ଏଠି ମାଜୁଲିରେ ଗାଈ ଗୋବର, ମାଟି ଏବଂ ବାଉଁଶକୁ ଏକ ସଙ୍ଗେ ମିଶାଇ ମୁଖା ତିଆରି କରାଯାଏ। ବ୍ରହ୍ମପୁତ୍ରର ଏହି ଦ୍ୱୀପରେ ରହୁଥିବା ଶିଳ୍ପକାରମାନେ ପିଢ଼ି ପିଢ଼ି ଧରି ଏହି କୌଶଳକୁ ଅଭ୍ୟାସ କରି ଆସୁଛନ୍ତି । ଶିଳ୍ପୀ ଅନୁପମ ଗୋସ୍ୱାମୀ କୁହନ୍ତି, ‘‘ମୁଖା ଆମ ସଂସ୍କୃତି ପାଇଁ ଗୁରୁତ୍ୱପୂର୍ଣ୍ଣ ଏବଂ ବର୍ତ୍ତମାନ ଏହାକୁ ତିଆରି କରୁଥିବା ଶେଷ ପରିବାରଗୁଡ଼ିକ ମଧ୍ୟରୁ ଆମେ ଅନ୍ୟତମ।’’ ଏଠାରେ ତିଆରି କରାଯାଉଥିବା ସରଳ ଏବଂ ବଡ଼, ଉଭୟ ପ୍ରକାରର ମୁଖା ବ୍ରହ୍ମପୁତ୍ରରେ ଏହି ଦ୍ୱୀପରେ ଆୟୋଜନ କରାଯାଉଥିବା ବାର୍ଷିକ ନାଟ୍ୟ କାର୍ଯ୍ୟକ୍ରମ ଓ ସାରା ଦେଶରେ ଆୟୋଜିତ ପର୍ବପର୍ବାଣୀରେ ପିନ୍ଧା ଯାଇଥାଏ।

୨୫ ବର୍ଷ ବୟସ୍କ ଅନୁପମ କୁହନ୍ତି, ‘‘ନିଜ ପାରିବାରିକ ପରମ୍ପରାକୁ ଆଗକୁ ବଢ଼ାଇବାର ଦାୟିତ୍ୱ ମୋର।’’ ସେମାନଙ୍କ ପରିବାର ଅନେକ ପିଢ଼ି ଧରି ଏହି କାମ କରିଆସୁଛି ଏବଂ ୯ ଜଣିଆ ପରିବାରରେ ସମସ୍ତେ ଏହି ଶିଳ୍ପ ସହ ଯୋଡ଼ି ହୋଇ ରହିଛନ୍ତି ।

ଦିବେନ୍ଦ୍ର ଗୋସ୍ୱାମୀ କୁହନ୍ତି, ‘‘ସାରା ବିଶ୍ୱରୁ ଅନେକ ପର୍ଯ୍ୟଟକ ମାଜୁଲି ବୁଲିବା ପାଇଁ ଆସିଥାନ୍ତି ଏବଂ ସେମାନେ ସ୍ମୃତିଚିହ୍ନ ରୂପରେ ମୁଖା କିଣିଥାନ୍ତି।’’ ସେ ଅନୁପମଙ୍କର ୪୪ ବର୍ଷ ବୟସ୍କ କକା, ଯିଏକି ପରିବାରର ମାଲିକାନାରେ ଥିବା ଦୋକାନରେ ଭିନ୍ନ ଭିନ୍ନ ଆକାରର ମୁଖା ବିକ୍ରି କରିଥାନ୍ତି । ଗୋଟିଏ ମୁଖାର ଦାମ୍‌ ୩୦୦ ଟଙ୍କା, କିନ୍ତୁ ସ୍ୱତନ୍ତ୍ର ଭାବେ ଡିଜାଇନ୍‌ କରାଯାଇଥିବା ବଡ଼ ମୁଖାର ଦାମ୍‌ ୧୦,୦୦୦ ଟଙ୍କା ପର୍ଯ୍ୟନ୍ତ ବଢ଼ିପାରେ ।

