‘‘ମୁଁ ସ୍କୁଲ୍‌ରେ ଯାହା ପଢ଼ିଛି ତାହା ମୋ ଘରର ବାସ୍ତବତାର ବିପରୀତ।’’

୧୬ ବର୍ଷ ବୟସ୍କା ପ୍ରିୟା ପାର୍ବତ୍ୟ ରାଜ୍ୟ ଉତ୍ତରାଖଣ୍ଡର ରାଜପୁତ ସମ୍ପ୍ରଦାୟର ଗୋଟିଏ ସ୍କୁଲ୍‌ ଛାତ୍ରୀ। ସେ ଋତୁସ୍ରାବ ହେବା ସମୟରେ ତାଙ୍କୁ ମାନିବାକୁ ବାଧ୍ୟ କରାଯାଉଥିବା ଦୃଢ଼ ଏବଂ ସ୍ପଷ୍ଟ ନିୟମଗୁଡ଼ିକ ସମ୍ପର୍କରେ କହୁଛନ୍ତି। ସେ କହନ୍ତି, ‘‘ଏହା ପ୍ରାୟ ଦୁଇଟି ଭିନ୍ନ ଭିନ୍ନ ଦୁନିଆରେ ବଞ୍ଚିବା ପରି। ଘରେ ମୋତେ ନିଜକୁ ଅଲଗା ରଖିବାକୁ ଏବଂ ସମସ୍ତ ରୀତିନୀତି ଓ କଟକଣା ମାନିବାକୁ ବାଧ୍ୟ କରାଯାଏ ଏବଂ ସ୍କୁଲ୍‌ରେ ମୋତେ ଶିଖାଯାଏ ମହିଳାମାନେ ପୁରୁଷଙ୍କ ସହ ସମାନ।’’

୧୧ଶ ଶ୍ରେଣୀର ଛାତ୍ରୀ ପ୍ରିୟାଙ୍କର ସ୍କୁଲ୍‌ ରହିଛି ନାନକମତ୍ତା ସହରରେ, ଯାହା ତାଙ୍କ ଘରଠାରୁ ସାତ କିଲୋମିଟର ଦୂର। ପ୍ରତିଦିନ ସେ ସାଇକେଲ୍‌ରେ ସେଠାକୁ ଯାଆନ୍ତି ଏବଂ ଫେରନ୍ତି। ପାଠପଢ଼ାରେ ଆଗୁଆ ଥିବା ପ୍ରିୟା ପ୍ରଥମେ ଏହି ବିଷୟରେ ନିଜକୁ ଶିକ୍ଷିତ କରିବାକୁ ଚେଷ୍ଟା କଲେ। ସେ କହନ୍ତି, ‘‘ମୁଁ ବହି ପଢ଼ିଲି ଏବଂ ଭାବିଲି ମୁଁ ଏମିତି କରିପାରିବି, ସେମିତି କରିପାରିବି; ମୁଁ ବୋଧେ ଦୁନିଆକୁ ବଦଳାଇପାରିବି। କିନ୍ତୁ ମୁଁ ମୋ ପରିବାରକୁ ବୁଝାଇବାକୁ ସକ୍ଷମ ହୋଇପାରିଲିନି ଯେ ଏହିସବୁ ପ୍ରଥାର କୌଣସି ଅର୍ଥ ନାହିଁ। ମୁଁ ସେମାନଙ୍କ ସହ ଦିନରାତି ରହୁଛି କିନ୍ତୁ ମୁଁ ସେମାନଙ୍କୁ ଏହା ବୁଝାଇବାକୁ ଅସମର୍ଥ ଯେ ଏହି କଟକଣାଗୁଡ଼ିକର କୌଣସି ଅର୍ଥ ନାହିଁ।’’

ନୀତିନିୟମ ସହିତ ତାଙ୍କର ପ୍ରାରମ୍ଭିକ ଅସହଜତା ଏବଂ ଅସ୍ୱସ୍ତି ଚାଲିଯାଇନି କିନ୍ତୁ ସେ ବର୍ତ୍ତମାନ ତାଙ୍କ ପିତାମାତାଙ୍କ ଚିନ୍ତାଧାରା ଅନୁଯାୟୀ ଚାଲୁଛନ୍ତି।

ପ୍ରିୟା ଏବଂ ତାଙ୍କ ପରିବାର ରାଜ୍ୟର ସବୁଠାରୁ ଅଧିକ ଅମଳକ୍ଷମ କୃଷି ଅଞ୍ଚଳ ତେରାଇ (ନିମ୍ନାଞ୍ଚଳ) କ୍ଷେତ୍ରରେ ବାସ କରନ୍ତି (ଜନଗଣନା ୨୦୧୧)। ଏହି ଅଞ୍ଚଳରେ ତିନୋଟି ଅମଳ ହୁଏ – ଖରିଫ୍, ରବି ଏବଂ ଜାଇଦ୍‌ - ଏବଂ ଅଧିକାଂଶ ଜନସଂଖ୍ୟା କୃଷି କାର୍ଯ୍ୟରେ ସଂପୃକ୍ତ ଏବଂ ଗାଈ ଏବଂ ମଇଁଷି ପରି ପଶୁସମ୍ପଦ ରଖନ୍ତି।

Paddy fields on the way to Nagala. Agriculture is the main occupation here in this terai (lowland) region in Udham Singh Nagar district
PHOTO • Kriti Atwal

ନଗଲାକୁ ଯିବା ରାସ୍ତାରେ ଧାନ କ୍ଷେତ। ଉଧମ ସିଂହ ନଗର ଜିଲ୍ଲାରେ ଥିବା ଏହି ତେରାଇ (ନିମ୍ନାଞ୍ଚଳ) କ୍ଷେତ୍ରରେ କୃଷି ହେଉଛି ମୁଖ୍ୟ ବୃତ୍ତି

