ତାରିକ୍‌ ଅହମ୍ମଦ ଜଣେ ଶିକ୍ଷକ ଭାବେ ୧୦ ବର୍ଷ ଧରି କାମ କରିଛନ୍ତି। ସେ ପ୍ରାଥମିକ ବିଦ୍ୟାଳୟର ପିଲାମାନଙ୍କୁ ମୌଳିକ ଶିକ୍ଷାଦାନ କରିଛନ୍ତି। ଏହି ୩୭ ବର୍ଷୀୟ ବ୍ୟକ୍ତି ଜଣଙ୍କ ୨୦୦୯-୨୦୧୯ ପର୍ଯ୍ୟନ୍ତ କେନ୍ଦ୍ରୀୟ ସମଗ୍ର ଶିକ୍ଷା ଯୋଜନାରେ ଜଣେ ଶିକ୍ଷା ସହାୟକ ଭାବେ କାମ କରିଛନ୍ତି। ଦ୍ରାସର ଉଚ୍ଚ ଇଲାକାରେ ପ୍ରବାସୀ ବକରୱାଲ ପରିବାରର ପିଲାମାନଙ୍କୁ ପଢ଼ାଇବା ପାଇଁ ତାଙ୍କୁ ନିୟୋଜିତ କରାଯାଇଥିଲା। ଏହି ସମୁଦାୟର ଲୋକମାନେ ନିଜର ଛେଳି, ମେଣ୍ଢା ଚରାଇବାକୁ ଲଦାଖ ଆଣିଥାନ୍ତି।

କିନ୍ତୁ ୨୦୧୯ରେ ଯେତେବେଳେ ରାଜ୍ୟ ଦୁଇ ଭାଗ ହୋଇ ଜାମ୍ମୁ ଓ କାଶ୍ମୀର ଏବଂ ଲଦାଖ ରୂପରେ ଦୁଇଟି କେନ୍ଦ୍ର ଶାସିତ ପ୍ରଦେଶରେ ପରିଣତ ହୋଇଥିଲା, ସେ ତାଙ୍କ ଚାକିରି ହରାଇଥିଲେ। ଜାମ୍ମୁ ଓ କାଶ୍ମୀରର ଜଣେ ନାଗରିକ ଭାବେ ତାଙ୍କ ଘର ରାଜୌରୀ ଜିଲ୍ଲାର କାଲାକୋଟ୍‌ରେ ଥିବାରୁ ସେ ଜାମ୍ମୁ ଓ କାଶ୍ମୀର କେନ୍ଦ୍ର ଶାସିତ ପ୍ରଦେଶ ବାହାରେ ଶିକ୍ଷାଦାନ କରିବା ଲାଗି ଯୋଗ୍ୟ ନୁହନ୍ତି।

ଯାଯାବର ପିଲାମାନଙ୍କ ପ୍ରତି ଅଣଦେଖା କରିଥିବା କାରଣରୁ ସରକାରୀ କର୍ତ୍ତୃପକ୍ଷଙ୍କୁ ଦୋଷ ଦେଇ ତାରିକ୍‌ କୁହନ୍ତି, ‘‘ଦୁଇଟି କେନ୍ଦ୍ର ଶାସିତ ପ୍ରଦେଶ ଗଠନ କରାଯିବା ଫଳରେ ଆମ ପିଲାମାନଙ୍କ ଶିକ୍ଷା ବ୍ୟବସ୍ଥା ଭୁଶୁଡ଼ି ପଡ଼ିଛି।’’

