ସନ୍ଦିପନ ୱାଲଭେଙ୍କ ପାଇଁ ଏହି ଅନୁରୋଧଟି ଅସାଧାରଣ ନଥିଲା। ମୃତମହିଳାଙ୍କର ଆତ୍ମୀୟ ତାଙ୍କୁ ଏକ ସବୁଜ ରଙ୍ଗର ଚିକ୍ମିକ୍ ଶାଢୀ ବଢାଇ କହିଲେ, "ଦୟାକରି ଚିତାରେ ଅଗ୍ନି ସଂଯୋଗ କରିବା ପୂର୍ବରୁ ପାର୍ଥିବ ଶରୀର ଉପରେ ଏହି ଶାଢୀଟିକୁ ଘୋଡାଇ ଦିଅ"। ତାଙ୍କୁ ଯେପରି କୁହାଗଲା ସେ ସେପରି କଲେ।
ମହାରାଷ୍ଟ୍ରର ଓସମାନାବାଦ ସହରର ଶ୍ମଶାନରେ ଏକ ଧାଡିରେ ରଖାଯାଇଥିବା ୧୫ଟି ମୃତ ଶରୀର ମଧ୍ୟରୁ ୱାଲଭେଙ୍କୁ ସତ୍କାର କରିବାକୁ କୁହାଯାଇଥିବା ମୃତଶରୀରଟିକୁ ସେ ଚିହ୍ନଟ କଲେ। ବ୍ୟକ୍ତିଗତ ସୁରକ୍ଷା ଉପକରଣ ପରିଧାନ କରି ଓ ହାତରେ ହସ୍ତାବରଣ ପିନ୍ଧି ସେ ଅତି ସତର୍କତାର ସହିତ ଶାଢୀଟିକୁ ଶରୀର ଥିବା ଧଳା ବାୟୁରୋଧି ବ୍ୟାଗ୍ ଉପରେ ଯେଉଁପରି ରଖିବା କଥା ସେପରି ରଖିଦେଲେ। ସେ କହିଲେ,"ସେହି ମୃତ ମହିଳାଙ୍କର ଅତ୍ମୀୟମାନେ ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇଯିବେ ବୋଲି ଭୟଭୀତ ଥିଲେ"।
୨୦୨୦ ମସିହା ମାର୍ଚ୍ଚରୁ ଏହି ମହାମାରୀ ଆରମ୍ଭ ହେବାଠାରୁ, ଓସମାନାବାଦ ପୌର ପରିଷଦର କର୍ମଚାରୀ ୪୫ ବର୍ଷୀୟ ୱାଲଭେ ଏହି କୋଭିଡ-୧୯ରେ ମୃତକଙ୍କ ଶବ ସତ୍କାର କରିଆସୁଛନ୍ତି। ସେ ସେହି ଦିନଠାରୁ ୧୦୦ରୁ ଅଧିକ ମୃତଦେହ ସତ୍କାର କରିସାରିଲେଣି। ସେ କୁହନ୍ତି, ଏହି ବର୍ଷ ଏପ୍ରିଲ୍ ମାସ ଆରମ୍ଭରୁ ପ୍ରଥମ ଲହର ଅପେକ୍ଷା ଦ୍ୱିତୀୟ ଲହର ଗ୍ରାମାଞ୍ଚଳରେ ତୀବ୍ର ଗତିରେ ବ୍ୟାପିଯାଇଛି ଓ ପ୍ରତ୍ୟେକ ଦିନ ଶ୍ମଶାନକୁ ୧୫-୨୦ଟି ଶବ ସତ୍କାର ପାଇଁ ଆସୁଛି। ଏହା ୱାଲଭେ ଓ ତାଙ୍କର ସହଯୋଗୀମାନଙ୍କ ଉପରେ ଅଧିକ ଚାପ ପକାଉଛି ଏବଂ ଏହା ଲୋକମାନଙ୍କୁ ଅଧିକ ଆତଙ୍କିତ କରିଦେଇଛି ।
