‘‘ମୋର ସବୁବେଳେ ଟଙ୍କାର ଅଭାବ ଥାଏ,’’ ପରିବାର ବଜେଟ୍ ଯୋଜନା କରିବା ସମୟରେ ତାଙ୍କ ସଂଘର୍ଷ ବିଷୟରେ ବବିତା ମିତ୍ର କୁହନ୍ତି। "ମୁଁ ଖାଦ୍ୟ ପାଇଁ ଅଲଗା ଟଙ୍କା ରଖେ ଏବଂ ଶେଷରେ ସେହି ଟଙ୍କା ଔଷଧ କିଣିବାରେ ସରିଯାଏ। ମୋ ପୁଅମାନଙ୍କ ପାଇଁ ପାଠପଢ଼ା ଟଙ୍କା ରାସନ୍ କିଣିବାରେ ଖର୍ଚ୍ଚ ହୁଏ। ଆଉ ପ୍ରତି ମାସରେ, ମୋତେ ମୋର ନିଯୁକ୍ତିଦାତାଙ୍କଠାରୁ ଋଣ ନେବାକୁ ପଡ଼େ...’’
୩୭ ବର୍ଷୀୟା ଏହି ଘରୋଇ ସହାୟିକା ବାର୍ଷିକ ମାତ୍ର ୧ ଲକ୍ଷ ଟଙ୍କା ରୋଜଗାର କରନ୍ତି, କୋଲକାତାର କାଳିକାପୁର ଅଞ୍ଚଳରେ ଦୁଇଟି ଘରେ କାମ କରି ସେ ଏହି ଟଙ୍କା ଆୟ କରନ୍ତି। ସେ ମାତ୍ର ୧୦ ବର୍ଷ ବୟସରେ ପଶ୍ଚିମବଙ୍ଗର ନଦିଆ ଜିଲ୍ଲାର ଆସାନନଗରରୁ ଏହି ସହରକୁ ଚାଲି ଆସିଥିଲେ। ‘‘ମୋର ବାପାମା’ ତିନି ପିଲାଙ୍କ ଲାଳନପାଳନ କରିପାରିନଥିଲେ। ତେଣୁ, ମୋତେ ମୂଳତଃ ଆମ ଗାଁରୁ ଆସିଥିବା ଗୋଟିଏ ପରିବାରର ଘରେ କାମ କରିବାକୁ କୋଲକାତା ପଠାଯାଇଥିଲା।’’
ସେବେଠାରୁ ବବିତା, ଅନେକ ପରିବାର ପାଖରେ ଜଣେ ଘରୋଇ ସହାୟିକା ଭାବେ କାମ କରି ଆସୁଛନ୍ତି। କୋଲକାତାରେ ସେ ରହିବା ସମୟରେ ଆଗ ହୋଇଥିବା ୨୭ଟି କେନ୍ଦ୍ର ବଜେଟ୍ ତାଙ୍କ ଜୀବନରେ କିମ୍ବା ଭାରତର ୪.୨ ନିୟୁତ ଘରୋଇ ସହାୟିକା (ସରକାରୀ ଆକଳନ ଅନୁଯାୟୀ)ଙ୍କ ଜୀବନରେ ବିଶେଷ ପରିବର୍ତ୍ତନ ଆଣିପାରିନାହିଁ। ନିରପେକ୍ଷ ଆକଳନ ମୁତାବକ ସେମାନଙ୍କର ସଂଖ୍ୟା ୫୦ ନିୟୁତରୁ ଅଧିକ ହେବ।
