ପ୍ରିୟଙ୍କା ମଣ୍ଡଳ ତାଙ୍କ ସ୍ମୃତି ଦ୍ୱାରା ଖୁବ୍‌ ଦୁଃଖିତ ହୋଇ ଧୀରେ କହିଥିଲେ, ‘‘ମୁଁ ଭାବୁଛି ବାବା ମୋ ସହ ଏଠି ଥାଆନ୍ତେ କି ।’’ ରଜତ ଜୁବିଲି ଗ୍ରାମରେ ଥିବା ତାଙ୍କ ସ୍ୱାମୀଙ୍କ ଘରକୁ ନେବା ପାଇଁ ଅପେକ୍ଷା କରିଥିବା ଗୋଲାପୀ ଏବଂ ନୀଳ ପାଲିଙ୍କିରେ ସେ ଝିଲ୍‌ମିଲ୍‌ କରୁଥିବା ଲାଲ୍ ଏବଂ ସୁନେଲି ରଙ୍ଗର ପୋଷାକ ଏବଂ କୋଳରେ ଫୁଲ ସହ ବସିଥିଲେ ।

ପ୍ରିୟଙ୍କା, ୨୩ ମଧ୍ୟ ପଶ୍ଚିମବଙ୍ଗର ଦକ୍ଷିଣ ୨୪ ପ୍ରଗଣା ଜିଲ୍ଲାରେ ଥିବା ଏହି ଗ୍ରାମର ବାସିନ୍ଦା। ସେ ଡିସେମ୍ବର ୭, ୨୦୨୦ରେ ୨୭ ବର୍ଷ ବୟସ୍କ ହିରଣ୍ମୟ ମଣ୍ଡଳଙ୍କୁ ବିବାହ କରିଥିଲେ। ହିରଣ୍ମୟ ପାଖ ଘରେ ରହୁଥିଲେ ଏବଂ କୋଲକାତାର ଏକ ଖୁଚୁରା ପୋଷାକ ଦୋକାନରେ ଜଣେ ଫ୍ଲୋର୍‌ ଏକ୍‌ଜିକ୍ୟୁଟିଭ୍‌ ଭାବରେ କାର୍ଯ୍ୟ କରୁଥିଲେ। ସେମାନେ ପରସ୍ପରକୁ ପ୍ରେମ କରୁଥିଲେ ଏବଂ ୨୦୧୯ରେ ବିବାହ କରିବା ପାଇଁ ଯୋଜନା କରିଥିଲେ ।

କିନ୍ତୁ ସୁନ୍ଦରବନର ଲାହିରିପୁର ଗ୍ରାମ ପଞ୍ଚାୟତରେ ଥିବା ଏହି ଗ୍ରାମରେ ସେମାନଙ୍କର ବିବାହ ଅଟକିଯିବାକୁ ବାଧ୍ୟ ହୋଇଥିଲା ଯେତେବେଳେ ପ୍ରିୟଙ୍କାଙ୍କ ୪୫ ବର୍ଷ ବୟସ୍କ ପିତା ଅର୍ଜୁନ ମଣ୍ଡଳ ଜୁଲାଇ ୨୯, ୨୦୧୯ରେ ଗୋଟିଏ ବାଘ ଦ୍ୱାରା ନିହତ ହୋଇଥିଲେ । ଜଣେ ମତ୍ସ୍ୟଜୀବୀ ଥିବା ଅର୍ଜୁନ ନିତିଦିନ ପରି ସୁନ୍ଦରବନର ବ୍ୟାଘ୍ର ସଂରକ୍ଷଣ କ୍ଷେତ୍ରର କେନ୍ଦ୍ରସ୍ଥଳରେ ଥିବା ପିର୍‌ଖାଲି ଗାଜି ଜଙ୍ଗଲ କ୍ଷେତ୍ରକୁ କଙ୍କଡ଼ା ଧରିବା ପାଇଁ ଯାଇଥିଲେ । ତାଙ୍କ ଶରୀରର ଅବଶେଷ କେବେବି ମିଳିନଥିଲା ।

ଅର୍ଜୁନ ପ୍ରତ୍ୟେକ ଥର କଙ୍କଡ଼ା ଧରିବା ପାଇଁ ଜଙ୍ଗଲକୁ ଯିବା ସମୟରେ ତାଙ୍କ ପରିବାର ସେ ନିରାପଦରେ ଫେରିବା ନେଇ ଭୟ ମଧ୍ୟରେ ରହୁଥିଲେ । ଅର୍ଜୁନ ଜୁଲାଇ ୨୦୧୯ରେ ତାଙ୍କ ଶେଷ ଶିକାର ଯାତ୍ରାରେ ଯିବା ସମୟରେ ତାଙ୍କ ମନରେ ଝିଅର ବିବାହର ଚିନ୍ତା ଥିଲା ।