ୱାଲଭେ କୁହନ୍ତି,"ଭୂତାଣୁର ଭୟ ଅନେକଙ୍କୁ ସେମାନଙ୍କ ପରିବାର ସଦସ୍ୟଙ୍କ ଅନ୍ତ୍ୟେଷ୍ଟିକ୍ରିୟାରେ ଯୋଗ ନଦେବାକୁ ବାଧ୍ୟ କରିଛି"। ତେଣୁ ଆମେ ଚିତାରେ ଅଗ୍ନି ସଂଯୋଗ କରିବା ପୂର୍ବରୁ ସେମାନେ ଆମକୁ ସମସ୍ତ ଆଵଶ୍ୟକ ବିଧି ପାଳନ କରିବା ପାଇଁ କୁହନ୍ତି। ଏହା ହେଉଛି ସବୁଠାରୁ କଷ୍ଟକର ସମୟ। ଶବ ଦାହ ସମୟରେ ଚାରିପଟେ ପରିବାର ବର୍ଗ ନରହିବା ଦୃଶ୍ୟ ଦେଖିବା ହେଉଛି ହୃଦୟ ବିଦାରକ। କିନ୍ତୁ ମୃତକଙ୍କ ଶବ ସତ୍କାର କିପରି ହେଉଛି ସେମାନେ ଜାଣିପାରନ୍ତି ନାହିଁ ବୋଲି ମନେପକାଇ ନିଜ ମନକୁ ସାନ୍ତ୍ୱନା ଦେବାକଥା।
କେବଳ ଭୟ ନୁହେଁ, ସରକାରୀ କଟକଣା ମଧ୍ୟ ସେମାନଙ୍କୁ ଏଠାରୁ ଦୂରରେ ରଖିଛି। କୋଭିଡ-୧୯ ର ଦ୍ୱିତୀୟ ଲହରରେ ସହ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଉଥିବାରୁ, କେବଳ ଜଣେ ପରିବାର ସଦସ୍ୟଙ୍କୁ ଶ୍ମଶାନ ଭିତରକୁ ଯିବା ପାଇଁ ଅନୁମତି ଦିଆଯାଏ। ଅନ୍ୟମାନଙ୍କୁ ଶେଷ ବିଦାୟ ଜଣାଇବାର ଇଛାକୁ ତ୍ୟାଗ କରିବାକୁ ପଡେ। ଶାରୀରିକ ଦୂରତା ବଜାୟ ରଖି ପରସ୍ପରକୁ ସାନ୍ତ୍ୱନା ଦେବାର ନୂତନ ବାଟ ବାହାର କରିବାକୁ ସେମାନେ ବାଧ୍ୟ ହୋଇଛନ୍ତି। ଅନେକ ସେମାନଙ୍କ ପ୍ରିୟ ପରିଜନଙ୍କ ମୃତ୍ୟୁର ମର୍ଯ୍ୟାଦା ରକ୍ଷା କରିବା ପାଇଁ ଆହ୍ୱାନର ସମ୍ମୁଖୀନ ହୋଇଛନ୍ତି।
ଯେତେବେଳେ ସୁନିଲ ବଦୁର୍କର ନିଜ ବାପାଙ୍କର ମୃତ ଦେହ ଚିହ୍ନଟ କରିବା ପାଇଁ ଶଵଗୃହ ମଧ୍ୟକୁ ପ୍ରବେଶ କଲେ, ଏହା ପଚିବା ଆରମ୍ଭ କରିଥିଲା। ଓସମାନାବାଦର ୫୮ ବର୍ଷୀୟ ଅବସରପ୍ରାପ୍ତ ଜିଲ୍ଲାପରିଷଦ କର୍ମଚାରୀ କୁହନ୍ତି,"ଏଥିରୁ ବାହାରୁଥିବା ଦୁର୍ଗନ୍ଧ ଅସହ୍ୟ ଥିଲା। ସେଠାରେ ଥିବା ଅନେକଙ୍କ ମଧ୍ୟରେ ମୋ ବାପାଙ୍କର ମୃତ ଶରୀର ଥିଲା ଏବଂ ସେଗୁଡିକ ମଧ୍ୟରୁ କିଛି ନଷ୍ଟ ହେବା ଆରମ୍ଭ କରିଥିଲା।’’