‘‘କାର୍ଗିଲ ଜିଲ୍ଲାର ଜିରୋ ପଏଣ୍ଟଠାରୁ ଦ୍ରାସ୍‌ ପର୍ଯ୍ୟନ୍ତ ଏହି ଅଞ୍ଚଳରେ କୌଣସି ଭ୍ରାମ୍ୟମାଣ ବିଦ୍ୟାଳୟ, କୌଣସି ସାମୟିକ ଶିକ୍ଷକ ଉପଲବ୍ଧ ନାହାନ୍ତି । ଆମ ପିଲାମାନେ ଦିନ ସାରା ଏଣେତେଣେ ବୁଲୁଛନ୍ତି କିମ୍ବା ଖାଇବା ମାଗି ସ୍ଥାନୀୟ ଲୋକଙ୍କୁ ସମସ୍ୟାରେ ପକାଉଛନ୍ତି,’’ କାଲାକୋଟ୍‌ରେ ଥିବା ବଠେରା ଗ୍ରାମର ସରପଞ୍ଚ ଶମିମ୍‌ ଅହମ୍ମଦ ବଜ୍ରନ୍‌ କୁହନ୍ତି।

ବକ୍ରୱାଲ ସମ୍ପ୍ରଦାୟର ଲୋକମାନେ କୁହନ୍ତି ଯେ, ଜାମ୍ମୁ ଓ କାଶ୍ମୀରରେ ପ୍ରବାସୀଙ୍କ ପାଇଁ ହଜାର ହଜାର ଅସ୍ଥାୟୀ ବିଦ୍ୟାଳୟ ରହିଛି, କିନ୍ତୁ ମେ’ରୁ ଅକ୍ଟୋବର ମାସ ମଧ୍ୟରେ ସେମାନଙ୍କ ପିଲାମାନେ ଲଦାଖ ଚାଲି ଗଲେ ବିଦ୍ୟାଳୟ ପାଠପଢ଼ାରୁ ବଞ୍ଚିତ ରହିଥାନ୍ତି। ଏଠାରେ ସେମାନଙ୍କର ପିଲାମାନେ ପାଠପଢ଼ାଠାରୁ ବଞ୍ଚିତ ରହିଥାନ୍ତି ଏବଂ ନିଜ ସହପାଠୀମାନଙ୍କଠାରୁ ପଛରେ ପଡ଼ିଯାଆନ୍ତି। ବକ୍ରୱାଲ ସମୁଦାୟର ସାକ୍ଷରତା ହାର ୩୨ ପ୍ରତିଶତ ଯାହାକି ରାଜ୍ୟର ସବୁ ଜନଜାତିମାନଙ୍କ ମଧ୍ୟରେ ସର୍ବନିମ୍ନ ବୋଲି ଅନୁସୂଚିତ ଜନଜାତି ଉପରେ ୨୦୧୩ର ଏକ ରିପୋର୍ଟରେ ଦର୍ଶାଯାଇଛି।

A Bakarwal settlement in Meenamarg, Kargil district of Ladakh. The children of pastoralists travel with their parents who migrate every year with their animals
PHOTO • Muzamil Bhat
A Bakarwal settlement in Meenamarg, Kargil district of Ladakh. The children of pastoralists travel with their parents who migrate every year with their animals
PHOTO • Muzamil Bhat

ଲଦାଖ କାର୍ଗିଲ ଜିଲ୍ଲାର ମୀନାମାର୍ଗରେ ଥିବା ଏକ ବକ୍ରୱାଲ ବସତି । ପଶୁପାଳକଙ୍କ ପିଲାମାନେ ପ୍ରତ୍ୟେକ ବର୍ଷ ନିଜ ପିତାମାତାଙ୍କ ସହିତ ସେମାନଙ୍କ ପଶୁମାନଙ୍କୁ ନେଇ ପ୍ରବାସ କରିଥାନ୍ତି

