କୋଳାହଳ କରି ଆସେ ମଲ୍ଲୀଫୁଲ। ସବୁଦିନ ପ୍ରତ୍ୟୁଷରେ ମଦୁରାଇର ମାଟ୍ଟୁତାବାଣୀ ବଜାରରେ ବସ୍ତା ବସ୍ତା କରି ପହଞ୍ଚେ ମୋତି ସଦୃଶ ଏହି ଫୁଲକଢ଼। ଦୁମ୍ଦାମ୍ ଶବ୍ଦରେ ବାତାବରଣ ସରଗରମ ହୋଇଉଠେ। “ଭାଝି, ଭାଝି (ଚାଲ, ଚାଲ),” ଗଳାଫଟାଇ ପାଟି କରୁ କରୁ ଲୋକେ ପ୍ଲାଷ୍ଟିକ ଚାଦର ଉପରେ ଏହାକୁ ଅଜାଡ଼ି ଦିଅନ୍ତି। ଏହି କଅଁଳ ଫୁଲକୁ ଲୁହାର ତରାଜୁରେ ଲଦି ଓଜନ କରନ୍ତି ଫୁଲବିକାଳିମାନେ। ଝଣଝଣ ଶବ୍ଦ କରେ ନିକିତି। ଆଉ ଗୋଟିଏ କିଲୋ ଫୁଲକୁ ଗରାଖଙ୍କ ପ୍ଲାଷ୍ଟିକ୍ ବ୍ୟାଗ୍ରେ ଭରି ଦିଅନ୍ତି। କେହି ଜଣେ ଏଠି ଦର ପଚାରୁଥାାନ୍ତି ତ ସେଠି ଆଉ କେହି ଜଣେ ସେହି ଦରକୁ ଚିତ୍କାର କରି କହୁଥାଆନ୍ତି। ପାଦ ତଳେ ଚକଟି ହୋଇଯାଏ ଫୁଲଭର୍ତ୍ତି ତାରପୁଲିନ, ବାସିଫୁଲରୁ ପଚରପଚର ଶବ୍ବ ବାହାରେ, ଏଜେଣ୍ଟମାନେ କିଣାବିକାର ଗତି ଉପରେ ନଜର ରଖିଥାଆନ୍ତି, ହାତରେ ଧରିଥିବା ଛୋଟିଆ ନୋଟ୍ବୁକ୍ରେ ତରବର ହୋଇ କିଛି ଗାରେଇ ପକାନ୍ତି, ଆଉ କେହି ଜଣେ ଚିତ୍କାର କରି ଉଠନ୍ତି, “ମୋର ପାଞ୍ଚ କିଲୋ ଦରକାର...। ”
ମହିଳାମାନେ ବୁଲି ବୁଲି ସବୁଠାରୁ ଭଲ ଫୁଲ ଖୋଜି କିଣନ୍ତି। ସେମାନେ ଆଞ୍ଜୁଳାଏ ଫୁଲ ଉଠାନ୍ତି, ଏହାର ଗୁଣ ପରଖିଲା ପରେ ଆଙ୍ଗୁଠି ମେଲା କରି ସେଗୁଡ଼ିକୁ ତଳକୁ ପକାଇ ଦିଅନ୍ତି। ବର୍ଷାପାଣି ଭଳି ମଲ୍ଲୀ ତଳେ ପଡ଼େ। ଜଣେ ଫୁଲବିକାଳି ଗୋଟିଏ ଗୋଲାପ ଓ ଗେଣ୍ଡୁଫୁଲକୁ ଏକାଠି କରିଥିବା ବେଳେ କେଶରେ ଲାଗୁଥିବା ପିନ୍କୁ ଦାନ୍ତରେ ଚାପି ଧରିଥାଆନ୍ତି। ବାସ୍, ଦେଖୁ ଦେଖୁ ତାଙ୍କ ମୁଣ୍ଡରେ ଲାଗିଯାଏ ଏହି ଫୁଲ। ତା’ପରେ ସେ ନିଜ ଝୁଡ଼ିକୁ ଉଠାନ୍ତି- ଯେଉଁଥିରେ ଥାଏ ମଲ୍ଲୀ, ଗୋଲାପ, ଗେଣ୍ଡୁଫୁଲ। ଫୁଲଝୁଡ଼ିକୁ ମୁଣ୍ଡରେ ମୁଣ୍ଡାଇ ବଜାରର ଗହଳଚହଳ ଭିତର ଦେଇ ଆଗେଇ ଯାଆନ୍ତି।
ରାସ୍ତାକଡ଼ରେ, ଛୋଟିଆ ଛତାଟିର ଛାଇରେ ବସି ସେ ଫୁଲ ଗୁନ୍ଥିବାରେ ଲାଗନ୍ତି ଏବଂ ଗଣତି କରି ଏହାକୁ ବିକ୍ରି କରନ୍ତି। ସବୁଜ ରଙ୍ଗ ସୂତାର ଦୁଇ ପାଖରେ କଥା ମାନିଲା ଭଳି ବାହାର ପଟକୁ ମୁହଁ କରି ବସିଥାଆନ୍ତି ମଲ୍ଲୀକଢ଼ମାନେ, ଗୋଟି ଗୋଟି ପାଖୁଡ଼ାରେ ଭରିରହିଥାଏ ମଲ୍ଲୀର ସୁଗନ୍ଧ। ଏବଂ ଗଛରେ ହେଉ କି କାର୍ ଭିତରେ କିମ୍ବା ଭଗବାନଙ୍କ ଫଟୋଚିତ୍ର ଉପରେ ଲାଗିଥିବା ଲୁହାକଣ୍ଟାରେ, ଫୁଟିଲା ବେଳେ ଚଉଦିଗ ଚହଟାଇ ଝରିଆସେ ମଲ୍ଲୀର ବାସ୍ନା। ଆଉ ଶୁଣାଇଦିଏ, ମଦୁରାଇ ମଲ୍ଲୀର ଆଗମନ ବାର୍ତ୍ତା।
ତିନି ବର୍ଷ ଭିତରେ ମାଟ୍ଟୁତାବାଣୀ ବଜାରକୁ ତିନି ଥର ଯାଇଛି PARI ଟିମ୍। ପ୍ରଥମ ଗସ୍ତ ଥିଲା ୨୦୨୧ ସେପ୍ଟେମ୍ବରରେ, ପ୍ରଭୁ ଗଣେଶଙ୍କ ଜନ୍ମତିଥି ବିନାୟକ ଚତୁର୍ଥୀର ପୂର୍ବ ଦିନରେ। ତାହା ଥିଲା ଫୁଲ କାରବାର ଉପରେ ତ୍ୱରାନ୍ୱିତ ପାଠ୍ୟକ୍ରମ ସଦୃଶ। ସେ ସମୟରେ ଲାଗୁ ହୋଇଥିବା କୋଭିଡ୍ କଟକଣା ଯୋଗୁଁ ମାଟ୍ଟୁତାବାଣୀ ବସ୍ ଷ୍ଟାଣ୍ଡ ପଛପଟେ ବସୁଥିବା ଅସ୍ଥାୟୀ ଫୁଲବଜାରରେ ତାହା ସଂପନ୍ନ ହୋଇଥିଲା। ସେତେବେଳେ ସାମାଜିକ ଦୂରତା ବଜାୟ ରଖିବା ଉପରେ ଜୋର ଦିଆଯାଉଥିଲା। ତଥାପି, କୌଣସିମତେ ଏଥିରେ କିଛିଟା ଆବେଗ ଭରି ରହିଥିଲା।
ମୋର ପାଠପଢ଼ା ଆରମ୍ଭ କରିବା ପୂର୍ବରୁ ଦୃପ୍ତ କଣ୍ଠରେ ତାଙ୍କ ନାଁ ଘୋଷଣା କରନ୍ତି ମଦୁରାଇ ଫୁଲ ବଜାର ସଂଘର ସଭାପତି: “ମୋ ନାଁ ପୁକାଡ଼ାଇ ରାମଚନ୍ଦ୍ରନ୍। ଏବଂ ଏ ହେଉଛି ମୋର ବିଶ୍ୱବିଦ୍ୟାଳୟ।” ଫୁଲ ବଜାର ଉପରେ ହାତ ବୁଲାଇ ଆଣିବା ଢଙ୍ଗରେ ସେ କହନ୍ତି।
ମଲ୍ଲୀଫୁଲର ଏହି ବଜାରରେ ପାଞ୍ଚ ଦଶନ୍ଧିରୁ ଅଧିକ ସମୟ ହେଲା କାମ କରିଆସୁଛନ୍ତି ୬୩ ବର୍ଷୀୟ ରାମଚନ୍ଦ୍ରନ୍। କିଶୋର ବୟସରେ ପାଦ ଥାପିବା ସମୟରୁ ହିଁ ସେ ଏହା ଆରମ୍ଭ କରିଥିଲେ। ସେ କହନ୍ତି, “ତିନି ପିଢ଼ି ଧରି ମୋ ପରିବାର ଏହି ବ୍ୟବସାୟ କରିଆସୁଛନ୍ତି।” ସେଥିପାଇଁ ହିଁ ସେ ନିଜକୁ ‘ପୁକାଡ଼ାଇ’ ବୋଲି କହନ୍ତି। ତାମିଲ ଭାଷାରେ ଏହାର ଅର୍ଥ ଫୁଲବଜାର ବୋଲି ହସି ହସି କହନ୍ତି ରାମଚନ୍ଦ୍ରନ୍। “ମୁଁ ମୋ କାମକୁ ଭଲପାଏ ଏବଂ ସମ୍ମାନ ଦିଏ। ମୁଁ ଏହାକୁ ପୂଜା କରେ। ଏଥିରୁ ହିଁ ମୁଁ ସବୁକିଛି, ଏମିତି କି ମୁଁ ପିନ୍ଧିଥିବା ଲୁଗାପଟା ବି, ଅର୍ଜିଛି। ଏବଂ ମୁଁ ଚାହେଁ ସମସ୍ତେ- ଚାଷୀମାନେ ଏବଂ ବେପାରୀମାନେ, ଉନ୍ନତି କରନ୍ତୁ।”
ଅଥଚ ଏହା ଏତେ ସରଳ ନୁହେଁ। ମଲ୍ଲୀଫୁଲ ବ୍ୟବସାୟରେ ଦରଦାମ ଓ ଉତ୍ପାଦନରେ ଅଚାନକ ତାରତମ୍ୟ ଦେଖାଦିଏ ଏବଂ ଏହା ଖୁବ୍ କଷ୍ଟଦାୟକ ହୋଇପାରେ। କେବଳ ସେତିକି ନୁହେଁ, ସେଚସୁବିଧା, ବିନିଯୋଗ ଖର୍ଚ୍ଚ ଏବଂ ଅନିଶ୍ଚିତ ବୃଷ୍ଟିପାତ ଭଳି ଚିରକାଳ ପାଇଁ ଲାଗି ରହିଥିବା ସମସ୍ୟା ବ୍ୟତୀତ କୃଷି ଶ୍ରମିକଙ୍କ ଅଭାବ ଯୋଗୁଁ ଚାଷୀମାନେ କଠିନ ପରିସ୍ଥିତିର ସମ୍ମୁଖୀନ ହେଉଛନ୍ତି।
କୋଭିଡ୍-୧୯ ଦୁର୍ବିପାକ ଜନିତ ଲକ୍ଡାଉନ୍ ଯୋଗୁଁ ସ୍ଥିତି ବିପର୍ଯ୍ୟସ୍ତ ହୋଇପଡ଼ିଛି। ଅତ୍ୟାବଶ୍ୟକ ସାମଗ୍ରୀ ରୂପେ ବିବେଚିତ ହେଉ ନଥିବା ମଲ୍ଲୀଫୁଲର ବ୍ୟବସାୟରେ ଘୋର ମାନ୍ଦାବସ୍ଥା ଯୋଗୁଁ ଚାଷୀ ଓ ଏଜେଣ୍ଟମାନେ ଖୁବ କ୍ଷତିଗ୍ରସ୍ତ ହୋଇଛନ୍ତି। ଅନେକ ଚାଷୀ ତ ଫୁଲଚାଷ ଛାଡ଼ି ପନିପରିବା ଓ ଛୁଇଁ ଚାଷକୁ ଆଦରି ନେଇଛନ୍ତି।
କିନ୍ତୁ ରାମଚନ୍ଦ୍ରନ୍ ଜୋର୍ ଦେଇ କହନ୍ତି ଯେ ଏସବୁ ସମସ୍ୟାର ସମାଧାନ ଉପାୟ ବି ରହିଛି। ଗୋଟିଏ ସମୟରେ ଅନେକ କାମରେ ଦକ୍ଷ ରାମଚନ୍ଦ୍ରନ୍ ଚାଷୀ ଓ ସେମାନଙ୍କ ଅମଳ ସହିତ କ୍ରେତା ଏବଂ ଫୁଲମାଳ ପ୍ରସ୍ତୁତକାରୀଙ୍କ ଉପରେ ନଜର ରଖିଥାଆନ୍ତି ଏବଂ ମଝିରେ ମଝିରେ କାମରେ ଖିଲାପ କରୁଥିବା ଲୋକଙ୍କ ଉଦ୍ଦଶ୍ୟରେ ପାଟି କରି ଉଠନ୍ତି, “ଦେଇ (ହେ)”। ମଲ୍ଲୀଫୁଲ (Jasminum sambac) ଉତ୍ପାଦନ ଏବଂ ଏହାର ଖୁଚୁରା ଓ ପାଇକାରୀ ବ୍ୟବସାୟର ଉନ୍ନତି ଦିଗରେ ସେ କେତେକ ନିହାତି ଗ୍ରହଣଯୋଗ୍ୟ ସମାଧାନ ସୂତ୍ର ପ୍ରଣୟନ କରିଛନ୍ତି। ତନ୍ମଧ୍ୟରେ ରହିଛି ମଦୁରାଇରେ ସରକାରୀ ଅତର କାରଖାନା ସ୍ଥାପନ ନିମନ୍ତେ ଆହ୍ୱାନ ଏବଂ ଅବିରତ ରପ୍ତାନୀ ବ୍ୟବସ୍ଥା।
ଖୁବ୍ ଉତ୍ସାହର ସହିତ ସେ କହନ୍ତି, “ଆମେ ଯଦି ସେତିକି କରିପାରିବା, ତେବେ “ମଦୁରାଇ ମଲ୍ଲୀ ମାଙ୍ଗନ୍ଧା ମଲ୍ଲିୟା ଇରୁକୁମ” (କେବେହେଲେ ବି ମଦୁରାଇ ମଲ୍ଲୀ ନିଜର ଚମକ ହରାଇବନି)।” ସେଇ ଚମକ, ଯାହା କେବଳ ଫୁଲର ଉଜ୍ଜ୍ୱଳ ରଙ୍ଗରେ ସୀମିତ ନୁହେଁ, ବରଂ ଚାଷୀ ଓ ବେପାରୀଙ୍କ ସମୃଦ୍ଧିକୁ ସୂଚାଇ ଥାଏ। ରାମଚନ୍ଦ୍ରନ୍ ବାରମ୍ବାର ଏହି ଗୋଟିଏ ଧାଡ଼ିର ପୁନରାବୃତ୍ତି କରନ୍ତି। ସତେ ଯେମିତି ନିଜର ପ୍ରିୟ ଫୁଲ ଲାଗି ଏକ ସୁନେଲି ଭବିଷ୍ୟତର ପରିକଳ୍ପନାରେ ମଜି ଯାଇଛନ୍ତି।
*****
ସକାଳେ ଦିନ ବଢ଼ିବା ବେଳକୁ ମଲ୍ଲୀଫୁଲ କାରବାର ବେଶ୍ ଜମିଯାଇଥାଏ। ଗହଳଚହଳ ବି। ଫୁଲର ମହକ ଭଳି ବ୍ୟାପି ଯାଇଥିବା ସ୍ୱରର ତୀବ୍ରତାକୁ ଭେଦ କରିବା ଲାଗି ଆମେ ବଡ଼ପାଟିରେ ଡାକ ଦେଉ।
ରାମଚନ୍ଦ୍ରନ୍ ଚା’ କିଣି ଆମକୁ ଦିଅନ୍ତି। ଏବଂ ସେହି ଗରମ ସକାଳରେ ଆମେ ସେଇ ଗରମ ଗରମ ମିଠା ପାନୀୟ ପିଉଥିବା ବେଳେ ସେ କଥା ଆଗକୁ ବଢ଼ାଇ ଜଣେ ଜଣେ ଚାଷୀ ଦିନକୁ ହଜାର ହଜାର ଟଙ୍କାର କାରବାର କରୁଥିବା, ଏପରିକି କେହି କେହି ଗୋଟିଏ ଦିନରେ ୫୦,୦୦୦ ଟଙ୍କା ପର୍ଯ୍ୟନ୍ତ କାରବାର କରନ୍ତି ବୋଲି କହନ୍ତି। “ସେମାନେ ହେଲେ ବଡ଼ ଚାଷୀ ଏବଂ ବହୁ ଏକର ଜମିରେ ଫୁଲଚାଷ କରିଥାଆନ୍ତି। କିଛି ଦିନ ତଳେ, ଯେତେବେଳେ ଫୁଲ କିଲୋ ପ୍ରତି ୧,୦୦୦ ଟଙ୍କାରେ ବିକ୍ରି ହେଉଥିଲା ଜଣେ ଚାଷୀ ୫୦ କିଲୋ ଫୁଲ ଆଣିଥିଲେ। ତାଙ୍କ ପାଇଁ ତ ଏହା ଲଟେରୀ ଜିତିବା ଭଳି କଥା ଥିଲା- ଦିନକରେ ୫୦,୦୦୦ ଟଙ୍କା !”
