“ବଉଳ ସବୁ ଶୁଖି ଯାଉଛି।”

୨୦୨୩ ମାର୍ଚ୍ଚର ଏକ ତାତିଲା ସକାଳରେ ମାରୁଡୁପୁଡ଼ି ନାଗରାଜୁ ତାଙ୍କର ପୋମୁଲାଭୀମବରମ୍ ଗାଁରେ ଥିବା ତିନି ଏକର ଆମ୍ୱ ବଗିଚା ବୁଲି ଦେଖୁଛନ୍ତି।

ବଡ଼ ବଡ଼ ବାଙ୍ଗନପଲେ, ରସାଳ ଚେରୁକୁରସାଲୁ, ମୁଖ୍ୟତଃ କଞ୍ଚାରେ ଖିଆଯାଉଥିବା ତୋଟପୁରୀ ଏବଂ ସୁଆଦିଆ ପାଣ୍ଡୁରିମାମିଡ଼ି ଭଳି ସ୍ଥାନୀୟ ପ୍ରକାରର ୧୫୦ଟି ଆମ୍ବ ଗଛ ଲାଗିଥିବା ଏହି ବଗିଚାଟି ଅଛି ଆନ୍ଧ୍ରପ୍ରଦେଶର ଆନକାପଲ୍ଲି ଜିଲ୍ଲାରେ।

ତାଙ୍କ ବଗିଚାରେ ଆମ୍ୱ ଗଛଗୁଡ଼ିକ ବାଦାମୀ-ହଳଦିଆ ରଙ୍ଗର ବଉଳରେ ଲଦି ହୋଇଥିଲା। କିନ୍ତୁ ୬୨ ବର୍ଷୀୟ ଚାଷୀଙ୍କ ପାଇଁ ଏହା ସୁଖଦ ଦୃଶ୍ୟ ନ ଥିଲା – ତାଙ୍କ କହିବା ଅନୁଯାୟୀ ବଉଳ ଡେରିରେ ଧରିଛି। “ଆମ୍ୱ ବଉଳ ସଂକ୍ରାନ୍ତି (ଜାନୁଆରୀ ମାସ ମଝିରେ ପଡ଼ୁଥିବା ପର୍ବ) ବେଳକୁ ଧରିବା କଥା, ହେଲେ ସେତେବେଳେ ଆସିଲା ନାହିଁ। ଫେବ୍ରୁଆରୀରେ ହିଁ ବଉଳ ଧରିଲା,” କହନ୍ତି ନାଗରାଜୁ।

ମାର୍ଚ୍ଚବେଳକୁ ଫଳ ଲେମ୍ୱୁ ଆକାରର ହେବା କଥା। “ବଉଳ ନ ହେଲେ ଆମ୍ୱ କୁଆଡ଼ୁ ଆସିବ। ଏବର୍ଷ ବି ମୁଁ କିଛି ହେଲେ ପଇସା ପାଇବି ନାହିଁ। ”

Marudupudi Nagaraju (left) is a mango farmer in Pomula Bheemavaram village of Anakapalli district . He says that the unripe fruits are dropping (right) due to lack of proper irrigation
PHOTO • Amrutha Kosuru
Marudupudi Nagaraju (left) is a mango farmer in Pomula Bheemavaram village of Anakapalli district . He says that the unripe fruits are dropping (right) due to lack of proper irrigation
PHOTO • Amrutha Kosuru

ମାରୁଡୁପୁଡ଼ି ନାଗରାଜୁ(ବାମ) ଆନକାପଲ୍ଲି ଜିଲ୍ଲାର ପୋମୁଲାଭୀମବରମ୍ ଗାଁର ଜଣେ ଆମ୍ୱ ଚାଷୀ। ସଠିକ୍ ଜଳସେଚନ ଅଭାବରୁ କଞ୍ଚା ଫଳ ସବୁ ଝଡ଼ି ପଡ଼ୁଛି (ଡାହାଣ)

ନାଗରାଜୁଙ୍କ ଚିନ୍ତାର କାରଣ ସ୍ପଷ୍ଟ। ସେ ଜଣେ ଦିନ ମଜୁରିଆ, ଏବଂ ବହୁ କଷ୍ଟରେ ତାଙ୍କୁ ଆମ୍ୱ ବଗିଚା ମିଳିଛି। ମଡ଼ିଗା ସମୁଦାୟର ଜଣେ ସଦସ୍ୟ (ଆନ୍ଧ୍ରପ୍ରଦେଶରେ ଅନୁସୂଚିତ ଜାତି ଭାବରେ ତାଲିକାଭୁକ୍ତ) ଭାବରେ ୨୫ ବର୍ଷ ତଳେ ରାଜ୍ୟ ସରକାରଙ୍କ ତରଫରୁ ଏହି ଜମି ତାଙ୍କୁ ମିଳିଥିଲା। ଆନ୍ଧ୍ରପ୍ରଦେଶ ଭୂସଂସ୍କାର (ଚାଷଜମି ମାଲିକାନାର ସର୍ବାଧିକ ସୀମା ନିର୍ଦ୍ଧାରଣ) ଆଇନ, ୧୯୭୩ ଅଧୀନରେ ଭୂମିହୀନମାନଙ୍କୁ ଜମି ପୁନଃବଣ୍ଟନ କରିବା ପାଇଁ ଏହା କରାଯାଇଥିଲା।

