ଶୋଭା ସାହନି ଭାବିଥିଲେ ସେ ତାଙ୍କ ପୁଅର ମୃତ୍ୟୁର କାରଣ ଜାଣିଛନ୍ତି। କିନ୍ତୁ ସାତ ମାସ ପରେ ସେ ସେତେ ନିଶ୍ଚିତ ନଥିଲେ।

ଫେବ୍ରୃଆରୀ ମାସର ଏକ ଶାନ୍ତ ଅପରାହ୍ନରେ ବ୍ରହ୍ମସାରୀ ଗାଁରେ ଥିବା ନିଜର ଗୋଟିଏ କୋଠରୀ ବିଶିଷ୍ଟ ଘରର ଦୁଆର ପାଖରେ ବସି ୩୦ ବର୍ଷୀୟା ଶୋଭା ତାଙ୍କର ୬ ବର୍ଷର ପୁଅ ଆୟୁଷ କିଭଳି ଅସୁସ୍ଥ ହୋଇପଡ଼ିଥିଲା ତାହା ମନେ ପକାଇଲେ। ସେ କହିଲେ, ‘‘ତାକୁ ଜ୍ୱର ହୋଇଥିଲା ଏବଂ ପରେ ସେ ପେଟରେ ଯନ୍ତ୍ରଣା ନେଇ ଅଭିଯୋଗ କଲା।’’

୨୦୨୧ ଜୁଲାଇ ମାସର ଶେଷ ଆଡ଼କୁ ଉତ୍ତରପ୍ରଦେଶ ଗୋରଖପୁର ଜିଲ୍ଲାରେ ଥିବା ସେମାନଙ୍କର ଗାଁ ବର୍ଷାପାଣିରେ ବୁଡ଼ି ଯାଇଥିଲା। ବନ୍ୟା ସେଠାରେ ଅସାଧାରଣ କଥା ନଥିଲା। ସେ କହିଲେ, “ଏହା ପ୍ରତିବର୍ଷ ହୋଇଥାଏ। ପାଣି ନିଷ୍କାସନ ଲାଗି କୌଣସି ରାସ୍ତା ନାହିଁ।’’

ପ୍ରତି ଥର ବର୍ଷା ହେଲେ ବ୍ରହ୍ମସାରୀ ପାଣିରେ ବୁଡ଼ି ଯାଇଥାଏ ଏବଂ ଖୋଲାରେ ମଳତ୍ୟାଗ କରିବା, ପୂରା ଗାଁରେ ପଡ଼ିରହିଥିବା ଆବର୍ଜନା ଯୋଗୁ ପାଣିରେ ଗୋବର, ମଣିଷର ମଳ ମିଶିଯାଇଥାଏ । ଶୋଭା କହିଲେ, “ପାଣିରେ ମଲା ପୋକ, ମଶା ପ୍ରଭୃତି ଥାଆନ୍ତି । ମଇଳା ପାଣି ଆମ ଘର ମଧ୍ୟକୁ ପ୍ରବେଶ କରେ ଯେଉଁଠାରେ ଆମେ ଖାଦ୍ୟ ରୋଷେଇ କରୁ ।’’ “ଆମେ ପିଲାମାନଙ୍କୁ ଅଟକାଇବା ଲାଗି ଯେତେ ଚେଷ୍ଟା କଲେ ମଧ୍ୟ ପିଲାମାନେ ପାଣିରେ ଖେଳିଥାନ୍ତି । ବର୍ଷା ଦିନରେ ଏଠାରେ ଲୋକମାନେ ବହୁତ ରୋଗରେ ପଡ଼ିଥାନ୍ତି।’’

ଗତବର୍ଷ ଏହା ତାଙ୍କ ପିଲାର ପାଳି ଥିଲା । ଶୋଭା କହିଲେ, ‘‘ଆମେ ତାକୁ ପ୍ରଥମେ ବରହାଲଗଞ୍ଜ ଓ ସିକ୍ରିଗଞ୍ଜରେ ଥିବା ଦୁଇଟି ଘରୋଇ ହସ୍ପିଟାଲରେ ଚିକିତ୍ସା କରିବାକୁ ଉଦ୍ୟମ କଲୁ- କିନ୍ତୁ କିଛି ସଫଳତା ମିଳିଲା ନାହିଁ ।’’

ଏହାପରେ ଜ୍ୱର ଆସିବାର ପ୍ରାୟ ସପ୍ତାହେ ପରେ ଶୋଭା ଆୟୁଷଙ୍କୁ ମାତ୍ର ୭ କିମି ଦୂରରେ ବେଲଘାଟରେ ଥିବା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର (ସିଏଚ୍‌ସି)କୁ ନେଇଗଲେ । ସେଠାରେ ତାକୁ ବ୍ରହ୍ମସାରୀଠାରୁ ୫୦ କିମି ଦୂରରେ ଥିବା ନିକଟବର୍ତ୍ତୀ ସହର ଗୋରଖପୁରର ବାବା ରାଘବ ଦାସ ମେଡିକାଲ କଲେଜ (ବିଆର୍‌ଡି ମେଡିକାଲ କଲେଜ) କୁ ରେଫର କରାଗଲା ।

PHOTO • Parth M.N.

ଶୋଭା ସାହନି ଗୋରଖପୁର ଜିଲ୍ଲାର ବ୍ରହ୍ମସାରୀ ଗାଁରେ ନିଜ ଘର ବାହାରେ ଥିବା ଏକ ନଳକୂପରୁ ପାଣି ବାହାର କରୁଛନ୍ତି

ବିଆର୍‌ଡି ମେଡିକାଲ କଲେଜ ହେଉଛି ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ ଏକ ମେଡିକାଲ କଲେଜ ଓ ହସ୍ପିଟାଲ ଏବଂ ଏହି ଅଞ୍ଚଳରେ ଟର୍ସିଆରୀ କେୟାର ପ୍ରଦାନ କରୁଥିବା ଏକମାତ୍ର କେନ୍ଦ୍ର । ଏଠାରେ ପୂର୍ବ ଉତ୍ତରପ୍ରଦେଶ, ପଡ଼ୋଶୀ ରାଜ୍ୟ ବିହାର ଏପରିକି ନେପାଳର ରୋଗୀ ଚିକିତ୍ସିତ ହୋଇଥାନ୍ତି । ପ୍ରାୟ ୫ କୋଟି ଲୋକଙ୍କୁ ଏହା ସ୍ୱାସ୍ଥ୍ୟ ସୁବିଧା ପ୍ରଦାନର ଦାବି କରିଥାଏ । ହସ୍ପିଟାଲରେ ଅଧିକାଂଶ ସମୟରେ ଭିଡ଼ ହୋଇଥାଏ ଏବଂ ସ୍ୱାସ୍ଥ୍ୟ କର୍ମୀଙ୍କ ଉପରେ କାମର ଅଧିକ ଚାପ ଥାଏ ।

ଗୋରଖପୁର ହସ୍ପିଟାଲରେ ପହଞ୍ଚିବା ପରେ ଆୟୁଷଙ୍କୁ ବାତ ମାରିବାକୁ ଲାଗିଲା। ଶୋଭା ମନେ ପକାଇଲେ, “ଡାକ୍ତରମାନେ ତାକୁ ଏନସେଫାଲାଇଟିସ୍ ହୋଇଥିବା ଆମକୁ କହିଲେ।’’ ପ୍ରାୟ ୫ ଦିନ ପରେ, ଅଗଷ୍ଟ ୪, ୨୦୨୧ରେ, ତା’ର ମୃତ୍ୟୁ ହେଲା। କାନ୍ଦି ପକାଇବା ପୂର୍ବରୁ ସେ କହିଲେ “ତା’  ସହ ଏପରି ହେବାର ନ ଥିଲା। ମୋ’ ପୁଅ ଏକ ଭଲ ପିଲା ଥିଲା।’’

