ସିଦ୍ଦୁ ଗାୱଡ଼େ ଯେତେବେଳେ ସ୍କୁଲକୁ ଯିବା ପାଇଁ ନିଷ୍ପତ୍ତି ନେଲେ ତାଙ୍କ ବାପା-ମା’ ତାଙ୍କୁ ୫୦ଟି ମେଣ୍ଢା ଚରାଇବାକୁ ଧରାଇ ଦେଲେ । ତାଙ୍କ ପରିବାର ଓ ବନ୍ଧୁମାନଙ୍କ ଭଳି ସେ ମଧ୍ୟ ଖୁବ୍‌ କମ୍‌ ବୟସରୁ ମେଷପାଳନ ଶିଖନ୍ତୁ ବୋଲି ତାଙ୍କ ପରିବାର ଲୋକମାନେ ଚାହୁଁଥିଲେ। ତେଣୁ ସେ କେବେ ବିଦ୍ୟାଳୟକୁ ଯାଇନଥିଲେ।

ମହାରାଷ୍ଟ୍ରରେ ଯାଯାବର ଜନଜାତି ଭାବେ ତାଲିକାଭୁକ୍ତ ଛେଳି ଓ ମେଣ୍ଢା ପାଳନ କରୁଥିବା ଧନଗର ସମାଜର ବାସିନ୍ଦା ହେଉଛନ୍ତି ଗାୱଡ଼େ। ସେମାନେ ପ୍ରାୟ ଛଅ ମାସ ଏବଂ ତା’ଠାରୁ ଅଧିକ ସମୟ ପର୍ଯ୍ୟନ୍ତ ସେମାନଙ୍କ ଘର ଠାରୁ ଶହ ଶହ କିଲୋମିଟର ଦୂର ପର୍ଯ୍ୟନ୍ତ ଯାତ୍ରା କରି ଛେଳି ମେଣ୍ଢା ପାଳନ କରିଥାନ୍ତି।

ଦିନେ ଉତ୍ତର କର୍ଣ୍ଣାଟକରେ କାରଦଗା ଗାଁରେ ଥିବା ନିଜ ଘରଠାରୁ ପ୍ରାୟ ଶହେ କିଲୋମିଟର ଦୂରରେ ମେଣ୍ଢା ଚରାଇବା ସମୟରେ, ସେ ଜଣେ ସାଥୀ ମେଷପାଳକଙ୍କୁ ସୂତାରେ ଗୋଲାକାର ଥଳି ତିଆରି କରୁଥିବାର ଦେଖିଲେ। ‘‘ମୋତେ ତାହା ଆକର୍ଷଣୀୟ ଲାଗିଲା।’’ ବୟସ୍କ ଧନଗର (ମେଷପାଳକ) କିଭଳି ଭାବେ ଧଳା ସୂତା ଉପଯୋଗ କରି ଏକ ଜାଳି (ଗୋଲାକାର ଥଳି)କୁ ଅତି କୌଶଳର ସହ ବୁଣୁଥିଲେ ଏବଂ ବୁଣାକାମ ଆଗକୁ ବଢ଼ିବା ସହିତ ସେହି ଥଳିର ରଙ୍ଗ କିପରି ଚିନାବାଦାମ ଭଳି ବାଦାମୀ ରଙ୍ଗରେ ବଦଳି ଯାଉଥିଲା ସେହି କଥା ସେ ମନେ ପକାଇ କହିଥିଲେ।

ଏହି ଆକସ୍ମିକ ଦୃଶ୍ୟ ଯୁବ ଗାୱଡ଼େଙ୍କ ମନକୁ ଆନ୍ଦୋଳିତ କରିଥିଲା ଏବଂ ସେ ଏହାକୁ ଅଭ୍ୟାସ କରିବାର ଯାତ୍ରା ଆରମ୍ଭ କରିଥିଲେ ଯାହାକି ପରବର୍ତ୍ତୀ ୭୪ ବର୍ଷ ପର୍ଯ୍ୟନ୍ତ ଜାରି ରହିଥିଲା ଓ ଏବେ ମଧ୍ୟ ଚାଲିଛି।

ଜାଳି ହେଉଛି ସୂତାରେ ହାତ ତିଆରି ଏକ ପ୍ରତିସମ ଥଳି ଯାହାକୁ କାନ୍ଧ ଚାରି ପାଖରେ ବନ୍ଧା ଯାଇଥାଏ। ସିଦ୍ଦୁ କୁହନ୍ତି, ‘‘ପ୍ରାୟତଃ ପ୍ରତ୍ୟେକ ଧନଗର ନିଜ ଲମ୍ବା ଯାତ୍ରା (ମେଷପାଳନ)ରେ ଏହି ଜାଳିକୁ ସାଥୀରେ ରଖିଥାନ୍ତି। ଏଥିରେ ଯେ କେହି ଅତିକମ୍‌ରେ ୧୦ଟି ଭାକରୀ (ପିଠା) ଏବଂ ଗୋଟିଏ ଯୋଡ଼ି କପଡ଼ା ରଖିପାରିବେ। ଅନେକ ଧନଗର ଏଥିରେ ଗୁଆ ପତ୍ର ଓ ତମାଖୁ, ଚୂନା (ଚୂନ ପଥର ପାଉଡର) ମଧ୍ୟ ରଖିଥାନ୍ତି।’’

ଜାଳି ଗୁଡ଼ିକ ଏକ ନିର୍ଦ୍ଦିଷ୍ଟ ମାପରେ ତିଆରି ହୋଇଥାନ୍ତି, କିନ୍ତୁ ମେଷପାଳକମାନେ ଏଥିରେ ସ୍କେଲ୍‌ କିମ୍ବା ଭର୍ଣ୍ଣିୟର କ୍ୟାଲିପର୍ସ ବା ମାପ ଉପକରଣ ବ୍ୟବହାର କରନ୍ତି ନାହିଁ । ‘‘ଏହା ଚାଖଣ୍ଡେ ଓ ଚାରି ଆଙ୍ଗୁଠି ଲମ୍ବା ହେବା ଉଚିତ୍‌,’’ ସିଦ୍ଦୁ କୁହନ୍ତି । ‘‘ତାଙ୍କ ଦ୍ୱାରା ତିଆରି ହୋଇଥିବା ପ୍ରତ୍ୟେକ ଜାଳି ୧୦ ବର୍ଷ ପର୍ଯ୍ୟନ୍ତ ଚାଲିଥାଏ। ‘‘ଏହା ବର୍ଷାରେ ଭିଜିବା ଉଚିତ୍‌ ନୁହେଁ । ଏହାବ୍ୟତୀତ, ମୂଷାମାନେ ଏହାକୁ କାଟିବା ପାଇଁ ପସନ୍ଦ କରିଥାନ୍ତି, ସେଥିପାଇଁ, ମଧ୍ୟ ଅତିରିକ୍ତ ଯତ୍ନ ନେବାକୁ ମଧ୍ୟ ପଡ଼ିଥାଏ।