ଫୁଲ ବଜାର କଥା କ’ଣ, ଏଠି ଦିନକୁ କେତେ ଟଙ୍କାର କାରବାର ହୁଏ ? ରାମଜନ୍ଦ୍ରନ୍ଙ୍କ ଆକଳନ ଅନୁସାରେ ଏଠାରେ ଦିନକୁ ୫୦ ଲକ୍ଷରୁ ଏକ କୋଟି ଟଙ୍କାର କାରବାର ହୁଏ। “ଏଇଟା ବେସରକାରୀ ବଜାର। ଏଠି ପ୍ରାୟ ୧୦୦ଟି ଦୋକାନ ଅଛି ଏବଂ ପ୍ରତି ଦୋକାନରେ ଦିନକୁ ୫୦,୦୦୦ରୁ ଏକ ଲକ୍ଷ ଟଙ୍କା ବିକ୍ରି ହୁଏ। ଏଥର ଆପଣ ଅଙ୍କ କଷି ଦେଖନ୍ତୁ।”
ରାମଚନ୍ଦ୍ରନ୍ ବୁଝାଇ ଦିଅନ୍ତି ଯେ ବେପାରୀମାନେ ବିକ୍ରି ଉପରେ ୧୦ ପ୍ରତିଶତ କମିଶନ ପାଆନ୍ତି। ସେ କହନ୍ତି, “ବହୁ ଦଶନ୍ଧି ଧରି ଏହି ହିସାବ ବଦଳି ନାହିଁ। ହେଲେ ଏଥିରେ କ୍ଷତିର ଆଶଙ୍କା ବି ଥାଏ।” ଜଣେ ଚାଷୀ ଯଦି ଟଙ୍କା ଦେଇ ପାରନ୍ତିନି, ତେବେ ବେପାରୀଙ୍କୁ କ୍ଷତି ସହିବାକୁ ହୁଏ। କୋଭିଡ୍- ୧୯ ଯୋଗୁଁ ଲକ୍ଡାଉନ୍ ସମୟରେ ଏମିତି ଅନେକ ଥର ହୋଇଛି ବୋଲି ସେ କହନ୍ତି।
ମଝିରେ ଯିବାଆସିବା ପାଇଁ ଚଉଡ଼ା ରାସ୍ତା ଏବଂ ଦୁଇ ପଟେ ଧାଡ଼ିକି ଧାଡ଼ି ଦୋକାନ ଥାଇ କାରବାର ଉଦ୍ଦେଶ୍ୟରେ ନିର୍ମିତ ଏହି ଫୁଲ ବଜାରକୁ ଦ୍ୱିତୀୟ ଥର ପାଇଁ ଆମେ ୨୦୨୨ ଅଗଷ୍ଟରେ, ବିନାୟକ ଚତୁର୍ଥୀର ଠିକ୍ ପୂର୍ବରୁ ଯାଇଥିଲୁ। ନିୟମିତ ଭାବେ ଆସୁଥିବା କ୍ରେତାମାନେ ଏଠାକାର କାରବାର ଭଲ ଭାବରେ ଜାଣନ୍ତି। ତେଣୁ ଅତି ଶୀଘ୍ର ନେଣଦେଣ ହୋଇଯାଏ। ବସ୍ତା ବସ୍ତା ଫୁଲ ଆସି ପହଞ୍ଚେ ଏବଂ ବାହାରକୁ ଚାଲିଯାଏ। ଦୁଇପଟର ଦୋକାନ ମଝିରେ ଥିବା ରାସ୍ତାରେ ଗଦା ଗଦା ବାସି ଫୁଲ ପଡ଼ିଥାଏ। ପାଦରେ ଚକଟି ହୋଇଯାଉଥିବା ବାସିଫୁଲର ଉତ୍କଟ ଗନ୍ଧ ସହିତ ସଜଫୁଲର ମହମହ ବାସ୍ନା ସତେ ଯେମିତି ଧ୍ୟାନ ଆକର୍ଷଣ କରିବା ଲାଗି ପ୍ରତିଯୋଗିତା କରୁଥାଆନ୍ତି। ପରେ ମୁଁ ଯାହା ଜାଣିଲି, ସୁଗନ୍ଧ ଏବଂ ଦୁର୍ଗନ୍ଧ ମଧ୍ୟରେ ଆମେ ଫରକ ବାରି ନେବା ପଛର କାରଣ ହେଉଛି ନିର୍ଦ୍ଦିଷ୍ଟ କେତେକ ରାସାୟନିକ ମିଶ୍ରଣର ଏକତ୍ରୀକରଣ। ଏ କ୍ଷେତ୍ରରେ ଏହା ରାସାୟନିକ ମିଶ୍ରଣର ନାମ ହେଉଛି ‘ଇନ୍ଡୋଲ’, ଯାହାକି ପ୍ରାକୃତିକ ଭାବେ ମଲ୍ଲୀଫୁଲରେ ଏବଂ ମଳ, ତମ୍ବାଖୁ ଧୂଆଁ ଏବଂ ଆଲକାତରାରେ ରହିଥାଏ।
ସ୍ୱଳ୍ପ ଘନୀଭୂତ ‘ଇନ୍ଡୋଲ’ରୁ ଫୁଲର ସୁଗନ୍ଧ ବାହାରେ, କିନ୍ତୁ ଅଧିକ ଘନୀଭୂତ ହୋଇଥିଲେ ଏଥିରୁ ପଚାଗନ୍ଧ ବାହାରେ।
*****
ଫୁଲ ଦର ନିର୍ଦ୍ଧାରଣ ପଛର ମୁଖ୍ୟ କାରଣ ସଂପର୍କରେ ବୁଝାଇ ଦିଅନ୍ତି ରାମଚନ୍ଦ୍ରନ୍। ଜସ୍ମିନ୍ ପାଇଁ ଫେବୃଆରୀ ମଧ୍ୟଭାଗରୁ ଫୁଲ ଆରମ୍ଭ ହୁଏ। “ଏପ୍ରିଲ ମାସ ନହେବା ପର୍ଯ୍ୟନ୍ତ ଭଲ ଫୁଲ ଅମଳ ହୁଏ, କିନ୍ତୁ ଦର କମ୍ ଥାଏ। କିଲୋ ପିଛା ୧୦୦ରୁ ୩୦୦ ଟଙ୍କା ମଧ୍ୟରେ। ମେ ମାସର ଦ୍ୱିତୀୟାର୍ଦ୍ଧରେ ପାଣିପାଗ ବଦଳେ ଏବଂ ପବନ ବହେ। ଏବଂ ଅଧିକ ଫୁଲ ଅମଳ ହୁଏ। ଅଗଷ୍ଟ ଏବଂ ସେପ୍ଟେମ୍ବର ହେଉଛି ଫୁଲର ମଝିଆମଝି ଋତୁ। ଉତ୍ପାଦନ ଅଧା ହୋଇଯାଏ ଏବଂ ଦର ଦୁଇଗୁଣ। ଏହି ସମୟରେ ହିଁ ଫୁଲ କିଲୋ ପିଛା ୧,୦୦୦ ଟଙ୍କା ଛୁଏଁ। ଏବଂ ବର୍ଷର ଶେଷ ଭାଗରେ, ଅର୍ଥାତ୍ ନଭେମ୍ବର ଓ ଡିସେମ୍ବରରେ, ଆପଣ ହାରାହାରି ଅମଳ ତୁଳନାରେ ମାତ୍ର ୨୫ ପ୍ରତିଶତ ଫୁଲ ପାଆନ୍ତି। ସେହି ସମୟରେ ହିଁ ଫୁଲଦର ଆକାଶଛୁଆଁ ହୋଇଥାଏ। “କିଲୋ ପିଛା ଫୁଲ ଦର ତିନି, ଚାରି କି ପାଞ୍ଚ ହଜାର ଟଙ୍କା ହେବା କଥା ଆଗରୁ ହୁଏତ କେହି ଶୁଣି ନଥିବେ। ‘ଥାଇ ମାସମ୍’ (ଜାନୁଆରୀ ୧୫ରୁ ଫେବ୍ରୁଆରୀ ୧୫ ପର୍ଯ୍ୟନ୍ତ) ହେଉଛି ବାହାଘର ଋତୁ ଏବଂ ଏହି ସମୟରେ ଚାହିଦା ଖୁବ୍ ଅଧିକ ଏବଂ ଯୋଗାଣ ଖୁବ୍ କମ୍ ଥାଏ।”
ରାମଚନ୍ଦ୍ରନ୍ଙ୍କ ଆକଳନ ଅନୁସାରେ, ଫୁଲଚାଷୀମାନେ ସିଧାସଳଖ ନିଜ ନିଜର ଉତ୍ପାଦ ନେଇ ଆସୁଥିବା ମାଟ୍ଟୁତାବାଣୀ ପ୍ରାଥମିକ ଫୁଲ ବଜାରକୁ ଚାଷୀମାନେ ହାରାହାରି ୨୦ ଟନ୍ ଫୁଲ ଯୋଗାଇ ଦିଅନ୍ତି। ଯାହାର ଅର୍ଥ ୨୦,୦୦୦ କିଲୋଗ୍ରମ ମଲ୍ଲୀଫୁଲ। ତା ସହିତ ୧୦୦ ଟନ୍ ଅନ୍ୟାନ୍ୟ ଫୁଲ ବି ଆସେ। ଏଠାରୁ ତାମିଲନାଡୁର ଦିଣ୍ଡିଗୁଲ, ଥେନି, ବିରୁଧୁନଗର, ଶିବଗଙ୍ଗାଇ ଏବଂ ପୁଡୁକ୍କୋଟ୍ଟାଇ ଭଳି ବିଭିନ୍ନ ପଡ଼ୋଶୀ ଜିଲ୍ଲାର ବଜାରକୁ ଫୁଲ ଚାଲାଣ କରାଯାଏ।
ହେଲେ ଫୁଲ ଧରିବା କୌଣସି ନିର୍ଦ୍ଧାରିତ ବକ୍ରରେଖାରେ ସଂଘଟିତ ହୁଏନାହିଁ। ସେ କହନ୍ତି, “ଏହା ପାଣି ଉପରେ, ବର୍ଷା ପଡ଼ିବା ଉପରେ ନିର୍ଭର କରେ।” ଗୋଟିଏ ଏକର ଜମିରେ ଫୁଲଚାଷ କରୁଥିବା ଚାଷୀ ଜଣକ ଏ ସପ୍ତାହରେ ଜମିର ଏକ ତୃତୀୟାଂଶରେ ପାଣି ମଡ଼ାଇଲେ ପରବର୍ତ୍ତୀ ସପ୍ତାହରେ ଆଉ ଏକ ତୃତୀୟାଂଶରେ ପାଣି ମଡ଼ାନ୍ତି ଏବଂ ଏହି ଧାରା ଆଗକୁ ବଢ଼ିଥାଏ। ଏହା ଫଳରେ ତାଙ୍କୁ (ଏକପ୍ରକାର) ନିର୍ଦ୍ଧାରିତ ଅମଳ ଓ ରୋଜଗାର ମିଳେ। ହେଲେ ଯଦି ବର୍ଷା ହୁଏ, ତେବେ ପୂରା ଜମିରେ ପାଣି ମାଡ଼ିଯାଏ ଏବଂ ସବୁ ଗଛରେ ଏକାଠି ଫୁଲ ଧରେ। “ସେହି ସମୟରେ ହିଁ ଦର ଅଚାନକ ଖସିଯାଏ।”
ରାମଚନ୍ଦ୍ରନଙ୍କୁ ମଲ୍ଲୀଫୁଲ ଯୋଗାଇ ଦିଅନ୍ତି ୧୦୦ ଜଣ ଚାଷୀ। ସେ କହନ୍ତି, “ମୁଁ ମଲ୍ଲୀ ଗଛ ଲଗାଏ ନାହିଁ। ଏଥିରେ ବହୁତ ପରିଶ୍ରମ ଦରକାର।” କେବଳ ଫୁଲ ତୋଳିବା ଏବଂ ପରିବହନ ବାବଦରେ କିଲୋ ପିଛା ପାଖାପାଖି ୧୦୦ ଟଙ୍କା ଖର୍ଚ୍ଚ କରିବାକୁ ପଡ଼େ। ଏହାର ଦୁଇ ତୃତୀୟାଂଶ ଶ୍ରମିକ ମଜୁରି ବାବଦରେ ଖର୍ଚ୍ଚ ହୋଇଥାଏ। ଯଦି ମଲ୍ଲୀଫୁଲ ଦର କିଲୋ ପିଛା ଶହେ ଟଙ୍କାରୁ ତଳକୁ ଖସିଆସେ, ତେବେ ଚାଷୀମାନଙ୍କୁ ଖୁବ୍ ଅଧିକ କ୍ଷତି ସହିବାକୁ ପଡ଼େ।
ମଲ୍ଲୀଫୁଲ ଚାଷୀ ଏବଂ ବେପାରୀଙ୍କ ମଧ୍ୟରେ ରହିଥିବା ସଂପର୍କ ଏକ ଜଟିଳ ପ୍ରକ୍ରିୟା। ତିରୁମଙ୍ଗଳମ୍ ତାଲୁକା ଅନ୍ତର୍ଗତ ମେଲୌପ୍ପିଲିଗୁଣ୍ଡୁ ପଲ୍ଲୀ ଗାଁର ୫୧ ବର୍ଷୀୟ ମଲ୍ଲୀଫୁଲ ଚାଷୀ ପି.ଗଣପତି ରାମଚନ୍ଦ୍ରନ୍ଙ୍କୁ ଫୁଲ ଯୋଗାଇ ଦିଅନ୍ତି। ସେ କହନ୍ତି ଯେ, ସେ ବଡ଼ ବଡ଼ ବ୍ୟବସାୟୀଙ୍କ ‘ଆଦାଇକାଲମ୍’ ବା ଆଶ୍ରୟ ନିଅନ୍ତି। “ଗଛରେ ବହୁ ମାତ୍ରାରେ ଫୁଲ ଧରିଥିବା ବେଳେ, ମୁଁ ବସ୍ତା ବସ୍ତା ଫୁଲ ଧରି ବଜାରକୁ ଅନେକ ଥର ଯାଏ – ସକାଳେ, ଅପରାହ୍ଣରେ, ସନ୍ଧ୍ୟାରେ। ମୋ ଫୁଲ ବିକ୍ରି କରିବା ପାଇଁ ମୁଁ ବେପାରୀମାନଙ୍କ ସାହାଯ୍ୟ ଆବଶ୍ୟକ କରେ।” ପଢ଼ନ୍ତୁ: ତାମିଲନାଡୁ: ମଲ୍ଲୀର ମହକ ଅନ୍ତରାଳରେ ଅନେକ ସଂଘର୍ଷ
ପାଞ୍ଚ ବର୍ଷ ତଳେ, ଗଣପତି ରାମଚନ୍ଦ୍ରନ୍ଙ୍କ ପାଖରୁ କେଇ ଲକ୍ଷ ଟଙ୍କା ଧାର ନେଇଥିଲେ। ଏବଂ ତାଙ୍କୁ ଫୁଲ ବିକ୍ରି କରି ହିଁ ସେ ଏହା ଶୁଝି ଦେଇଥିଲେ। ଏଭଳି କ୍ଷେତ୍ରରେ କମିଶନ ପରିମାଣ କିଛିଟା ଅଧିକ ହୋଇଥାଏ- ଏହାର ହାର ୧୦ରୁ ବୃଦ୍ଧି ପାଇ ୧୨.୫ ପ୍ରତିଶତରେ ପହଞ୍ଚିଥାଏ।