ଜୁନ୍ ମାସରେ ଆମ୍ବ ଋତୁ ଶେଷ ହେଲେ ସେ ଆଖପାଖ ଗାଁରେ ଆଖୁ କ୍ଷେତରେ କାମ କରିବାକୁ ଫେରିଯାନ୍ତି। କାମ ମିଳିବା ଦିନ ସେ ୩୫୦ ଟଙ୍କା ରୋଜଗାର କରନ୍ତି। ସେ ବର୍ଷକୁ ୭୦-୭୫ ଦିନ ହ୍ରଦ ଖୋଳିବା, କମ୍ପୋଷ୍ଟ ପକାଇବା ଏବଂ ଅନ୍ୟାନ୍ୟ କାମ ଭଳି ମନରେଗା କାମ ମଧ୍ୟ କରନ୍ତି। ଏହି ସବୁ କାମ କରି ସେ ଦିନକୁ ୨୩୦ ରୁ ୨୫୦ ଟଙ୍କା ପାଆନ୍ତି।

ନାଗରାଜୁ ପ୍ରଥମେ ଜମି ମାଲିକ ହେବା ପରେ ସେ ହଳଦୀ ଚାଷ କଲେ। କିନ୍ତୁ ପ୍ରାୟ ପାଞ୍ଚ ବର୍ଷ ଭିତରେ ଭଲ ଦି ପଇସା ଲାଭ ଆଶାରେ ସେ ଆମ୍ୱ ଚାଷ ଆରମ୍ଭ କଲେ। “ମୁଁ ଯେତେବେଳେ ଆରମ୍ଭ କରିଥିଲି (୨୦ ବର୍ଷ ତଳେ) ଗୋଟିଏ ଗଛରୁ ମୁଁ ୫୦-୭୫ କେଜି ଆମ୍ୱ ପାଉଥିଲି,” ପ୍ରଚୁର ଅମଳ ହେଉଥିବା ସମୟ କଥା ମନେ ପକାଇ ସେ କହନ୍ତି। “ମୋତେ ଆମ୍ୱ ବହୁତ ଭଲ ଲାଗେ, ବିଶେଷ କରି ତୋଟାପୁରୀ।”

ଆନ୍ଧ୍ରପ୍ରଦେଶ ଦେଶର ଦ୍ୱିତୀୟ ସର୍ବାଧିକ ଆମ୍ୱ ଉତ୍ପାଦନକାରୀ ରାଜ୍ୟ। ରାଜ୍ୟ ଉଦ୍ୟାନକୃଷି ବିଭାଗର ତଥ୍ୟ ଅନୁଯାୟୀ ରାଜ୍ୟର ପ୍ରାୟ ୩.୭୮ ଲକ୍ଷ ହେକ୍ଟର ଜାଗାରେ ଏହି ଫଳ ଚାଷ ହୋଇଥାଏ ଏବଂ ୨୦୨୦-୨୧ରେ ବାର୍ଷିକ ଉତ୍ପାଦନ ଥିଲା ୪୯.୨୬ ଲକ୍ଷ ମେଟ୍ରିକ୍ ଟନ୍।

ପୋମୁଲାଭୀମବରମ୍ ଗାଁ କୃଷ୍ଣା ଏବଂ ଗୋଦାବରୀ ନଦୀ ବଙ୍ଗୋପ ସାଗରରେ ମିଶିବା ସ୍ଥାନଠାରୁ ଅନତି ଦୂରରେ ଅବସ୍ଥିତ। ଏହି ଅଞ୍ଚଳରେ କୃଷି ଲୋକମାନଙ୍କର ପ୍ରମୁଖ ଜୀବିକା। ସମସ୍ତ କୃଷି ସମ୍ବନ୍ଧୀୟ କାର୍ଯ୍ୟକଳାପ ତାପମାତ୍ରା ସ୍ୱାଭାବିକ ରହିବା ଉପରେ ନିର୍ଭର କରେ। ଆମ୍ୱ ବଉଳ ଅକ୍ଟୋବର-ନଭେମ୍ୱର ମାସରେ ଥଣ୍ଡା ଏବଂ ଆର୍ଦ୍ରତା ଦରକାର କରେ ଏବଂ ଡିସେମ୍ବର-ଜାନୁଆରୀ ମାସ ଆଡ଼କୁ ଆମ୍ୱ ଗଛରେ ଫଳ ଧରିବା ଆରମ୍ଭ ହୁଏ।

