ପିଲାଦିନେ ତାଙ୍କର ବାପା ଓ ଜେଜେବାପା ପୁଅମାନଙ୍କୁ ତାଲିମ ଦେଉଥିବାର ରଜିତା ଝରକା ଫାଙ୍କରେ ଥାଇ ଦେଖୁଥିଲେ। ସେ କାହିଁକି ପୁଅଙ୍କ ଭଳି ତାଲିମ ନେଇପାରିବେ ନାହିଁ ବୋଲି ଭାବୁଥିଲେ। ବିଶେଷ କରି କଣ୍ଢେଇଗୁଡ଼ିକ ଝିଅଟିକୁ ବେଶୀ ଆକର୍ଷିତ କରୁଥିଲା ଏବଂ ପଦଗୁଡ଼ିକର ଅଭିନବ ଲୟ ଶୁଣିବାକୁ ତାଙ୍କୁ ବହୁତ ଭଲ ଲାଗୁଥିଲା।

‘‘କଣ୍ଢେଇ ନାଚ ପ୍ରତି ମୋର ଏପରି ଆଗ୍ରହକୁ ମୋ ଜେଜେବାପା ଦେଖିପାରିଥିଲେ,’’ ୩୩ ବର୍ଷ ବୟସ୍କା ରଜିତା କୁହନ୍ତି, ‘‘ଆଉ ସେ ମୋତେ ଶ୍ଳୋକ ଶିଖାଇବାକୁ ପ୍ରସ୍ତାବ ଦେଲେ।’’

ରଜିତା ପୁଲାୱର ଶୋରନୌରରେ ନିଜ ପାରିବାରିକ ଷ୍ଟୁଡିଓରେ କାଠ ବେଞ୍ଚ ଉପରେ ବସି ତୋଲପାୱାକୁତୁ ସଖୀ କଣ୍ଢେଇର ମୁହଁ ଆକୃତି ଖୋଦେଇ କରୁଛନ୍ତି। ତାଙ୍କ ସାମ୍ନାରେ ଗୋଟିଏ ଡେସ୍କ ଉପରେ ଫୋଡ଼ଣୀ, ନିହାଣ ଓ ହାତୁଡ଼ି ଆଦି ଲୌହ ଉପକରଣ ଥୁଆ ହୋଇଛି।

ମଧ୍ୟାହ୍ନ ସମୟ ଏବଂ ଷ୍ଟୁଡିଓରେ ନିରବତା ବିରାଜମାନ କରିଛି। କେବଳ ପଙ୍ଖା ଚାଲିବାର ଶବ୍ଦ ଶୁଭୁଛି, ଯାହାକି ରଞ୍ଜିତାଙ୍କ ପାଖରେ ଥିବା କଣ୍ଢେଇ ତିଆରି ହେଉଥିବା ଶେଡ୍‌ରେ ଘୂରୁଛି। ବାହାରେ ଏକ ଖୋଲା ଅଗଣାରେ ଚମଡ଼ା ସବୁ ଶୁଖା ହୋଇଛି। ପରେ ସେଗୁଡ଼ିକୁ କଣ୍ଢେଇ ରୂପେ କାଟି ଆକାର ଦିଆଯିବ।

‘‘ଏସବୁ କଣ୍ଢେଇ ଆଧୁନିକ ବିଷୟବସ୍ତୁ ଉପରେ ଆମେ ପରିବେଷଣ କରିବାକୁ ଥିବା କାର୍ଯ୍ୟକ୍ରମ ପାଇଁ ଉଦ୍ଦିଷ୍ଟ,’’ ନିଜେ ତିଆରି କରୁଥିବା କଣ୍ଢେଇ ଆଡ଼କୁ ଇଙ୍ଗିତ କରି ରଜିତା କୁହନ୍ତି। ତୋଲପାୱାକୁତୁ ସଖୀ କଣ୍ଢେଇ ନାଚ ଭାରତର ମାଲାବାର ଉପକୂଳର ଏକ ପାରମ୍ପରିକ କଳା ରୂପ । ମୁଳତଃ ଦେବୀ ଭଦ୍ରକାଳୀଙ୍କ ବାର୍ଷିକ ପର୍ବ ସମୟରେ ମନ୍ଦିର ପରିସରରେ ଏଗୁଡ଼ିକୁ ପରିବେଷଣ କରାଯାଏ।

PHOTO • Megha Radhakrishnan
PHOTO • Megha Radhakrishnan

ବାମ: ସାମ୍ପ୍ରତିକ ସମୟ ଉପରେ ଆଧାରିତ ଏକ ଛାୟା କଣ୍ଢେଇର ଗୋଟିଏ ଚରିତ୍ର ସହ ରଜିତା। ଡାହାଣ: ତାଙ୍କ ବାପା ରାମଚନ୍ଦ୍ରଙ୍କ ସହିତ କଣ୍ଢେଇର ଅଙ୍ଗଭଙ୍ଗୀ ପ୍ରଦର୍ଶନ କରୁଛନ୍ତି