ମଲ୍ଲୀଫୁଲର ଦର କିଏ ନିର୍ଦ୍ଧାରଣ କରନ୍ତି ? ରାମଚନ୍ଦ୍ରନ୍ ମୋତେ ବିସ୍ତୃତ ଭାବରେ ବୁଝାଇ ଦିଅନ୍ତି। “ଲୋକେ ବଜାର ଗଢ଼ନ୍ତି। ଲୋକେ ହିଁ ପଇସାକୁ ଏ ହାତରୁ ସେ ହାତ କରନ୍ତି। ଏହା ଖୁବ୍ ବିଚକ୍ଷଣ ପ୍ରକ୍ରିୟା,” ସେ କହନ୍ତି, “ହୁଏତ ଫୁଲ ଦର କିଲୋ ପିଛା ୫୦୦ ଟଙ୍କାରୁ ଆରମ୍ଭ ହୁଏ। ଏମିତି ସ୍ଥିତିରେ ବହୁ ଫୁଲ ବିକ୍ରି ହେବାରେ ଲାଗେ। ଏହା ଦେଖିବା ମାତ୍ରେ ଆମେ ତୁରନ୍ତ ଏହାକୁ ୬୦୦ ଟଙ୍କା କରିଦେଉ। ତଥାପି ସେହି ଦରରେ ଚାହିଦା ଲାଗି ରହିଥିବା ଦେଖିଲେ ଆମେ କିଲୋ ୮୦୦ ଟଙ୍କା କହିଥାଉ।”
ତାଙ୍କ ପିଲାବେଳେ “୧୦୦ଟି ଫୁଲ ୨ ଅଣା, ୪ ଅଣା, ୮ ଅଣାରେ ବିକ୍ରି ହେଉଥିଲା।”
ଘୋଡ଼ାଗାଡ଼ିରେ ଲଦା ହୋଇ ଫୁଲ ଆସୁଥିଲା। ଏବଂ ଦିଣ୍ଡିଗୁଲ ଷ୍ଟେସନ୍କୁ ଆସୁଥିବା ଦୁଇଟି ପାସେଞ୍ଜର ଟ୍ରେନ୍ରେ ବି ଆସୁଥିଲା। “ସେଗୁଡ଼ିକୁ ବାଉଁଶ ଏବଂ ତାଳପତ୍ରରେ ତିଆରି ଝୁଡ଼ିରେ ରଖାଯାଉଥିଲା ଏବଂ ଏଥିରେ ଫୁଲରେ ପବନ ବାଜୁଥିଲା ଏବଂ ଏହା ଚାପି ହୋଇଯାଉ ନଥିଲା। ସେ ସମୟରେ ଖୁବ୍ କମ୍ ଚାଷୀ ମଲ୍ଲୀଫୁଲ ଚାଷ କରୁଥିଲେ। ସେମାନଙ୍କ ମଧ୍ୟରେ ଅଳ୍ପ କେଇ ଜଣ ମହିଳା ଚାଷୀ ଥିଲେ।”
ପୁରୁଣା ଦିନର କଥାକୁ ମନେ ପକାଇ ତାଙ୍କ ପିଲାବେଳର ବାସ୍ନାଭରା ଗୋଲାପ କଥା କହନ୍ତି ରାମଚନ୍ଦ୍ରନ୍। ଏହି ଗୋଲାପକୁ ସେ “ପନୀର ରୋଜ୍” (ଖୁବ ସୁଗନ୍ଧଯୁକ୍ତ ଗୋଲାପ) ବୋଲି କହନ୍ତି। “ସେଗୁଡ଼ିକୁ ଆପଣ ଆଉ ଏବେ ପାଇବେନି ! ପ୍ରତିଟି ଫୁଲକୁ ଘେରି ରହୁଥିଲେ ଅନେକ ମହୁମାଛି। ଅନେକ ସମୟରେ ସେମାନେ ମୋତେ ଦଂଶିଛନ୍ତି !” ହେଲେ ତାଙ୍କ କଣ୍ଠରେ କ୍ରୋଧ ନଥିଲା। ଥିଲା କେବଳ ଅନୁରାଗ।
ଆହୁରି ଅଧିକ ଶ୍ରଦ୍ଧାରେ ସେ ମୋତେ, ବିଭିନ୍ନ ପର୍ବପର୍ବାଣୀ ସମୟରେ ବିଭିନ୍ନ ମନ୍ଦିରର ରଥ, ପାଲିଙ୍କି ଏବଂ ଦେବଦେବୀଙ୍କୁ ସଜାଇବା ପାଇଁ ସେ ଦାନ କରିଥିବା ଫୁଲର ଫଟୋ ସବୁ ତାଙ୍କ ଫୋନ୍ରେ ଦେଖାନ୍ତି। ଗୋଟିଏ ପରେ ଗୋଟିଏ ଫଟୋ ସେ ଦେଖାଇ ଚାଲନ୍ତି। ପ୍ରତିଟି ଅନ୍ୟଠାରୁ ଅଧିକ ଭବ୍ୟ ଏବଂ ସୂକ୍ଷ୍ମ କାର୍ଯ୍ୟରେ ପରିପୂର୍ଣ୍ଣ।
ସେ କିନ୍ତୁ ଅତୀତକୁ ଝୁରି ହୁଅନ୍ତି ନାହିଁ ଏବଂ ଭବିଷ୍ୟତ ସଂପର୍କରେ ତାଙ୍କର ଦୃଷ୍ଟିକୋଣ ବେଶ ସୁସ୍ପଷ୍ଟ। “ନିତି ନୂଆ ନୂଆ କଥା ଶିଖିବା ସହିତ ଲାଭ ପାଇବା ଲାଗି ଶିକ୍ଷିତ ଯୁବ ପିଢ଼ି ଏହି ବ୍ୟବସାୟକୁ ଆପଣେଇ ନେବା ଉଚିତ।” ରାମଚନ୍ଦ୍ରନ୍ଙ୍କ ପାଖରେ ହୁଏତ କଲେଜ୍ କିମ୍ବା ବିଶ୍ୱବିଦ୍ୟାଳୟର କୌଣସି ଅଭିନବ ଡିଗ୍ରୀ ନାହିଁ କି ସେ ଆଉ ‘ଯୁବ’ ବର୍ଗରେ ନାହାନ୍ତି। ହେଲେ ତାଙ୍କ ପାଖରେ ରହିଛି ଉଭୟ ଶିକ୍ଷିତ ଓ ଯୁବକ ବର୍ଗ ପାଇଁ ସର୍ବୋତ୍ତମ ବିଚାରଧାରା।
*****
ପ୍ରଥମ ନଜରରେ ହୁଏତ ଫୁଲହାର, ଫୁଲମାଳ ଏବଂ ଅତର ବ୍ୟବସାୟ ଖୁବ୍ ଏକ ଲାଭଜନକ ବ୍ୟବସାୟ ମନେ ହୁଏନାହିଁ। କିନ୍ତୁ ଯାହାହେଲେ ବି ସେସବୁ ଗତାନୁଗତିକ ବ୍ୟବସାୟ ଧାରା ନୁହେଁ। ପ୍ରତିଟି ଫୁଲହାରରେ ସୃଜନଶୀଳତା ଏବଂ କଳାକୌଶଳର ସମାହାର ଦେଖିବାକୁ ମିଳେ। ସାଧାରଣ ସ୍ଥାନୀୟ ଫୁଲକୁ ଗୁନ୍ଥି ଏହାର ସୌନ୍ଦର୍ଯ୍ୟକୁ ବହୁଗୁଣିତ କରିବା ଏବଂ ଏହି ହାରକୁ ପରିବହନ ଏବଂ ପିନ୍ଧିବା ଉପଯୋଗୀ କରିବା ସହିତ ପ୍ରଶଂସାଯୋଗ୍ୟ ଏବଂ ଶେଷରେ ଖତରେ ପରିଣତ କରିବାର ଧାରା ବେଶ୍ ଆମୋଦଦାୟକ।
କାମ କରିବା ଲାଗି ଶିବଗଙ୍ଗାଇରୁ ମଦୁରାଇକୁ ସବୁଦିନ ବସ୍ରେ ଆସନ୍ତି ୩୮ ବର୍ଷୀୟ ଏସ୍. ଜେୟାରାଜ। ସେ ଫୁଲହାର ତିଆରି କରିବାର ‘ଅ’ରୁ ‘କ୍ଷ’ ଯାଏ ଜାଣିଛନ୍ତି। ପ୍ରାୟ ୧୬ ବର୍ଷ ହେଲା ସେ ନିଜ ହାତରେ ଅତି ସୁନ୍ଦର କାରୁକାର୍ଯ୍ୟରେ ପୂର୍ଣ୍ଣ ହାର ତିଆରି କରି ଆସୁଛନ୍ତି। ଆତ୍ମବିଶ୍ୱା ସର ସହିତ ସେ କହନ୍ତି, ଯେ କୌଣସି ଫୁଲହାରର ଫଟୋ ଦେଖି ସେ ଏହାର ଅବିକଳ ନକଲ ତିଆରି କରିପାରିବେ। ଏବଂ ଏହା ସହିତ ସେ ନିଜେ ନିଜେ ଅନେକ ଫୁଲହାର ମଧ୍ୟ କରନ୍ତି। ଗୋଲାପ ପାଖୁଡ଼ାରେ ଫୁଲହାର ଯୋଡ଼ିଏ ତିଆରି କରି ସେ ତାଙ୍କ ମଜୁରି ବାବଦରେ ୧,୨୦୦ରୁ ୧,୫୦୦ ଟଙ୍କା ରୋଜଗାର କରନ୍ତି। ସାଧାରଣ ମଲ୍ଲୀଫୁଲ ହାରଟିଏରୁ ସେ ୨୦୦ରୁ ୨୫୦ ଟଙ୍କା ଆୟ କରନ୍ତି।
ଆମ ଗସ୍ତର ଦୁଇ ଦିନ ପୂର୍ବରୁ ସେଠାରେ ଫୁଲହାର କାରିଗର ଏବଂ ଫୁଲ ଗୁନ୍ଥିବା ଲାଗି ଲୋକଙ୍କର ଘୋର ଅଭାବ ଦେଖା ଦେଇଥିଲା, ସେହି ସ୍ଥିତି ସଂପର୍କରେ ବୁଝାଇବାକୁ ଯାଇ ରାମଚନ୍ଦ୍ରନ୍ କହନ୍ତି। “ଏହା କରିବା ଲାଗି ଆପଣ ଉପଯୁକ୍ତ ଭାବରେ ତାଲିମ ନେଇଥିବା ଦରକାର। ଏଥିରୁ ପଇସା ରୋଜଗାର ତ କରିହେବ,” ସେ ଜୋର୍ ଦେଇ କହନ୍ତି। “ଜଣେ ମହିଳା ଏଥିରେ କିଛି ଟଙ୍କା ବିନିଯୋଗ କରିବେ, ଦୁଇ କିଲୋ ମଲ୍ଲୀଫୁଲ କିଣି, ସୂତାରେ ଗୁନ୍ଥି ବିକ୍ରି କଲେ ସେ ୫୦୦ ଟଙ୍କା ରୋଜଗାର କରିପାରିବେ।” ଏଥିରେ ତାଙ୍କର ସମୟ ଓ ପରିଶ୍ରମ ରହିଛି। ଗୋଟିଏ କିଲୋ ମଦୁରାଇ ମଲ୍ଲୀ, ଯାହାର ଅର୍ଥ ପ୍ରାୟ ୪,୦୦୦ ୫,୦୦୦ ମଲ୍ଲୀକଢ଼, ଗୁନ୍ଥିବା ବାବଦରେ ୧୫୦ ଟଙ୍କା ହିସାବରେ ସେ ପାଇପାରିବେ। ତା ସହିତ, ଏହି ଫୁଲକୁ ‘କୁରୁ’ରେ ବା ୧୦୦ଟି ଫୁଲରେ ଗୋଟିଏ ଭାଗ କରି ବିକ୍ରି କରି ସେ ଆଉ କିଛି ରୋଜଗାର କରିବାର ସମ୍ଭାବନା ବି ରହିଛି।
ଫୁଲ ଗୁନ୍ଥିବା ପାଇଁ ବେଗ ଓ କୌଶଳ ଦରକାର ହୁଏ। ରାମଚନ୍ଦ୍ରନ୍ କଥା ଓ କାମ ଜରିଆରେ ଏହାର ଉପସ୍ଥାପନା କରନ୍ତି। ବାମ ହାତରେ କଦଳୀ ପଟୁକା ଧରି ସେ ଡାହାଣ ହାତରେ ଅତି ଶୀଘ୍ର ଶୀଘ୍ର ମଲ୍ଲୀଫୁଲ ଉଠାନ୍ତି ଏବଂ ଗୋଟି ଗୋଟି କରି ସଜାଇ ରଖନ୍ତି। ମଲ୍ଲୀକଢ଼ର ମୁହଁ ପଟୁକାର ବାହାରପଟକୁ ରଖି ସେ ପଟୁକାକୁ ଓଲଟାଇ ଦିଅନ୍ତି ଏବଂ ଏହିଭଳି ଫୁଲ ଗୁନ୍ଥି ଚାଲନ୍ତି। ଗୋଟିଏ ପରେ ଆଉ ଗୋଟିଏ ଧାଡ଼ିରେ ପଟୁକା ଯୋଡ଼ି ସେ ମାଳ ମାଳ ଫୁଲ ଗୁନ୍ଥି ଦିଅନ୍ତି। ତାଙ୍କ ହାତରେ ମଲ୍ଲୀଫୁଲ ମାଳର ଲମ୍ବା ବଢ଼ିବାରେ ଲାଗିଥାଏ।
ସେ ପଚାରନ୍ତି, ଫୁଲ ଗୁନ୍ଥିବା ଏବଂ ଫୁଲମାଳ ତିଆରି କରିବା ବିଷୟ କାହିଁକି ବିଶ୍ୱବିଦ୍ୟାଳୟରେ ପଢ଼ାଯାଇ ପାରିବନି। “ଏହା ଏକ ଧନ୍ଦାମୂଳକ ଶିକ୍ଷା ଏବଂ ଜୀବିକା ଅର୍ଜନର କୌଶଳ। ମୁଁ ବି ପଢ଼ାଇ ପାରିବି। ମୁଁ ବି ତଥ୍ୟ ଓ ସମ୍ବାଦ ପଠାଇପାରିବି। ମୋ ପାଖରେ ସେସବୁ କୌଶଳ ଅଛି।”
ରାମଚନ୍ଦ୍ରନ୍ କହନ୍ତି ଯେ କନ୍ୟାକୁମାରୀ ଜିଲ୍ଲାର ଥୋବାଲାଇ ଫୁଲ ବଜାରରେ ଫୁଲକଢ଼ ଗୁନ୍ଥିବା ଏକ କୁଟୀର ଶିଳ୍ପର ରୂପ ନେଇଛି। “ସେଠାରେ ଗୁନ୍ଥା ହୋଇଥିବା ଫୁଲ ବିଭିନ୍ନ ସହର ଓ ନଗରକୁ ପଠାଯାଏ, ବିଶେଷତଃ ପଡ଼ୋଶୀ ରାଜ୍ୟ କେରଳର ତିରୁବନନ୍ତପୁରମ୍, କୋଲ୍ଲମ ଏବଂ କୋଚିନକୁ। ଅନ୍ୟାନ୍ୟ ସ୍ଥାନରେ ଏହି ଧାରାକୁ ଆପଣେଇ ନିଆଯାଇ ପାରିବନି କାହିଁକି ? ଯଦି ଅଧିକରୁ ଅଧିକ ମହିଳାଙ୍କୁ ପ୍ରଶିକ୍ଷଣ ଦିଆଯାଏ, ତେବେ ଏହା ଉପାର୍ଜନର ଏକ ପ୍ରକୃଷ୍ଟ ନିଦର୍ଶନ ହୋଇପାରିବ। ମଲ୍ଲୀଫୁଲ ପାଇଁ ଖ୍ୟାତ ଏହି ସ୍ଥାନରେ ଏହା କରାଯିବା ଉଚିତ ନୁହେଁ କି ?”