ପାଖରେ ଥିବା ଆଉ ଗୋଟିଏ ରାଜପୁତ ପରିବାରର ବିଦା ତାଙ୍କର ଋତୁସ୍ରାବ ହେଉଥିବା ସମୟରେ ରହିବାର ବ୍ୟବସ୍ଥା ବର୍ଣ୍ଣନା କରନ୍ତି: ‘‘ପରବର୍ତ୍ତୀ ଛଅ ଦିନ ପାଇଁ, ମୁଁ ମୋ କୋଠରୀ ଭିତରେ ବନ୍ଦ ହୋଇରହିବି। ମୋତେ କୁହାଯାଇଛି (ତାଙ୍କ ମାଆ ଏବଂ ଜେଜେମାଆଙ୍କ ଦ୍ୱାରା) ଚାରିଆଡ଼େ ନ ବୁଲିବା ପାଇଁ। ମୋର ଯାହା ଦରକାର ମୋ ମାଆ ଆଣିଦେବେ।’’

ଏହି କୋଠରୀରେ ଦୁଇଟି ଖଟ, ଗୋଟିଏ ଡ୍ରେସିଂ ଟେବୁଲ୍‌ ଏବଂ ଆଲମିରା ଅଛି। ୧୫ ବର୍ଷ ବୟସ୍କା ବିଦା ସେ ନିୟମିତ ଭାବରେ ଶୋଉଥିବା କାଠ ଖଟରେ ଶୋଇବେ ନାହିଁ ବରଂ ଏକ ଚାଦର ପଡ଼ିଥିବା ଜାଲି ଖଟିଆରେ ଶୋଇବେ ଯେଉଁଥିରେ ତାଙ୍କର ପିଠି ବିନ୍ଧେ ବୋଲି ସେ କହନ୍ତି, କିନ୍ତୁ ଏହା ସେ ‘‘ତାଙ୍କ ପରିବାରର ମାନସିକ ଶାନ୍ତି ପାଇଁ କରନ୍ତି।’’

ଏହି ଦୃଢ଼ ବାଧ୍ୟତାମୂଳକ ଏକାନ୍ତବାସ ସମୟରେ ବିଦାଙ୍କୁ ସ୍କୁଲ୍‌ ଯିବାକୁ ଅନୁମତି ଦିଆଯାଏ କିନ୍ତୁ ତାଙ୍କୁ ସିଧାସଳଖ ତାଙ୍କ କୋଠରୀ ମଧ୍ୟକୁ ଫେରିଆସିବାକୁ ହେବ। ନାନକମତ୍ତା ନିକଟସ୍ଥ ନଗଲା ଗ୍ରାମରେ ତାଙ୍କ ଘର ରହିଛି। ତାଙ୍କ ମାଆଙ୍କର ଫୋନ୍‌ ଏବଂ କିଛି ବହି ଏହି ୧୧ଶ ଶ୍ରେଣୀର ଛାତ୍ରୀଙ୍କୁ ଏହି ସମୟ କାଟିବାରେ ସାହାଯ୍ୟ କରିଥାଏ।

ଯେତେବେଳେ ଜଣେ ମହିଳା ପରିବାରରେ ଅନ୍ୟ ସମସ୍ତଙ୍କଠାରୁ ଅଲଗା ହୋଇ ବସନ୍ତି ଏବଂ ତାଙ୍କ ନିଜ ଜିନିଷକୁ ଗୋଟିଏ ପାର୍ଶ୍ୱକୁ ଆଡ଼େଇ ଦିଅନ୍ତି, ଏହା ସମସ୍ତଙ୍କ ପାଇଁ ସଙ୍କେତ ଯେ ତାଙ୍କର ଋତୁସ୍ରାବ ଚାଲିଛି। ବିଦା ଅସନ୍ତୋଷ ପ୍ରକାଶ କରି କହନ୍ତି କାହାର ଋତୁସ୍ରାବ ହେଉଛି ଏବଂ କାହାର ହେଉନାହିଁ ତାହା ସମସ୍ତେ ଜାଣନ୍ତି। ସେ କହନ୍ତି, ‘‘ସମସ୍ତେ ଏହା ଜାଣନ୍ତି ଏବଂ ଏ ସମ୍ପର୍କରେ ଆଲୋଚନା କରନ୍ତି। ସେ (ରଜସ୍ୱଳା ମହିଳା) ଜୀବଜନ୍ତୁ ଏବଂ ଫଳନ୍ତି ଗଛକୁ ଛୁଇଁବା ପାଇଁ କିମ୍ବା ରୋଷେଇ କରିବା ଏବଂ ଖାଦ୍ୟ ପରଷିବା ପାଇଁ ଅନୁମତି ନ ଥାଏ ଏବଂ ଏପରିକି ସେ ରହୁଥିବା ସୀତାରଗଞ୍ଜ ବ୍ଲକ୍‌ର ମନ୍ଦିରରୁ ଆସିଥିବା ପ୍ରସାଦ ମଧ୍ୟ ଗ୍ରହଣ କରିବାକୁ ଅନୁମତି ପାଆନ୍ତି ନାହିଁ।’’

