ରଶିଦା ବେଗମଙ୍କୁ ମାତ୍ର ଆଠ ବର୍ଷ ବୟସ ହୋଇଥିବା ବେଳେ ୧୮ ଫେବୃଆରୀ ୧୯୮୩ରେ ନେଲ୍ଲୀ ନରସଂହାର ଘଟିଥିଲା। ସେଦିନର ସ୍ମୃତିକୁ ମନେ ପକାଇ ସେ କୁହନ୍ତି, ସେମାନେ ଚାରିପଟରୁ ଲୋକମାନଙ୍କୁ ଘେରି ନେଇଥିଲେ ଏବଂ ସେମାନଙ୍କୁ ଗୋଟିଏ ପଟକୁ ଦୌଡ଼ିବାକୁ ବାଧ୍ୟ କରାଗଲା। ସେମାନେ ତୀର ମାଡ଼ କଲେ; କେତେକଙ୍କ ପାଖରେ ବନ୍ଧୁକ ଥିଲା। ଏହିପରି ଭାବେ ସେମାନେ ଲୋକମାନଙ୍କୁ ହତ୍ୟା କଲେ। କିଛି ଲୋକଙ୍କ ବେକ କଟି ଯାଇଥିଲା, କିଛି ଲୋକଙ୍କ ଛାତିକୁ ଆକ୍ରମଣ କରାଯାଇଥିଲା।’’

ସେଦିନ କେନ୍ଦ୍ରୀୟ ଆସାମ ମୋରୀଗାଓଁ ଜିଲ୍ଲାର ନେଲ୍ଲୀ (ବା ନେଲି) ଇଲାକାରେ ମାତ୍ର ୬ ଘଣ୍ଟା ମଧ୍ୟରେ ହଜାର ହଜାର ବଙ୍ଗୀୟ ମୁସଲମାନମାନଙ୍କୁ ହତ୍ୟା କରି ଦିଆଯାଇଥିଲା। ଘରେ ଥିବା ରଶିଦା, ପରିବାରରେ ‘ରୁମି’ ନାମରେ ସମ୍ବୋଧିତ,  ଏହି ଗଣହତ୍ୟାରୁ ବର୍ତ୍ତି ଯାଇଥିଲେ। କିନ୍ତୁ ତାଙ୍କର ଆଖି ସାମ୍ନାରେ ତାଙ୍କର ସାନ ଚାରି ଭଉଣୀଙ୍କୁ ମାରି ଦିଆଯାଇଥିଲା ଓ ତାଙ୍କ ମା’ ଗୁରୁତର ଭାବେ ଆହତ ହୋଇଥିଲେ। ‘‘ସେମାନେ ମୋତେ ଏକ ଜାଡ଼ି (ବର୍ଚ୍ଛା)ରେ ଆକ୍ରମଣ କରିଥିଲେ ଏବଂ ମୋ ଅଣ୍ଟାକୁ ଗୁଳି ମାରିଥିଲେ। ଗୋଟିଏ ଗୁଳି ମୋ ଗୋଡ଼ରେ ଗଳି ଯାଇଥିଲା’’ ସେଦିନ କଥା ସ୍ମୃତିଚାରଣ କରି ସେ କୁହନ୍ତି।

ନେଲ୍ଲୀ (ନେଲି ଭାବେ ଉଚ୍ଚାରିତ) ଏବେ ମାରିଗାଓଁ ଜିଲ୍ଲା ଅଧୀନରେ ଆସୁଛି, ଯାହାକି ୧୯୮୯ରେ ନଗାଓଁ ଜିଲ୍ଲାରୁ ଅଲଗା ହୋଇଥିଲା। ଏହି ଗଣହତ୍ୟାରେ ସବୁଠୁ ଗୁରୁତର ଭାବେ ପ୍ରଭାବିତ ଗାଁ ମଧ୍ୟରେ ଥିଲା ଆଲିସିଙ୍ଗା, ବସୁନ୍ଧରୀ ଜାଲା, ବୋରବୋରି, ଭୁଗଦୁବା ବିଲ, ଭୁଗଦୁବା ହବି, ଖୁଲାପଥର, ମାଟିପର୍ବତ, ମୂଳାଧାରୀ, ନେଲି ଓ ସିଲଭେଟା। ସରକାରୀ ରିପୋର୍ଟରେ ମୃତ୍ୟୁସଂଖ୍ୟା ୨,୦୦୦ ଥିବା ଦର୍ଶାଯାଇଥିବା ବେଳେ ବେସରକାରୀ ଉତ୍ସ ଅନୁଯାୟୀ ଏଥିରେ ପ୍ରାୟ ୩,୦୦୦ରୁ ୫,୦୦୦ ମଧ୍ୟରେ ଲୋକ ପ୍ରାଣ ହରାଇଥିଲେ।

