ଲିମ୍ବଡ଼ି ରାଜପଥ କଡ଼ରୁ କେନା ମେଲି ଆଗକୁ ବଢ଼ିଥିବା ରାସ୍ତାଟି ଲମ୍ବିଯାଇଛି ପ୍ରାୟ ୧୦-୧୨ କିଲୋମିଟର ଦୂର ମୋଟା ଟିମ୍ବଲା ଗାଁ ପର୍ଯ୍ୟନ୍ତ। ଗାଁ ମୁଣ୍ଡରେ ରହିଛି ବଙ୍କରବାସ - ଏହା ସେହି ସ୍ଥାନ, ଯେଉଁଠି ଘର କରି ରହନ୍ତି ଦଳିତ ବୁଣାକାର ସଂପ୍ରଦାୟର ଲୋକେ। ଖଟ୍‌ ଖଟ୍‌... ଖଟ୍‌ ଖଟ୍‌... ଅଣଓସାରିଆ ରାସ୍ତା ଦୁଇ କଡ଼ରେ ରହିଥିବା ପୁରୁଣାକାଳିଆ ଟାଇଲ୍‌ ଛାତ, ଏବଂ କେତେକ ଚାଳ ଛପର ଘର ଭିତରୁ ଭାସି ଆସି ପ୍ରତିଧ୍ୱନିତ ହେଉଥାଏ ଶଟଲ୍‌ ତନ୍ତର ଛନ୍ଦବନ୍ଧା ସ୍ୱର, ଏବଂ ମଝିରେ ମଝିରେ ଶୁଭୁଥାଏ ତନ୍ତ ଧ୍ୱନିର ତାଳରେ ବାଧା ଦେଉଥିବା ମଣିଷର କଣ୍ଠସ୍ୱର। କାନ ଡେରି ଶୁଣନ୍ତୁ, ଆପଣ ଏଠାରୁ ଖଟଣିର ଶବ୍ଦ ବି ଶୁଣିପାରିବେ। ଆଉ ଟିକେ ପାଖରୁ ଶୁଣନ୍ତୁ, ଏବଂ ହୁଏତ ଆପଣ ଏକ ସୂକ୍ଷ୍ମ ଓ ଜଟିଳ ବୁଣାକାମର ଆଢୁଆଳରେ ଛପି ରହିଥିବା ଦୁଃଖ ଓ ଅନୁତାପରେ ଭରା ସେହି ସ୍ୱରକୁ ବି ଶୁଣିପାରିବେ.. ରାପ୍‌..ଟ୍ରାପ୍‌..ରାପ୍‌... ଯାହାକି, ରେଖା ବେନ୍‌ ବାଘେଲାଙ୍କ ଜୀବନ କାହାଣୀର ଉପକ୍ରମ ଭଳି।

“ଅଷ୍ଟମ ଶ୍ରେଣୀରେ ମୋର ଅତି ବେଶିରେ ତିନି ମାସ ହୋଇଥାଏ। ମୁଁ ଲିମ୍ବଡ଼ିର ଗୋଟିଏ ଛାତ୍ରୀ ନିବାସରେ ରହୁଥିଲି ଏବଂ ପ୍ରଥମ ସ୍କୁଲ ପରୀକ୍ଷା ଦେଇ ଘରକୁ ଆସିଥିଲି। ସେହି ସମୟରେ ମୋ ମାଆ କହିଲେ କି ମୁଁ ଆଉ ଆଗକୁ ପଢ଼ିବା ଲାଗି ଯିବି ନାହିଁ। ମୋ ବଡ଼ଭାଇ, ଗୋପାଲ ଭାଇଙ୍କୁ ସାହାଯ୍ୟ କରିବା ଦରକାର। ଜୀବିକା ଅର୍ଜନ ଲାଗି ପୂର୍ବରୁ ସେ ସ୍ନାତକ ପଢ଼ା ଶେଷ ନ କରି କଲେଜ ଛାଡ଼ି ସାରିଥିଲେ। ମୋ ଦୁଇ ଭାଇଙ୍କ (ପାଠପଢ଼ା ବାବଦ) ଖର୍ଚ୍ଚ ତୁଲାଇବା ଲାଗି ଆମ ପରିବାର ପାଖରେ ପଇସା ନଥିଲା। ଏମିତି ଭାବରେ ମୁଁ ପାଟୋଲା କାମ ଆରମ୍ଭ କଲି।” ରେଖା ବେନ୍‌ଙ୍କ ଶବ୍ଦ ସବୁ ସ୍ପଷ୍ଟ, ଅଥଚ ଶାଣିତ, ଦାରିଦ୍ର୍ୟର ପଥରରେ ଶାଣଦିଆ ଅନ୍ୟ ସବୁ କଥା ଭଳି। ଏବେ, ବୟସର ୪୦ ଦଶକରେ, ସେ ହିଁ ଗୁଜରାଟର ସୁରେନ୍ଦ୍ରନଗର ଜିଲ୍ଲା ଅନ୍ତର୍ଗତ ମୋଟା ଟିମ୍ବଲା ଗାଁର ପ୍ରବୀଣ ବୁଣାକାର।

“ମୋ ସ୍ୱାମୀ ମଦ, ଜୁଆ, ପାନ ମସଲା, ଟବାକୋ ନିଶାରେ ବୁଡ଼ି ରହୁଥିଲେ,” ତାଙ୍କ ବିବାହ ପରବର୍ତ୍ତୀ ଜୀବନର ଅଡୁଆ ସୂତାରୁ ଆଉ ଗୋଟିଏ ଖିଅ ଧରି ସେ କହନ୍ତି। ସେହି ଦୁଃଖଭରା ଜୀବନ। ଅନେକ ସମୟରେ ସେ ତାଙ୍କ ସ୍ୱାମୀଙ୍କୁ ଛାଡ଼ି ବାପାମାଆଙ୍କ ଘରକୁ ପଳାଇ ଯାଆନ୍ତି, ହେଲେ ପୁଣି ତାଙ୍କୁ ଫେରିବା ପାଇଁ ମନେଇ ଦିଆଯାଏ। ଦୟନୀୟ ଅବସ୍ଥାରେ ଦିନ କଟୁଥିଲା। ତଥାପି, ସେ ସବୁକୁ ସେ ସହିଛନ୍ତି। “ସେ ଭଲ ଚରିତ୍ରର ମଣିଷ ନଥିଲେ,” ଏବେ ସେ କହନ୍ତି।