ମହିଳାମାନେ ‘ଅପବିତ୍ର’ ଏବଂ ‘ଅଶୁଭ’ ଏହି ଦୃଷ୍ଟିଭଙ୍ଗୀ ଉଧମ ସିଂହ ନଗରର ଜନସଂଖ୍ୟାରେ ମଧ୍ୟ ପ୍ରତିଫଳିତ, ଏହାର ଲିଙ୍ଗ ଅନୁପାତ ଖୁବ୍‌ ଦୁର୍ବଳ, ପ୍ରତି ୧,୦୦୦ ପୁରୁଷରେ ମହିଳାଙ୍କ ସଂଖ୍ୟା ୯୨୦ ଯାହା ରାଜ୍ୟ ହାରାହାରି ୯୬୩ ଠାରୁ ମଧ୍ୟ ତଳେ ରହିଛି। ଏଥିସହିତ, ସାକ୍ଷରତା ହାର ପୁରୁଷମାନଙ୍କ ମଧ୍ୟରେ ଉଲ୍ଲେଖଯୋଗ୍ୟ ଭାବରେ ଉଚ୍ଚ- ଏହା ୮୨ ପ୍ରତିଶତ ଏବଂ ମହିଳାମାନଙ୍କ ମଧ୍ୟରେ ସାକ୍ଷରତା ହାର ୬୫ ପ୍ରତିଶତ (୨୦୧୧ ଜନଗଣନା)।

Most households in the region own cattle - cows and buffaloes. Cow urine (gau mutra) is used in several rituals around the home
PHOTO • Kriti Atwal

ଏହି ଅଞ୍ଚଳରେ ଥିବା ଅଧିକାଂଶ ପରିବାର ଗାଈ ଏବଂ ମଇଁଷି ରଖନ୍ତି। ଘରେ ବିଭିନ୍ନ ରୀତିନୀତିରେ ଗାଈ ମୁତ୍ର (ଗୋମୁତ୍ର) ବ୍ୟବହୃତ ହୁଏ

ମହିଳାମାନେ ‘ଅପବିତ୍ର’ ଏବଂ ‘ଅଶୁଭ’ ଏହି ଦୃଷ୍ଟିଭଙ୍ଗୀ ଉଧମ ସିଂହ ନଗରର ଜନସଂଖ୍ୟାରେ ମଧ୍ୟ ପ୍ରତିଫଳିତ, ଏହାର ଲିଙ୍ଗ ଅନୁପାତ ଖୁବ୍‌ ଦୁର୍ବଳ, ପ୍ରତି ୧,୦୦୦ ପୁରୁଷରେ ମହିଳାଙ୍କ ସଂଖ୍ୟା ୯୨୦ ଯାହା ରାଜ୍ୟ ହାରାହାରି ଲିଙ୍ଗ ଅନୁପାତ ୯୬୩ ଠାରୁ ମଧ୍ୟ ନିମ୍ନରେ ରହିଛି

ବିଦାଙ୍କ ଖଟ ତଳେ ଗୋଟିଏ ଥାଳି, ଗୋଟିଏ ଗିନା, ଷ୍ଟିଲ୍‌ ଢାଳ ଏବଂ ଚାମଚ ରହିଛି ଯାହା ସେ ଏହି ସମୟରେ ଖାଇବା ପାଇଁ ବ୍ୟବହାର କରନ୍ତି। ଚତୁର୍ଥ ଦିନ ସେ ଏଗୁଡ଼ିକ ସଫା କରିବା ଏବଂ ଖରାରେ ଶୁଖାଇବା ପାଇଁ ଜଲ୍‌ଦି ଉଠିପଡ଼ନ୍ତି। ତାଙ୍କୁ କ’ଣ ସବୁ ମାନିବାକୁ ହୁଏ ସେହି ପଦ୍ଧତିକୁ ଟିକିନିଖି ଭାବରେ ବର୍ଣ୍ଣନା କରି ସେ କହନ୍ତି, ‘‘ଏହା ପରେ ମୋ ମାଆ ଏହି ବାସନଗୁଡ଼ିକ ଉପରେ ଗୋମୁତ୍ର (ଗାଈର ମୁତ୍ର) ଛିଞ୍ଚନ୍ତି ଏବଂ ସେଗୁଡ଼ିକ ପୁଣି ଥରେ ସଫା କରନ୍ତି ଏହା ପରେ ସେଗୁଡ଼ିକୁ ରୋଷେଇ ଘରକୁ ନେଇ ରଖନ୍ତି। ପରବର୍ତ୍ତୀ ଦୁଇ ଦିନ ମୋତେ ଅଲଗା ବାସନ ଦିଆଯାଏ।’’

ଏଥିସହିତ ସେ କହନ୍ତି ତାଙ୍କୁ ଘରେ ଚାରିଆଡ଼େ ବୁଲିବାକୁ ମନା କରାଯାଏ ଏବଂ ‘‘ମୋ ମାଆ ସେହି ଦିନମାନଙ୍କରେ ଯାହା ପିନ୍ଧିବାକୁ ଦିଅନ୍ତି ତାହା ଛଡ଼ା ଅନ୍ୟ ପୋଷାକ ପିନ୍ଧିବାକୁ ବାରଣ କରାଯାଏ।’’ ସେ ପିନ୍ଧୁଥିବା ଦୁଇ ହଳ ପୋଷାକ ସଫା ହୋଇ ଘର ପଛପଟେ ଶୁଖିବା ପାଇଁ ଟାଙ୍ଗିବାକୁ ହୁଏ ଏବଂ ତାହାକୁ ଅନ୍ୟ ପୋଷାକ ସହ ମିଶାଯାଏନି।