୧୯୭୯ରୁ ୧୯୮୫ ମଧ୍ୟରେ ବାହରୁ ଆସିଥିବା ଲୋକମାନଙ୍କ ବିରୋଧରେ ଆସାମରେ ଏକ ହିଂସାର ପର୍ଯ୍ୟାୟ ସଂଘଟିତ ହୋଇଥିଲା, ଯାହାର ଅବଧି ମଧ୍ୟରେ ଏହି ଗଣହତ୍ୟା ଘଟିଥିଲା। ଅଲ ଆସାମ ଷ୍ଟୁଡେଣ୍ଟସ୍‌ ୟୁନିଅନ (ଆସୁ) ଏବଂ ଏହାର ସହାୟକ ସଂଗଠନଗୁଡ଼ିକ ହିଂସାକାଣ୍ଡର ନେତୃତ୍ୱ ନେଇଥିଲେ। ସେମାନେ ରାଜ୍ୟରୁ ବେଆଇନ ପ୍ରବାସୀମାନଙ୍କୁ ବିତାଡ଼ିତ କରିବା ଏବଂ ସେମାନଙ୍କ ନାମ ମତଦାତା ତାଲିକାରୁ ବାଦ୍‌ ଦେବାକୁ ଦାବି କରିଥିଲେ।

ଭିଡ଼ିଓ ଦେଖନ୍ତୁ : ଇତିହାସ ପୃଷ୍ଠାରେ ଲିପିବଦ୍ଧ : ରଶିଦା ବେଗମ ନେଲ୍ଲୀ ଗଣହତ୍ୟାର ସ୍ମୃତିଚାରଣ କରିଥାନ୍ତି

ଆସୁ ଏବଂ ସାଧାରଣ ଜନତାଙ୍କ କିଛି ବର୍ଗର ବିରୋଧ ସତ୍ତ୍ୱେ ୧୯୮୩ ଫେବୃଆରୀରେ, ଇନ୍ଦିରା ଗାନ୍ଧୀଙ୍କ ନେତୃତ୍ୱାଧୀନ କେନ୍ଦ୍ର ସରକାର ଆସାମରେ ବିଧାନସଭା ନିର୍ବାଚନ ପାଇଁ ଘୋଷଣା କରିଥିଲେ।  ଆସୁ ଏହି ନିର୍ବାଚନକୁ ବର୍ଜନ କରିବା ଲାଗି ଆହ୍ୱାନ କରିଥିଲା। ତଥାପି କିଛି ବଙ୍ଗୀୟ ମୁସଲମାନମାନେ ଫେବୃଆରୀ ୧୪ ତାରିଖରେ ଅନୁଷ୍ଠିତ ନିର୍ବାଚନରେ ମତଦାନ କରିଥିଲେ। ଏହି ସମୁଦାୟ ଅନେକ ବର୍ଷ ଧରି ବିଦେକ୍ସି (ବିଦେଶୀ) ପରିଚୟ ନେଇ ରହି ଆସୁଥିଲେ ଏବଂ ଶାରୀରିକ ତଥା ମାନସିକ ହିଂସାର ଶିକାର ହୋଇଆସୁଥିଲେ। ସେମାନଙ୍କ ପାଇଁ ମତଦାନରେ ଅଂଶଗ୍ରହଣ କରିବାର ଅର୍ଥ ହେଉଛି ସେମାନେ ନିଜକୁ ଭାରତୀୟ ନାଗରିକ ବୋଲି ପ୍ରମାଣିତ କରିପାରିଥାନ୍ତେ ଓ ନାଗରିକତା ଅଧିକାର ଉପରେ ନିଜର ଦାବିକୁ ପ୍ରଦର୍ଶନ କରିପାରିଥାନ୍ତେ। ତେବେ, ଫେବୃଆରୀ ୧୮ ତାରିଖରେ ସେମାନଙ୍କ ସମୁଦାୟ ବିରୋଧରେ ହୋଇଥିବା ହିଂସାର ଏହା ହିଁ ତତ୍କାଳ କାରଣ ଥିଲା।

ରୁମି କୁହନ୍ତି, ‘‘ମୁଁ ଏକଦା ବିଦେଶୀଙ୍କ ବିରୋଧୀ ଆନ୍ଦୋଳନରେ ସାମିଲ ହୋଇଥିଲି। ସେତେବେଳେ ମୁଁ ବହୁତ ଛୋଟ ଥିଲି ଏବଂ ଏ ବିଷୟରେ ଅଧିକ କିଛି ଜାଣିନଥିଲି। କିନ୍ତୁ ଏ ଲୋକମାନେ ମୋତେ ମଧ୍ୟ ବିଦେଶୀ କରି ଦେଲେ, କାରଣ ମୋ ନାଁ ଏନଆରସିରେ ନାହିଁ।’’ ଆସାମରେ ୨୦୧୫ରୁ ୨୦୧୯ ମଧ୍ୟରେ ନାଗରିକତା ପରିଚୟ ପାଇଁ ଜାତୀୟ ନାଗରିକ ରେଜିଷ୍ଟ୍ରାର (ଏନଆରସି)କୁ ସଂଶୋଧନ କରିବା ଲାଗି ଅଭିଯାନ ଆରମ୍ଭ କରାଯାଇଥିଲା, ଯାହା ଫଳରେ ମୋଟ୍‌ ୧୯ ଲକ୍ଷ ଲୋକଙ୍କୁ ନାଗରିକ ତାଲିକାରୁ ବାହାର କରି ଦିଆଗଲା। ସଂଶୋଧିତ ତାଲିକାରେ ରୁମିଙ୍କ ନାମ ମଧ୍ୟ ନାହିଁ। ସେ କୁହନ୍ତି, ‘‘ମୋ ମା’, ମୋ ବାପା, ମୋ ଭାଇ-ଭଉଣୀ, ସମସ୍ତଙ୍କ ନାଁ ସେଥିରେ ରହିଛି। ଏପରିକି ମୋ ସ୍ୱାମୀ ଓ ପିଲାମାନଙ୍କ ନାଁ ମଧ୍ୟ ରହିଛି। କିନ୍ତୁ ମୋ ନାଁ ସେଥିରେ କାହିଁକି ନାହିଁ?’’