ରଜିତାଙ୍କ ଜେଜେବାପା , କୃଷ୍ଣ ନକୁ ଟ୍ଟି ପୁଲା , କଳାର ଆଧୁନିକୀକରଣରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ସେ ଏହାକୁ ମନ୍ଦିର ପରିସର ବାହାରକୁ ନେଇଯାଇଥିଲେ ଏବଂ ମୂଳତଃ ରାମାୟଣ ଉପରେ ଆଧାରିତ କାହାଣୀକୁ ଅନ୍ୟ ଦିଗରେ ବିସ୍ତାର କରିଥିଲେ। (ପଢ଼ନ୍ତୁ: ନିଜ କଳାକୁ ବିସ୍ତାର କରୁଛନ୍ତି କେରଳର କଣ୍ଢେଇ ନାଚ କଳାକାର )

ତାଙ୍କର ନାତୁଣୀ ତାଙ୍କ ପଦାଙ୍କ ଅନୁସରଣ କରିଛନ୍ତି ଏବଂ ପ୍ରଥମ ମହିଳା କଳାକାର ଭାବେ କଣ୍ଢେଇ ନାଚ ଦଳରେ ଅଂଶଗ୍ରହଣ କରିଛନ୍ତି। ସେ ମଧ୍ୟ ୨୦୨୧ରେ କେବଳ ମହିଳାଙ୍କୁ ନେଇ ନିଜର ଏକ ଦଳ ଗଢ଼ିଛନ୍ତି ଯାହାକି ତୋଲପାୱକୁତୁ କଣ୍ଢେଇନାଚ କ୍ଷେତ୍ରରେ ପ୍ରଥମ।

ଏହି ସ୍ଥାନରେ ପହଞ୍ଚିବାର ଯାତ୍ରା ବହୁତ ଲମ୍ବା।

ରଜିତା ମାଲାୟଲମ ଭାଷୀ ହୋଇଥିବା କାରଣରୁ ତାମିଲ ଭାଷାରେ ଥିବା ଛନ୍ଦବଦ୍ଧ ପଦଗୁଡ଼ିକରେ ନିପୁଣତା ହାସଲ କରିବା ଆହ୍ୱାନପୂର୍ଣ୍ଣ ଥିଲା। କିନ୍ତୁ ସେ ଏଗୁଡ଼ିକର ଅର୍ଥ ଏବଂ ଉଚ୍ଚାରଣ ଶିକ୍ଷା ଲାଭ କରୁଥିବା ସମୟରେ ତାଙ୍କ ବାପା ଓ ଜେଜେବାପା ତାଙ୍କୁ ଧୈର୍ଯ୍ୟର ସହିତ ଶିଖାଇଥିଲେ: ‘‘ମୋ ଜେଜେବାପା ପ୍ରଥମେ ମୋତେ ତାମିଲ ଅକ୍ଷର ଶିଖାଇଥିଲେ ଏବଂ ତା’ପରେ ପଦଗୁଡ଼ିକୁ ଶିଖାଇବା ଆରମ୍ଭ କରିଥିଲେ।

‘‘ସେ ଏପରି ପଦଗୁଡ଼ିକୁ ବାଛିଥିଲେ ଯାହା ଆମ ଭଳି ପିଲାଙ୍କ ପାଇଁ ଆକର୍ଷଣୀୟ ଥିଲା,’’ ରଜିତା ଆହୁରି କହିଥାନ୍ତି। ରଜିତା ତାଙ୍କର ଜେଜେବାପାଙ୍କଠାରୁ ଯେଉଁ ପ୍ରଥମ ପଦ୍ୟ ଶିଖିଥିଲେ ତାହା ରାମାୟଣ ଉପରେ ଆଧାରିତ ଥିଲା। ସେଥିରେ ରାବଣକୁ ହନୁମାନ ଆହ୍ୱାନ ଦେଇଛନ୍ତି:

‘‘ଅଦ ତାଦାତୁଚ୍ୟେତା ନୀ
ଅନ୍ତା ନାଦନ୍ଦେଭିୟେ
ୱିଦା ତାଦାତପୋମେଦା
ଜଳତୀ ଚୁଳିଲାଗେୟେ
ବୀଣାଦତୁପୋକୁମୋ
ଏଦା ପୋଦାଇ ରାବଣା’’

ରେ ରାବଣ,
ତୁ ଅଧର୍ମ କରିଛୁ
ଆଉ ଭୂମିସୁତାଙ୍କୁ ବନ୍ଦୀ କରିଛୁ,
ମୋ ଲାଞ୍ଜରେ ମୁଁ ସମ୍ପୂର୍ଣ୍ଣ ଲଙ୍କାକୁ ଧ୍ୱଂସ କରିଦେବି
ତୁ ଚାଲିଯା’ ରାବଣ!

