ରାଜୁ ଚୌଧୁରୀ ଜଣେ ବହୁରୂପି। ବର୍ତ୍ତମାନ ତାଙ୍କ ବୟସ ୪୦। ସେ ୧୪ ବର୍ଷ ବୟସରୁ ପ୍ରଦର୍ଶନ କରି ଆସୁଛନ୍ତି। ସେ କହନ୍ତି, “ମୁଁ ଦୀର୍ଘ ବର୍ଷ ଧରି ଏହା କରି ଆସୁଛି। ମୋ ପୂର୍ବଜମାନେ ବହୁରୂପି ଥିଲେ, ମୋ ପିଲାମାନେ ମଧ୍ୟ ... ”
ରାଜୁ ବେଡିଆ ସଂପ୍ରଦାୟର। ବେଡିଆ ସଂପ୍ରଦାୟ ହେଉଛି ଏକ ଅନୁସୂଚିତ ଜନଜାତି। ପଶ୍ଚମବଙ୍ଗରେ ବାସ କରୁଥିବା ବିଭିନ୍ନ ଜନଜାତିର ମୋଟ ସଂଖ୍ୟାର ୫.୮ ପ୍ରତିଶତ ହେଉଛନ୍ତି ବେଡ଼ିଆ ସଂପ୍ରଦାୟର (୨୦୧୧ ଜନଗଣନା ଅନୁସାରେ)। ବୀରଭୂମ ଜିଲ୍ଲା ଲବପୁର ବ୍ଳକର ବିଷୟପୁର ଗାଁରେ ତାଙ୍କ ଘର। ଏହି ଗାଁରେ ପ୍ରାୟ ୪୦ଟି ବେଡ଼ିଆ ପରିବାର ବସବାସ କରନ୍ତି।
ଏଠାରେ ଚିତ୍ରିତ ହୋଇଥିବା ଭିଡ଼ିଓରେ ରାଜୁ ତାରା ସୁନ୍ଦରୀ ବେଶ ହୋଇଛନ୍ତି। ତାରା ସୁନ୍ଦରୀ ଏକ କଳ୍ପନିକ ଚରିତ୍ର। ସ୍ଥାନୀୟ ଅଞ୍ଚଳର ଲୋକକଥା ଅନୁସାରେ ତାରା ସୁନ୍ଦରୀ ହେଉଛନ୍ତି ଦେବୀ କାଳୀଙ୍କର ଏକ ରୂପ। ଏହି ଚରିତ୍ର ଭିତରେ ସେ ବୁର୍ଦ୍ୱାନର ରାଜାଙ୍କ କାହାଣୀ ବର୍ଣ୍ଣନା କରନ୍ତି। ଏଥିପାଇଁ ତାଙ୍କର କୌଣସି ପୂର୍ବ ପ୍ରସ୍ତୁତି ନଥାଏ। କିଛି ସାଙ୍ଗୀତିକ ପଦ ଏବଂ କିଛି ମନଗଢା ଶବ୍ଦରେ ସେ କାହାଣୀ କହନ୍ତି । ଏସବୁ ପ୍ରାୟ ବେଙ୍ଗଲୀ ଭାଷାର। ମେ ମାସର ୪୦ ଡିଗ୍ରୀ ସେଲସିୟସ ଖରାରେ ପାଦରେ ଘୁଙ୍ଗୁର ପିନ୍ଧି ନାଚନ୍ତି ଏବଂ ସବୁ ଶକ୍ତି ଖଟାଇ ଖୁବ୍ ଉଚ୍ଚାଙ୍ଗ ସ୍ୱରରେ ଗୀତ ଗଆନ୍ତି। (୨୦୧୭ ଯେତେବେଳେ ଏହି ଫିଲ୍ମଟି ତାଙ୍କ ଗାଁରେ ସୁଟିଂ ହୋଇଥିଲା) ଗୀତ ଆଉ ନୃତ୍ୟରେ ଲୟ ରକ୍ଷା କରିବାକୁ ହାତରେ ବେତ ବାଡ଼ି ଖଣ୍ଡେ ଧରିଥାନ୍ତି।
ପ୍ରତିଦିନ ସକାଳେ ରାଜୁ ନିଜେ ବେଶଭୂଷା ହୁଅନ୍ତି। ଏଥିପାଇଁ ପ୍ରାୟ ୩୦ ମିନିଟ୍ ଲାଗେ। ଆଉ କିଛି ପୋଷାକ (ଚରିତ୍ର ଅନୁସାରେ ବଦଳାଇବାକୁ ପଡ଼େ) ନେଇ ଯାତ୍ରା ଆରମ୍ଭ କରନ୍ତି। ଗୁରୁବାର ଗୁଡ଼ିକୁ ଛାଡି ଅନ୍ୟ ସବୁଦିନ ବିଭିନ୍ନ ଗାଁ ଏବଂ ସହରକୁ ପରିବେଷଣ ପାଇଁ ଯାଆନ୍ତି। ମେଳା ମହୋତ୍ସବ କିମ୍ବା କୌଣସି ଧାର୍ମିକ କାର୍ଯ୍ୟ ଚାଲିଥିବା ସ୍ଥାନରେ ପରିବେଷଣ କରନ୍ତି। ଦୁର୍ଗାପୂଜା, ହୋଲି ଏବଂ ବେଙ୍ଗଲୀ ନବବର୍ଷ ଗୁଡିକରେ ମଧ୍ୟ ପରିବେଷଣ କରନ୍ତି। ସେ ଏବଂ ତାଙ୍କର ପରିବାର ଦିନକୁ ୨୦୦-୪୦୦ ଟଙ୍କା ରୋଜଗାର କରନ୍ତି। କୌଣସି ସ୍ଥାନରେ ବଡ଼ ମେଳା ଲାଗିଥିଲେ ଦିନକୁ ରୋଜଗାର ୧,୦୦୦ ଟଙ୍କା ପର୍ଯ୍ୟନ୍ତ ହୋଇଥାଏ।
