“ସାମାନ୍ୟ କ୍ରୋଧ ଦର୍ଶାଇବା ପାଇଁ ଆଖି ଟିକେ ଟେକି ହେବା ଦରକାର... ଅତି କ୍ରୋଧ ପ୍ରକାଶ ପାଇଁ ଆଖି ବଡ଼ବଡ଼ ହେଇଥିବ ଓ ଆଖି ପତା ଟେକି ହେଇ ରହିବ। ଆନନ୍ଦ ପ୍ରକାଶ ପାଇଁ ମୁହଁରେ ହସ ସହିତ ଗାଲ ଟେକି ହୋଇ ରହିଥିବ”।

ଏହି ସମସ୍ତ ଦିଗ ପ୍ରତି ଧ୍ୟାନ ଦେଉଥିବାରୁ ଝାଡ଼ଖଣ୍ଡର ଷଢ଼େଇକଳା ଛଉ ନୃତ୍ୟର ମୁଖା ତିଆରି କରୁଥିବାରୁ ତାହା ଦିଲ୍ଲୀପ ପଟ୍ଟନାୟକଙ୍କୁ ଜଣେ ମାଷ୍ଟର କାରିଗରର ମର୍ଯ୍ୟାଦା ମିଳେ। “ମୁଖାଗୁଡ଼ିକ ଚରିତ୍ର ଚିତ୍ରଣ କରିବା ଦରକାର”, ସେ କହନ୍ତି। “ଷଢ଼େଇକଳା ଛଉର ମୁଖା ହେଉଛି ସ୍ଵତନ୍ତ୍ର, କାରଣ ତାହା ନବରସ, ନ’ ପ୍ରକାର ଭାବକୁ ପ୍ରକାଶ କରେ, ଯାହାକି ଅନ୍ୟ କୌଣସି ଛଉ ଶୈଳୀରେ ଦେଖିବାକୁ ମିଳେ ନାହିଁ”।

ତିଆରି ହେବାର ବିଭିନ୍ନ ଅବସ୍ଥାରେ ତାଙ୍କ କର୍ମଶାଳାର ଚାରିଆଡେ ପଡି ରହିଥିବା ମୁଖାଗୁଡିକର ପ୍ରସ୍ତୁତି ଶୈଳୀ ଅତି ସ୍ଵତନ୍ତ୍ର – ବଡ଼ ବଡ଼ ଆଖି, ପେନସିଲ ଗାର ପରି ଅତି ପତଳା ଭୃଲତା, ଉଜ୍ଜ୍ଵଳ ରଙ୍ଗର ଚର୍ମ, ଇତ୍ୟାଦି ବିଭିନ୍ନ ଭାବ ପ୍ରକାଶ କରି ପାରିବା ଭଳି।

ଏହି କଳା ଶୈଳୀରେ ନୃତ୍ୟ ଓ ସମର କଳାର ମିଶ୍ରଣ ରହିଥାଏ, ଓ ସେହି ମୁଖାଗୁଡିକୁ ପିନ୍ଧି ନୃତ୍ୟଶିଳ୍ପୀମାନେ ରାମାୟଣ, ମହାଭାରତ ଓ ସ୍ଥାନୀୟ ଲୋକକଥାର ଅଭିନୟ କରନ୍ତି। ଦିଲ୍ଲୀପ ସବୁ ପ୍ରକାରର ମୁଖା ତିଆରି କରନ୍ତି, କିନ୍ତୁ କୃଷ୍ଣଙ୍କ ମୁଖା ହେଉଛି ତାଙ୍କର ସବୁଠୁ ପ୍ରିୟ, କାରଣ “ବଡ ବଡ ଆଖି ଆଉ ଉଠି ରହିଥିବା ଭୃଲତା କରି କ୍ରୋଧ ପ୍ରକାଶ କରିବା ସହଜ ହୋଇଥିବା ବେଳେ ଦୁଷ୍ଟାମି ଦେଖେଇବା ସେତିକି ସହଜ ନୁହେଁ”।