ବିଦାଙ୍କ ବାପା ସେନାବାହିନୀରେ ଅଛନ୍ତି ଏବଂ ତାଙ୍କ ମାଆ ସେମାନଙ୍କର ୧୩ ଜଣିଆ ପରିବାର ଚଳାନ୍ତି। ଏତେବଡ଼ ପରିବାରରେ ନିଜକୁ ଅଲଗା କରି ରଖିବା ତାଙ୍କ ପାଇଁ ଅସ୍ୱସ୍ତିଜନକ ହୋଇଥାଏ ବିଶେଷକରି ତା’ର ସାନ ଭାଇମାନଙ୍କୁ ଏହା ବୁଝାଇଲା ବେଳେ। ‘‘ମୋ ପରିବାରର ସଦସ୍ୟମାନେ ସେମାନଙ୍କୁ କହିଛନ୍ତି ଯେ ଏକ ଅସୁସ୍ଥତା ଅଛି ଯେଉଁଥିପାଇଁ ଝିଅମାନଙ୍କୁ ଅନ୍ୟମାନଙ୍କଠାରୁ ଅଲଗା ରହିବାକୁ ପଡ଼େ। ଯଦି କେହି ଅଜାଣତରେ ମୋତେ ଛୁଇଁଦିଏ ତେବେ ସେ ‘ଅଶୁଦ୍ଧ’ ବିବେଚିତ ହୁଏ, ଏବଂ ସେମାନଙ୍କ ଉପରେ ଗୋମୁତ୍ର ଛିଞ୍ଚାଯିବା ପରେ ସେମାନେ ପୁଣି ‘ଶୁଦ୍ଧ’ ହେବେ। ଏହି ଛଅ ଦିନ ସମୟ ମଧ୍ୟରେ, ବିଦାଙ୍କ ସଂସ୍ପର୍ଶରେ ଆସୁଥିବା ପ୍ରତ୍ୟେକ ଜିନିଷ ଉପରେ ଗୋମୁତ୍ର ଛିଞ୍ଚାଯାଏ। ଯେହେତୁ ତାଙ୍କ ପରିବାରର ଚାରୋଟି ଗାଈ ଅଛନ୍ତି ତେଣୁ ସେମାନଙ୍କର ମୁତ୍ର ସହଜରେ ମିଳିଯାଏ।

ଏହି ସମୂହ କେତୋଟି ପ୍ରଥାକୁ ଢିଲା କରିଛି, କିନ୍ତୁ ନାମମାତ୍ର। ତେଣୁ ୨୦୨୨ରେ ବିଦା ଶୋଇବା ପାଇଁ ଏକ ଭିନ୍ନ ଖଟ ପାଇଥିଲେ କିନ୍ତୁ ଏହି ଗ୍ରାମର ପ୍ରାୟ ୭୦ ବର୍ଷ ବୟସର ବୀଣା ତାଙ୍କର ଋତୁସ୍ରାବ ସମୟରେ ତାଙ୍କୁ ଗୋଟିଏ ଗୁହାଳରେ ରହିବାକୁ ହେଉଥିଲା ତାହା ମନେ ପକାନ୍ତି। ସେ କହନ୍ତି, ‘‘ଆମକୁ ତଳେ ବସିବା ପାଇଁ ଦେବଦାରୁ ପତ୍ର ବିଛାଇବାକୁ ହେଉଥିଲା।’’

ଅନ୍ୟ ଜଣେ ବୟସ୍କା ମହିଳା ସେହି ସମୟକୁ ମନେପକାଇଥିଲେ ଯେତେବେଳେ, ‘‘ଆମକୁ ଶୁଖିଲା ରୁଟି ସହ ଫିକା (ବିନା ଚିନି) ଚା’ ଦିଆଯାଉଥିଲା କିମ୍ବା ଆମକୁ ଖଦଡ଼ା ଅଟାର ରୁଟି ଦିଆଯାଉଥିଲା ଯେମିତିକି ତାହା ପଶୁଙ୍କୁ ଦିଆଯାଉଛି। ବେଳେ ବେଳେ ସେମାନେ ଆମ କଥା ଭୁଲିଯାଉଥିଲେ ଏବଂ ଆମକୁ ଭୋକରେ ରହିବାକୁ ହେଉଥିଲା।’’

The local pond (left) in Nagala is about 500 meters away from Vidha's home
PHOTO • Kriti Atwal
Used menstrual pads  are thrown here (right)  along with other garbage
PHOTO • Kriti Atwal

ନଗଲାରେ ଥିବା ଏହି ସ୍ଥାନୀୟ ଜଳାଶୟ (ବାମ) ବିଦା’ଙ୍କ ଘରଠାରୁ ପ୍ରାୟ ୫୦୦ ମିଟର ଦୂର। ବ୍ୟବହୃତ ସାନିଟାରୀ ପ୍ୟାଡ୍‌  ଅନ୍ୟାନ୍ୟ ଆବର୍ଜନା ସହ ଏଠାରେ ପକାଯାଏ (ଡାହାଣ)

ଅନେକ ମହିଳା ଏବଂ ପୁରୁଷ ବିଶ୍ୱାସ କରନ୍ତି ଯେ ଏ ସବୁ ପ୍ରଥା ଧାର୍ମିକ ପୁସ୍ତକରେ ରହିଛି ଏବଂ ଏହା ଉପରେ ସନ୍ଦେହ କରାଯିବା ଉଚିତ୍‌ ନୁହେଁ। କିଛି ମହିଳା କହିଥିଲେ ସେମାନେ ଲଜ୍ଜା ଅନୁଭବ କରନ୍ତି କିନ୍ତୁ ଏଥିସହିତ ସେମାନେ ଏହା ମଧ୍ୟ କହିଥିଲେ ଯେ ସେମାନଙ୍କର ବିଶ୍ୱାସ ଯଦି ସେମାନେ ନିଜକୁ ଅଲଗା କରି ନ ରଖିବେ ତେବେ ଭଗବାନ ଅସନ୍ତୁଷ୍ଟ ହେବେ।