ମାଜୁଲି ଭାରତର ସବୁଠୁ ବଡ଼ ନଦୀ ଦ୍ୱୀପ ଏବଂ ୨୦୧୧ ଜନଗଣନା ଅନୁଯାୟୀ, ‘୬୨ଟି ସତ୍ର (ବୈଷ୍ଣବ ମଠ) ଥିବାରୁ ଏହାକୁ ଅହମୀୟା ବୈଷ୍ଣବ ଧର୍ମ ଓ ସଂସ୍କୃତିର ପ୍ରାଣକେନ୍ଦ୍ର ଭାବେ ବିବେଚନା କରାଯାଏ

Anupam Goswami (left) and his uncle Dhiren at Sangeet Kala Kendra, their family-owned workshop
PHOTO • Riya Behl
Anupam Goswami (left) and his uncle Dhiren at Sangeet Kala Kendra, their family-owned workshop
PHOTO • Riya Behl

ଅନୁପମ ଗୋସ୍ୱାମୀ (ଡାହାଣ) ଏବଂ ତାଙ୍କର କକା ଦିବେନ୍ଦ୍ର ସେମାନଙ୍କ ପାରିବାରିକ କର୍ମଶାଳା ସଙ୍ଗୀତ କଳା କେନ୍ଦ୍ର ପରିସରରେ

Sangeet Kala Kendra consists of two workshop rooms (left) and an exhibition hall (right). These rooms are less than 10 steps away from their home
PHOTO • Riya Behl
Sangeet Kala Kendra consists of two workshop rooms (left) and an exhibition hall (right). These rooms are less than 10 steps away from their home
PHOTO • Riya Behl

ସଙ୍ଗୀତ କଳା କେନ୍ଦ୍ରରେ ଦୁଇଟି କର୍ମଶାଳା କୋଠରୀ (ବାମ) ଏବଂ ଏକ ପ୍ରଦର୍ଶନୀ କକ୍ଷ (ଡାହାଣ) ରହିଛି । ଏହି କୋଠରୀଗୁଡ଼ିକ ସେମାନଙ୍କ ଘରଠାରୁ ୧୦ପାଦରୁ କମ୍‌ ଦୂର ହେବ

ମୁଖା ତିଆରି କରିବାର ସାମଗ୍ରୀ - ମାଟି ଓ ବାଉଁଶ - ବ୍ରହ୍ମପୁତ୍ର ନଦୀରୁ ମିଳିଥାଏ। ମାଜୁଲି ଏହି ନଦୀ ଉପରେ ଏକ ବଡ଼ ଦ୍ୱୀପ। ବ୍ରହ୍ମପୁତ୍ର ଭାରତର ସବୁଠୁ ବଡ଼ ନଦୀ ପ୍ରଣାଳୀ ମଧ୍ୟରୁ ଅନ୍ୟତମ ଯାହା ଦେଶରେ ୧୯୪,୪୧୩ ବର୍ଗ କିଲୋମିଟର କ୍ଷେତ୍ରରେ ବ୍ୟାପି ରହିଛି । ହିମାଳୟର ହିମସ୍ଖଳନ ଏବଂ ଭାରୀ ମୌସୁମୀ ବର୍ଷା କାରଣରୁ ନଦୀ ଉଚ୍ଛୁଳି ଉଠେ ଏବଂ ଅଞ୍ଚଳରେ ବନ୍ୟା ଆସିଯାଇଥାଏ: ମାଜୁଲୀ ଓ ଆଖପାଖର ଦ୍ୱୀପରେ ବାର୍ଷିକ ମୃତ୍ତିକା କ୍ଷୟ ନିରନ୍ତର ବିପଦ ସୃଷ୍ଟି କରିଥାଏ।