Siddu Gavade, a Dhangar shepherd, learnt to weave jalis by watching another, older Dhangar. These days Siddu spends time farming; he quit the ancestral occupation of rearing sheep and goats a while ago
PHOTO • Sanket Jain
Siddu Gavade, a Dhangar shepherd, learnt to weave jalis by watching another, older Dhangar. These days Siddu spends time farming; he quit the ancestral occupation of rearing sheep and goats a while ago
PHOTO • Sanket Jain

ଧନଗର ମେଷପାଳକମାନେ ଅନ୍ୟ ଜଣେ ବୟସ୍କ ଧନଗରଙ୍କୁ ଦେଖି ଜାଳି ବୁଣିବା ଶିଖିଥାନ୍ତି । ସିଦ୍ଦୁ ଏବେ ଚାଷ କାମ କରୁଛନ୍ତି; ସେ କିଛି ବର୍ଷ ପୂର୍ବରୁ ମେଣ୍ଢା ଓ ଛେଳି ଚରାଇବାର ପାରିବାରିକ ବେଉସା ଛାଡ଼ି ଦେଇଛନ୍ତି

Siddu shows how he measures the jali using his palm and four fingers (left); he doesn't need a measure to get the dimensions right. A bag (right) that has been chewed by rodents
PHOTO • Sanket Jain
Siddu shows how he measures the jali using his palm and four fingers (left); he doesn't need a measure to get the dimensions right. A bag (right) that has been chewed by rodents
PHOTO • Sanket Jain

ଚାଖଣ୍ଡେ ଓ ଚାରି ଆଙ୍ଗୁଳି ବ୍ୟବହାର କରି ସିଦ୍ଦୁ କିଭଳି ଜାଳି ମାପିଥାନ୍ତି ତାହା ସେ ଦେଖାଇ ଦେଉଛନ୍ତି (ବାମ); ଏହାର ଠିକ୍‌ ମାପ ପାଇଁ ସେ କୌଣସି ମାପ ଉପକରଣ ବ୍ୟବହାର କରନ୍ତି ନାହିଁ । ମୂଷା କାଟି ଦେଇଥିବା ଏକ ଥଳି (ଡାହାଣ)

କାରଦଗାରେ ସିଦ୍ଦୁ ହିଁ ଏକମାତ୍ର ଚାଷୀ ଯାହାଙ୍କୁ ସୂତାରେ ଜାଳି ବୁଣିବା ଜଣା ଅଛି। ‘‘ଏହାକୁ କନ୍ନଡ଼ରେ ଜାଳଗି କୁହାଯାଏ,’’ ସିଦ୍ଦୁ କୁହନ୍ତି। ମହାରାଷ୍ଟ୍ର-କର୍ଣ୍ଣାଟକ ସୀମା ନିକଟବର୍ତ୍ତୀ ବେଲଗାଭୀ ଜିଲ୍ଲାର ଚିକୋଡ଼ି (ଚିକ୍କୋଡ଼ି) ତାଲୁକାରେ କାରଦଗା ରହିଛି। ଏହି ଗାଁର ଜନସଂଖ୍ୟା ପ୍ରାୟ ୯,୦୦୦ ହେବ ଏବଂ ଗ୍ରାମବାସୀ ଉଭୟ ମରାଠୀ ଓ କନ୍ନଡ଼ ଭାଷାରେ କଥା ହୁଅନ୍ତି।

ପିଲାଦିନେ, ସିଦ୍ଦୁ ସୁତୀ (ସୂତା) ନେଇ ଆସୁଥିବା ଟ୍ରକକୁ ଅପେକ୍ଷା କରି ରହୁଥିଲେ। ‘‘ଜୋର ପବନ ବୋହୁଥିବା କାରଣରୁ ରାସ୍ତାରେ ଯାଉଥିବା ଟ୍ରକରୁ ସୂତା ସବୁ ଖସି ପଡ଼ୁଥିଲା ଏବଂ ମୁଁ ସେଗୁଡ଼ିକୁ ଉଠାଇ ନେଉଥିଲି,’’ ସେ କୁହନ୍ତି। ସେ ଗଣ୍ଠି ପକାଇ ସୂତାରେ ଖେଳୁଥିଲେ। ‘‘ମୋତେ କେହି ଏହି କଳା ଶିଖାଇନାହାନ୍ତି। ମାହତାରା (ବୟସ୍କ) ଧନଗରଙ୍କୁ ଦେଖି ଦେଖି ମୁଁ ଏହାକୁ ଶିଖିଛି।’’

ପ୍ରଥମ ବର୍ଷ, ସିଦ୍ଦୁ କେବଳ ଥଳି ତିଆରି କରୁଥିଲେ ଗଣ୍ଠି ପକାଇବା ପାଇଁ କେତେଥର ପ୍ରୟାସ କରିଥିଲେ। ‘‘ଶେଷରେ ମୋର ମେଣ୍ଢା ଓ କୁକୁର ସହିତ ହଜାର ହଜାର କିଲୋମିଟର ଯାତ୍ରା କରିବା ପରେ ମୁଁ ଏହି ଜଟିଳ କଳାକୁ ଶିଖିପାରିଥିଲି,’’ ସେ କୁହନ୍ତି। ‘‘ଗୋଲ ଆକୃତିରେ ସମାନ ଦୂରତାରେ କୁଣ୍ଡଳୀ ତିଆରି କରିବା ଏବଂ ସମ୍ପୂର୍ଣ୍ଣ ଜାଳି ପ୍ରସ୍ତୁତ ହେବା ପର୍ଯ୍ୟନ୍ତ ଏହି ଆକାରକୁ ବଜାୟ ରଖିବାରେ ଏହାର କୌଶଳ ନିହିତ ରହିଛି,’’ ଏହି କୁଶଳୀ କାରିଗର ଜଣଙ୍କ କୁହନ୍ତି । ସେ କେବେ ଏହାକୁ ବୁଣିବା ପାଇଁ ଛୁଞ୍ଚି ବ୍ୟବହାର କରିନାହାନ୍ତି।

