ଭାରତୀୟ ଉପମହାଦେଶର ଔପନିବେଶକରଣ ଏବଂ ବିଭାଜନର ଲମ୍ବା ଛାଇ ଅସଂଖ୍ୟ ରୂପରେ ଆସାମରେ ନିଜର ଉପସ୍ଥିତି ଜାହିର କରିଥାଏ। ଏହାର ସବୁଠୁ ସ୍ପଷ୍ଟ ଉଦାହରଣ ହେଉଛି ନାଗରିକମାନଙ୍କ ଗଣନା ପାଇଁ କରାଯାଉଥିବା କାର୍ଯ୍ୟକ୍ରମ ଜାତୀୟ ନାଗରିକ ରେଜିଷ୍ଟ୍ରାର (ଏନଆରସି) ଯାହାକି ୧.୯ ନିୟୁତ ଲୋକଙ୍କୁ ରାଷ୍ଟ୍ରହୀନ କରି ଛାଡ଼ି ଦେଇପାରେ । ଏହାର ଏକ ସ୍ୱରୂପ ହେଉଛି ‘ସନ୍ଦିଗ୍ଧ (ଡି)-ମତଦାତା’ ନାମକ ନାଗରିକମାନଙ୍କ ଏକ ଶ୍ରେଣୀ ଗଠନ ଏବଂ ଅଟକ କେନ୍ଦ୍ରରେ ସେମାନଙ୍କୁ ବନ୍ଦୀ କରି ରଖାଯିବା। ୧୯୯୦ ଦଶକର ଉତ୍ତରାର୍ଦ୍ଧରେ ସାରା ଆସାମରେ ବିଦେଶୀମାନଙ୍କ ନ୍ୟାୟାଳୟ (ଫରେନ ଟ୍ରିବ୍ୟୁନାଲ) ଗଠନ କରାଯିବା ଏବଂ ଡିସେମ୍ବର ୨୦୧୯ରେ ନାଗରିକତା ସଂଶୋଧନ ଆଇନ (ସିଏଏ) ପାରିତ ହେବା ଫଳରେ ରାଜ୍ୟରେ ନାଗରିକତା ସଂକଟ ଆହୁରି ବଢ଼ିଯାଇଛି ।

ସାମ୍ପ୍ରତିକ ସଂକଟର ଭଉଁରୀରେ ଫସିଥିବା ଛଅ ଜଣ ଲୋକଙ୍କ ମୌଖିକ ସାକ୍ଷ୍ୟ ଆମକୁ ସେମାନଙ୍କ ବ୍ୟକ୍ତିଗତ ଜୀବନ ଓ ଇତିହାସ ଉପରେ ଏହାର ବିନାଶକାରୀ ପ୍ରଭାବକୁ ଦେଖାଇ ଦେଇଥାଏ। ମାତ୍ର ୮ ବର୍ଷ ବୟସରେ ନେଲ୍ଲୀ ନରସଂହାରରୁ ଅଳ୍ପକେ ବର୍ତ୍ତି ଯାଇଥିଲେ ରଶିଦା ବେଗମ । ଏବେ ତାଙ୍କ ପରିବାରର ସବୁ ସଦସ୍ୟଙ୍କ ନାଁ ଏନଆରସିରେ ସାମିଲ ଥିବା ବେଳେ ସେ କିନ୍ତୁ ତାଲିକାରୁ ବାଦ୍‌ ପଡ଼ିଛନ୍ତି । ଶାହଜାହାନ ଅଲ୍ଲୀ ଅହମ୍ମଦ ଏବଂ ତାଙ୍କ ପରିବାରର ଅନ୍ୟ ସଦସ୍ୟମାନଙ୍କ ନାମ ମଧ୍ୟ ଏହି ତାଲିକାରୁ ବାଦ୍‌ ପଡ଼ିଛି । ଆସାମରେ ନାଗରିକତାକୁ ନେଇ ଉଠୁଥିବା ପ୍ରଶ୍ନରେ ସେ ଏବେ ଜଣେ ସାମାଜିକ କର୍ମୀ ଭାବେ ସମ୍ପୃକ୍ତ ହୋଇଛନ୍ତି ।