ସେହି ସହରର ଅର୍ଥନୀତି ସଂପର୍କରେ ଜାଣିବା ସକାଶେ ୨୦୨୩ ଅଗଷ୍ଟ ମାସରେ PARI ଟିମ୍ ଥୋବାଲାଇ ବଜାରକୁ ଯାତ୍ରା କରିଥିଲା। ନାଗରକୋଏଲଠାରୁ ଅନତି ଦୂରରେ ଅବସ୍ଥିତ ଥୋବାଲାଇ ସହରକୁ ଘେରି ରହିଛି ଅନେକ ପାହାଡ଼ ଓ ପବନକଳରୁ ହାୱା ପାଉଥିବା ମଲ୍ଲୀଫୁଲର କ୍ଷେତ। ଗୋଟିଏ ବିରାଟ ବଡ଼ ନିମ୍ବ ଗଛ ତଳେ ଏବଂ ଚାରିପାଖେ ଏହି ବଜାର ବସେ। ମଲ୍ଲୀଫୁଲର ମାଳ ଗୁନ୍ଥା ହୋଇ ପଦ୍ମପତ୍ରରେ ବିଡ଼ା ବିଡ଼ା କରି ବନ୍ଧାହୁଏ ଏବଂ ଏହାକୁ ତାଳପତ୍ରରେ ତିଆରି ଝୁଡ଼ିରେ ରଖାଯାଏ। ସେଠାକାର ବ୍ୟବସାୟୀମାନେ ସମସ୍ତେ ପୁରୁଷ ଏବଂ ସେମାନେ କହନ୍ତି, କନ୍ୟାକୁମାରୀରୁ ଏବଂ ପଡ଼ୋଶୀ ତାମିଲ ନାଡୁର ତିରୁନେଲଭେଲି ଜିଲ୍ଲାରୁ ଏଠାକୁ ଆସେ ମଲ୍ଲୀଫୁଲ। ଫେବ୍ରୁଆରୀର ପ୍ରଥମାର୍ଦ୍ଧରେ ମଲ୍ଲୀଫୁଲ କିଲୋ ପ୍ରତି ୧,୦୦୦ ଟଙ୍କା ଥାଏ। କିନ୍ତୁ ଏଠାକାର ବଡ଼ ବ୍ୟବସାୟ ହେଲା ମହିଳାଙ୍କ ଦ୍ୱାରା ଫୁଲହାର ଗୁନ୍ଥା। ହେଲେ ସେମାନେ କେହି ବଜାରରେ ନଥାଆନ୍ତି। “ସେମାନେ କେଉଁଠି ଅଛନ୍ତି,” ମୁଁ ପଚାରିଲି। “ସେମାନଙ୍କ ଘରେ ଅଛନ୍ତି,” ବଜାର ପଛର ବସ୍ତି ଆଡ଼କୁ ଆଙ୍ଗୁଠି ଦେଖାଇ ପୁରୁଷମାନେ କହିଲେ।
ଆଉ ସେହିଠାରେ ହିଁ ୮୦ ବର୍ଷୀୟା ଆର୍. ମୀନାଙ୍କ ସହ ଆମର ସାକ୍ଷାତ ହେଲା। ଖୁବ୍ ଶୀଘ୍ର ଶୀଘ୍ର ମଲ୍ଲୀଫୁଲ (ପିଚି କିମ୍ବା ଜାଥି ପ୍ରଜାତିର ମଲ୍ଲୀ) ଉଠାଇ ସୂତାରେ ଗୁନ୍ଥୁଥିଲେ ସେ। ସେ ଚଷମା ପିନ୍ଧି ନଥିଲେ। ବିସ୍ମିତ ଭାବରେ ମୁଁ ପଚାରିଥିବା ପ୍ରଶ୍ନର ଉତ୍ତର ଦେବାକୁ ଯାଇ କେଇ ସେକେଣ୍ଡ ପାଇଁ ସେ ହସିଲେ। “ମୁଁ ଏ ସବୁ ଫୁଲକୁ ଜାଣେ କିନ୍ତୁ ପାଖରେ ନ ପହଞ୍ଚିଲା ଯାଏ ଲୋକଙ୍କୁ ଦେଖିପାରେ ନାହିଁ।” ଅଭିଜ୍ଞତା ବଳରେ ଏବଂ ସ୍ୱଭାବ ସୁଲଭ ଢଙ୍ଗରେ ତାଙ୍କ ଆଙ୍ଗୁଠିଗୁଡ଼ିକ କାମ କରୁଥାଆନ୍ତି।
ହେଲେ ମୀନୁଙ୍କର ଏହି ଦକ୍ଷତାକୁ ଉପଯୁକ୍ତ ସମ୍ମାନ ମିଳେନାହିଁ। ପିଚି ପ୍ରଜାତିର ୨୦୦ ଗ୍ରାମ ମଲ୍ଲୀଫୁଲ ଗୁନ୍ଥିବା ପାଇଁ ତାଙ୍କୁ ୩୦ ଟଙ୍କା ମିଳେ। ଆନୁମାନିକ ଭାବେ ୨,୦୦୦ଟି କଢ଼ ଗୁନ୍ଥିବା ପାଇଁ ଏବଂ ଏଥିପାଇଁ ତାଙ୍କୁ ପ୍ରାୟ ଏକ ଘଣ୍ଟା ଲାଗେ। ଗୋଟିଏ କିଲୋଗ୍ରାମ ମଦୁରାଇ ମଲ୍ଲୀ (ପ୍ରାୟ ୪,୦୦୦ରୁ ୫,୦୦୦ କଢ଼) ଗୁନ୍ଥି ସେ ପାଆନ୍ତି ୭୫ ଟଙ୍କା। ଯଦି ସେ ମଦୁରାଇରେ କାମ କରନ୍ତେ ତେବେ ଏହି ଦରର ଦୁଇଗୁଣ ପାଆନ୍ତେ। ସୁନ୍ଦର ଓ ନରମ ଏବଂ ସୁଗନ୍ଧଯୁକ୍ତ ଗୋଟିଏ ମଲ୍ଲୀମାଳକୁ ହାତରେ ଗୁଡ଼ାଇ ବଲ୍ ଭଳି ଗୋଲାକାର କରୁ କରୁ ସେ କହନ୍ତି ଯେ, ଥୋବାଲାଇରେ ବେଳା ଭଲ ଥିଲେ ହିଁ ଦିନକରେ ସେ ୧୦୦ ଟଙ୍କା ରୋଜଗାର କରନ୍ତି।
ଅନ୍ୟପକ୍ଷରେ. ଫୁଲମାଳ ତିଆରି କଲେ ଖୁବ୍ ଅଧିକ ମିଳେ। ହେଲେ, ପ୍ରାୟତଃ ପୁରୁଷମାନେ ହିଁ ଏହା କରନ୍ତି।
ରାମଚନ୍ଦ୍ରନ୍ଙ୍କ ଆକଳନ ଅନୁସାରେ ମଦୁରାଇ ଅଞ୍ଚଳରେ ଦିନକୁ ପ୍ରାୟ ୧,୦୦୦ କିଲୋ ମଲ୍ଲୀଫୁଲରେ ହାର ଓ ମାଳ ଗୁନ୍ଥା ହୁଏ। ହେଲେ ସଂପ୍ରତି ଏହି କାମ ପ୍ରତିକୂଳ ପରିସ୍ଥିତି ମଧ୍ୟରେ ରହିଛି। ଫୁଲଗୁଡ଼ିକୁ ଜଲ୍ଦି ଜଲ୍ଦି ଗୁନ୍ଥିବାକୁ ହେବ, କାରଣ ଅପରାହ୍ଣରେ ପ୍ରବଳ ଗରମ ହେଉଛି। ସେ କହନ୍ତି, “ମୋଟ୍ଟୁ ବେଦିଚିଦମ୍”, କଢ଼ ଫୁଟି ପାଖୁଡ଼ା ପଦାକୁ ବାହାରି ଆସିବା ଅବସ୍ଥାକୁ ସୂଚାଇ ଦେବା ପାଇଁ ପାଟିକୁ ଜୋରରେ କାମୁଡ଼ି ସେ ଏତକ କହନ୍ତି। ଏପରି ହେଲେ ଫୁଲର ମୂଲ୍ୟ କମିଯାଏ ବୋଲି ସେ ବୁଝାଇ ଦିଅନ୍ତି। “ମହିଳା ଗୋଷ୍ଠୀ ପାଇଁ କିଛି ସ୍ଥାନ, ଏହି ଯେମିତି SIPCOT (ତାମିଲନାଡୁ ରାଜ୍ୟ ଶିଳ୍ପ ଉନ୍ନୟନ ନିଗମ)ରେ କାହିଁକି ସଂରକ୍ଷିତ ରଖାଯାଇ ପାରିବନି ? ଏହାକୁ ଶୀତତାପ ନିୟନ୍ତ୍ରିତ କରାଯାଇପାରିବ, ଯାହାଫଳରେ କି ଫୁଲଗୁଡ଼ିକ ସତେଜ ରହିବ ଏବଂ ମହିଳାମାନେ ଏହାକୁ ଶୀଘ୍ର ଶୀଘ୍ର ଗୁନ୍ଥି ପାରିବେ, ନୁହେଁ କି ?” ଆଉ ଏହି କାମରେ ବେଗ ଗୁରୁତ୍ୱପୂର୍ଣ୍ଣ, କାରଣ ବିଦେଶକୁ ପଠାଯାଉଥିବା ଫୁଲ ସେଠାରେ ପହଞ୍ଚିଲା ବେଳକୁ ଗୁନ୍ଥା ହୋଇଥିବା କଢ଼ ଅବସ୍ଥାରେ ରହିବା ଦରକାର।
“ମୁଁ କାନାଡା ଓ ଦୁବାଇକୁ ମଲ୍ଲୀଫୁଲ ରପ୍ତାନୀ କରିଛି। କାନାଡାରେ ଏହା ପହଞ୍ଚିବାକୁ ୩୬ ଘଣ୍ଟା ଲାଗେ। ସେମାନେ ଏହାକୁ ସତେଜ ଅବସ୍ଥାରେ ପାଇବା ଦରକାର, ନୁହେଁ କି?”