କିନ୍ତୁ, “ଗତ ପାଞ୍ଚ ବର୍ଷରେ ଅକ୍ଟୋବର ଏବଂ ନଭେମ୍ୱର ମାସରେ ଅଦିନିଆ ବର୍ଷାର ପରିମାଣ ବଢ଼ିଛି,” ବେଙ୍ଗାଲୁରୁସ୍ଥିତ ଭାରତୀୟ ଉଦ୍ୟାନକୃଷି ଗବେଷଣା ଅନୁଷ୍ଠାନ (ଆଇଆଇଏଚଆର୍)ରେ କାର୍ଯ୍ୟରତ ପ୍ରମୁଖ ଉଦ୍ଭିଦ ବିଜ୍ଞାନୀ ଡକ୍ଟର ଏମ୍. ଶଙ୍କରନ୍ କହନ୍ତି।

The mango flowers in Nagaraju's farm (right) bloomed late this year. Many shrivelled up (left) because of lack of water and unseasonal heat
PHOTO • Amrutha Kosuru
The mango flowers in Nagaraju's farm (right) bloomed late this year. Many shrivelled up (left) because of lack of water and unseasonal heat
PHOTO • Amrutha Kosuru

ଏ ବର୍ଷ ନାଗରାଜୁଙ୍କ ବଗିଚାରେ(ଡାହାଣ) ଡେରିରେ ଆମ୍ୱ ବଉଳ ଧରିଲା। ପାଣିର ଅଭାବ ଏବଂ ଅଦିନିଆ ତାତି ଯୋଗୁଁ ବହୁ ପରିମାଣରେ ବଉଳ ସୁକୁଟି ଛୋଟ ହୋଇଯାଇଛି

ଆମ୍ୱ ଚାଷୀ କହନ୍ତି ଯେ ସେ ଦେଖୁଛନ୍ତି ଯେ ଅଦିନିଆ ତାତି ଯୋଗୁଁ ବଉଳ ସୁକୁଟି ଯାଉଛି। ତେଣୁ ଅମଳ ଆଖିଦୃଶିଆ ଭାବରେ କମି ଚାଲିଛି। “ବେଳେବେଳେ ଗୋଟିଏ ଗଛରୁ ଗୋଟିଏ ପେଟି (୧୨୦-୧୫୦ଟି ଆମ୍ୱ) ବି ଆଦାୟ ହେଉନି। ତା’ପରେ ଖରାଦିନେ କାଳବୈଶାଖୀ ଯୋଗୁଁ ପୂରା ପାଚି ଆସୁଥିବା ଆମ୍ୱ ସବୁ ଝଡ଼ି ନଷ୍ଟ ମଧ୍ୟ ହୋଇଯାଉଛି।”

ସାର, କୀଟନାଶକ ଏବଂ ମଜୁରି ବାବଦ ଖର୍ଚ୍ଚ ଭରଣା ପାଇଁ ନାଗରାଜୁ ଗତ କିଛି ବର୍ଷ ହେଲା ଲକ୍ଷେ ଟଙ୍କାର ଋଣ କରି ଆସୁଛନ୍ତି। ସେ ଏହି ଟଙ୍କା ସାହୁକାରଙ୍କଠାରୁ ବାର୍ଷିକ ୩୨ ଟଙ୍କା ସୁଧ ହାରରେ ଧାର ଆଣୁଛନ୍ତି। ତାଙ୍କର ବାର୍ଷିକ ରୋଜଗାର ପ୍ରାୟ ୭୦.୦୦୦ ରୁ ୮୦,୦୦୦ ଟଙ୍କା। ଜୁନ୍ ମାସରେ ନିଜ ରୋଜଗାରରୁ କିଛି ଦେଇ ସେ ସାହୁକାରର ଟଙ୍କା ପରିଶୋଧ କରନ୍ତି। କିନ୍ତୁ ଅମଳ କମ୍ ହୋଇ ଚାଲିବା ଯୋଗୁଁ ସେ ଆଉ ଋଣ ସୁଝିପାରିବେ ନାହିଁ ବୋଲି ଚିନ୍ତାରେ ପଡ଼ିଯାଇଛନ୍ତି। ତଥାପି ସେ ତରତରିଆ ଭାବରେ ଆମ୍ୱଚାଷ ଛାଡ଼ିବାକୁ ଚାହୁଁ ନାହାଁନ୍ତି।