ମୁଖା ନିର୍ମାତାମାନେ ମୃତ୍ତିକା କ୍ଷୟର ବିପଦକୁ ଅନୁଭବ କରୁଛନ୍ତି । ଇଣ୍ଡିଆ ଡେଭଲପମେଣ୍ଟ ରିଭ୍ୟୁରେ ଧୀରେନ୍‌ ଗୋସ୍ୱାମୀ ଲେଖିଛନ୍ତି, ‘‘ମାଜୁଲିରେ ନିରନ୍ତର ମୃତ୍ତିକା ଧସିବା କାରଣରୁ ମୁଖା ତିଆରି ପାଇଁ ମାଟି ମିଳୁନାହିଁ।’’ ସେମାନେ ନିକଟସ୍ଥ ବଜାରରୁ କୁଇଣ୍ଟାଲ ପିଛା ୧,୫୦୦ ଟଙ୍କା ଦେଇ କୁମ୍‌ହାରମିଟ୍ଟି ବା ମାଟି କିଣୁଛନ୍ତି। ଅନୁପମ ଆହୁରି କୁହନ୍ତି, ‘‘ପୂର୍ବରୁ ଆମେ ମୁଖା ରଙ୍ଗ କରିବା ପାଇଁ ପ୍ରାକୃତିକ ରଙ୍ଗ ବ୍ୟବହାର କରୁଥିଲୁ, କିନ୍ତୁ ଏବେ ସେଗୁଡ଼ିକୁ ପାଇବା କଷ୍ଟକର ହୋଇପଡ଼ିଲାଣି।’’

ମହାପୁରୁଷ ଶ୍ରୀମନ୍ତ ଶଙ୍କରଦେବଙ୍କ ନାଟକଗୁଡ଼ିକ ମଧ୍ୟରୁ ଗୋଟିଏ ପ୍ରଦର୍ଶନ କରାଯିବା ସମୟରୁ ଏହି ଶିଳ୍ପକଳାର ଉତ୍ପତ୍ତି ହୋଇଥିବା ଦିବେନ୍ଦ୍ର କହିଥାନ୍ତି । ‘‘କେବଳ ମୁଖସଜ୍ଜା ବା ମେକଅପ୍‌ ମାଧ୍ୟମରେ କଳାକାରଙ୍କୁ କୌଣସି ପୌରାଣିକ ଚରିତ୍ରର ରୂପ ଦେବା କଷ୍ଟକର ଥିଲା। ଏହି କାରଣରୁ ଶଙ୍କରଦେବ ନାଟକରେ ପିନ୍ଧିବାକୁ ଥିବା ମୁଖା ତିଆରି କରିଥିଲେ ଏବଂ ଏହିପରି ଭାବେ ପରମ୍ପରା ଆରମ୍ଭ ହୋଇଥିଲା।’’

୧୬୬୩ ମସିହାରେ ପ୍ରତିଷ୍ଠା ହୋଇଥିବା ସମଗୁରି ସତ୍ର ରେ ଗୋସ୍ୱାମୀ ପରିବାର ସଙ୍ଗୀତ କଳା କେନ୍ଦ୍ର ପରିଚାଳନା କରିଥାନ୍ତି। ସମାଜ ସଂସ୍କାରକ ଏବଂ ସନ୍ଥ ମହାପୁରୁଷ ଶ୍ରୀମନ୍ତ ଶଙ୍କରଦେବଙ୍କ ଦ୍ୱାରା ପ୍ରତିଷ୍ଠା କରାଯାଇଥିବା ସତ୍ରଗୁଡ଼ିକ ପାରମ୍ପରିକ ପ୍ରଦର୍ଶନ କଳାର କେନ୍ଦ୍ର ଭାବେ ପରିଚିତ ।