ତାଙ୍କ ପତ୍ନୀ ପୁଷ୍ପା କୁହନ୍ତି, ‘‘ପ୍ରିୟଙ୍କାର ବିବାହ ପାଇଁ ଆମର ଅର୍ଥ ଆବଶ୍ୟକ ଥିଲା। ଅର୍ଜୁନ ଜଙ୍ଗଲକୁ ଯିବା ଏଡ଼ାଇ ପାରିନଥିଲେ । କିନ୍ତୁ ତାଙ୍କୁ ପୂର୍ବରୁ ଆଭାସ ମିଳିବା ପରି ମନେ ହେଉଥିଲା ଯେମିତିକି କିଛି ଖରାପ ହେବାକୁ ଯାଉଛି ।’’

PHOTO • Ritayan Mukherjee

ପ୍ରିୟଙ୍କା ମଣ୍ଡଳ ତାଙ୍କ ବିବାହ ଉତ୍ସବ ପୂର୍ବରୁ ତାଙ୍କ ସ୍ୱର୍ଗୀୟ ପିତାଙ୍କ ଫଟୋରେ ପୁଷ୍ପମାଲ୍ୟ ଦେଉଛନ୍ତି

ଅର୍ଜୁନଙ୍କ ହଠାତ୍‌ ମୃତ୍ୟୁ ସହିତ ତାଙ୍କ ପତ୍ନୀଙ୍କ କାନ୍ଧରେ ପରିବାର ଚଳାଇବା ଏବଂ ସେମାନଙ୍କ ଝିଅ ପ୍ରିୟଙ୍କା ଓ ପୁଅ ରାହୁଲର ଦାୟିତ୍ୱ ପଡ଼ିଥିଲା । ସେ କୁହନ୍ତି, ‘‘ପ୍ରିୟଙ୍କାର ବିବାହ ତା’ ବାପାଙ୍କ ସ୍ୱପ୍ନ ଥିଲା । ମୁଁ ଜାଣିଥିଲି ମୁଁ ଏହାକୁ ଯେ କୌଣସି ମତେ ପୂରଣ କରିବି । ମୁଁ ତା’କୁ କେତେ ଦିନ ଅପେକ୍ଷା କରାଇଥାଆନ୍ତି ?’’  ବିବାହରେ ପ୍ରାୟ ଟ. ୧୭୦,୦୦୦ ଖର୍ଚ୍ଚ ହୋଇଥିଲା – ଏହା ୩୦ ଦଶକର ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ପୁଷ୍ପାଙ୍କ ପାଇଁ ଏକ ଖୁବ୍‌ ବଡ଼ ପରିମାଣର ଅର୍ଥ ଥିଲା ।

ଅର୍ଜୁନଙ୍କ ମୃତ୍ୟୁର ଆଘାତ, ପରିବାରର ଅନିଶ୍ଚିତ ଆର୍ଥିକ ସ୍ଥିତି ଏବଂ ତାଙ୍କ ସନ୍ତାନମାନଙ୍କର ଏକମାତ୍ର ଅଭିଭାବକ ହେବା ପୁଷ୍ପାଙ୍କ ସ୍ୱାସ୍ଥ୍ୟକୁ ଖୁବ୍‌ ପ୍ରଭାବିତ କରିଥିଲା। ସେ କ୍ରମାଗତ ଚାପରେ ରହୁଥିଲେ ଏବଂ ଅବସାଦଗ୍ରସ୍ତ ହୋଇଯାଇଥିଲେ । ମେ’ ୨୦, ୨୦୨୦ରେ ହୋଇଥିବା ଅମ୍ଫାନ୍‌ ବାତ୍ୟା ପରିସ୍ଥିତିକୁ ଆହୁରି ଖରାପ କରିଦେଇଥିଲା ଏବଂ କୋଭିଡ୍‌-୧୯ ମହାମାରୀ ତାଙ୍କର ଚିନ୍ତା ଏବଂ ଉଦ୍‌ବେଗକୁ ଅଧିକ ତୀକ୍ଷଣ କରିଥିଲା । ତାଙ୍କର ରକ୍ତଚାପ ଅସ୍ଥିର ହେବା ଆରମ୍ଭ କରିଥିଲା ଏବଂ ସେ ପୁଷ୍ଟିକର ଭୋଜନ ଅଭାବରୁ ରକ୍ତହୀନତାର ଶିକାର ହୋଇଥିଲେ । ପୁଷ୍ପା କହିଥିଲେ, ‘‘ଏହି ଲକ୍‌ଡାଉନ୍‌ ସମୟରେ ଅନେକ ଦିନ ଆମେ ଠିକ୍ ଭାବରେ ଖାଇବାକୁ ମଧ୍ୟ ପାଇନଥିଲୁ ।’’