“ବେଳେବେଳେ ସେ ମୋତେ ମାଡ଼ ମାରୁଥିଲେ, ଏମିତି କି ମୁଁ ଗର୍ଭବତୀ ଥିବା ବେଳେ ବି,” ସେ କହନ୍ତି। ତାଙ୍କ କଣ୍ଠସ୍ୱରରୁ ବାରି ହୋଇପଡ଼େ ସେହି କ୍ଷତର ଯନ୍ତ୍ରଣା, ଯାହା ଏବେ ବି ତାଙ୍କ ମନରେ ସତେଜ ହୋଇ ରହିଛି। “ମୋ ଝିଅ ଜନ୍ମ ହେବା ପରେ ଅନ୍ୟ ଜଣେ ସ୍ତ୍ରୀ ସହିତ ତାଙ୍କ ସଂପର୍କ କଥା ମୁଁ ଜାଣିଲି। ସେମିତି ଅବସ୍ଥାରେ ମୁଁ ବର୍ଷଟିଏ ବିତାଇ ଦେଲି। ସେହି ସମୟରେ (୨୦୧୦ରେ) ଗୋପାଲ ଭାଇ ଦୁର୍ଘଟଣାରେ ପ୍ରାଣ ହରାଇଲେ। ତାଙ୍କର ପାଟୋଲା କାମ ସବୁ ଅଧାରେ ରହିଥିଲା। କାମ ପାଇଁ ଗୋପାଲ ଭାଇଙ୍କୁ ଜିନିଷପତ୍ର ଦେଇଥିବା ବ୍ୟବସାୟୀମାନଙ୍କର ବାକି ଶୁଝିବାର ଥିଲା। ତେଣୁ, ମୁଁ ତା’ ପରର ପାଞ୍ଚ ମାସ ପାଇଁ ସେଠାରେ (ମାଆବାପାଙ୍କ ଘରେ) ଅଟକି ଗଲି ଏବଂ ତାଙ୍କର ବାକି କାମ ଶେଷ କଲି। ତା’ପରେ ମୋ ସ୍ୱାମୀ ମୋତେ ନେଇଯିବାକୁ ଆସିଲେ,” ସେ କହନ୍ତି।

ଖୁସିରେ ଅଛନ୍ତି ବୋଲି ଭାବି ନିଜକୁ ନିଜେ ଠକିବାରେ, ଛୋଟ ଝିଅଟିର ଯତ୍ନ ନେବାରେ ଏବଂ ଅନ୍ତରର ଯନ୍ତ୍ରଣାକୁ ଅନ୍ତରରେ ଲୁଚାଇ ରଖି ସହି ନେବାରେ ତାଙ୍କର ଆଉ କିଛି ବର୍ଷ ବିତିଗଲା। “ଶେଷରେ, ମୋ ଝିଅକୁ ସାଢ଼େ ଚାରି ବର୍ଷ ହେବା ବେଳକୁ ଆଉ ମୁଁ ସେ ଅତ୍ୟାଚାର ସହି ପାରିଲିନି, ଛାଡ଼ି ପଳାଇଲି,’ ରେଖା ବେନ୍‌ କହନ୍ତି। ପିଲାଦିନେ ସ୍କୁଲପଢ଼ା ଛାଡ଼ି ପାଟୋଲା ବୁଣାକାମରେ ସେ ଯେଉଁ ଦକ୍ଷତା ହାସଲ କରିଥିଲେ, ତାହା ଶାଶୁଘର ଛାଡ଼ି ଯିବା ପରେ ତାଙ୍କ କାମରେ ଲାଗିଲା। ଦାରିଦ୍ର୍ୟର ତାଡ଼ନାରେ ଅସ୍ତବ୍ୟସ୍ତ ଜୀବନର ତିକ୍ତ ଓ ତୀକ୍ଷ୍‌ଣ ଅନୁଭୂତିକୁ ଦୂର କରିବାରେ ଏହା ସହାୟକ ହେଲା ଏବଂ ତାହାରି ବଳରେ ସେ ଏକ ନୂଆ ଜୀବନ ଆରମ୍ଭ କଲେ। ଏଥର ସଶକ୍ତ ଜୀବନଟିଏ।

PHOTO • Umesh Solanki
PHOTO • Umesh Solanki

ରେଖା ବେନ୍‌ କିଶୋରୀ ବୟସରୁ ପାଟୋଲା ବୁଣିବା ଆରମ୍ଭ କରିଥିଲେ ଆଜି, ବୟସର ୪୦ ଦଶକରେ, ପୁରୁଷମାନେ ଆଧିପତ୍ୟ ବିସ୍ତାର କରିଥିବା ଏହି ଶିଳ୍ପରେ ସେ ଲିମ୍ବଡ଼ି ଜିଲ୍ଲାର ଏକମାତ୍ର ମହିଳା ରୂପେ, ଡବଲ ଓ ସିଙ୍ଗଲ ଇକତ ପାଟୋଲା ବୁଣାକାମରେ ନିଜର ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି

ବହୁଦିନ ଆଗରୁ, ଲିମ୍ବଡ଼ି ଅନ୍ତର୍ଗତ ଗାଁ ସମୂହରେ କାର୍ଯ୍ୟରତ ଏକମାତ୍ର ମହିଳା ପାଟୋଲା ବୁଣାକାରର ସ୍ଥାନ ନେଇସାରିଛନ୍ତି ରେଖା ବେନ୍‌। ସେ ସେହି ମହିଳା ବୁଣାକାର, ଯିଏ କି ଭରଣି ଓ ଆଡ଼ସୂତା ବା ତନ୍ତର ଦୈର୍ଘ୍ୟରେ ଓ ତୀର୍ଯ୍ୟକ୍‌ ଭାବରେ ରଖାଯାଉଥିବା ସୂତାକୁ ଯଥାସ୍ଥାନରେ ରଖି ଜଣେ ବିଶେଷଜ୍ଞ ବୁଣାକାରର ଦକ୍ଷତାର ସହିତ ଏବଂ ସହଜରେ ପାଟୋଲା ବୁଣିପାରନ୍ତି।

“ଆରମ୍ଭ କରିବା ସମୟରେ, ମୁଁ ଦାଣ୍ଡି କାମ ପାଇଁ ଆମ ଘର ସାମ୍‌ନାରେ ରହୁଥିବା ପଡ଼ୋଶୀଙ୍କ ଘରକୁ ଯାଉଥିଲି। ଏହାକୁ ଶିଖିବା ପାଇଁ ମୋତେ ମାସଟିଏ ଲାଗିଯାଇଥିବ,” ରେଖା ବେନ୍‌ କହନ୍ତି। ଆମ ସହ କଥାବାର୍ତ୍ତା କରୁଥିବା ବେଳେ ସେ ତାଙ୍କ ଶଟଲ୍‌ ତନ୍ତକୁ ସଜାଡ଼ି ନେଉଥାଆନ୍ତି, ଜୀବନର କଠୋର ଅନୁଭୂତିରେ ରୁକ୍ଷ ହୋଇଯାଇଥିବା ତାଙ୍କ ଗାଲକୁ ଘଷି ସଫା କରୁଥାଆନ୍ତି ଏବଂ ତନ୍ତ ଉପରେ କହୁଣୀ ଭରା ଦେଇ ବସିଥାଆନ୍ତି। ଭରଣି (ଲମ୍ବ ଭାବରେ ଥିବା) ଏବଂ ଆଡ଼ସୂତା (ତୀର୍ଯ୍ୟକ ଭାବରେ ଥିବା) ମଧ୍ୟରେ ତାଳମେଳ ରଖି ଅତି ଯତ୍ନର ସହିତ ସେ ସୂତାରେ ବିଭିନ୍ନ ସଂରଚନା ତୋଳି ଦେଉଥାଆନ୍ତି।