‘‘ଆମ ପିଲାମାନେ ପାଠ ପଢ଼ିବାକୁ ଚାହୁଁଥିଲେ ମଧ୍ୟ ଆମେ କିଛି କରିପାରୁନାହୁଁ। ଆମେ ପ୍ରବାସ କଲେ ସେମାନଙ୍କ ପାଠପଢ଼ା ଅଟକି ଯାଇଥାଏ କାରଣ ନିକଟସ୍ଥ ବିଦ୍ୟାଳୟ ପାଖାପାଖି ୧୦୦ କିଲୋମିଟର ଦୂରରେ ରହିଛି,’’ ପାଞ୍ଚ ବର୍ଷ ବୟସ୍କ ହୁଜୈଫ ଏବଂ ତିନି ବର୍ଷ ବୟସ୍କ ଶୋଏବଙ୍କ ପିତା ଅମଜଦ ଅଲୀ ବଜରାନ୍‌ କୁହନ୍ତି। ତାଙ୍କ ପରିବାର ମୀନାମାର୍ଗରୁ ଦ୍ରାସ ପର୍ଯ୍ୟନ୍ତ ଅଞ୍ଚଳରେ ରହୁଥିବା ୧୬ ବକରୱାଲ ପରିବାର ବସତିର ଏକ ଅଂଶବିଶେଷ।

‘‘ଆମେ ଯେତେବେଳେ ରାଜୌରୀରୁ ପ୍ରବାସ କରିଥାଉ, ସାଙ୍ଗରେ ଆମ ପିଲାମାନଙ୍କୁ ମଧ୍ୟ ନେଇଯାଉ କାରଣ ପରିବାର ବିନା ୫-୬ ମାସ ଦୂରରେ ରହିବା ଆମ ପକ୍ଷେ ସମ୍ଭବ ନୁହେଁ,’’ ୩୦ ବର୍ଷ ବୟସ୍କ ପଶୁପାଳକ ଅମ୍‌ଜଦ୍‌ କହିଥାନ୍ତି।

ସରକାର କୁହନ୍ତି, ସ୍ଥାନୀୟ ଅଞ୍ଚଳର ଶିକ୍ଷା ଅଧିକାରୀମାନେ ନିଜର ରିପୋର୍ଟ ଦାଖଲ କରିବା ପରେ ଯାଇ ଏସବୁ ବିଦ୍ୟାଳୟ ପାଇଁ ବ୍ୟବସ୍ଥା କରାଯିବ। କିନ୍ତୁ, ‘‘ଏକ ଯାଯାବର ସମୁଦାୟ ଆମ ସୀମା ବାହାରକୁ (କାଶ୍ମୀରରୁ ଲଦାଖର କାର୍ଗିଲକୁ) ଚାଲି ଯାଇଥିବାରୁ ଜାମ୍ମୁ ଓ କାଶ୍ମୀରରୁ ଆସିଥିବା ନାଗରିକଙ୍କ ପ୍ରସଙ୍ଗରେ ହସ୍ତକ୍ଷେପ କରିବା ଲାଗି ଲଦାଖ କାର୍ଗିଲର ମୁଖ୍ୟ ଶିକ୍ଷା ଅଧିକାରୀ (ସିଇଓ)ଙ୍କର କୌଣସି ପ୍ରଶାସନିକ ନିୟନ୍ତ୍ରଣ ନାହିଁ,’’ ବିଦ୍ୟାଳୟ ଶିକ୍ଷା ବିଭାଗର ସମଗ୍ର ଶିକ୍ଷା ପ୍ରକଳ୍ପ ନିର୍ଦ୍ଦେଶକ ଡକ୍ଟର ଦୀପରାଜ୍‌ କନେଠିଆ କୁହନ୍ତି। ଏ କ୍ଷେତ୍ରରେ ସେ ନାଚାର୍‌ ବୋଲି କହିଥାନ୍ତି। ‘‘ରାଜ୍ୟ ଦୁଇଟି କେନ୍ଦ୍ର ଶାସିତ ପ୍ରଦେଶରେ ବିଭାଜିତ ହୋଇଯାଇଥିବା କାରଣରୁ କାର୍ଗିଲରେ ଶିକ୍ଷା ଉପରେ ଆମର କୌଣସି ପ୍ରଶାସନିକ ନିୟନ୍ତ୍ରଣ ନାହିଁ।’’