୧୯୭୮ ମସିହାରୁ ଗୋରଖପୁର ଜିଲ୍ଲା ଏନସେଫାଲାଇଟିସ୍ ଦ୍ୱାରା ପ୍ରଭାବିତ ହୋଇଆସୁଛି, ଯେତେବେଳେ ଜାପାନୀ ଏନ୍‌ସେଫାଲାଇଟିସ୍‌ (ଜେଇ)ର ପ୍ରଥମ ବଡ଼ ପ୍ରକୋପ ଆରମ୍ଭ ହୋଇଥିଲା । ୪ ଦଶନ୍ଧିରୁ ଅଧିକ ସମୟ ହେଲା ଆକ୍ୟୁଟ ଏନସେଫାଲାଇଟିସ୍ ସିଣ୍ଡ୍ରୋମ୍‌(ଏଇଏସ୍‌)ର ବାରମ୍ବାର ହେଉଥିବା ପ୍ରକୋପ ଯୋଗୁ ଏହି ଅଞ୍ଚଳରେ ହଜାର ହଜାର ଜୀବନ ଯାଇଛି ।

ମସ୍ତିଷ୍କ ଫୁଲିଯିବା ସ୍ଥିତି ସହ ଜଡ଼ିତ ଏକ ବହୁଳ ବ୍ୟବହାର ହେଉଥିବା ଶବ୍ଦ ଏଇଏସ୍ ଭାରତରେ ଏକ ଗମ୍ଭୀର ସାର୍ବଜନୀନ ସ୍ୱାସ୍ଥ୍ୟ ସମସ୍ୟା । ମଶା ଦ୍ୱାରା ପରିବାହିତ ହେଉଥିବା ଏକ ଭାଇରସ୍ ଜାପାନିଜ୍ ଏନ୍‌ସେଫାଲାଇଟିସ୍ ଭାଇରସ୍‌ (ଜେଇଭି) ଏଇଏସ୍‌ର ଏକ ପ୍ରମୁଖ କାରଣ ହୋଇଥିବାବେଳେ ରୋଗ ବିଜ୍ଞାନରେ ବିଭିନ୍ନ ପ୍ରକାର ଭାଇରସ୍ ବ୍ୟତୀତ ବ୍ୟାକ୍ଟେରିଆ, କବକ ଏବଂ ଅଣସଂକ୍ରାମକ ଏଜେଣ୍ଟ ସାମିଲ ।

ରୋଗର ବିଶେଷତ୍ୱ ଜ୍ୱରର ତୀବ୍ର ଆରମ୍ଭ, ମାନସିକ ସ୍ଥିତିରେ ପରିବର୍ତ୍ତନ (ମାନସିକ ଭ୍ରମ, ବିଭ୍ରାନ୍ତି, ପ୍ରଳାପ ବା କୋମା) ଏବଂ ବାତର ଆରମ୍ଭ । ଯଦିଓ ଏଇଏସ୍ ଯେକୌଣସି ବୟସର ଲୋକଙ୍କୁ ବର୍ଷର ଯେକୌଣସି ସମୟରେ ପ୍ରଭାବିତ କରିପାରେ, ତେବେ ମୁଖ୍ୟତଃ ଏହା ୧୫ ବର୍ଷରୁ କମ୍ ପିଲାଙ୍କୁ ପ୍ରଭାବିତ କରିଥାଏ ଏବଂ ଗୁରୁତର ଅସୁସ୍ଥତା, ବିକଳାଙ୍ଗତା ଓ ମୃତ୍ୟୁର କାରଣ ହୋଇପାରେ । ମାମଲାଗୁଡ଼ିକ ବର୍ଷା ଦିନରେ ଏବଂ ବର୍ଷା ଋତୁ ପରବର୍ତ୍ତୀ ସମୟରେ ଅଧିକ ଦେଖାଦିଏ ।

ଏବଂ ଯେଉଁ ଅଞ୍ଚଳଗୁଡ଼ିକରେ ସ୍ୱଚ୍ଛତା, ପରିମଳ ଏବଂ ସଫା ପାଣିର ଅଭାବ ଥାଏ ସେଠାରେ ରୋଗର ଆଶଙ୍କା ଅଧିକ ରହେ।

ବ୍ରହ୍ମସାରୀରେ ଏସବୁ ସମସ୍ୟା ରହିଛି ।

PHOTO • Parth M.N.

ବନ୍ୟା ଆବର୍ଜନା ଏବଂ କାଦୁଅ ବ୍ରହ୍ମସାରୀକୁ ଏନ୍‌ସେଫାଲାଇଟିସ୍ କାରଣରୁ ହେଉଥିବା ସଂକ୍ରମଣ କବଳରେ ପକାଏ

ଆୟୁଷ ଏନ୍‌ସେଫାଲାଇଟିସ୍‌ରେ ପୀଡ଼ିତ ଥିଲେ ବୋଲି ନିଶ୍ଚିତ ହେବା ଲାଗି, ଆମେ ବିଆାର୍‌ଡି ମେଡିକାଲ କଲେଜ ପକ୍ଷରୁ ଦିଆଯାଇଥିବା ତାଙ୍କର ମୃତ୍ୟୁ ସାର୍ଟିଫିକେଟ୍ ଦେଖିବାକୁ ମାଗିଲୁ । ଶୋଭା କହିଲେ, “ତାହା ମୋ’ର ଦିଅରଙ୍କ ପାଖରେ ଅଛି।’’ “ତାଙ୍କ ନମ୍ବର ନିଅନ୍ତୁ ଓ ତାଙ୍କୁ ହ୍ୱାଟସ୍ ଆପ୍‌ରେ ତାକୁ ପଠାଇବାକୁ କୁହନ୍ତୁ ।’’

ଆମେ ତାହା କଲୁ, ଏବଂ କେଇ ମିନିଟ୍ ଭିତରେ ଫୋନ୍ ବାଜିଲା। ସେହି ଦସ୍ତାବିଜରେ ସେ ଆକ୍ୟୁଟ ମେନିନ୍‌ଜାଇଟିସ୍‌ରେ ପୀଡ଼ିତ ଥିଲେ ଏବଂ କାର୍ଡିଓ ପଲ୍ୟୁମ୍‌ନାରୀ ଆରେଷ୍ଟ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିବା ଲେଖାଥିଲା। ଶୋଭା ଆଶ୍ଚର୍ଯ୍ୟ ହୋଇ କହିଲେ, “ କିନ୍ତୁ ଡାକ୍ତରମାନେ ମୋତେ କହିଥିଲେ ଯେ ଆୟୁଷ ଏନ୍‌ସେଫାଲାଇଟିସ୍ ଲାଗି ଚିକିତ୍ସିତ ହେଉଥିଲା। ସେମାନେ କିଭଳି ମୋତେ ଗୋଟିଏ କଥା କହିପାରିବେ ଏବଂ ମୃତ୍ୟୁ ସାର୍ଟିଫିକେଟ୍‌ରେ ଅନ୍ୟ କଥା ଲେଖିବେ? ’’