କରୋନା ସଂକ୍ରମିତ ହେବା ପରେ ଏପ୍ରିଲ ୧୨ ତାରିଖ ଦିନ ସୁନିଲଙ୍କ ୮୧ବର୍ଷୀୟ ବାପା ମନୋହରଙ୍କୁ ଚିକିତ୍ସାଳୟରେ ଭର୍ତ୍ତି କରାଗଲା। ଏକଦିନ ପରେ ସେ ମୃତ୍ୟୁବରଣ କଲେ। ସୁନିଲ ମନେପକାଇ କୁହନ୍ତି, "ସେହିଦିନ ସହରରେ ବହୁତ ଲୋକ ମୃତୁବରଣ କରିଥିଲେ।" ‘‘ସେ ମୃତ୍ୟୁବରଣ କରିବା ଦିନ କାର୍ଯ୍ୟଭାର ଏତେ ଅଧିକା ହୋଇଥିଲା ଯେ ଆମେ ତାଙ୍କର ଶବ ସତ୍କାର କରିବା ପ୍ରକିୟା ୨୪ଘଣ୍ଟା ପରେ ଆରମ୍ଭ କରିପାରିଲୁ। ଯେତେବେଳେ ମୋ ବାପାଙ୍କ ପରି ଜଣେ କୋଭିଡ ରୋଗୀ ବେସରକାରୀ ଚିକିତ୍ସାଳୟରେ ମୃତ୍ୟୁବରଣ କରନ୍ତି, ତାଙ୍କର ମୃତ ଦେହକୁ ଓସାମାନାବାଦର ଜିଲ୍ଲା ସିଭିଲ୍ ଚିକିତ୍ସାଳୟରେ ଥିବା ଶବାଗାରକୁ ନିଆଯାଏ ଯେଉଁଠାରେ ଆମକୁ ମୃତ ଦେହଟିକୁ ଚିହ୍ନଟ କରିବାକୁ ପଡେ। ସେଠାରେ ମୃତ ଦେହଗୁଡିକୁ ଏକ ଆମ୍ବୁଲାନ୍ସ୍ ଭ୍ୟାନରେ ଭର୍ତ୍ତି କରାଯାଏ ଓ ଶ୍ମଶାନକୁ ପଠାଯାଏ।’’
ଶ୍ମଶାନରେ ଚିତାଗୁଡିକୁ ପ୍ରସ୍ତୁତ କରି ରଖାଯାଇଥାଏ। ଏକ ଧାଡିରେ ଥିବା ୧୫ରୁ୨୦ଟି ଚିତାରେ କର୍ମଚାରୀମାନେ ମୃତଦେହଗୁଡିକୁ ରଖିଦିଅନ୍ତି। ତା’ପରେ ଏକସଙ୍ଗେ ଅଗ୍ନି ସଂଯୋଗ କରିଦିଆଯାଏ। ବଦୁର୍କର କୁହନ୍ତି, "ଏଭଳି ମୃତ୍ୟୁରେ କୌଣସି ମର୍ଯ୍ୟାଦା ନାହିଁ।"
ମହାରାଷ୍ଟ୍ର ସରକାରଙ୍କ ଆକଳନ ଅନୁସାରେ ଓସମାନାବାଦରେ ୨୦୨୦ ମସିହା ମାର୍ଚ୍ଚ ମାସରୁ ଏ ପର୍ଯ୍ୟନ୍ତ ୧୨୫୦ ଜଣ କୋଭିଡ-୧୯ରେ ମୃତ୍ୟୁବରଣ କରିଛନ୍ତି ଓ ୫୬,୦୦୦ରୁ ଅଧିକ ଏଥିରେ ସଂକ୍ରମିତ ହୋଇଛନ୍ତି, ଯାହା ହେଉଛି ବହୁବର୍ଷ ଧରି ଦାରିଦ୍ର୍ୟ, ଜଳାଭାବ ଓ କୃଷକ ଆତ୍ମହତ୍ୟା ସହିତ ସଂଘର୍ଷ କରୁଥିବା ମହାରାଷ୍ଟ୍ରର ମରାଠାୱାଡା ଅଞ୍ଚଳର ଏକ ଜିଲ୍ଲା। ଏକ କୃଷି ପ୍ରଧାନ ଅଞ୍ଚଳ, ଏହି ଘାତକ ଦ୍ୱିତୀୟ ଲହର ଋଣରେ ବୁଡିରହିଥିବା ଓ ଚିକିତ୍ସା ଖର୍ଚ୍ଚ ବହନ କରିବାକୁ ଅସମର୍ଥ ଥିବା ଶ୍ରେଣୀର ଲୋକମାନଙ୍କୁ ଭୀଷଣ ଭାବରେ ପ୍ରଭାବିତ କରିଛି।