ଶିକ୍ଷା ରିପୋର୍ଟର ବାର୍ଷିକ ସ୍ଥିତି (ଗ୍ରାମୀଣ ୨୦୨୨) ଅନୁଯାୟୀ ୨୦୨୨ରେ ଜାମ୍ମୁ ଓ କାଶ୍ମୀରରେ ୫୫.୫ ପ୍ରତିଶତ ପିଲା ସରକାରୀ ବିଦ୍ୟାଳୟରେ ନାମ ଲେଖାଇଥିଲେ। ଏହି ସଂଖ୍ୟା ୨୦୧୮ର ୫୮.୩ ପ୍ରତିଶତ ଠାରୁ କମ୍‌ ।

Left: Tariq Ahmad is a herder who was a teacher for 10 years. Here in Meenamarg he spends a few hours every day teaching children ages 3-10.
PHOTO • Muzamil Bhat
Right: Ishrat, Rifat and Nawaz (from left to right) reading under Tariq's watchful eye
PHOTO • Muzamil Bhat

ବାମ: ତାରିକ୍ ଅହମ୍ମଦ ଜଣେ ପଶୁପାଳକ ଯିଏ କି ୧୦ ବର୍ଷ ଧରି ଶିକ୍ଷକ ଥିଲେ । ଏଠାରେ ମୀନାମାର୍ଗରେ ସେ ପ୍ରତିଦିନ କିଛି ଘଣ୍ଟା ୩-୧୦ ବର୍ଷ ବୟସର ପିଲାଙ୍କୁ ପାଠ ପଢ଼ାଉଛନ୍ତି। ଡାହାଣ: ଇଶରତ , ରିଫତ ଏବଂ ନୱାଜ (ବାମରୁ ଡାହାଣ) ତାରିକ୍‌ଙ୍କ ତତ୍ତ୍ୱାବଧାନରେ ପଢ଼ୁଛନ୍ତି

PHOTO • Muzamil Bhat

ପିଲାମାନେ ଯେମିତି ପାଠ ଭୁଲି ନଯାଆନ୍ତି ତାହା ସୁନିଶ୍ଚିତ କରିବା ଲାଗି ସେମାନଙ୍କର ସେ ବାରମ୍ବାର ପରୀକ୍ଷା ନେଉଥିବା ତାରିକ୍‌ କୁହନ୍ତି

ସରପଞ୍ଚ ଶମିମ୍‌ କୁହନ୍ତି, ଜମ୍ମୁ-କଶ୍ମୀର ସରକାର ଲଦାଖ କାର୍ଗିଲର ଏହି କ୍ଷେତ୍ରକୁ ପ୍ରବାସ କରୁଥିବା ଯାଯାବର ପିଲାମାନଙ୍କୁ ପଢ଼ାଇବା ଲାଗି ଛଅ ଜଣ ସାମୟିକ ଶିକ୍ଷକଙ୍କୁ ନିଯୁକ୍ତି ଦେଇଛନ୍ତି, କିନ୍ତୁ ତୃଣମୂଳସ୍ତରରେ ଜଣେ ହେଲେ ଶିକ୍ଷକ ଉପଲବ୍ଧ ନାହାନ୍ତି । ସେ କୁହନ୍ତି, ‘‘ସେମାନେ ପ୍ରବାସ ଋତୁ ଶେଷରେ ଆସିଥାନ୍ତି ଏବଂ ନିଜ ଡ୍ୟୁଟି ରୋଷ୍ଟର୍‌ରେ ସମ୍ପୃକ୍ତ ସିଇଓଙ୍କଠାରୁ ଦସ୍ତଖତ ନେଇ ଯାଆନ୍ତି ଯାହାଫଳରେ ସେମାନେ ସେହି କାମ ପାଇଁ ବେତନ ନେଇପାରିବେ ଯାହାକୁ ସେମାନେ କେବେ ହେଲେ କରିନାହାନ୍ତି।’’