*****

ବାବା ରାଘବଦାସ ମେଡିକାଲ କଲେଜ ୨୦୧୭ ମସିହା ଅଗଷ୍ଟ ମାସରେ ଚର୍ଚ୍ଚାର ପରିସରକୁ ଆସିଥିଲା ଯେତେବେଳେ ହସ୍ପିଟାଲର ପାଇପ୍ ମାଧ୍ୟମରେ ଅକ୍ସିଜେନ୍ ଯୋଗାଣ ବନ୍ଦ ହୋଇଯିବାରୁ (ଅଗଷ୍ଟ ୧୦ରେ)୨ ଦିନ ବ୍ୟବଧାନରେ ୩୦ ଜଣ ପିଲାଙ୍କ ମୃତ୍ୟୁ ହୋଇଥିଲା । ରାଜ୍ୟ ସରକାର ସେତେବେଳେ ଅକ୍ସିଜେନ୍‌ର ଅଭାବ ଯୋଗୁଁ ଅଘଟଣ ଘଟିଥିବା କଥାକୁ ଖଣ୍ଡନ କରିଥିଲେ । ତା’ ବଦଳରେ, ସରକାର ମୃତ୍ୟୁ ଏନ୍‌ସେଫାଲାଇଟିସ୍ ସମେତ ସ୍ୱାଭାବିକ କାରଣରୁ ହୋଇଥିବା ଦର୍ଶାଇଥିଲେ । ଅଗଷ୍ଟ ୭ରୁ ୯ ମଧ୍ୟରେ ସମାନ ସଂଖ୍ୟକ ପିଲାଙ୍କ ମୃତ୍ୟୁ ହୋଇଥିବା ସରକାର ଦର୍ଶାଇଥିଲେ ।

ହସ୍ପିଟାଲର ଅଧିକ ସଂଖ୍ୟକ ମୃତ୍ୟୁରେ କୌଣସି ବିସଙ୍ଗତି ନଥିଲା ।

୨୦୧୨ ପରଠାରୁ ଅଗଷ୍ଟ ୨୦୧୭ ଘଟଣା ଯାଏ ୩୦୦୦ରୁ ଊର୍ଦ୍ଧ୍ୱ ପିଲା ବିଆରଡି ମେଡିକାଲ କଲେଜରେ ପ୍ରାଣ ହରାଇଥିଲେ । ସେମାନେ ସେଠାରେ ଜୀବନ ହରାଇଥିବା ୫୦ ହଜାର ପିଲାଙ୍କ ମଧ୍ୟରୁ ଅନ୍ୟତମ -ସେମାନଙ୍କ ମଧ୍ୟରୁ ଅଧିକାଂଶ ଜେଇ ବା ଏଇଏସ୍ କାରଣରୁ ଅଘଟଣର ୩ ଦଶନ୍ଧି ପୂର୍ବରୁ ପ୍ରାଣ ହରାଇଥିଲେ । ୨୦୧୭ରେ ହୋଇଥିବା ମୃତ୍ୟୁ ଗୋରଖପୁର ଓ ତା’ର ସବୁଠୁ ବ୍ୟସ୍ତ ହସ୍ପିଟାଲ ଯାହାକି ସେହି ଅଞ୍ଚଳର ସବୁ ଏଏଇଏସ୍ ରୋଗୀଙ୍କର ଚିକିତ୍ସା କରିଥାଏ ତାକୁ ଚିନ୍ତିତ କରିଦେଇଥିଲା ।

ଏହା ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଲାଗି ଏକ ଚିନ୍ତାର କାରଣ ହୋଇ ରହିଛି ଯାହାଙ୍କ ପାଇଁ ଗୋରଖପୁର ଘରୋଇ କ୍ଷେତ୍ର ଅଟେ । ମୁଖ୍ୟମନ୍ତ୍ରୀ ହେବା ପୂର୍ବରୁ ସେ ୧୯୯୮ ମସିହାରୁ ଗୋରଖପୁର ସଂସଦୀୟ କ୍ଷେତ୍ରକୁ ଲଗାତର ୫ଥର ପ୍ରତିନିଧି ତ୍ୱ କରିଥିଲେ ।

ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଅଧିକାରୀମାନଙ୍କ ଅନୁସାରେ, ୨୦୧୭ର ଘଟଣା ପରେ ମୁଖ୍ୟମନ୍ତ୍ରୀ ଏନ୍‌ସେଫାଲାଇଟିସ୍‌କୁ ନିୟନ୍ତ୍ରଣ କରିବା ଦିଗରେ ବ୍ୟକ୍ତିଗତ ଭାବେ ଆଗ୍ରହ ପ୍ରକାଶ କଲେ। ଗୋରଖପୁରର ମୁଖ୍ୟ ଚିକିତ୍ସାଧିକାରୀ (ସିଏମ୍‌ଓ) ଡାକ୍ତର ଆଶୁତୋଷ ଦୁବେ କହିଲେ, ‘‘ଆମେ ପ୍ରଭାବିତ ଅଞ୍ଚଳଗୁଡ଼ିକରେ ମଶା ବଂଶ ବୃଦ୍ଧି ରୋକିବା ଲାଗି ସକ୍ରିୟ ଭାବେ ସିଞ୍ଚନ (କୀଟନାଶକ) କରିଛୁ। ଆମେ ଏପ୍ରିଲ୍‌ରେ [ଜେଇକୁ ନିୟନ୍ତ୍ରଣ କରିବା ପାଇଁ] ଟିକାକରଣ ଅଭିଯାନ ଆରମ୍ଭ କରିଛୁ। ପୂର୍ବରୁ ଏହା ଜୁନ୍‌ ବା ଜୁଲାଇ ମାସରେ କରାଯାଉଥିଲା, ଯାହା ଫଳରେ ବହୁତ ବିଳମ୍ବ ହୋଇଯାଉଥିଲା କାରଣ ସାଧାରଣତଃ ମାମଲାଗୁଡ଼ିକ ବର୍ଷା ଦିନରେ ଅଧିକ ହୋଇଥାଏ।’’

PHOTO • Parth M.N.

ଗୋରଖପୁର ଜିଲ୍ଲାରେ ଭୂତଳ ଜଳ ମଣିଷଙ୍କ ମଳ, ଗୋବର ଏବଂ ଆବର୍ଜନା ଯୋଗୁଁ ସଂକ୍ରମିତ ହେଉଥିବାରୁ ତାହା ଅଧିକ ସଂକ୍ରମଣର କାରଣ ହୋଇଥାଏ

ଗତ କିଛି ବର୍ଷ ହେଲା, ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥ ତାଙ୍କ ସରକାର ରାଜ୍ୟରେ ଏଇଏସ୍‌କୁ ନିୟନ୍ତ୍ରଣ କରିଥିବା କହିଆସୁଛନ୍ତି । ନ୍ୟାସନାଲ୍‌ ଭେକ୍ଟର ବର୍ଣ୍ଣ ଡିଜିଜ୍‌ କଣ୍ଟ୍ରୋଲ୍‌ ପ୍ରୋଗ୍ରାମ୍‌ର ନିର୍ଦ୍ଦେଶାଳୟ ପକ୍ଷରୁ ପ୍ରକାଶିତ ତଥ୍ୟ ସେହି ଦାବିକୁ ସମର୍ଥନ କରେ ।