PHOTO • Megha Radhakrishnan

ଏକ କାର୍ଯ୍ୟକ୍ରମ ସମ ରେ ରଜିତା ଏବଂ ତାଙ୍କ ଦଳ

ପରିବାରର ପୁଅମାନେ ତାଙ୍କୁ ଆଗ୍ରହର ସହିତ ସ୍ୱାଗତ କରିଥିଲେ ଏବଂ ବିଶେଷ କରି ଭାଇ ରାଜୀବ ବହୁତ ପ୍ରେରଣା ଦେଇଥିଲେ, ରଜିତା କୁହନ୍ତି। ‘‘ସେ ମୋତେ କେବଳ ମହିଳାଙ୍କୁ ନେଇ ଗୋଟିଏ ଦଳ ଗଢ଼ିବା ଲାଗି ଅନୁପ୍ରାଣିତ କରିଥିଲେ।’’

ମନ୍ଦିରରେ କାର୍ଯ୍ୟକ୍ରମ ପରିବେଷଣ କରିବା ମହିଳାଙ୍କ ପାଇଁ କ୍ଷମତା ବାହାରେ ଥିଲା (ଏବଂ ବର୍ତ୍ତମାନ ଏହା ବ୍ୟାପକ ଭାବେ ଜାରି ରହିଛି), ତେଣୁ ଯେତେବେଳେ ସେ ପ୍ରସ୍ତୁତ ହୋଇଗଲେ, ରଜିତା ସମସାମୟିକ ମଞ୍ଚରେ ତାଙ୍କ ପାରିବାରିକ ଦଳରେ କାମ କରିବା ଆରମ୍ଭ କରିଥିଲେ।

‘‘ମୁଁ ସୀତାଙ୍କ ଭଳି ମହିଳା ଚରିତ୍ରଙ୍କ ପାଇଁ ସ୍ୱର ଦେଲି (ରାମାୟଣର ଆଧୁନିକ ରୂପାନ୍ତରଣରେ) କିନ୍ତୁ କଣ୍ଢେଇମାନଙ୍କୁ ନଚେଇବା କିମ୍ବା ଦର୍ଶକମାନଙ୍କୁ ସମ୍ବୋଧିତ କରିବା ଲାଗି ମୋ ଭିତରେ ଆତ୍ମବିଶ୍ୱାସ ନଥିଲା,’’ ସେ କୁହନ୍ତି। କିନ୍ତୁ ପିଲାଙ୍କ ପାଇଁ ବାପାଙ୍କ ପ୍ରଶିକ୍ଷଣ କର୍ମଶାଳାରେ ଭାଗ ନେବା ପରେ ତାଙ୍କର ବିଶ୍ୱାସ ବଢ଼ିଥିଲା। ‘‘କର୍ମଶାଳା ସମୟରେ, ମୁଁ ଅନେକ ଲୋକଙ୍କ ସହ କଥା ହେଲି। ଦର୍ଶକଙ୍କ ସାମ୍ନାରେ କଳା ପରିବେଷଣ ପାଇଁ ମୋର ଆତ୍ମବିଶ୍ୱାସ ବୃଦ୍ଧି ପାଇଲା।’’

ରଜିତା ମଧ୍ୟ କଣ୍ଢେଇ ତିଆରି କରିବାରେ ପାରଙ୍ଗମ ହେଲେ। "ମୁଁ କାଗଜରେ କଣ୍ଢେଇ ତିଆରି କରିବା ଆରମ୍ଭ କଲି। ମୋ ପିତାମାତା ଏବଂ ମୋ ଭାଇ ମୋର ଗୁରୁ ଥିଲେ" , ସେ କୁହନ୍ତି। ଚମଡ଼ା ଉପରେ ବିଭିନ୍ନ ଆକୃତି କିଭଳି ଅଙ୍କା ହୁଏ ଏବଂ ରଙ୍ଗ ଦେଇ କଣ୍ଢେଇଗୁଡ଼ିକୁ କେମିତି ଜୀବନ୍ତ କରାଯାଏ ତାହା ମୁଁ ଧୀରେ ଧୀରେ ଶିଖିଲି।’’ ରାମାୟଣ କଣ୍ଢେଇଗୁଡ଼ିକର ମୁଖମଣ୍ଡଳ ବୈଶିଷ୍ଟ୍ୟକୁ ଅତିରଞ୍ଜିତ କରାଯାଉଥିବା ବେଳେ ସମସାମୟିକ କାର୍ଯ୍ୟକ୍ରମଗୁଡ଼ିକର କଣ୍ଢେଇଗୁଡ଼ିକ ଅଧିକ ବାସ୍ତବବାଦୀ ଲାଗିଥାଏ। ‘‘ମହିଳାଙ୍କ ବୟସକୁ ଆଧାର କରି ପରିପାଟୀ ମଧ୍ୟ ବଦଳିଥାଏ - ଯଦି ବୟସ୍କ ମହିଳା ହୋଇଥା’ନ୍ତି, ତା’ହେଲେ କଣ୍ଢେଇକୁ ଶାଢ଼ୀ ପିନ୍ଧାଯାଏ, ଯୁବତୀ ହୋଇଥିଲେ ଟପ୍‌ କିମ୍ବା ଜିନ୍ସ ପିନ୍ଧାଯାଏ,’’ ରଜିତା କହିଥାନ୍ତି।

