“ଡାଲ୍‌ ବାହାରର ଲୋକମାନେ ସେମାନଙ୍କୁ ଭାସମାନ ବଗିଚାରେ କାମ କରିବାକୁ ପଡ଼ିବ ବୋଲି ଶୁଣିବା ମାତ୍ରକେ କାଳେ ବୁଡ଼ି ଯିବେ ବୋଲି ଭାବି ଚିନ୍ତିତ ହୋଇ ପଡୁଛନ୍ତି!”ବୋଲି ମହମ୍ମଦ ମକବୁଲ୍‌ ମାତ୍ତୋ, ହସି ହସି କୁହନ୍ତି।

ଶ୍ରୀନଗରର ଡାଲ୍‌ ହ୍ରଦର ମୋତି ମୋହଲ୍ଲା ଖୁର୍ଦ୍ଦ ଅଞ୍ଚଳର ୪୭ ବର୍ଷ ବୟସ୍କ ଚାଷୀ କୁହନ୍ତି ଯେ କାଶ୍ମୀର ଉପତ୍ୟାକାର ଆଖପାଖ ଅଞ୍ଚଳରେ ଲୋକମାନେ ଚାଷକାମ ପାଇଁ ଯେତିକି ଅର୍ଥ ପ୍ରଦାନ କରିଥାନ୍ତି ତା’ଠାରୁ ଆମକୁ ଯଥେଷ୍ଟ ଅଧିକ ଅର୍ଥ ଦେବାକୁ ପଡ଼ିଥାଏ । ଶ୍ରମ ବାବଦକୁ ତାଙ୍କର ବ୍ୟୟ ହାର ହ୍ରାସ କରିବାକୁ ବ୍ୟସ୍ତ ରହିବା ସତ୍ତ୍ୱେ ସ୍ୱାମୀ ସ୍ତ୍ରୀ ଉଭୟ କାମ କରିବାକୁ ଆସିଥାନ୍ତି । ସେ କୁହନ୍ତି ଯେ, “ମୋ ସ୍ତ୍ରୀ ତସ୍‌ଲିମା ଆଉ ମୁଁ ଯେତେ ବ୍ୟସ୍ତ ଥିଲେ ମଧ୍ୟ ପ୍ରତିଦିନ [କାମ କରିବାକୁ], ଆସିଥାଉ।”

ମହମ୍ମଦ ମକବୁଲ୍‌ ମାତ୍ତୋ ଡାଲ୍‌ରେ ଥିବା ତାଙ୍କର ୭.୫ ଏକରର ଭାସମାନ ବଗିଚାରେ ପହଞ୍ଚିବା ପାଇଁ ବୋଟ୍‌ ବ୍ୟବହାର କରନ୍ତି। ସ୍ଥାନୀୟ ଭାଷାରେ ଡାଲ୍‌ କେ ଗାର୍ଡେନ୍‌ ଭାବେ ପରିଚିତ ଏହି ବଗିଚାଗୁଡ଼ିକରେ ସେ ବର୍ଷ ସାରା ସଲ୍‌ଗମ୍‌ ଏବଂ ହାଖ୍‌ (କୋଲାର୍ଡ ଗ୍ରୀନ୍‌) ଚାଷ କରିଥାନ୍ତି। ଏପରିକି, ଶୀତ ଦିନରେ, ଯେତେବେଳେ ତାପମାତ୍ରା – ୧୧ଡିଗ୍ରୀ ସେଲୟସିୟସ୍‌କୁ ଖସି ଯାଏ, ସେତେବେଳେ ମଧ୍ୟ ଚାଷ କାମ ଜାରି ରଖିଥାନ୍ତି ଆଉ ତାଙ୍କ ବୋଟ୍‌କୁ ଗତିଶୀଳ କରିବା ପାଇଁ ତାଙ୍କୁ ବରଫ ପାଲଟିଯାଇଥିବା ହ୍ରଦର ପୃଷ୍ଠ ଭାଗକୁ ମଧ୍ୟ ଭାଙ୍ଗିବାକୁ ପଡିଥାଏ। “ବର୍ତ୍ତମାନ ଏହି ବ୍ୟବସାୟରେ ଆଉ  ଭଲ ଉପାର୍ଜନ ହେଉନାହିଁ । ତଥାପି, ମୁଁ ଏହି କାମ କରିଚାଲିଛି, କାରଣ ଏହା ହେଉଛି ଗୋଟିଏ ମାତ୍ର କାମ ଯାହା ମୁଁ କରିବାକୁ ସମର୍ଥ ଅଟେ,” ବୋଲି ସେ କୁହନ୍ତି।