ଅନୁପମ ଗୋସ୍ୱାମୀ କୁହନ୍ତି, ‘ମୁଖା ଆମ ସଂସ୍କୃତି ପାଇଁ ଗୁରୁତ୍ୱପୂର୍ଣ୍ଣ ଏବଂ ବର୍ତ୍ତମାନ ଏହାକୁ ତିଆରି କରୁଥିବା ଶେଷ ପରିବାରଗୁଡ଼ିକ ମଧ୍ୟରୁ ଆମେ ଅନ୍ୟତମ’

ଭିଡିଓ ଦେଖନ୍ତୁ, ‘ମାଜୁଲି’ର ଅନେକ ମୁଖା

ସେମାନଙ୍କ ଘର ପାଖରୁ ୧୦ ପାଦ ଠାରୁ କମ୍‌ ଦୂରତାରେ ଥିବା ଦୁଇଟି କୋଠରୀରେ ସେମାନଙ୍କର କର୍ମଶାଳା ରହିଛି। ଗୋଟିଏ କୋଣରେ ଥିବା ଏକ ଟେବୁଲ ଉପରେ ଏକ ବଡ଼ ଓ ଅସମ୍ପୂର୍ଣ୍ଣ ହାତୀ ମୁଖାର ଛାଞ୍ଚ ଥୁଆ ହୋଇଛି, ତାହା ସମ୍ପୂର୍ଣ୍ଣ ହେବା ପ୍ରତୀକ୍ଷାରେ ରହିଛି । ୨୦୦୩ରେ ଦିବେନ୍ଦ୍ର ଗୋସ୍ୱାମୀଙ୍କ ଦିବଙ୍ଗତ ପିତା, କୋଶ କାନ୍ତ ଦେବ ଗୋସ୍ୱାମୀ ଏହି କର୍ମଶାଳା ପ୍ରତିଷ୍ଠା କରିବା ସହିତ ମୁଖା ନିର୍ମାଣ ଶିଳ୍ପକଳା ପ୍ରତି ତାଙ୍କର ଯୋଗଦାନ ନିମନ୍ତେ ସମ୍ମାନଜନକ ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ପାଇଥିଲେ ।

କର୍ମଶାଳାର ପ୍ରଦର୍ଶନୀ କକ୍ଷରେ ବିଭିନ୍ନ ଆକୃତି, ଆକାରର ମୁଖା ଓ ରଙ୍ଗଗୁଡ଼ିକ କାଚ ଥାକ ଭିତରେ ଥୁଆ ହୋଇଛି। ଥାକରେ ଜାଗା ହେଉନଥିବା ସମ୍ପୂର୍ଣ୍ଣ ଶରୀର ବିଶିଷ୍ଟ ପ୍ରାୟ ୧୦ ଫୁଟ ଡେଙ୍ଗା ମୁଖାଗୁଡ଼ିକୁ ବାହାରେ ରଖାଯାଇଛି। ଦିବେନ୍ଦ୍ର ଆମକୁ ପୌରାଣିକ ଚରିତ୍ର ଗରୁଡ଼ ଙ୍କ ସମ୍ପୂର୍ଣ୍ଣ ଶରୀର ବିଶିଷ୍ଟ ମୁଖା ଦେଖାଇଥିଲେ ଯାହାକି ଏହି ଦ୍ୱୀପରେ ଆୟୋଜିତ ହେଉଥିବା ଭାଓନା (ଧାର୍ମିକ ବାର୍ତ୍ତା ସହିତ ମନୋରଞ୍ଜନର ଏକ ପାରମ୍ପରିକ କଳା) କିମ୍ବା ରାସ ମହୋତ୍ସବ ଭଳି ଧାର୍ମିକ ପର୍ବପର୍ବାଣୀରେ ବ୍ୟବହୃତ ହୋଇଥାଏ।