ପତଳା ସୂତାରେ ଭଲ ଗଣ୍ଠି ପଡ଼େ ନାହିଁ, ତେଣୁ ସିଦ୍ଦୁଙ୍କ ପାଇଁ ପ୍ରଥମ କାମ ହେଉଛି ମୋଟା ସୂତା ତିଆରି କରିବ। ଏପରି କରିବା ଲାଗି ସେ ଏକ ବଡ଼ ସୂତା ଗଣ୍ଠିଲିରୁ ପାଖାପାଖି ୨୦ ଫୁଟ୍‌ ଧଳା ସୂତା ଉପଯୋଗ କରିଥାନ୍ତି। ସେ ଏହାକୁ ଦ୍ରୁତ ଗତିରେ ପାରମ୍ପରିକ କାଠ ଉପକରଣର ଚାରି ପାଖରେ ବାନ୍ଧନ୍ତି । ସେହି ଉପକରଣକୁ ମରାଠୀର ଟକଳି ବା ଭିଙ୍ଗରୀ କୁହାଯାଏ । ଟକଳି ହେଉଛି ଏକ ଲମ୍ବା କାଠ ଉପକରଣ ଯାହା ପ୍ରାୟ ୨୫ ସେଣ୍ଟିମିଟର ଲମ୍ବା ହୋଇଥାଏ ଏବଂ ଏହାର ଗୋଟିଏ ମୁଣ୍ଡରେ ଛତୁ ଆକୃତିର ବକ୍ରତା ଥାଏ ଏବଂ ଦ୍ୱିତୀୟ ମୁଣ୍ଡ ମୁନିଆ ହୋଇଥାଏ।

ତା’ପରେ ସେ ଏହି ୫୦ ବର୍ଷ ପୁରୁଣା ବବୁଲ (ଆକାଶିଆ କାଠ) ଟକଳି କୁ ନିଜ ଡାହାଣ ପାଦ ଉପରେ ରଖିଥାନ୍ତି ଏବଂ ଜୋରରେ ବୁଲାନ୍ତି। ଏହି ଗତିକୁ ଅଟକାଇବା ବିନା, ସେ ନିଜ ବାଁ ହାତରେ ଟକଳି କୁ ଉଠାଇଥାନ୍ତି ଏବଂ ସୂତାକୁ ଟାଣିବା ଆରମ୍ଭ କରି ଦିଅନ୍ତି। ‘‘ଏହା ସୂତାକୁ ମୋଟା କରିବାର ପାରମ୍ପରିକ ପଦ୍ଧତି,’’ .ସେ କୁହନ୍ତି। ଆଉ ୨୦ ଫୁଟ ପତଳା ସୂତାକୁ ବଳିବା ପାଇଁ ତାଙ୍କୁ ପ୍ରାୟ ଦୁଇ ଘଣ୍ଟା ଲାଗିଥାଏ।

ସିଦ୍ଦୁ ବର୍ତ୍ତମାନ ସୁଦ୍ଧା ଏହି ପ୍ରକ୍ରିୟା ଜାରି ରଖିଛନ୍ତି କାରଣ ମୋଟ ସୂତା କିଣିବା ତାଙ୍କ ପାଇଁ ବ୍ୟୟବହୁଳ। ‘‘ ତିନ ପାଦାର ଚା କରୱା ଲାଗତେ (ତିନି ପରସ୍ତ କରି ସୂତା ତିଆରି କରିବାକୁ ହୁଏ)।’’ ତେବେ ଗୋଡ଼ ଓ ଟକଳି ମଧ୍ୟରେ ଘର୍ଷଣ କାରଣରୁ ଫୁଲା ଓ ଖଣ୍ଡିଆ ସୃଷ୍ଟି ହୋଇଥାଏ, ‘‘ ମଗ କାୟ ହୋତେ, ହୋନ୍ତୟ, ଦୋନ ଦିବସ ଆରାମ କରାୟଚା (ସେଇଠୁ କ’ଣ ହେଲା? ମାତ୍ର ଦୁଇ ଦିନ ପାଇଁ ବିଶ୍ରାମ ନେଇଯାଏ) ,’’ ସେ ହସି ହସି କୁହନ୍ତି ।

Siddu uses cotton thread to make the jali . He wraps around 20 feet of thread around the wooden takli , which he rotates against his leg to effectively roll and thicken the thread. The repeated friction is abrasive and inflames the skin
PHOTO • Sanket Jain
Siddu uses cotton thread to make the jali . He wraps around 20 feet of thread around the wooden takli , which he rotates against his leg to effectively roll and thicken the thread. The repeated friction is abrasive and inflames the skin
PHOTO • Sanket Jain

ସିଦ୍ଦୁ ଜାଳି ତିଆରି କରିବା ଲାଗି ସୂତା ଉପଯୋଗ କରିଥାନ୍ତି। ସେ କାଠ ଟକଳି ର ଚାରିପଟୁ ପାଖାପାଖି ୨୦ ଫୁଟର ସୂତା ଗୁଡ଼ାଇଥାନ୍ତି, ଯାହାକୁ ସେ ପ୍ରଭାବୀ ଢଙ୍ଗରେ ଗୁଡ଼ାଇବା ଓ ସୂତାକୁ ମୋଟା କରିବା ଲାଗି ନିଜ ଗୋଡ଼ର ବିପରୀତ ଦିଗରେ ଘୂରାଇଥାନ୍ତି। ବାରମ୍ବାର ଏହି ପ୍ରକ୍ରିୟା କରାଯିବା ଯୋଗୁଁ ତାଙ୍କ ଚର୍ମରେ ଘର୍ଷଣ ଓ ଫୁଲା ସୃଷ୍ଟି ହୋଇଥାଏ

There is a particular way to hold the takli and Siddu has mastered it over the years: 'In case it's not held properly, the thread doesn't become thick'
PHOTO • Sanket Jain

ଟକଳି କୁ ଧରିବାର ଏକ ନିର୍ଦ୍ଦିଷ୍ଟ ପଦ୍ଧତି ରହିଛି ଏବଂ ଗତ କିଛି ବର୍ଷ ଧରି ସିଦ୍ଦୁ ଏଥିରେ ସିଦ୍ଧହସ୍ତ ହୋଇପାରିଛନ୍ତି । ‘ଏହାକୁ ଠିକ୍‌ ଭାବେ ନ ଧରିଲେ, ସୂତା ଠିକ୍‌ ଭାବେ ମୋଟା ହେବ ନାହିଁ’