ଖାଲି ତାକୁଡ଼ିକୁ ଶଟଲ୍‌ରୁ ବାହାର କରି, ନୂଆଟିଏ ଲଗାଇ ଦେଇ ହସ୍ତତନ୍ତର ପେଡାଲକୁ ସେ ଚାପି ଧରନ୍ତି ଏବଂ ଭରଣିରେ ଲାଗିଥିବା ତନ୍ତୁକୁ ଆବଶ୍ୟକତା ମୁତାବକ ଉଚ୍ଚତା ପର୍ଯ୍ୟନ୍ତ ଉଠାଇ ଶଟଲ୍‌ର ଯିବାଆସିବା ଲାଗି ସ୍ଥାନ ନିରୂପଣ କରନ୍ତି। ଗୋଟିଏ ହାତରେ ଆଡ଼ସୂତାର ଗତି ନିୟନ୍ତ୍ରଣ କରୁଥିବା ତନ୍ତର ଲିଭରକୁ ଟାଣିବା ବେଳେ ଅନ୍ୟ ହାତରେ ବିଟର୍‌ ବା ପିଟଣାକୁ ତୁରନ୍ତ ଟାଣି ସୂତାକୁ ଠିକ୍‌ ସ୍ଥାନରେ ରଖନ୍ତି। ଏକା ଏକା ପାଟୋଲା ବୁଣନ୍ତି ରେଖା ବେନ୍‌, ତାଙ୍କ ଆଖି ଥାଏ ତନ୍ତ ଉପରେ, ମନରେ ଥାଏ କଳ୍ପିତ ଡିଜାଇନ୍‌ର ରୂପରେଖ, ଏବଂ ଗୋଟିଏ ଲୟରେ ସେ କହି ଚାଲନ୍ତି ତାଙ୍କ ଜୀବନର ଏବଂ ତାଙ୍କ କାରିଗରୀର ଇତିବୃତ୍ତ।

ପରମ୍ପରାଗତ ଭାବେ, ପାଟୋଲା ବୁଣାକାମରେ ଅତି କମ୍‌ରେ ଦୁଇ ଜଣ ବ୍ୟକ୍ତି ଲାଗନ୍ତି। “ଯିଏ ଦାଣ୍ଡି କାମ କରନ୍ତି, ସେହି ସହାୟକ ଜଣକ ବାମ ପଟେ ବସନ୍ତି ଏବଂ ବୁଣାକାର ଡାହାଣରେ ବସନ୍ତି,” ସେ ତାଙ୍କ କାମ ସଂପର୍କରେ ବୁଝାଇ କହନ୍ତି। ଦାଣ୍ଡି କାମ କହିଲେ, ବୁଣାଯାଉଥିବା ପାଟୋଲା ର ପ୍ରକାର ଉପରେ ନିର୍ଭର କରି ପୂର୍ବରୁ ରଙ୍ଗ କରାଯାଇଥିବା ସୂତାକୁ ତନ୍ତର ଭରଣି କିମ୍ବା ଆଡ଼ସୂତା ଦଣ୍ଡରେ କିମ୍ବା ଉଭୟରେ ବ୍ୟବସ୍ଥିତ ଭାବରେ ସଂଯୋଜନା କରିବାକୁ ବୁଝାଏ।

ପ୍ରତିଟି ଶାଢ଼ି ବୁଣିବାରେ ଲାଗିଥିବା ସମୟ ଓ ପରିଶ୍ରମକୁ ଦେଖିଲେ ବୁଣାକାମର ଏହି ପ୍ରକ୍ରିୟାର ଗୁରୁତ୍ୱ ବୁଝିହୁଏ। କିନ୍ତୁ, ରେଖା ବେନ୍‌ଙ୍କ ଦକ୍ଷତା ଏବଂ ନିପୁଣତା ଯୋଗୁଁ ଏହା ସହଜସାଧ୍ୟ ମନେହୁଏ। ସତେ ଯେମିତି ବୁଣାକାମର ଏହି ଜଟିଳତା ଆଉ କିଛି ନୁହେଁ, ବରଂ ତାଙ୍କ ଆଙ୍ଗୁଠି ଟିପରେ ସାକାର ହେଉଥିବା ତାଙ୍କ ଆଖିର ଏକ ଚମତ୍କାର ସ୍ୱପ୍ନ ମାତ୍ର।

“ସିଙ୍ଗଲ ଇକତ ବୁଣାରେ, କେବଳ ଆଡ଼ସୂତାରେ ଡିଜାଇନ କରାଯାଏ। ଡବଲ ଇକତରେ ଉଭୟ ଭରଣି ଓ ଆଡ଼ସୂତାରେ ଡିଜାଇନ କରାଯାଏ,” ଦୁଇ ପ୍ରକାର ପାଟୋଲା ମଧ୍ୟରେ ଥିବା ପାର୍ଥକ୍ୟ ବୁଝାଇବାକୁ ଯାଇ ସେ କହନ୍ତି।

ଉଭୟ ପ୍ରକାର ବୁଣାକାମର ଯେଉଁ ପାର୍ଥକ୍ୟ ରହିଛି ତାହା ଡିଜାଇନରେ ରହିଛି। ଝାଡ଼ଖଣ୍ଡର ପାଟୋଲା ସିଙ୍ଗଲ ଇକତ୍‌ ପ୍ରକାରର, ବେଙ୍ଗାଲୁରୁର ସୂକ୍ଷ୍ମ ରେଶମରୁ ତିଆରି ହେଉଥିବା ବେଳେ ପାଟନର ପାଟୋଲା ଡବଲ ଇକତ ବିଶିଷ୍ଟ ଏବଂ ଏହା ଆସାମ, ଢାକା, ଏମିତି କି ଏଠାକାର ବୁଣାକାରମାନଙ୍କ କହିବା ଅନୁସାରେ, ଇଂଲଣ୍ଡରୁ ଆସୁଥିବା ମୋଟା ରେଶମରୁ ତିଆରି ହୁଏ।

PHOTO • Umesh Solanki
PHOTO • Umesh Solanki

ସମୟ ଓ ପରିଶ୍ରମ ଦୃଷ୍ଟିରୁ ପାଟୋଲା ବୁଣା ପ୍ରକ୍ରିୟା ଖୁବ୍‌ ଜଟିଳ କିନ୍ତୁ, ରେଖା ବେନ୍‌ଙ୍କ ଦକ୍ଷତା ଏବଂ ନିପୁଣତା ଯୋଗୁଁ ସବୁକିଛି  ସହଜସାଧ୍ୟ ମନେହୁଏ, ଠିକ୍‌ ଯେମିତି ତାଙ୍କ ଆଙ୍ଗୁଠି ଟିପରେ ସାକାର ହେଉଥିବା ତାଙ୍କ ଆଖିର ଏକ ଚମତ୍କାର ସ୍ୱପ୍ନ

PHOTO • Umesh Solanki
PHOTO • Umesh Solanki

ପାରମ୍ପରିକ ଭାବରେ, ଗୋଟିଏ ପାଟୋଲା ବୁଣାରେ ଅତି କମ୍‌ରେ ଦୁଇ ଜଣ ବ୍ୟକ୍ତି ଲାଗନ୍ତି ଯିଏ ଡିଜାଇନ ସଂଯୋଜନାରେ ସହାୟତା କରନ୍ତି ସେ ବାମରେ ବସନ୍ତି ଏବଂ ବୁଣାକାର ଡାହାଣରେ ବସନ୍ତି ପେଡାଲ ଉପରେ ପାଦ ରଖି, ଗୋଟିଏ ହାତରେ ଲିଭର ଏବଂ ଅନ୍ୟ ହାତରେ ବିଟର୍‌ ଧରିଥାଆନ୍ତି କିନ୍ତୁ ରେଖା ବେନ୍‌ ନିଜେ ସବୁତକ ବୁଣାକାମ କରନ୍ତି

