ଏଠାକାର ଲୋକେ କହନ୍ତି ଏକଦା ଏହି ଗାଁ ସବୁଜିମାରେ ଭରି ରହିଥିଲା । ଜଣେ ଆଦିବାସୀ ବୃଦ୍ଧ ତଥା କ୍ଷୁଦ୍ର ଚାଷୀ ଆଦ୍ୟା ମୋଟା କହନ୍ତି ‘‘ଆମେ ସର୍ବଦା ପ୍ରକୃତି ସହିତ ବାସ କରିଆସିଛୁ ଏବଂ ଏଥିରୁ ହିଁ ନିଜର ଆବଶ୍ୟକତା ପୂରଣ କରିଆସିଛୁ।’’ ‘‘କିନ୍ତୁ ବଜାରିଆ (ଆଧୁନିକ)ମଣିଷମାନେ ଆସିବା ପରେ ଏଠାକୁ ଆସିବା ପରେ ଜଙ୍ଗଲ ପଦା ହୋଇଗଲା ଏବଂ ଆମେ ବଜାର ଉପରେ ନିର୍ଭରଶୀଳ ହୋଇଗଲୁ।’’
ଆଦ୍ୟା ମୋଟା ହେଉଛନ୍ତି ଏହି ଗାଁର ୬୨ଟି ପରିବାରରେ ରହୁଥିବା ୩୧୨ ଜଣ ଭିଲମାନଙ୍କ ମଧ୍ୟରୁ ଜଣେ । ଗୁଜୁରାଟର ସହର ଗୁଡ଼ିକର ଶିଳ୍ପାୟନ ଜନିତ ଓ ଅନ୍ୟାନ୍ୟ ଆବଶ୍ୟକତା ପାଇଁ ଅନ୍ଧାଧୂନ ଗଛ କଟାଯିବା ଯୋଗୁଁ ସେମାନଙ୍କର ଜଙ୍ଗଲ ସବୁ ପଦା ହୋଇଗଲା ।
ଆଉ ଜଣେ ଆଦିବାସୀ ବୟସ୍କ, ଜଳସିନିଧି ଗାଁର ଭାବା ମାହାରିଆ କହନ୍ତି, ‘‘ଆମେ ସର୍ବଦା ଜଙ୍ଗଲର ସଂରକ୍ଷଣ କରିଆସିଛୁ ଏବଂ କେବଳ ସେତିକି ବ୍ୟବହାର କରିଆସିଛୁ, ଯେତିକି ଆମର ଆବଶ୍ୟକ। ଯେହେତୁ ଜଙ୍ଗଲ ଆମର ଏକମାତ୍ର ପରିସଂସ୍ଥା ଏବଂ ଜୀବନ ଆମେ କେବେ ବି ଜଙ୍ଗଲକୁ ଶୋଷଣ କରିନାହୁଁ ।’’
ଦୀର୍ଘ ବର୍ଷ ଧରି ଭିଲମାନେ ଜଙ୍ଗଲ ଜମିରେ ଚାଷ କରିଆସୁଥିଲେ, କିନ୍ତୁ ୧୯୫୭ ପରେ ସେସବୁ ମଧ୍ୟରୁ ଅଧିକାଂଶ ଜଙ୍ଗଲ ବିଭାଗ ଦ୍ୱାରା ଅଧିକାର କରିନିଆଗଲା, ଯେତେବେଳେ ଏହି ଅଞ୍ଚଳ ‘ସଂରକ୍ଷିତ ଜଙ୍ଗଲ’ ହୋଇଗଲା ।
ଯେତେବେଳେ ଚାଷୀଙ୍କର ଜମିକୁ ସଂରକ୍ଷିତ ଜଙ୍ଗଲ ଘୋଷଣା କରାଯାଏ, ତେବେ ସେମାନଙ୍କ ଜମି ଅଧିକାରର ସମାଧାନ କରିବାକୁ ଭାରତୀୟ ଜଙ୍ଗଲ ଆଇନ (୧୯୨୭) ଅନୁସାରେ ଆଇନଗତ ପ୍ରକ୍ରିୟା ରହିଛି । ତେବେ ଆଦିବାସୀମାନଙ୍କର ଏହି ଆଇନ ବାବଦରେ ଅଜ୍ଞତାର ଲାଭ ଉଠାଇ ଜଙ୍ଗଲ ବିଭାଗ ଜମି ବାବଦରେ ସେମାନଙ୍କୁ ଠକି ଦେଉଛି । ଯାହା ଫଳରେ ଅଧିକାଂଶ ଭିଲ୍ ସେମାନଙ୍କ ପୈତୃକ ଜମିରୁ ଅଧିକାଂଶରେ କୃଷି କାର୍ଯ୍ୟ କରିପାରୁନାହାନ୍ତି ।