ତାଙ୍କ ବାପାଙ୍କ ମୃତ୍ୟୁ ପରେ, ମାତ୍ର ୨୦ ବର୍ଷ ବୟସ ହୋଇଥିବା ରାହୁଲ୍‌ ମଧ୍ୟ ପରିବାର ପାଇଁ ଅଧିକ ଆୟ କରିବା ନିମନ୍ତେ ଚାପରେ ଥିଲେ । ସେ ଚାଷଜମି ଏବଂ ନିର୍ମାଣ ସ୍ଥାନଗୁଡ଼ିକରେ ଦିନ ମଜୁରିଆ ଶ୍ରମିକ ଭାବରେ କାମ କରିବା ଆରମ୍ଭ କରିଥିଲେ। ତାଙ୍କ ମାଆଙ୍କର ଖରାପ ସ୍ୱାସ୍ଥ୍ୟ ତାଙ୍କୁ ଅଧିକ କାର୍ଯ୍ୟ କରିବାକୁ ବାଧ୍ୟ କରିଥିଲା । ଲକ୍‌ଡାଉନ୍‌ ତାଙ୍କ କାର୍ଯ୍ୟକୁ ପ୍ରଭାବିତ କରିବାର କେଇ ମାସ ପୂର୍ବରୁ ସେ ଛୋଟମୋଟ କାମ କରି ଟ. ୮,୦୦୦ ଜମା କରିଥିଲେ – ସେସବୁ ବିବାହରେ ଖର୍ଚ୍ଚ କରିଦେଇଥିଲେ ।

ପୁଷ୍ପା ସେମାନଙ୍କର ଘର – ମାତ୍ର ଦୁଇଟି ଛୋଟ କୋଠରୀ ଏବଂ ଗୋଟିଏ ରୋଷେଇ ଘର – ଜଣେ ସ୍ଥାନୀୟ ସାହୁକାରଙ୍କଠାରୁ ବାର୍ଷିକ ୩୪ ପ୍ରତିଶତ ସୁଧରେ ଟ. ୫୦,୦୦୦ ଋଣ ପାଇଁ ବନ୍ଧା ପକାଇଥିଲେ । ଯଦି ତାଙ୍କ ପରିବାର ଛଅ ମାସରେ ଋଣ ପରିମାଣର ଅଧା ଫେରାଇ ପାରିବେ ସେମାନଙ୍କୁ ହୁଏତ ଏହା ପରିଶୋଧ କରିବା ପାଇଁ ଆଉ ଛଅ ମାସ ସମୟ ମିଳିବ । ପୁଷ୍ପା କହିଥିଲେ, ‘‘ଯଦି ଆମେ ଏହି ଅର୍ଥ ଫେରାଇ ପାରିବୁ ନାହିଁ, ମୋର ଭୟ ଆମେ ହୁଏତ ଘର ରଖିବାକୁ ସମର୍ଥ ହେବୁ ନାହିଁ । ଆମେ ରାସ୍ତାକୁ ଆସିଯିବୁ ।’’

କିନ୍ତୁ କିଛି ଭଲ ଜିନିଷ ଅଛି ଯେଉଁଥିପାଇଁ ସେ କୃତଜ୍ଞ । ସେ କୁହନ୍ତି, ‘‘ହିରଣ୍ମୟ [ତାଙ୍କ ଜ୍ୱାଇଁ] ଜଣେ ଭଲ ମଣିଷ । ଯେତେବେଳେ ଲକ୍‌ଡାଉନ୍‌ ଚାଲିଥିଲା ସେ ଆମକୁ ପ୍ରକୃତରେ ସାହାଯ୍ୟ କରିଥିଲେ । ସେ ଘରକୁ ଆସନ୍ତି, କିଣାକିଣି କରିଦିଅନ୍ତି ଏବଂ ଶୀଘ୍ର ଚାଲିଯାଆନ୍ତି । ସେ ସମୟରେ ସେ ଦୁହେଁ ବିବାହ ମଧ୍ୟ କରିନଥିଲେ । ତାଙ୍କ ପରିବାର ଯୌତୁକ ମଧ୍ୟ ଦାବି କରିନଥିଲେ ।’’

PHOTO • Ritayan Mukherjee

ପୁଷ୍ପା ମଣ୍ଡଳ ଏକ ସ୍ଥାନୀୟ ଅଳଙ୍କାର ଦୋକାନରୁ ବଙ୍ଗୀୟ ବଧୂମାନେ ପରିଧାନ କରୁଥିବା ପ୍ରବାଳ ଚୁଡ଼ି , ପୋଲା କିଣୁଛନ୍ତି । ମୁଁ କେବେ ଭାବିନଥିଲି ମୋତେ ଏହା ନିଜେ କରିବାକୁ ହେବ ’, ସେ କୁହନ୍ତି

ବିବାହ ଦିନ ପ୍ରିୟଙ୍କା ତାଙ୍କର ଉଜ୍ଜ୍ୱଳ ସବୁଜ, ଲାଲ୍ ଏବଂ ସୁନେଲି ରଙ୍ଗର ଶାଢ଼ୀ ସହିତ ସୁନେଲି ଗହଣା ପିନ୍ଧିଥିଲେ ଏବଂ ବିବାହ ବେଶଭୂଷାରେ ଥିଲେ । ସେ ଜାଣିନଥିଲେ ଯେ ତାଙ୍କ ବିବାହର ଖର୍ଚ୍ଚ ବହନ କରିବା ପାଇଁ ସେମାନଙ୍କ ଘର ବନ୍ଧା ପଡ଼ିଛି ।