କେବଳ ପରିବାରର ପୁରୁଷମାନେ ରଜିତାଙ୍କୁ ସମର୍ଥନ ଏବଂ ଉତ୍ସାହିତ କରିନଥିଲେ। ରଜିତା ତାଙ୍କ ଜେଜେବାପାଙ୍କଠାରୁ ପ୍ରଶିକ୍ଷଣ ନେବାର ବହୁ ପୂର୍ବରୁ ତାଙ୍କ ମା’ ରାଜଲକ୍ଷ୍ମୀ ତୋଲପାୱାକୁତୁ ରେ ଲିଙ୍ଗଗତ ତାରତମ୍ୟକୁ ଦୂର କରିବା ଲାଗି ପ୍ରଥମ ପଦକ୍ଷେପ ଗ୍ରହଣ କରିଥିଲେ।

୧୯୮୬ରେ ରଜିତାଙ୍କ ବାପା ରାମଚନ୍ଦ୍ରଙ୍କୁ ବିବାହ କରିବା ପରେ ରାଜଲକ୍ଷ୍ମୀ ଏହି କଣ୍ଢେଇ ନାଚ କଳାକାରଙ୍କ ପରିବାରକୁ କଣ୍ଢେଇ ତିଆରି କରିବାରେ ସାହାଯ୍ୟ କରିବା ଆରମ୍ଭ କରିଥିଲେ। ତେବେ ତାଙ୍କୁ ପଦ୍ୟ ଆବୃତ୍ତି କିମ୍ବା କାର୍ଯ୍ୟକ୍ରମ ପରିବେଷଣ ଲାଗି କେବେ ସୁଯୋଗ ମିଳିନଥିଲା। ‘‘ମୁଁ ଯେତେବେଳେ ରଜିତାଙ୍କ ଯାତ୍ରାକୁ ଦେଖେ, ମୋତେ ପରିପୂର୍ଣ୍ଣତାର ଅନୁଭବ ହୁଏ। ମୁଁ ଯୁବାବସ୍ଥାରେ ଯାହା ହାସଲ କରିପାରିନଥିଲି ଆଜି ସେ ତାହା ହାସଲ କରିଛି,’’ ରାଜଲକ୍ଷ୍ମୀ କୁହନ୍ତି।

PHOTO • Courtesy: Krishnankutty Pulvar Memorial Tholpavakoothu Kalakendram, Shoranur
PHOTO • Courtesy: Krishnankutty Pulvar Memorial Tholpavakoothu Kalakendram, Shoranur

ବାମ: ରଜିତା ଓ ତାଙ୍କ ଭାଇ ରାଜୀବ ଏକ ଗ୍ଲୋଭ କଣ୍ଢେଇ ଦେଖାଉଛନ୍ତି । ଡାହାଣ: ଏକ ଅଭ୍ୟାସ ଅଧିବେଶନ ସମୟରେ ମହିଳା କଣ୍ଢେଇ କଳାକାର

PHOTO • Megha Radhakrishnan
PHOTO • Megha Radhakrishnan

ବାମ: ରାଜଲକ୍ଷ୍ମୀ (ବାମ), ଅଶ୍ୱତୀ (ମଝି) ଏବଂ ରଜିତା କଣ୍ଢେଇ ତିଆରି କରୁଛନ୍ତି। ଡାହାଣ: ରଜିତା ଚମଡ଼ାରେ କଣ୍ଢେଇ ତିଆରି କରିବା ଲାଗି ହାତୁଡ଼ି ଓ ନିହାଣ ବ୍ୟବହାର କରୁଛନ୍ତି

*****

ରଜିତା ନିଜର ଦଳ - ପେନ୍‌ ପାୱାକୁତୁ ଗଢ଼ିବାକୁ ନିଷ୍ପତ୍ତି ନେବା ପରେ ଯେଉଁ ପ୍ରଥମ କାମଟି କରିଥିଲେ ତାହା ହେଉଛି ତାଙ୍କ ମା’ ଏବଂ ଭାଉଜ ଅଶ୍ୱତୀଙ୍କୁ ନିମନ୍ତ୍ରଣ ଜଣାଇବା।