୧୮ ବର୍ଗ କିଲୋମିଟର ଅଞ୍ଚଳରେ ବ୍ୟାପିଥିବା ଡାଲ୍‌ ଏହାର ହାଉସ୍‌ବୋଟ୍‌, ସିକାରା (ବୋଟ୍‌) ରାଇଡ୍‌, ପୂରାତନ ମାପଲ୍‌ ଗଛରେ ପରିପୂର୍ଣ୍ଣ ଚାର୍‌ ଚିନାର୍‌ ଦ୍ୱୀପ ଆଉ ହ୍ରଦର ପାଶ୍ୱରେ ଥିବା ମୋଗଲ୍‌ ସମୟର ବଗିଚାଗୁଡିକ ପାଇଁ ପ୍ରସିଦ୍ଧ ଅଟେ ।

ହ୍ରଦରେ ଥିବା ଭାସମାନ ଘର ଆଉ ଭାସମାନ ବଗିଚା ହେଉଛି ପ୍ରାକୃତିକ ଆଦ୍ରଭୂମିର ଏକ ଅଂଶ ଯାହା ପ୍ରାୟ ୨୧ବର୍ଗ କିଲୋମିଟର ଅଞ୍ଚଳରେ ବ୍ୟାପିଛି । ଭାସମାନ ବଗିଚା ହେଉଛି ଦୁଇ ପ୍ରକାରର: ରାଧ୍‌ ଏବଂ ଦେମ୍ବ ରାଧ୍‌ ହେଉଛି କୃଷକମାନଙ୍କ ଦ୍ୱାରା ହାତରେ ବୁଣାଯାଇ ପ୍ରସ୍ତୁତ କରାଯାଇଥିବା ଏକ ଭାସମାନ ବଗିଚା ଯେଉଁଥିରେ ପେକ୍‌ (ଟାଇଫା ଅଙ୍ଗୁସ୍ତାତା) ବଂ ନର୍ଗାସା (ଫ୍ରାଗ୍‌ମାଇଟ୍‌ ଅଷ୍ଟ୍ରାଲିସ୍‌) ନାମକ ଦୁଇ ପ୍ରକାରର ୱିଡ୍‌କୁ ପରସ୍ପର ସହିତ ବୁଣାଯାଇଥାଏ।

ପଟି ଭଳି ବୁଣା ଯାଇଥିବା ଏହି ଢାଞ୍ଚାର ଆକାର ଏକ ଏକରର ଏକ ଦଶମାଂଶଠାରୁ ଆରମ୍ଭ କରି ଏହାର ଦଶଗୁଣ ପର୍ଯ୍ୟନ୍ତ ହୋଇପାରେ । ଚାଷକାମ ପାଇଁ ଏହାକୁ ବ୍ୟବହାର କରାଯିବା ପୂର୍ବରୁ ଏହାକୁ ହ୍ରଦରେ ପ୍ରାୟ ୩-୪ ବର୍ଷ ପର୍ଯ୍ୟନ୍ତ ଶୁଖିବାକୁ ଛାଡିଦିଆଯାଏ । ଥରେ ସମ୍ପୂର୍ଣ୍ଣ ଭାବେ ଶୁଖିଯିବା ପରେ, ଏହି ପଟି ଉପରେ କାଦୁଅର ପରସ୍ତ ପ୍ରୟୋଗ କରାଯାଏ, ଯାହାପରେ ଯାଇ ଏହି ପଟି ପନିପରିବା ଚାଷ ପାଇଁ ଉପଯୋଗୀ ହୋଇଥାଏ । କୃଷକମାନେ ରାଧ୍‌କୁ ହ୍ରଦର ବିଭିନ୍ନ ସ୍ଥାନକୁ ନେଇ ଯାଇଥାନ୍ତି ।