ସନ୍ଧ୍ୟାରେ ମଣ୍ଡଳଙ୍କ ଆବାସରେ ୩୫୦ ଅତିଥି ପହଞ୍ଚିଥିଲେ । ଏହି ଘର ଧପ୍‌ଧପ୍‌ ହେଉଥିବା ହଳଦିଆ ଆଲୋକରେ ସଜା ହୋଇଥିଲା, ଏଠାରେ ଏକତ୍ରିତ ହୋଇଥିବା ଲୋକମାନଙ୍କ ଦ୍ୱାରା ଆହୁରି ଉଜ୍ଜ୍ୱଳ ହୋଇଯାଇଥିଲା । ସେମାନେ ଥିଲେ ମତ୍ସ୍ୟଜୀବୀ ପୁରୁଷ ଓ ମହିଳା, ମହୁ ସଂଗ୍ରହକାରୀ, ଶିକ୍ଷକମାନେ, ନୌକା ତିଆରି କରୁଥିବା ଲୋକମାନେ, ଲୋକ ସଂଗୀତଜ୍ଞ ଏବଂ ନୃତ୍ୟ କଳାକାର । ସମସ୍ତେ ଅର୍ଜୁନଙ୍କୁ ସୁନ୍ଦରବନର ଜନତା ଏବଂ ସେମାନଙ୍କ ଦୁଃଖ ସହ ନିବିଡ଼ ଭାବରେ ଜଡ଼ିତ ବ୍ୟକ୍ତି ଭାବରେ ଜାଣିଥିଲେ, କେହି ଜଣେ ଯେ କି ପ୍ରକୃତରେ ସେମାନଙ୍କ ଜୀବନ ଏବଂ ମଙ୍ଗଳ ପାଇଁ ଯତ୍ନବାନ୍‌ ଥିଲା ।

ବିବାହ ଉତ୍ସବରେ ଯୋଗ ଦେଇଥିବା ଅନେକ ମହିଳା ରୋଷେଇ କରୁଥିଲେ ଏବଂ ଅନ୍ୟ ବ୍ୟବସ୍ଥାଗୁଡ଼ିକରେ ସାହାଯ୍ୟ କରୁଥିଲେ । ଗୋଟିଏ ସମୟରେ ଖୁବ୍‌ ଆନନ୍ଦିତ ଏବଂ ଚାପଗ୍ରସ୍ତ ହୋଇ ପୁଷ୍ପା ବିବାହ ସମୟରେ ଥରକୁରୁ ଅଧିକ ଥର ଅଚେତ ହୋଇଯାଇଥିଲେ, କିନ୍ତୁ ଆଶ୍ୱସ୍ତ ଥିଲେ ଯେ ଶେଷରେ ହିରଣ୍ମୟ ଓ ପ୍ରିୟଙ୍କାଙ୍କର ବିବାହ ହେଲା ।

ଉତ୍ସବ ସରିଯିବା ପରେ, ପୁଷ୍ପାଙ୍କୁ ଋଣଦାତାମାନଙ୍କ କଥା ବୁଝିବାକୁ ହୋଇଥିଲା – ଡେକୋରେଟର ଏବଂ ଇଲେକ୍ଟ୍ରିସିଆନମାନଙ୍କୁ ଟ. ୪୦,୦୦୦ ପୈଠ କରିବାକୁ ହୋଇଥିଲା । ରାହୁଲ୍ କୁହନ୍ତି, ‘‘ମୋ ମାଆଙ୍କ ସ୍ୱାସ୍ଥ୍ୟ ଆହୁରି ଖରାପ ହେବ ଯେତେବେଳେ ଲୋକମାନେ ଟଙ୍କା ମାଗିବା ପାଇଁ ଆସିବେ । ମୁଁ ରୋଜଗାର କରିବା ପାଇଁ ଅଧିକ କାମ କରିବି ।’’

ପୁଷ୍ପାଙ୍କୁ ମଧ୍ୟ ଅର୍ଜୁନଙ୍କ ମୃତ୍ୟୁ ପରେ କ୍ଷତିପୂରଣ ପାଇଁ ସେ ଯେଉଁ ଆବେଦନ କରିଥିଲେ ସେଥିନିମନ୍ତେ ରାଜ୍ୟ ଅମଲାତନ୍ତ୍ର ସହିତ ଏକ କଷ୍ଟକର ଯୁଦ୍ଧ ଲଢ଼ିବାର ଅଛି । ବାଘ ଆକ୍ରମଣର ଶିକାର ହୋଇଥିବା ବ୍ୟକ୍ତିଙ୍କ ପରିବାର ପଶ୍ଚିମବଙ୍ଗ ଜଙ୍ଗଲ ବିଭାଗ, ମତ୍ସ୍ୟ ବିଭାଗ ଏବଂ ରାଜ୍ୟର ଗୋଷ୍ଠୀ ବ୍ୟକ୍ତିଗତ ଦୁର୍ଘଟଣା ବୀମା ଯୋଜନାଠାରୁ ପ୍ରାୟ ଟ. ୪-୫ ଲକ୍ଷ ପାଇବାକୁ ହକ୍‌ଦାର