‘‘୨୦୧୮ରେ ଏଭଳି ଆକାରର ୧୦ଟି ମୁଖା ତିଆରି କରିବା ଲାଗି ଆମେରିକାର ଏକ ସଂଗ୍ରହାଳୟରୁ ଆମକୁ ଅର୍ଡର ମିଳିଥିଲା। ପଠାଇବା ପାଇଁ ବେଶୀ ଓଜନିଆ ହେବା କାରଣରୁ ଆମକୁ ଡିଜାଇନ ବଦଳାଇବାକୁ ପଡ଼ିଥିଲା,’’ ଅନୁପମ କୁହନ୍ତି ।

ଏହିଠାରୁ ନବସୃଜନ ଆରମ୍ଭ ହୋଇଥିଲା। ଶିଳ୍ପୀମାନେ ଏପରି ମୁଖା ତିଆରି କରିବା ଆରମ୍ଭ କଲେ ଯାହାକୁ ମୋଡ଼ି ଦିଆଯାଇପାରୁଥିଲା ଏବଂ ପଠାଇବା ଓ ପୁଣିଥରେ ଯୋଡ଼ିବା ସହଜ ଥିଲା। ‘‘ମୁଖା ପୂର୍ବରୁ ଯେପରି ଯୋଗାଇ ଦିଆଯାଉଥିଲା ସେଥିରେ ଆମେ ପରିବର୍ତ୍ତନ ଆଣିଲୁ। ଥରେ କିଛି ପର୍ଯ୍ୟଟକ କହିଲେ ଯେ ସେମାନେ ଉପହାର ସ୍ୱରୂପ ଦେବା ଲାଗି କାନ୍ଥରେ ଟଙ୍ଗାଇବା ଭଳି ମୁଖା ଚାହାନ୍ତି, ସେଥିପାଇଁ ଆମେ ସେମାନଙ୍କ ଲାଗି ଏସବୁ ମୁଖା ତିଆରି କଲୁ,’’ ଅନୁପମ କୁହନ୍ତି । ପରମ୍ପରା ଉଲ୍ଲଙ୍ଘନ ଅଭିଯୋଗ ଆଣୁଥିବା ସମାଲୋଚକମାନଙ୍କ କଥାକୁ ସେ ଖଣ୍ଡନ କରିଥାନ୍ତି।

The Goswami family runs Sangeet Kala Kendra in Samaguri satra that dates back to 1663
PHOTO • Riya Behl
The Goswami family runs Sangeet Kala Kendra in Samaguri satra that dates back to 1663
PHOTO • Riya Behl

୧୬୬୩ ମସିହାରେ ପ୍ରତିଷ୍ଠା ହୋଇଥିବା ସମଗୁରି ସତ୍ରରେ ଗୋସ୍ୱାମୀ ପରିବାର ସଙ୍ଗୀତ କଳା କେନ୍ଦ୍ର ପରିଚାଳନା କରିଥାନ୍ତି

Left: Photos of Dhiren Goswami’s late father, Kosha Kanta Deva Gosawami, who won the prestigious Sangeet Natak Akademi Award for his contribution to this art form.
PHOTO • Riya Behl
Right: Goutam Bhuyan, Anupam Goswami, Dhiren Goswami and Ananto (left to right) in the exhibition hall
PHOTO • Riya Behl

ବାମ : ଦିବେନ୍ଦ୍ର ଗୋସ୍ୱାମୀଙ୍କ ପରଲୋକଗତ ପିତା କୋଶ କାନ୍ତ ଦେବ ଗୋସ୍ୱାମୀଙ୍କ ଫଟୋ, ଯାହାଙ୍କୁ ଏହି କଳା ପ୍ରତି ଉଲ୍ଲେଖନୀୟ ଯୋଗଦାନ ନିମନ୍ତେ ସମ୍ମାନଜନକ ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ମିଳିଥିଲା। ଡାହାଣ: ଗୌତମ ଭୂୟାଁ, ଅନୁପମ ଗୋସ୍ୱାମୀ, ଦିବେନ୍ଦ୍ର ଗୋସ୍ୱାମୀ ଏବଂ ଅନନ୍ତୋ (ବାମରୁ ଡାହାଣ) ପ୍ରଦର୍ଶନୀ କକ୍ଷରେ ଅଛନ୍ତି