ଉତ୍ତରପ୍ରଦେଶରେ ଏଇଏସ୍‌ ଏବଂ ଜେଇ ମାମଲା ନିରନ୍ତର ଭାବେ କମୁଛି । ୨୦୧୭ରେ ଉତ୍ତରପ୍ରଦେଶରେ ୪,୭୪୨ ଏଇଏସ୍‌ ମାମଲା ଦେଖାଯାଇଥିଲା, ସେଥିରୁ ୬୯୩ଟି ଜେଇ ମାମଲା ଥିଲା । ମୋଟ ମୃତ୍ୟୁ ସଂଖ୍ୟା ଜେଇ ଯୋଗୁଁ ୬୫୪-୯୩ ଥିଲା ।

୨୦୨୦ରେ ରାଜ୍ୟରେ ୧,୬୪୬ଟି ଏଇଏସ୍‌ ମାମଲା ଏବଂ ୮୩ଟି ମୃତ୍ୟୁ ରେକର୍ଡ ହୋଇଥିଲା । ଏହି ପରିସଂଖ୍ୟାନ ୨୦୨୧ରେ ଉନ୍ନତ ହେଲା, ୧୬୫୭ଟି ମାମଲା ମଧ୍ୟରୁ ୫୮ଟି ମୃତ୍ୟୁ ଏବଂ ଜେଇ କାରଣରୁ କେବଳ ୪ଟି ମୃତ୍ୟୁ ହୋଇଥିଲା ।

୨୦୧୭ରୁ ୨୦୨୧ ମଧ୍ୟରେ ଏଇଏସ୍‌ ଏବଂ ଜେଇ ଫଳରେ ହୋଇଥିବା ମୃତ୍ୟୁ ସଂଖ୍ୟା ହ୍ରାସ କ୍ରମଶଃ ୯୧ ଏବଂ ୯୫ ପ୍ରତିଶତ ।

ନିକଟରେ ସମାପ୍ତ ବିଧାନସଭା ନିର୍ବାଚନରେ ତାଙ୍କର ବିଜୟର ମାସେରୁ କମ୍‌ ସମୟ ପରେ, ଆଦିତ୍ୟନାଥ ୨୦୨୨ ଏପ୍ରିଲ ୨ରେ କହିଲେ, ଯେ ତାଙ୍କ ସରକାର ରାଜ୍ୟରେ ‘‘ଏନ୍‌ସେଫାଇଲାଇଟିସ୍‌ ନିର୍ମୂଳ’’ କରିବାରେ ସଫଳ ହୋଇଛନ୍ତି ।

ତେବେ, ଆୟୁଷଙ୍କ ମାମଲାରେ, ମୃତ୍ୟୁ ପ୍ରମାଣପତ୍ରରେ ଉଲ୍ଲେଖ ମୃତ୍ୟୁର କାରଣରେ ବିସଙ୍ଗତି ସଂଖ୍ୟାର ଭୁଲ ରିପୋର୍ଟିଂ ଦର୍ଶାଏ ।

ବେଲଘାଟ ବ୍ଲକ୍‌, ଯେଉଁଠାରେ ବ୍ରହ୍ମସାରୀ ଅବସ୍ଥିତ ସେଠାକାର ସିଏଚ୍‌ସିର ଭାରପ୍ରାପ୍ତ ଅଧିକାରୀ ଡାକ୍ତର ସୁରେନ୍ଦ୍ର କୁମାର କହିଲେ ଆୟୁଷ ଏନ୍‌ସେଫାଲାଇଟିସ୍‌ ଯୋଗୁଁ ମରି ନ ଥାଇପାରନ୍ତି । ସେ କହିଲେ, ‘‘ଆପଣ କହୁଥିବା ମାମଲା ବାବଦରେ ମୁଁ ଜାଣିଛି, ଏହା ଏକ ଏଇଏସ୍‌ ମୃତ୍ୟୁ ନ ଥିଲା । ଯଦି ମୋ ଅଞ୍ଚଳରୁ ଜଣେ ଏଇଏସ୍‌ ରୋଗୀ ଭର୍ତ୍ତି ହୋଇଥାନ୍ତେ ତାହେଲେ ମେଡିକାଲ କଲେଜ ମୋତେ ସୂଚିତ କରିଥାନ୍ତା ।’’

ବାବା ରାଘବ ଦାସ ମେଡିକାଲ କଲେଜର ଅଧ୍ୟକ୍ଷ ଡାକ୍ତର ଗଣେଶ କୁମାରଙ୍କୁ ଯେତେବେଳେ ପରୀ ଫେବ୍ରୁଆରୀ ମାସରେ ଭେଟିଲା ସେ ବେଲଘାଟ ଭାରପ୍ରାପ୍ତ ଅଧିକାରୀଙ୍କ କଥାକୁ ଖଣ୍ଡନ କଲେ । ସେ କହିଲେ, ‘‘ବୈଷୟିକ ଭାବେ, ମେନିନ୍‌ଜାଇଟିସ୍‌ ମଧ୍ୟ ଏଇଏସ୍‌ ଅଧୀନରେ ଆସେ । ହସ୍ପିଟାଲରେ ରୋଗୀ ଭର୍ତ୍ତି ହେବା ପରେ ତାଙ୍କୁ ଏକ ଏଇଏସ୍‌ ନମ୍ବର ଦିଆଯାଏ ।’’

ଆମେ ତାଙ୍କୁ ଆୟୁଷର ମୃତ୍ୟୁ ସାର୍ଟିଫିକେଟ୍‌ ଦେଖାଇଲୁ, ଯେଉଁଥିରେ ତାଙ୍କୁ ମେନିନ୍‌ଜାଇଟିସ୍‌ ହୋଇଥିବା କଥା ଉଲ୍ଲେଖ ଥିଲା। ନିଜ ମେଡିକାଲ୍‌ କଲେଜ ହସ୍ପିଟାଲ ପକ୍ଷରୁ ଜାରି ଦସ୍ତାବିଜକୁ ଦେଖି ଦ୍ୱନ୍ଦରେ ଥିବା ଗଣେଶ କୁମାର କହିଲେ, ‘‘ଏଥିରେ କୌଣସି ଏଇଏସ୍‌ ନମ୍ବର ନାହିଁ । ଏଥିରେ ଏଇଏସ୍‌ ନମ୍ବର ଥିବା କଥା ।’’

PHOTO • Parth M.N.

ଶୋଭା କହିଲେ, ‘ଆମେ ପିଲାମାନଙ୍କୁ ଯେତେ ଅଟକାଇବାକୁ ଚେଷ୍ଟା କଲେ ବି ପିଲାମାନେ ମଇଳା ପାଣିରେ ଖେଳନ୍ତି’

ଡାକ୍ତର କାଫିଲ ଖାନ୍‌ କହିଲେ ଜଣେ ଏଇଏସ୍‌ ରୋଗୀଙ୍କୁ ଚିହ୍ନଟ କରିବା କଷ୍ଟକର କଥା ନୁହେଁ । ସେ ବୁଝାଇଲେ, ‘‘ଏଇଏସ୍‌ ଏକ ଅସ୍ଥାୟୀ ନିଦାନ । ଯଦି ରୋଗୀଙ୍କୁ ୧୫ଦିନରୁ କମ୍‌ [ଅବଧିର] ଜ୍ୱର ହେଉଥାଏ ଏବଂ କୌଣସି ପରିବର୍ତ୍ତନ ଦେଖାଯାଉଥାଏ [ବାତ ଭଳି], ଆପଣ ତାଙ୍କୁ ଏକ ଏଇଏସ୍‌ ନମ୍ବର ଜାରି କରିପାରିବେ । ଏଥିଲାଗି ଆପଣଙ୍କୁ କୌଣସି ପରୀକ୍ଷା କରିବା ଦରକାର ନାହିଁ । ଅଗଷ୍ଟ ୨୦୧୭ ଘଟଣା ଯାଏଁ ଆମେ ଏହିଭଳି କାମ କରୁଥିଲୁ ।’’