ଅଶ୍ୱତୀ ପ୍ରଥମେ ଏହି କଳା ପ୍ରତି ଆଗ୍ରହୀ ନଥିଲେ ଏବଂ ସେ ଜଣେ କଣ୍ଢେଇ ନାଚ କଳାକାର ହେବେ ବୋଲି କେବେ କଳ୍ପନା ମ ଧ୍ୟ କରିନଥିଲେ। ହେଲେ କଣ୍ଢେଇନାଚ କଳାକାରଙ୍କ ପରିବାରରେ ବାହା ହେବା ପରେ, ସେ କୁହନ୍ତି, ‘‘ମୁଁ ଏହି କଳା ରୂପକୁ ଗ୍ରହଣ କରିବା ଆରମ୍ଭ କଲି।’’ କିନ୍ତୁ ପାରମ୍ପରିକ କଣ୍ଢେଇ ନାଚ ଅତି ଧିର ଥିଲା ଏବଂ ଉଚ୍ଚାରଣରେ କଣ୍ଢେଇର ଆଦୌ ନାଚ ନଥିଲା, ତେଣୁ ସେ ଶିଖିବା ପ୍ରକ୍ରିୟାରେ ଆଗ୍ରହୀ ହେଲେ ନାହିଁ। କିନ୍ତୁ ତାଙ୍କ ସ୍ୱାମୀ ରାଜୀବ ଏବଂ ତାଙ୍କ ଦଳ ଦ୍ୱାରା ସମସାମୟିକ କଣ୍ଢେଇ ନାଚ ପରିବେଷଣକୁ ଦେଖି ତାଙ୍କର ଆଗ୍ରହ ବଢ଼ିଥିଲା ଓ ସେ ରଜିତାଙ୍କ ଦଳରେ ଯୋଗ ଦେଇ ଏହି କଳା ଶିଖିବା ଆରମ୍ଭ କରିଥିଲେ।

ବହୁବର୍ଷ ବିତିବା ପରେ, ରାମଚନ୍ଦ୍ର ମଧ୍ୟ ତାଙ୍କ ଦଳରେ ଅଧିକ ମହିଳାଙ୍କୁ ସାମିଲ କଲେ ଏବଂ ଏହା ରଜିତାଙ୍କୁ କେବଳ ମହିଳାଙ୍କୁ ନେଇ ଗୋଟିଏ ଦଳ ଗଢ଼ିବା ଲାଗି ଅନୁପ୍ରାଣିତ କଲା। ସେ ଘର ପାଖର ଝିଅମାନଙ୍କୁ ତାଙ୍କ ଦଳରେ ଯୋଗ ଦେବା ପାଇଁ ଆମନ୍ତ୍ରଣ କଲେ। ପ୍ରଥମ ଦଳରେ ଆଠ ଜଣ ସଦସ୍ୟ ଥିଲେ - ନିବେଦିତା, ନିତ୍ୟା, ସନ୍ଧ୍ୟା, ଶ୍ରୀନନ୍ଦା, ଦୀପା, ରାଜଲକ୍ଷ୍ମୀ ଓ ଅଶ୍ୱତୀ।

‘‘ ଆମେ ମୋ ବାପାଙ୍କ ତତ୍ତ୍ୱାବଧାନରେ ପ୍ରଶିକ୍ଷଣ ଆରମ୍ଭ କଲୁ। ଯେହେତୁ ଏହି ଝିଅମାନଙ୍କ ମଧ୍ୟରୁ ଅଧିକାଂଶ ବିଦ୍ୟାଳୟରେ ପଢ଼ୁଥିଲେ , ଆମେ ସେମାନଙ୍କ ଛୁଟିଦିନ କିମ୍ବା ଖାଲି ସମୟରେ ପ୍ରଶିକ୍ଷଣ ଅଧିବେଶନ ସ୍ଥିର କରିଥିଲୁ। ଯଦିଓ ପରମ୍ପରା ଅନୁଯାୟୀ ମହିଳାମାନେ କଣ୍ଢେଇ ନାଚ କରିପାରିବେ ନାହିଁ, ପରିବାର ପକ୍ଷରୁ ବହୁତ ସମର୍ଥନ ମିଳିଥିଲା,’’ ରଜିତା କୁହନ୍ତି।

ଏକାଠି କଳା ପରିବେଷଣ ସମୟରେ, ମହିଳା ଓ ଝିଅମାନଙ୍କ ମଧ୍ୟରେ ଏକ ନିବିଡ଼ ସମ୍ପର୍କ ସୃଷ୍ଟି ହୋଇଥିଲା। ‘‘ଆମେ ଗୋଟିଏ ପରିବାର ଭଳି,’’ ରଜିତା କୁହନ୍ତି ଏବଂ ସେ ଆହୁରି କହିଥାନ୍ତି, ‘‘ଆମେ ଏକାଠି ଜନ୍ମ ଦିନ ଏବଂ ଅନ୍ୟ ପାରିବାରିକ ସମାରୋହ ପାଳନ କରିଥାଉ।’’