PHOTO • Ritayan Mukherjee

ଅର୍ଜୁନଙ୍କ ମୃତ୍ୟୁ ପରେ କ୍ଷତିପୂରଣ ନିମନ୍ତେ ତାଙ୍କ ଦାବିର ପରବର୍ତ୍ତୀ ଶୁଣାଣି ପାଇଁ ପୁଷ୍ପାଙ୍କୁ କୋଲକାତାରେ ଯୋଗ ଦେବା ପାଇଁ ସ୍ଥାନୀୟ ଜିଲ୍ଲା ଆଇନ ସେବା କର୍ତ୍ତୃପକ୍ଷଙ୍କଠାରୁ ଏକ ପତ୍ର ଆସି ପହଞ୍ଚିଛି

କିନ୍ତୁ ଅମଲାତନ୍ତ୍ରର ଗୋରଖଧନ୍ଧା ଏବଂ ଆଇନଗତ ଖର୍ଚ୍ଚ ସାଧାରଣତଃ ପରିବାରଗୁଡ଼ିକୁ ଆବେଦନ କରିବାକୁ ନିରୁତ୍ସାହିତ କରିଥାଏ। ୨୦୧୭ରେ, ୨୦୧୬ ମସିହାରେ ଦାଖଲ କରାଯାଇଥିବା ସୂଚନା ଅଧିକାର ( ଆର୍‌ଟିଆଇ ) ଆବେଦନ ଜରିଆରେ ପରି ର ଏକ ତଦନ୍ତ ପ୍ରଦର୍ଶିତ କରିଥିଲା ଯେ ପୂର୍ବବର୍ତ୍ତୀ ଛଅ ବର୍ଷରେ କେବଳ ପାଞ୍ଚ ଜଣ ମହିଳା କ୍ଷତିପୂରଣ ପାଇଁ ଦାବି କରିଥିଲେ। ସେମାନଙ୍କ ମଧ୍ୟରୁ କେବଳ ତିନି ଜଣ ଏହା ପାଇଥିଲେ ଏବଂ ତାହା ମଧ୍ୟ ପୂର୍ଣ୍ଣ ପରିମାଣ ନଥିଲା ।

ଅର୍ଜୁନ ସୁନ୍ଦରବନର ସଂରକ୍ଷଣ କ୍ଷେତ୍ରକୁ କଙ୍କଡ଼ା ଧରିବା ପାଇଁ ଅନେକ ଥର ଗସ୍ତ କରୁଥିଲେ, ପ୍ରତ୍ୟେକ ଥର ଜଙ୍ଗଲ ଭିତରକୁ ୨-୩ ଦିନ ପାଇଁ ଯାଉଥିଲେ । ତାଙ୍କ ଧରିବାର ଆକାର ଅନୁଯାୟୀ ସେ ଟ. ୧୫,୦୦୦ – ୩୦,୦୦୦ ରୋଜଗାର କରୁଥିଲେ – ଯାହା ସେ ଗାଁର ଜଣେ ମଧ୍ୟସ୍ଥଙ୍କୁ ବିକ୍ରି କରୁଥିଲେ ।

ସୁନ୍ଦରବନ ଜଙ୍ଗଲର ଏକ ବିଜ୍ଞାପିତ ପ୍ରାୟ ୧,୭୦୦ ବର୍ଗ କିଲୋମିଟର ଗୁରୁତ୍ୱପୂର୍ଣ୍ଣ ବ୍ୟାଘ୍ର ଆବାସସ୍ଥଳି ବା ଅଲଂଘନୀୟ କେନ୍ଦ୍ର ଅଞ୍ଚଳ ଏବଂ ୮୮୫ ବର୍ଗକିଲୋମିଟର ବଫର୍ କ୍ଷେତ୍ର ରହିଛି । ଏହି ବଫର୍‌ କ୍ଷେତ୍ରରେ ଜଙ୍ଗଲ ବିଭାଗର ଏକ ଅନୁମତି ଓ ଏକ ବୋଟ୍‌ ଲାଇସେନ୍ସ ଦ୍ୱାରା କିଛି ଜୀବିକା ଗତିବିଧି ଯେମିତିକି ମାଛ ଏବଂ କଙ୍କଡ଼ା ଧରିବା ଏବଂ ମହୁ ଓ କାଠ ସଂଗ୍ରହ କରିବା ଅନୁମତି ଦିଆଯାଏ । କିନ୍ତୁ ନିଷିଦ୍ଧ ଅଞ୍ଚଳରେ ପ୍ରବେଶ କରିବା ଭାରି ଜୋରିମାନାକୁ ଆମନ୍ତ୍ରଣ କରିଥାଏ । ଯେ କୌଣସି ବ୍ୟକ୍ତି ସେହି କଟକଣାକୁ ଉଲ୍ଲଙ୍ଘନ କଲେ ସେମାନଙ୍କ ପରିବାର ବାଘ ଆକ୍ରମଣ ଦ୍ୱାରା ମୃତ୍ୟୁ ଘଟଣାରେ କ୍ଷତିପୂରଣ ଦାବି କରିବା ନିମନ୍ତେ ସେମାନଙ୍କର ବୈଧ ପୃଷ୍ଠଭୂମି ହରାନ୍ତି ।