ଖାନ୍‌ ୨୦୧୭ ଅଗଷ୍ଟ ୧୦ ତାରିଖରେ ବିଆର୍‌ଡି ମେଡିକାଲ୍‌ କଲେଜ ହସ୍ପିଟାଲରେ ଡ୍ୟୁଟିରେ ଥିଲେ, ଯେଉଁଦିନ ସେଠାରେ ୨୩ ଜଣ ପିଲା ପ୍ରାଣ ହରାଇଲେ । ଏହି ଘଟଣା ପରେ ତାଙ୍କ ବିରୋଧରେ କର୍ତ୍ତବ୍ୟରେ ଅବହେଳାର ଅଭିଯୋଗ ଲଗାଗଲା ଏବଂ ୟୁପି ସରକାରଙ୍କ ଦ୍ୱାରା ନିଲମ୍ବନ କରିଦିଆଗଲା । ପରେ ତାଙ୍କୁ ଅନ୍ୟ ଅଭିଯୋଗ ସହ ଚିକିତ୍ସାରେ ଅବହେଳା ପାଇଁ ଗିରଫ କରାଗଲା ଏବଂ ୨୦୧୮ ଏପ୍ରିଲରେ ଜାମିନରେ ମୁକ୍ତ ହେବା ଯାଏଁ ୭ ମାସ ଯାଏଁ ଜେଲ୍‌ରେ ରଖାଗଲା ।

ସେ ବିଶ୍ୱାସ କରନ୍ତି ଯେ ୨୦୧୭ର ଦୁଃଖଦ ଅଘଟଣ ପରେ ତାଙ୍କୁ ବଳି ପକାଇ ଦିଆଗଲା । ସେ କହିଲେ, ‘‘ମୋତେ ମୋ ଚାକିରିରୁ ବଞ୍ଚିତ କରାଯାଉଛି କାରଣ ହସ୍ପିଟାଲ ତଥ୍ୟରେ ହେରଫେର କରୁଛି ।’’ ୟୁପି ସରକାର ୨୦୨୧ ନଭେମ୍ବରରେ ବିଆର୍‌ଡିରେ ଶିଶୁ ରୋଗ ବିଭାଗର ଅଧ୍ୟାପକ ଭାବେ ତାଙ୍କୁ ଚାକିରିରୁ ବହିଷ୍କାର କଲେ । ସରକାରଙ୍କର ଏହି ପଦକ୍ଷେପକୁ ସେ ଆହ୍ଲାବାଦ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଛନ୍ତି ।

ଖାନ୍‌ କହିଲେ ଯେ ଅନୁକୂଳ ସଂଖ୍ୟା ଦେଖାଇବା ପାଇଁ ଏଇଏସ୍‌ ମାମଲାଗୁଡ଼ିକୁ ପ୍ରବଳ ଜ୍ୱର ରୋଗ (ଏଏଫ୍‌ଆଇ) ଭାବେ ସୂଚୀବଦ୍ଧ କରାଯାଉଛି । ‘‘କିନ୍ତୁ ଏଏଫ୍‌ଆଇରେ ମସ୍ତିଷ୍କ ସମ୍ପୃକ୍ତ ନ ଥାଏ । ଏହା କେବଳ ଏକ ପ୍ରବଳ ଜ୍ୱର।’’

ଜିଲ୍ଲାର ସିଏମ୍‌ଓ, ଆଶୁତୋଷ ଦୁବେ, କୌଣସି ଭୁଲ ସୂଚନା ବାବଦରେ ଅସ୍ୱୀକାର କରନ୍ତି। ସେ କହିଲେ, ‘‘କେତେକ ଏଏଫ୍‌ଆଇ ମାମଲା ଏଇଏସ୍‌ ମାମଲା ହୋଇପାରେ, ଯେଉଁଥିପାଇଁ ମାମଲାଗୁଡ଼ିକୁ ପ୍ରଥମେ ଯାଂଚ କରାଯାଏ ଏବଂ ସେହି ଅନୁସାରେ ସମୂହ କରାଯାଏ । କିନ୍ତୁ ସବୁ ଏଏଫ୍‌ଆଇ ମାମଲା ଏଇଏସ୍‌ ମାମଲା ନୁହେଁ।’’

ଆକ୍ୟୁଟ୍‌ ଫେବ୍ରାଇଲ୍‌ ଅସୁସ୍ଥତା ଆକ୍ୟୁଟ୍‌ ଏନ୍‌ସେଫାଲାଇଟିସ୍‌ ସିଣ୍ଡ୍ରୋମ୍‌ରେ ପରିବର୍ତ୍ତିତ ହୋଇପାରେ , ଆଉ ଉଭୟ ରୋଗ ମଧ୍ୟରେ କେତେକ କାରଣ ଥାଏ, ଯେଉଁଥିରେ ସ୍କ୍ରବ୍‌ ଟାଇଫସ୍‌ ନାମକ ଏକ ଜୀବାଣୁ ସଂକ୍ରମଣ ବି ସାମିଲ ଅଛି । ସଂକ୍ରମଣକୁ ନିକଟରେ ଗୋରଖପୁର କ୍ଷେତ୍ରରେ ଏଇଏସ୍‌ ପ୍ରକୋପର ଏକ ପ୍ରମୁଖ କାରଣ ଭାବେ ଚିହ୍ନଟ କରାଯାଇଛି – ୨୦୧୫ ଓ ୨୦୧୬ର ଅଧ୍ୟୟନ ଆକଳନ କରିଛି ଯେ ଏଇଏସ୍‌ର ୬୦ ପ୍ରତିଶତରୁ ଅଧିକ ମାମଲା ପାଇଁ ସ୍କ୍ରବ୍‌ ଟାଇଫସ୍‌ ଦାୟୀ ଥିଲା ।

ନିକଟରେ ୨୦୧୯ରେ ବିଆର୍‌ଡି ମେଡିକାଲ କଲେଜ ଏକ ଭିନ୍ନ ରୋଗ ଶ୍ରେଣୀ ରୂପରେ ଆକ୍ୟୁଟ୍‌ ଫିବ୍ରାଇଲ୍‌ ଇଲନେସ୍‌କୁ ଟ୍ରାକ୍‌ କରିବା ଆରମ୍ଭ କଲା । କିନ୍ତୁ ନା ଦୁବେ ନା ଗଣେଶ କୁମାର ସଂଖ୍ୟା ବାବଦରେ ସୂଚନା ଦେଉଥିଲେ ।

PHOTO • Parth M.N.