ଏବେ ବିକ୍ରି ମୁଖ୍ୟତଃ ପର୍ଯ୍ୟଟନ ଉପରେ ନିର୍ଭର କରୁଛି । ଅନୁପମ ଚିନ୍ତା ବ୍ୟକ୍ତ କରି କୁହନ୍ତି, ‘‘ପୂର୍ବରୁ ଆମେ ରୋଜଗାର ପ୍ରତି ଧ୍ୟାନ ଦେଉନଥିଲୁ । ପର୍ଯ୍ୟଟନ ଋତୁ ସମୟରେ କୌଣସି ଆର୍ଥିକ ସ୍ଥିରତା ନଥାଏ।’’

ନିକଟରେ ଦିବ୍ରୁଗଡ଼ ବିଶ୍ୱବିଦ୍ୟାଳୟରୁ ପର୍ଯ୍ୟଟନ ବିଷୟରେ ସ୍ନାତକୋତ୍ତର ପାଠ୍ୟକ୍ରମରେ ଉତ୍ତୀର୍ଣ୍ଣ ହୋଇଥିବା ଏହି ଯୁବ ସ୍ନାତକ ଜଣଙ୍କ ସନ୍ତୁଳନ ସନ୍ଧାନ କରିବା ଲାଗି ସଂକଳ୍ପବଦ୍ଧ ଅଛନ୍ତି । ‘‘ମୋ ପାଖରେ ନିଜର ପାରମ୍ପରିକ ବ୍ୟବସାୟକୁ ବିକଶିତ କରିବା ଲାଗି ଅନେକ ବିଚାର ଓ ସ୍ୱପ୍ନ ରହିଛି, କିନ୍ତୁ ମୁଁ ଜାଣେ ଯେ ବ୍ୟବସାୟରେ ବିନିଯୋଗ କରିବା ଲାଗି ମୋତେ ନିଜ ଆଡ଼ୁ କିଛି ଅର୍ଥ ସଞ୍ଚୟ କରିବାକୁ ପଡ଼ିବ ।’’

ମୁଖା ତିଆରି କଳାକୁ ଶିଖିବା ପାଇଁ ଚାହୁଁଥିବା ଯେକୌଣସି ଲୋକଙ୍କୁ ପ୍ରଶିକ୍ଷଣ ଦେବା ଲାଗି ଏହି ପରିବାର ପ୍ରସ୍ତୁତ ଅଛି। ‘‘ପ୍ରତିବର୍ଷ ଅତିକମ୍‌ରେ ୧୦ ଜଣ ଛାତ୍ର ଆମ ପାଖକୁ ଆସୁଛନ୍ତି । ମୁଖ୍ୟତଃ ନିକଟସ୍ଥ ଗ୍ରାମରେ ଚାଷ କାମ କରୁଥିବା ପରିବାରରୁ ଏମାନେ ଆସନ୍ତି । ପ୍ରାରମ୍ଭରେ ମହିଳାମାନଙ୍କୁ ଏହି କଳାର ଅଂଶବିଶେଷ ହେବାକୁ ଅନୁମତି ମିଳୁନଥିଲା କିନ୍ତୁ ଏବେ ତାହା ବଦଳି ଯାଇଛି,’’ ଅନୁପମ କୁହନ୍ତି। ସେମାନଙ୍କ କର୍ମଶାଳାରେ ପ୍ରଶିକ୍ଷାର୍ଥୀ ଛାତ୍ରମାନେ ତିଆରି କରୁଥିବା ମୁଖା ବିକ୍ରି ପାଇଁ କେନ୍ଦ୍ରରେ ପ୍ରଦର୍ଶିତ ହୋଇଥାଏ ଏବଂ ଛାତ୍ରଙ୍କୁ ବିକ୍ରି ଅର୍ଥରୁ କିଛି ପ୍ରତିଶତ ମିଳିଥାଏ।