ପ୍ରକୃତ ପକ୍ଷେ ଦିଲ୍ଲୀପ ନିଜେ ଜଣେ ନୃତ୍ୟଶିଳ୍ପୀ ହୋଇଥିବାରୁ ତାହା ତାଙ୍କୁ ସାହାଯ୍ୟ କରେ। ପିଲାଟି ବେଳୁ ସେ ଗୋଟିଏ ଛଉ ନୃତ୍ୟ ଦଳରେ ଥିଲେ ଓ ସ୍ଥାନୀୟ ଶିବ ମନ୍ଦିରରେ ଛଉ ଉତ୍ସବ ହେଲାବେଳେ ସେହି ଅଭିନୟକୁ ଦେଖି ଦେଖି ସେ ଶିଖିଥିଲେ। କୃଷ୍ଣଙ୍କ ନୃତ୍ୟ ତାଙ୍କର ସବୁଠୁ ପ୍ରିୟ ଥିଲା। ଏବେ ସେ ଢୋଲ ବଜାନ୍ତି ଓ ଗୋଟିଏ ଷଢ଼େଇକଳା ଛଉ ଦଳରେ ଅଛନ୍ତି।

PHOTO • Ashwini Kumar Shukla
PHOTO • Ashwini Kumar Shukla

ଫଟୋ: ଦିଲ୍ଲୀପ ପଟ୍ଟନାୟକ ଷଢ଼େଇକଳା ଜିଲ୍ଲାର ତେନ୍ତୋପୋଷି ଗାଁ ସ୍ଥିତ ତାଙ୍କ ଘରେ (ବାମରେ) ତେନ୍ତୋପୋଷି ଶିବ ମନ୍ଦିର ନିକଟରେ ଛଉ ନୃତ୍ୟ ପ୍ରଦର୍ଶନ କାଳରେ ସେ ଢୋଲ ବ ଜା ଉଥିବା ବେଳେ (ଡାହାଣରେ)

ଝାଡ଼ଖଣ୍ଡର ଷଢ଼େଇକଳା ଜିଲ୍ଲା ଅନ୍ତର୍ଗତ ପ୍ରାୟ ଏକ ହଜାର ଜନସଂଖ୍ୟା ବିଶିଷ୍ଟ ତେନ୍ତୋପୋଷି ଗାଁରେ ଦିଲ୍ଲୀପ ତାଙ୍କ ସ୍ତ୍ରୀ, ଚାରି ଝିଅ ଓ ଗୋଟିଏ ପୁଅ ସହ ରହନ୍ତି। ଚାଷ ଜମି ଭିତରେ ଦୁଇ-ବଖରା ବିଶିଷ୍ଟ ଘର ଓ ପାଚେରି ଘେରା ଅଗଣା ହେଉଛି ତାଙ୍କର କାର୍ମଶାଳା। ଘରର ଆଗ ଦୁଆର ପାଖରେ ରହିଛି ଗଦାଏ କାଦୁଅ ମାଟି ଓ ତା’ର ବିପରୀତରେ ଝଙ୍କା ନିମଗଛ ଯେଉଁଠାରେ ପାଗ ଭଲଥିବା ବେଳେ ବସି ସେ କାମ କରନ୍ତି।

“ଛୋଟ ଥିଲା ବେଳେ ମୁଁ ମୋ ବାପା (କେଶବ ଆଚାର୍ଯ୍ୟ) ମୁଖା ତିଆରି କରୁଥିବା ବେଳେ ଦେଖୁଥିଲି”, କହନ୍ତି ତୃତୀୟ ପୀଢ଼ିର ଶିଳ୍ପୀ ଦିଲ୍ଲୀପ। “କାଦୁଅରେ ସେ ଯେ କୌଣସି ଚାରିତ୍ରର ଛାଞ୍ଚ ବନେଇ ପାରୁଥିଲେ”। ସେ କହନ୍ତି କି ଷଢ଼େଇକଳାର ପୂର୍ବତନ ରାଜ ପରିବାର ଏହି ନୃତ୍ୟକଳାକୁ ସାହାଯ୍ୟ କରୁଥିଲେ ଓ ପ୍ରତି ଗାଁରେ ମୁଖା ତିଆରି ଶିଖେଇବା ପାଇଁ ପ୍ରଶିକ୍ଷଣ କେନ୍ଦ୍ର ରହିଥିଲା, ତାଙ୍କ ବାପା ଜଣେ ଶିକ୍ଷକ ଥିଲେ।