ଦେମ୍ବ ହେଉଛି ହ୍ରଦର ବନ୍ଧରେ ଆଉ ପାର୍ଶ୍ୱରେ ଥିବା ଏକ ପ୍ରକାରର ସନ୍ତସନ୍ତିଆ ଭୂମି । ଏହା ମଧ୍ୟ ଭାସମାନ ଅଟେ, ହେଲେ ଏହାକୁ ସ୍ଥାନାନନ୍ତର କରିହୁଏ ନାହିଁ ।

PHOTO • Muzamil Bhat

ମହମ୍ମଦ୍‌ ମକବୁଲ୍‌ ମତ୍ତୋ ଆଉ ତାଙ୍କ ସ୍ତ୍ରୀ ତସ୍‌ଲିମା ଡାଲ୍‌ର ମୋତି ମୋହଲ୍ଲା ଖୁର୍ଦ୍ଦରେ ଥିବା ସେମାନଙ୍କ ଭାସମାନ ବଗିଚାରେ ହାଖ୍‌ (କୋଲାର୍ଡ ଗ୍ରୀନ୍‌) ଚାରା ରୋପଣ କରୁଛନ୍ତି । ହ୍ରଦର ଏହି ଅଞ୍ଚଳରେ ଅବସ୍ଥିତ ତାଙ୍କ ଘରୁ ଏଠାରେ ପହଞ୍ଚିବା ପାଇଁ ତାଙ୍କୁ ଅଧଘଣ୍ଟା ସମୟ ଲାଗିଥାଏ । ସେମାନେ ପୂର୍ବାହ୍ନ ୮ରୁ ଅପରାହ୍‌ଣ ୪ଟା ପର୍ଯ୍ୟନ୍ତ କାମ କରିଥାନ୍ତି

୭୦ ବର୍ଷ ବୟସ୍କ ଗୁଲାମ ମହମ୍ମଦ ମତ୍ତୋ, ଗତ ୫୫ ବର୍ଷ ହେବ କୁରାଗ୍‌ରେ ଥିବା ତାଙ୍କର ଭାସମାନ ବଗିଚାରେ, ଯାହା ଡାଲ୍‌ର ଅନ୍ୟ ଏକ ଅଞ୍ଚଳରେ ଅବସ୍ଥିତ, ପନିପରିବା ଚାଷ କରିଆସୁଛନ୍ତି। ସେ ମୋତି ମୋହଲ୍ଲା ଖୁର୍ଦ୍ଦ ଅଞ୍ଚଳରେ ରୁହନ୍ତି ଯାହା ଏଠାରୁ ପ୍ରାୟ ୧.୫ କିଲୋମିଟର ଦୂରରେ ଅବସ୍ଥିତ। “ଆମେ ଆମ ବଗିଚାରେ ସ୍ଥାନୀୟ ଅଞ୍ଚଳରେ ଉପଲବ୍ଧ ଏକ ପ୍ରକାରର ଖତ, ହିଲ୍‌ ବ୍ୟବହାର କରିଥାଉ। ଆମେ ଏହାକୁ ହ୍ରଦର ପାଣିରୁ ବାହାର କରିଥାଉ ଆଉ ଏହାକୁ ୨୦-୩୦ ଦିନ ପର୍ଯ୍ୟନ୍ତ ସୂର୍ଯ୍ୟ କିରଣରେ ଶୁଖାଇଥାଉ। ଏହା ପ୍ରାକୃତିକ ଅଟେ ଆଉ ଏହା ପରିବାର ସ୍ୱାଦ ବଢାଇଥାଏ,’’ ବୋଲି ସେ କୁହନ୍ତି।

ସେ ହିସାବ କରି କୁହନ୍ତି ଯେ ଡାଲ୍‌ର ମୋଟ ଜଳ ଆଉ ସନ୍ତସନ୍ତିଆ ଭୂମିର ପ୍ରାୟ ୧,୨୫୦ ଏକର ଅଞ୍ଚଳରେ ଚାଷ କାର୍ଯ୍ୟ କରାଯାଏ ଯେଉଁଥିରେ ଶୀତ ଦିନରେ ସଲ୍‌ଗମ୍‌, ମୂଳା, ଗାଜର, ପାଳଙ୍ଗ ଆଦି ଚାଷ କରାଯାଇଥାଏ ଆଉ ଖରା ଦିନରେ ତରଭୂଜ, ଟମାଟ, କାକୁଡି, କଖାରୁ ଆଦି ଚାଷ କରାଯାଇଥାଏ।