ସୁନ୍ଦରବନ ଗ୍ରାମୀଣ ଉନ୍ନୟନ ସମିତିର ସଚିବ ଭାବରେ ଅର୍ଜୁନ ମଣ୍ଡଳ ଏସବୁ ବିପଦ ପ୍ରତି ଭଲ ଭାବରେ ଅବଗତ ଥିଲେ । ସେ ଏହି ଅଞ୍ଚଳରେ ବାଘ ଆକ୍ରମଣ ଦ୍ୱାରା ବିଧବା ହୋଇଥିବା ଅନେକ ମହିଳାଙ୍କ ପାଇଁ କ୍ଷତିପୂରଣ ଯୁଦ୍ଧ ଲଢ଼ିବାରେ ସକ୍ରିୟ ଭାବରେ ସଂଶ୍ଳିଷ୍ଟ ଥିଲେ – ତିନି ଦଶକରେ ଅତି କମ୍‌ରେ ୩,୦୦୦ କିମ୍ବା ବର୍ଷକୁ ପ୍ରାୟ ୧୦୦ (ସ୍ଥାନୀୟ ଲୋକମାନେ, ଅଣସରକାରୀ ଅନୁଷ୍ଠାନଗୁଡ଼ିକ ଏବଂ ଅନ୍ୟମାନଙ୍କ ଦ୍ୱାରା ହୋଇଥିବା ଆକଳନ ଅନୁଯାୟୀ) ।

ପୁଷ୍ପା କ୍ଷତିପୂରଣ ପାଇବାର ସମ୍ଭାବନା ନାହିଁ କାରଣ ଅର୍ଜୁନ ପ୍ରତିବନ୍ଧିତ କେନ୍ଦ୍ରୀୟ ଅଞ୍ଚଳରେ ମାଛ ଧରିବା ସମୟରେ ମୃତ୍ୟୁବରଣ କରିଥିଲେ । ଏହି ଦାବିକୁ ଖାରଜ କରିବା ପାଇଁ ଜଣେ ଓକିଲ ନିଯୁକ୍ତି ଦେବା ମଧ୍ୟ ଆବଶ୍ୟକ, କୋଲକାତାକୁ ଯିବା ଏବଂ କାଗଜପତ୍ର ଏକାଠି କରିବା – ଏବଂ ତାଙ୍କର ଶକ୍ତି, ସ୍ୱାସ୍ଥ୍ୟ କିମ୍ବା ଅର୍ଥ ମଧ୍ୟ ଏଥିପାଇଁ ନାହିଁ, ବିଶେଷକରି ବିବାହରେ ହୋଇଥିବା ଋଣ ଯୋଗୁଁ ।

ରାହୁଲ ଏହି ଋଣଗୁଡ଼ିକ କିପରି ପରିଶୋଧ କରାଯିବ ସେ ନେଇ ନିଶ୍ଚିତ ନୁହଁନ୍ତି । ସେ କୁହନ୍ତି, ‘‘ଆମକୁ ଘରୋଇ ଜିନିଷ ବିକିବା ଆରମ୍ଭ କରିବା ଦରକାର ହୋଇପାରେ’’ କିମ୍ବା ଆହୁରି କଦର୍ଯ୍ୟ ଭାବରେ ତାଙ୍କ ମାଆ ଭୟ କରନ୍ତି, ରାହୁଲଙ୍କୁ ହୁଏତ ତାଙ୍କ ବାପାଙ୍କ ପରି ଜଙ୍ଗଲକୁ ଜୀବିକା ପାଇଁ ଯିବାକୁ ହେବ ।

PHOTO • Ritayan Mukherjee

୨୦ ବର୍ଷ ବୟସରେ ତାଙ୍କ ବାପାଙ୍କ ମୃତ୍ୟୁ ପରେ ପରିବାର ପାଇଁ ଆୟ କରିବାର ଚାପ ରାହୁଲ ମଣ୍ଡଳ ଅନୁଭବ କରୁଛନ୍ତି : ‘ ଆମେ ବର୍ତ୍ତମାନ ସଂଘର୍ଷ କରୁଛୁ କିନ୍ତୁ ମୋର ଆଶା ମୁଁ ଦିନେ ପରିସ୍ଥିତି ବଦଳାଇ ଦେବି