‘‘ଆମେ ଅସହାୟ, ସେହି କାରଣରୁ ଆମ ପିଲାମାନେ ପଶୁ ଚରାଉଛନ୍ତି କିମ୍ବା କୌଣସି ଶ୍ରମିକ କାମ କରୁଛନ୍ତି,’’ ଅମ୍‌ଜଦ୍‌ କହିଥାନ୍ତି। ‘‘ନିଜ ପିଲା ପାଠପଢ଼ୁ ଏବଂ ଭଲ ଭବିଷ୍ୟତ ପାଉ ବୋଲି କିଏ ବା ନଚାହିଁବ?’’

ସୌଭାଗ୍ୟବଶତଃ ଅମ୍‌ଜଦ୍‌ ଓ ଅନ୍ୟ ପଶୁପାଳକଙ୍କ ପିଲାଙ୍କ ପାଖରେ ଜଣେ ପ୍ରଶିକ୍ଷିତ ଶିକ୍ଷକ ତାରିକ୍‌ ସେମାନଙ୍କ ଗହଣରେ ଅଛନ୍ତି। ପୂର୍ବ ଭଳି ସମଗ୍ର ଶିକ୍ଷା ଦ୍ୱାରା ଚାକିରି ପାଇନଥିଲେ ସୁଦ୍ଧା ସେ ଏଠାକାର ବକ୍ରୱାଲ ପିଲାମାନଙ୍କୁ ପାଠ ପଢ଼ାଇବା ଛାଡ଼ି ନାହାନ୍ତି। ପିଲାମାନେ ଏଠାରେ ଇଂରାଜୀ, ଗଣିତ, ବିଜ୍ଞାନ ଏବଂ ଊର୍ଦ୍ଦୁ ଶିଖୁଛନ୍ତି। ‘‘ଏହା ସମୁଦାୟ ପ୍ରତି ମୋର କର୍ତ୍ତବ୍ୟ ବୋଲି ମୁଁ ଅନୁଭବ କରିଥାଏ। ଏହା ମଧ୍ୟ ମୋତେ ଖୁସି ଓ ସନ୍ତୋଷ ଦେଇଥାଏ,’’ ଏହି ଯୁବ ବକ୍ରୱାଲ କୁହନ୍ତି।

ସେ ଆଉ ଦରମା ପାଉଥିବା ଶିକ୍ଷକ ହୋଇ ରହିନଥିବାରୁ ଏଠାରେ ସେ ପଶୁ ଚରାଇବା ପାଇଁ ସକାଳ ୧୦ଟାରେ ଯାଇ ଦ୍ୱିପ୍ରହର ୪ଟାରେ ଫେରିଥାନ୍ତି। ତାରିକଙ୍କ ପରିବାର ପାଖରେ ଉଭୟ ମେଣ୍ଢା ଓ ଛେଳିଙ୍କୁ ମିଶାଇ ୬୦ ପଶୁ ଅଛନ୍ତି ଏବଂ ଏଠାରେ ସେ ନିଜ ପତ୍ନୀ ଓ ଝିଅ ରଫିକ୍‌ ବାନୋଙ୍କ ସହିତ ରହୁଛନ୍ତି।