ଅଳ୍ପକେତେକ କ୍ଷେତ୍ରରେ ଚିକିତ୍ସାଳୟ କର୍ତ୍ତୃପକ୍ଷ କୁହନ୍ତି ମୁଖ୍ୟତଃ ସଂକ୍ରମିତ ହେବା ଭୟରେ ପରିବାର ସଦସ୍ୟମାନେ ମୃତଶରୀର ନେବା ପାଇଁ ଆସନ୍ତି ନାହିଁ ଯାହାକି ସେମାନଙ୍କୁ ଋଣଜନ୍ତା ମଧ୍ୟକୁ ଠେଲିଦେବ।
କେତେକ ଚେଷ୍ଟାକରନ୍ତି ସେମାନଙ୍କ ପକ୍ଷେ ଯେତିକି ସମ୍ଭବ ସେତିକି ସାହାଯ୍ୟ କରିବା ପାଇଁ। ଓସମାନାବାଦର ଏକ ମୁସଲିମ ସ୍ୱେଚ୍ଛାସେବକ ଗୋଷ୍ଠୀ ମୃତ୍ୟୁ ପରେ ଦାବି କରାଯାଉନଥିବା ମୃତଶରୀରଗୁଡିକର ଅବମାନନା ନହେବା ପାଇଁ ପାରୁପର୍ଯ୍ୟନ୍ତ ଚେଷ୍ଟା କରୁଛନ୍ତି। ଏହି ୮-୧୦ ଜଣ ସ୍ୱେଚ୍ଛାସେବକଙ୍କ ମଧ୍ୟରେ ଥିବା ୩୪ ବର୍ଷୀୟ ବିଲାଲ ତମ୍ବୋଲି, ଯିଏକି କୁହନ୍ତି, "ଏହ ଦ୍ୱିତୀୟ ଲହରରେ ଆମେ ୪୦ ଜଣରୁ ଅଧିକ ଲୋକଙ୍କର ଶବସତ୍କାର କରିସାରିଲୁଣି"। ଏବଂ ମହାମାରୀ ଆରମ୍ଭ ହେବାଠାରୁ ୧୦୦ରୁ ଅଧିକ ହେବ। "ହସ୍ପିଟା୍ଲ କର୍ତ୍ତୃପକ୍ଷ ଆମକୁ ଜଣାନ୍ତି ଏବଂ ତାହାପରେ ଆମେ ଏହା କରିଥାଉ। ଯଦି ମୃତ ବ୍ୟକ୍ତି ଜଣକ ମୁସଲମାନ ସମ୍ପ୍ରଦାୟର ହୋଇଥାଏ, ଆମେ ମୁସଲମାନ ସମ୍ପ୍ରଦାୟର ସମସ୍ତ ବିଧି ପାଳନ କରୁ। ଯଦି ମୃତ ବ୍ୟକ୍ତିଜଣକ ହିନ୍ଦୁ ହୋଇଥାନ୍ତି, ଆମେ ହିନ୍ଦୁ ବିଧି ଅନୁସାରେ ଶବଦାହ କରିଥାଉ। ଏହା ହେଉଛି ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ମର୍ଯ୍ୟାଦା କ୍ଷୁର୍ଣ୍ଣ ରଖିବାର ଏକ ପ୍ରୟାସ।"
ବିଲାଲ ନିଜ ଗୋଷ୍ଠୀର ଏହି ପ୍ରଚେଷ୍ଟା ପାଇଁ ଲୋକଲୋଚନକୁ ଆସିବା ପାଇଁ ଆତୁର ନୁହଁନ୍ତି। ସେ ବିଶ୍ୱାସ କରନ୍ତି ଯେ ତାହା ଭୁଲ୍ ହେବ। ଏବଂ ସେ ତାଙ୍କର ଏହି ସ୍ୱେଚ୍ଛାକୃତ କାମରେ ଥିବା ବିପଦ ବିଷୟରେ ସଚେତନ ଅଛନ୍ତି। ବିଲାଲ, ଯିଏକି ବିବାହ କରିନାହାନ୍ତି କୁହନ୍ତି, "ମୁଁ ମୋର ପରିବାର ପାଇଁ ଚିନ୍ତିତ ଅଛି, ମୁଁ ଯଦି ସଂକ୍ରମିତ ହୋଇ ମୋର କିଛି