୨୫ ଡିସେମ୍ବର ୨୦୨୧ରେ ସେମାନେ ପ୍ରଥମ ଥର ପାଇଁ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ‘‘ଆମେ କଠିନ ପରିଶ୍ରମ କରିଥିଲୁ ଏବଂ ପ୍ରସ୍ତୁତିରେ ଅନେକ ସମୟ ବିତାଇଥିଲୁ।’’ ପ୍ରଥମ ଥର ପାଇଁ କେବଳ ମହିଳାଙ୍କୁ ନେଇ ଏକ ଦଳ ତୋଲପାୱାକୁତୁ ପରିବେଷଣ କରିବାକୁ ଯାଉଥିଲେ। ପଲକ୍କଡ଼ର ଏକ ପ୍ରେକ୍ଷାଳୟରେ କାର୍ଯ୍ୟକ୍ରମ ସ୍ଥଳ ଥିଲା। ସେଠାରେ କେରଳ ସରକାରଙ୍କ ‘ସମମ’ କାର୍ଯ୍ୟକ୍ରମ ଅଧୀନରେ କଣ୍ଢେଇନାଚ ହେବାର ଥିଲା।

PHOTO • Courtesy: Krishnankutty Pulvar Memorial Tholpavakoothu Kalakendram, Shoranur
PHOTO • Megha Radhakrishnan

ବାମ: ଗୋଟିଏ କାର୍ଯ୍ୟକ୍ରମରେ ପେନ ପାୱାକୁତୁର କଣ୍ଢେଇନାଚ କଳାକାରମାନେ ଫଟୋ ଉଠାଉଛନ୍ତି। ସେମାନେ ହେଉଛନ୍ତି କେବଳ ମହିଳାଙ୍କୁ ନେଇ ଗଠିତ ପ୍ରଥମ ତୋଲପାୱକୁତୁ କଣ୍ଢେଇ ନାଚ ଦଳ। ଡାହାଣ: ଦଳର ସଦସ୍ୟମାନେ କଣ୍ଢେଇଗୁଡ଼ିକୁ ଧରିଛନ୍ତି

ଏପରି ଶୀତଦିନେ ମଧ୍ୟ ତେଲ ଦୀପରୁ ବାହାରୁଥିବା ଉତ୍ତାପ ସହିବା କଳାକାରଙ୍କ ପାଇଁ କଠିନ ଥିଲା। ‘‘ଆମ ଭିତରୁ କେତେକଙ୍କର ଫୋଟକା ହୋଇଯାଇଥିଲା,’’ ରଞ୍ଜିତା କୁହନ୍ତି, ‘‘ପରଦା ପଛ ପଟେ ବହୁତ ଗରମ ଥିଲା।’’ କିନ୍ତୁ ସେମାନେ ସମସ୍ତେ ଦୃଢ଼ସଂକଳ୍ପବଦ୍ଧ ଥିଲେ, ସେ କୁହନ୍ତି, ‘‘ଆଉ କାର୍ଯ୍ୟକ୍ରମଟି ସଫଳ ହୋଇଥିଲା।’’

ମାଲାୟଲମରେ ସମମ କାର୍ଯ୍ୟକ୍ରମର ଅର୍ଥ ହେଉଛି ‘ସମାନତା’ ଯାହା ପ୍ରତିଭାସମ୍ପନ୍ନ ମହିଳା କଳାକାରମାନଙ୍କୁ ଏକ ମଞ୍ଚ ଯୋଗାଇଥାଏ। ପଲକ୍କଡ଼ର ମହିଳା ଓ ଶିଶୁ କଲ୍ୟାଣ ବିଭାଗ ଦ୍ୱାରା ଏହାକୁ ଆୟୋଜନ କରାଯାଇଥିଲା। ରଜିତାଙ୍କ ଦଳ ଦ୍ୱାରା ପରିବେଷଣ କରାଯାଇଥିବା କାର୍ଯ୍ୟକ୍ରମରେ ଶିକ୍ଷା, ନିଯୁକ୍ତି ଓ ପାରିବାରିକ ଜୀବନରେ ମହିଳାଙ୍କ ସଂଘର୍ଷ ଉପରେ ଆଲୋକପାତ କରିବା ସହିତ ସେମାନଙ୍କ ଅଧିକାରକୁ ସୁଦୃଢ଼ କରିବା ବିଷୟ ଉଜାଗର କରିଥିଲା।

‘‘ଏହି ଅସମାନତା ବିରୋଧରେ ଲଢ଼ିବା ପାଇଁ ଆମେ ଆମ କଳାକୁ ବ୍ୟବହାର କରୁଛୁ। ଛାଇଗୁଡ଼ିକ ଆମ ସଂଘର୍ଷକୁ ପ୍ରତିଫଳିତ କରିଥାଏ,’’ ରଜିତା କୁହନ୍ତି। ‘‘ଆମେ ବିଶେଷ କରି ସାମାଜିକ ଦୃଷ୍ଟିରୁ ପ୍ରାସଙ୍ଗିକ ସମସ୍ୟାଗୁଡ଼ିକର ସମାଧାନ ପାଇଁ ନୂତନ ବିଚାର ଏବଂ ବିଷୟବସ୍ତୁ ଅନ୍ୱେଷଣ କରିବାକୁ ଚାହୁଁ। ଆମେ ବିଶେଷ କରି ମହିଳାଙ୍କ ଦୃଷ୍ଟିକୋଣରୁ ରାମାୟଣ କାହାଣୀ ଉପସ୍ଥାପନ କରିବାକୁ ଚାହୁଁଛୁ।’’