ଏହି ଯୁବ ଶିକ୍ଷକଙ୍କ ଶିକ୍ଷାଗତ ଯାତ୍ରା ବେଶ୍‌ ଆହ୍ୱାନପୂର୍ଣ୍ଣ ରହିଆସିଛି। ନିଜ ବିଦ୍ୟାଳୟ ପାଠପଢ଼ା ଦିନ ବିଷୟରେ ମନେ ପକାଇ ସେ କୁହନ୍ତି, ‘‘ମୁଁ ଶ୍ରୀନଗର ଚାଲିଗଲି ଏବଂ ନିଜ ସମ୍ପର୍କୀୟଙ୍କ ସହିତ ରହିଲି ଯାହାଫଳରେ ବିନା କୌଣସି ବଡ଼ ବାଧାରେ ମୁଁ ନିଜ ପାଠପଢ଼ା ସମ୍ପୂର୍ଣ୍ଣ କରିପାରିବି।’’ ଏହାପରେ ତାରିକ୍‌ ୨୦୦୩ରେ ସରକାରୀ ବାଳକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ସୌରା ଶ୍ରୀନଗରରୁ ଦ୍ୱାଦଶ ଶ୍ରେଣୀ ପାଠପଢ଼ା ସମ୍ପୂର୍ଣ୍ଣ କରିଥିଲି।

PHOTO • Muzamil Bhat
PHOTO • Muzamil Bhat

ଅସ୍ଥାୟୀ ବିଦ୍ୟାଳୟରେ ପ୍ରାୟତଃ ଶିକ୍ଷକ ନଥାନ୍ତି ବୋଲି ଗ୍ରାମର ବଡ଼ ଲୋକମାନେ କହନ୍ତି। ସେଥିପାଇଁ ଆମ ପିଲାମାନେ ମଧ୍ୟ ପଶୁ ଚରାଉଛନ୍ତି କିମ୍ବା ଅନ୍ୟ କିଛି ଶ୍ରମ କାମ କରନ୍ତି ,’ ଜଣେ ଅଭିଭାବକ ଅମ୍‌ଜାଦ୍‌ କୁହନ୍ତି

ନିଜେ ବକ୍ରୱାଲ ସମ୍ପ୍ରଦାୟର ହୋଇଥିବାରୁ ତାରିକ୍‌ଙ୍କ ପାଇଁ ଏହା ପରିଶୋଧର ସମୟ ବୋଲି ସେ ଅନୁଭବ କରିଥାନ୍ତି। ‘‘ଆବ୍ବା (ପିତା) ଆମକୁ ଏଠାରେ ସବୁ ବିଷୟ ପଢ଼ାନ୍ତି, କିନ୍ତୁ ଆମ ବିଦ୍ୟାଳୟରେ ପ୍ରତ୍ୟେକ ବିଷୟ ପାଇଁ ଭିନ୍ନ ଭିନ୍ନ ଶିକ୍ଷକ ଅଛନ୍ତି।’’ ଏହି ଦଶ ବର୍ଷର ବାଳିକା ଜଣଙ୍କ ରାଜୌରୀ ଜିଲ୍ଲା କାଲାକୋଟ ତହସିଲ ଅନ୍ତର୍ଗତ ପାନିହାର୍‌ ଗ୍ରାମରେ ଥିବା ଜମ୍ମୁ ଓ କାଶ୍ମୀର ସରକାରୀ ବାଳିକା ମଧ୍ୟମ ବିଦ୍ୟାଳୟରେ ଷଷ୍ଠ ଶ୍ରେଣୀରେ ପାଠ ପଢ଼ୁଛନ୍ତି।

‘‘ମୁଁ ପାଠ ପଢି ଶିକ୍ଷୟିତ୍ରୀ ହେବାକୁ ଚାହୁଁଛି, ଯାହାଦ୍ୱାରା ମୁଁ ଏହି ପିଲାମାନଙ୍କୁ ମୋ ଅବ୍ବାଙ୍କ ଭଳି ଶିଖାଇପାରିବି। ଏଠାରେ ଆମର କୌଣସି ଶିକ୍ଷକ ନାହାନ୍ତି, ତେଣୁ ମୁଁ ସେମାନଙ୍କୁ ପଢ଼ାଇବା ପାଇଁ ଜଣେ ଶିକ୍ଷୟିତ୍ରୀ ହୋଇଯିବି,’’ ଛୋଟ ଝିଅ ଜଣଙ୍କ କହିଥାନ୍ତି।

