ସେଦିନର କଥା ଆଜି ବି ମୋର ମନେ ଅଛି । ମୋ ମାଆ ପାଖରେ କମ୍ବଳ ଭିତରେ ଗୁଞ୍ଜି ହୋଇ ମୁଁ ତା’ର କାହାଣୀ ଶୁଣୁଥିଲି- “ଆଉ ଜୀବନର ପ୍ରକୃତ ଅର୍ଥ ଖୋଜିବା ପାଇଁ ସିଦ୍ଧାର୍ଥ ନିଜ ଘର ଛାଡ଼ିଲେ,” ସେ କହିଲା । ରାତି ସାରା ବର୍ଷା ଲାଗି ରହିଥିଲା । ଆମ ଘରୁ ମାଟିଗାତ ଭଳି ଗନ୍ଧ ବାହାରୁଥିଲା, ମହମବତୀରୁ ନିର୍ଗତ କଳାଧୂଆଁ ଛାତ ଛୁଇଁବାକୁ ଚେଷ୍ଟା କରୁଥିଲା ।
“ସିଦ୍ଧାର୍ଥଙ୍କୁ ଭୋକ ଲାଗିଲେ କ’ଣ ହେବ?” ମୁଁ ପଚାରିଲି । ସତେ ମୁଁ କେଡ଼େ ବୋକା ଥିଲି ?ସିଦ୍ଧାର୍ଥ ତ ଭଗବାନ ।
ତା’ପରେ, ୧୮ ବର୍ଷ ପରେ, ମୁଁ ସେଇ ଏକା କୋଠରିକୁ ଫେରିଲି । ବର୍ଷା ହେଉଥିଲା । ଝରକା କାଚରୁବୁନ୍ଦା ବୁନ୍ଦା ପାଣି ଝରି ପଡୁଥିଲା । ମୋ ପାଖରେ, ଏକ କମ୍ବଳ ଭିତରେ ଗୁଞ୍ଜି ହୋଇ ମୋ ମାଆ ଖବର ଶୁଣୁଥିଲା । “୨୧ ଦିନିଆ ଲକ୍ଡାଉନ୍ ଆରମ୍ଭ ହେବା ଦିନରୁ ଭାରତର ବିଭିନ୍ନ ବଡ଼ ବଡ଼ ସହରରୁ ପାଞ୍ଚ ଲକ୍ଷ ପ୍ରବାସୀ ଚାଲି ଚାଲି ନିଜ ନିଜ ଗାଁକୁ ଫେରିଛନ୍ତି ।”
ଆଜି ବି ସେଇ ଏକା ପ୍ରଶ୍ନ : ସେମାନଙ୍କୁ ଭୋକ ଲାଗିଲେ କ’ଣ ହେବ ?
ରକ୍ତର ଏକ ଚିହ୍ନ
ଛୋଟିଆ ଝରକା ଦେଇ ମୁଁ ଦେଖିଲି,
ଲୋକେ ଚାଲୁଛନ୍ତି-ପିମ୍ପୁଡ଼ି ଧାର ଭଳି ।
ପିଲାମାନେ ଖେଳୁ ନଥିଲେ,
ଶିଶୁମାନେ କାନ୍ଦୁ ନଥିଲେ,
ପରିତ୍ୟକ୍ତ ରାସ୍ତାରେ ନିରବତାର ରାଜୁତି ।
ଅବା ଏହା ଥିଲା ଭୋକ ?
ଛୋଟିଆ ଝରକା ଭିତରୁ, ମୁଁ ଦେଖିଲି
ଲୋକେ ଚାଲୁଛନ୍ତି, ସେମାନଙ୍କ ମୁଣ୍ଡ ଉପରେ ବ୍ୟାଗ୍
ଏବଂ ମନ ଭିତରେ ଭୟ-
ଭୋକର ଭୟ ।
ମାଇଲ୍ ମାଇଲ ଧରି, ସେମାନେ ଚାଲିଲେ
ଏବେ ସେମାନଙ୍କ ପାଦରୁ ରକ୍ତ ଝରୁଛି
ପଛରେ ଛାଡ଼ିଆସିଛନ୍ତି
ସେମାନଙ୍କ ସତ୍ତାର ପ୍ରମାଣ
ଲାଲ ପଡ଼ିଯାଇଥିଲା ଧରିତ୍ରୀ, ଆଉ ଆକାଶ ବି।
ଛୋଟିଆ ଝରକା ଭିତରୁ, ମୁଁ ଦେଖିଲି
ସଂକୁଚିତ ସ୍ତନଧାରୀ ଜଣେ ମାଆ
ତା ଛୁଆକୁ କ୍ଷୀର ପିଆଉଛି ।
ରାସ୍ତା ସରିଗଲା ।
କେହି କେହି ଘରେ ପହଞ୍ଚିଲେ,
ଆଉ କେହି ଅଧାବାଟରେ ପ୍ରାଣ ହରାଇଲେ,
କାହା ଉପରେ ବ୍ଲିଚିଂ ଛିଞ୍ଚି ଦିଆଗଲା,
ଆଉ କେତେଜଣଙ୍କୁ, ଗୋରୁଗାଈ ଭଳି ଟ୍ରକ୍ରେ ଲଦି ଦିଆଗଲା ।
ଆକାଶ କଳା ପଡ଼ିଗଲା ଏବଂ ପରେ ନୀଳ ହୋଇଗଲା,
କିନ୍ତୁ ଧରିତ୍ରୀ ସେମିତି ଲାଲ ହୋଇ ରହିଲା ।
ତା ପାଇଁ,
ତା ବକ୍ଷରେ ଏବେ ବି ରହିଥିଲା ଯେତେ ସବୁ ରକ୍ତରଞ୍ଜିତ ପଦଚିହ୍ନ ।
ଅଡିଓ: ସୁଧନ୍ଵା ଦେଶପାଣ୍ଡେ, ଜନ ନାଟ୍ୟ ମଞ୍ଚର ଜଣେ ଅଭିନେତ୍ରୀ ଏବଂ ନିର୍ଦ୍ଦେଶିକା ଏବଂ ଲେଫ୍ଟୱାର୍ଡ ବୁକ୍ସର ଜଣେ ସଂପାଦିକା
ଅନୁବାଦ: ଓଡ଼ିଶାଲାଇଭ୍