“ଗତ ଚାଳିଶି ବର୍ଷ ଧରି ମୁଁ ସେଭଳି ମୁଖା ତିଆରି କରି ଆସୁଛି”, କହନ୍ତି ୬୫ ବର୍ଷ ବୟସ୍କ ଦିଲ୍ଲୀପ, ଏହି ପୁରୁଣା ପରମ୍ପରାକୁ ବଞ୍ଚେଇ ରଖିଥିବା କାରିଗରମାନଙ୍କ ମଧ୍ୟରୁ ଜଣେ। “ବହୁ ଦୂର ସ୍ଥାନରୁ ଲୋକେ ଏହା ଶିଖିବା ପାଇଁ ଆସନ୍ତି। ଆମେରିକା, ଜର୍ମାନୀ, ଫ୍ରାନ୍ସ... ପରି ସ୍ଥାନରୁ ସେମାନେ ଆସନ୍ତି,” ଏହିଭଳି ଏକାଧିକ ଦୂର ଜାଗାର ନାଁ ସେ କହନ୍ତି।

ରାଜ୍ୟର ଓଡ଼ିଶା ସୀମାରେ ରହିଥିବା ଷଢ଼େଇକଳା ହେଉଛି ସଙ୍ଗୀତ ଓ ନୃତ୍ୟକୁ ଆଦର କରୁଥିବା ଲୋକଙ୍କ ଏକ ସମାଗମ ସ୍ଥାନ। ଷଢ଼େଇକଳା ହେଉଛି ଛଉ ନୃତ୍ୟର ମା’ ଓ ଏଠାରୁ ହିଁ ଏହା ମୟୁରଭଞ୍ଜ (ଓଡ଼ିଶା) ଓ ମାନଭୂମ (ପୁରୁଲିଆ)କୁ ବିସ୍ତାରିତ ହୋଇଛି”, କହନ୍ତି ଷଢ଼େଇକଳା ଛଉ କେନ୍ଦ୍ରର ନିର୍ଦ୍ଦେଶକ ୬୨ ବର୍ଷ ବୟସ୍କ ଗୁରୁ ତପନ ପଟ୍ଟନାୟକ। ସେ ବୁଝାଇ କହନ୍ତି ଯେ ଷଢ଼େଇକଳା ରୟାଲ ଛଉ ଦଳ ସର୍ବ ପ୍ରଥମ ଥର ପାଇଁ ୧୯୩୮ ମସିହାରେ ଭାରତ ବାହାରକୁ ଯାଇ ସାରା ୟୁରୋପରେ ନୃତ୍ୟ ପରିବେଷଣ କରିଥିଲା, ଏବଂ ସେବେଠାରୁ ଏହି ଶୈଳୀର ନୃତ୍ୟ ପୃଥିବୀର କୋଣ ଅନୁକୋଣକୁ ଯାଇ ପରିବେଷଣ କରୁଛି।

ତେବେ ବିଶ୍ଵ ସ୍ତରରେ ଛଉନୃତ୍ୟର ପ୍ରସାର ସତ୍ତ୍ୱେ ଏହି ପ୍ରତିଷ୍ଠାସମ୍ପନ୍ନ ମୁଖାଗୁଡ଼ିକୁ ତିଆରି କରୁଥିବା କାରିଗରମାନଙ୍କ ସଂଖ୍ୟା କମିବାରେ ଲାଗିଛି। “ସ୍ଥାନୀୟ ଲୋକେ ଏହାକୁ ଶିଖିବାକୁ ଚାହୁଁ ନାହାନ୍ତି”, ହଜିଯିବାକୁ ବସିଥିବା ଏହି କାରୁକଳା ସମ୍ପର୍କରେ ଅତି ମ୍ରିୟମାଣ ସ୍ଵରରେ କହନ୍ତି ଦିଲ୍ଲୀପ।

*****

ନିଜ ଘର ଅଗଣାରେ ନିଜ ଯନ୍ତ୍ରପାତିଗୁଡ଼ିକୁ ସଜାଡ଼ି ରଖିବା ପରେ ଦିଲ୍ଲୀପ ଗୋଟିଏ କାଠ ଫ୍ରେମ ଉପରେ କିଛି ନରମ କାଦୁଅ ରଖୁଛନ୍ତି। “ଆମେ ଆଙ୍ଗୁଳି ମାପରେ ମୁଖାକୁ ମାପକରି ତିନି ଭାଗରେ ବିଭକ୍ତ କରୁ – ଗୋଟିଏ ଭାଗରେ ଆଖି, ଆଉ ଭାଗରେ ନାକ ଓ ଆଉ ଭାଗକରେ ପାଟି କରିବା ପାଇଁ”, ସେ ବୁଝାଇ କହନ୍ତି।