୧୯୮୭ରେ, ସେମାନଙ୍କର ଜମି ଅଧିକାର ପାଇଁ ଲଢ଼େଇ କରିବାକୁ ଖେଦୁତ୍ ମଜଦୁର ଚେତନା ସଂଗଠନ ନାମରେ ଏକ ସଂଗଠନ ଗଠନ କଲେ ଏବଂ ପୁଣି ଥରେ ଚାଷ କରିବା ଆରମ୍ଭ କଲେ । ଆଦ୍ୟା ମୋତା ଏଥିରେ ଜଣେ ସଦସ୍ୟ ଅଛନ୍ତି । ଏହି ଲଢ଼େଇ ଦୀର୍ଷ ବର୍ଷ ଧରି ଚାଲିଲା ଏବଂ ଜଙ୍ଗଲ ଅଧିକାର ଆଇନ ୨୦୦୬ ଘୋଷଣା ହେବା ପରେ ଏହାର ସମାପନ ହେଲା । ଏହି ସଂଘର୍ଷର ଫଳସ୍ୱରୂପ ୨୦୦୮ ସୁଦ୍ଧା, ଆଲିରାଜପୁର ଅଞ୍ଚଳର ହଜାର ହଜାର ସଂଖ୍ୟାରେ ଆଦିବାସୀ ପରିବାର ସେମାନଙ୍କ ପୈତୃକ ଜଙ୍ଗଲ ଜମିର ମାଲିକାନା ପାଇଗଲେ ।
ଏହି ଅଞ୍ଚଳରେ ଆଦିବାସୀମାନେ ମୁଖ୍ୟତଃ ଯଅ, ବାଜରା ଓ ମକା ଭଳି ଶସ୍ୟ ଚାଷ କରନ୍ତି । ଏହି ଫସଲ କେବଳ ସେମାନଙ୍କର ବର୍ଷକର ଆବଶ୍ୟକତା ପାଇଁ, ସେମାନେ ଏଥିରୁ କିଛି ବି ବିକ୍ରି କରନ୍ତି ନାହିଁ ।
ଏଠାରେ କେବଳ ଗାଈର ଖତକୁ ବ୍ୟବହାର କରି ଖୁବ୍ ଭଲ ଖରିଫ ଫସଲ ଉତ୍ପାଦିତ ହୁଏ । କିନ୍ତୁ ଜମି ଏତେ କମ୍ ଯେ ମୋଟ ଫସଲ ଗାଁର ସମସ୍ତଙ୍କ ପାଇଁ ପର୍ଯ୍ୟାପ୍ତ ହୁଏ ନାହିଁ ।
ପଶୁଙ୍କର ଦେଖାଶୁଣା କରିବାରେ ପରିବାରର ସମସ୍ତେ ସହଯୋଗ କରନ୍ତି। କିନ୍ତୁ ପଦା ହୋଇଯାଇଥିବା ପାହାଡ଼ଗୁଡ଼ିକରେ ଗୃହପାଳିତ ପଶୁଙ୍କ ପାଇଁ ଅଧିକ ଖାଦ୍ୟ ନ ଥିବାରୁ ଅଧିକ କ୍ଷୀର ଉତ୍ପାଦିତ ହୋଇପାରୁନାହିଁ ।
ଭିଲ୍ମାନେ ଏକାଠି ହୋଇ ଶ୍ରମ କରନ୍ତି-ସେମାନେ ମଜୁରୀରେ ଖର୍ଚ୍ଚ ବଞ୍ଚାଇବା ପାଇଁ ପରସ୍ପରର ଜମିରେ କାମ କରନ୍ତି। ଏହି ପରମ୍ପରାକୁ ‘ଧାସ୍’ କୁହାଯାଏ ।
ଭିଲ୍ ମାନେ ସେମାନଙ୍କର ଅଧିକାଂଶ ଘରୋଇ ଏବଂ କୃଷିଜନିତ ଆବଶ୍ୟକତା ପାଇଁ ଆତ୍ମନିର୍ଭରଶୀଳ ରହନ୍ତି ।
ଏହି ହାଟ ସବୁରେ ଆଦିବାସୀମାନେ ସେମାନେ ଉତ୍ପାଦିତ କରୁଥିବା ଫସଲରୁ ଅଧିକାଂଶ ବିକ୍ରି କରିଦିଅନ୍ତି। ଏଥିରେ ଯଅ, ବାଜରା, ମକା, ଖସା, ବାଦାମ, ପିଆଜ ଏବଂ ଆଳୁ ଆଦି ଥାଏ । ସେମାନେ ନିଜ ଘରୋଇ ଏବଂ କୃଷି କାର୍ଯ୍ୟ ପାଇଁ ଆବଶ୍ୟକ କେତେକ ସାମଗ୍ରୀ ଯେମିତିକି ଲୁଣ, ଚିନି, ରୋଷେଇ ତେଲ, ସାବୁନ, ଲଙ୍ଗଳ ଏବଂ କୁରାଢ଼ୀ ଆଦି ଏଠାରୁ କିଣନ୍ତି ।