ବ୍ରିଟିଶ ସରକାରଙ୍କ ସାମ୍ରାଜ୍ୟବାଦୀ ନୀତି ଏବଂ ୧୯୦୫ ମସିହାରେ ବଙ୍ଗ ଭଙ୍ଗ ଓ ୧୯୪୭ରେ ଭାରତୀୟ ଉପମହାଦେଶର ବିଭାଜନ କାରଣରୁ ଦେଖା ଦେଇଥିବା ପ୍ରବାସ ସହିତ ଆସାମରେ ନାଗରିକତା ସଙ୍କଟର ଇତିହାସ ଯୋଡ଼ି ହୋଇ ରହିଛି

ପରିବାର ଲୋକଙ୍କ ଭାରତୀୟ ନାଗରିକତା ଏବଂ ତାଙ୍କ ନିଜର କାଗଜପତ୍ର ଜାତୀୟତାର ପ୍ରମାଣ ଦେଉଥିବା ସତ୍ତ୍ୱେ ଉଲୋପୀ ବିଶ୍ୱାସଙ୍କୁ ‘ବିଦେଶୀ’ ଆଖ୍ୟା ଦିଆଯାଇଥିଲା। ତାଙ୍କୁ ଜଣେ ଡି-ଭୋଟର ଭାବେ ଘୋଷଣା କରାଯାଇଥିଲା ଏବଂ ସେ ୨୦୧୭-୨୦୨୨ ପର୍ଯ୍ୟନ୍ତ ବିଦେଶୀମାନଙ୍କ ନ୍ୟାୟାଳୟରେ ବିଚାରର ସମ୍ମୁଖିନ ହୋଇଥିଲେ। କଲସମ ନିଶା ଓ ସୁଫିଆ ଖାତୁନ ଅଟକ କେନ୍ଦ୍ରରୁ ଜାମିନରେ ଆସିଛନ୍ତି, ସେମାନେ ହାଜତରେ ରହିବା ସମୟ କଥା ସ୍ମରଣ କରିଥାନ୍ତି । ଆହୁରି, ପ୍ରଶାସନିକ ତ୍ରୁଟି କାରଣରୁ ମୋର୍ଜିନା ବିବିଙ୍କୁ ଆଠ ମାସ ଏବଂ ୨୦ ଦିନ ପର୍ଯ୍ୟନ୍ତ କୋକ୍ରାଝର ଅଟକ କେନ୍ଦ୍ରରେ ବିତାଇବାକୁ ପଡ଼ିଥିଲା।

ଆସାମରେ ନାଗିରକତା ସଂକଟର ଇତିହାସ ଅତ୍ୟନ୍ତ ଜଟିଳ । ବ୍ରିଟିଶ ସରକାରଙ୍କ ସାମାଜିକ-ଆର୍ଥିକ ନୀତି ଏବଂ ୧୯୦୫ ମସିହାରେ ବଙ୍ଗ ଭଙ୍ଗ ଓ ୧୯୪୭ରେ ଭାରତୀୟ ଉପମହାଦେଶର ବିଭାଜନ କାରଣରୁ ଦେଖା ଦେଇଥିବା ପ୍ରବାସ ସହିତ ଆସାମରେ ନାଗରିକତା ସଙ୍କଟର ଇତିହାସ ଯୋଡ଼ି ହୋଇ ରହିଛି। ଅନେକ ବର୍ଷ ଧରି ବିଭିନ୍ନ ପ୍ରଶାସନିକ ଓ ଆଇନଗତ ହସ୍ତକ୍ଷେପ ଏବଂ ୧୯୭୯ରୁ ୧୯୮୫ ପର୍ଯ୍ୟନ୍ତ ଦେଖା ଦେଇଥିବା ବିଦେଶୀ ବିରୋଧୀ ଆନ୍ଦୋଳନ ଭଳି ଅଭିଯାନ ଫଳସ୍ୱରୂପ ବଙ୍ଗର ମୁସଲମାନମାନଙ୍କ ସହିତ ବଙ୍ଗାଳୀ ହିନ୍ଦୁମାନଙ୍କୁ ‘‘ପର’’ ବୋଲି କୁହାଗଲା।