“ବର୍ତ୍ତମାନ ଏହି ବ୍ୟବସାୟ କେବଳ ମୋ ଭଳି କିଛି ବୟସ୍କ ଲୋକ କରୁଥିବା କାରଣରୁ ଏହା କ୍ରମଶଃ ଲୋପ ପାଇବାକୁ ବସିଲାଣି,’’ ବୋଲି ଗୁଲାମ ମହମ୍ମଦ ମତ୍ତୋ କୁହନ୍ତି। “ଭାସମାନ ବଗିଚାର ଉର୍ବରତା ବଜାୟ ରଖିବା ପାଇଁ ବହୁତ ପରିଶ୍ରମ କରିବାକୁ ପଡ଼େ – ଆମକୁ ବାରମ୍ବାର ପାଣିର ସ୍ତର ଯାଞ୍ଚ କରିବାକୁ ପଡ଼ିଥାଏ, ଉପଯୁକ୍ତ ପରିମାଣର ହିଲ୍‌ ମିଶାଇବାକୁ ପଡ଼ିଥାଏ ଆଉ ଭୋକିଲା ପକ୍ଷୀ ତଥା ଅନ୍ୟ ଆକ୍ରମଣକାରୀଙ୍କୁ ଘଉଡ଼ାଇବାକୁ ପଡ଼ିଥାଏ।

ଶହ ଶହ ଚାଷୀ ସେମାନଙ୍କ ଭାସମାନ ବଗିଚାରୁ ଅମଳ ହେଉଥିବା ଫସଲ ସ୍ଥାନୀୟ ଭାଷାରେ ‘ ଗୁଦ୍ଦେର୍‌’ ଭାବେ ପରିଚିତ ଭାସମାନ ବଜାର, ଯାହା ଡାଲ୍‌ର କରପୋରା ଅଞ୍ଚଳରେ ଅବସ୍ଥିତ, ରେ ବିକ୍ରି କରିଥାନ୍ତି । ପ୍ରାତଃକାଳରେ ସୂର୍ଯ୍ୟଙ୍କ ପ୍ରଥମ କିରଣ ହ୍ରଦର ପୃଷ୍ଠ ସ୍ପର୍ଶ କରିବା ସହିତ ବଜାର ଖୋଲିଯାଏ ଆଉ ସେତେବେଳକୁ ସ୍ଥିର ଜଳରେ ତାଜା ପନିପରିବା ବୋଝେଇ ହୋଇଥିବା ଶହ ଶହ ବୋଟ୍‌ ସେଠାରେ ଧାଡି ବାନ୍ଧି ରହିଥାନ୍ତି ।

ଅବ୍‌ଦୁଲ୍‌ ହମିଦ୍‌ ପୂର୍ବାହ୍ନ ଚାରିଟା ବେଳେ ହ୍ରଦର ଅନ୍ୟ ପାଖରେ ଥିବା ତାଙ୍କ ଘରୁ ପ୍ରତିଦିନ ସଲ୍‌ଗମ୍‌, ହାଖ୍‌ ଆଉ ଗାଜର୍‌ ଆଦି ଲଦା ହୋଇଥିବା ତାଙ୍କ ବୋଟ୍‌ ସହିତ ବାହାରିଯାଆନ୍ତି। “ମୁଁ ସେଗୁଡିକୁ ଗୁଦ୍ଦେର୍‌ରେ ବିକ୍ରି କରେ ଆଉ ସେଥିରୁ ଦୈନିକ ୪୦୦-୫୦୦ଟଙ୍କା ଉପାର୍ଜନ କରିଥାଏ,” ବୋଲି ୪୫ବର୍ଷ ବୟସ୍କ ଚାଷୀ ଜଣକ କୁହନ୍ତି।