ସୂତାକୁ ବାନ୍ଧି ରଙ୍ଗ କରିବାର ଏକ ଜଟିଳ ପ୍ରକ୍ରିୟାକୁ ଇକତ କୁହାଯାଏ ଏବଂ ଓଡ଼ିଶା ଓ ତେଲଙ୍ଗାନା ଭଳି ଭାରତର ବିଭିନ୍ନ ଭାଗରେ ବୁଣାକାରମାନେ ଏହି କାମ କରିଆସୁଛନ୍ତି। ହେଲେ, ଭୌଗୋଳିକ ଅବସ୍ଥିତି ବ୍ୟତୀତ ଅନ୍ୟ ଯେଉଁ ସବୁ କାରଣରୁ ଗୁଜରାଟର ପାଟୋଲା ରେ ଭିନ୍ନତା ରହିଛି ସେ ସବୁ ହେଲା ଏହାର ସୂକ୍ଷ୍ମ ଓ ସ୍ପଷ୍ଟ ଡିଜାଇନ୍‌, ଏବଂ ଏଥିରେ ଲାଗିଥିବା ବିଭିନ୍ନ ଉଜ୍ଜ୍ୱଳ ରଙ୍ଗର ରେଶମ। ଚୂଡ଼ାନ୍ତ ବୁଣାକାମ ସଂପାଦିତ ଉତ୍ପାଦ ଖୁବ୍‌ ବ୍ୟୟସାପେକ୍ଷ ଏବଂ ଏହାର ଇତିହାସରେ ରାଜକୀୟ ପୃଷ୍ଠପୋଷକତା ବିଦ୍ୟମାନ।

ପଡ଼ି ପାଟୋଲେ ଭାତ୍‌, ଫାଟେ ପାନ୍‌ ଫିଟେ ନାହି ଗୁଜରାଟର ଏକ ଲୋକପ୍ରିୟ ଉକ୍ତି ଅନୁସାରେ ପାଟୋଲାର ରଙ୍ଗ ଆଦୌ ମଳିନ ପଡ଼େ ନାହିଁ, ଏମିତି କି ଲୁଗା ଘଷରା ହେଲେ ବି ଛାଡ଼େ ନାହିଁ। ପାଟୋଲା ଡିଜାଇନରେ କେମିତି କ’ଣ ହୁଏ, ତାହା ଆଉ ଏକ ଜଟିଳ ପ୍ରସଙ୍ଗ। ସେ କଥା ଆଉ କେବେ।

ସ୍ୱାମୀଙ୍କ ଘର ଛାଡ଼ି ଆସିବା ପରେ ରେଖା ବେନ୍‌ଙ୍କ ଜୀବନର ଗତି ସହଜ ନଥିଲା। ଅନେକ ଦିନ ତଳୁ ସେ ବୁଣାକାମ ଛାଡ଼ି ସାରିଥିଲେ। ପୁଣି ତାହା ଆରମ୍ଭ କରିବା କଷ୍ଟକର ଥିଲା। “ମୁଁ ଦୁଇ ତିନି ଜଣ ଲୋକଙ୍କ ସହିତ କଥାବାର୍ତ୍ତା କଲି, କିନ୍ତୁ କେହି ହେଲେ ମୋ କାମକୁ ନେଇ ମୋତେ ବିଶ୍ୱାସ କଲେ ନାହିଁ,” ସେ କହନ୍ତି। “ସମାନ ମଜୁରିରେ କାମ କରିବା ଲାଗି ସୋମସରର ଜୟନ୍ତୀ ଭାଇ ମୋତେ ଛଅଟି ଶାଢ଼ି ବୁଣିବାକୁ ଦେଲେ। କିନ୍ତୁ ଚାରି ବର୍ଷର ବ୍ୟବଧାନ ପରେ ମୁଁ କାମ କରିବାକୁ ଯାଉଥିଲି ଏବଂ ପ୍ରସ୍ତୁତ ଶାଢ଼ିଗୁଡ଼ିକ ଯେତିକି ଭଲ ହେବା କଥା ତାହା ହୋଇ ନଥିଲା। ସେ ମୋ କାମକୁ ଅନଭିଜ୍ଞ ହାତର କାମ ରୂପେ ଧରିନେଲେ ଏବଂ ଆଉ ଥରେ ମୋତେ ସେ ସୁଯୋଗ ଦେଲେ ନାହିଁ। କାମ ନ ଦେବା ପାଇଁ ସବୁ ସମୟରେ ତାଙ୍କ ପାଖରେ କିଛି ନା କିଛି ବାହାନା ଥିଲା,” ଦୀର୍ଘଶ୍ୱାସଟିଏ ଛାଡ଼ିବା ଭିତରେ ବି ବୁଣାକାମ ଅବ୍ୟାହତ ରଖି ରେଖା ବେନ୍‌ କହନ୍ତି। ମୋ ମନରେ ପ୍ରଶ୍ନ ଉଠିଲା- ଏଥିଯୋଗୁଁ ତାଙ୍କ ଭରଣିରେ ସୂତାର ସଂଯୋଜନା ବିଗିଡ଼ି ଯିବନି ତ, ଯାହାକି ବୁଣାକାମର ସାମଗ୍ରିକ ଢାଞ୍ଚା ପାଇଁ ଗୁରୁତ୍ୱପୂର୍ଣ୍ଣ।

ବିନା କାମରେ, କାମ ପାଇଁ ‘ପଚାରିବି କି ପଚାରିବିନି’ର ଦ୍ୱନ୍ଦ୍ୱ ଭିତରେ, ଦିନ ଗଡ଼ି ଚାଲିଲା। ଦାରିଦ୍ର୍ୟର ଛାୟା କାୟାବିସ୍ତାର କରିବାରେ ଲାଗିଲା। କାମ କଥା ଉଠିଲେ, ମାଗିବା ପାଇଁ ପଛାଇ ଯାଆନ୍ତିନି ରେଖା ବେନ୍‌। କିନ୍ତୁ ପଇସା ମାଗିବାକୁ ଗଲେ ବାଟ ଓଗାଳେ ସ୍ୱାଭିମାନ। “ମୋ ଫୁଇ ଙ୍କ ପୁଅ (ବାପାଙ୍କ ଭଉଣୀର ପୁଅ) ମନୁଭାଇ ରାଠୋଡ଼ଙ୍କ ସହିତ ମୁଁ କଥାବାର୍ତ୍ତା କଲି। ସେ ମୋତେ କିଛି କାମ ଦେଲେ। ଏଥର କାମରେ କିଛିଟା ଉନ୍ନତି ହେଲା। ସେ ଏହାକୁ ପସନ୍ଦ କଲେ। ଜଣେ ବୁଣାକାର ଶ୍ରମିକ ଭାବରେ, ନିର୍ଦ୍ଧାରିତ ଦୈନିକ ମଜୁରି ବଦଳରେ ମୁଁ ଦେଢ଼ ବର୍ଷରୁ ଅଧିକ କାଳ କାମ କଲି। ତାହା ଥିଲା ସିଙ୍ଗଲ ଇକତ କାମ ଏବଂ ଗୋଟିଏ ପାଟୋଲା ଶାଢ଼ି ପାଇଁ ମୋତେ ୭୦୦ ଟଙ୍କା ମିଳୁଥିଲା,” ପୁରୁଣା କଥାକୁ ମନେ ପକାଇ ରେଖା ବେନ୍‌ କହନ୍ତି। “ମୁଁ ଓ ମୋ ଭାଉଜ (ଗୋପାଲ ଭାଇଙ୍କ ସ୍ତ୍ରୀ) ଏକାଠି କାମ କଲେ ଗୋଟିଏ ଶାଢ଼ି ବୁଣିବାକୁ ତିନି ଦିନ ଲାଗୁଥିଲା।” ତାହା ବି ପ୍ରତି ଦିନ କେବଳ ବୁଣାକାମରେ ଦଶ ଘଣ୍ଟାରୁ ଅଧିକ ପରିଶ୍ରମ କଲେ ହିଁ ସମ୍ଭବ ହେଉଥିଲା। ଅନ୍ୟାନ୍ୟ କାମରେ ଅଧିକ ସମୟ ଲାଗିଯାଉଥିଲା।