ଶୋଭାଙ୍କୁ କୁହାଯାଇଥିଲା ଯେ ତାଙ୍କ ପୁଅ ଆୟୁଷଙ୍କୁ ଏନ୍‌ସେଫାଲାଇଟିସ୍‌ର ଚିକିତ୍ସା କରାଯାଉଛି, କିନ୍ତୁ ତାଙ୍କର ମୃତ୍ୟୁ ପ୍ରମାଣପତ୍ରରେ ଅନ୍ୟ ଅସୁସ୍ଥତା ଉଲ୍ଲେଖ ଅଛି

ପ୍ରବଳ ଜ୍ୱରର ଆରମ୍ଭ, ମାନସିକ ସ୍ଥିତିରେ ପରିବର୍ତ୍ତନ ଏବଂ ବାତ ମାରିବା ଆରମ୍ଭ ହେବାକୁ ଏଇଏସ୍‌ ଭାବେ ଦେଖାଯାଏ । ଯଦିଓ ଏହି ରୋଗ ବର୍ଷର ଯେ କୌଣସି ସମୟରେ କୌଣସି ବି ବୟସର ବ୍ୟକ୍ତିଙ୍କୁ ପ୍ରଭାବିତ କରିପାରେ, ଏହା ସାଧାରଣତଃ ୧୫ରୁ ବର୍ଷରୁ କମ୍‌ ବୟସର ପିଲାଙ୍କୁ ପ୍ରଭାବିତ କରେ

ତେବେ, ପରୀ ସେହି ବର୍ଷ ମେଡିକାଲ୍‌ କଲେଜରେ ଚିକିତ୍ସା କରାଯାଇଥିବା  ସୂଚୀ ହାସଲ କରିବାରେ ସକ୍ଷମ ହୋଇଥିଲା । ଏଇଏସ୍‌ ଓ ଜେଇ ଭଳି ବର୍ଷା ଦିନରେ ଏହି ସଂଖ୍ୟା ଏହି ସଂଖ୍ୟା ବହୁ ଅଧିକ ଥିଲା । (ଡେଙ୍ଗୁ, ଚିକୁନଗୁନିଆ ଏବଂ ମ୍ୟାଲେରିଆ ସେହି ସଂକ୍ରମଣ ମଧ୍ୟରେ ଆସେ ଯାହା ଏଏଫ୍‌ଆଇ ଆଡ଼କୁ ନେଇଯାଏ) । ବିଆର୍‌ଡି ମେଡିକାଲ କଲେଜରେ ୨୦୧୯ରେ ମୋଟ ୧୭୧୧ ଏଏଫ୍‌ଆଇ ମାମଲାରୁ ୨୦୧୯ ଅଗଷ୍ଟରେ ୨୪୦ ଏବଂ ସେପ୍ଟେମ୍ବର ଓ ଅକ୍ଟୋବରରେ କ୍ରମଶଃ ୬୮୩ ଏବଂ ୪୭୬ ମାମଲା ରେକର୍ଡ କରାଯାଇଥିଲା । କିନ୍ତୁ ବର୍ଷର ପ୍ରଥମ ଛଅ ମାସରେ ଗୋଟିଏ ବି ମାମଲା ଭର୍ତ୍ତି ହୋଇ ନ ଥିଲେ ।

ଏଥିରୁ କେତେକ ତଥ୍ୟ ପ୍ରଥମେ ସାମ୍ବାଦିକ ମନୋଜ ସିଂହ ନିଜର ୱେବ୍‌ସାଇଟ୍‌ ଗୋରଖପୁର ନ୍ୟୁଜ୍‌ଲାଇନ୍‌ ରେ ୨୦୧୯ ଶେଷ ଭାଗରେ ପ୍ରକାଶିତ କରିଥିଲେ । ସିଂହ ଯିଏ ଦୀର୍ଘ ସମୟ ହେଲା ବିଆର୍‌ଡି ମେଡିକାଲ କଲେଜରେ ଏନ୍‌ସେଫାଲାଇଟିସ୍‌ ମାମଲାର ରିପୋର୍ଟିଂ କରୁଛନ୍ତି ସେ କହିଲେ, ‘‘ଯଦି ହସ୍ପିଟାଲ ପାଖରେ ଲୁଚାଇବାକୁ କିଛି ନାହିଁ, ତେବେ ସେମାନେ ପୂର୍ବରୁ ଯେଉଁଭଳି କରୁଥିଲେ ଏବେ ସେହିଭଳି ସଂଖ୍ୟା ଜାରି କରୁନାହାନ୍ତି କାହିଁକି?’’ ସେ ୨୦୧୯ର ସୂଚୀରେ ଏଏଫ୍‌ଆଇ ରୋଗୀଙ୍କ ମଧ୍ୟରେ ତାଲିକାଭୁକ୍ତ ଜେଇ ମାମଲାକୁ ବି ଇଙ୍ଗିତ କଲେ-୧୭୧୧ରୁ ୨୮୮।

ତେବେ, ସେହିବର୍ଷ ପୁରା ୟୁପିରେ ମାତ୍ର ୨୩୫ଟି ଜେଇ ମାମଲା ରେକର୍ଡ କରାଯାଇଥିଲା ।

ସିଂହ କହିଲେ, ‘‘ଏହା ସମ୍ଭବ ଯେ ୨୮୮ ଜଣ ରୋଗୀଙ୍କ (ବିଆର୍‌ଡିରେ) ମଧ୍ୟରୁ କେତେକ ୟୁପିର ହୋଇ ନ ଥିବେ, ଯେହେତୁ ମେଡିକାଲ କଲେଜକୁ ପଶ୍ଚିମ ବିହାର ଏବଂ ନେପାଳରୁ ମଧ୍ୟ ରୋଗୀ ଆସନ୍ତି, କିନ୍ତୁ ଅଧିକାଂଶ ମାମଲା ରାଜ୍ୟର (ୟୁପି)। ତେଣୁ ସଂଖ୍ୟା ସନ୍ଦେହ ସୃଷ୍ଟି କରେ।’’

ବିଆର୍‌ଡି ମେଡିକାଲ କଲେଜର ଅଧ୍ୟକ୍ଷ ଗଣେଶ କୁମାର କହିଲେ, ‘‘ବିହାର ଓ ନେପାଳରୁ ଆସୁଥିବା ରୋଗୀଙ୍କର ସଠିକ୍‌ ସଂଖ୍ୟା କହିବା କଷ୍ଟକର,’’ କିନ୍ତୁ ସେମାନେ ସାଧାରଣତଃ ‘‘୧୦ ପ୍ରତିଶତରୁ ଅଧିକ ନୁହନ୍ତି ।’’

ଏହା ଏଇଏସ୍‌ ମାମଲାର ଭୁଲ ରିପୋର୍ଟିଂ ଓ କମ୍‌ ଗଣନା ବାବଦରେ ଚିନ୍ତା ବଢ଼ାଇଦିଏ ।

*****

PHOTO • Parth M.N.