ସିଦ୍ଦୁ କୁହନ୍ତି, ଏବେ ଟକଳି ଟିଏ ପାଇବା ବେଶ କଷ୍ଟକର ହେଲାଣି। ‘‘ଏହାକୁ କେମିତି ତିଆରି କରିବାକୁ ହେବ ତାହା ଯୁବ ବଢ଼େଇମାନେ ଜାଣନ୍ତି ନାହିଁ ।’’ ୭୦ ଦଶକରେ ଗାଁର ଜଣେ ବଢ଼େଇଙ୍କଠାରୁ ୫୦ ଟଙ୍କା ଦେଇ ଏହାକୁ କିଣିଥିଲେ। ସେତେବେଳେ ଏହାର ଦାମ୍‌ ଖୁବ୍‌ ଅଧିକ ଥିଲା କାରଣ ଗୋଟିଏ କିଲୋଗ୍ରାମ ଭଲ ଚାଉଳ କିଲୋ ମାତ୍ର ୧ ଟଙ୍କା ଥିଲା।

ଗୋଟିଏ ଜାଳି ତିଆରି କରିବା ଲାଗି ସେ ପାଖାପାଖି ଦୁଇ କିଲୋଗ୍ରାମ ସୂତା କିଣିଥାନ୍ତି ଏବଂ ସୂତାର ମୋଟେଇ ଓ ଘନତା ଆଧାରରେ ସେ ଅନେକ ଫୁଟ ସୂତା ଗୁଡ଼ାଇଥା’ନ୍ତି । କିଛି ବର୍ଷ ପୂର୍ବରୁ ସେ ଏଠାରୁ ନଅ କିଲୋମିଟର ଦୂର ରେଣ୍ଡାଲ ଗ୍ରାମରୁ ସୂତା କିଣୁଥିଲେ । ‘‘ଏବେ ଆମ ଗାଁରେ ସୂତା ମିଳିଯାଉଛି ଏବଂ ମାନକୁ ଆଧାର କରି ଏହାର ଦାମ୍‌ ଗୋଟିଏ କିଲୋଗ୍ରାମ ପିଛା ୮୦-୧୦୦ ଟଙ୍କା ପଡ଼ିଥାଏ।’’ ୯୦ଦଶକର ଶେଷ ଭାଗରେ ଏହି ସୂତା କିଣିବା ପାଇଁ ତାଙ୍କୁ ଗୋଟିଏ କିଲୋଗ୍ରାମ ପିଛା ୨୦ ଟଙ୍କା ପଡ଼ୁଥିଲା ଏବଂ ସେ ଦୁଇ କିଲୋଗ୍ରାମ ସୂତା କିଣୁଥିଲେ ।

ପାରମ୍ପରିକ ଭାବେ ଜାଳି ତିଆରି କରିବାର କଳା ପୁରୁଷମାନଙ୍କ ହାତରେ ରହିଥିବା ବେଳେ, ତାଙ୍କ ପତ୍ନୀ ମାୟବ୍ବା ତାଙ୍କୁ ସୂତାକୁ ମୋଟା କରିବାରେ ସହାୟତା କରୁଥିଲେ ବୋଲି ସିଦ୍ଦୁ କୁହନ୍ତି। ‘‘ସେ ଜଣେ କୁଶଳୀ କାରିଗର,’’ ସିଦ୍ଦୁ କହିଥାନ୍ତି । କିଡନୀ ଖରାପ ହୋଇଯିବା କାରଣରୁ ୨୦୧୬ରେ ମାୟାବ୍ବାଙ୍କର ପରଲୋକ ଘଟିଥିଲା। ‘‘ତାଙ୍କ ଚିକିତ୍ସାରେ ଭୁଲ ହୋଇଗଲା। ଆମେ ଶ୍ୱାସରୋଗ ଚିକିତ୍ସା ପାଇଁ ଯାଇଥିଲୁ ଏବଂ ଔଷଧର ଏତେ ଯନ୍ତ୍ରଣାଦାୟକ ପାର୍ଶ୍ୱ ପ୍ରତିକ୍ରିୟା ଦେଖାଦେଲା ଯେ ତାଙ୍କର କିଡନୀ ଅକାମି ହୋଇଗଲା,’’ ସେ କୁହନ୍ତି।

ସିଦ୍ଦୁ କୁହନ୍ତି, ତାଙ୍କ ପରଲୋକଗତ ପତ୍ନୀଙ୍କ ଭଳି ମହିଳାମାନେ ମେଣ୍ଢାଙ୍କ ଲୋମ କାଟିବା ଏବଂ ଉଲ୍‌ ସୂତା ତିଆରି କରିବାରେ ବେଶ ସିଦ୍ଧହସ୍ତ। ଧନଗରମାନେ ଏହି ଉଲ୍‌ ସୂତାକୁ ନେଇ ଧନଗରମାନଙ୍କୁ ନେଇ ଦିଅନ୍ତି ଏବଂ ସେମାନେ ଏଥିରେ ଗୋଙ୍ଗଡ଼ି (ଉଲ୍‌ କମ୍ବଳ) ତିଆରି କରନ୍ତି । ଗୋଟିଏ ଗାତରେ ବସିଥିବା ତନ୍ତରେ ଏହି କମ୍ବଳ ବୁଣାଯାଏ ଏବଂ ବୁଣାକାରମାନେ ବୁଣିବା ପାଇଁ ପାଦ ଉପଯୋଗ କରିଥାନ୍ତି ।

ଆବଶ୍ୟକତା ଏବଂ ହାତରେ ଥିବା ସମୟକୁ ଆଧାର କରି ସିଦ୍ଦୁ ସୂତାକୁ ମୋଟା କରିଥାନ୍ତି । ତା’ପରେ ସେ ଆଙ୍ଗୁଠିରେ ଜାଳି ବୁଣିବାର ସବୁଠୁ ଜଟିଳ କାମ କରନ୍ତି । ଏଥିରେ ସେ ସୂତା ଫାଶକୁ ପରସ୍ପର ସହ ଯୋଡ଼ି ଏବଂ ଗଣ୍ଠିକୁ ବାନ୍ଧି ଦ୍ରୁତ ଗତିରେ ଏକ ଖସଡ଼ା ଗଣ୍ଠି ପକାଇଥାନ୍ତି । ଗୋଟିଏ ଥଳି ପାଇଁ ସେ ସମାନ ଦୂରତା ବିଶିଷ୍ଟ ୨୫ ସୂତା ଫାଶର ଏକ ଶୃଙ୍ଖଳା ତିଆରି କରନ୍ତି ।