ହୋଇଯାଏ, ମୁଁ ଦୁଃଖ କରିବି ନାହିଁ। କିନ୍ତୁ ମୁଁ ମୋର ପିତାମାତା, ଭାଇ ଓ ଭଉଣୀମାନଙ୍କ ସହ ରହୁଛି। ଆମର ଘର ଏତେ ବଡ ନୁହେଁ କି ଆମେମାନେ ଏଠାରେ ଶାରୀରିକ ଦୂରତା ରକ୍ଷା କରିପାରିବୁ। ମୁଁ ସମସ୍ତ ପ୍ରାକ୍ ସାବଧାନତା ପାଳନ କରୁଛି - ଏବଂ ପ୍ରତ୍ୟେକ ଶବ ସତ୍କାର ପୂର୍ବରୁ ଏକ ଛୋଟିଆ ପ୍ରାର୍ଥନା କରିଥାଏ।"
ପରିବାରଗୁଡିକ କୁହନ୍ତି, କୋଭିଡ ସମୟରେ ଶବ ସତ୍କାର ଯେଉଁଭଳି କରାଯାଉଛି ସେମାନଙ୍କୁ ଏହି ସମାପ୍ତିକୁ ସହଜରେ ଗ୍ରହଣ କରିପାରୁ ନାହାଁନ୍ତି ବା ଏହାକୁ ଦକ୍ଷ ଭାବରେ ସମ୍ପାଦନ କରିପାରୁ ନାହାଁନ୍ତି। ଓସମାନାବାଦ ସହର ଉପାନ୍ତରେ ରହୁଥିବା ୩୬ ବର୍ଷୀୟ କୃଷକ ଦିପାଲି ଯାଦବ କୁହନ୍ତି, "ମୃତ୍ୟୁ ପରିବାରରେ ଏକ ଦୁଃଖଦ ଘଟଣା"। "ତୁମେ ସମସ୍ତ କାର୍ଯ୍ୟକୁ ଏକ ପରିବାର ପରି କର, ଏବଂ ଏହାକୁ ଏକ ପରିବାର ହୋଇ ଅତିକ୍ରମ କରିଯାଅ"। ଲୋକମାନେ ସେମାନଙ୍କ ସମବେଦନା ଜଣାଇବା ପାଇଁ ଆସନ୍ତି। ତୁମେମାନେ ନିଜ ନିଜ ମଧ୍ୟରେ ଶକ୍ତି ପାଅ। ଏବେ ସବୁ କିଛି ଶେଷ ହୋଇଯାଇଛି।"
ଯେତେବେଳେ ତାଙ୍କ ଶାଶୁ ଶଶୁର ଏପ୍ରିଲ୍ ମାସର ତୃତୀୟ ସପ୍ତାହରେ ୨୪ ଘଣ୍ଟା ମଧ୍ୟରେ ମୃତ୍ୟୁବରଣ କଲେ, ଦିପାଲିଙ୍କର ପୁରା ପରିବାର କୋଭିଡ-୧୯ରେ ସଂକ୍ରମିତ ହୋଇଥିଲେ। ସେ କୁହନ୍ତି, "ମୋର ସ୍ୱାମୀ ହସ୍ପିଟାଲରେ ଥିଲେ"। "ଆମର ତିନୋଟି ପିଲା ଗୃହ ସଙ୍ଗରୋଧରେ ରହୁଥିଲେ। ଏବଂ ମୁଁ ଅନ୍ୟ ଗୋଟିଏ କୋଠରୀରେ ଅଲଗା ରହୁଥିଲି। ଏହା କେତେକାଂଶରେ ସ୍ୱପ୍ନ ପରି ଥିଲା। ଏବଂ ଏକ ପକ୍ଷରେ, ମୁଁ କମ୍ ସମୟ ମଧ୍ୟରେ ପରିବାରର ଦୁଇ ଜଣଙ୍କୁ ହରାଇବାର ଦୁଃଖରୁ ବାହାରିବାକୁ ଚେଷ୍ଟା କରୁଥିଲି। ଅନ୍ୟ ପକ୍ଷରେ, ମୋର ସ୍ୱାମୀଙ୍କ ପାଇଁ ଚିନ୍ତିତ ଥିଲି। କୋଠରୀ ମଧ୍ୟରେ ଏକୁଟିଆ ରହି ମୁଁ ପାଗଳଙ୍କ ପରି ଅନୁଭବ କରୁଥିଲି।"
