ଗୀତା ଦେବୀ ନିଜ ପାଖରେ ଛିଡ଼ା ହୋଇଥିବା ସକୁନିକୁ ସ୍ନେହ ପୂର୍ବକ ଚାହିଁ କୁହନ୍ତି, ‘‘ଆମେ ସାଥୀ ହୋଇ ସବୁ ଆଡ଼କୁ ଯାଉ।’’
ଉଭୟ ନିକଟସ୍ଥ ଜଙ୍ଗଲରୁ ଶାଳ (ସୋରିଆ ରୋବଷ୍ଟା) ପତ୍ର ସଂଗ୍ରହ କରିବାକୁ ଯାଆନ୍ତି, ସେଥିରେ ସେମାନେ ଦନା (ତାଟିଆ) ଓ ପତ୍ତଲ (ଥାଳି) ତିଆରି କରନ୍ତି ଯାହାକୁ ସେମାନେ ପଲାମୁର ଜିଲ୍ଲା ମୁଖ୍ୟାଳୟ ଡାଲ୍ଟନଗଞ୍ଜରେ ବିକ୍ରି କରନ୍ତି।
ଗୀତା ଓ ସକୁନି ଦେବୀ କୋପେ ଗାଁର ଏକ ଛୋଟ ବସ୍ତି ନଦୀଟୋଲାରେ ଗତ ୩୦ ବର୍ଷ ଧରି ରହି ଆସୁଛନ୍ତି। ଝାଡ଼ଖଣ୍ଡ ରାଜ୍ୟର ଅନେକ ଗ୍ରାମୀଣ ବାସିନ୍ଦାଙ୍କ ଭଳି ଗୀତା ଓ ସକୁନି ନିଜ ଜୀବିକା ପାଇଁ ଜଙ୍ଗଲ ଉପରେ ନିର୍ଭର କରିଥା’ନ୍ତି।
ଜଙ୍ଗଲରେ ସେମାନଙ୍କୁ ସାତରୁ ଆଠ ଘଣ୍ଟା ବିତାଇବାକୁ ପଡ଼ିଥାଏ। ସେମାନଙ୍କ ଗୃହପାଳିତ ପ୍ରାଣୀ ଚରିସାରି ଘରକୁ ଫେରିବା ସମୟରେ ସେମାନେ ମଧ୍ୟ ଘରକୁ ଫେରନ୍ତି। ଦନା ଓ ଥାଳି ପାଇଁ ଯଥେଷ୍ଟ ପତ୍ର ସଂଗ୍ରହ କରିବା ଲାଗି ସେମାନଙ୍କୁ ଦୁଇ ଦିନ ସମୟ ଲାଗିଯାଇଥାଏ। ଜଙ୍ଗଲରେ ଅତି ଦ୍ରୁତ ଗତିରେ ସମୟ ବିତିଯାଇଥାଏ, ସେମାନେ କାମ ମଝିରେ ଅଳ୍ପ ଅଳ୍ପ ସମୟ ବିଶ୍ରାମ ମଧ୍ୟ ନିଅନ୍ତି। ଏହି ସମୟରେ ସେମାନେ ପରିବାର ଓ ସ୍ଥାନୀୟ ଘଟଣା ବିଷୟରେ ଆଲୋଚନା କରନ୍ତି।
ଗୀତା ସବୁଦିନ ସକାଳେ ନିଜ ପଡ଼ୋଶୀଙ୍କ ଡାକରା ଶୁଣିବାକୁ ଅପେକ୍ଷା କରି ରହିଥାନ୍ତି, ‘‘ନିକଲି ହୈ…’’ । କିଛି ସମୟ ପରେ ଉଭୟ ସାଥୀ ହୋଇ ବାହାରି ଯାଆନ୍ତି ଏବଂ ନିଜ ସହିତ ପୁରୁଣା ସିମେଣ୍ଟ ବସ୍ତାରେ ତିଆରି ହୋଇଥିବା ଏକ ବ୍ୟାଗରେ ପାଣି ବୋତଲ, ଛୋଟ କୁରାଢ଼ି ଏବଂ ପୁରୁଣା କପଡ଼ା ନେଇ ଯାଆନ୍ତି। ସେମାନେ ହେହେଗଡ଼ା ଜଙ୍ଗଲ ଆଡ଼କୁ ଯାଆନ୍ତି, ଯାହାକି ଝାଡ଼ଖଣ୍ଡର ପଲାମୁ ସଂରକ୍ଷିତ ଜଙ୍ଗଲର ବଫର୍ ଜୋନ୍ ବା କେନ୍ଦ୍ରସ୍ଥଳୀରେ ରହିଛି ।
ଦୁଇ ବନ୍ଧୁ ଭିନ୍ନ ଭିନ୍ନ ସମ୍ପ୍ରଦାୟର ପ୍ରତିନିଧିତ୍ୱ କରିଥାନ୍ତି। ଗୀତା ଜଣେ ଭୂଇୟାଁ ଦଳିତ ହୋଇଥିବା ବେଳେ ସକୁନି ଓରାଓଁ ଆଦିବାସୀ ସମ୍ପ୍ରଦାୟର। ଆମେ ସେମାନଙ୍କ ସହିତ ଆଗକୁ ବଢ଼ିବା ସମୟରେ, ଗୀତା ଆମକୁ ସତର୍କ କରାଇ ଦେଇ କୁହନ୍ତି : ‘‘ଏଠାକୁ ଏକାକୀ ଆସିବ ନାହିଁ। ବେଳେବେଳେ ଜଙ୍ଗଲୀ ପଶୁ ମଧ୍ୟ ଏଠାକୁ ଆସନ୍ତି। ଆମେ ଏଠାରେ କଲରାପତରିଆ ବାଘକୁ ମଧ୍ୟ ଦେଖିଛୁ!’’ ଏଠାରେ ସାପ ଓ ବିଛାଙ୍କ ବିପଦ ମଧ୍ୟ ରହିଥାଏ। ସକୁନି କୁହନ୍ତି, ‘‘ଅନେକ ଥର ଆମେ ହାତୀମାନଙ୍କୁ ସାମ୍ନା କରିଛୁ।’’ ପଲାମୁ ବ୍ୟାଘ୍ର ଅଭୟାରଣ୍ୟରେ ୭୩ଟି କଲରପତରିଆ ବାଘ ଏବଂ ପ୍ରାୟ ୨୬୭ ହାତୀ (ବନ୍ୟଜୀବ ଗଣନା, ୨୦୨୧) ଅଛନ୍ତି।






