୨୦୧୭ ମସିହାରେ ବବିତା ଦକ୍ଷିଣ ୨୪ ପରଗଣାର ଉଛେପୋଟା ପଞ୍ଚାୟତର ଭଗବାନପୁର ଅଞ୍ଚଳରେ ରହୁଥିବା ୪୦ ବର୍ଷରୁ ଅଧିକ ବୟସର ଜଣେ ବ୍ୟକ୍ତି ଅମଲ ମିତ୍ରଙ୍କୁ ବିବାହ କରିଥିଲେ। ତାଙ୍କ ସ୍ୱାମୀ ଗୋଟିଏ କାରଖାନାରେ ମଜୁରିଆ ଭାବେ କାମ କରନ୍ତି, କିନ୍ତୁ ଘର ଚଳେଇବାରେ କମ୍ ଯୋଗଦାନ ଦେବା କାରଣରୁ ତାଙ୍କର ଦାୟିତ୍ୱ ବୃଦ୍ଧି ପାଇଥିଲା। ବବିତାଙ୍କ ଆୟ ହିଁ ସେ ଦୁଇ ଜଣଙ୍କ ବ୍ୟତୀତ ୫ ଓ ୬ ବର୍ଷର ଦୁଇ ପୁଅ, ୨୦ ବର୍ଷର ଜଣେ ସାବତ ଝିଅ ଏବଂ ତାଙ୍କ ଶାଶୁଙ୍କୁ ନେଇ ଛଅ ଜଣିଆ ପରିବାରକୁ ଚଳେଇବାରେ ଖର୍ଚ୍ଚ ହୁଏ।
ବବିତା ଭାରତରେ ଦୁଇ ଦଶନ୍ଧିର ‘ଲିଙ୍ଗଗତ ବଜେଟ୍’ ବିଷୟରେ ବହୁତ କମ୍ ଜାଣନ୍ତି। ଅଥବା ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ୨୦୨୫-୨୬ ବଜେଟରେ ମହିଳା ନେତୃତ୍ୱାଧୀନ ଅଭିବୃଦ୍ଧି ବିଷୟରେ ମଧ୍ୟ ତାଙ୍କର ଧାରଣା ନାହିଁ। କିନ୍ତୁ ଦୈନନ୍ଦିନ ଜୀବନକୁ ନେଇ ବବିତାଙ୍କ ସାଧାରଣ ଜ୍ଞାନ ତାଙ୍କ ଉତ୍ତରରେ ପ୍ରତିଫଳିତ ହୋଇଥାଏ: ‘‘ଏହି ବଜେଟ୍ର ଲାଭ କ’ଣ ଯାହା ମହିଳାଙ୍କ ପାଇଁ ଏତେ କାମ କରିବାର ଦାବି କରିଥାଏ। କଷ୍ଟ ସମୟରେ ତ’ ସେମାନଙ୍କ ପାଖରେ ଟଙ୍କା ରହୁନାହିଁ?’’ କୋଭିଡ-୧୯ ମହାମାରୀ ସମୟରେ ସେ ସହିଥିବା କଷ୍ଟ ଏବେ ବି ତାଙ୍କ ମନରେ ତାଜା ଅଛି ଯାହା ତାଙ୍କୁ ବେଶ କଷ୍ଟ ଦିଏ।
‘‘ଓଟା ଆମାର ଜୀବନେ ସବଚେ ଖରାପ ସମୟ। ପେଟେ ତଖୋନ ଦ୍ୱିତିୟୋ ସନ୍ତାନ, ପ୍ରଥମ ଜୋନ ତଖୋନେ ମାର୍ ଦୁଧ ଖାଏ… ଶରୀରରେ କୋନ ଜୋର ଛିଲୋନା (ସେତେବେଳେ ମୋ ଜୀବନର ସବୁଠୁ ଖରାପ ସମୟ ଥିଲା। ଦ୍ୱିତୀୟ ସନ୍ତାନ ମୋ ଗର୍ଭରେ ବଢ଼ୁଥିଲା, ପ୍ରଥମ ପିଲା କ୍ଷୀର ଖାଉଥିଲା। ମୋ ଶରୀରରେ ଆଦୌ ବଳ ନଥିଲା’’)