ଅବିରତ ସଂଘର୍ଷରେ ବ୍ୟସ୍ତ ଜୀବନରୁ ତାଙ୍କୁ କିଛିଟା ସାହସ ମିଳିଲା। ଗଭୀର ଶ୍ୱାସ ନେଇ ସେ କହନ୍ତି, “ମୁଁ ଭାବିଲି, ଏଣିକି ମୁଁ ନିଜେ ନିଜର ହୋଇ ନିଜ ପାଇଁ କାମ କଲେ ଭଲ ହେବ ଏବଂ ଆମ ଆର୍ଥିକ ସ୍ଥିତି ବି ସୁଧୁରି ଯିବ। ମୁଁ କଞ୍ଚାମାଲ କିଣି ଆଣିଲି ଏବଂ ବାହାରେ ତନ୍ତକାମ ପ୍ରସ୍ତୁତ କରାଇ ନେଲି। ଥରେ ତନ୍ତକାମ ପ୍ରସ୍ତୁତ ହୋଇଗଲେ, ମୁଁ ଭରଣିକୁ ନିଜ ଘରକୁ ଆଣି ବୁଣିବା ଆରମ୍ଭ କଲି।

“କୌଣସି ବରାଦ ପାଇଁ ନୁହେଁ,” ସଗର୍ବ ସ୍ମିତହସ ସହିତ ସେ କଥା ଯୋଡନ୍ତି। “ମୁଁ ମୋ ନିଜର ପାଟୋଲା ବୁଣିବା ଆରମ୍ଭ କଲି। ଆଉ ସେଗୁଡ଼ିକୁ ମୁଁ ଘରୁ ବିକ୍ରି କଲି। ଧୀରେ ଧୀରେ ମୁଁ ମୋର ଉତ୍ପାଦନ ବଢ଼ାଇଲି।” ତାହା ଥିଲା ଏକ ଅସାଧାରଣ ସଫଳତା- ନିପଟ ଦାରିଦ୍ର୍ୟରୁ ଆତ୍ମନିର୍ଭରଶୀଳତା ଯାଏଁ। ମନରେ ତାଙ୍କର ଯେଉଁ ଗୋଟିଏ ପୀଡ଼ାଦାୟକ ଦୁଃଖ ରହିଥିଲା, ତାହା ହେଲା ଡବଲ ଇକତ ବୁଣାକାମରେ ଜ୍ଞାନ ଓ ଦକ୍ଷତାର ଅଭାବ।

PHOTO • Umesh Solanki
PHOTO • Umesh Solanki

ଡିଜାଇନ ଦୃଷ୍ଟିରୁ ପାଟୋଲାରେ ପାର୍ଥକ୍ୟ ରହିଥାଏ। ପୂର୍ବରୁ ରଙ୍ଗ କରାଯାଇଥିବା ତନ୍ତୁ ଉପରେ ଡିଜାଇନ ନିର୍ଭର କରେ। ସିଙ୍ଗଲ ଇକତରେ (ବାମରେ ରେଖା ବେନ୍‌ ବୁଣୁଥିବା ଗୋଟିକ ଭଳି) କେବଳ ଆଡ଼ସୂତାରେ ଡିଜାଇନ କରାଯାଉଥିବା ବେଳେ ଡବଲ ଇକତରେ (ଡାହାଣ) ଉଭୟ ଭରଣି ଓ ଆଡ଼ସୂତାରେ ଡିଜାଇନ କରାଯାଏ

“ଶେଷରେ, ସେଥିପାଇଁ ମୁଁ ମୋ ବଡ଼ବାପାଙ୍କ ପାଖରୁ ଦେଢ଼ ମାସ କାଳ ତାଲିମ ନେଲି,” ସେ କହନ୍ତି। ସେତେବେଳେ ବି ତାଙ୍କ ଝିଅ ଛୋଟ ଥିଲା, ଚତୁର୍ଥ ଶ୍ରେଣୀରେ ପଢୁଥିଲା, ତାଙ୍କ ଶାଶୁଘର ପରିବାର ସହିତ ତାଙ୍କର କୌଣସି ସଂପର୍କ ନଥିଲା, ଏବଂ ତାଙ୍କ ଉପରେ ଥିବା ଆର୍ଥିକ ଚାପ ଅତ୍ୟଧିକ ଥିଲା। କିନ୍ତୁ, ରେଖା ବେନ୍‌ ଥିଲେ ଦୃଢ଼ପ୍ରତିଜ୍ଞ। “ପାଖରେ ସଞ୍ଚି ରଖିଥିବା ସବୁ ପଇସାକୁ ମୁଁ କଞ୍ଚାମାଲ, ରେଶମ ତନ୍ତୁ କିଣିବାରେ ଲଗାଇ ଦେଲି। ନିଜେ ନିଜେ ମୁଁ ଷୋହଳଟି ପାଟୋଲା ପାଇଁ ଡିଜାଇନ କରି ତନ୍ତୁ ପ୍ରସ୍ତୁତ କରିନେଲି,” ସେ କହନ୍ତି।