*****

ତାଙ୍କ ପଡ଼ୋଶୀ, କାଣ୍ଟାମାରେଡ୍ଡୀ ଶ୍ରୀରାମମୂର୍ତ୍ତି ହାତରେ ଫିକା ହଳଦିଆ ରଙ୍ଗର ବଉଳ ହାତରେ ଧରି ହଲାଇଲାବେଳେ ପ୍ରାୟତଃ ଶୁଖି ଯାଇଥିବା ବଉଳ ସାଙ୍ଗେ ସାଙ୍ଗେ ଭାଙ୍ଗି ଗୁଣ୍ଡ ହୋଇଗଲା।

ସେହି ଗାଁରେ ତାଙ୍କର ବି ୧.୫ ଏକରର ଆମ୍ୱ ବଗିଚା ଅଛି। ସେଥିରେ ବାଙ୍ଗନପଲେ, ଚେରୁକୁରସାଲୁ ଏବଂ ସୁବର୍ଣ୍ଣରେଖା ଭଳି ପ୍ରକାରର ୭୫ଟି ଆମ୍ୱ ଗଛ ଅଛି। ସେ ମଧ୍ୟ ନାଗରାଜୁଙ୍କ ସହିତ ସହମତ ଯେ ଆମ୍ୱ ବଉଳ ବର୍ଷକୁ ବର୍ଷ କମ୍ ପରିମାଣରେ ଆସୁଛି। “ଗତ ପାଞ୍ଚ ବର୍ଷ ହେଲା ଅକ୍ଟୋବର-ନଭେମ୍ୱର ମାସରେ ବାରମ୍ବାର ଅଦିନିଆ ବର୍ଷା ହେବା ଯୋଗୁଁ ଏହା ହେଉଛି,” କୁହନ୍ତି ତୁରୁପୁକାପୁ ସମୁଦାୟ (ଆନ୍ଧ୍ରପ୍ରଦେଶରେ ଅନ୍ୟାନ୍ୟ ପଛୁଆ ବର୍ଗ ଭାବରେ ତାଲିକାଭୁକ୍ତ)ର ଏହି ଚାଷୀ ଜଣକ। ସେ ପ୍ରତିବର୍ଷ ଜୁଲାଇରୁ ସେପ୍ଟେମ୍ୱର ମାସ ଭିତରେ ଜଣେ ସମ୍ପର୍କୀୟଙ୍କର ଆଖୁ ଜମିରେ କାମ କରନ୍ତି। ସେଠାରେ କାମ କରିବା ସମୟରେ ସେ ମାସକୁ ୧୦,୦୦୦ ଟଙ୍କା ରୋଜଗାର କରନ୍ତି।

ଚଳିତ ବର୍ଷ ମାର୍ଚ୍ଚ (୨୦୨୩) ମାସରେ, ଶ୍ରୀରାମମୂର୍ତ୍ତିଙ୍କ ବଗିଚାରେ ଆମ୍ୱ ବଉଳ ଏବଂ ଫଳ ଝଡ଼ବର୍ଷାରେ ନଷ୍ଟ ହୋଇଯାଇଛି। “ଖରାଦିନିଆ ବର୍ଷା ଆମ୍ୱ ଗଛ ପାଇଁ ଭଲ। କିନ୍ତୁ ଏବର୍ଷ କାଳବୈଶାଖୀ ଟିକେ ଅଧିକ ବର୍ଷା ହେଲା,” କହନ୍ତି ଶ୍ରୀରାମମୂର୍ତ୍ତି।

Kantamareddy Sriramamurthy (left) started mango farming in 2014. The mango flowers in his farm (right) are also drying up
PHOTO • Amrutha Kosuru
Kantamareddy Sriramamurthy (left) started mango farming in 2014. The mango flowers in his farm (right) are also drying up
PHOTO • Amrutha Kosuru

କାଣ୍ଟାମାରେଡ୍ଡୀ ଶ୍ରୀରାମମୂର୍ତ୍ତି(ବାମ) ୨୦୧୪ରେ ଆମ୍ୱ ଚାଷ ଆରମ୍ଭ କଲେ। ତାଙ୍କ ବଗିଚାରେ (ଡାହାଣ) ବି ବଉଳ ପ୍ରାୟତଃ ଶୁଖି ଯାଇଛି

