ଗତ ଦଶନ୍ଧିରେ ଚୀନକୁ ରପ୍ତାନି କ୍ରମରେ ଦ୍ରବ୍ୟର ବର୍ଦ୍ଧିଷ୍ଣୁ ଚାହିଦା ଦ୍ୱାରା ପ୍ରୋତ୍ସାହିତ ହୋଇ ଉତ୍ତର ଓଡ଼ିଶାର ଲୌହ ଓ ମାଙ୍ଗାନିଜ ଖଣିଜ ସମୃଦ୍ଧ ଜଙ୍ଗଲରେ ଖଣି ପାଇଁ ଅଦ୍ଭୁତପୂର୍ବ ଉପସ୍ଥିତି ଦେଖିବାକୁ ମିଳିଥିଲା। ସର୍ବୋଚ୍ଚ ନ୍ୟାୟାଳୟର ଜଣେ ପୂର୍ବତନ ବିଚାରପତିଙ୍କ ଦ୍ବାରା ଗଠିତ କମିଶନ ବିସ୍ତୃତ ଅଭିଯୋଗରେ ଦର୍ଶାଇଥିଲେ ଯେ ଖଣି ବହୁଳତା ଯୋଗୁ ଏଠାରେ ସମସ୍ତ ନୀତି ଓ ଆଇନର ବ୍ୟାପକ ଉଲ୍ଲଘଂନ କରାଯାଇ ଏ ଅଞ୍ଚଳର ଜୈବ ବିବିଧତାକୁ ନଷ୍ଟ କରାଯାଇଛି ଏବଂ ସାଧାରଣ ରାଜକୋଷ ବିନିମୟରେ ଖଣି ମାଲିକ ଏଠାରୁ ଅପ୍ରତ୍ୟାଶିତ ଲାଭ ଉଠାଇଛନ୍ତି।
ରାଜ୍ୟ ସରକାରଙ୍କ ଦ୍ୱାରା ଜଷ୍ଟିସ ଏମ୍.ବି. ଶାହ କମିଶନ ବିଳମ୍ବରେ ନିଯୁକ୍ତ ହେବାବେଳକୁ ଚଳିତ ଦଶନ୍ଧିରେ ୫୯,୨୦୩ କୋଟି ଟଙ୍କାର ଖଣିପଥର ବେଆଇନ୍ ଭାବେ ଖୋଳାଯାଇସାରିଛି। ଏଠାରେ ଉଲ୍ଲେଖନୀୟ ଯେ ରାଜ୍ୟ ମୋଟ ଘରୋଇ ଉତ୍ପାଦର ଏହା ହେଉଛି ଏକ ଚତୁର୍ଥାଂଶ।
ଆଇନ ଉଲ୍ଲଘଂନ ଏବଂ ଦୁର୍ନୀତିଗ୍ରସ୍ତ ପ୍ରଶାସନ ସହ ପ୍ରାନ୍ତୀୟ ଆଦିବାସୀ ସଂପ୍ରଦାୟ ପ୍ରତି ରାଜ୍ୟର ଚିରାଚରିତ ଅବହେଳା ହିଁ ଏହି ଲୁଟକୁ ପ୍ରୋତ୍ସାହିତ କରିଛି। ଶେଷରେ ସ୍ଥାନୀୟ ଅଧିବାସୀଙ୍କ ସଂଖ୍ୟା, ଖଣି ପ୍ରକଳ୍ପ ପାଇଁ ନିଷ୍ପତି ନେବା ପ୍ରକ୍ରିୟା ଓ ସେଗୁଡ଼ିକର ଗୁରୁତର ପ୍ରଭାବକୁ ଦୃଷ୍ଟି ଆଢୁଆଳରେ ରଖିଦିଆଯାଇଛି।
ଶାହ କମିଶନଙ୍କ ରିପୋର୍ଟ ଫେବୃୟାରୀ ୧୦ରେ ସଂସଦରେ ଉପସ୍ଥାପିତ ହେଲା, କିନ୍ତୁ ଏନେଇ କୌଣସି ଆଲୋଚନା ଦେଖିବାକୁ ମିଳିଲା ନାହିଁ। ପଦକ୍ଷେପ ନିଆଯିବା ପାଇଁ ଦିଆଯାଇଥିବା ଏହି ରିପୋର୍ଟରେ କେନ୍ଦ୍ର ପରିବେଶ ଓ ଜଙ୍ଗଲ ମନ୍ତ୍ରାଳୟ (ଏମଓଇଏଫ୍) ସହ କେନ୍ଦ୍ର ସରକାର କହିଲେ ଯେ ଅନୁମତି ନଥାଇ ଖଣି ସମୃଦ୍ଧ ଜଙ୍ଗଲ ଅଞ୍ଚଳରେ କାର୍ଯ୍ୟ ଭଳି ଅନିୟମିତତାର ଯାଞ୍ଚ ପାଇଁ ପଦକ୍ଷେପ ନିଆଯାଉଛି ।