‘‘ଗର୍ଭାବସ୍ଥାର ଶେଷ ମାସଗୁଡ଼ିକରେ ମୋର ଏତେ ବଡ଼ ପେଟ ସହିତ, ମୋତେ ଦାତବ୍ୟ ସଂଗଠନ ଏବଂ କିଛି ଦୟାଳୁ ଲୋକଙ୍କ ଦ୍ୱାରା ବଣ୍ଟନ କରାଯାଉଥିବା ରାସନ୍ ପାଇବା ପାଇଁ ମାଇଲ ମାଇଲ ଚାଲିବାକୁ ପଡୁଥିଲା ଏବଂ ଲମ୍ବା ଧାଡ଼ିରେ ଅପେକ୍ଷା କରିବାକୁ ପଡୁଥିଲା,’’ ସେ କୁହନ୍ତି।
‘‘ସରକାର [ପିଡିଏସ୍ ଅଧୀନରେ] କେବଳ ୫ କିଲୋଗ୍ରାମ ମାଗଣା ଚାଉଳ ଦେଇ କାମ ସାରି ଦେଉଥିଲେ। ଗର୍ଭବତୀ ମହିଳାମାନେ ପାଇବାକୁ ହକଦାର ଥିବା ଔଷଧ ଏବଂ ଖାଦ୍ୟ [ପୁଷ୍ଟି ଏବଂ ପ୍ରୋଟିନ୍ ସପ୍ଲିମେଣ୍ଟ] ମଧ୍ୟ ମୁଁ ପାଇଲି ନାହିଁ,’’ ସେ କୁହନ୍ତି, ମହାମାରୀ ଦିନର କୁପୋଷଣ ଯୋଗୁଁ ରକ୍ତହୀନତା ଏବଂ କ୍ୟାଲସିୟମ ଅଭାବର ଲକ୍ଷଣ ଏବେ ବି ତାଙ୍କ ହାତ ଏବଂ ପାଦରେ ଦେଖାଯାଉଛି।
‘‘ବାପାମାଆ କିମ୍ବା ତାଙ୍କ ସ୍ୱାମୀଙ୍କ ପରିବାରର କୌଣସି ସମର୍ଥନ ନଥିବା ଜଣେ ଗରିବ ମହିଳାଙ୍କ ପ୍ରତି ସରକାର ଧ୍ୟାନ ଦେବା ଉଚିତ୍ । ଆଉ ତା’ପରେ ସେ ୧୨ ଲକ୍ଷ ଟଙ୍କାର ବୃଦ୍ଧି କରାଯାଇଥିବା ଆୟକର ଛାଡ଼ ସୀମାକୁ ପରିହାସ କରନ୍ତି: ‘‘ଆମ କଥା କ’ଣ? ଆମେ ଯାହା କିଣୁ ସେଥିପାଇଁ ଆମେ କ’ଣ ଟିକସ ଦେଉନାହୁଁ? ସରକାର ବଡ଼ ବଡ଼ କଥା କୁହନ୍ତି, କିନ୍ତୁ ସମସ୍ତ ଟଙ୍କା ଆମେ ଦେଉଥିବା ଖଜାନା [କର] ରୁ ଆସେ।’’ ସେ ଜଣେ ନିଯୁକ୍ତିଦାତାଙ୍କ ବାଲକୋନିରେ ପୋଷାକ ଶୁଖାଇବା ପାଇଁ ସାମାନ୍ୟ ଅଟକି ଯାଆନ୍ତି।
ଆଉ ତା’ପରେ ଏହା କହି ଆମ କଥାବାର୍ତ୍ତାରେ ବିରାମ ଦିଅନ୍ତି: ‘‘ ସରକାର ଆମ ଜିନିଷ ଆମକୁ ଦେଉଛନ୍ତି ଏବଂ ଏହାକୁ ନେଇ ଜୋରସୋର ପ୍ରଚାର କରୁଛନ୍ତି!‘‘
ଅନୁବାଦ : ଓଡ଼ିଶାଲାଇଭ୍