ଶୋଭା ତାଙ୍କର ସବା ସାନ ପୁଅ କୁନାଲ ସହ । ସେ ଭୟ କରୁଛନ୍ତି ଯେ ବର୍ଷା ଦିନରେ ତାଙ୍କ ପୁଅମାନଙ୍କୁ ଏନ୍‌ସେଫାଲାଇଟିସ୍‌ର ବିପଦ ରହିବ

ଏକ ଏଇଏସ୍‌ ମାମଲାକୁ ଏଏଫ୍‌ଆଇ ଭାବେ ଚିକିତ୍ସା କରିବାର ଫଳାଫଳ ସୁଦୂରପ୍ରସାରୀ । କାଫିଲ୍‌ ଖାନ୍‌ କହିଲେ, ‘‘ଏଇଏସ୍‌ ଏବଂ ଏଏଫ୍‌ଆଇ ଚିକିତ୍ସାରେ ମୁଖ୍ୟ ପ୍ରଭେଦ ହେଲା ମାନ୍ନିଟୋଲ ନାମକ ଏକ ଔଷଧ, ଯାହା ମସ୍ତିଷ୍କ ଜ୍ୱଳନ ବନ୍ଦ କରେ। ଏହି ଔଷଧ ବ୍ୟବହାର ହେବା କ୍ଷଣି ମାମଲାକୁ ଏଇଏସ୍‌ ଶ୍ରେଣୀଭୁକ୍ତ କରାଯିବ। ଜଣେ ଏଇଏସ୍‌ ରୋଗୀକୁ ଏଏଫ୍‌ଆଇ ମାମଲା ଭାବେ ଚିକିତ୍ସା କରିବାର ଅର୍ଥ ମାନ୍ନିଟୋଲ୍‌ ବ୍ୟବହାର ନ କରିବା। ଏବଂ ଯଦି ଆପଣ ଏହାକୁ ବ୍ୟବହାର ନ କରନ୍ତି, ଶିଶୁ [ଏଇଏସ୍‌ ରୋଗରେ ପୀଡିତ] ଯଦି ବି ବଞ୍ଚିଯାନ୍ତି ତେବେ ତାଙ୍କର ଅବଶିଷ୍ଟ ଜୀବନ ପାଇଁ ଅକ୍ଷମ ହୋଇଯାନ୍ତି।’’

ଏନ୍‌ସେଫାଲାଇଟିସ୍‌ ରୋଗୀଙ୍କର ପରିବାର ଏହି ମାମଲାରେ ଏଇଏସ୍‌ ନମ୍ବର ଜାରି ହୋଇ ନ ଥିଲେ ସରକାରୀ କ୍ଷତିପୂରଣ ପାଇଁ ଆବେଦନ କରିପାରିବେ ନାହିଁ। ମୃତ୍ୟୁ ମାମଲାରେ, ପରିବାର ସରକାରଙ୍କ ପକ୍ଷରୁ ୫୦,୦୦୦ ଟଙ୍କା ପାଇବାକୁ ହକ୍‌ଦାର, ଏବଂ ବଞ୍ଚିଯାଇଥିବା ଜଣେ ରୋଗୀ ୧ ଲକ୍ଷ ଟଙ୍କା ପାଆନ୍ତି, ଯେହେତୁ ଅଧିକାଂଶ ଏନ୍‌ସେଫାଲାଇଟିସ୍‌ର ସ୍ୱାସ୍ଥ୍ୟ ଉପରେ ପଡୁଥିବା ଦୀର୍ଘକାଳୀନ ସମସ୍ୟାର ସାମ୍ନା କରନ୍ତି ।

ଏଇଏସ୍‌ ମୁଖ୍ୟତଃ ଗରିବ ଏବଂ ଅବହେଳିତ ରୋଗୀଙ୍କ ଅଞ୍ଚଳକୁ ଆକ୍ରମଣ କରେ, ଯେଉଁମାନଙ୍କୁ କ୍ଷତିପୂରଣର ସବୁଠାରୁ ଅଧିକ ଆବଶ୍ୟକତା ଅଛି ।

ଶୋଭା ସେମାନଙ୍କ ମଧ୍ୟରୁ ଜଣେ ।

ଆୟୁଷଙ୍କୁ ବିଆର୍‌ଡି ମେଡିକାଲ କଲେଜକୁ ନେବା ପୂର୍ବରୁ ସେ ତାଙ୍କର ଚିକିତ୍ସାରେ ଦୁଇଟି ଘରୋଇ ହସ୍ପିଟାଲରେ ମୋଟ ୧ ଲକ୍ଷ ଟଙ୍କା ଖର୍ଚ୍ଚ କରିସାରିଥିଲେ। ୟୁପିରେ ଅନ୍ୟାନ୍ୟ ପଛୁଆ ବର୍ଗରେ ତାଲିକାଭୁକ୍ତ ନିଶାଦ ସମ୍ପ୍ରଦାୟରେ ଆସୁଥିବା ଶୋଭା କହିଲେ, ‘‘ଆମେ ଆମର ସମ୍ପର୍କୀୟଙ୍କଠାରୁ ଟଙ୍କା ଧାର ଆଣିଲୁ।’’ ତାଙ୍କ ସ୍ୱାମୀ ରବି ସେମାନଙ୍କ ଗାଁଠାରୁ ପ୍ରାୟ ୭୫ କିଲୋମିଟର ଦୂର ଆଜମଗଡ଼ ଜିଲ୍ଲାର ମୁବାରକପୁର ସହରରେ ଏକ ଛୋଟ ଲୁଗା ଦୋକାନ ଚଳାନ୍ତି । ସେ ମାସିକ ପ୍ରାୟ ୪,୦୦୦ ଟଙ୍କା ଆୟ କରନ୍ତି ।

ଯଦି ଆୟୁଷଙ୍କୁ ଏକ ଏଇଏସ୍‌ ନମ୍ବର ଦିଆଯାଇଥାନ୍ତା, ଶୋଭା ଅତିକମ୍‌ରେ ତାଙ୍କର ଦିଅରଙ୍କୁ ଟଙ୍କା ସୁଝି ଦେଇପାରିଥାଆନ୍ତେ। ‘‘ମୋ ଦିଅର ତାଙ୍କର ପାଠପଢ଼ା ପାଇଁ ୫୦,୦୦୦ ଟଙ୍କା ସଞ୍ଚୟ କରିଥିଲେ । ଆମକୁ ତାକୁ ମଧ୍ୟ ବ୍ୟବହାର କରିବାକୁ ପଡ଼ିଥିଲା ।’’

ପରିବାରର ଏକ ଏକରରୁ ମଧ୍ୟ କମ୍‌ ଚାଷ ଜମି ଅଛି, ଯେଉଁଠାରେ ସେମାନେ ନିଜର ବ୍ୟବହାର ପାଇଁ ଗହମ ଚାଷ କରନ୍ତି । ବ୍ରହ୍ମସାରୀରେ ତାଙ୍କ ଘର ବାହାରେ ଥିବା ନଳକୂପରୁ ପାଣି ବାହାର କରୁ କରୁ ଶୋଭା କହିଲେ, ‘‘ଆମେ ବର୍ଷକୁ ମାତ୍ର ଗୋଟିଏ ଫସଲ ପାଉ କାରଣ ବର୍ଷା ଦିନରେ ଆମ ଚାଷ ଜମି ପାଣିରେ ବୁଡ଼ିଯାଏ ।’’

PHOTO • Parth M.N.
PHOTO • Parth M.N.