ପ୍ରାୟ ଏକ ଶତାବ୍ଦୀରୁ ଅଧିକ ବର୍ଷ ଧରି ଏହି ବଜାର ଶ୍ରୀନଗର ନିବାସୀମାନଙ୍କ ପାଇଁ ଅତ୍ୟାବଶ୍ୟକ ପନିପରିବାଗୁଡ଼ିକର ଏକ ଉତ୍ସ ହୋଇ ରହିଆସିଛି, ବୋଲି ଗୁଲାମ ମହମ୍ମଦ ମତ୍ତୋ କୁହନ୍ତି । ଅଧିକାଂଶ ଉତ୍ପାଦ ନିକଟସ୍ଥ ଶ୍ରୀନଗର ସହରରୁ ଭୋର୍‌ ସମୟରେ ଆସୁଥିବା ପାଇକାରୀ କ୍ରେତାମାନଙ୍କୁ ବିକ୍ରି କରାଯାଇଥାଏ। ଆଉ, କିଛି ଅଂଶ ଚାଷୀମାନେ ଚାଉଳ, ଗହମ ଭଳି ଶୁଖିଲା ରାସନ୍‌ ଏବଂ ହ୍ରଦରେ ଉତ୍ପାଦନ ହେଉନଥିବା ପନିପରିବା ଯେପରିକି ଆଳୁ ଆଦି ପାଇବା ପାଇଁ ପଣ୍ୟ ବିନିମୟ ବ୍ୟବସ୍ଥା ଆପଣାଇଥାନ୍ତି।

PHOTO • Muzamil Bhat

ମହମ୍ମଦ ଆବ୍ବାସ୍‌ ମତ୍ତୋ ଆଉ ତାଙ୍କ ବାପା ଗୁଲାମ ମହମ୍ମଦ ମତ୍ତୋ ସଦ୍ୟ ରୋପଣ କରାଯାଇଥିବା ହାଖ୍‌ର ଆଦ୍ରତା ବଜାୟ ରଖିବା ପାଇଁ ଏହା ଉପରେ ପାଣି ଛିଞ୍ଚୁଛନ୍ତି

ସବିର ଅହମଦ, ସହରର ଜଣେ ବଡ ପନିପରିବା ବ୍ୟବସାୟୀ ପ୍ରତିଦିନ ଗୁଦ୍ଦେର୍‌ରୁ ପନିପରିବା ସଂଗ୍ରହ କରିଥାନ୍ତି । ସେ କୁହନ୍ତି ଯେ ଗୋଟିଏ ଦିନରେ ଏହି ବଜାରରେ ୩ ରୁ ୩.୫ ଟନ୍‌ ଉତ୍ପାଦ କାରବାର ହୋଇଥାଏ । “ମୁଁ ଭୋର୍‌ ୫ଟାବେଳେ ମୋର ଟ୍ରକରେ ଏଠାକୁ ଆସେ ଆଉ ଉତ୍ପାଦନକାରୀମାନଙ୍କଠାରୁ ପ୍ରାୟ ୮-୧୦ (୦.୮ ରୁ ୧ଟନ୍‌) କ୍ୱିଣ୍ଟାଲ୍‌ ତାଜା ପନିପରିବା ନେଇଯାଏ । ତା’ପରେ ମୁଁ ଏଗୁଡିକୁ ବୁଲା ବିକାଳିମାନଙ୍କୁ ବିକ୍ରି କରିଦିଏ ଆଉ ଏଥିରୁ କିଛି ମଣ୍ଡିକୁ ମଧ୍ୟ ଯୋଗାଇ ଥାଏ,” ବୋଲି ୩୫ ବର୍ଷ ବୟସ୍କ ଅହମଦ୍‌ କୁହନ୍ତି । ସେ ଦିନକୁ ୧୦୦୦ ରୁ ୨୦୦୦ ଟଙ୍କା ପର୍ଯ୍ୟନ୍ତ ଉପାର୍ଜନ କରିଥାନ୍ତି, ଯାହା ଚାହିଦା ଉପରେ ନିର୍ଭର କରିଥାଏ ।

ଅନେକ ବିଶ୍ୱାସ କରନ୍ତି ଯେ ଡାଲ୍‌ରେ ଉତ୍ପାଦନ ହେଉଥିବା ପନିପରିବାଗୁଡ଼ିକ ସୁସ୍ୱାଦୁ ଅଟେ। ଶ୍ରୀନଗରର ନୱାକଦାଲ୍‌ ଅଞ୍ଚଳରେ ରହୁଥିବା ପଚାଶ ବର୍ଷୀୟ ଗୃହିଣୀ ଫିର୍‌ଦୋଶା କୁହନ୍ତି ଯେ, “ଡାଲ୍‌ ହ୍ରଦର ନାଦୁର (ମହୁ ନାଡ଼) ମତେ ଭାରି ଭଲ ଲାଗେ । ଅନ୍ୟ ହ୍ରଦରେ ଉତ୍ପାଦନ ହେଉଥିବା ନାଦୁର୍‌ ଠାରୁ ଏହାର ସ୍ୱାଦ ସମ୍ପୂର୍ଣ୍ଣ ଅଲଗା ଅଟେ।’’