ନିଜର ଦଳ ପ୍ରତିଷ୍ଠା କରିବା ପରେ , ରଜିତା କଣ୍ଢେଇ ନାଚ ଛଡ଼ା ଅନ୍ୟ କୌଶଳ ଶିଖିବା ଆରମ୍ଭ କରିଥିଲେ। ସେ ସ୍କ୍ରିପ୍ଟ ଲେଖିବା , ସ୍ୱର ଦେବା ଏବଂ ସଙ୍ଗୀତ ରେକର୍ଡିଂ କରିବା , କଣ୍ଢେଇ ତିଆରି କରିବା , ନଚେଇବା ଏବଂ ଦଳର ସଦସ୍ୟମାନଙ୍କୁ ତାଲିମ ଦେବା ଭଳି ସମସ୍ତ କାର୍ଯ୍ୟକ୍ରମ ଆୟୋଜନ କରିଛନ୍ତି। ପ୍ରତ୍ୟେକ କାର୍ଯ୍ୟକ୍ରମ ପାଇଁ ଆମକୁ ଅନେକ ପ୍ରସ୍ତୁତି କରିବାକୁ ପଡ଼ିଥାଏ। ଉଦାହରଣ ସ୍ୱରୂପ ମହିଳା ସଶକ୍ତୀକରଣ ପ୍ରସଙ୍ଗ , ମୁଁ ମହିଳା ଓ ଶିଶୁ ବିକାଶ ବିଭାଗକୁ ଯାଇ ମହିଳାଙ୍କ ପାଇଁ ଉପଲବ୍ଧ ଯୋଜନା ଓ ସୁଯୋଗ ସମ୍ପର୍କରେ ତଥ୍ୟ ସଂଗ୍ରହ କରିଥିଲି। ତା’ପରେ , ମୁଁ ସ୍କ୍ରିପ୍ଟ ଓ ସଂଗୀତ ପ୍ରସ୍ତୁତ କରିଥିଲି। ଥରେ ରେକର୍ଡିଂ ହେବା ପରେ , ଆମେ କଣ୍ଢେଇ ତିଆରି କରିବା ଆରମ୍ଭ କରିଥିଲୁ। ତା’ପରେ କଣ୍ଢେଇ ନାଚ ଅଭ୍ୟାସ କରାଯାଇଥିଲା। ଏଠାରେ ପ୍ରତ୍ୟେକ ସଦସ୍ୟମାନଙ୍କୁ ଯୋଗଦାନ କରିବା , କଣ୍ଢେଇଙ୍କୁ ଆକାର ଦେବା ଏବଂ ମଞ୍ଚ ପରିଚାଳନା ଉପରେ କାମ କରିବା ଲାଗି ସ୍ୱାଧୀନତା ରହିଛି ।

PHOTO • Megha Radhakrishnan
PHOTO • Megha Radhakrishnan

ବାମ : ଏକ କାର୍ଯ୍ୟକ୍ରମ ସମୟରେ ଅଶ୍ୱତୀ (ଡାହାଣ) ଏବଂ ରଜିତା। ଡାହାଣ: କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନଙ୍କ ଏକ କଣ୍ଢେଇ

PHOTO • Megha Radhakrishnan
PHOTO • Megha Radhakrishnan

ପେନ୍‌ ପାୱାକୁତୁ ଦ୍ୱାରା ପରିବେଷଣ କରାଯାଉଥିବା ଏକ ନାଟକର ପ୍ରଚ୍ଛଦ ଦୃଶ୍ୟ। ଡାହାଣ: ପରଦା ପଛରେ ଥିବା କଳାକାର ଏବଂ ପ୍ରେକ୍ଷାଳୟରେ ଦର୍ଶକ

ସେମାନେ ଗୋଟିଏ ନାଟକରୁ ଆରମ୍ଭ କରି ୪୦ରୁ ଅଧିକ କାର୍ଯ୍ୟକ୍ରମ ପରିବେଷଣ କରିସାରିଲେଣି। ଏବେ ୧୫ ଜଣଙ୍କୁ ନେଇ ସେମାନଙ୍କ ଦଳ ଦୃଢ଼ ହୋଇପାରିଛି। ସେମାନଙ୍କ ମୂଳ ସଂଗଠନ କୃଷ୍ଣନ୍‌କୁଟ୍ଟୀ ମେମୋରିଆଲ୍‌ ତୋଲପାୱାକୁତୁ କଳାକେନ୍ଦ୍ରମ୍‌ ସହ ନିବିଡ଼ ସହଯୋଗରେ କାର୍ଯ୍ୟ କରିବା ଜାରି ରଖିଛି। କେରଳ ଲୋକକଥା ଏକାଡେମୀ ଦ୍ୱାରା ୨୦୨୦ରେ, ରଞ୍ଜିତାଙ୍କୁ ଯୁବା ପ୍ରତିଭା ପୁରସ୍କାର ପ୍ରଦାନ କରାଯାଇଥିଲା।