ବେଲଘାଟ ଗ୍ରାମପଞ୍ଚାୟତରେ ଥିବା ତାଙ୍କ ଘର ବାହାରେ କରମବୀର ବେଲଦାର । ତାଙ୍କର ପାଞ୍ଚ ବର୍ଷର ଝିଆରୀ ରିଆ ଏନ୍‌ସେଫାଲାଇଟିସ୍‌ ଭଳି ଲକ୍ଷଣରେ ଗତବର୍ଷ ପ୍ରାଣ ହରାଇଲେ। ‘ମୃତ୍ୟୁ ପ୍ରମାଣପତ୍ରରେ ଏନ୍‌ସେଫାଲାଇଟିସ୍‌ ବାବଦରେ କିଛି ଉଲ୍ଲେଖ ହେଉ ନ ଥିଲେ ବି, ଶିଶୁମାନେ ପ୍ରତିବର୍ଷ ମରୁଛନ୍ତି’

ବେଲଘାଟ ଗ୍ରାମପଞ୍ଚାୟତରେ ଥିବା ଗାଁଠାରୁ ପ୍ରାୟ ପାଞ୍ଚ କିଲୋମିଟର ଦୂରରେ, ୨୬ ବର୍ଷୀୟ କରମବୀର ବେଲଦାର ମନେପକାନ୍ତି ସେ ବିଆର୍‌ଡି କଲେଜ ହସ୍ପିଟାଲରେ ଡାକ୍ତରମାନଙ୍କୁ ତାଙ୍କ ଝିଆରୀଙ୍କର ସ୍ଥିତି ବାବଦରେ ପରୀକ୍ଷା କରିବାକୁ ବାରମ୍ବାର କହିଥିଲେ । କିନ୍ତୁ କେହି ତାଙ୍କୁ ଉତ୍ତର ଦେଲେନାହିଁ -ଏମିତିକି ତା’ର ମୃତ୍ୟୁ ପରେ ବି ନୁହେଁ ।

ତାଙ୍କର ପାଞ୍ଚ ବର୍ଷୀୟା ଝିଆରୀ ରିଆଙ୍କୁ ୨୦୨୧ ଅଗଷ୍ଟରେ ଜ୍ୱର ହେଲା, ଏବଂ ତା’ପରେ ତାକୁ ବାତ ମାରିଲା । ସେ କହିଲେ, ‘‘ଲକ୍ଷଣଗୁଡ଼ିକ ଏଇଏସ୍‌ ସହ ସମାନ ଥିଲା । ବର୍ଷା ଦିନ ଚାଲୁଥିଲା ଏବଂ ଆମ ଘର ଚାରିପଟେ ସଂକ୍ରମିତ ପାଣି ପୁରିଥିଲା । ଆମେ ତାକୁ ତୁରନ୍ତ ସିଏଚ୍‌ସିକୁ ନେଲୁ, ଯେଉଁଠାରେ ଆମକୁ ବିଆର୍‌ଡିକୁ ରେଫର କରାଗଲା ।’’

ରିଆ ହସ୍ପିଟାଲର କୁଖ୍ୟାତ ଶିଶୁରୋଗ ବିଭାଗରେ ଭର୍ତ୍ତିହେଲା । ବେଲଦାର କହିଲେ, ‘‘ତା’ର କ’ଣ ହୋଇଛି ବୋଲି ଆମେ ଡାକ୍ତରଙ୍କୁ ପଚାରିଲୁ, କିନ୍ତୁ ଆମକୁ କୁହାଗଲାନାହିଁ । ଆମେ ଯେତେବେଳେ ପ୍ରଶ୍ନ ପଚାରିଲୁ ଆମକୁ ସେମାନେ ୱାର୍ଡରୁ ବାହାର କରିଦେଲେ । ଜଣେ ଷ୍ଟାଫ୍‌ ମେମ୍ବର ମୋତେ ମୁଁ ତାକୁ ଚିକିତ୍ସା କରିବାକୁ ଯାଉଛି କି ବୋଲି ପଚାରିଲେ।’’

ହସ୍ପିଟାଲରେ ଭର୍ତ୍ତି ହେବାର ଗୋଟିଏ ଦିନ ପରେ ରିଆ ପ୍ରାଣ ହରାଇଲେ । ତାଙ୍କର ମୃତ୍ୟୁ ପ୍ରମାଣପତ୍ରରେ ମୃତ୍ୟୁର କାରଣ ‘ସେପ୍ଟିକ୍‌ ସକ୍‌ କ୍ରସ୍‌ ଫେଲ୍ୟୁର’ ଲେଖାହୋଇଥିଲା । ବେଲଦାର କହିଲେ, ‘‘ଏହାର ମାନେ କ’ଣ ବି ମୁଁ ଜାଣେନାହିଁ’’। ‘‘ଲୁଚାଇବାର କାରଣ କ’ଣ?’’ ମୃତ୍ୟୁ ପ୍ରମାଣପତ୍ର ଏନ୍‌ସେଫାଲାଇଟିସ୍‌ ବାବଦରେ କିଛି ଉଲ୍ଲେଖ କରିନପାରେ, କିନ୍ତୁ ଶିଶୁମାନେ ପ୍ରତିବର୍ଷ ମରୁଛନ୍ତି।’’

ଶୋଭା ତାକୁ ହିଁ ଭୟ କରନ୍ତି ।

ଆୟୁଷ ଆଉ ନାହିଁ, କିନ୍ତୁ ସେ ତାଙ୍କର ସାନ ପୁଅ ୫ ବର୍ଷର ରାଜବୀର ଏବଂ ୩ ବର୍ଷର କୁନାଲ ବାବଦରେ ଚିନ୍ତା କରନ୍ତି । ବେଶୀ କିଛି ବଦଳିନାହିଁ । ଚଳିତବର୍ଷ ବର୍ଷା ଦିନରେ ସେମାନଙ୍କର ଗାଁରେ ପାଣି ଭରିଯିବାର ସମ୍ଭାବନା ରହିଛି – ପାଣି ଦୂଷିତ ହୋଇଯିବ, ଏବଂ ତାଙ୍କୁ ନଳକୂପରୁ ବାହାର କରାଯାଉଥିବା ଦୂଷିତ ଭୂତଳ ଜଳ ବ୍ୟବହାର କରିବାକୁ ହେବ। ଆୟୁଷର ଜୀବନ ନେଇଥିବା ସ୍ଥିତି ତାର ଭାଇଭଉଣୀମାନଙ୍କ ଲାଗି ବିପଦ ହୋଇରହିଛି । ଅନ୍ୟମାନଙ୍କ ଅପେକ୍ଷା ଶୋଭା ପରିଣାମ ନେଇ ଅଧିକ ଭଲ ଭାବେ ଜାଣିଛନ୍ତି ।

ପାର୍ଥ ଏମ୍‌. ଏନ୍‌ ଠାକୁର ପରିବାର ଫାଉଣ୍ଡେସନ୍‌ ପକ୍ଷରୁ ମିଳିଥିବା ଏକ ମୁକ୍ତିବୃତ୍ତି ସାମ୍ବାଦିକତା ଅନୁଦାନ ମାଧ୍ୟମରେ ଜନ ସ୍ୱା ସ୍ଥ୍ୟ ଏବଂ ନାଗରିକଙ୍କ ଅଧିକାର ସମ୍ପର୍କରେ ରିପୋର୍ଟ ଲେଖିଥାଆନ୍ତି । ଦି ଠାକୁର ଫାଉଣ୍ଡେସନ୍‌ ପକ୍ଷରୁ ଏହି ଆଲେଖ୍ୟର ବିଷୟବସ୍ତୁ ଉପରେ କୌଣସି ସମ୍ପାଦକୀୟ ନିୟନ୍ତ୍ରଣ କରାଯାଇନାହିଁ ।

ଅନୁବାଦ: ଓଡ଼ିଶାଲାଇଭ୍‍

Reporter : Parth M.N.

पार्थ एम एन, साल 2017 के पारी फ़ेलो हैं और एक स्वतंत्र पत्रकार के तौर पर विविध न्यूज़ वेबसाइटों के लिए रिपोर्टिंग करते हैं. उन्हें क्रिकेट खेलना और घूमना पसंद है.

की अन्य स्टोरी Parth M.N.
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

की अन्य स्टोरी OdishaLIVE