“ଏହି କାମ କରିବା ପାଇଁ ଅତି କମ୍‌ରେ ଆପଣଙ୍କର ତିନି ଜଣ ଲୋକ ଦରକାର ଏବଂ ମୁଁ ଥିଲି ପୂରା ଏକୁଟିଆ। ମୁଁ ଅଡୁଆରେ ପଡ଼ିଗଲି। ପାସି ବିଚାର୍ଯୁ ଜେ କରାବାନୁ ଛେ ଏ ମାରାଜ କରାବାନୁ ସେ ମା ମକ୍କାମ କାରି ଲିଧୁ ପାସି (କିନ୍ତୁ ତା’ପରେ ମୁଁ ନିଜକୁ ନିଜେ କହିଲି ଯେ, ମୁଁ ଯାହା କରିବା ଦରକାର ସେଥିପାଇଁ କେବଳ ମୁଁ ହିଁ ଅଛି, ତେଣିକି ମୁଁ ମନ ସ୍ଥିର କରିନେଲି)।” ତଥାପି, କେବେ କେମିତି ଯଦି ତାଙ୍କର ସହାୟତା ଦରକାର ହୁଏ, ତାଙ୍କ ସଂପ୍ରଦାୟର ଲୋକେ ସାହାଯ୍ୟ କରିବାକୁ ଆଗେଇ ଆସନ୍ତି: ଯେମିତି କି, ମଣ୍ଡ ଦେବା ଏବଂ ମଜଭୁତ କରିବା ପାଇଁ ଭରଣିରେ ରଙ୍ଗ କରାଯାଇଥିବା ସୂତାକୁ ଟାଣି ରାସ୍ତା କଡ଼ର ଦୁଇ ଖୁଣ୍ଟରେ ବାନ୍ଧିବା ବେଳେ; ମଣ୍ଡଦିଆ ଭରଣି ସୂତାକୁ କଡ଼ିକାଠରେ ଗୁଡ଼ାଇବାରେ; କଡ଼ିକାଠକୁ ତନ୍ତରେ ଲଗାଇବାରେ; ତନ୍ତୁ ସୂତାକୁ ସଠିକ୍‌ କ୍ରମରେ (ଏହି ପ୍ରକ୍ରିୟାକୁ ମାରଣ କୁହାଯାଏ) ଫେନ୍‌ (ଛିଦ୍ର ଭିତର ଦେଇ ସୂତା ନିଆଯାଉଥିବା ତନ୍ତର ଏକ ଅଂଶ) ଭିତର ଦେଇ କଡ଼ିକାଠରେ ଲଗାଇବାରେ ଏବଂ ହସ୍ତତନ୍ତକୁ ବୁଣାକାମ ପାଇଁ ପ୍ରସ୍ତୁତ କରିବାରେ।

ସୂତାରେ ମଣ୍ଡର ପ୍ରଲେପ ଦେବା କାମ ଅତି ସତର୍କତାର ସହ କରିବାକୁ ହୁଏ। ଅସାବଧାନତା କାରଣରୁ ତନ୍ତରେ ଯଦି କିଛି ଚୂନା ରହିଯାଏ, ତେବେ ମୂଷା ଓ ଏଣ୍ଡୁଅମାନେ ତନ୍ତ ଆଡ଼କୁ ଆକର୍ଷିତ ହୁଅନ୍ତି।

“ଡବଲ ଇକତ କାମ ସହଜ ନଥିଲା। ମୁଁ ଭୁଲ କଲି। ଭରଣି ଓ ଆଡ଼ରେ ସୂତା ସଂଯୋଜନାରେ ତ୍ରୁଟି ରହିଲା। ଏମିତି କି ମୋତେ ଶିଖାଇବା ଲାଗି ମୁଁ ବାହାର ଲୋକଙ୍କୁ ଡାକିଲି। ଥରେ ଡାକିଲେ କେହି ହେଲେ ଆସିବେନି। ମୁଁ ସେମାନଙ୍କ ପାଖକୁ ଚାରି ପାଞ୍ଚ ଥର ଲେଖାଏଁ ଯାଇ ଅନୁରୋଧ କଲି। ହେଲେ ତା’ପରେ ସବୁ ଠିକ୍‌ ହୋଇଗଲା!” ତାଙ୍କର ସେହି ଅଳ୍ପ ହସରେ ସନ୍ତୁଷ୍ଟିର ଛାପ ସହିତ ମିଶି ରହିଥିଲା ଅନିଶ୍ଚିତତା, ଭୟ, ଭ୍ରାନ୍ତି, ସାହସ ଓ ଅଧ୍ୟବସାୟ। ‘ସବୁ ଠିକ୍‌ ହୋଇଗଲା’ ମାନେ ଭରଣି ସୂତା ଓ ଆଡ଼ସୂତା ସବୁ ସଠିକ୍‌ ଢଙ୍ଗରେ ସଂଯୋଜିତ ହୋଇଥିଲା। କପଡ଼ାର ଏଭଳି ଏକ ନିର୍ଭୁଲ ଢାଞ୍ଚା ସ୍ଥାପିତ ହୋଇଥିଲା, ଯାହା ବିନା ହୁଏତ ଗ୍ରାହକମାନଙ୍କ ତୁଳନାରେ ବୁଣାକାରଙ୍କ ପାଇଁ ପାଟୋଲା ଅଧିକ ବ୍ୟୟବହୁଳ ହୋଇପଡ଼ିଥାନ୍ତା।

ଦିନ ଥିଲା, କେବଳ ପାଟନରୁ ହିଁ ସୂକ୍ଷ୍ମ ଡବଲ ଇକତ କାମ କରାଯାଇଥିବା ପାଟୋଲା ଆସୁଥିଲା। “ପାଟନର ବୁଣାକାରମାନେ ଇଂଲଣ୍ଡରୁ ରେଶମ ଆଣନ୍ତି, ଆମେ ବେଙ୍ଗାଲୁରୁରୁ ଆଣୁ। ଅନେକ ବ୍ୟବସାୟୀ ରାଜକୋଟ କି ସୁରେନ୍ଦ୍ରନଗରରୁ ପାଟୋଲା କିଣି ସେଥିରେ ପାଟନର ଷ୍ଟାମ୍ପ ଲଗାଇ ଦିଅନ୍ତି,” ନିଜ ଅନୁଭୂତିରୁ କହନ୍ତି ୫୮ ବର୍ଷୀୟ ବିକ୍ରମ ପରମାର, ସେହି ଗାଁର ଆଉ ଜଣେ ବୁଣାକାର।

“ସେମାନେ ଆମ ପାଖରୁ ଯାହାକୁ ପଚାଶ, ଷାଠିଏ, ସତୁରୀ ହଜାର ଟଙ୍କାରେ କିଣନ୍ତି, ତାହାକୁ ଅତି ଅଧିକ ଦରରେ ବିକ୍ରି କରନ୍ତି। ସେମାନେ ବି ବୁଣାକାମ କରନ୍ତି, କିନ୍ତୁ ଏହା ତାଙ୍କୁ ଶସ୍ତା ପଡ଼େ,” ବିକ୍ରମ କହନ୍ତି। ଗାଁର ଏକାଧିକ ବୁଣାକାର ସେହି କଥା କହନ୍ତି, କେମିତି ବଡ଼ ବଡ଼ ସହରରେ ଝାଲାୱାଡ଼ର ଶସ୍ତା ପାଟୋଲା ରେ ପାଟନର ଷ୍ଟାମ୍ପ ଲଗାଇ ଲକ୍ଷ ଲକ୍ଷ ଟଙ୍କାରେ ବିକ୍ରି କରାଯାଏ। ବହୁ ବର୍ଷ ହେଲା ଏମିତି ଚାଲିଆସିଛି।

