୋ ନାମଲୋ ଲେ ସିଲେଣ୍ଡର ବୋକଚୁ (ଭାବନା ଓ ଭାବିନଙ୍କ ପାଠପଢ଼ା ଶେଷ ନହେବା ପର୍ଯ୍ୟନ୍ତ ମୁଁ ମୋ ନାମଲୋ ଜରିଆରେ ସିଲିଣ୍ଡର ବୋହିବା କାମ ଜାରି ରଖିବି)।’’

ଅନୁବାଦ: ଓଡ଼ିଶାଲାଇଭ୍‍

Student Reporter : Rhea Chhetri

Rhea Chhetri recently completed her Master's in Mass Communication and Journalism from Amity University, Noida. She is from Darjeeling and wrote this story during an internship with PARI in 2023.

यांचे इतर लिखाण Rhea Chhetri
Editor : Sanviti Iyer

Sanviti Iyer is Assistant Editor at the People's Archive of Rural India. She also works with students to help them document and report issues on rural India.

यांचे इतर लिखाण Sanviti Iyer
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

यांचे इतर लिखाण OdishaLIVE