PHOTO • Sanket Jain
Right: Every knot Siddu makes is equal in size. Even a slight error means the jali won't look as good.
PHOTO • Sanket Jain

ବାମ : ଟକଳି ବାବୁଲ (ଅକାଶିଆ) କାଠରେ ତିଆରି ହୋଇଥାଏ ଏବଂ ୫୦ ବର୍ଷ ତଳେ ସେ ଯେତେବେଳେ ଏହାକୁ କିଣିଥିଲେ, ତାଙ୍କୁ ୫୦ କିଲୋ ଚାଉଳ ସହ ସମାନ ଦାମ୍‌ ଦେବାକୁ ପଡ଼ିଥିଲା। ଏବେ କୌଣସି ବଢ଼େଇ ଏହାକୁ ତିଆରି କରୁନାହାନ୍ତି । ଡାହାଣ : ସିଦ୍ଦୁ ଯେତେସବୁ ଗଣ୍ଠି ପକାଇଥାନ୍ତି ସବୁର ଆକାର ସମାନ ଥାଏ। ଏପରିକି ଗୋଟିଏ ଛୋଟିଆ ଭୁଲ ହେଲେ ଜାଳି ଭଲ ଦେଖାଯିବ ନାହିଁ

‘‘ଗୋଲାକାର କୁଣ୍ଡଳୀ ବା ଫାଶ ତିଆରି କରିବା ହେଉଛି ସବୁଠୁ କଷ୍ଟକର କାମ।’’ ସେ ଆହୁରି କୁହନ୍ତି ଯେ ଗାଁର ୨-୩ ଜଣ ଧନଗର ଜାଳି ତିଆରି କରିବା ଜାଣିଛନ୍ତି, କିନ୍ତୁ ‘‘ସେମାନେ ସବୁବେଳେ ଏହାର ଆଧାର ତିଆରି କରୁଥିବା ସେହି ଗୋଲାକାର କୁଣ୍ଡଳୀ ତିଆରି କରିବାକୁ ସମସ୍ୟାରେ ପଡ଼ିଥାନ୍ତି। ତେଣୁ ସେମାନେ ଏହାକୁ ତିଆରି କରିବା ଛାଡ଼ି ଦେଇଛନ୍ତି।’’

ଗୋଲାକାର କୁଣ୍ଡଳୀ ତିଆରି କରିବା ପାଇଁ ସିଦ୍ଦୁ ପ୍ରାୟ ୧୪ ଘଣ୍ଟା ସମୟ ନେଇଥାନ୍ତି। ‘‘ଆପଣ କିଛି ଭୁଲ କରି ଦେଲେ, ସମ୍ପୂର୍ଣ୍ଣ ପ୍ରକ୍ରିୟା ଆଉ ଥରେ କରିବାକୁ ହୁଏ।’’ ଗୋଟିଏ ଜାଳି ତିଆରି କରିବା ପାଇଁ ପ୍ରାୟ ୨୦ ଦିନ ସମୟ ଲାଗେ । କାରଣ ସିଦ୍ଦୁ ଦିନକୁ ଏହି କାମରେ ତିନି ଘଣ୍ଟା ସମୟ ଦେଇଥାନ୍ତି । ସେ ୩୦୦ ଫୁଟରୁ ଅଧିକ ସୂତାକୁ  ୬୦ ଘଣ୍ଟା ଧରି ବୁଣିଥାନ୍ତି ଏବଂ ପ୍ରତ୍ୟେକ ଗଣ୍ଠିର ମାପ ସମାନ ରହିଥାଏ। ସିଦ୍ଦୁ ଏବେ ଚାଷ କାମରେ ଅଧିକ ସମୟ ଦେଉଛନ୍ତି ଏବଂ ଗୋଟିଏ ଜାଳି ତିଆରି କରିବା ପାଇଁ ଏଥିରୁ ତାଙ୍କୁ ସମୟ ବାହାର କରିବାକୁ ହେଉଛି । ବିଗତ ସାତ ଦଶନ୍ଧି ଧରି, ସେ ୬,୦୦୦ ଘଣ୍ଟାରୁ ଅଧିକ ସମୟ ଅତିବାହିତ କରି ସେ ବହୁ ଧନଗରଙ୍କ ପାଇଁ ୧୦୦ରୁ ଅଧିକ ଜାଳି ତିଆରି କରିଛନ୍ତି ।

ସିଦ୍ଦୁଙ୍କୁ ସମସ୍ତେ ସ୍ନେହରେ ପଟକର ମହାତର (ପଗଡ଼ି ପିନ୍ଧିଥିବା ବୁଢ଼ା) ବୋଲି ଡାକନ୍ତି । ସେ ସବୁଦିନ ଧଳା ପଗଡ଼ି ପିନ୍ଧିଥାନ୍ତି ।

ବୟସାଧିକ୍ୟ ସତ୍ତ୍ୱେ, ସେ ଆଜକୁ ନଅ ବର୍ଷ ଧରି ମହାରାଷ୍ଟ୍ରର ସୋଲାପୁର ଜିଲ୍ଲାରେ ଥିବା ପଣ୍ଢରପୁର ବିଠୋବା ମନ୍ଦିରରେ ଆୟୋଜିତ ଲୋକପ୍ରିୟ ୱାରୀ ପର୍ବ ଦେଖିବା ଲାଗି ପାଦରେ ଚାଲି ଚାଲି ୩୫୦ କିଲୋମିଟର ଯିବା ଆସିବା କରିଥାନ୍ତି । ସାରା ମହାରାଷ୍ଟ୍ର ଏବଂ ଉତ୍ତର କର୍ଣ୍ଣାଟକରୁ ବହୁ ସଂଖ୍ୟାରେ ତୀର୍ଥଯାତ୍ରୀ ଆଷାଢ଼ (ଜୁନ/ଜୁଲାଇ) ଏବଂ କାର୍ତ୍ତିକ (ଦୀପାବଳୀ ପରେ ଅକ୍ଟୋବର-ନଭେମ୍ବର) ମାସରେ ଦଳବଦ୍ଧ ହୋଇ ଏହି ମନ୍ଦିରକୁ ପାଦରେ ଚାଲି ଚାଲି ଯାତ୍ରା କରିଥାନ୍ତି। ସେମାନେ ଅଭଙ୍ଗ ନାମକ ଭକ୍ତି ଗୀତ ଗାଇଥାନ୍ତି । ତା’ଛଡ଼ା ସନ୍ଥ ତୁକାରାମ, ଜ୍ଞାନେଶ୍ୱର ଓ ନାମଦେବଙ୍କ ରଚିତ ପଦ୍ୟ ଗାନ କରନ୍ତି।