PHOTO • Umesh Solanki
PHOTO • Umesh Solanki

ରେଖା ବେନ୍‌, ତାଙ୍କ ଭାବି (ଭାଉଜ) ଯମନା ବେନ ଏବଂ ଜୟସୁଖ ବାଘେଲା (ରେଖା ବେନ୍‌ଙ୍କ ବଡ଼ଭାଇ)ଙ୍କ ସହିତ ମିଶି ହଳଦିଆ ରେଶମ ତନ୍ତୁରେ ହାଇଡ୍ରୋକ୍ଲୋରାଇଡ୍‌ର ଲେପ ଦିଅନ୍ତି ଏବଂ ପରେ ଏଥିରେ ଗୋଟିଏ ରଙ୍ଗ ଦିଅନ୍ତି। ବୁଣା ଆରମ୍ଭ କରିବା ପୂର୍ବରୁ ତନ୍ତ ପ୍ରସ୍ତୁତ କରିବା ପ୍ରକ୍ରିୟାର ଅନେକ କାମ ଭିତରୁ ଏହା ପ୍ରଥମ  ପର୍ଯ୍ୟାୟର କାମ

PHOTO • Umesh Solanki
PHOTO • Umesh Solanki

ମଣ୍ଡ ପ୍ରଲେପ ଦେଇ ଏହାକୁ ମଜଭୁତ କରିବା ଲାଗି ନୂଆ କରି ରଙ୍ଗ ଦିଆଯାଇଥିବା ଭରଣି ସୂତାକୁ ଟାଣି ରାସ୍ତାକଡ଼ ଖୁଣ୍ଟରେ ବାନ୍ଧୁଛନ୍ତି ରେଖା ବେନ୍‌ ଏଭଳି କାମରେ ଦରକାର ହେଲେ ତାଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସନ୍ତି ତାଙ୍କ ସଂପ୍ରଦାୟର ଲୋକେ

ପ୍ରାୟ ଚାଳିଶ ବର୍ଷ ତଳେ, ଲିମ୍ବଡି ତାଲୁକାରେ ପାଟୋଲା ବୁଣାକାମ ଆରମ୍ଭ କରିଥିଲେ ରେଖା ବେନ୍‌ଙ୍କ ପୂର୍ବ ପିଢ଼ିର ଜଣେ ବୁଣାକାର, ୭୦ ବର୍ଷୀୟ ହମୀର ଭାଇ।

“ଅର୍ଜନ ଭାଇ ମୋତେ ଭାୟାବଦରରୁ ରାଜକୋଟ ଆଣିଥିଲେ,” ଲିମ୍ବଡ଼ିର କଟାରିୟା ଗାଁ ଯାଏଁ ତାଙ୍କ ଯାତ୍ରା କଥା ମନେ ପକାଇ କହନ୍ତି ହମୀର ଭାଇ। “ପାଖାପାଖି ମାସେ କି ଦି ମାସ ଧରି ମୋତେ ଗୋଟିଏ ଫ୍ୟାକ୍‌ଟରୀରୁ ଆଉ ଗୋଟିଏକୁ ପଠାଯାଉଥିଲା। ଥରେ ମାଲିକ ମୋତେ ପଚାରିଲେ, “ ଚେଭା ସୋ ? (ତମେ କେଉଁ ଜାତିର?) ଏବଂ ମୁଁ କହିଲି, ‘ବନ୍‌କର’। ବାସ୍‌, ସେତିକି କଥା। ସେ କହିଲେ, ‘ କାଲ ଥି ନୋ ଆୱତା, ତମାରା ଭେଗୁ ପାନି ନାଥ ପିଭୁ (କାଲିଠାରୁ ଆଉ ଆସିବନି; ମୁଁ ତୁମ ହାତରୁ ପାଣି ବି ପିଇବାକୁ ଚାହେଁନି)।” ତା’ପରେ, ମୁଁ ପାଟୋଲା ବୁଣା ଶିଖିବାକୁ ଚାହିଁବି କି ବୋଲି ଦିନେ ମୋତେ ମୋହନ ଭାଇ ମକୱାନା ପଚାରିଲେ, ଏବଂ ମୁଁ ଦିନକୁ ପାଞ୍ଚ ଟଙ୍କାରେ କାମ ଆରମ୍ଭ କଲି। ଛଅ ମାସ କାଳ ମୁଁ କେମିତି ଡିଜାଇନ କରିବାକୁ ହୁଏ ଶିଖିଲି ଏବଂ ପରବର୍ତ୍ତୀ ଛଅ ମାସ ଧରି ମୁଁ ବୁଣାକାମ ଶିଖିଲି,” ସେ କହନ୍ତି। ତା’ପରେ ସେ କଟାରିୟାକୁ ଫେରି ଆସି ବୁଣାକାମରେ ଲାଗିଲେ ଏବଂ ଅନ୍ୟ ଅନେକଙ୍କୁ ଏହି ବୁଣା କୌଶଳ ଶିଖାଇଲେ।

“ମୁଁ ଗତ ପଚାଶ ବର୍ଷ ହେଲା ବୁଣି ଆସୁଛି,” ଆଉ ଜଣେ ବୁଣାକାର ପୁଞ୍ଜା ଭାଇ ବାଘେଲା କହନ୍ତି। “ବୁଣାକାମ ଆରମ୍ଭ କରିବା ସମୟରେ ମୁଁ ତୃତୀୟ ଶ୍ରେଣୀରେ ପଢୁଥିଲି। ପ୍ରଥମେ ମୁଁ ଖଦି ରେ କାମ କରିଲି। ପାଟୋଲା ପରେ ଆସିଲା। ମୋ କକା ମୋତେ ପାଟୋଲା ବୁଣିବା ଶିଖାଇ ଦେଇଥିଲେ। ସେହିଦିନଠାରୁ, ମୁଁ ଏହି କାମ କରିଆସୁଛି। ସବୁ ସିଙ୍ଗଲ ଇକତ କାମ, ସାତ କି ଆଠ ହଜାର ଟଙ୍କାରେ ଗୋଟିଏ। ତାଙ୍କ ସ୍ତ୍ରୀ ଯଶୁ ବେନ୍‌ଙ୍କ ଆଡ଼କୁ ହାତ ଦେଖାଇ ସେ କହନ୍ତି, ଆମେ, ସ୍ୱାମୀ ଓ ସ୍ତ୍ରୀ, ସୁନ୍ଦରନଗରରେ ପ୍ରବୀଣ ଭାଇଙ୍କ ପାଇଁ ଏବଂ ଏବେ, ଗତ ଛଅ କି ସାତ ମାସ ହେଲା ରେଖା ବେନ୍‌ଙ୍କ ପାଇଁ କାମ କରିଆସୁଛୁ।”

“ତନ୍ତରେ ଆମେ ତାଙ୍କ ପାଖରେ ବସିଲେ (ସୂତା ସଂଯୋଜନାରେ ସହାୟତା କରି) ଦିନକୁ ୨୦୦ ଟଙ୍କା ପାଉ। ଆଉ ଆମେ ଯଦି ଡିଜାଇନ୍‌ ସଂପର୍କିତ କୌଣସି କାମ କରୁ ତେବେ ଆଉ ୬୦ କି ୭୦ ଟଙ୍କା ପାଉ। ତନ୍ତୁ ରଙ୍ଗ କରିବା ପାଇଁ ମୋ ଝିଅ ଉର୍ମିଳା ରେଖା ବେନ୍‌ଙ୍କ ଘରକୁ ଯାଏ। ସେ ଦିନକୁ ୨୦୦ ଟଙ୍କା ମଜୁରି ପାଏ। ସବୁ କିଛି ମିଶି ଆମେ ଚଳିଯାଉ,” ଯଶୁ ବେନ୍‌ କହନ୍ତି।