ଦେଖନ୍ତୁ: ଷଢ଼େଇକଳା ଛଉ ମୁଖାର ପ୍ରସ୍ତୁତି

‘ଷଢ଼େଇକଳା ହେଉଛି ଛଉ ନୃତ୍ୟର ମା। [...] ଏହା ମୋର ପରମ୍ପରା। ମୁଁ ବଞ୍ଚିଥିବା ପର୍ଯ୍ୟନ୍ତ ଏହି ପରମ୍ପରାକୁ ବଜାୟ ରଖିବି’

ପାଣିରେ ଟିକେ ହାତ ବୁଡ଼େଇ ଦେଇ ସେ ମୁଖାକୁ ନବରସ ବା ନ’ ପ୍ରକାରର ଭାବ ପ୍ରକାଶ କରିବାର ରୂପ ଦେବା ଆରମ୍ଭ କରନ୍ତି – ଶୃଙ୍ଗାର (ପ୍ରେମ/ସୁନ୍ଦର ଭାବ), ହାସ୍ୟ (ଉଲ୍ଲାସ ଭାବ), କରୁଣା (ଦୁଃଖ/ମ୍ରିୟମାଣ ଭାବ), ରୌଦ୍ର (କ୍ରୋଧ/ରାଗ ଭାବ), ବୀର (ସାହସ/ସାହସିକତା ଭାବ), ଭୟାନକ (ଅତ୍ୟାଚାର/ଭୟ ଭାବ), ବିଭତ୍ସ (ବିରକ୍ତି/ଘୃଣା ଭାବ), ଅଦ୍ଭୁତ (ଚକିତ/ଆଶ୍ଚର୍ଯ୍ୟ ଭାବ) ଓ ଶାନ୍ତ (ଶାନ୍ତି/ପ୍ରଶାନ୍ତି ଭାବ)।

ଛଉ ନୃତ୍ୟର ବିଭିନ୍ନ ଶୈଳୀ ମଧ୍ୟରୁ କେବଳ ଷଢ଼େଇକଳା ଓ ପୁରୁଲିଆ ଛଉରେ ମୁଖା ବ୍ୟବହାର ହୁଏ। “ଷଢ଼େଇକଳା ଛଉର ଆତ୍ମା ରହିଛି ଏହି ମୁଖାରେ, ସେଗୁଡ଼ିକ ବିନା ଛଉ ବୋଲି କିଛି ରହିବ ନାହିଁ”, କାଦୁଅକୁ ହାତରେ ଆକାର ଦେଉଦେଉ କହନ୍ତି ଦିଲ୍ଲୀପ।

କାଦୁଅକୁ ଠିକ୍ ରୂପ ଓ ଆକାର ଦେଇଦେଲା ପରେ ଦିଲ୍ଲୀପ ତା’ ଉପରେ ଘସି (ଗାଈ ଗୋବରରୁ ପ୍ରସ୍ତୁତ ଜାଳେଣି) ପାଉଁଶ ଛିଞ୍ଚି ଦିଅନ୍ତି ଯାହା ଦ୍ଵାରା ମୁଖାର ଘୋଳ ଶୁଖିଗଲା ପରେ ତା’ ଉପରୁ ସହଜରେ ଉଠିଯାଇ ପାରିବ। ଏହା ପରେ ସେ ଅଟାରେ ତିଆରି ଲଇ ବା ଅଠା ଦେଇ ସେହି କାଦୁଅ ଛାଞ୍ଚ ଉପରେ ଛ’ ପରସ୍ତ କାଗଜ ଲଗାନ୍ତି। ତା’ ପରେ ସେହି ମୁଖାକୁ ଖରାରେ ଦୁଇ ତିନି ଦିନ ପର୍ଯ୍ୟନ୍ତ ଶୁଖାଇଲା ପରେ ଗୋଟିଏ ବ୍ଲେଡ ଦ୍ଵାରା ତାହାକୁ ଛାଞ୍ଚରୁ ଛଡ଼ାଇ ଦିଅନ୍ତି ଓ ଠିକ୍‌ ଭାଗମାପରେ ରଙ୍ଗ କରନ୍ତି। “ଷଢ଼େଇକଳା ମୁଖା ଦେଖିବାକୁ ଭାରି ସୁନ୍ଦର”, ସଗର୍ବରେ କହନ୍ତି ଦିଲ୍ଲୀପ। ସେହି ଅଞ୍ଚଳର ପ୍ରାୟ ପଚାଶଟି ଗାଁରେ ସେ ମୁଖା ଦିଅନ୍ତି।