ଇତିହାସ ଓ ନିଜକୁ ସାମ୍ନା କରିବା (ଫେସିଂ ହିଷ୍ଟ୍ରୀ ଆଣ୍ଡ ଆୱାରସେଲଭସ୍) ପ୍ରକଳ୍ପ କୁଲସୁମ ନିସା, ମୋରଜିନା ବିବି, ରଶିଦା ବେଗମ, ଶାହଜାହାଁ ଅଲ୍ଲୀ ଅହମ୍ମଦ, ସୁଫିୟା ଖାତୁନ ଓ ଉଲୋପୀ ବିଶ୍ୱାସଙ୍କ କାହାଣୀକୁ ଏକ ସ୍ମରଣିକା ରୂପରେ ଦର୍ଶାଇଥାଏ ଏବଂ ଏହା କହିଥାଏ ଯେ ଆସାମରେ ନାଗରିକତାର ସଂକଟ ଏବେ ସୁଦ୍ଧା ଦୂରେଇ ଯାଇନାହିଁ। ଏଥିରେ ଫସି ରହିଥିବା ଲୋକଙ୍କ ଭବିଷ୍ୟତ କ’ଣ ହେବ ତାହା କେହି ଜାଣନ୍ତି ନାହିଁ ।


ରଶିଦା ବେଗମ ଆସାମର ମୋରିଗାଓଁ ଜିଲ୍ଲାର ବାସିନ୍ଦା ଏବଂ ୧୮ ଫେବୃଆରୀ ୧୯୮୩ରେ ନେଲ୍ଲୀ ନରସଂହାର ଘଟିବା ସମୟରେ ତାଙ୍କୁ ମାତ୍ର ଆଠ ବର୍ଷ ବୟସ ହୋଇଥିଲା। ଏବେ, ୨୦୧୯ରେ ପ୍ରକାଶ ପାଇଥିବା ଜାତୀୟ ନାଗରିକ ରେଜିଷ୍ଟ୍ରାରର ଚୂଡ଼ାନ୍ତ ତାଲିକାରୁ ତାଙ୍କ ନାଁ ବାଦ୍‌ ପଡ଼ିଥିବା ସେ ଜାଣିବାକୁ ପାଇଛନ୍ତି।


ଶାହାଜାହାଁ ଅଲ୍ଲୀ ଅହମ୍ମଦ ବକ୍ସା ଜିଲ୍ଲାର ଜଣେ ସାମାଜିକ କର୍ମୀ ଯିଏକି ଆସାମରେ ନାଗରିକତା ପ୍ରସଙ୍ଗକୁ ନେଇ କାମ କରୁଛନ୍ତି । ତାଙ୍କ ପରିବାରର ୩୩ ଜଣ ସଦସ୍ୟଙ୍କ ନାମ ଜାତୀୟ ନାଗରିକ ରେଜିଷ୍ଟ୍ରାରରୁ ବାଦ୍‌ ପଡ଼ିଛି ।


ବାରପେଟା ଜିଲ୍ଲାର ସୁଫିଆ ଖାତୁନ କୋକ୍ରାଝର ଅଟକ କେନ୍ଦ୍ରରେ ଦୁଇ ବର୍ଷରୁ ଅଧିକ ସମୟ ବିତାଇଛନ୍ତି। ସୁପ୍ରିମକୋର୍ଟଙ୍କ ଆଦେଶ ପରେ ସେ ଏବେ ଜାମିନରେ ବାହାରେ ଅଛନ୍ତି ।


ବାରପେଟା ଜିଲ୍ଲା କୁଲସୁମ ନିସା କୋକ୍ରାଝର ଅଟକ କେନ୍ଦ୍ରରେ ପାଞ୍ଚ ବର୍ଷ ବିତାଇଛନ୍ତି । ସେ ଏବେ ଜାମିନରେ ଅଛନ୍ତି କିନ୍ତୁ ପ୍ରତି ସପ୍ତାହରେ ସ୍ଥାନୀୟ ପୋଲିସ ନିକଟରେ ହାଜର ହେଉଛନ୍ତି।