ଯେମିତିକି ଏହି ଗ୍ରାମର ଜଣେ ଯୁବକ ବିନୟ ଏଥିରେ ସହମତ ହୁଅନ୍ତି ଯେ ସେ କଦବା କ୍ୱଚିତ୍‌ ରଜସ୍ୱଳା ମହିଳାଙ୍କୁ ଭେଟନ୍ତି କିମ୍ବା ସାମ୍ନାସାମ୍ନି ହୁଅନ୍ତି। ସେ ଏ କଥା ଶୁଣି ଶୁଣି ବଡ଼ ହୋଇଛନ୍ତି ଯେ, ‘‘ ମମି ଅଛୁତ୍‌ ହୋ ଗୈ ହେ (ମମି ଏବେ ଅଛୁଆଁ ହୋଇଛନ୍ତି)’’।

ଏହି ୨୯ ବର୍ଷ ବୟସ୍କ ଯୁବକ ନାନକମତ୍ତା ସହରରେ ଗୋଟିଏ ଭଡ଼ା କୋଠରୀରେ ତାଙ୍କ ପତ୍ନୀଙ୍କ ସହ ରୁହନ୍ତି। ମୂଳତଃ ସେମାନେ ଉତ୍ତରାଖଣ୍ଡର ଚମ୍ପାୱତ ଜିଲ୍ଲାର ବାସିନ୍ଦା, ଗୋଟିଏ ଦଶକ ତଳେ ଏକ ଘରୋଇ ସ୍କୁଲ୍‌ରେ ଶିକ୍ଷକତା ଆରମ୍ଭ କରିବା ସମୟରେ ସେ ଏଠାକୁ ଚାଲିଆସିଥିଲେ। ସେ କହନ୍ତି, ‘‘ଆମକୁ କେବେ କୁହାଯାଇନଥିଲା ଯେ ଏହା ଏକ ପ୍ରାକୃତିକ ପ୍ରକ୍ରିୟା। ଯଦି ପିଲାଦିନରୁ ଆମେ ଏସବୁ କଟକଣା ମାନିବା ବନ୍ଦ କରିଦେଉ, ପୁରୁଷମାନେ ଋତୁସ୍ରାବ ହେଉଥିବା କୌଣସି ଝିଅ କିମ୍ବା ମହିଳାଙ୍କୁ ନିମ୍ନ ଦୃଷ୍ଟିରେ ଦେଖିବେ ନାହିଁ।’’

ସାନିଟାରୀ ପ୍ୟାଡ୍‌ କିଣିବା ଏବଂ ପରେ ଏହାକୁ ନଷ୍ଟ କରିବା ହେଉଛି ଏକ ଆହ୍ୱାନ। ଗାଁରେ ଥିବା ଏକମାତ୍ର ଦୋକାନରେ ତାହା ଥାଇପାରେ କିମ୍ବା ନଥାଇପାରେ ଏବଂ ଛବିଙ୍କ ପରି କମ୍‌ ବୟସର ଝିଅମାନେ କହନ୍ତି ସେମାନେ ମାଗିବା ସମୟରେ ଦୋକାନୀ ଏକ ବିଚିତ୍ର ଚାହାଣୀରେ ଅନାନ୍ତି। ଘରକୁ ଆଣିବା ପରେ, ସେମାନେ ସମସ୍ତଙ୍କ ନଜରରୁ ତାହାକୁ ଲୁଚାଇବାକୁ ବାଧ୍ୟ ହୁଅନ୍ତି। ଶେଷରେ, ପ୍ୟାଡ୍‌ଗୁଡ଼ିକ ଫୋପାଡ଼ିବା ପାଇଁ ୫୦୦ ମିଟର ଦୂରରେ ଥିବା ଏକ କେନାଲ୍‌ ନିକଟକୁ ଚାଲିକରି ଯିବାକୁ ହୁଏ, ଏହାକୁ ଫୋପାଡ଼ିବା ପୂର୍ବରୁ କେହି ଦେଖୁଛନ୍ତି ନା ନାହିଁ ତାହା ଯାଞ୍ଚ କରିବା ପାଇଁ ଚାରିଆଡ଼କୁ ଅନାଇବାକୁ ହୁଏ।

ସନ୍ତାନ ପ୍ରସବ ଆହୁରି ଦୀର୍ଘ ଏକାନ୍ତବାସ ଆଣିଥାଏ

ଅଶୁଦ୍ଧତାର ବିଚାର ସଦ୍ୟ ପ୍ରସବ କରିଥିବା ମହିଳାମାନଙ୍କ ପାଇଁ ମଧ୍ୟ ଲାଗୁ ହୋଇଥାଏ। ଲତାଙ୍କର ପିଲାମାନେ ଏବେ କିଶୋର ଅବସ୍ଥାରେ ପହଞ୍ଚିଗଲେଣି କିନ୍ତୁ ସେ ତାଙ୍କର ସମୟକୁ ଭଲ ଭାବରେ ମନେପକାଇ ପାରନ୍ତି: ‘‘୪ରୁ ୬ ଦିନ ପରିବର୍ତ୍ତେ (ରଜସ୍ୱଳା ଝିଅମାନଙ୍କ ପାଇଁ) ସଦ୍ୟ ପ୍ରସବ କରିଥିବା ମାଆମାନଙ୍କୁ ସମୁଦାୟ ପରିବାରଠାରୁ ୧୧ ଦିନ ପାଇଁ ଅଲଗା ରହିବାକୁ ହୋଇଥାଏ। ବେଳେ ବେଳେ ଏହା ୧୫ ଦିନ ମଧ୍ୟ ହୋଇଯାଏ, ଅର୍ଥାତ୍‌ ଶିଶୁର ନାମକରଣ ଉତ୍ସବ ପର୍ଯ୍ୟନ୍ତ।’’ ଲତା ଗୋଟିଏ ୧୫ ବର୍ଷର ଝିଅ ଓ ୧୨ ବର୍ଷର ପୁଅର ମାଆ ଏବଂ କହନ୍ତି ନୂଆକରି ମାଆ ହୋଇଥିବା ମହିଳା ଘରର ଅନ୍ୟମାନଙ୍କଠାରୁ ଅଲଗା ରହିବା ପାଇଁ ତାଙ୍କର ଶୋଇବା ସ୍ଥାନକୁ ଗୋବରରେ ଚିହ୍ନ ଦିଆଯାଇଥାଏ।