ଅତୀତରେ ଫୁଲ, ପତ୍ର ଓ ନଦୀ କୁଳର ପଥରରୁ ପ୍ରାକୃତିକ ରଙ୍ଗ ବାହାର କରି ମୁଖାଗୁଡ଼ିକୁ ରଙ୍ଗ କରାଯାଉଥିଲା, କିନ୍ତୁ ଏବେ ମୁଖାରେ କୃତ୍ରିମ ରଙ୍ଗ ବ୍ୟବହାର କରାଯାଉଛି।

PHOTO • Ashwini Kumar Shukla
PHOTO • Ashwini Kumar Shukla

ଦିଲ୍ଲୀପ ନିଜ ଆଙ୍ଗୁଠିରେ ମାପକରି  (ବାମରେ) ତିନି ଭାଗରେ ବିଭକ୍ତ କରୁଛନ୍ତି - ଗୋଟିଏ ଭାଗରେ ଆଖି, ଆଉ ଭାଗରେ ନାକ ଓ ଆଉ ଭାଗକରେ ପାଟି କରିବା ପାଇଁ। ଗୋଟିଏ କାଠ ପାତିଆ ବ୍ୟବହାର କରି (ଡାହାଣରେ) ଆଖି ଖୋଦେଇ କରନ୍ତି, ବିଭିନ୍ନ ଭାବ ପ୍ରକାଶ ପାଇଁ ଏକାଧିକ ଆକାରରେ ସେ ଅତି ସନ୍ତର୍ପଣରେ ମାପଚୁପ କରି ଏହା କରନ୍ତି

PHOTO • Ashwini Kumar Shukla
PHOTO • Ashwini Kumar Shukla

ବାମରେ: କାଦୁଅକୁ ଠି କ୍‌ ରୂପ ଓ ଆକାର ଦେଇଦେଲା ପରେ ଦିଲ୍ଲୀପ ତା’ ଉପରେ ଘସି (ଗାଈ ଗୋବରରୁ ପ୍ରସ୍ତୁତ ଜାଳେଣି) ପାଉଁଶ ଛିଞ୍ଚି ଦିଅନ୍ତି ଯାହା ଦ୍ଵାରା ମୁଖାର ଘୋଳ ଶୁଖିଗଲା ପରେ ତା’ ଉପରୁ ସହଜରେ ଉଠିଯାଇ ପାରିବ। ଏହା ପରେ ସେ ଅଟାରେ ତିଆରି ଲଇ ବା ଅଠା ଦେଇ ସେହି କାଦୁଅ ଛାଞ୍ଚ ଉପରେ ଛ’ ପରସ୍ତ କାଗଜ ଲଗାନ୍ତି। ତା’ ପରେ ସେହି ମୁଖାକୁ ଖରାରେ ଦୁଇ ତିନି ଦିନ ପର୍ଯ୍ୟନ୍ତ ଶୁଖାଇଲା ପରେ ଗୋଟିଏ ବ୍ଲେଡ ଦ୍ଵାରା ତାହାକୁ ଛାଞ୍ଚରୁ ଛଡାଇ ଦିଅନ୍ତି। ଡାହାଣରେ: ଦିଲ୍ଲୀପ ଯେ କି ଷଢ଼େଇକଳା ଛଉର ମୁଖା ତିଆରି କରୁଥିବା ଅଳ୍ପ କେତେଜଣ ଶିଳ୍ପୀଙ୍କ ମଧ୍ୟରୁ ଜଣେ, ମାପଚୁପ କରି ସଠିକ ଭାଗମାପରେ ମୁଖାର ଆବଶ୍ୟକୀୟ ଭାବ ପ୍ରକାଶ ହେଲା ଭଳି ଆଖି, ଓଠ ଓ ଗାଲ ଇତ୍ୟାଦିକୁ ରଙ୍ଗ କରନ୍ତି