ରଜିତା କୁହନ୍ତି, ସେମାନେ ଯେତେବେଳେ ଆରମ୍ଭ କଲେ କେବଳ ମହିଳାଙ୍କୁ ପୁରୁଷ ପ୍ରତିପକ୍ଷଙ୍କ ଭଳି ସମାନ ପାରିଶ୍ରମିକ ଦିଆଯାଇଥିଲା। କିନ୍ତୁ ଧୀରେ ଧୀରେ ପରିସ୍ଥିତି ବଦଳିଗଲା। ‘‘ଅନେକ ସଂଗଠନ, ବିଶେଷ କରି ସରକାରୀ ସଂସ୍ଥାଗୁଡ଼ିକ ଆମ ସହ ସମାନ ବ୍ୟବହାର କଲେ ଏବଂ ପୁରୁଷ କଳାକାରଙ୍କ ଭଳି ଆମକୁ ସମାନ ପାରିଶ୍ରମିକ ପଇଠ କଲେ,’’ ସେ କୁହନ୍ତି।

ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ହେଉଛି ଏକ ମନ୍ଦିରରେ କଳା ପରିବେଷଣ ଲାଗି ନିମନ୍ତ୍ରଣ ମିଳିବା। ‘‘ଆମେ ଭାବିଥିଲୁ ଯେ ଏହା  ବିଧିବିଧାନ ଆଧାରିତ କାର୍ଯ୍ୟକ୍ରମ ନୁହେଁ, ଗୋଟିଏ ମନ୍ଦିରରୁ ଆମକୁ ନିମନ୍ତ୍ରଣ ମିଳିବାକୁ ନେଇ ଆମେ ଖୁସିଥିଲୁ,’’ ରଜିତା କୁହନ୍ତି। ବର୍ତ୍ତମାନ ସେ କମ୍ବ ରାମାୟଣ ର ପଦ୍ୟଗୁଡ଼ିକୁ ଶିଖୁଛନ୍ତି। ଏହା ରାମାୟଣର ତାମିଲ ସଂସ୍କରଣ ଯାହାକୁ ତୋଲପାୱାକୁତୁ ରେ ଆବୃତ୍ତି କରାଯାଇଥାଏ, ଯାହାକୁ ସେ ଦିଳର ଅନ୍ୟ ସଦସ୍ୟମାନଙ୍କୁ ମଧ୍ୟ ଶିଖାଇବେ। ଭବିଷ୍ୟତକୁ ନେଇ ବେଶ୍‌ ଆଶାବାଦୀ ରହିଛନ୍ତି। ‘‘ମୋର ଦୃଢ଼ ବିଶ୍ୱାସ ରହିଛି ଯେ, ଏପରି ଏକ ସମୟ ଆସିବ ଯେତେବେଳେ ମହିଳା କଣ୍ଢେଇନାଚ କଳାକାରମାନଙ୍କୁ ପବିତ୍ର ମନ୍ଦିର ଉପବନରେ କମ୍ବ ରାମାୟଣ ର ପଦ୍ୟଗୁଡ଼ିକୁ ଆବୃତ୍ତି କରିବା ଲାଗି ସୁଯୋଗ ମିଳିବ ଏବଂ ମୁଁ ଝିଅମାନଙ୍କୁ ଏଥିପାଇଁ ପ୍ରସ୍ତୁତ କରୁଛି।’’

ମୃଣାଳିନୀ ମୁଖାର୍ଜି ଫାଉଣ୍ଡେସନ (ଏମଏମଏଫ)ରୁ ମିଳିଥିବା ଏକ ଫେଲୋସିପ୍‌ ସହାୟତାରେ ଏହି ଷ୍ଟୋରୀ ପ୍ରସ୍ତୁତ କରାଯାଇଛି।

ଅନୁବାଦ: ଓଡ଼ିଶାଲାଇଭ୍‍

Sangeeth Sankar

Sangeeth Sankar is a research scholar at IDC School of Design. His ethnographic research investigates the transition in Kerala’s shadow puppetry. Sangeeth received the MMF-PARI fellowship in 2022.

Other stories by Sangeeth Sankar
Photographs : Megha Radhakrishnan

Megha Radhakrishnan is a travel photographer from Palakkad, Kerala. She is currently a Guest Lecturer at Govt Arts and Science College, Pathirippala, Kerala.

Other stories by Megha Radhakrishnan
Editor : PARI Desk

PARI Desk is the nerve centre of our editorial work. The team works with reporters, researchers, photographers, filmmakers and translators located across the country. The Desk supports and manages the production and publication of text, video, audio and research reports published by PARI.

Other stories by PARI Desk
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Other stories by OdishaLIVE