‘‘ମୁଁ କୌଣସି ଗାଡ଼ିରେ ଯାଏ ନାହିଁ । ବିଠୋବା ଆହେ ମାଜ୍ୟାସୋବାତ। କାହିହି ହୋତ ନାହି (ମୁଁ ଜାଣିଛି ବିଠୋବା ମୋ ସହ ଅଛନ୍ତି ଏବଂ କିଛି ହେବ ନାହିଁ),’’ ସେ କୁହନ୍ତି । ପଣ୍ଢରପୁରର ବିଠଲ-ରୁକ୍ମିଣୀ ମନ୍ଦିରରେ ପହଞ୍ଚିବା ପାଇଁ ତାଙ୍କୁ ୧୨ ଦିନ ଲାଗିଥାଏ। ଯେଉଁଠି ସେ ବିଶ୍ରାମ ପାଇଁ ରୁହନ୍ତି ସେଠାରେ ନିଜର ସୂତା ବାହାର କରି କୁଣ୍ଡଳୀ ତିଆରି କରିବା ଆରମ୍ଭ କରି ଦେଇଥାନ୍ତି ।

ସିଦ୍ଦୁଙ୍କ ବାପା ସ୍ୱର୍ଗତ ବାଲୁ ମଧ୍ୟ ଜାଳି ତିଆରି କରୁଥିଲେ । ଏବେ ଜାଳି ତିଆରି କରୁଥିବା କାରିଗର ଆଉ ଏତେ ମିଳୁନଥିବାରୁ ବହୁ ଧନଗରମାନେ କପଡ଼ା ବ୍ୟାଗ ବ୍ୟବହାର କରିବା ଆରମ୍ଭ କରିଛନ୍ତି । ‘‘ଏଥିରେ ଲାଗୁଥିବା ସମ୍ବଳ ଓ ସମୟକୁ ଦେଖି, ଏହି କାରିଗରୀକୁ ବଜାୟ ରଖିବା ସମ୍ଭବ ନୁହେଁ,’’ ସିଦ୍ଦୁ କୁହନ୍ତି । ସେ ସୂତା ପାଇଁ ପ୍ରାୟ ୨୦୦ ଟଙ୍କା ଖର୍ଚ୍ଚ କରିଥାନ୍ତି ଏବଂ ଜାଳି ୨୫୦ରୁ ୩୦୦ ଟଙ୍କାରେ ବିକ୍ରି ହୋଇଥାଏ। ‘‘କାହିହି ଉପୟୋଗ ନାହି (ଏହାକୁ ତିଆରି କରିବାରେ କିଛି ଲାଭ ନାହିଁ),’’ ସେ କୁହନ୍ତି ।

'The most difficult part is starting and making the loops in a circular form,' says Siddu. Making these loops requires a lot of patience and focus
PHOTO • Sanket Jain
'The most difficult part is starting and making the loops in a circular form,' says Siddu. Making these loops requires a lot of patience and focus
PHOTO • Sanket Jain

‘ସବୁଠାରୁ କଷ୍ଟ କାମ ହେଉଛି ଗୋଲ ଆକୃତିର କୁଣ୍ଡଳୀ ତିଆରି କରିବା,’’ ସିଦ୍ଦୁ କୁହନ୍ତି । ଏହି ସବୁ କୁଣ୍ଡଳୀ ତିଆରି କରିବା ପାଇଁ ଯଥେଷ୍ଟ ଧେର୍ଯ୍ୟ ଏବଂ ଧ୍ୟାନ ଆବଶ୍ୟକ ହୋଇଥାଏ

Left: After spending over seven decades mastering the art, Siddu is renowned for making symmetrical jalis and ensuring every loop and knot is of the same size.
PHOTO • Sanket Jain
Right: He shows the beginning stages of making a jali and the final object.
PHOTO • Sanket Jain

ବାମ : ସାତ ଦଶନ୍ଧି ଧରି ଏହି କଳାରେ ବିନିଯୋଗ କରିବା ପରେ, ସିଦ୍ଦୁ ପ୍ରତିସମ ଜାଳି ତିଆରି କରିବାରେ ଲୋକପ୍ରିୟ ହୋଇଯାଇଛନ୍ତି ଏବଂ ପ୍ରତ୍ୟେକ କୁଣ୍ଡଳୀ ଓ ଗଣ୍ଠି ଯେମିତି ସମାନ ଆକାରର ହେବ ତାହା ସେ ସୁନିଶ୍ଚିତ କରିଥାନ୍ତି । ଡାହାଣ : ଜାଳି ତିଆରି କରିବାର ପ୍ରାରମ୍ଭିକ ସ୍ତର ଏବଂ ଶେଷ ଉତ୍ପାଦକୁ ସେ ଦେଖାଉଛନ୍ତି

ତାଙ୍କର ତିନି ପୁଅ ଓ ଗୋଟିଏ ଝିଅ ଅଛନ୍ତି। ମଲ୍ଲାପାଙ୍କୁ ୫୦ ବର୍ଷ ପାଖାପାଖି ହେବ ଏବଂ କଲ୍ଲାପାଙ୍କୁ ପ୍ରାୟ ୩୫ ବର୍ଷ ବୟସ, ଉଭୟ ଏବେ ମେଣ୍ଢା ପାଳନ ଛାଡ଼ି ଗୋଟିଏ ଏକର ଲେଖାଏଁ ଜମିରେ ଚାଷ କରୁଛନ୍ତି । ଅନ୍ୟ ପଟେ ବାଲୁ (୪୫) ଜଣେ ଚାଷୀ ଭାବେ କାମ କରନ୍ତି ଏବଂ ନିଜର ୫୦ଟି ମେଣ୍ଢା ପଲଙ୍କୁ ନେଇ ଦୂର ସ୍ଥାନକୁ ଚରାଇବାକୁ ଯାଆନ୍ତି । ତାଙ୍କ ଝିଅ, ଯିଏକି ୩୦ ବର୍ଷର, ଶାଣା ଜଣେ ଗୃହିଣୀ।