Utensils (left) and the washing area (centre) that are kept separate for menstruating females in Lata's home. Gau mutra in a bowl (right) used to to 'purify'
PHOTO • Kriti Atwal
Utensils (left) and the washing area (centre) that are kept separate for menstruating females in Lata's home. Gau mutra in a bowl (right) used to to 'purify'
PHOTO • Kriti Atwal
Utensils (left) and the washing area (centre) that are kept separate for menstruating females in Lata's home. Gau mutra in a bowl (right) used to to 'purify'
PHOTO • Kriti Atwal

ଲତାଙ୍କ ଘରେ ରଜସ୍ୱଳା ମହିଳାମାନଙ୍କ ପାଇଁ ଅଲଗା ରଖା ଯାଇଥିବା ବାସନ (ବାମ) ଏବଂ ଧୋଇବା ସ୍ଥାନ(କେନ୍ଦ୍ର)। ଗୋଟିଏ ଗିନାରେ ରଖାଯାଇଥିବା ଗୋମୂତ୍ର (ଡାହାଣ) ‘ଶୁଦ୍ଧ କରିବା’ ପାଇଁ ବ୍ୟବହୃତ ହୁଏ

ଖାତିମା ବ୍ଲକ୍‌ର ଝଙ୍କଟ ଗ୍ରାମରେ ବାସ କରୁଥିବା ଲତା ଏସବୁ ନିୟମରେ ବନ୍ଧା ଥିଲେ କାରଣ ସେ ତାଙ୍କ ସ୍ୱାମୀଙ୍କ ଏକାନ୍ନବର୍ତ୍ତୀ ପରିବାରରେ ବାସ କରୁଥିଲେ। ସେ ଏବଂ ତାଙ୍କ ସ୍ୱାମୀ ଯେତେବେଳେ ବାହାରକୁ ଚାଲିଯାଇଥିଲେ ସେ କିଛି ଦିନ ଏହା ବନ୍ଦ କରିଦେଇଥିଲେ। ରାଜନୀତି ବିଜ୍ଞାନରେ ସ୍ନାତକୋତ୍ତର ଶିକ୍ଷା ହାସଲ କରିଥିବା ଲତା କହନ୍ତି, ‘‘ଆମେ ଗତ କିଛି ବର୍ଷ ହେବ ଏସବୁ ପରମ୍ପରାରେ ପୁଣି ବିଶ୍ୱାସ କରିବା ଆରମ୍ଭ କରିଛୁ।’’ ସେ କାହିଁକି ପୁଣି ମାନିବା ଆରମ୍ଭ କରିଛନ୍ତି ତାହା ବୁଝାଇବାକୁ ଉଦ୍ୟମ କରି କହନ୍ତି, ‘‘ଯଦି ଜଣେ ରଜସ୍ୱଳା ମହିଳା ଅସୁସ୍ଥ ହୁଅନ୍ତି ଏହା କୁହାଯାଏ ଯେ ଭଗବାନ ତାଙ୍କ ଉପରେ ଅସନ୍ତୁଷ୍ଟ ହୋଇଛନ୍ତି। ଏସବୁ ପ୍ରଥା ନ ମାନିବା ସବୁ ସମସ୍ୟାର (ପରିବାରରେ ଏବଂ ଗ୍ରାମରେ) କାରଣ ବୋଲି କୁହାଯାଏ।’’

ଯେଉଁ ପରିବାରରେ ଏକ ନବଜାତ ଶିଶୁ ଥାଏ ତା’ ହାତରୁ ଗ୍ରାମର କେହି ଗୋଟିଏ ଗ୍ଲାସ୍‌ ପାଣି ମଧ୍ୟ ପିଇବେ ନାହିଁ। ସମୁଦାୟ ପରିବାରକୁ ‘ଅଶୁଦ୍ଧ’ ବିବେଚନା କରାଯାଏ ଏବଂ ଶିଶୁର ଲିଙ୍ଗ କିଛି ବଦଳାଏ ନାହିଁ। ଏହି ମହିଳା କିମ୍ବା ନବଜାତ ଶିଶୁକୁ ସ୍ପର୍ଶ କରିଥିବା ଯେ କୌଣସି ବ୍ୟକ୍ତିଙ୍କୁ ଗୋମୁତ୍ର ଛିଞ୍ଚି ପବିତ୍ର କରାଯାଏ। ସାଧାରଣତଃ, ୧୧ ଦିନରେ ଉକ୍ତ ମହିଳା ଏବଂ ଶିଶୁକୁ ସ୍ନାନ କରାଯାଏ ଏବଂ ଗୋମୁତ୍ର ରେ ଧୁଆଯାଏ, ଯାହା ପରେ ନାମକରଣ ଉତ୍ସବ ଅନୁଷ୍ଠିତ ହୋଇଥାଏ।