ଏଥିପାଇଁ ହିଁ ସେ ଫୁଲ ପରିବହନ ବ୍ୟବସାୟରେ ଅଛନ୍ତି। ଏହା ଏକ ଅବିରତ କାର୍ଯ୍ୟ ନୁହେଁ। ଫୁଲକୁ ଗାଡ଼ିରୁ ତଳକୁ ଉତାରିବାକୁ ପଡ଼େ ଏବଂ ବିମାନ ଯୋଗେ ବିଦେଶକୁ ପଠାଯିବା ପୂର୍ବରୁ ଏହାକୁ ଚେନ୍ନାଇ କିମ୍ବା କୋଚି କିମ୍ବା ତିରୁବନନ୍ତପୁରମ୍ ଭଳି ଦୂରବର୍ତ୍ତୀ ସହରକୁ ପଠାଇବାକୁ ହୁଏ। ତାଙ୍କ ମତରେ ମଦୁରାଇକୁ ମଲ୍ଲୀଫୁଲ କିଣାବିକାର କେନ୍ଦ୍ରସ୍ଥଳୀ ରୂପେ ଗଢ଼ି ତୋଳିବାକୁ ହେବ।
ଆମ କଥାବାର୍ତ୍ତାରେ ଯୋଗ ଦିଅନ୍ତି ତାଙ୍କ ପୁଅ ପ୍ରସନ୍ନ। “ଆମ ପାଇଁ ଏକ ବ୍ୟାବସାୟିକ କରିଡର ଏବଂ ସଠିକ୍ ଦିଗ୍ଦର୍ଶନ ଦରକାର। ଚାଷୀମାନଙ୍କୁ ଫୁଲ ବିକିବାରେ ସହାୟତା ଦରକାର। ଏହା ସହିତ ଏଠାରେ ପର୍ଯ୍ୟାପ୍ତ ସଂଖ୍ୟକ ରପ୍ତାନୀ ପାଇଁ ପ୍ୟାକେଜିଂ କରୁଥିବା ସଂସ୍ଥା ନାହିଁ। ଆମକୁ କନ୍ୟାକୁମାରୀର ଥୋବାଲାଇ କିମ୍ବା ଚେନ୍ନାଇ ଯିବାକୁ ପଡୁଛି। ପ୍ରତି ଦେଶକୁ ଫୁଲ ରପ୍ତାନୀ କରିବା ଲାଗି କେତେକ ବିଧିବ୍ୟବସ୍ଥା ଓ ପ୍ରମାଣପତ୍ର ପ୍ରକ୍ରିୟା ରହିଛି- ଏ ସଂପର୍କରେ ସୂଚନା ଦିଆଗଲେ ଚାଷୀମାନଙ୍କ କାମରେ ଲାଗି ପାରନ୍ତା,” ଜୋର୍ ଦେଇ ସେ କହନ୍ତି।
ଅଧିକନ୍ତୁ, ୨୦୧୩ ମସିହାରୁ ମଦୁରାଇ ମଲ୍ଲୀକୁ ଭୌଗୋଳିକ ସଂକେତ (GI tag) ମିଳିଛି। କିନ୍ତୁ ଏହା ଦ୍ୱାରା ମଲ୍ଲୀର ମୂଳ ଉତ୍ପାଦକ ଏବଂ ବ୍ୟବସାୟୀମାନେ ଉପକୃତ ହେଉଛନ୍ତି ବୋଲି ପ୍ରସନ୍ନ ଭାବନ୍ତି ନାହିଁ।
“ମଦୁରାଇ ମଲ୍ଲୀ ନାଁରେ ଅନ୍ୟ ଅଞ୍ଚଳର ମଲ୍ଲୀକୁ ବିକ୍ରି କରାଯାଉଥିବା ସଂପର୍କରେ ମୁଁ ଅନେକ ଥର ଲିଖିତ ଭାବରେ ଅବଗତ କରାଇଛି।”
ପ୍ରତ୍ୟେକ ଚାଷୀ ଏବଂ ବ୍ୟବସାୟୀ ଯାହା କହନ୍ତି, ତାହା କହି ନିଜ କଥା ଶେଷ କରନ୍ତି ରାମଚନ୍ଦ୍ରନ୍: ମଦୁରାଇରେ ନିଜସ୍ୱ ଅତର କାରଖାନାଟିଏ ସ୍ଥାପନ କରିବା ଦରକାର। ଏହା ସରକାରଙ୍କ ଦ୍ୱାରା ପରିଚାଳିତ ହେବା ଜରୁରୀ ବୋଲି ରାମଚନ୍ଦ୍ରନ୍ ଜୋର୍ ଦେଇ କହନ୍ତି। ମଲ୍ଲୀଫୁଲର ଏହି ଦେଶରେ ମୁଁ ଯେତେବେଳେ ଯୁଆଡ଼େ ଗଲେ ବାରମ୍ବାର ଏହି କଥା ହିଁ ଶୁଣିଛି, ସତେ ଯେମିତି ଏହି ଫୁଲରୁ ସୁଗନ୍ଧ ବାହାର କରି ଅତର ଉତ୍ପାଦନ କରିଦେଲେ ସବୁ ସମସ୍ୟାର ସମାଧାନ ହୋଇଯିବ। ଏହା କ’ଣ ସମାଧାନର ଏକମାତ୍ର ଚମତ୍କାରୀ ପନ୍ଥା, ଯାହା ପାଇଁ ସମସ୍ତେ ଆଶା ବାନ୍ଧି ବସିଛନ୍ତି ?
୨୦୨୨ ମସିହାରେ, ପ୍ରଥମ ଥର ପାଇଁ ଆମେ ରାମଚନ୍ଦ୍ରନ୍ଙ୍କ ସହିତ କଥାବାର୍ତ୍ତା କରିବାର ପ୍ରାୟ ବର୍ଷକ ପରେ, ସେ ଆମେରିକାକୁ ଚାଲିଗଲେ ଏବଂ ଏବେ ସେ ତାଙ୍କ ଝିଅ ସହ ରହୁଛନ୍ତି। ହେଲେ କ୍ଷଣକ ପାଇଁ ବି ସେ ମଲ୍ଲୀଫୁଲ ପ୍ରସଙ୍ଗରୁ ଓହରି ଯାଇନାହାନ୍ତି। ତାଙ୍କୁ ଫୁଲ ଯୋଗାଉଥିବା ଚାଷୀ ଓ ତାଙ୍କ କର୍ମଚାରୀମାନଙ୍କ କହିବା ଅନୁସାରେ ସେ ଫୁଲ ରପ୍ତାନୀକୁ ସୁଗମ କରିବା ଦିଗରେ ବହୁ ପରିଶ୍ରମ କରୁଛନ୍ତି। ଏହା ସହିତ ସେଠାରେ ରହି ବି ସେ ନିଜ ବ୍ୟବସାୟ ଏବଂ ଏଠାକାର ବଜାର ଉପରେ ନଜର ରଖିଛନ୍ତି।
*****
ସ୍ୱାଧୀନ ଭାରତରେ ଅର୍ଥନୈତିକ ନୀତି ପ୍ରଣୟନର ଇତିହାସ ବିଷୟରେ ଜେନେଭା ଗ୍ରାଜୁଏଟ୍ ଇନ୍ଷ୍ଟିଚ୍ୟୁଟ୍ରେ ଡକ୍ଟରେଟ୍ ଉପାଧି ନିମନ୍ତେ ଗବେଷଣା କରୁଥିବା ରଘୁନାଥ ନାଗେଶ୍ୱରମ୍ ବୁଝାଇ ଦିଅନ୍ତି ଯେ, ଶହ ଶହ ବର୍ଷ ଧରି ଗୋଟିଏ ଅନୁଷ୍ଠାନ ଭାବରେ ରହିଆସିଥିବା ବଜାର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଆସୁଛି। ତାହା ହେଲା ବାଣିଜ୍ୟିକ କାରବାରକୁ ସୁଗମ କରିବା। “କିନ୍ତୁ ସମ୍ଭବତଃ ବିଗତ ଶତାବ୍ଦୀରୁ ଏହାକୁ ଏକ ନିଜସ୍ୱ ନିୟନ୍ତ୍ରଣାଧୀନ ଏବଂ ନିରପେକ୍ଷ ଅନୁଷ୍ଠାନ ଭାବରେ ଉପସ୍ଥାପନ କରାଯାଇଆସୁଛି। ବାସ୍ତବରେ ଏହାକୁ ଏକ ଆଧାରଶିଳା ଉପରେ ସ୍ଥାପନ କରାଯାଇଛି।”
“ଦକ୍ଷତାର ସହିତ କାର୍ଯ୍ୟ ତୁଲାଇବା ଭଳି ମନେ ହେଉଥିବା ଏଭଳି ଏକ ଅନୁଷ୍ଠାନକୁ ମୁକ୍ତ ଭାବରେ ପରିଚାଳିତ ହେବା ଲାଗି ଛାଡ଼ି ଦିଆଯିବା ଶ୍ରେୟସ୍କର ବୋଲି ରହିଥିବା ଧାରଣା ସ୍ୱାଭାବିକ ବୋଲି ବିବେଚିତ ହେଲାଣି। ଆଉ ବଜାରରୁ ସମ୍ଭୁତ ଯେ କୌଣସି ପ୍ରକାର ନକାରାତ୍ମକ ଫଳାଫଳ ନିମନ୍ତେ ଅନାବଶ୍ୟକ କିମ୍ବା ଭୁଲ ବାଟରେ ସରକାରୀ ହସ୍ତକ୍ଷେପକୁ ଦାୟୀ କରାଗଲାଣି। ଏଭଳି ଢଙ୍ଗରେ ବଜାରକୁ ଉପସ୍ଥାପନ କରିବା ଐତିହାସିକ ଦୃଷ୍ଟିକୋଣରୁ ତ୍ରୁଟିପୂର୍ଣ୍ଣ।”
“ତଥାକଥିତ ମୁକ୍ତ ବଜାର,” ସଂପର୍କରେ ରଘୁନାଥ ବୁଝାଇ ଦିଅନ୍ତି ଯେ ଏଠାରେ “ଭିନ୍ନ ଭିନ୍ନ ଅଂଶୀଦାରମାନେ ଭିନ୍ନ ଭିନ୍ନ ସ୍ୱାଧୀନତା ଉପଭୋଗ କରନ୍ତି”। ତାଙ୍କ କହିବା ଅନୁସାରେ, ଆପଣ ଯଦି ସାଂପ୍ରତିକ ବଜାରର କାରବାରରେ ସକ୍ରିୟ ଭାବରେ ଅଂଶଗ୍ରହଣ କରନ୍ତି ତାହେଲେ ଏହା ବୁଝିପାରିବେ। ସେ କହନ୍ତି, “ସେଠାରେ ଏକ ତଥାକଥିତ ଅଦୃଶ୍ୟ ହାତ ରହିଛି, ହଁ, ଠିକ୍ କଥା, କିନ୍ତୁ ସେଠାରେ ମଧ୍ୟ ଖୁବ୍ ଭଲ ଭାବରେ ଦୃଶ୍ୟମାନ ଅନେକ ହାତମୁଠା ରହିଛନ୍ତି, ଯେଉଁଗୁଡ଼ିକ ନିଜର ବଜାର ଶକ୍ତି ଜାହିର କରୁଥାଆନ୍ତି। ବ୍ୟବସାୟୀମାନେ ବଜାରର କାର୍ଯ୍ୟପ୍ରଣାଳୀର କେନ୍ଦ୍ରରେ ରହିଛନ୍ତି। କିନ୍ତୁ ଏକଥା ସତ ଯେ ସେମାନେ ଖୁବ୍ ଶକ୍ତିଶାଳୀ ଅଂଶୀଦାର ବୋଲି ଜାଣିବା ଗୁରୁତ୍ୱପୂର୍ଣ୍ଣ, କାରଣ ସେମାନେ ମଧ୍ୟ ଅନେକ ମୂଲ୍ୟବାନ ତଥ୍ୟର ଭଣ୍ଡାରଘର ରୂପେ ପରିଗଣିତ।”
ଏଥିପାଇଁ କେହି ଶୈକ୍ଷିକ ଗବେଷଣା ସମ୍ବନ୍ଧୀୟ ନଥିପତ୍ର ପଢ଼ିବା ଦରକାର ନୁହେଁ। ରଘୁନାଥ କହନ୍ତି, “ପ୍ରଦତ୍ତ ସୂଚନାରେ ନିହିତ ତାରତମ୍ୟକୁ ହୃଦୟଙ୍ଗମ କରିବା ହିଁ ବଡ଼କଥା। ସୂଚନା ପାଇବା କ୍ଷେତ୍ରରେ ବିଦ୍ୟମାନ ଏହି ଅସମାନ ପ୍ରକ୍ରିୟାର ମୂଳରେ ରହିଛି ଜାତି, ଶ୍ରେଣୀ ଓ ଲିଙ୍ଗଗତ କାରଣ ସମୂହ। ବାସ୍ତବ କ୍ଷେତ୍ରରେ ଆମେ କୌଣସି କମ୍ପାନୀ ବା ଫ୍ୟାକ୍ଟରୀର ଉତ୍ପାଦ ସିଧାସଳଖ କିଣିବା ସମୟରେ, କିମ୍ବା ଆମ ସ୍ମାର୍ଟ୍ ଫୋନ୍ରେ କୌଣସି ‘ଆପ୍’ ଡାଉନ୍ଲୋଡ୍ କରିବା ସମୟରେ, କିମ୍ବା ଡାକ୍ତରୀ ସେବା ପାଇବାକୁ ଯିବା ସମୟରେ ହିଁ ଏହା ଜାଣିପାରୁ। ଠିକ୍ କଥା ନା ?” ସେ ପଚାରନ୍ତି।
“ସାମଗ୍ରୀ ଉତ୍ପାଦନକାରୀ ଓ ସେବା ଯୋଗାଣକାରୀ ସଂସ୍ଥାଗୁଡ଼ିକ ବଜାର ଉପରେ ନିଜ ନିଜର ଶକ୍ତି ଜାହିର କରନ୍ତି। କାରଣ ସେମାନେ ହିଁ ସେମାନଙ୍କର ଉତ୍ପାଦର ମୂଲ୍ୟ ନିର୍ଦ୍ଧାରଣ କରିଥାଆନ୍ତି। ଏହା ବି ଠିକ୍ କଥା ଯେ କେତେକ ଉତ୍ପାଦନକାରୀ ସଂସ୍ଥାର ନିଜ ଉତ୍ପାଦର ଦର ଉପରେ ନିୟନ୍ତ୍ରଣ ନଥାଏ। କାରଣ ଏହି ଉତ୍ପାଦଗୁଡ଼ିକ ବର୍ଷା ଏବଂ ବଜାର ଦୃଷ୍ଟିରୁ ସମ୍ବେଦନଶୀଳ ହୋଇଥିବାରୁ ନଷ୍ଟ ହୋଇଯିବାର ଆଶଙ୍କା ରହିଥାଏ। ଆମେ କହୁଛୁ କୃଷିଜାତ ସାମଗ୍ରୀର ଉତ୍ପାଦକ, ଅର୍ଥାତ୍ କୃଷକମାନଙ୍କ କଥା।”
ରଘୁନାଥ କହନ୍ତି, “ଏଠାରେ ବିଭିନ୍ନ ଶ୍ରେଣୀର କୃଷକ ଅଛନ୍ତି। ସୁତରାଂ, ଆମେ ସେମାନଙ୍କ ସଂପର୍କିତ ବିସ୍ତୃତ ତଥ୍ୟ ପ୍ରତି ଧ୍ୟାନ ଦେବା ଆବଶ୍ୟକ। ଏବଂ ଏହା ପ୍ରାସଙ୍ଗିକ ହେବା ଦରକାର। ଏବେ ମଲ୍ଲୀଫୁଲ ସଂପର୍କିତ ଏହି ରିପୋର୍ଟରୁ ଉଦାହରଣଟିଏ ନେବା। ସରକାର ସିଧାସଳଖ ଅତର ପ୍ରସ୍ତୁତିରେ ଜଡ଼ିତ ହେବା ଉଚିତ ହେବ କି ? ନା ସରକାର କେବଳ ବଜାର ସୁବିଧା ସୃଷ୍ଟି କରିବା ଭଳି କାର୍ଯ୍ୟକ୍ରମ ଜରିଆରେ ମୂଲ୍ୟଯୁକ୍ତ ଉତ୍ପାଦ ରପ୍ତାନୀ ନିମନ୍ତେ ଏକ କେନ୍ଦ୍ରସ୍ଥଳୀ ସ୍ଥାପନ କରିବା ସହିତ କ୍ଷୁଦ୍ରଚାଷୀ ଓ ବେପାରୀମାନଙ୍କ ସୁବିଧା ଦିଗରେ ବ୍ୟବସ୍ଥା କରି ଏଥିରେ ହସ୍ତକ୍ଷେପ କରିବା ଉଚିତ ହେବ ?”