ସେମାନେ ପ୍ରାୟ ପଶ୍ଚିମବଙ୍ଗ ଭିତରେ ପରିବେଷଣ କରିଥାନ୍ତି। କିନ୍ତୁ ବେଳେବେଳେ କୌଣସି ଅବସରରେ ରାଜୁ ଆସାମ, ଦିଲ୍ଲୀ ଏବଂ ବିହାର ଯାଆନ୍ତି। ବେଳେବେଳେ ସେ ବସ୍ ଏବଂ ବେଳେବେଳେ ଟ୍ରେନ୍ରେ ଯାତ୍ରା କରନ୍ତି। ଅନେକ ସମୟରେ ସେ ଦିନକୁ ୧୦-୧୨ କିଲୋମିଟର ଚାଲନ୍ତି। ଯେତେବେଳେ କୌଣସି ମେଳାକୁ ଯାଆନ୍ତି, ସାଙ୍ଗରେ ତାଙ୍କ ନଅ ବର୍ଷର ଝିଅ ପଞ୍ଚମୀକୁ ନେଇ ଯାଆନ୍ତି। ପ୍ରତି ପରିବେଷଣ ପ୍ରାୟ ଏକ ଘଣ୍ଟା ଧରି ଚାଲେ। ବେଳେବେଳେ ଏହା ଦୁଇ ଘଣ୍ଟା ବି ହୋଇଥାଏ। ଏହାପରେ ସେମାନେ ଦର୍ଶକଙ୍କୁ କିଛି ଦେବା ପାଇଁ କହନ୍ତି। ଏହା ପରେ ସେ ବେଶ ବଦଳାଇ ଉପରବେଳା କିମ୍ବା ସଂଧ୍ୟାରେ ଘରକୁ ଫେରନ୍ତି।
ପୂର୍ବରୁ ବହୁରୂପିମାନେ ଗାଁଗାଁ ବୁଲି ରାମାୟଣ ଏବଂ ମହାଭାରତର କାହାଣୀ କହନ୍ତି। ପ୍ରତିବଦଳରେ ଚାଷୀଙ୍କଠାରୁ କିଛି ଖାଦ୍ୟଶଶ୍ୟ ଆଣନ୍ତି। ବର୍ତ୍ତମାନ ଗାଁ ଗହଳିରେ ବହୁରୂପିଙ୍କର ଚାହିଦା କମିଗଲାଣି। କାରଣ ଗ୍ରାମାଞ୍ଚଳରେ କୃଷିରୁ ଆୟ କମିଯାଇଥିବାବେଳେ ଅନେକ ଲୋକ ସହରମୁହାଁ ହେଉଛନ୍ତି। ତା ଛଡା ଟେଲିଭିଜନରୁ ମନୋରଞ୍ଜନର ଖୋରାକ ମିଳିଯାଉଛି। ଫଳରେ ବହୁରୂପିମାନେ ରୋଜଗାର ପାଇଁ କୋଲକାତା, ଶାନ୍ତିନିକେତନ, ଦୁର୍ଗାପୁର ଆଦି ସହରକୁ ଯାଉଛନ୍ତି।
ଅତୀତରେ ଏମାନେ ରାମାୟଣ, ମହାଭାରତ ଏବଂ ଅନ୍ୟାନ୍ୟ ପୁରାଣ କଥାବସ୍ତୁ ପରିବେଷଣ କରୁଥିଲେ। ବେଳେବେଳେ ବାଲ୍ୟବିବାହ ଉଛେଦ ଭଳି କେତେକ ସମାଜ ସଂସ୍କାରଧର୍ମୀ ବିଷୟ ପରିବେଷଣ କରନ୍ତି। ବର୍ତ୍ତମାନ ଦର୍ଶକଙ୍କୁ ଆକର୍ଷିତ କରିବାକୁ ବହୁରୂପିମାନେ ବେଙ୍ଗଲୀ ସିନେମା ସଂଗୀତ ଏବଂ ହାସ୍ୟ ପରିବେଷଣ କରୁଛନ୍ତି। ପ୍ରାୟ ଦୁଇ ଦଶନ୍ଧି ତଳେ ରାଜୁ ଚୌଧୁରୀ ମଧ୍ୟ ପୌରାଣିକ କାହାଣୀ, ରାଜରାଜୁଡା କଥା ଏବଂ ଲୋକପ୍ରିୟ ବେଙ୍ଗଲୀ ସିନେମା ସଂଗୀତର ସଂଯୋଜନା କରିଥିଲେ। ଏହାର ପାରମ୍ପରିକ କଳା ଏବଂ ଗମ୍ଭୀରତା ହଜିଗଲାଣି।
ଅନୁବାଦ: ଓଡ଼ିଶାଲାଇଭ୍