ଲତାଙ୍କର ୩୧ ବର୍ଷ ବୟସ୍କା ଭାଉଜ ସବିତା ୧୭ ବର୍ଷ ବୟସ ହୋଇଥିବା ବେଳେ ବିବାହ କରିଥିଲେ ଏବଂ ଏସବୁ ପ୍ରଥା ମାନିବାକୁ ତାଙ୍କୁ ବାଧ୍ୟ କରାଯାଇଥିଲା। ସେ ମନେପକାନ୍ତି କେମିତି ତାଙ୍କ ବିବାହର ପ୍ରଥମ ବର୍ଷ ତାଙ୍କୁ କେବଳ ଗୋଟିଏ ଶାଢ଼ି ପିନ୍ଧି ଖାଇବାକୁ ହେଉଥିଲା – ଅନ୍ତଃବସ୍ତ୍ର ନ ପିନ୍ଧାଯିବାର ପ୍ରଥା ଦୃଢ଼ ଭାବରେ ମାନିବାକୁ ହେଉଥିଲା। ସେ କହନ୍ତି, ‘‘ମୋର ପ୍ରଥମ ସନ୍ତାନ ଜନ୍ମ ପରେ ମୁଁ ତାହା ବନ୍ଦ କରିଦେଇଥିଲି’’, କିନ୍ତୁ ଏ କଥା ମଧ୍ୟ ସ୍ୱୀକାର କରନ୍ତି ଯେ ପରେ ତାଙ୍କର ଋତୁସ୍ରାବ ହେବା ପରେ ସେ ଚଟାଣରେ ଶୋଉଥିଲେ।

ଏହି ଅଞ୍ଚଳରେ ଏଭଳି ପ୍ରଥା ଅନୁସରଣ କରାଯାଉଥିବା ଘରମାନଙ୍କରେ ବଡ଼ ହେଉଥିବା ପୁଅମାନେ କ’ଣ ଚିନ୍ତା କରିବାକୁ ହେବ ସେ ନେଇ ଆଦୌ ନିଶ୍ଚିତ ନୁହଁନ୍ତି। ୧୦ମ ଶ୍ରେଣୀରେ ପଢ଼ୁଥିବା ବକ୍ରିଦାଣ୍ଡି ଗ୍ରାମର ଜଣେ ବାଳକ ହେଉଛନ୍ତି ନିଖିଲ। ସେ କହିଥିଲେ ଗତ ବର୍ଷ ସେ ଋତୁସ୍ରାବ ବିଷୟରେ ପଢ଼ିଥିଲେ ଏବଂ ଏହାକୁ ଠିକ୍‌ ଭାବରେ ବୁଝିପାରିନଥିଲେ। କିନ୍ତୁ ସେ କହନ୍ତି, ‘‘ତଥାପି ମୁଁ ଭାବୁଛି ମହିଳାମାନଙ୍କୁ ଅଲଗା କରି ରଖିବାର କୌଣସି କାରଣ ନାହିଁ।’’ ଅବଶ୍ୟ ସେ କହନ୍ତି ଯଦି ସେ ଏ ବିଷୟରେ ତାଙ୍କ ଘରେ କଥାବାର୍ତ୍ତା କରନ୍ତି ତେବେ ପରିବାରର ବଡ଼ମାନେ ତାଙ୍କୁ ଗାଳି ଦେବେ।

The Parvin river (left) flows through the village of Jhankat and the area around (right) is littered with pads and other garbage
PHOTO • Kriti Atwal
The Parvin river (left) flows through the village of Jhankat and the area around (right) is littered with pads and other garbage
PHOTO • Kriti Atwal

ଝଙ୍କଟ ଗ୍ରାମ ଦେଇ  ପ୍ରବାହିତ ପରବିନ୍‌ ନଦୀ(ବାମ) ଏବଂ ଏହାର ଆଖପାଖ ଅଞ୍ଚଳ ପ୍ୟାଡ୍‌ ଏବଂ ଅନ୍ୟାନ୍ୟ ଆବର୍ଜନାରେ ଭରପୂର ହୋଇଛି

ସୁନଖାରୀ ଗ୍ରାମର ୧୨ ବର୍ଷ ବୟସ୍କ ସ୍କୁଲ୍‌ ଛାତ୍ର ଦିବ୍ୟାଂଶ ମଧ୍ୟ ଏହା ଭୟ କରୁଥିବା ପ୍ରକାଶ କରନ୍ତି। ସେ ଦେଖିଆସୁଛନ୍ତି ତାଙ୍କ ମାଆ ପ୍ରତି ମାସ ପାଞ୍ଚ ଦିନ ଅଲଗା ବସନ୍ତି କିନ୍ତୁ କେବେ ବୁଝିପାରନ୍ତିନି କାହିଁକି। ସେ ଦ୍ୱନ୍ଦ୍ୱରେ ପଡ଼ନ୍ତି, ‘‘ଏହା ମୋ ପାଇଁ ଏତେ ସାଧାରଣ ଯେ ମୋତେ ଲାଗେ ଏହା ସମସ୍ତ ମହିଳା ଏବଂ ଝିଅମାନଙ୍କ ସହିତ ଘଟିଥାଏ। କିନ୍ତୁ ଏବେ ମୁଁ ଏହାକୁ ଠିକ୍‌ ଅନୁଭବ କରୁନାହିଁ। ଯେତେବେଳେ ମୁଁ ବଡ଼ ହୋଇଯିବି ସେତେବେଳେ ମୁଁ ଏହା ମାନିବି ନା ମୁଁ ଏହାକୁ ବନ୍ଦ କରିପାରିବି?’’