*****

“ଜଣେ ନୃତ୍ୟଶିଳ୍ପୀ ମୁଖା ପିନ୍ଧିଦେଲା ପରେ ସେହି ଚରିତ୍ରକୁ ରୂପାନ୍ତରିତ ହୋଇଯାଏ”, କହନ୍ତି ପଚାଶ ବର୍ଷରୁ ଊର୍ଦ୍ଧ୍ଵ ସମୟ ଧରି ଛଉ ନୃତ୍ୟ କରୁଥିବା ତପନ। “ତୁମେ ଯଦି ରାଧା ଚରିତ୍ରରେ ଅଭିନୟ କରୁଥାଅ, ତେବେ ରାଧାର ବୟସ ଓ ରୂପକୁ ବିଚାର କରିବାକୁ ହେବ। ଶାସ୍ତ୍ରାନୁଯାୟୀ ସେ ଦେଖିବାକୁ ବହୁତ ସୁନ୍ଦର। ତେଣୁ, ରାଧାଙ୍କ ମୁହଁର ଛାଞ୍ଚ ତିଆରି କଲାବେଳେ ତାଙ୍କ ପରି ଦିଶିବା ପାଇଁ ସେଭଳି ଓଠ ଓ ଗାଲ କରିବାକୁ ହେବ”।

ସେ କହି ଚାଲନ୍ତି, “ଥରେ ତୁମେ ମୁଖା ପିନ୍ଧିଦେଲା ପରେ ସେହି ଭାବକୁ ପ୍ରକାଶ କରିବା ପାଇଁ ତୁମ ଶରୀର ଓ ଗ୍ରୀବା ଚାଳନାକୁ ତଦନୁଯାୟୀ ପରିଚାଳିତ କରିବାକୁ ହେବ”। ନୃତ୍ୟଶିଳ୍ପୀଙ୍କ ଶରୀର ଦୁଇ ଭାଗରେ ବିଭକ୍ତ: ‘ଅଙ୍ଗ’ (ବେକଠାରୁ ନିମ୍ନାଂଶ) ଓ ‘ଉପାଙ୍ଗ’ (ମୁଣ୍ଡ)। ‘ ଉପାଙ୍ଗ’ ରେ ରହିଛି ଆଖି, ନାକ, କାନ ଓ ପାଟି, ଯାହାସବୁ ମୁଖା ଦ୍ଵାରା ଲୁଚି ଯାଏ। ନୃତ୍ୟଶିଳ୍ପୀ ତାଙ୍କ ଭାବ ପ୍ରକାଶ କରିବା ପାଇଁ ତାଙ୍କ ଶରୀରର ଉଭୟ ଊର୍ଦ୍ଧ୍ଵ ଓ ନିମ୍ନ ଅଂଶକୁ ବ୍ୟବହାର କରନ୍ତି।

ତେଣୁ, ଜଣେ ନୃତ୍ୟଶିଳ୍ପୀ ଯେତେବେଳେ ମୁଖା ପିନ୍ଧି ନିଅନ୍ତି ଓ କାନ୍ଦିବା ଅଭିନୟ କରନ୍ତି, ମୁହଁର ଭାବଭଙ୍ଗୀ ମୁଖା ଯୋଗୁ ଦେଖାଯାଏ ନାହିଁ। ସେ କ’ଣ କହିବାକୁ ଚାହାନ୍ତି ‘ପରୀ’କୁ ବୁଝେଇବା ପାଇଁ, ତପନ ନିଜ ବାମ ପଟକୁ ବେକ ଭାଙ୍ଗି ରଖିଲେ, ଦୁଇ ହାତକୁ ମୁଠା କରି ମୁହଁ ପାଖକୁ ଆଣିଲେ, ଏବଂ ଶରୀରର ଊର୍ଦ୍ଧ୍ଵ ଭାଗ ଓ ମୁଣ୍ଡକୁ ବାମ ପଟକୁ ଆହୁରି ଝୁଲାଇ ଦେଲେ, ଲାଗିଲା ସତେ ଯେମିତି ସେ ଦୁଃଖରେ ମର୍ମାହତ ହୋଇ ଅନ୍ୟ ଆଡ଼େ ଚାହିଁଛନ୍ତି।