ଉଦ୍ୟାନକୃଷି ବିଜ୍ଞାନୀ ଶଙ୍କରନ୍ କହନ୍ତି ଯେ ଆମ୍ୱ ବଉଳ ଫୁଟିବା ପାଇଁ ସଠିକ୍ ତାପମାତ୍ରା ହେଉଛି ୨୫-୩୦ଡିଗ୍ରୀ ସେଲସିୟସ୍। “ଫେବୃଆରୀ ୨୦୨୩ରେ ଦିନ ଆଉ ରାତିର ତାପମାତ୍ରା ଭିତରେ ଅଧିକ ପାର୍ଥକ୍ୟ ଥିଲା। ଗଛ ଏହାକୁ ସହ୍ୟ କରିପାରିବ ନାହିଁ।”

ଆମ୍ୱ ଚାଷ ପାଇଁ ପାଣିପାଗ କମ୍ ଅନୁକୂଳ ହେବା ଯୋଗୁଁ ଶ୍ରୀରାମମୂର୍ତ୍ତି ୨୦୧୪ରେ ଯେଉଁ ନିଷ୍ପତ୍ତି ନେଇଥିଲେ, ସେଥିପାଇଁ ସେ ଅନୁତାପ କରୁଛନ୍ତି। ଆନକାପଲ୍ଲି ସହର ନିକଟରେ ୦.୯ ଏକର ଜମି ବିକ୍ରି କରି ସେ ଛଅ ଲକ୍ଷ ଟଙ୍କା ପାଇଥିଲେ। ସେହି ଟଙ୍କାକୁ ସେ ପୋମୁଲାଭୀମବରମ୍ ଗାଁରେ ଆମ୍ୱ ଚାଷରେ ଲଗାଇଲେ।

କାହିଁକି ଏପରି କଲେ ପଚାରିବାରୁ ତାର ଉତ୍ତରରେ ସେ କହନ୍ତି, “ସମସ୍ତେ ଆମ୍ୱ ଖାଇବାକୁ ଭଲ ପାଆନ୍ତି ଏବଂ ଆମ୍ୱର ଚାହିଦା ବି ଅଛି। ମୁଁ ଭାବିଥିଲି ଆମ୍ୱ ଚାଷ କରି ମୁଁ ବେଶ୍ ଲାଭ ପାଇବି।”

ହେଲେ ସେଦିନଠୁ ମୋର ସେମିତି କିଛି ଲାଭ ହୋଇନି। “୨୦୧୪ ଏବଂ ୨୦୨୨ ଭିତରେ ଆଠବର୍ଷରେ ମୋର ଆମ୍ୱଚାଷରୁ ମୋଟ ଆୟ ଛଅ ଲକ୍ଷ ଟଙ୍କାରୁ ଅଧିକ ହୋଇ ନାହିଁ।” ନିଜ ନିଷ୍ପତ୍ତି ଉପରେ ଅନୁତାପ କରି ସେ କହନ୍ତି, “ମୁଁ ଯେଉଁ ଜମି ବିକିଲି ତାର ମୂଲ୍ୟ ଏବେ ଆକାଶଛୁଆଁ। ମୁଁ ଆମ୍ୱ ଚାଷ ନ କରିଥିଲେ ବୋଧ ହୁଏ ଭଲ ହୋଇଥାନ୍ତା।”

କେବଳ ପାଣିପାଗ ନୁହେଁ। ଆମ୍ୱଚାଷ ଜଳସେଚନ ଉପରେ ମଧ୍ୟ ନିର୍ଭର କରେ ଏବଂ ନାଗରାଜୁ କି ଶ୍ରୀରାମମୂର୍ତ୍ତି କାହାର ବି ବଗିଚାରେ ନଳକୂଅ ନାହିଁ। ୨୦୧୮ରେ ଶ୍ରୀରାମମୂର୍ତ୍ତି ନଅକୂଅ ଖୋଳିବାରେ ୨.୫ ଲକ୍ଷ ଟଙ୍କା ଖର୍ଚ୍ଚ କଲେ। କିନ୍ତୁ ସେଥିରୁ ବୁନ୍ଦାଏ ହେଲେ ପାଣି ମିଳିଲା ନାହିଁ। ନାଗରାଜୁ ଏବଂ ଶ୍ରୀରାମମୂର୍ତ୍ତିଙ୍କ ବଗିଚା ଯେଉଁ ବୁଚାୟାପେଟା ମଣ୍ଡଳରେ ଅଛି ତାହା ପୋମୁଲାଭୀମବରମ୍ ଗାଁର ଅନ୍ତର୍ଗତ। ସେହିଁ ଅ଼ଞ୍ଚଳରେ କେବଳ ୩୫ଟି ନଳକୂଅ ଏବଂ ୩୦ଟି ଖୋଲା କୂଅ ଅଛି।