ତାଙ୍କର କେହି ଜଣେ ହେଲେ ପୁଅ ଏହି କୌଶଳ ଶିଖିନାହାନ୍ତି । ‘‘ଶିକଳୀ ବି ନାହି, ତ୍ୟାନା ଜମତ ପ୍ୟାନ୍ ନାହି, ଆଣି ତ୍ୟାନୀ ଡୋସ୍କ ପଣ ଘାତଲଁ ନାହି (ସେମାନେ ଶିଖିଲେ ତ’ ନାହିଁ, କେବେ ଚେଷ୍ଟା ସୁଦ୍ଧା କଲେ ନାହିଁ ଏବଂ ସେଥିରେ ମୁଣ୍ଡ ବି ପୂରାଇଲେ ନାହିଁ),’’  ସେ ଏକା ନିଃଶ୍ୱାସରେ କୁହନ୍ତି । ଲୋକମାନେ ଧ୍ୟାନର ସହକାରେ ତାଙ୍କ କାମ ଦେଖିଥାନ୍ତି, କିନ୍ତୁ କେହି ଏହି କଳା ଶିଖିବା ପାଇଁ ଆସନ୍ତି ନାହିଁ ବୋଲି ସେ କୁହନ୍ତି ।

କୁଣ୍ଡଳୀ ତିଆରି କରିବା ସହଜ ଲାଗିପାରେ କିନ୍ତୁ ଏଥିରେ ବିଭିନ୍ନ ସମସ୍ୟା ଦେଖା ଦିଏ, ଯାହା ପ୍ରାୟତଃ ସିଦ୍ଦୁଙ୍କ ପାଇଁ ଶାରୀରିକ କଷ୍ଟର କାରଣ ହୋଇଥାଏ। ‘‘ ହାତାଲା ମୁଙ୍ଗ୍ୟା ୟେତାତ (ପିନ୍‌ ଓ ଛୁଞ୍ଚି ଫୁଟିବା ଭଳି ଲାଗେ),’’ ସେ କୁହନ୍ତି। ଏଥିସହିତ ଏହି କାମ କାରଣରୁ ତାଙ୍କର ପିଠି ଯନ୍ତ୍ରଣା ହୋଇଥାଏ ଏବଂ ଆଖି ଉପରେ ଚାପ ପଡ଼ିଥାଏ। କିଛି ବର୍ଷ ପୂର୍ବରୁ ମୋତିଆବିନ୍ଦୁ ଅସ୍ତ୍ରୋପଚାର ଲାଗି ତାଙ୍କର ଦୁଇ ଆଖି ଅପରେସନ କରାଯାଇଥିଲା ଏବଂ ଏବେ ସେ ଚଷମା ଲଗାଉଛନ୍ତି। ତେବେ ଏହାଦ୍ୱାରା ତାଙ୍କର ଗତି ଧିମେଇଗଲା, କିନ୍ତୁ କଳାକୁ ଜୀବିତ ରଖିବା ପାଇଁ ତାଙ୍କର ଦୃଢ଼ସଂକଳ୍ପ ଏବେ ସୁଦ୍ଧା ବଜାୟ ରହିଛି ।

ଜାନୁଆରୀ ୨୦୨୨ରେ ଗ୍ରାସ୍‌ ଏଣ୍ଡ ଫୋରେଜ୍‌ ସାଇନ୍ସରେ ପ୍ରକାଶିତ ଭାରତୀୟ ଚାରା ଉତ୍ପାଦନ ଉପରେ ଏକ ଗବେଷଣା ପତ୍ରରେ କୁହାଯାଇଛି ଯେ ଭାରତକୁ ସବୁଜ ଗୋଖାଦ୍ୟ ସହିତ ଗୋଖାଦ୍ୟ ସାମଗ୍ରୀ ଏବଂ ଶୁଖିଲା ଫସଲ ଅବଶେଷ ଅଭାବର ମଧ୍ୟ ସାମ୍ନା କରିବାକୁ ପଡ଼ିଥାଏ - ଯାହାକି ଏକ ପ୍ରମୁଖ ପଶୁ ଖାଦ୍ୟ ସମସ୍ୟାକୁ ଉଜାଗର କରିଥାଏ।

ପଶୁ ଖାଦ୍ୟ ଅଭାବ କାରଣରୁ କିଛି ଧନଗର ଏବେ କେବଳ ନିଜ ଗାଁରେ ହିଁ ଛେଳି ଓ ମେଣ୍ଢାଙ୍କ ପାଳନ କରୁଛନ୍ତି । ‘‘ବିଗତ ୫-୭ ବର୍ଷ ମଧ୍ୟରେ ଆମେ ଅନେକ ମେଣ୍ଢା ଓ ଛେଳିଙ୍କ ମୃତ୍ୟୁ ଦେଖିଛୁ । ଚାଷୀମାନେ ଅଧିକ ରାସାୟନିକ କୀଟନାଶକ ଓ ତୃଣନାଶକ ବ୍ୟବହାର କରୁଥିବାରୁ ଏପରି ସମସ୍ୟା ଦେଖା ଦେଇଛି,’’ ସେ କୁହନ୍ତି । କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, କର୍ଣ୍ଣାଟକର ଚାଷୀମାନେ ୨୦୨୨-୨୩ରେ ୧,୬୬୯ ମେଟ୍ରିକ୍‌ ଟନ୍‌ ରାସାୟନିକ କୀଟନାଶକ ବ୍ୟବହାର କରିଥିଲେ । ଏହା ୨୦୧୮-୧୯ରେ ବ୍ୟବହୃତ କୀଟନାଶକ ତୁଳନାରେ ଅଧିକ ଥିଲା ।

Left: Siddu's wife, the late Mayavva, had mastered the skill of shearing sheep and making woolen threads.
PHOTO • Sanket Jain
Right: Siddu spends time with his grandson in their house in Karadaga village, Belagavi.
PHOTO • Sanket Jain

ବାମ : ସିଦ୍ଦୁଙ୍କ ପତ୍ନୀ ସ୍ୱର୍ଗତଃ ମାୟବ୍ବା ମେଣ୍ଢାଙ୍କ ଲୋମ କାଟିବା ଏବଂ ଉଲ ତିଆରି କରିବାରେ ସିଦ୍ଧହସ୍ତ ଥିଲେ । ଡାହାଣ : ବେଲଗାଭିର କାରଦଗା ଗ୍ରାମରେ ଥିବା ସେମାନଙ୍କ ଘରେ ନିଜ ନାତି ସହ ସିଦ୍ଦୁ ସମୟ ବିତାଇଥାନ୍ତି

The shepherd proudly shows us the jali which took him about 60 hours to make.
PHOTO • Sanket Jain