ଚିରାଙ୍ଗ ଜିଲ୍ଲାର ଉଲୋପୀ ବିଶ୍ୱାସ ଙ୍କ ବିରୋଧରେ ୨୦୧୭ ପରଠାରୁ ବୋଙ୍ଗାଇଗାଓଁ ବିଦେଶୀମାନଙ୍କ ନ୍ୟାୟାଳୟରେ ଏକ ମାମଲା ଚାଲିଛି ।


ଗୋଆଲପାରା ଜିଲ୍ଲାର ମୋର୍ଜିନା ବିବି କୋକ୍ରାଝର ଅଟକ କେନ୍ଦ୍ରରେ ଆଠ ମାସ ଓ ୨୦ ଦିନ ବିତାଇଛନ୍ତି । ପୁଲିସ ଭୁଲ ଲୋକଙ୍କୁ ଧରିଥିବା ପ୍ରମାଣିତ ହେବା ପରେ ଶେଷରେ ସେ ମୁକୁଳିଥିଲେ ।

‘ଫେସିଂ ହିଷ୍ଟ୍ରୀ ଆଣ୍ଡ ଆୱାରସେଲ୍‌ଭସ’କୁ ସୁବଶ୍ରୀ କ୍ରିଷ୍ଣନଙ୍କ ସହାୟତାରେ ପ୍ରସ୍ତୁତ କରାଯାଇଛି। ପିପୁଲ୍ସ ଆର୍କାଇଭ୍‌ ଅଫ ରୁରାଲ ଇଣ୍ଡିଆ ସହଭାଗିତାରେ ଇଣ୍ଡିଆ ଫାଉଣ୍ଡେସନ ଫର୍‌ ଦ ଆର୍ଟସର ଆର୍କାଇଭସ୍‌ ଆଣ୍ଡ ମ୍ୟୁଜିୟମ ପ୍ରୋଗ୍ରାମ ଅଧୀନରେ ଫାଉଣ୍ଡେସନ ପ୍ରୋଜେକ୍ଟ କାର୍ଯ୍ୟକାରୀ ହେଉଛି। ଏହା ଗେଟେ-ଇନଷ୍ଟିଚ୍ୟୁଟ୍‌/ମାକ୍ସ ମୁଲର ଭବନ ନୂଆଦିଲ୍ଲୀର ଆଂଶିକ ସହାୟତାରେ ସମ୍ଭବ ହୋଇପାରିଛି। ଏହି ପ୍ରକଳ୍ପ ପାଇଁ ଶେର-ଗିଲ ସୁନ୍ଦରମ ଆର୍ଟସ୍‌ ଫାଉଣ୍ଡେସନ ମଧ୍ୟ ସହାୟତା ଯୋଗାଇ ଦେଇଛି ।

ଫିଚର କୋଲାଜ : ଶ୍ରେୟା କାତ୍ୟାୟିନୀ

ଅନୁବାଦ: ଓଡ଼ିଶାଲାଇଭ୍‍

Subasri Krishnan

सुबश्री कृष्णन एक फिल्मकार हैं, जो अपने काम के ज़रिए नागरिकता से जुड़े सवालों को उठाती हैं और उसके लिए वह लोगों की स्मृतियों, प्रवास से जुड़ी कहानियों और आधिकारिक पहचान से जुड़े दस्तावेज़ों की सहायता लेती हैं. उनका प्रोजेक्ट 'फेसिंग हिस्ट्री एंड ऑवरसेल्फ' असम राज्य में इसी तरह के मुद्दों की पड़ताल करता है. वह वर्तमान में जामिया मिलिया इस्लामिया, नई दिल्ली के ए. जे. के. मास कम्युनिकेशन रिसर्च सेंटर में पीएचडी कर रही हैं.

की अन्य स्टोरी Subasri Krishnan
Editor : Vinutha Mallya

विनुता माल्या पेशे से पत्रकार और संपादक हैं. वह पूर्व में पीपल्स आर्काइव ऑफ़ रूरल इंडिया की एडिटोरियल चीफ़ रह चुकी हैं.

की अन्य स्टोरी Vinutha Mallya
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

की अन्य स्टोरी OdishaLIVE