“ଏସବୁ ତନ୍ତ-ଫନ୍ତ ଆଉ ସବୁ କିଛି ରେଖା ବେନ୍‌ଙ୍କର,” ଶିଶୁକାଠର ଫ୍ରେମ୍‌ ଉପରେ ହାତ ବାଡ଼େଇ ବାଡ଼େଇ କହନ୍ତି ପୁଞ୍ଜା ଭାଇ। କେବଳ ଏହି ତନ୍ତଟି ୩୫-୪୦,୦୦୦ ଟଙ୍କା ଭଳି ଅଧିକ ମୂଲ୍ୟର ହୋଇପାରେ। “ଆମ ପାଖରେ ଯାହା ଅଛି ତାହା କେବଳ ଆମର ପରିଶ୍ରମ। ସବୁ କିଛି ମିଶାଇଲେ ଆମେ ମାସକୁ ବାର ହଜାର ଟଙ୍କା ରୋଜଗାର କରୁ,” ପୁଞ୍ଜା ଭାଇ କହନ୍ତି, ତାଙ୍କ ଦାରିଦ୍ର୍ୟକୁ ଢାଙ୍କି ରଖିବା ପାଇଁ ପ୍ରବଳ ଚେଷ୍ଟା ଚଳାଇଥାଆନ୍ତି ତାଙ୍କ ମୁହଁର ଶବ୍ଦଗୁଡ଼ିକ।

PHOTO • Umesh Solanki
PHOTO • Umesh Solanki

ରେଖା ବେନ୍‌ଙ୍କ ପାଇଁ କାମ କରନ୍ତି ଯଶୁ ବେନ ବାଘେଲା ଏବଂ ତାଙ୍କ ସ୍ୱାମୀ ପୁଞ୍ଜା ଭାଇ ବାଘେଲା, ତାଙ୍କୁ ତନ୍ତ ଚଳାଇବାରେ (ଉପର ଫଟୋରେ ଦର୍ଶାଯାଇଥିବା ଭଳି), ତାଙ୍କ ପାଖରେ ବସି ଡିଜାଇ ସଂଯୋଜନାରେ ସାହାଯ୍ୟ କରନ୍ତି, ମଜୁରି ପାଇଁ ବୁଣାକାମ ସହିତ ଡିଜାଇନ ସଂପର୍କିତ ଛୋଟମୋଟ କାମ ବି କରନ୍ତି

PHOTO • Umesh Solanki
PHOTO • Umesh Solanki

ଲିମ୍ବଡ଼ି ତାଲୁକାରେ ପାଟୋଲା ବୁଣାକାମ ଆରମ୍ଭ କରିଥିଲେ ହମୀର ଭାଇ କର୍ଷନଭାଇ ଗୋହିଲ ( ୭୦ ) ଏବଂ ତାଙ୍କ ସ୍ତ୍ରୀ ହଂସା ବେନ୍‌ ଗୋହିଲ ( ୬୫ ) ଆଜି ପାଟନର ଷ୍ଟାମ୍ପ ଲାଗିଥିବା ଏଠାକାର ପାଟୋଲା (ଡାହାଣ) ସାରା ପୃଥିବୀରେ ଲକ୍ଷ ଲକ୍ଷ ଟଙ୍କାରେ ବିକ୍ରି ହେଉଛି

ତାଙ୍କ ବ୍ୟବସାୟ ବଢ଼ିବା ସହିତ ପୁଞ୍ଜା ଭାଇଙ୍କୁ ଦେଇ ବୁଣାକାମ କରାଇଲେ ରେଖା ବେନ୍‌। “ଭୋର୍‌ ପାଞ୍ଚଟାରେ ମୁଁ ଉଠେ,” ସେ କହନ୍ତି। “ରାତି ଏଗାରଟାରେ ମୁଁ ଶୁଏ। ପୂରା ସମୟ ମୁଁ କାମରେ ବିତାଇ ଦିଏ। ଘରର ସବୁ କାମ ମୋତେ କରିବାକୁ ପଡ଼ିଥାଏ। ସେମିତି ବାହାରର କାମ ବି। ତା ସାଙ୍ଗକୁ ସଂପ୍ରଦାୟର ଲୋକଙ୍କ ସହିତ ସଂପର୍କ ରଖିବା କାମ। ପୂରା ବ୍ୟବସାୟର ଭାର କେବଳ ମୋ ମୁଣ୍ଡ ଉପରେ।” ରେଖା ବେନ୍‌ ଭରଣି ସୂତା ଥିବା ବବିନକୁ ଘୁଞ୍ଚାଇ ଶଟଲରେ ଲଗାନ୍ତି ଏବଂ ଶଟଲକୁ ଡାହାଣରୁ ବାମକୁ ଚଳାଇବାରେ ଲାଗନ୍ତି।

ସମ୍ମୋହିତ ଅବସ୍ଥାରେ ରହି ମୁଁ ଚାହିଁ ରହିଥାଏ, ଡାହାଣରୁ ବାମକୁ ଆଉ ବାମରୁ ଡାହାଣକୁ ଚଳମାନ ଶଟଲର ଗତିକୁ। ଲମ୍ବ ଓ ପ୍ରସ୍ଥ ବାଗରେ, ଭରଣି ଓ ଆଡ଼ସୂତା ସଂଯୋଜନାରେ ବ୍ୟସ୍ତ ଥାଏ ରେଖା ବେନ୍‌ଙ୍କ ହାତ, ତିଆରି ହେଉଥାଏ ପାଟୋଲା ର ଏକ ନିଖୁଣ ଡିଜାଇନ, ଏବଂ ମୋ ମନ ଭିତରେ ଗୁଞ୍ଜରିତ ହେଉଥାଏ କବୀରଙ୍କ ସେହି ପଂକ୍ତି:

‘नाचे ताना नाचे बाना नाचे कूँच पुराना
करघै बैठा कबीर नाचे चूहा काट्या ताना'

ନାଚେ ଭରଣି ଓ ଆଡ଼ସୂତା,
ନାଚେ ପୁରୁଣା କୁଞ୍ଚ *
ତନ୍ତ ପାଖରେ କବୀର ନାଚେ
ମୂଷା କାଟିଦିଏ ସୂତା

*ତନ୍ତ ସଫା କରିବାରେ ବ୍ୟବହୃତ ନରମ ଝାଡ଼ଣ

ତାଙ୍କ ସହାୟତା ପାଇଁ ଜୟସୁଖ ବାଘେଲାଙ୍କୁ ଧନ୍ୟବାଦ ଦିଅନ୍ତି ଲେଖକ।

ଅନୁବାଦ: ଓଡ଼ିଶାଲାଇଭ୍‍

Umesh Solanki

Umesh Solanki is an Ahmedabad-based photographer, reporter, documentary filmmaker, novelist and poet. He has three published collections of poetry, one novel-in-verse, a novel and a collection of creative non-fiction to his credit.

Other stories by Umesh Solanki
Editor : Pratishtha Pandya

Pratishtha Pandya is a Senior Editor at PARI where she leads PARI's creative writing section. She is also a member of the PARIBhasha team and translates and edits stories in Gujarati. Pratishtha is a published poet working in Gujarati and English.

Other stories by Pratishtha Pandya
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Other stories by OdishaLIVE