ବହୁତ ଚାହିଦା ରହିଥିବା ସତ୍ତ୍ୱେ, ଚାଷୀ ଆଉ ପାଇକାରୀ ବ୍ୟବସାୟୀମାନେ ଯେଉଁମାନେ ଡାଲ୍‌ର ପନିପରିବା ବ୍ୟବସାୟ ଉପରେ ନିର୍ଭରଶୀଳ, ସେମାନେ ସଙ୍କଟ ଦେଇ ଗତି କରୁଥିବା ମନେ କରୁଛନ୍ତି ।

“ସରକାର ଚାଷୀମାନଙ୍କୁ ବେମିନା ନିକଟସ୍ଥ ରଖ-ଏ-ଅର୍ଥକୁ ସ୍ଥାନାନ୍ତରିତ କରିବା ପରଠାରୁ ହ୍ରଦରେ ପନିପରିବା ଚାଷ ବାଧାପ୍ରାପ୍ତ ହେବାରେ ଲାଗିଛି,” ବୋଲି ଡାଲ୍‌ରେ ଚାଷ କରୁଥିବା ରୈନାୱାରୀର ୩୫ବର୍ଷ ବୟସ୍କ ଚାଷୀ ସବିର ଅହମଦ କୁହନ୍ତି । ଡାଲ୍‌ର ସଂରକ୍ଷଣ ପାଇଁ ଜମ୍ମୁ ଓ କାଶ୍ମୀର ଲେକ୍‌ସ ଏଣ୍ଡ ୱାଟର୍‌ୱେଜ୍‌ ଡେଭେଲପ୍‌ମେଣ୍ଟ ଅଥୋରିଟି ( ଏଲ୍‌ଏଡବ୍ଲ୍ୟୁଡିଏ) ଦ୍ୱାରା ଆରମ୍ଭ କରାଯାଇଥିବା ଏକ ଲମ୍ବା କାର୍ଯ୍ୟନୀତି ଅନ୍ତର୍ଗତ ଡାଲ୍‌ ନିବାସୀମାନଙ୍କ ଥଇଥାନ କରାଯିବା ପ୍ରକ୍ରିୟା ଆରମ୍ଭ କରାଯାଇଥିଲା । ପ୍ରାୟ ୨୦୦୦ର ଶେଷ ପର୍ଯ୍ୟାୟଠାରୁ ଆଜି ପର୍ଯ୍ୟନ୍ତ ହ୍ରଦରୁ ଏକ ହଜାରରୁ ଅଧିକ ପରିବାରକୁ ରାଖ-ଏ-ଅର୍ଥଠାରେ ତତ୍କାଳୀନ ସରକାରଙ୍କ ଦ୍ୱାରା ବିକଶିତ କରାଯାଇଥିବା ଆବାସ ବନ୍ଦୋବସ୍ତକୁ ସ୍ଥାନାନ୍ତରିତ କରାଯାଇଛି । ଏହି ସ୍ଥାନ ଡାଲ୍‌ଠାରୁ ୨୦କିଲୋମିଟର ଦୂରରେ ବର୍ତ୍ତମାନର କେନ୍ଦ୍ର ଶାସିତ ଅଞ୍ଚଳର ବୂଦ୍‌ଗାମ୍‌ ଜିଲ୍ଲାରେ ଅବସ୍ଥିତ ।

ବୟସ୍କ ଚାଷୀମାନେ ଡାଲ୍‌ରେ ସେମାନଙ୍କ ଚାଷକାମ ଜାରି ରଖିଛନ୍ତି, ହେଲେ ଯୁବ ପିଢି କ୍ଷତି ହେଉଥିବା ଦର୍ଶାଇ ଏଥିରୁ ଓହରି ଯାଉଛନ୍ତି, ବୋଲି ମଧ୍ୟ ସବିର କୁହନ୍ତି ।