ବହୁ ଦଶନ୍ଧି ଧରି ବଙ୍ଗୀୟ ବଂଶୋଦ୍ଭବ ମୁସଲମାନ ଏବଂ କେତେକ କ୍ଷେତ୍ରରେ ବଙ୍ଗୀୟ ହିନ୍ଦୁଙ୍କର ନାଗରିକତାକୁ ନେଇ ସନ୍ଦେହ ପ୍ରକାଶ ପାଇଛି ଏବଂ ଏହାକୁ ବ୍ରିଟିଶ ଉପନିବେଶବାଦ ଓ ଭାରତୀୟ ଉପମହାଦେଶର ବିଭାଜନ ସହିତ ଯୋଡ଼ା ଯାଇଥାଏ। ରୁମି ଆଜି ମଧ୍ୟ ସେହି ପ୍ରଶ୍ନରେ ଘେରି ହୋଇ ରହିଥାନ୍ତି, ଯାହାକୁ ସେ ମାତ୍ର ଆଠ ବର୍ଷ ବୟସରେ ସମ୍ମୁଖିନ ହୋଇଥିଲେ।

ଏହି ଭିଡିଓ ‘ଫେସିଂ ହିଷ୍ଟ୍ରୀ ଏଣ୍ଡ ଓଭରସେଲ୍ଫ’ର ଅଂଶବିଶେଷ ଅଟେ, ଯାହାକୁ ସୁବଶ୍ରୀ କ୍ରିଷ୍ଣନଙ୍କ ସହାୟତାରେ ପ୍ରସ୍ତୁତ କରାଯାଇଛି। ପିପୁଲ୍ସ ଆର୍କାଇଭ୍‌ ଅଫ ରୁରଲ ଇଣ୍ଡିଆ ସହଭାଗିତାରେ ଇଣ୍ଡିଆ ଫାଉଣ୍ଡେସନ ଫର୍‌ ଦ ଆର୍ଟସର ଆର୍କାଇଭସ୍‌ ଏଣ୍ଡ ମ୍ୟୁଜିୟମ ପ୍ରୋଗ୍ରାମ ଅଧୀନରେ ଫାଉଣ୍ଡେସନ ପ୍ରୋଜେକ୍ଟ କାର୍ଯ୍ୟକାରୀ ହେଉଛି। ଏହା ଗେଟେ-ଇନଷ୍ଟିଚ୍ୟୁଟ୍‌/ମାକ୍ସ ମୁଲର ଭବନ ନୂଆଦିଲ୍ଲୀର ଆଂଶିକ ସହାୟତାରେ ସମ୍ଭବ ହୋଇପାରିଛି। ଏହି ପ୍ରକଳ୍ପ ପାଇଁ ଶେର-ଗିଲ ସୁନ୍ଦରମ ଆର୍ଟସ୍‌ ଫାଉଣ୍ଡେସନ ମଧ୍ୟ ସହାୟତା ଯୋଗାଇ ଦେଇଛି ।

ଅନୁବାଦ: ଓଡ଼ିଶାଲାଇଭ୍‍

Subasri Krishnan

सुबश्री कृष्णन एक फिल्मकार हैं, जो अपने काम के ज़रिए नागरिकता से जुड़े सवालों को उठाती हैं और उसके लिए वह लोगों की स्मृतियों, प्रवास से जुड़ी कहानियों और आधिकारिक पहचान से जुड़े दस्तावेज़ों की सहायता लेती हैं. उनका प्रोजेक्ट 'फेसिंग हिस्ट्री एंड ऑवरसेल्फ' असम राज्य में इसी तरह के मुद्दों की पड़ताल करता है. वह वर्तमान में जामिया मिलिया इस्लामिया, नई दिल्ली के ए. जे. के. मास कम्युनिकेशन रिसर्च सेंटर में पीएचडी कर रही हैं.

की अन्य स्टोरी Subasri Krishnan
Text Editor : Vinutha Mallya

विनुता माल्या पेशे से पत्रकार और संपादक हैं. वह पूर्व में पीपल्स आर्काइव ऑफ़ रूरल इंडिया की एडिटोरियल चीफ़ रह चुकी हैं.

की अन्य स्टोरी Vinutha Mallya
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

की अन्य स्टोरी OdishaLIVE