Left: Goutam shapes the facial features of a mask using cow dung outside the exhibition hall.
PHOTO • Riya Behl
Right: Dhiren and Goutam showing a bollywood music video three mask makers from Majuli performed in. The video has got over 450 million views on Youtube
PHOTO • Riya Behl

ବାମ : ଗୌତମ ପ୍ରଦର୍ଶନୀ କକ୍ଷ ବାହାରେ ଗାଈ ଗୋବର ଉପଯୋଗ କରି ଏକ ମୁଖାରେ ମୁହଁକୁ ସଜାଉଛନ୍ତି। ଡାହାଣ : ଦିବେନ୍ଦ୍ର ଓ ଗୌତମ ଏକ ବଲିଉଡ୍‌ ଭିଡିଓ ଦେଖାଉଛନ୍ତି ଯେଉଁଥିରେ ମାଜୁଲିର ମୁଖା ନିର୍ମାତାମାନେ କଳା ପରିବେଷଣ କରିଛନ୍ତି। ଏହି ଭିଡିଓକୁ ୟୁଟ୍ୟୁବରେ ୪୫୦ ନିୟୁତରୁ ଅଧିକ ଦର୍ଶକ ଦେଖିଛନ୍ତି

ଗୌତମ ଭୂୟାଁ ନାମକ ଜଣେ ଛାତ୍ର ଏବେ କର୍ମଶାଳାରେ ଥାଇ ଆଗାମୀ ଅର୍ଡର ପାଇଁ ମୁଖା ତିଆରି କରୁଛନ୍ତି। ଏହି ୨୨ ବର୍ଷ ବୟସ୍କ ଯୁବକ ଜଣଙ୍କ ନିକଟସ୍ଥ କମଳାବାଡ଼ି ବ୍ଲକରେ ଥିବା ପୋଟିଆରୀ ନିକଟରେ ରୁହନ୍ତି, ସେଠାରେ ତାଙ୍କ ପରିବାର ନିଜର ଆଠ ବିଘା (ପ୍ରାୟ ଦୁଇ ଏକର) ଜମିରେ ଧାନ ଚାଷ କରିଥାନ୍ତି। ‘‘ଏଠାରେ ଲୋକମାନେ ମୁଖା ତିଆରି କରୁଥିବା ଦେଖି ମୋ ମନରେ ଆଗ୍ରହ ସୃଷ୍ଟି ହୋଇଥିଲା, ତେଣୁ ସ୍କୁଲ ପାଠପଢ଼ା ଶେଷ ହେବା ପରେ ମୁଁ ଏଠାରେ ଶିଖିବା ଆରମ୍ଭ କଲି। ଚାଷ କାମ ନଥିଲେ ମୁଁ ଏଠାକୁ ମୁଖା ତିଆରି ଶିଖିବାକୁ ଆସେ,’’ ସେ କୁହନ୍ତି।