ତାଙ୍କର ସ୍ୱାମୀ ଅରବିନ୍ଦ ଜଣେ କୃଷକ, ଯିଏକି ନିଜ ବାପାମାଙ୍କ ଶେଷ ସମୟରେ ଯତ୍ନ ନେଇ ନପାରିଥିବାରୁ ଦୁଃଖ ପ୍ରକାଶ କରନ୍ତି। ସେ କୁହନ୍ତି, "ଯଦିଓ ମୁଁ ହସ୍ପିଟାଲରେ ଭର୍ତ୍ତି ହୋଇଥିଲି, ମୁଁ ଏକ ବ୍ୟକ୍ତିଗତ ସୁରକ୍ଷା ଉପକରଣ ପିନ୍ଧି ଶ୍ମଶାନକୁ ଗଲି ଓ ସେମାନଙ୍କୁ ଜଳୁଥିବାର ଦେଖିଲି"। "ଏହାହିଁ ଥିଲା ନିମିତ୍ତମାତ୍ର ଯାହା ମୁଁ କରିପାରିଲି।"
୪୫ ବର୍ଷୀୟ ଅରବିନ୍ଦ ଏବେବି ନିଜ ପିତାମାତାଙ୍କର ମୃତ୍ୟୁର ଶୋକରୁ ବାହାରିପାରି ନାହାଁନ୍ତି। ସେ କୁହନ୍ତି, "ଏହା କେବଳ ଥିଲା ମୃତଶରୀରଗୁଡିକୁ ଦାବି କରିବା, ଚିହ୍ନଟ କରିବା, ଶ୍ମଶାନକୁ ନେବା ଏବଂ ସମସ୍ତ ନିୟମ ପାଳନ କରି ଶବ ସତ୍କାର କରିବା।"
ଶବସତ୍କାରଗୁଡିକ ବ୍ୟବସ୍ଥାଗତ କାର୍ଯ୍ୟକୁ ସଂକୁଚିତ ହୋଇଯାଇଛି। ତୁମ ପାଖରେ ଶୋକ କରିବାକୁ ସମୟ ନଥାଏ। ତୁମ ପାଖରେ ଦୁଃଖ ପ୍ରକାଶ କରିବାକୁ ସମୟ ନଥାଏ। ତୁମର ଆତ୍ମୀୟଙ୍କର ଶରୀର ଜଳିବା ଆରମ୍ଭକରିବା ମାତ୍ରେ ତୁମକୁ ଶ୍ମଶାନ ଛାଡି ଯିବାପାଇଁ କୁହାଯାଏ କାରଣ ପରବର୍ତ୍ତୀ ଶବ ସତ୍କାର ଅପେକ୍ଷାରେ ଥାଏ।"
ଏପ୍ରିଲ୍ ୧୬ ତାରିଖରେ ଅରବିନ୍ଦର ମା, ୬୭ ବର୍ଷୀୟା ଆଶା ମୃତ୍ୟୁବରଣ କରିଥିଲେ। ତାଙ୍କର ବାପା, ୮୦ ବର୍ଷୀୟ ବସନ୍ତ ତାର ପରଦିନ ମୃତ୍ୟୁବରଣ କଲେ। ଏକ ମର୍ମସ୍ପର୍ଶୀ ଦୃଶ୍ୟରେ, କର୍ମଚାରୀମାନେ ଶ୍ମଶାନରେ ସେମାନଙ୍କ ପାଇଁ ପ୍ରସ୍ତୁତ ଦୁଇଟି ଚିତାକୁ ଏକ କରିଦେଲେ। ସେ କୁହନ୍ତି, "ଏହାହିଁ ଥିଲା ଏକମାତ୍ର ସାନ୍ତ୍ୱନା ଯାହା ମୁଁ ସେ ଦିନ ପାଇଥିଲି।" "ମୋର ପିତାମାତା ଏକାଠି ରହୁଥିଲେ ଏବଂ ସେମାନଙ୍କୁ ଚିରନିଦ୍ରାରେ ସବୁଦିନ ପାଇଁ ପାଖାପାଖି ଶୁଆଇ ଦିଆଗଲା। ସେମାନେ ନିଶ୍ଚିନ୍ତ ସ୍ୱର୍ଗରେ ଶାନ୍ତିରେ ରହୁଥିବେ"
ଅନୁବାଦ: ଓଡ଼ିଶାଲାଇଭ୍