ମେଷପାଳକ ଗର୍ବର ସହିତ ଆମକୁ ଜାଳି ଦେଖାଉଛନ୍ତି ଯାହାକୁ ତିଆରି କରିବା ଲାଗି ତାଙ୍କୁ ପ୍ରାୟ ୬୦ ଘଣ୍ଟା ଲାଗିଛି

ସେ ଆହୁରି କୁହନ୍ତି ଯେ, ପଶୁପାଳନ ଖର୍ଚ୍ଚ ବ୍ୟାପକ ଭାବେ ବୃଦ୍ଧି ପାଇଛି ଏବଂ ଲୁକ୍କାୟିତ ଖର୍ଚ୍ଚ ଭାବେ ଚିକିତ୍ସା ଖର୍ଚ୍ଚ ତାଙ୍କୁ ବାଧିଥାଏ। ‘‘ପ୍ରତ୍ୟେକ ବର୍ଷ ପଶୁଙ୍କ ଔଷଧ ଓ ଇଞ୍ଜେକ୍ସନ ଉପରେ ଅତିକମ୍‌ରେ ୨୦,୦୦୦ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ୁଛି କାରଣ ମେଣ୍ଢା-ଛେଳି ବାରମ୍ବାର ରୋଗରେ ପଡ଼ୁଛନ୍ତି।’’

ସେ ଆହୁରି କୁହନ୍ତି ଯେ ପ୍ରତ୍ୟେକ ମେଣ୍ଢାକୁ ପ୍ରତି ବର୍ଷ ଛଅଟି ଇଞ୍ଜେକ୍ସନ (ଟିକା) ଦିଆଯିବା ଉଚିତ୍‌ । ‘‘ଯଦି ଗୋଟିଏ ମେଣ୍ଢା ଜୀବିତ ରହିବ ତା’ହେଲେ ଯାଇ ଆମେ କିଛି ଟଙ୍କା ରୋଜଗାର କରିପାରିବୁ ।’’ ଏଥିସହିତ, ଚାଷୀମାନେ ଆଖୁ ଚାଷ ପାଇଁ ପ୍ରତ୍ୟେକ ଇଞ୍ଚ ଜମି ଉପଯୋଗ କରୁଛନ୍ତି । ୨୦୨୧-୨୦୨୨ରେ, ଭାରତ ୫୦୦ ମିଲିୟନ ମେଟ୍ରିକ୍‌ ଟନ୍‌ରୁ ଅଧିକ ଆଖୁ ଉତ୍ପାଦନ କରିଥିଲା ଏବଂ ବିଶ୍ୱର ସବୁଠୁ ବଡ଼ ଚିନି ଉତ୍ପାଦକ ଓ ଉପଭୋକ୍ତା ଭାବେ ଉଭା ହୋଇଥିଲା।

ଦୁଇ ଦଶନ୍ଧି ପୂର୍ବରୁ ସିଦ୍ଦୁ ମେଣ୍ଢା ଓ ଛେଳି ପାଳିବା ଛାଡ଼ି ଦେଇଛନ୍ତି ଏବଂ ୫୦ ପାଖାପାଖି ପଶୁଙ୍କୁ ନିଜ ପୁଅମାନଙ୍କ ମଧ୍ୟରେ ବାଣ୍ଟି ଦେଇଛନ୍ତି । ମୌସୁମୀ ବର୍ଷା ବିଳମ୍ବ ହେବା କାରଣରୁ କୃଷି ଚକ୍ର କିଭଳି ପ୍ରଭାବିତ ହେଉଛି ସେ ସମ୍ପର୍କରେ ସିଦ୍ଦୁ ସୂଚନା ଦିଅନ୍ତି । ‘‘ଚଳିତ ବର୍ଷ, ଜୁନରୁ ଜୁଲାଇ ମଧ୍ୟଭାଗ ମଧ୍ୟରେ ମୋର ତିନି ଏକର ଜମି ପଡ଼ିଆ ରହିଥିଲା କାରଣ ଆଦୌ ପାଣି ନଥିଲା। ଯେମିତି ହେଉ, ଜଣେ ପଡ଼ୋଶୀ ସାହାଯ୍ୟ କରିବା ପରେ ମୁଁ ବାଦାମ ଚାଷ କରିପାରିଥିଲି।’’

ସେ କୁହନ୍ତି, ଗ୍ରୀଷ୍ମଲହରୀ ଏବଂ ଲଗାଣ ବର୍ଷା ସ୍ଥିତିରେ ପରିବର୍ତ୍ତନ ଚାଷକୁ ସମସ୍ୟାପୂର୍ଣ୍ଣ କରି ଦେଇଛି । ‘‘ପୂର୍ବରୁ ମା’ବାପା ନିଜ ପିଲାଙ୍କୁ (ସୁରକ୍ଷା ଦୃଷ୍ଟିରୁ) ଅନେକ ମେଣ୍ଢା ଓ ଛେଳି ଦେଉଥିଲେ। ଏବେ ପରିସ୍ଥିତି ବଦଳିଯାଇଛି । ମାଗଣାରେ ଦେଲେ ସୁଦ୍ଧା କେହି ସେଗୁଡ଼ିକୁ ନେଉ ନାହାନ୍ତି ।’’

ସାଙ୍କେତ ଜୈନଙ୍କ ଦ୍ୱାରା ଗ୍ରାମୀଣ କାରିଗରଙ୍କ ଉପରେ ପ୍ରସ୍ତୁତ କାହାଣୀଗୁଡ଼ିକର ଅଧ୍ୟାୟରେ ଏହି କାହାଣୀ ଏକ ଅଂଶବିଶେଷ ଏବଂ ଏଥିପାଇଁ ମୃଣାଳିନୀ ମୁଖାର୍ଜୀ ଫାଉଣ୍ଡେସନ ସହାୟତା ଯୋଗାଇ ଦେଇଛନ୍ତି

ଅନୁବାଦ : ଓଡ଼ିଶାଲାଇଭ୍‍

Sanket Jain

संकेत जैन हे कोल्हापूर स्थित ग्रामीण पत्रकार आणि ‘पारी’चे स्वयंसेवक आहेत.

यांचे इतर लिखाण Sanket Jain
Editor : PARI Team
Photo Editor : Binaifer Bharucha

Binaifer Bharucha is a freelance photographer based in Mumbai, and Photo Editor at the People's Archive of Rural India.

यांचे इतर लिखाण बिनायफर भरुचा
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

यांचे इतर लिखाण OdishaLIVE