ତେଣୁ ଯେଉଁ ପିଲାମାନେ ଖେଳୁଥିଲେ କିମ୍ବା ପାହାଡ଼ରେ ବୁଲୁଥିଲେ ସେମାନେ ଏବେ ତାରିକ୍‌ଙ୍କ ସହିତ ଦିନରେ କିଛି ଘଣ୍ଟା ବିତାଉଛନ୍ତି। ଜୁଲାଇ ମାସରେ ଏହି ରିପୋର୍ଟର ସେମାନଙ୍କୁ ଭେଟିବା ଦିନ ସେମାନେ ନିଜ ବହିରେ ବୁଡ଼ି ରହିଥିଲେ। ତାରିକ୍‌ ୩-୧୦ ବର୍ଷ ବୟସର ୨୫ ଜଣ ପିଲାଙ୍କ ଆଡ଼କୁ ଧ୍ୟାନ ଆକର୍ଷଣ କରିଥିଲେ। ସେମାନେ ମୀନାମାର୍ଗରେ ଥିବା ନିଜଘର ପାଖରେ ବସିଥିଲେ। ସେମାନେ ଏହି ଉଚ୍ଚସ୍ଥାନରେ ବୃକ୍ଷରେଖା ଉପରେ, କିଛି ଛାଇ ପାଇବା ଲାଗି ଚେଷ୍ଟା କରୁଥିଲେ।

‘‘ମୁଁ ଏଠାରେ ଅଛି ସେଥିପାଇଁ ଏହି ଛାତ୍ରଛାତ୍ରୀ ପାଠ ପଢ଼ିପାରୁଛନ୍ତି କିନ୍ତୁ ଏଠାରୁ ଉଚ୍ଚ ସ୍ଥାନରେ ଆହୁରି ପିଲାମାନେ ମଧ୍ୟ ରହୁଛନ୍ତି, ସେମାନଙ୍କ ଅବସ୍ଥା କ’ଣ ହେଉଥିବ? ସେମାନଙ୍କୁ ପଢ଼ାଇବ କିଏ,’’ ବିନା ପାଉଣାରେ ପଢ଼ାଉଥିବା ଏହି ଶିକ୍ଷକ ଜଣଙ୍କ କହିଥାନ୍ତି।

ନିକଟରେ (୨୦୧୯ରେ) କେନ୍ଦ୍ର ଶାସିତ ପ୍ରଦେଶ ମାନ୍ୟତା ପାଇଥିବା ଲଦାଖରେ କାର୍ଗିଲ ଅବସ୍ଥିତ । ପୂର୍ବରୁ ଏହା ଜାମ୍ମୁ ଓ କାଶ୍ମୀର ରାଜ୍ୟର ଅଂଶବିଶେଷ ଥିଲା।

ଅନୁବାଦ: ଓଡ଼ିଶାଲାଇଭ୍‍

Muzamil Bhat

मुज़मिल भट, श्रीनगर के स्वतंत्र फ़ोटो-पत्रकार व फ़िल्मकार हैं, और साल 2022 के पारी फ़ेलो रह चुके हैं.

की अन्य स्टोरी Muzamil Bhat
Editor : PARI Desk

पारी डेस्क हमारे संपादकीय कामकाज की धुरी है. यह टीम देश भर में सक्रिय पत्रकारों, शोधकर्ताओं, फ़ोटोग्राफ़रों, फ़िल्म निर्माताओं और अनुवादकों के साथ काम करती है. पारी पर प्रकाशित किए जाने वाले लेख, वीडियो, ऑडियो और शोध रपटों के उत्पादन और प्रकाशन का काम पारी डेस्क ही संभालता है.

की अन्य स्टोरी PARI Desk
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

की अन्य स्टोरी OdishaLIVE