“ଡାଲ୍‌, ଯାହାର ପାଣି ଏକଦା କାଚକେନ୍ଦୁ ପରି ସ୍ୱଚ୍ଛ ଥିଲା, ବର୍ତ୍ତମାନ ଅତ୍ୟନ୍ତ ପ୍ରଦୂଷିତ ହୋଇଯାଇଛି । ୨୫ବର୍ଷ ପୂର୍ବେ ଆମେ ଏଠାରେ ବହୁତ ପନିପରିବା ଅମଳ କରୁଥିଲୁ,” ବୋଲି ୫୨ବର୍ଷ ବୟସ୍କ ଗୁଲାମ ମହମ୍ମଦ କୁହନ୍ତି, ଯାହାର ହ୍ରଦରେ ଅଧା ଏକରରୁ କମ୍‌ ଦେମ୍ବ ଅଛି । ସେ କୁହନ୍ତି ଯେ, ଚାରିଜଣ ସଦସ୍ୟ ବିଶିଷ୍ଟ ତାଙ୍କ ପରିବାରର ଭରଣପୋଷଣ ପାଇଁ ତାଙ୍କୁ ବହୁତ ସଂଘର୍ଷ କରିବାକୁ ପଡୁଛି, ଯେଉଁଥିରେ ତାଙ୍କ ସ୍ତ୍ରୀ, ପୁଅ ଓ ଝିଅ ଅଛନ୍ତି । “ମୋର ଗୋଟିଏ ଦିନର ଉପାର୍ଜନ ହେଉଛି ୪୦୦-୫୦୦ଟଙ୍କା ଆଉ ସେଥିରୁ ମତେ ସ୍କୁଲ୍‌ ଫି’, ଖାଦ୍ୟ, ଔଷଧ ଆଉ ଅନ୍ୟାନ୍ୟ ବାବଦକୁ ହେଉଥିବା ବ୍ୟୟ ବହନ କରିବାକୁ ପଡିଥାଏ।”

“ପ୍ରଦୂଷଣ (ଡାଲ୍‌ର) ପାଇଁ ସରକାର ଆମକୁ ଦାୟୀ କରୁଛନ୍ତି, ହେଲେ ବର୍ତ୍ତମାନ ମୂଳ ନିବାସୀଙ୍କ ମଧ୍ୟରୁ କେବଳ ଅଧା  ଏଠାରେ ରହୁଛନ୍ତି । ଯେତେବେଳେ ସମସ୍ତେ ଏଠାରେ ରହୁଥିଲେ, ସେତେବେଳେ ଏହା କିଭଳି ପରିଷ୍କାର ରହିପାରୁଥିଲା?” ବୋଲି ସେ ପଚାରନ୍ତି।

PHOTO • Muzamil Bhat

ଚାଷୀମାନେ ହ୍ରଦରୁ ହିଲ୍‌ ବାହାର କରୁଛନ୍ତି, ଯାହାକୁ ସେମାନେ ପ୍ରଥମେ ଶୁଖାଇବେ ଆଉ ତା’ପରେ ସେମାନଙ୍କ ଫସଲରେ ସାର ଭାବେ ପ୍ରୟୋଗ କରିବେ

PHOTO • Muzamil Bhat

ଜଣେ ଚାଷୀ ଡାଲ୍‌ର ନିଜିନ୍‌ ଅଞ୍ଚଳରୁ ହିଲ୍‌ ନେଇ ଯାଉଛନ୍ତି

PHOTO • Muzamil Bhat

ଚାଷୀମାନେ ମୋତି ମୋହଲ୍ଲା ଖୁର୍ଦ୍ଦରେ ଥିବା ସେମାନଙ୍କ ଭାସମାନ ବଗିଚାରେ ହାଖ୍‌ ରୋପଣ କରୁଛନ୍ତି

PHOTO • Muzamil Bhat

ହ୍ରଦରେ ଗୁଲାମ୍‌ ମହମ୍ମଦ ତାଙ୍କ ଦେମ୍ବ ବଗିଚାରେ କାର୍ଯ୍ୟ କରୁଛନ୍ତି । ୨୫ ବର୍ଷ ପୂର୍ବେ ଆମେ ଅଧିକ ପନିପରିବା ଆଦାୟ କରୁଥିଲୁ , ବୋଲି ସେ କୁହନ୍ତି