ଶ୍ରୀରାମମୂର୍ତ୍ତି କହନ୍ତି ଯେ ବଉଳ ଶୁଖିଯାଉଥିବା ସମସ୍ୟା ଲଗାତାର ଗଛକୁ ପାଣି ଯୋଗାଇଲେ ସମାଧାନ ହୋଇପାରିବ। ସେ ସପ୍ତାହରେ ଦୁଇ ଟ୍ୟାଙ୍କ ପାଣି କିଣନ୍ତି ଏବଂ ମାସକୁ ୧୦,୦୦୦ ଟଙ୍କା ଖର୍ଚ୍ଚ କରନ୍ତି। “ପ୍ରତ୍ୟେକ ଗଛ ପ୍ରତିଦିନ ଅତି କମ୍‌ରେ ଗୋଟିଏ ଲିଟର ପାଣି ଦରକାର କରେ। ହେଲେ ମୁଁ ସପ୍ତାହରେ ମାତ୍ର ଦୁଇ ଥର ହିଁ ପାଣି ଦେଇ ପାରୁଛି; ମୁଁ ସେତିକି ହିଁ ଖର୍ଚ୍ଚ କରିପାରିବି,” କହନ୍ତି ଶ୍ରୀରାମମୂର୍ତ୍ତି।

ନାଗରାଜୁ ତାଙ୍କ ଆମ୍ୱ ଗଛରେ ପାଣି ଦେବା ପାଇଁ ସପ୍ତାହରେ ଦୁଇ ଟ୍ୟାଙ୍କ ପାଣି କିଣନ୍ତି। ତାଙ୍କୁ ଟ୍ୟାଙ୍କ ପିଛା ୮,୦୦୦ ଟଙ୍କା ଦେବାକୁ ପଡ଼େ।

Left: Mango trees from Vallivireddy Raju's farm, planted only in 2021, are only slightly taller than him. Right: A lemon-sized mango that fell down due to delayed flowering
PHOTO • Amrutha Kosuru
Left: Mango trees from Vallivireddy Raju's farm, planted only in 2021, are only slightly taller than him. Right: A lemon-sized mango that fell down due to delayed flowering
PHOTO • Amrutha Kosuru

ବାମ: ବଲ୍ଲିଭିରେଡ୍ଡୀ ରାଜୁଙ୍କ ବଗିଚାରେ ଆମ୍ୱ ଗଛ ୨୦୨୧ରେ ହିଁ ଲଗାଯାଇଛି। ଗଛଗୁଡ଼ିକ ତାଙ୍କଠାରୁ ଟିକେ ଅଧିକ ଡେଙ୍ଗା ହେଇଛନ୍ତି। ଡାହାଣ: ଡେରିରେ ବଉଳ ଆସିବା ଯୋଗୁଁ ଗୋଟିଏ ଲେମ୍ୱୁ ଆକାରର ଆମ୍ୱ ଝଡ଼ି ପଡ଼ିଛି

Left: With no borewells on his farm, Nagaraju gets water from tanks which he stores in blue drums across his farms. Right: Raju's farm doesn't have a borewell either. He spends Rs. 20000 in a year for irrigation to care for his young trees
PHOTO • Amrutha Kosuru
Raju's farm doesn't have a borewell either. He spends Rs. 20000 in a year for irrigation to care for his young trees
PHOTO • Amrutha Kosuru

ବାମ: ତାଙ୍କ ବଗିଚାରେ ନଳକୂଅ ନ ଥିବାରୁ ନାଗରାଜୁ ଟ୍ୟାଙ୍କରେ ପାଣି ଆଣି ତାକୁ ସାରା ବଗିଚାର ବିଭିନ୍ନ ସ୍ଥାନରେ ରଖାଯାଇଥିବା ନୀଳ ରଙ୍ଗର ଡ୍ରମରେ ଗଚ୍ଛିତ କରି ରଖନ୍ତି। ଡାହାଣ: ରାଜୁଙ୍କ ବଗିଚାରେ ବି ନଳକୂଅ ନାହିଁ। ସେ ତାଙ୍କର ଛୋଟ ଛୋଟ ଗଛରେ ଜଳସେଚନ ପାଇଁ ବର୍ଷକୁ ୨୦,୦୦୦ ଟଙ୍କା ଖର୍ଚ୍ଚ କରନ୍ତି