ଫେସ୍‌ବୁକ ଏବଂ ଇନଷ୍ଟାଗ୍ରାମ୍‌ ଜରିଆରେ ଗୌତମ ଏବେ ମୁଖା ତିଆରି କରିବା ପାଇଁ ବ୍ୟକ୍ତିଗତ ଭାବେ ଅର୍ଡର ଆଣୁଛନ୍ତି। ସେ କୁହନ୍ତି, ‘‘ଏବେ ମୁଖା ଅର୍ଡର ଉପରେ ମୋର ରୋଜଗାର ନିର୍ଭର କରୁଛି। ବେଳେବେଳେ ବଡ଼ ଅର୍ଡର ମିଳିଲେ ମୁଁ ଏଠାରେ (କେନ୍ଦ୍ରଠାରେ) ଆସି କାମ କରିଥାଏ।’’ ଏହି କାରିଗରୀ ଶିଖିବା ଦ୍ୱାରା ତାଙ୍କୁ ଅର୍ଥ ଛଡ଼ା ଆହୁରି ଅନେକ କିଛି ଶିଖିବାକୁ ମିଳିଛି ବୋଲି ସେ ସ୍ମିତ ହସି କୁହନ୍ତି। ‘‘ମୁଖାକୁ ନେଇ ନାଟକ ପରିବେଷଣ କରିବାକୁ ଥିଲେ  ମୋତେ ଦେଶର ବିଭିନ୍ନ ସ୍ଥାନକୁ ଭ୍ରମଣ କରିବାର ସୁଯୋଗ ମିଳିଥାଏ। ଅଧିକ ଲୋକପ୍ରିୟ ହୋଇଥିବା ବଲିଉଡ୍‌ ସଙ୍ଗୀତ ଭିଡିଓରେ କାମ କରିବା ଲାଗି ମଧ୍ୟ ମୋତେ ସୁଯୋଗ ମିଳିଛି!’’

ନିକଟରେ ଗୌତମ ଏବଂ ଅନୁପମ ଏକ ବଲିଉଡ୍‌ ସଙ୍ଗୀତ ଭିଡିଓରେ କଳା ପରିବେଷଣ କରିଥିଲେ ଯାହାକୁ ୟୁଟ୍ୟୁବରେ ୪୫୦ ନିୟୁତରୁ ଅଧିକ ଲୋକ ଦେଖିଛନ୍ତି। ଗୌତମ ଏହି ଭିଡିଓରେ ରାମାୟଣର ଦଶ ମସ୍ତକଧାରୀ ରାବଣ ଚରିତ୍ରରେ ଅଭିନୟ କରିଥିଲେ। ଏବଂ ନିଜେ ତିଆରି କରିଥିବା ମୁଖା ପିନ୍ଧି ପ୍ରଥମ ସଟ୍‌ରେ ଦେଖା ଦେଇଥିଲେ । ‘‘ଏଥିପାଇଁ ମୋତେ ସାମାନ୍ୟ ସ୍ୱୀକୃତି ମିଳିନଥିଲା,’’ ସେ କହିଥାନ୍ତି । ଖାଲି ସେ ନୁହନ୍ତି ଭିଡିଓରେ କଷ୍ଟ୍ୟୁମ ବା ବେଷଭୂଷା ପ୍ରସ୍ତୁତ କରିଥିବା ଏବଂ ଅଭିନୟ କରିଥିବା ତାଙ୍କର ଦୁଇ ସହଯୋଗୀ ଶିଳ୍ପକାରଙ୍କୁ ମଧ୍ୟ କୌଣସି ସମ୍ମାନ ମିଳିନଥିଲା।

ଏହି କାହାଣୀ ପ୍ରସ୍ତୁତ କରିବାରେ ସହଯୋଗ ନିମନ୍ତେ ପରୀର ପ୍ରଶିକ୍ଷାର୍ଥୀ ସବଜାରା ଅଲ୍ଲୀ, ନନ୍ଦିନୀ ବୋହରା ଏବଂ ବୃନ୍ଦା ଜୈନଙ୍କୁ ଏହି ରିପୋର୍ଟର ଧନ୍ୟବାଦ ଜଣାଇଛନ୍ତି

ଅନୁବାଦ : ଓଡ଼ିଶାଲାଇଭ୍‍

Riya Behl

Riya Behl is a multimedia journalist writing on gender and education. A former Senior Assistant Editor at People’s Archive of Rural India (PARI), Riya also worked closely with students and educators to bring PARI into the classroom.

Other stories by Riya Behl
Editor : Priti David

Priti David is the Executive Editor of PARI. She writes on forests, Adivasis and livelihoods. Priti also leads the Education section of PARI and works with schools and colleges to bring rural issues into the classroom and curriculum.

Other stories by Priti David
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Other stories by OdishaLIVE