ରାଜ୍ୟ ସରକାର କମିଶନକୁ ଜଣାଇଥିଲେ ଯେ ବେଆଇନ ଭାବେ ଲୌହ ଓ ମାଙ୍ଗାନିଜ ପଥର ଖୋଳିଥିବା ଖଣି ଲିଜ୍ ହୋଲଡରଙ୍କୁ ୧୪୬ଟି ରିକଭରି ନୋଟିସ ପଠାଯାଇଛି। ରାଜ୍ୟ ଖଣି ନିର୍ଦ୍ଦେଶାଳୟର ଜଣେ ଅଧିକାରୀ ଏଇ ସପ୍ତାହରେ କହିଲେ ଯେ ସେହି ଅର୍ଥରାଶି ଏଯାବତ୍ ଆଦାୟ ହୋଇପାରିନାହିଁ। କେତେକ ଲିଜ୍ ହୋଲଡର ଏହା ଉପରେ ରହିତାଦେଶ ପାଇଁ ଓ ନିର୍ଦ୍ଧାରିତ ଅର୍ଥରାଶି ଆଦାୟ ପ୍ରସଙ୍ଗକୁ ନ୍ୟାୟିକ ବିଚାର ପ୍ରକ୍ରିୟାରେ ବିଳମ୍ବିତ କରାଇବା ଲାଗି ସ୍ଥାନୀୟ ଅଦାଲତର ଦ୍ୱାରସ୍ଥ ମଧ୍ୟ ହୋଇଥିଲେ। ଅପରପକ୍ଷରେ ଅନ୍ୟ ମାମଲାଗୁଡ଼ିକରେ କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟା ଚାଲୁ ରହିଛି।
ଏହା ସହିତ, ବେଆଇନ ଖଣି ଉତ୍ତୋଳନର ଅନେକ ବଡ଼ ଧରଣର ଅନିୟମିତତା ଘଟଣାର ସିବିଆଇ ତଦନ୍ତ ପାଇଁ ଶାହ କମିଶନଙ୍କ ସୁପାରିସକୁ ରାଜ୍ୟ ସରକାର ଦୃଢ଼ ଭାବେ ପ୍ରତିବାଦ କରିଥିଲେ। ଅଣସ୍ୱାର୍ଥ ତଥା ସାଧାରଣ ଲୋକଙ୍କ ସ୍ୱାର୍ଥ ପାଇଁ ସ୍ୱର ଉଠାଉଥିବା ପ୍ରଶାନ୍ତ ଭୂଷଣ ମଧ୍ୟ ଘଟଣାର ସିବିଆଇ ତଦନ୍ତ ଦାବିକରି ଆବେଦନ କରିଥିବା ଏକ ଜନସ୍ୱାର୍ଥ ମାମଲାର ସୁପ୍ରିମକୋର୍ଟରେ ଶୁଣାଣି ଚାଲିଛି ।
ବନ୍ୟଜନ୍ତୁ ସୁରକ୍ଷା ଓ ଅନ୍ୟା ବିରୋଧରେ ସ୍ବର ଉତ୍ତୋଳନ କରୁଥିବା ସାମାଜିକ କର୍ମୀ ବିଶ୍ୱଜିତ ମହାନ୍ତିଙ୍କ କହିବା ଅନୁସାରେ ୨୦୦୮ରୁ ବେଆଇନ ଖଣି ଉତ୍ତୋଳନ ମାମଲାରେ ପ୍ରତିବାଦ ଜଣାଇ ଆସୁଚନ୍ତି। ଏହି ମାମଲାରେ ସ୍ଥାନୀୟ ପ୍ରଶାସନର ପ୍ରଭାବୀ କାର୍ଯ୍ୟାନୁଷ୍ଠାନର ଅଭାବ ଏହି ସତ୍ୟକୁ ସୂଚାଉଛି ଯେ, ହଜାର ହଜାର କୋଟି ଟଙ୍କାର ସାଧାରଣ ସମ୍ପତ୍ତି ଲୁଟ୍ ହୋଇଛି; କିନ୍ତୁ ଏଥିରେ ଜଣେ ବି ସରକାରୀ କର୍ମଚାରୀ କିମ୍ବା ଘରୋଇ ଅଧିକାରୀ ଜେଲକୁ ଯାଇନାହାନ୍ତି କି ଗୋଟିଏ ବି ଖଣିସଂସ୍ଥାର ଲାଇସେନ୍ସ ପ୍ରତ୍ୟାହାର କରାଯାଇନାହିଁ କିମ୍ବା ଏଯାବତ୍ ଟଙ୍କାଟିଏ ମଧ୍ୟ ଜରିମାନା ଆଦାୟ ହୋଇନାହିଁ।
ସୁନ୍ଦରଗଡ଼ ଜିଲ୍ଲା ବଣାଇ ଅଞ୍ଚଳର ଏହି ଚିତ୍ରଗୁଡ଼ିକ ଖଣିଖୋଳା ଭୂଭାଗ ଓ ଖୋଳାଯିବାକୁ ଥିବା ଖଣି ଅଞ୍ଚଳ ଭିତରେ ଥିବା ବୈଷମ୍ୟ ଦର୍ଶାଉଅଛି ।
ଏହି ଲେଖାର ଗୋଟିଏ ବିବରଣ ୨୦୧୪ ମେ’ମାସ ‘ଡାଉନ୍ ଟୁ ଆର୍ଥ’ରେ ପ୍ରଥମେ ପ୍ରକାଶିତ ହୋଇଥିଲା ଏବଂ ଏଠାରେ ପୁଣିଥରେ ତାକୁ ପାଇହେବ ।