*****
ମଲ୍ଲୀ ଏକ ଦାମିକା ଫୁଲ। କାହିଁ କେଉ କାଳରୁ ସୁଗନ୍ଧଯୁକ୍ତ ପଦାର୍ଥ- ଯେମିତି କି ଫୁଲକଢ଼ ଓ ଫୁଲ, କାଠ ଓ ଚେର, ଚେରମୂଳି ଓ ତେଲ ପ୍ରଭୃତି ବ୍ୟାପକ ରୂପେ ବ୍ୟବହୃତ ହୋଇଆସୁଛି। ଭକ୍ତିଭାବ ଉଦ୍ରେକ କରାଇବା ଲାଗି ପୂଜାସ୍ଥଳରେ, ସ୍ୱାଦବୃଦ୍ଧି ନିମନ୍ତେ ରନ୍ଧାଘରେ, ମନ ହାଲୁକା କରିବା ଲାଗି ଶୟନ କକ୍ଷରେ ଏସବୁ ବ୍ୟବହୃତ ହେଉଛି। ଏଭଳି ବାସ୍ନାଯୁକ୍ତ ଅନେକ ପଦାର୍ଥ ମଧ୍ୟରୁ ଚନ୍ଦନ, କର୍ପୂର, ଅଳେଇଚ, କେଶର, ଗୋଲାପ ଏବଂ ମଲ୍ଲୀର ସ୍ଥାନ ସ୍ୱତନ୍ତ୍ର ଏବଂ ଏସବୁର ସୁଗନ୍ଧ ଘରେ ଘରେ ପରିଚିତ। ଯେହେତୁ ଏସବୁ ପଦାର୍ଥ ବହୁଳ ଭାବେ ବ୍ୟବହୃତ ଏବଂ ହାତ ପାଆନ୍ତାରେ ଉପଲବ୍ଧ, ସେଗୁଡ଼ିକ ଅସାଧାରଣ ମନେ ହୁଅନ୍ତି ନାହିଁ। ହେଲେ, ଅତର ଶିଳ୍ପ ଜଗତରେ କଥା କିଛିଟା ଭିନ୍ନ।
ଅତର ଶିଳ୍ପର କାର୍ଯ୍ୟପ୍ରଣାଳୀ ସଂପର୍କରେ ଆମର ଶିକ୍ଷାଲାଭ ଏବେ ଆରମ୍ଭ ହେବାକୁ ଯାଉଛି।
ପ୍ରଥମ ଏବଂ ପ୍ରାଥମିକ ପର୍ଯ୍ୟାୟ ହେଉଛି ‘କଂକ୍ରିଟ୍’, ଯେଉଁଠି ଫୁଲରୁ ସୁଗନ୍ଧ ବାହାର କରିବା ଉଦ୍ଦେଶ୍ୟରେ ଖାଦ୍ୟସାମଗ୍ରୀରେ ବ୍ୟବହୃତ ହେବା ଭଳି ମାନର ଏକ ଦ୍ରବକ ବ୍ୟବହାର କରାଯାଏ। ଏହି ପ୍ରକ୍ରିୟାରେ ନିର୍ଗତ ପଦାର୍ଥଟି ଅର୍ଦ୍ଧ-କଠିନ ବା ବହଳିଆ ଏବଂ ମହମ ଭଳି ଚିକ୍କଣ ହୋଇଥାଏ। ଏହି ମହମକୁ ବାହାର କରିଦେବା ପରେ ଏହା ‘ଆବ୍ସଲ୍ୟୁଟ୍’ ବା ସଂପୂର୍ଣ୍ଣ ତରଳ ଅବସ୍ଥାକୁ ଆସିଯାଏ ଏବଂ ଏହି ତରଳ ପଦାର୍ଥ ଆଲକୋହଲରେ ଦ୍ରବୀଭୂତ ହୋଇଯାଉଥିବାରୁ ଏହା ହିଁ ସର୍ବାଧିକ ବ୍ୟବହୃତ ଉପାଦାନ ରୂପେ ବିବେଚିତ।
ମଲ୍ଲୀଫୁଲର ଗୋଟିଏ କିଲୋ ‘ଆବ୍ସଲ୍ୟୁଟ୍’ ମୋଟାମୋଟି ୩,୨୬,୦୦୦ ଟଙ୍କାରେ ବିକ୍ରି ହୁଏ।
ରାଜା ପାଲାନିସ୍ୱାମୀ ହେଉଛନ୍ତି ଜସ୍ମିନ୍ ସି.ଇ. ପ୍ରାଇଭେଟ୍ ଲିମିଟେଡ୍ (JCEPL) କମ୍ପାନୀର ନିର୍ଦ୍ଦେଶକ। ଏହି କମ୍ପାନୀ ‘ଜସ୍ମିନ୍ ସାମ୍ବାକ୍’ର ‘କଂକ୍ରିଟ୍’ ଏବଂ ‘ଆବ୍ସଲ୍ୟୁଟ୍’ ସମେତ ବିଭିନ୍ନ ଫୁଲରୁ ନିର୍ଗତ ଅତର ଉପାଦାନର ଏକମାତ୍ର ତଥା ବୃହତ୍ତମ ପ୍ରସ୍ତୁତକାରୀ ସଂସ୍ଥା। ଅତର ପ୍ରସ୍ତୁତି ସଂପର୍କରେ ବୁଝାଇବାକୁ ଯାଇ ସେ ଆମକୁ କହନ୍ତି ଯେ, ଗୋଟିଏ କିଲୋ ‘ଜସ୍ମିନ୍ ସାମ୍ବାକ୍ ଆବ୍ସଲ୍ୟୁଟ୍’ ପାଇବା ଲାଗି ଗୋଟିଏ ଟନ୍ ଗୁଣ୍ଡୁ ମଲ୍ଲୀ (ବା ମଦୁରାଇ ମଲ୍ଲୀ) ଆବଶ୍ୟକ ହୁଏ। ଚେନ୍ନାଇର ତାଙ୍କ ଅଫିସ୍ରେ ବସି ସେ ମୋତେ ସାରା ବିଶ୍ୱର ସୁଗନ୍ଧ ଶିଳ୍ପ ସଂପର୍କିତ ଗୂଢ଼ ତଥ୍ୟ ପ୍ରଦାନ କରନ୍ତି।
ସେ କହନ୍ତି, ପ୍ରଥମତଃ “ଆମେ ଅତର ପ୍ରସ୍ତୁତ କରୁନାହିଁ। ଆମେ ଏହାର ପ୍ରାକୃତିକ ଉପାଦାନଗୁଡ଼ିକ ଉତ୍ପାଦନ କରୁ, ଯାହାକି ଅତରକୁ ସୁଗନ୍ଧିତ କରିବାର ବ୍ୟବହୃତ ଅନ୍ୟାନ୍ୟ ଅନେକ ଉପାଦାନ ମଧ୍ୟରୁ ଗୋଟିଏ।”
ଅତର ପ୍ରକ୍ରିୟାକରଣରେ ସେମାନେ ବ୍ୟବହାର କରୁଥିବା ଚାରି ପ୍ରକାର ମଲ୍ଲୀ ମଧ୍ୟରୁ ମୁଖ୍ୟ ଦୁଇଟି ହେଲା: ଜସ୍ମିନ୍ ଗ୍ରାଣ୍ଡିଫ୍ଲୋରମ୍ (Jasmine Grandiflorum) (ଜାଥି ମଲ୍ଲୀ) ଏବଂ ଜସ୍ମିନ୍ ସାମ୍ବାକ୍ (Jasmine Sambac) (ଗୁଣ୍ଡୁ ମଲ୍ଲୀ)। ଆଉ ପ୍ରଥମ ପ୍ରକାର ମଲ୍ଲୀରୁ ପ୍ରସ୍ତୁତ ‘ଆବ୍ସଲ୍ୟୁଟ୍’ କିଣିବା ଲାଗି ବିଭିନ୍ନ କମ୍ପାନୀ ପ୍ରାଥମିକ ଭାବରେ କିଲୋଗ୍ରାମ ପିଛା ୩,୦୦୦ ଆମେରିକୀୟ ଡଲାର ଦେବାକୁ ରାଜି ହୋଇଥାଆନ୍ତି। ସେହିଭଳି ଗୁଣ୍ଡୁ ମଲ୍ଲୀରୁ ପ୍ରସ୍ତୁତ ‘ଆବ୍ସଲ୍ୟୁଟ୍’ କ୍ଷେତ୍ରରେ କିଲୋଗ୍ରାମ ପିଛା ୪,୦୦୦ ଆମେରିକୀୟ ଡଲାର ମୂଲ୍ୟ ନିର୍ଦ୍ଧାରିତ ହୋଇଥାଏ।
ରାଜା ପାଲାନିସ୍ୱାମୀ କହନ୍ତି, “ଅତର ପ୍ରସ୍ତୁତିରେ ବ୍ୟବହୃତ ‘କଂକ୍ରିଟ୍; ଏବଂ ‘ଆବ୍ସଲ୍ୟୁଟ୍’ ଉପାଦାନର ମୂଲ୍ୟ ପୂର୍ଣ୍ଣମାତ୍ରାରେ ଫୁଲର ମୂଲ୍ୟ ଉପରେ ନିର୍ଭର କରେ ଏବଂ ଇତିହାସ କହେ ଯେ ଫୁଲ ମୂଲ୍ୟ କେବଳ ଯାହା ଉପରକୁ ଯିବାରେ ଲାଗିଛି। କେବେ କେମିତି କେଉଁ ଗୋଟିଏ ବର୍ଷରେ ଛୋଟମୋଟ ବ୍ୟତିକ୍ରମ ଥାଇପାରେ, କିନ୍ତୁ ଫୁଲ ମୂଲ୍ୟର ଦୀର୍ଘକାଳୀନ ଧାରାକୁ ଦେଖିଲେ, ଏହା କେବଳ ବଢ଼ିବାରେ ଲାଗିଛି।” ରାଜା ଆହୁରି କହନ୍ତି ଯେ ତାଙ୍କ କମ୍ପାନୀରେ ବର୍ଷକୁ ୧,୦୦୦ରୁ ୧,୨୦୦ ଟନ୍ ମଦୁରାଇ ମଲ୍ଲୀ (ଗୁଣ୍ଡୁ ମଲ୍ଲୀ ନାମରେ ମଧ୍ୟ ପରିଚିତ)ର ପ୍ରକ୍ରିୟାକରଣ କରାଯାଏ। ସାରା ବିଶ୍ୱରେ ବର୍ଷକୁ ପ୍ରାୟ ୩.୫ ଟନ୍ ‘ଜସ୍ମିନ୍ ସାମ୍ବାକ୍ ଆବ୍ସଲ୍ୟୁଟ୍’ର ଚାହିଦା ଥିବା ବେଳେ ଏଥିରୁ ୧ରୁ ୧.୨ ଟନ୍ ତାଙ୍କ କମ୍ପାନୀରେ ପ୍ରସ୍ତୁତ ହୁଏ। ତାମିଲ ନାଡୁରେ ଥିବା ରାଜାଙ୍କର ଦୁଇଟି ବଡ଼ ବଡ଼ କମ୍ପାନୀ ଏବଂ ଅନ୍ୟ କେତେକ ଉତ୍ପାଦକଙ୍କ ସମେତ ଭାରତର ସମଗ୍ର ସୁଗନ୍ଧ ଶିଳ୍ପରେ, “ଦେଶର ମୋଟ ସାମ୍ବାକ୍ ଫୁଲ ଉତ୍ପାଦନର ୫ ପ୍ରତିଶତରୁ କମ୍ ଫୁଲର ଉପଯୋଗ ହୋଇଥାଏ।”
ପ୍ରତିଟି ଚାଷୀ, ପ୍ରତିଟି ଏଜେଣ୍ଟ “ଅତର କାରଖାନା” ଏବଂ କେମିତି ସେମାନଙ୍କ ବ୍ୟବସାୟ ପାଇଁ ଏହା ଗୁରୁତ୍ୱପୂର୍ଣ୍ଣ, ସେକଥା କହୁଥିବା ବେଳେ ଫୁଲ ଉପଯୋଗ ସଂପର୍କିତ ଏହି ହିସାବ ଆଶ୍ଚର୍ଯ୍ୟଜନକ ମନେହୁଏ। ହେଲେ ରାଜା ଅଳ୍ପ ହସି କହନ୍ତି, “ଗୋଟିଏ ଶିଳ୍ପ ହିସାବରେ ଦେଖିଲେ ଆମେ ଖୁବ୍ କମ୍ ଫୁଲ ଉପଯୋଗ କରୁ ସତ, ହେଲେ, ଚାଷୀମାନଙ୍କ ଲାଭକୁ ଆଖିରେ ରଖି ଫୁଲର ଏକ ସର୍ବନିମ୍ମ ଦର ନିର୍ଦ୍ଧାରଣ କରୁଥିବାରୁ ଆମେ ଏ କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁ। ଅବଶ୍ୟ ଏକଥା ସତ ଯେ ଚାଷୀ ଓ ଏଜେଣ୍ଟମାନେ ବର୍ଷ ସାରା ଅଧିକ ଦରରେ ଫୁଲ ବିକିବାକୁ ଚାହିଁବେ। ଆପଣ ଜାଣନ୍ତି – ସୌନ୍ଦର୍ଯ୍ୟ ଓ ସୁଗନ୍ଧ ହେତୁ ଏହା ଏକ ଚମକଦାର ଶିଳ୍ପ। ସେମାନେ ଭାବନ୍ତି ଯେ ଏଥିରେ ଲାଭର ହାର ଖୁବ୍ ଅଧିକ। କିନ୍ତୁ ବାସ୍ତବ କଥା ହେଲା ଏହା ଏକ ପଣ୍ୟ ଦ୍ରବ୍ୟ ବଜାର।”
ଆମ ବାର୍ତ୍ତାଳାପରେ ଅନେକ ସ୍ଥାନର କଥା ପଡ଼ିଥିଲା। ଭାରତରୁ ଫ୍ରାନ୍ସ ଯାଏ, ଏବଂ ମଦୁରାଇର ମଲ୍ଲୀ ବଜାରରୁ ତାଙ୍କ ଗ୍ରାହକଙ୍କ ଯାଏ। ଡାୟୋର, ଗୁଏର୍ଲେନ୍, ଲଶ୍ ଏବଂ ବୁଲଗାରି ଭଳି ବିଶ୍ୱର କେତେକ ନାମୀଦାମୀ ଅତର ବ୍ୟବସାୟ ସଂସ୍ଥା ବି ସେଥିରେ ସାମିଲ ହୋଇଥିଲା। ଏତେ ଦୂରରେ ଥାଇ ମଧ୍ୟ କୌଣସିମତେ ପାରସ୍ପରିକ ସଂପର୍କ ରଖିଥିବା ଦୁଇଟି ଅଲଗା ଅଲଗା ଦୁନିଆ ସଂପର୍କରେ ମୁଁ ଅଳ୍ପ କିଛି ଯାହା ଶିଖିଲି।