ବଲ୍ଲିଭିରେଡ୍ଡୀ ରାଜୁ ନଭେମ୍ବର ପରଠାରୁ ପ୍ରତି ଗଛରେ ସପ୍ତାହରେ ଥରେ ପାଣି ଦିଅନ୍ତି। ଏବଂ ଫେବୃଆରୀ ବେଳକୁ ସପ୍ତାହରେ ଦୁଇ ଥର ପାଣି ଦିଅନ୍ତି। ଗାଁର ଅପେକ୍ଷାକୃତ ନୂଆ ଆମ୍ୱଚାଷୀ, ୪୫ ବର୍ଷୀୟ ରାଜୁ ୨୦୨୧ରେ ହିଁ ତାଙ୍କର ୦.୭ ଏକର ଜମିରେ ଆମ୍ୱ ଚାଷ ଆରମ୍ଭ କରିଛନ୍ତି। ଦୁଇ ବର୍ଷ ପରେ ଗଛଗୁଡ଼ିକ ତାଙ୍କଠାରୁ ଅଳ୍ପ ଡେଙ୍ଗା ହୋଇଛନ୍ତି। “ଛୋଟ ଛୋଟ ଆମ୍ୱ ଗଛ ଅଧିକ ଯତ୍ନ ଦରକାର କରନ୍ତି। ଖାସ୍‌ କରି ଖରାଦିନେ, ସେମାନଙ୍କୁ ପ୍ରତିଦିନ ପ୍ରାୟ ଦୁଇ ଲିଟର ପାଣି ଦରକାର,” ସେ କହନ୍ତି।

ତାଙ୍କ ଜମିରେ ନଳକୂଅ ନ ଥିବାରୁ ବିଭିନ୍ନ ଉପାୟରେ ଜଳସେଚନ ପାଇଁ ରାଜୁ ପ୍ରାୟ ୨୦,୦୦୦ ଟଙ୍କା ଖର୍ଚ୍ଚ କରନ୍ତି। ସେଥିରୁ ଅଧା ଟଙ୍କା ଟ୍ୟାଙ୍କରୁ ତାଙ୍କ ଜମିକୁ ପାଣି ଆଣିବାରେ ଖର୍ଚ୍ଚ ହୋଇଯାଏ। ସେ କହନ୍ତି, “ସେ ସବୁଦିନ ଗଛରେ ପାଣି ଦେଇ ପାରିବେ ନାହିଁ। ଯଦି ମୁଁ ସବୁଦିନ ୪୦ଟି ଆମ୍ୱଗଛକୁ ପାଣି ଦିଏ, ତାହେଲେ ମୋର ସବୁ ସମ୍ପତ୍ତିବାଡ଼ି ବିକ୍ରି କରିବାକୁ ପଡ଼ିବ।”

ସେ ଆଶା କରୁଛନ୍ତି ଯେ ତାଙ୍କର ତିନି ବର୍ଷର ପୁଞ୍ଜିଲଗାଣ କିଛି ଲାଭ ଦେବ। “ମୁଁ ଜାଣିଛି ବେଶୀ ଲାଭ ହେବନି। ହେଲେ ଆଶା କରୁଛି ଅନ୍ତତଃ କ୍ଷତି ନ ହେଉ।”

*****

ଗତ ମାସରେ, (ଏପ୍ରିଲ୍ ୨୦୨୩), ନାଗରାଜୁ ୩୫୦୦ କିଲୋଗ୍ରାମ୍ ବା ପ୍ରାୟ ୧୩୦-୧୪୦ ପେଟି ଆମ୍ୱ ଅମଳ କରିଛନ୍ତି। ବିଶାଖାପଟଣାରୁ ଆସିଥିବା ବ୍ୟବସାୟୀ କିଲୋ ପିଛା 15 ଟଙ୍କା ଦେଲେ। ପ୍ରଥମ ଥର ଅମଳରୁ ସେ ୫୨,୫୦୦ ଟଙ୍କା ପାଇଛନ୍ତି।

ନାଗରାଜୁ କହନ୍ତି, “ମୁଁ କୋଡ଼ିଏ ବର୍ଷ ତଳୁ ଆମ୍ୱ ଚାଷ ଆରମ୍ଭ କରିବା ଦିନଠାରୁ ଏହାର ଦାମ୍ କିଲୋ ପିଛା ୧୫ ଟଙ୍କା ହିଁ ଅଛି।” “ବିଶାଖାପଟଣାର ମଧୁରୱାଡ଼ାରଇତୁ ବଜାରରେ ଏବେ ବାଙ୍ଗନପଲେ ଆମ୍ୱ କିଲୋ ପିଛା ୬୦ ଟଙ୍କାରେ ବିକ୍ରି ହେଉଛି। ଖରା ଦିନେ ଆମ୍ୱର ଦାମ୍ ୫୦ ରୁ ୧୦୦ ଟଙ୍କା ପର୍ଯ୍ୟନ୍ତ ହୋଇଥାଏ,” କହନ୍ତି ବଜାରର ଇଷ୍ଟେଟ ଅଫିସର ପି. ଜଗଦିଶ୍ୱର ରାଓ।