ଗ୍ରାମର ଜଣେ ବୟୋଜ୍ୟେଷ୍ଠ ବ୍ୟକ୍ତି ନରେନ୍ଦରଙ୍କ ମନରେ କିନ୍ତୁ ଏ ସମ୍ପର୍କରେ କୌଣସି ଦ୍ୱନ୍ଦ୍ୱ ନାହିଁ ଯିଏକି କହିଥିଲେ, ‘‘ ଉତ୍ତରାଞ୍ଚଳ [ଉତ୍ତରାଖଣ୍ଡର ପୁରାତନ ନାମ] ହେଉଛି ଦେବଭୂମି। ତେଣୁ [ଏସବୁ] ପ୍ରଥା ଏଠାରେ ଗୁରୁତ୍ୱପୂର୍ଣ୍ଣ।’’

ସେ କହନ୍ତି ସେମାନଙ୍କ ସମୂହରେ ଝିଅମାନଙ୍କର ବିବାହ ସାଧାରଣତଃ ସେମାନଙ୍କର ଋତୁସ୍ରାବ ଆରମ୍ଭ ହେବା ପୂର୍ବରୁ ୯-୧୦ ବର୍ଷରେ କରିଦିଆଯାଏ। ସେ ଗୋଟିଏ କନ୍ୟାକୁ ତା’ର ସ୍ୱାମୀକୁ ‘ଉପହାର’ ଦିଆଯିବାର ବୈବାହିକ ପ୍ରଥା ସମ୍ପର୍କରେ ଆଲୋଚନା କରି କହନ୍ତି, ‘‘ଯଦି ଝିଅଟିଏର ଋତୁସ୍ରାବ ଆରମ୍ଭ ହୋଇଯାଏ ତେବେ ଆମେ କନ୍ୟାଦାନ କିପରି କରିବୁ?’’ ‘‘ବର୍ତ୍ତମାନ ସରକାର ବିବାହର ବୟସ ୨୧କୁ ପରିବର୍ତ୍ତନ କରିଛନ୍ତି। ସେବେଠାରୁ ସରକାର ଏବଂ ଆମର ନିୟମ ଅଲଗା ହୋଇଯାଇଛି।’’

ଏହି କାହାଣୀଟି ହିନ୍ଦୀରେ ପ୍ରକାଶିତ ହୋଇଥିଲା। ଲୋକମାନଙ୍କର ନାମ ସେମାନଙ୍କ ପରିଚୟକୁ ସୁରକ୍ଷିତ କରିବା ପାଇଁ ପରିବର୍ତ୍ତନ କରାଯାଇଛି।

ପରୀ ଏଜୁକେସନ୍‌ ଟିମ୍‌ ଏହି କାହାଣୀରେ ତାଙ୍କର ସାହାଯ୍ୟ ନିମନ୍ତେ ରୋହନ ଚୋପ୍ରାଙ୍କୁ ଧନ୍ୟବାଦ ଜଣାଉଛି।

ପରୀ ଏବଂ କାଉଣ୍ଟରମେଡିଆ ଟ୍ରଷ୍ଟର ଗ୍ରାମୀଣ ଭାରତରେ ବୟୋପ୍ରାପ୍ତ ବାଳିକା ଏବଂ ଯୁବା ମହିଳାମାନଙ୍କ ଉପରେ ଦେଶବ୍ୟାପୀ ସୂଚନା ସଂଗ୍ରହ ପ୍ରକଳ୍ପ ହେଉଛି ପପୁଲେସନ୍‌ ଫାଉଣ୍ଡେସନ୍‌ ଅଫ୍‌ ଇଣ୍ଡିଆ – ସମର୍ଥିତ ଉପକ୍ରମର ଏକ ଅଂଶ ଯାହା ଏହି ଗୁରୁତ୍ୱପୂର୍ଣ୍ଣ ତଥାପି ଅବହେଳିତ ଗୋଷ୍ଠୀର ପରିସ୍ଥିତି ସେମାନଙ୍କ ଭାଷାରେ ଏବଂ ସାଧାରଣ ଲୋକଙ୍କ ଜୀବନ୍ତ ଅଭିଜ୍ଞତା ଜାଣିବା ନିମନ୍ତେ ଉଦ୍ଦିଷ୍ଟ।

ଏହି ପ୍ରବନ୍ଧଟି ପୁନଃ ପ୍ରକାଶ କରିବାକୁ ଚାହାଁନ୍ତି? ଦୟାକରି [email protected] ଙ୍କୁ ଏକ ସିସି ସହିତ [email protected] ଙ୍କୁ ଲେଖନ୍ତୁ

ଅନୁବାଦ: ଓଡ଼ିଶାଲାଇଭ୍‍

Kriti Atwal

क्रीती अटवल उत्तराखंडच्या उधम सिंग नगर जिल्ह्यातल्या नानकमट्टा पब्लिक स्कूलमध्ये इयत्ता १२ वीची विद्यार्थिनी आहे.

यांचे इतर लिखाण Kriti Atwal
Illustration : Anupama Daga

अनुपमा डागा हिने नुकतीच फाइन आर्ट्स शाखेची पदवी घेतली आहे. तिला चित्रांकन आणि मोशन डिझाइन या विषयांत रस असून गोष्टींमधलं लिखाण आणि चित्रांची सांगड कशी घालायची याचा वेध घ्यायला तिला आवडतं.

यांचे इतर लिखाण Anupama Daga
Editor : PARI Education Team

We bring stories of rural India and marginalised people into mainstream education’s curriculum. We also work with young people who want to report and document issues around them, guiding and training them in journalistic storytelling. We do this with short courses, sessions and workshops as well as designing curriculums that give students a better understanding of the everyday lives of everyday people.

यांचे इतर लिखाण PARI Education Team
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

यांचे इतर लिखाण OdishaLIVE