ଭାରତର ଅନ୍ୟ ସ୍ଥାନମାନଙ୍କରେ ସାଧାରଣତଃ ଗହମରୁ ତିଆରି ଅଟାରେ ରୋଟି ପ୍ରସ୍ତୁତ ହେଉଥିବାବେଳେ, ମକା ଓ ଯଅ ଏହି ଆଦିବାସୀଙ୍କର ଖାଦ୍ୟର ଏକ ମୁଖ୍ୟ ଅଂଶ । ଏଠାକାର ଲୋକେ ବଜାରରୁ ଅନ୍ୟ ଶସ୍ୟ କିଣିବାରେ ପ୍ରାୟ ସକ୍ଷମ ହୁଅନ୍ତି ନାହିଁ ।
ଅଧିକାଂଶ ଗ୍ରାମବାସୀ ପୂର୍ବଦିନ ବଳି ଯାଇଥିବା ରୁଟିକୁ ଶୁଖିଲା ଲଙ୍କା ଓ ତେଲ ସହ ଖାଆନ୍ତି ।
ତାଡ଼ି ତିଆରି କରିବା ଉଦ୍ଦେଶ୍ୟରେ ରସ ସଂଗ୍ରହ କରିବା ପାଇଁ, ଗ୍ରାମବାସୀ ଗଛର ପୁଷ୍ପବୃନ୍ତରେ ଏକ ମାଠିଆ ଝୁଲାଇ ଦିଅନ୍ତି । ସଂଧ୍ୟାରେ ଏମିତି କରାଯାଏ, ଏବଂ ରାତିରେ ମାଠିଆ ପୁରା ହୋଇଯାଏ । ଭୋରରୁ, ଏହା ଏକ ମିଠା ରସ ଭାବେ ସ୍ୱାଦ ହୁଏ, କିନ୍ତୁ ଖରା ପଡ଼ିଲେ, ତାଡ଼ି ବାସି ହୋଇଯାଏ ଏବଂ ଏକ ନିଶା ପାନୀୟରେ ପରିବର୍ତ୍ତିତ ହୋଇଯାଏ ।
ପାନୀୟ ବିକ୍ରି କରିବା ରୋଜଗାରର ଏକ ପ୍ରମୁଖ ଅଂଶ ପାଲଟିଯାଇଛି । ଭଲ ଋତୁ (ନଭେମ୍ବରରୁ ଫେବ୍ରୁଆରୀ)ରେ ଅଧିକାଂଶ ଦିନ ସେମାନେ ଲିଟର ପିଛା ୩୦ ଟଙ୍କା ମୂଲ୍ୟରେ ୨୦ ଲିଟର ଯାଏଁ ବିକ୍ରି କରି ଦିଅନ୍ତି । ଗଛରୁ ରସ ଝରିବା କମ୍ ହୋଇଗଲେ ଏହି ଆୟ କମି କମି ଯାଏ ଏବଂ ପରେ ଏହା ଶେଷ ହୋଇଯାଏ ।
ଖୋଦାମ୍ବା ଓ ଏଠାକାର ଅନ୍ୟାନ୍ୟ ଅଧିକାଂଶ ଗାଁରେ ମୋବାଇଲ୍ ନେଟୱର୍କ ବିରଳ । ଗୁଜୁରାଟକୁ କାମ ପାଇଁ ଯାଇଥିବା ପରିବାର ସଦସ୍ୟଙ୍କ ସହ ଯୋଗାଯୋଗରେ ରହିବା ପାଇଁ ଫୋନ୍ ଏକ ଅତ୍ୟାବଶ୍ୟକ ଜିନିଷ ।
ଆଲୀରାଜପୁରରେ ଜୀବିକା ପାଇଁ ପର୍ଯ୍ୟାପ୍ତ ବିକଳ୍ପ ନ ଥିବାରୁ ଆଦିବାସୀ ପରିବାରଙ୍କ ମଧ୍ୟରୁ ୮୫ ପ୍ରତିଶତ (ଖେଦୁତ୍ ମଜଦୁର ଚେତନା ସଂଗଠନ ପକ୍ଷରୁ କରାଯାଇଥିବା ସର୍ଭେ ଅନୁସାରେ) ଋତୁକାଳୀନ ଭିତ୍ତିରେ ଗୁଜୁରାଟର ବିଭିନ୍ନ ସହରକୁ ବିସ୍ଥାପିତ ହୁଅନ୍ତି-ଏହା ସେମାନଙ୍କର ଏକଦା ଘଞ୍ଚ ଜଙ୍ଗଲରୁ ଆଧୁନିକ କଂକ୍ରିଟ୍ ଜଙ୍ଗଲକୁ ଏକ ଦୁଃଖଦ ଅବସ୍ଥାନ୍ତର ।
ଏହି ଆଲେଖ୍ୟ ପାଇଁ କେତେକ ଫଟୋ ମଗନ ସିଂ କଲେଶଙ୍କ ଦ୍ୱାରା ନିଆଯାଇଛି , ଯିଏ କି ଖେଦୁତ୍ ମଜଦୁର ଚେତନା ସଂଗଠନର ସଦସ୍ୟ ।
ଅନୁବାଦ: ଓଡ଼ିଶାଲାଇଭ୍