These mango flowers in Nagaraju's farm aren’t dry and in a better condition
PHOTO • Amrutha Kosuru
The green and round Panduri mamidi is among his favourite
PHOTO • Amrutha Kosuru

ବାମ: ନାଗରାଜୁଙ୍କ ବଗିଚାରେ ଏହି ବଉଳ ସବୁ ଭଲ ଅବସ୍ଥାରେ ଅଛି, ଶୁଖି ଯାଇନି। ଡାହାଣ: ସବୁଜ ଏବଂ ଗୋଲିଆ ପାଣ୍ଡୁରିମାମିଡ଼ି ତାଙ୍କର ବେଶୀ ପ୍ରିୟ ଆମ୍ୱ

ଶ୍ରୀରାମମୂର୍ତ୍ତି ଏବର୍ଷ ପ୍ରଥମ ଥର ଅମଳ ସମୟରେ ୧୪୦୦ କିଲୋଗ୍ରାମ୍ ଆମ୍ୱ ବିକ୍ରି କରିଛନ୍ତି। ତାଙ୍କ ଝିଅମାନଙ୍କ ପାଇଁ ସେ ଦୁଇ-ତିନି କିଲୋ ଆମ୍ୱ ଅଲଗା କରି ରଖିଛନ୍ତି। ବାକି ସବୁ ବିଶାଖାପାଟଣାର ବ୍ୟବସାୟୀମାନଙ୍କୁ କିଲୋ ପିଛା ମାତ୍ର ୧୧ ଟଙ୍କାରେ ବିକ୍ରି କରୁଛନ୍ତି। ନିଜେ କାହିଁକି ବିକ୍ରି କରିପାରୁ ନାହାଁନ୍ତି ପଚାରିବାରୁ ସେ କହନ୍ତି, “ଏଠାରୁ ସବୁଠୁ ପାଖ ବଜାର ହେଉଛି ୪୦ କିଲୋମିଟର ଦୂର।”

ପୋମୁଲାଭୀମବରମ୍ ଗାଁର ନିଜର ବାର୍ଷିକ ଆୟ ଗଣନା କରିବାକୁ ଆମ୍ୱ ଚାଷୀମାନେ ଜୁନ୍ ମାସର ଦ୍ୱିତୀୟ ଥର ଅମଳ ପାଇଁ ଅପେକ୍ଷା କରିଛନ୍ତି। ହେଲେ ନାଗରାଜୁଙ୍କର ବେଶୀ ଆଶା ନାହିଁ। ସେ କହନ୍ତି, “କିଛି ଲାଭ ନାହିଁ, ଖାଲି କ୍ଷତି।”

ବଉଳ ଲଦି ହୋଇଥିବା ଗୋଟିଏ ଗଛକୁ ଦେଖାଇ ସେ କହନ୍ତି, “ଏତେବେଳକୁ ଏଇ ଗଛରେ ଚାଖଣ୍ଡେ ଲମ୍ୱର ଆମ୍ୱ ହେବା କଥା।” ସବୁଜ ରଙ୍ଗର ଗୋଲିଆ ଆକାରର ଏଇ ପାଣ୍ଡୁରିମାମିଡ଼ି ତାଙ୍କର ପ୍ରିୟ ଆମ୍ୱ।

ସେ ଗୋଟିଏ ଆମ୍ୱ ତୋଳି କହନ୍ତି, “ଆଉ କୋଉ ଆମ୍ୱ ଏଇ ଆମ୍ୱ ଭଳି ମିଠା ନୁହଁ। ଏଇ ଆମ୍ୱ କଞ୍ଚା ଥିବାବେଳେ ବି ମିଠା ଲାଗେ। ସେଥିପାଇଁ ସମସ୍ତେ ୟାକୁ ବେଶୀ ଭଲ ପାଆନ୍ତି।”

ଏହି ଷ୍ଟୋରୀର ପ୍ରାୟୋଜକ ହେଉଛନ୍ତି ରଙ୍ଗ ଦେ

ଅନୁବାଦ : ଓଡ଼ିଶାଲାଇଭ୍‍

Amrutha Kosuru

अमृता कोसुरु २०२२ वर्षाची पारी फेलो आहे. तिने एशियन कॉलेज ऑफ जर्नलिझममधून पदवी घेतली असून ती विशाखापटणमची रहिवासी असून तिथूनच वार्तांकन करते.

यांचे इतर लिखाण Amrutha Kosuru
Editor : Sanviti Iyer

Sanviti Iyer is Assistant Editor at the People's Archive of Rural India. She also works with students to help them document and report issues on rural India.

यांचे इतर लिखाण Sanviti Iyer
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

यांचे इतर लिखाण OdishaLIVE