PHOTO • Muzamil Bhat

ମୋତି ମୋହଲ୍ଲା ଖୁର୍ଦ୍ଦରେ ଜଣେ ମହିଳା ଚାଷୀ ତାଙ୍କ ବଗିଚାରେ ସଲ୍‌ଗମ୍‌ ମଞ୍ଜି ବୁଣୁଛନ୍ତି

PHOTO • Muzamil Bhat

ନଜିର ଅହମଦ (କଲା ପୋଷାକରେ) ହେଉଛନ୍ତି ସେହି ଚାଷୀମାନଙ୍କ ମଧ୍ୟରୁ ଜଣେ ଯେଉଁମାନଙ୍କୁ ଡାଲ୍‌ରୁ ସ୍ଥାନାନ୍ତରିତ କରାଯାଇଥିଲା । ସେ ହ୍ରଦଠାରୁ କିଛି କିଲୋମିଟର ଦୂରରେ ଶ୍ରୀନଗରର ଲାଲ୍‌ ବଜାର ଅଞ୍ଚଳରେ ଥିବା ବୋଟା କଡାଲ୍‌ରେ ରହୁଛନ୍ତି

PHOTO • Muzamil Bhat

ଚାଷୀ ଅବ୍‌ଦୁଲ୍‌ ମଜିଦ୍‌ ମୋତି ମୋହଲ୍ଲା ଖୁର୍ଦରେ ଥିବା ତାଙ୍କ ଭାସମାନ ବଗିଚାରେ ଚାଷ କରିଥିବା ଶାଗ ଆଦାୟ  କରୁଛନ୍ତି

PHOTO • Muzamil Bhat

ଚାଷୀମାନେ ସେମାନଙ୍କ ଆଦାୟକୁ ବୋଟ୍‌ ସହାୟତାରେ ଗୁଦ୍ଦେ ରରେ ବିକ୍ରି କରିବାକୁ ଆଣନ୍ତି, ଯାହା ହେଉଛି ଡାଲ୍‌ରେ ଅବସ୍ଥିତ ଏକ ଭାସମାନ ପନିପରିବା ବଜାର, ଯେଉଁଠାରୁ ଏହା ଶ୍ରୀନଗର ସହରର ବିଭିନ୍ନ ବଜାରରେ ପହଞ୍ଚିଥାଏ

PHOTO • Muzamil Bhat

ଗୁଦ୍ଦେର ର ପରିବା ପରିବାବିକାଳିମାନେ । ପ୍ରାତଃ କାଳରେ ପନିପରିବା କ୍ରୟ ବିକ୍ରୟ କାମ ହୋଇଥାଏ, ଯାହା ଶୀତ ସମୟରେ ପୂର୍ବାହ୍ନ ୫ ରୁ ୭ ମଧ୍ୟରେ ଆଉ ଖରାରେ ପୂର୍ବାହ୍ନ ୪-୬ଟା ମଧ୍ୟରେ ସଂଗଠିତ ହୋଇଥାଏ

PHOTO • Muzamil Bhat

ଚାଷୀମାନେ ସେମାନଙ୍କ ପନିପରିବା ସହରରୁ ଆସିଥିବା ବ୍ୟବସାୟୀମାନଙ୍କୁ ବିକ୍ରି କରିଥାନ୍ତି, ଯେଉଁମାନେ ପରେ ଏଗୁ ଡ଼ି କୁ ମଣ୍ଡିରେ ଆଉ ବୁଲାବିକାଳିମାନଙ୍କୁ ବିକ୍ରି କରିଥାନ୍ତି

PHOTO • Muzamil Bhat

ମହମ୍ମଦ ମକବୁଲ୍‌ ମାତ୍ତୋ ଡାଲ୍‌ରେ ଗୁଦ୍ଦେର ଠାରେ ଏକ ଶୀତ ସକାଳରେ ପରିବା ବିକ୍ରି କରୁଛନ୍ତି

ଅନୁବାଦ: ଓଡ଼ିଶାଲାଇଭ୍‍

Muzamil Bhat

मुज़मिल भट, श्रीनगर के स्वतंत्र फ़ोटो-पत्रकार व फ़िल्मकार हैं, और साल 2022 के पारी फ़ेलो रह चुके हैं.

की अन्य स्टोरी Muzamil Bhat
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

की अन्य स्टोरी OdishaLIVE