PHOTO • Ritayan Mukherjee

ରାହୁଲ ( ଡାହାଣ ) ଏବଂ ମିଥୁନ , ଜଣେ ସମ୍ପର୍କୀୟ , ପ୍ରିୟଙ୍କାଙ୍କ ବିବାହ ପାଇଁ କିଣାଯାଇଥିବା ଏକ ଆଲ୍‌ମିରା ଦୁଇ ଜଣ ସ୍ଥାନୀୟ ଲୋକଙ୍କ ସାହାଯ୍ୟରେ ଓହ୍ଲାଉଛନ୍ତି । ନିକଟସ୍ଥ ସହର ଗୋସାବାରୁ ଏକ ମାଲ୍‌ବାହୀ ବୋଟ୍ ରଜତ ଜୁବିଲି ଗାଁରେ ପହଞ୍ଚିବାକୁ ପାଞ୍ଚ ଘଣ୍ଟା ସମୟ ନେଇଥାଏ

PHOTO • Ritayan Mukherjee

ପ୍ରିୟଙ୍କା ବିବାହ ଉତ୍ସବ ଆରମ୍ଭ ହେବା ପୂର୍ବରୁ ସାଜସଜା ଦେଖୁଛନ୍ତି

PHOTO • Ritayan Mukherjee

ପୁଷ୍ପା ତାଙ୍କ ଝିଅର ବିବାହ ଦିନରେ ଆଶୀର୍ବାଦ ରୀତି ସମ୍ପାଦନ କରୁଛନ୍ତି

PHOTO • Ritayan Mukherjee

ବିବାହ ଦିବସର ସକାଳେ ବଧୂ ଦ୍ୱାରା ବଟା ହଳଦିରେ ଏକ ଆନୁଷ୍ଠାନିକ ସ୍ନାନ , ଗାୟେ ହଲଦ୍‌ ଉତ୍ସବରେ ସମ୍ପର୍କୀୟମାନେ ପ୍ରିୟଙ୍କାଙ୍କ ଉପରେ ପାଣି ଢ଼ାଳୁଛନ୍ତି

PHOTO • Ritayan Mukherjee

ଅପରାହ୍ଣରେ ଏକ ବିବାହ ପୂର୍ବ ଉତ୍ସବରେ ପ୍ରିୟଙ୍କା ଏବଂ ତାଙ୍କ ସମ୍ପର୍କୀୟମାନେ

PHOTO • Ritayan Mukherjee

ହିରଣ୍ମୟ ( ମଝି ), ଝୁମ୍ପା , ତାଙ୍କ ଦୃଷ୍ଟିହୀନ ଝିଆରୀ ( ତାଙ୍କ ଡାହାଣକୁ ), ଏବଂ ପରିବାରର ଅନ୍ୟ ସଦସ୍ୟମାନେ ବିବାହ ସ୍ଥଳ ଅଭିମୁଖେ ବାହାରିଛନ୍ତି

PHOTO • Ritayan Mukherjee

ଲୋକ କଳାକାର ନିତ୍ୟାନନ୍ଦ ସରକାର ( ବାମରୁ ଦ୍ୱିତୀୟ ) ଏବଂ ତାଙ୍କ ଗୋଷ୍ଠୀ ହିରଣ୍ମୟଙ୍କ ବିବାହ ଶୋଭାଯାତ୍ରାରେ ନୃତ୍ୟ କରୁଛନ୍ତି

PHOTO • Ritayan Mukherjee

ତାଙ୍କ ଦିବଂଗତ ଆତ୍ମା ପାଇଁ ଖାଦ୍ୟ ଅର୍ପଣ କରିବା ସମୟରେ ଅର୍ଜୁନ ମଣ୍ଡଳଙ୍କ ସମ୍ପର୍କୀୟମାନେ କାନ୍ଦୁଛନ୍ତି

PHOTO • Ritayan Mukherjee

ପୁଷ୍ପା କ୍ରମାଗତ ଅବସାଦ ଏବଂ ଚାପ ସହ ଲଢ଼ୁଛନ୍ତି । ସେ ବିବାହ ଉତ୍ସବ ସମୟରେ ଏକାଧିକ ଥର ଚେତା ହରାଇଥିଲେ

PHOTO • Ritayan Mukherjee

ସମ୍ପର୍କୀୟମାନେ ପ୍ରିୟଙ୍କାଙ୍କୁ ଏକ କାଠ ପଟାରେ ଉଠାଉଛନ୍ତି ଏବଂ ତାଙ୍କୁ ବେଦୀକୁ ନେଉଛନ୍ତି । ସେ ତାଙ୍କ ବରକୁ ଦେଖିବା ପୂର୍ବରୁ ତାଙ୍କ ମୁଖକୁ ଆବୃତ କରିବା ପାଇଁ ପାନ ପତ୍ର ଧରିଛନ୍ତି