ସାରା ବିଶ୍ୱରେ ଅତରର ରାଜଧାନୀ ରୂପେ ପରିଚିତ ଫ୍ରାନ୍ସ। ବିଗତ ପାଞ୍ଚ ଦଶନ୍ଧି ହେଲା ସେମାନେ ଭାରତରୁ ମଲ୍ଲୀଫୁଲ ଅତର ଉପାଦାନ ନେଇଆସୁଛନ୍ତି। ସେମାନେ ‘ଜସ୍ମିନମ୍ ଗ୍ରାଣ୍ଡିଫ୍ଲୋରମ୍’ (Jasminum grandiflorum) ବା ସ୍ଥାନୀୟ ଭାଷାରେ ‘ଜାଥି ମଲ୍ଲୀ’ ଖୋଜି ଖୋଜି ଏଠାକୁ ଆସିଲେ। ରାଜା କହନ୍ତି, “ଏବଂ ଏଠାରେ ସେମାନଙ୍କୁ ସେହି ନିର୍ଦ୍ଦିଷ୍ଟ ପ୍ରକାରର ମଲ୍ଲୀ ସମେତ ଅନ୍ୟାନ୍ୟ ଭିନ୍ନ ଭିନ୍ନ ଫୁଲର ଭଣ୍ଡାର ମିଳିଗଲା।”
୧୯୯୯ ମସିହାରେ ଫ୍ରାନ୍ସର ଡାୟୋର କମ୍ପାନୀ ପକ୍ଷରୁ ଐତିହାସିକ ‘ଜେ’ଆଡୋର’ (J’adore) ଅତର ବିକ୍ରି ଆରମ୍ଭ ହେବା ସହିତ ଏହି ଧାରା ସଂପୂର୍ଣ୍ଣ ବଦଳିଗଲା। ଅତର କମ୍ପାନୀର ୱେବ୍ସାଇଟ୍ରେ ଅତର ନିର୍ମାତାଙ୍କ ମନ୍ତବ୍ୟରେ ଦର୍ଶାଯାଇଛି ଯେ, ଏହି ଅତର, “ ଏଭଳି ଏକ ଫୁଲର ଆବିଷ୍କାର କରେ, ଯାହା ଆଉ ନାହିଁ, ଏକ ଆଦର୍ଶ ଫୁଲ।” ଆଉ ଏହି ଆଦର୍ଶ ଫୁଲ ତାଲିକାରେ ସାମିଲ ହୋଇଛି ଭାରତର ‘ଜସ୍ମିନ୍ ସାମ୍ବାକ୍’-ଏହାର ‘ସତେଜ ଓ ସବୁଜ ପରିପାଟୀରେ’। ରାଜା ବୁଝାଇ ଦିଅନ୍ତି ଯେ, “ଏହା ଏକ ଧାରାରେ ପରିଣତ ହୋଇଛି।” ଏବଂ ସ୍ୱର୍ଣ୍ଣବଳୟ ବେଷ୍ଟିତ ଛୋଟ ଛୋଟ କାଚ ବୋତଲରେ ଭର୍ତ୍ତି ହୋଇ ମଦୁରାଇ ମଲ୍ଲୀ- କିମ୍ବା ଡାୟୋର କମ୍ପାନୀର ଭାଷାରେ “ଓପୁଲେଣ୍ଟ ଜସ୍ମିନ୍ ସାମ୍ବାକ୍”- ଯାଇ ପହଞ୍ଚିଛି ଫ୍ରାନ୍ସରେ ଏବଂ ଆହୁରି ଦୂରରେ।
ହେଲେ ଏହାର ବହୁ ପୂର୍ବରୁ ମଦୁରାଇ ଏବଂ ଆଖପାଖ ଅଞ୍ଚଳର ଫୁଲ ବଜାରରୁ ଏହି ଫୁଲ କିଣାଯାଉଥିଲା। କିନ୍ତୁ ସବୁଦିନ ନୁହେଁ। ବର୍ଷର ଅଧିକାଂଶ ସମୟରେ ଅତର ନିର୍ଗମନରେ ବ୍ୟବହାର ପାଇଁ ‘ଜସ୍ମିନ୍ ସାମ୍ବାକ୍’ର ମୂଲ୍ୟ ବହୁ ଅଧିକ ରହୁଥିଲା।
ରାଜା କହନ୍ତି, “ଏସବୁ ଫୁଲ ବଜାରରେ ଫୁଲର ଚାହିଦା ଓ ଯୋଗାଣକୁ ପ୍ରଭାବିତ କରୁଥିବା ବିଭିନ୍ନ କାରଣ ସଂପର୍କରେ ଆମେ ସ୍ପଷ୍ଟ ଭାବରେ ଜାଣିବା ଦରକାର। ଆମ ପାଖରେ ଜଣେ କ୍ରେତା/ସଂଯୋଜକ ଅଛନ୍ତି, ଯେ କି ବଜାରରେ ରହନ୍ତି ଏବଂ ଫୁଲର ଦରଦାମ ଉପରେ ତୀକ୍ଷ୍ଣ ନଜର ରଖି ତଦାରଖ କରନ୍ତି। ଆମ ପାଖରେ ଫୁଲ କାରବାରକୁ ସୁହାଇଲା ଭଳି ଦର ମଧ୍ୟ ରହିଛି, ଏହି ଦର ନିରୂପିତ ହେବା ପରେ ଆମେ ଅପେକ୍ଷା କରୁ, ଧରି ନିଅନ୍ତୁ କିଲୋ ପିଛା ୧୨୦ ଟଙ୍କା। ଏହି ଦର ନିର୍ଦ୍ଧାରଣରେ ଆମର କୌଣସି ଭୂମିକା ନାହିଁ।” ବଜାର ହିଁ ଏହି ଦର ନିର୍ଦ୍ଧାରଣ କରେ ବୋଲି ସେ କହନ୍ତି।
“ଆମେ କେବଳ ବଜାର ଉପରେ ନଜର ରଖି ଅପେକ୍ଷା କରୁ। ଆଉ ଯେହେତୁ ଆମ କମ୍ପାନୀ ୧୯୯୧ ମସିହାରେ ଆରମ୍ଭ ହୋଇଥିଲା ଏବଂ ଆମ ପାଖରେ ଏତେ ପରିମାଣର ଫୁଲ କିଣିବାରେ ୧୫ ବର୍ଷର ଅଭିଜ୍ଞତା ରହିଛି, ତେଣୁ ଆମେ ନିର୍ଦ୍ଦିଷ୍ଟ ଋତୁରେ ଫୁଲର ଦରକୁ ଅନୁମାନ କରିପାରୁ। ଯେତେବେଳେ ବି ଅଧିକ ପରିମାଣର ଫୁଲ ବଜାରରେ ଆସି ପହଞ୍ଚେ ଆମେ ନିଶ୍ଚିତ ରୂପେ ତାହା କିଣିବାକୁ ଚାହୁଁ ଏବଂ ଆମ କ୍ରୟ ଏବଂ ଉତ୍ପାଦନକୁ ଯେତେ ସମ୍ଭବ ସେତେ ବଢ଼ାଇବାକୁ ଚେଷ୍ଟା କରୁ।
ଦରଦାମ ନିର୍ଦ୍ଧାରଣର ଏହି ଧାରା ଯୋଗୁଁ ହିଁ ସେମାନଙ୍କ ସାମର୍ଥ୍ୟ ବିନିଯୋଗରେ ସମରୂପତା ନଥାଏ। ରାଜା କହନ୍ତି, “ସବୁଦିନ ଆପଣ ଗୋଟିଏ ନିର୍ଦ୍ଦିଷ୍ଟ ମାନର ଫୁଲ ପାଆନ୍ତି ନାହିଁ। ଏଇଟା ଇସ୍ପାତ କାରଖାନା ନୁହେଁ ଯେ ଆପଣ ଲୁହାପଥର ଆଣି ଗଦେଇ ଦେଲେ ଆଉ ଆପଣଙ୍କ ମେସିନ୍ ବର୍ଷ ସାରା ଗୋଟିଏ କାର୍ଯ୍ୟଧାରାରେ ଚାଲିଲା। ଏଠାରେ, ଆମେ କେବଳ ଫୁଲକୁ ଅପେକ୍ଷା କରୁ। ତେଣୁ ଆମ ସାମର୍ଥ୍ୟ ଏମିତି ଭାବରେ ଗଠିତ ହୁଏ, ଯେମିତି କି ଆମେ ଯେଉଁ ଦିନ ଖୁବ୍ ଅଧିକ ପରିମାଣର ଫୁଲ ଯୋଗାଣ ହୁଏ ସେଦିନ ସେସବୁର ପ୍ରକ୍ରିୟାକରଣ କରିପାରିବୁ।”
ବର୍ଷକରେ ଏମିତି ୨୦ରୁ ୨୫ ଦିନ ହୁଏ, ରାଜା କହନ୍ତି। “ସେହି ସବୁ ଦିନରେ ଆମେ ଦିନକରେ ୧୨ରୁ ୧୫ ଟନ୍ ଫୁଲର ପ୍ରକ୍ରିୟାକରଣ କରିଥାଉ। ଅନ୍ୟ ସମୟରେ ଆମେ ଅଳ୍ପ ପରିମାଣର ଫୁଲ ପାଉ, ୧ରୁ ୩ ଟନ୍ ଭିତରେ କିମ୍ବା କିଛି ହେଲେ ପାଇ ନଥାଉ।
ଫୁଲ ଦରକୁ ସ୍ଥିର ରଖିବା ସକାଶେ ସରକାର ଏଠାରେ ଏକ ଅତର କାରଖାନା ସ୍ଥାପନ କରନ୍ତୁ ବୋଲି ଚାଷୀମାନେ କରିଆସୁଥିବା ନିବେଦନ ସଂପର୍କିତ ମୋ ପ୍ରଶ୍ନର ଉତ୍ତରରେ ରାଜା କହିଲେ, “ଏହି ବ୍ୟବସାୟରେ ଚାହିଦାର ଅନିଶ୍ଚିତତା ଏବଂ ଅସ୍ଥିରତା ଲାଗି ରହିଥିବାରୁ ସରକାର ହୁଏତ ଏହି ଫୁଲ ଉପାଦାନ ଭିତ୍ତିକ ବ୍ୟବସାୟ ପ୍ରତି ମନ ବଳାଇବେ ନାହିଁ। ଚାଷୀ ଓ ଏଜେଣ୍ଟମାନଙ୍କ ନଜରରେ ବ୍ୟାବସାୟିକ ସଫଳତା ରହିଥିଲେ ହେଁ ସରକାରଙ୍କ ଲାଗି ଏଥିଲେ ଅନୁରୂପ ସଫଳତା ନଥାଇପାରେ।” ଯୁକ୍ତି ଉପସ୍ଥାପନ କରି ରାଜା କହନ୍ତି, “ସରକାର କାରଖାନା କଲେ ଆଉ ଜଣେ ଅଂଶୀଦାର ଯାହା ହେବେ। ଯଦି ସରକାର ନିଜର ଏକଚାଟିଆ କାରବାର ସ୍ଥାପନ ଲାଗି ଅନ୍ୟ ସମସ୍ତଙ୍କର ଅତର ଉପାଦାନ ଉତ୍ପାଦନ ବନ୍ଦ ନ କରନ୍ତି, ତେବେ ଅନ୍ୟମାନଙ୍କ ଭଳି ସରକାର ବି ସେହି ଚାଷୀମାନଙ୍କ ପାଖରୁ ଫୁଲ କିଣିବେ ଏବଂ ପ୍ରକ୍ରିୟାକରଣ ପରେ ଏହାର ଉପାଦାନକୁ ସେହି କ୍ରେତାମାନଙ୍କୁ ହିଁ ବିକ୍ରି କରିବେ।”
ସର୍ବୋତ୍ତମ ସୁଗନ୍ଧ ପାଇବା ଲାଗି ମଲ୍ଲୀଫୁଲ ଫୁଟିବା ମାତ୍ରେ ହିଁ ଏହାର ପ୍ରକ୍ରିୟାକରଣ କରାଯାଏ। ରାଜା କହନ୍ତି, “ମଲ୍ଲୀଫୁଲ ଫୁଟିବା ସମୟର ବାସ୍ନାକୁ ଧରି ରଖିବା ପାଇଁ ଏକ ନିରନ୍ତର ରାସାୟନିକ ପ୍ରତିକ୍ରିୟା ଦରକାର ହୁଏ, ଅନ୍ୟଥା ସେହି ଏକା ଫୁଲ ପଚିଗଲେ ଦୁର୍ଗନ୍ଧ ହୁଏ।”
ଏହି ପ୍ରକ୍ରିୟାକୁ ଆହୁରି ଭଲ ଭାବରେ ବୁଝିବା ଲାଗି ମଦୁରାଇରେ ଥିବା ତାଙ୍କ ଅତର କାରଖାନାକୁ ଏ ବର୍ଷ ଫେବ୍ରୁଆରୀ ମାସ ଆରମ୍ଭରେ ଯିବାକୁ ରାଜା ମୋତେ ନିମନ୍ତ୍ରଣ କରନ୍ତି।
*****
୨୦୨୩ ମସିହା ଫେବ୍ରୁଆରୀରେ ମାଟ୍ଟୁତାବାଣୀ ବଜାର ଗସ୍ତରୁ ମଦୁରାଇ ସହରରେ ଆମର ଦିନ ଆରମ୍ଭ ହୁଏ। ଏଠାକୁ ଏହା ମୋର ତୃତୀୟ ଗସ୍ତ ଏବଂ ଆଶ୍ଚର୍ଯ୍ୟଜନକ ଭାବେ ସେଦିନ ଗହଳଚହଳ ନ ଥିଲା ଏବଂ ବଜାର ଶାନ୍ତ ରହିଥିଲା। ବଜାରରେ ଖୁବ୍ କମ୍ ମଲ୍ଲୀଫୁଲ ଥିଲା, ହେଲେ ପ୍ରଚୁର ପରିମାଣରେ ଅନ୍ୟାନ୍ୟ ରଙ୍ଗିନ ଫୁଲ ରହିଥିଲା: ଝୁଡ଼ି ଝୁଡ଼ି ଗୋଲାପ, ବସ୍ତା ବସ୍ତା ରଜନୀଗନ୍ଧା ଓ ଗେଣ୍ଡୁଫୁଲ, ଗଦା ଗଦା ଧବନମ୍ (ମିଠା ମରୁଆ)। ଯୋଗାଣ କମ୍ ରହିଥିବା ସତ୍ତ୍ୱେ ମଲ୍ଲୀଫୁଲ ଦର ମାତ୍ର ୧,୦୦୦ ଟଙ୍କା ରହିଥିଲା। କାରଣ, ସେଦିନ କୌଣସି ଶୁଭଦିନ ନଥିଲା, ବେପାରୀମାନେ ଅଭିଯୋଗ କରିବା ଭଳି କହନ୍ତି।
ରାଜାଙ୍କ କମ୍ପାନୀକୁ ଦୁଇଟି ପ୍ରକାରର ମଲ୍ଲୀଫୁଲ- ଗ୍ରାଣ୍ଡିଫ୍ଲୋରମ୍ ଏବଂ ସାମ୍ବାକ୍ - ଯୋଗାଉଥିବା ଚାଷୀମାନଙ୍କୁ ଭେଟିବା ପାଇଁ ଆମେ ମଦୁରାଇ ସହରରୁ ଗାଡ଼ିରେ ଯାଇ ପଡ଼ୋଶୀ ଦିଣ୍ଡିଗୁଲ ଜିଲ୍ଲାର ନୀଲାକୋଟ୍ଟାଇ ତାଲୁକାରେ ପହଞ୍ଚିଲୁ। ଆଉ ଏହିଠାରେ ମୁଁ ସବୁଠାରୁ ଆଶ୍ଚର୍ଯ୍ୟଜନକ କଥାଟିଏ ଶୁଣିଲି।