PHOTO • Ritayan Mukherjee

ଶୁଭୋ ଦୃଷ୍ଟି ସମୟରେ ପ୍ରିୟଙ୍କା , ସେହି ମୁହୂର୍ତ୍ତ ଯେତେବେଳେ ବଧୂ ବେଦୀରେ ବର ସହ ମୁହାଁମୁହିଁ ହୋଇଥାଏ

PHOTO • Ritayan Mukherjee

ହିରଣ୍ମୟ ଏବଂ ପ୍ରିୟଙ୍କା ଶେଷରେ ବିବାହ କଲେ ଏବଂ ସେମାନେ ଉତ୍ସବ ସମୟରେ ଗ୍ଲିଟରରେ ଗାଧୋଇ ପଡ଼ିଥିଲେ

PHOTO • Ritayan Mukherjee

ପ୍ରିୟଙ୍କାଙ୍କ ବୟସ୍କା ସମ୍ପର୍କୀୟା ହିରଣ୍ମୟଙ୍କ ସହ ଥଟ୍ଟା କରୁଛନ୍ତି । ବୟସ୍କା ମହିଳାମାନେ ବରକୁ ଥଟ୍ଟାରେ ଚିଡ଼ାଇବାର ପ୍ରଥା ରହିଛି

PHOTO • Ritayan Mukherjee

ପୁଷ୍ପା ତାଙ୍କର ନବବିବାହିତା ଝିଅକୁ ଆଶୀର୍ବାଦ ଦେଉଛନ୍ତି

PHOTO • Ritayan Mukherjee

ନିତ୍ୟାନନ୍ଦ ସରକାର ବିବାହ ଉତ୍ସବରେ ତାଙ୍କ ପ୍ରଦର୍ଶନରେ ମନୋରଞ୍ଜନ କରୁଛନ୍ତି । ସେ ଜଣେ କୃଷକ ହେବା ସହ ଜଣେ କଳାକାର ମଧ୍ୟ ଯେ ବିଭିନ୍ନ ଲୋକକଳା ଯେମିତିକି ଝୁମର୍ ଗୀତ , ମାଆ ବନବିବି ନାଟକ ଏବଂ ପାଲା ଗାୟନ କରିଥାନ୍ତି

PHOTO • Ritayan Mukherjee

ନିଜ ଘରେ ରାତି କଟାଇବା ପରେ ପ୍ରିୟଙ୍କା ହିରଣ୍ମୟଙ୍କ ଘରକୁ ଯିବା ପାଇଁ ପ୍ରସ୍ତୁତ ହେଉଛନ୍ତି

PHOTO • Ritayan Mukherjee

ତାଙ୍କ ଝିଅ ଚାଲିଯିବା ଚିନ୍ତା କରି ପୁଷ୍ପା ରୋଷେଇ ଘରେ କାନ୍ଦି ଉଠୁଛନ୍ତି । ସେ କାନ୍ଦି କାନ୍ଦି କହୁଛନ୍ତି , ‘ ସେ ମୋ ପାଇଁ ସାହାରା ଥିଲା ଏବେ ସେ ସବୁଦିନ ପାଇଁ ଚାଲିଯାଉଛି , ମୁଁ ତା ବିନା କେମିତି ବଞ୍ଚିବି ?’

PHOTO • Ritayan Mukherjee

ସେମାନେ ଯିବା ପାଇଁ ପ୍ରସ୍ତୁତ ହେବା ସମୟରେ ନିଜ ଭଉଣୀ ଓ ଭିଣୋଇଙ୍କୁ ଆଲିଙ୍ଗନ କରି ରାହୁଲ ମଣ୍ଡଳ କାନ୍ଦି ଉଠୁଛନ୍ତି

PHOTO • Ritayan Mukherjee

ଲୁହଭରା ଆଖିରେ ପ୍ରିୟଙ୍କା ପାଲିଙ୍କିରେ ବସୁଛନ୍ତି ଯାହା ତାଙ୍କୁ ତାଙ୍କ ନୂଆ ଘରକୁ ନେଇଯିବ

ଏହି କାହାଣୀର ପାଠ୍ୟ ଉର୍ବଶୀ ସରକାରଙ୍କ ଦ୍ୱାରା ଲିଖିତ । ଏ ମଧ୍ୟରେ ପରି ପାଇଁ ତାଙ୍କର ନିଜ କାମରୁ ଏବଂ ରିତାୟନ ମୁଖାର୍ଜୀଙ୍କ କାମରୁ ରିପୋର୍ଟିଂ ଅନ୍ତର୍ଭୁକ୍ତ ।

ଅନୁବାଦ: ଓଡ଼ିଶାଲାଇଭ୍‍

Ritayan Mukherjee

रितायन मुखर्जी, कोलकाता के फ़ोटोग्राफर हैं और पारी के सीनियर फेलो हैं. वह भारत में चरवाहों और ख़ानाबदोश समुदायों के जीवन के दस्तावेज़ीकरण के लिए एक दीर्घकालिक परियोजना पर कार्य कर रहे हैं.

की अन्य स्टोरी Ritayan Mukherjee
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

की अन्य स्टोरी OdishaLIVE