ଭଲ ମଲ୍ଲୀଫୁଲ ଅମଳର ଗୋପନ ରହସ୍ୟ ବୁଝାଇବାକୁ ଯାଇ ମଲ୍ଲୀଫୁଲ ଚାଷରେ ଦୁଇ ଦଶନ୍ଧିର ଅଭିଜ୍ଞତା ହାସଲ କରିଥିବା ଜଣେ ପ୍ରଗତିଶୀଳ ଚାଷୀ ମାରିଆ ଭେଲାଙ୍କାନ୍ନି ମୋତେ କହନ୍ତି ଯେ, ପୁରୁଣା ଗଛର ପତ୍ରକୁ ଛେଳି ଚରିଦେଲେ ଭଲ ଅମଳ ହୁଏ।
ଏକ ଏକର ଜମିର ଛଅ ଭାଗରୁ ଗୋଟିଏ ଭାଗରେ ଲଗାଯାଇଥିବା ସବୁଜ ମଲ୍ଲୀଗଛ ଆଡ଼କୁ ଆଙ୍ଗୁଠି ଦେଖାଇ ସେ କହନ୍ତି, “ଏହା କେବଳ ମଦୁରାଇ ମଲ୍ଲୀ କ୍ଷେତ୍ରରେ କାମ କରେ।” ସେ ଆହୁରି କହନ୍ତି. “ଏଥିରୁ ଅମଳ ଦୁଇଗୁଣ, ବେଳେବେଳେ ତିନି ଗୁଣ ବି ହୁଏ।” ଏହି ପ୍ରଣାଳୀ ଅବିଶ୍ୱସନୀୟ ଭାବେ ସରଳ ଲାଗେ- ପଲେ ଛେଳିଙ୍କୁ ଆଣି ମଲ୍ଲୀ କ୍ଷେତରେ ଛାଡ଼ି ଦେଲେ ସେମାନେ ଗଛର ସବୁ ପତ୍ର ଚରି ଖାଇଦେବେ। ତା’ପରେ ଦଶ ଦିନ ପାଇଁ କ୍ଷେତକୁ ଶୁଖିଲା ଛାଡ଼ି ଦେବା ପରେ ଏଥିରେ ସାର ଦିଆଯିବା ଦରକାର ଏବଂ ପନ୍ଦର ଦିନ ବେଳକୁ ନୂଆ ଗଜା ବାହାରିଥିବ। ପଚିଶ ଦିନ ପରେ ଆପଣଙ୍କୁ ଖୁବ୍ ଭଲ ଅମଳ ମିଳିବ।
ଆମ ମନରେ ବିଶ୍ୱାସ ଜନ୍ମାଇବା ପାଇଁ ଅଳ୍ପ ହସି ସେ କହନ୍ତି ଯେ ଏ ଅଞ୍ଚଳରେ ଏହା ସାଧାରଣ କଥା। “ଭଲ ଫୁଲ ଫୁଟାଇବା ପାଇଁ ଗଛକୁ ଛେଳି ଚରେଇ ଦେବା ଏଠାକାର ପାରମ୍ପରିକ କୃଷିଜ୍ଞାନ। ଗଛର ଏହି ଅଭିନବ ‘ଉପଚାର’ ବର୍ଷକୁ ତିନି ଥର କରିବାକୁ ପଡ଼େ। ଗ୍ରୀଷ୍ମ ଋତୁରେ ଏ ଅଞ୍ଚଳର ଛେଳିମାନେ ମଲ୍ଲୀ ପତ୍ର ଚରି ଯାଆନ୍ତି। କ୍ଷେତରେ ଏଣେତେଣେ ବୁଲି ପତ୍ର ଚରିବା ବେଳେ ସେମାନେ ଜମିରେ ଖତ ମଧ୍ୟ ଛାଡ଼ିଯାଆନ୍ତି। ଛେଳିଚରାଳିମାନେ କୌଣସି ପାଉଣା ମାଗନ୍ତି ନାହିଁ-ସେମାନଙ୍କୁ କେବଳ ଚା’ ଓ ବଡ଼ାଇ (ବରା) ଖାଇବାକୁ ଦେଉ। କିନ୍ତୁ ଯଦି ରାତିରେ କ୍ଷେତରେ ଛେଳି ରଖିବାକୁ ହୁଏ ତେବେ ସେମାନଙ୍କୁ ପାଉଣା ଦେବାକୁ ପଡ଼େ- ଯେମିତି କି କେଇ ଶହ ଛେଳି ଚରାଇବା ପାଇଁ ୫୦୦ ଟଙ୍କା। କିନ୍ତୁ ଯାହାହେଲେ ବି ମଲ୍ଲୀଫୁଲ ଚାଷୀମାନେ ଲାଭରେ ରହନ୍ତି।”
ଆଗକୁ JCEPLର ଦିଣ୍ଡିଗୁଲ କାରଖାନା ଗସ୍ତ ସମୟରେ ଆମ ପାଇଁ ଆହୁରି ଅଧିକ ଆଶ୍ଚର୍ଯ୍ୟଜନକ ବିଷୟ ଜାଣିବାର ଥିଲା। ଆମକୁ କାରଖାନାର ଶିଳ୍ପ-ପରିସରରେ ଥିବା ପ୍ରକ୍ରିୟାକରଣ ବିଭାଗ ବୁଲି ଦେଖିବାକୁ ନିଆଗଲା। ସେଠାରେ ଅନେକ କ୍ରେନ୍, ପୁଲି ଏବଂ ଡିଷ୍ଟିଲର୍ ଏବଂ କୁଲର ଯନ୍ତ୍ର ପର୍ଯ୍ୟାୟକ୍ରମେ ‘କଂକ୍ରିଟ୍’ ଏବଂ ‘ଆବ୍ସଲ୍ୟୁଟ୍’ ପ୍ରସ୍ତୁତିରେ ନିୟୋଜିତ ହୋଇଥିଲେ। ଆମେ ଯାଇଥିବା ବେଳେ ସେଠାରେ ମଲ୍ଲୀଫୁଲ ନଥିଲା। ଫେବ୍ରୁଆରୀ ପ୍ରଥମ ଭାଗରେ ଖୁବ୍ କମ୍ ଫୁଲ ଫୁଟେ ଏବଂ ଏହା ଅଧିକ ବ୍ୟୟବହୁଳ ହୋଇଥାଏ। ତେଣୁ ଅନ୍ୟାନ୍ୟ ସୁଗନ୍ଧ ନିର୍ଗମନ କରାଯାଉଥିଲା ଏବଂ ଏହି କାମରେ ଲାଗିଥିଲେ ଚକ୍ଚକ୍ କରୁଥିବା ଷ୍ଟିଲ୍ରେ ତିଆରି ଅନେକ ମେସିନ୍। ଏସବୁ ମେସିନ୍ରୁ ଭିନ୍ନ ଭିନ୍ନ ପ୍ରକାର ଶବ୍ଦ ବାହାରୁଥିଲା ଏବଂ ତା ସହିତ ମିଶି ରହିଥିବା ସୁଗନ୍ଧ ଆମ ନାକରେ ବାଜି ଏକ ଐଶ୍ୱରୀୟ ବାତାବରଣର ଅନୁଭବ ପ୍ରଦାନ କରୁଥିଲା। ଶାଣିତ, ଏବଂ ସୁଖପ୍ରଦ।
ହସହସ ମୁହଁରେ ଆମକୁ କେତେକ ‘ଆବ୍ସଲ୍ୟୁଟ୍’ ନମୁନା ଶୁଂଘିବା ପାଇଁ ଦିଅନ୍ତି JCEPLର ଗବେଷଣା ଏବଂ ଉନ୍ନୟନ ପରିଚାଳକ ୫୧ ବର୍ଷୀୟ ଭି.କାଥିରୋଲି। ସେ ଗୋଟିଏ ଲମ୍ବା ଟେବୁଲ ପଛରେ ଠିଆ ହୋଇଥାଆନ୍ତି। ଏହି ଟେବୁଲ ଉପରେ ଫୁଲ ଭର୍ତ୍ତି ବେତ ଝୁଡ଼ି, ଲାମିନେଟ୍ କରାଯାଇଥିବା ସୁଗନ୍ଧ ସଂପର୍କିତ ସୂଚନା ଫର୍ଦ୍ଦ, ଏବଂ ଇଞ୍ଜେକ୍ସନ ଶିଶି ଭଳି ଛୋଟ ଛୋଟ ଶିଶିରେ ରହିଥିବା ‘ଆବ୍ସଲ୍ୟୁଟ୍’ ରହିଥାଏ। ସୁଗନ୍ଧ ପରୀକ୍ଷଣ ପାଇଁ ଥିବା କାଠିଟିକୁ ଏହି ଛୋଟ ଛୋଟ ବୋତଲରେ ବୁଡ଼ାଇ ସେ ଅତି ଆଗ୍ରହରେ ଆମକୁ ଶୁଂଘିବା ପାଇଁ ଦିଅନ୍ତି ଏବଂ ଆମ ମତାମତକୁ ଲେଖି ରଖନ୍ତି।
ସେଠି ଥିଲା ଚମ୍ପାର ବାସ୍ନା, ମିଠା ମିଠା ଓ ମନମତାଣିଆ ଏବଂ ରଜନୀଗନ୍ଧାର ସଶକ୍ତ ଓ ଶାଣିତ ବାସ୍ନା। ତା’ ପରେ ସେ ଦୁଇ ପ୍ରକାରର ଗୋଲାପ ଆଣନ୍ତି- ଗୋଟିଏ ସୂକ୍ଷ୍ମ ଏବଂ ସତେଜ ଏବଂ ଅନ୍ୟଟି ପାଳ କୁଟା ଭଳି ହାଲୁକା ଗନ୍ଧଯୁକ୍ତ। ତା ସହିତ ସେଠାରେ ଗୋଟିଏ କାଗଜ କୋଣରେ ଥିଲା ଗୋଲାପି ଓ ଧଳା ରଙ୍ଗର ପଦ୍ମପୁଲ - ଉଭୟ ମୃଦୁ ଓ ପୁଷ୍ପସମ ବାସ୍ନାଯୁକ୍ତ; ଏବଂ ସେବତୀ, ଯାହାର ବାସ୍ନା ଠିକ୍ ଭାରତୀୟ ବିବାହ ଉତ୍ସବରୁ ନିର୍ଗତ ବାସ୍ନା ଭଳି।
ଆଉ ସେଠାରେ ଥାଏ ବିଭିନ୍ନ ମସଲା ଓ ଚେରମୂଳି, କେତେକ ବିଦେଶାଗତ ଏବଂ ଆଉ କେତେକ ପରିଚିତ- ଗରମ ଗରମ ତଡ଼କାର ଗନ୍ଧଯୁକ୍ତ ମେଥି, ମୋ ଜେଜେମାଆଙ୍କ ରୋଷେଇ ସମୟର ତେଜପତ୍ର। ହେଲେ ସବୁଠୁ ଶୀର୍ଷରେ ଥିଲା ମଲ୍ଲୀଫୁଲ। ଏହାର ବାସ୍ନା ବର୍ଣ୍ଣନା କରିବା ମୋ ପାଇଁ କଷ୍ଟକର ଥିଲା। କାଥିରୋଲି ମୋତେ ସାହାଯ୍ୟ କରନ୍ତି: “ଫୁଲଭଳି, ମିଠାମିଠା, କସ୍ତୁରୀ ସଦୃଶ, ସବୁଜ, ଫଳ ଭଳି, ହାଲୁକା-ଚମଡ଼ା ଭଳି।” କଥା ମଝିରେ ଆଦୌ ନ ଅଟକି ସେ କହନ୍ତି। ଆପଣଙ୍କର ପ୍ରିୟ ସୁଗନ୍ଧ କେଉଁଟା, ମୁଁ ତାଙ୍କୁ ପଚାରେ। ଫୁଲର ନାଁ କହିବେ ବୋଲି ଆଶା କରୁଥାଏ ମୁଁ।
ହସି ହସି ସେ କହନ୍ତି “ଭାନିଲା”। ସେ ଓ ତାଙ୍କ ଟିମ୍ ମିଶି ସୃଷ୍ଟି କରିଛନ୍ତି କମ୍ପାନୀର ସ୍ୱତନ୍ତ୍ର ପରିଚୟ ବହନ କରୁଥିବା ଭାନିଲା ସୁଗନ୍ଧ। ଯଦି ତାଙ୍କୁ କୌଣସି ସ୍ୱତନ୍ତ୍ରତା ପ୍ରତିପାଦିତ କରୁଥିବା ଅତର ତିଆରି କରିବାକୁ ପଡ଼ିଥାଆନ୍ତା, ତେବେ ଏଥିପାଇଁ ସେ ମଦୁରାଇ ମଲ୍ଲୀକୁ ବ୍ୟବହାର କରିଥାଆନ୍ତେ। ଅତର ଓ ପ୍ରସାଧନ ଶିଳ୍ପ ପାଇଁ ଉତ୍ତମ ଗୁଣମାନର ଉପାଦାନ ପ୍ରସ୍ତୁତି କ୍ଷେତ୍ରରେ ସେ ଅଗ୍ରଣୀ ସ୍ଥାନ ହାସଲ କରିବାକୁ ଚାହାଁନ୍ତି।
ମଦୁରାଇ ନଗରୀକୁ ଲାଗି ରହିଥିବା ଫ୍ୟାକ୍ଟରୀଠାରୁ ଅନତି ଦୂରରେ, ସବୁଜିମାରେ, ସବୁଜ କ୍ଷେତରେ, ଚାଷୀମାନେ ସେମାନଙ୍କ ମଲ୍ଲୀଗଛ ଲଗାନ୍ତି। କେଜାଣି କେଉଁଠି ରହିବ ଏହି ଫୁଲ- ସ୍ୱଚ୍ଛ କାଚ ବୋତଲରେ, ପୂଜାସ୍ଥଳରେ, ବିବାହ ଉତ୍ସବରେ ବେତ ଝୁଡ଼ିରେ, ପାଦଚଲା ରାସ୍ତାରେ, ଧଳା ଗୋଲାକୃତି ତାରରେ- ଯେଉଁଠି ବି ରହୁ, ଦିବ୍ୟ ବାସ୍ନାରେ ଭରିଯିବ ପରିବେଶ। ଯାହାକି କେବଳ ମଲ୍ଲୀଫୁଲ ହିଁ କରିପାରିବ।
ଅଜିମ୍ ପ୍ରେମ୍ଜୀ ବିଶ୍ୱବିଦ୍ୟାଳୟର ରିସର୍ଚ୍ଚ ଫଣ୍ଡିଂ ପ୍ରୋଗ୍ରାମ-୨୦୨୦ ଅଧୀନରେ ଏହି ଗବେଷଣାମୂଳକ ଅନୁଶୀଳନକୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି।
ଅନୁବାଦ: ଓଡ଼ିଶାଲାଇଭ୍