ଲୋକକଥା ଅନୁଯାୟୀ ଆରମ୍ଭ କାଳରେ ଶିଳ୍ପୀମାନେ ଲୋକମାନଙ୍କ ଆଗରେ ନୃତ୍ୟ କରିବାକୁ ଏତେ ଲଜ୍ଜା ଅନୁଭବ କରୁଥିଲେ ଯେ ମୁହଁ ଘୋଡାଇ ରଖିବା ପାଇଁ ମୁଖାର ପ୍ରଚଳନ ଆରମ୍ଭ ହେଲା। “ଏଭଳି ଭାବେ ‘ ପରିକାଣ୍ଡ’ ବା ଏହି ସମରନୃତ୍ୟରେ ମୁଖା ଲଗେଇବା ଆରମ୍ଭ ହେଲା”, ବୁଝାଇ ଦିଅନ୍ତି ତପନ। ପ୍ରଥମେ ବାଉଁଶ ଟୋକରିରେ ଆଖି ଜାଗାରେ କଣା କରି ମୁଖା ଭାବେ ବ୍ୟବହାର ହୋଇଥିଲା। ଦିଲ୍ଲୀପଙ୍କ କହିବା ଅନୁଯାୟୀ ପରବର୍ତ୍ତୀ ସମୟରେ ସେ ଯେତେବେଳେ ଛୋଟ ପିଲା ଥିଲେ ସେତେବେଳେ ଏହି ପରମ୍ପରାକୁ ବିକଶିତ କରିବା ପାଇଁ ଲାଉତୁମ୍ବାରେ ମୁଖା ତିଆରି କରାଗଲା।

ଆରମ୍ଭ ବାବଦରେ ଅନ୍ୟ ଲୋକକଥା ଅନୁଯାୟୀ ଛଉ ନୃତ୍ୟ ‘ଛାଉଣି’ ବା ସୈନ୍ୟ ଶିବିରରେ ଆରମ୍ଭ ହୋଇଥିଲା, ଯେଉଁଥି ପାଇଁ ଏହାର ଅଙ୍ଗ ଚାଳନା ସମର କଳା ପରି ହୋଇଛି। କିନ୍ତୁ ତପନ ଏଥିରେ ସହମତ ହୁଅନ୍ତି ନାହିଁ: “ଛଉର ମୂଳ ହେଉଛି ଛାୟା ,” ସେ କହନ୍ତି କି ଶିଳ୍ପୀ କଳାକାରମାନେ ଯେଉଁ ଚରିତ୍ର ଚିତ୍ରଣ କରନ୍ତି ସେମାନେ ହେଉଛନ୍ତି ତା’ର ‘ଛାୟା’ ସଦୃଶ।

ପାରମ୍ପରିକ ଭାବେ ଏହି ନୃତ୍ୟକୁ ପୁରୁଷମାନେ ପରିବେଷଣ କରନ୍ତି। ତେବେ ନିକଟରେ କିଛି ବର୍ଷ ହେଲା କେତେକ ମହିଳା ଛଉ ଦଳଗୁଡ଼ିକରେ ଯୋଗ ଦେଇଥିଲେ ହେଁ ଷଢ଼େଇକଳାରେ ନୃତ୍ୟ ପରିବେଷଣରେ ମୁଖ୍ୟତଃ ପୁରୁଷମାନଙ୍କ ଆଧିପତ୍ୟ ରହିଛି।

PHOTO • Ashwini Kumar Shukla
PHOTO • Ashwini Kumar Shukla

ବାମରେ: ଦିଲ୍ଲୀପଙ୍କ ଘର ବାରଣ୍ଡାର ଗୋଟିଏ କଡ଼ରେ ପ୍ରଦର୍ଶିତ ହୋଇ ରହିଥିବା ଷଢ଼େଇକଳା ମୁଖା ନବରସ ଭାବକୁ ପ୍ରକାଶ କରୁଛି – ଶୃଙ୍ଗାର (ପ୍ରେମ/ସୁନ୍ଦର ଭାବ), ହାସ୍ୟ (ଉଲ୍ଲାସ ଭାବ), କରୁଣା (ଦୁଃଖ/ମ୍ରିୟମାଣ ଭାବ), ରୌଦ୍ର (କ୍ରୋଧ/ରାଗ ଭାବ), ବୀର (ସାହସ/ସାହସିକତା ଭାବ), ଭୟାନକ (ଅତ୍ୟାଚାର/ଭୟ ଭାବ), ବିଭତ୍ସ (ବିରକ୍ତି/ଘୃଣା ଭାବ), ଅଦ୍ଭୁତ (ଚକିତ/ଆଶ୍ଚର୍ଯ୍ୟ ଭାବ) ଓ ଶାନ୍ତ (ଶାନ୍ତି/ପ୍ରଶାନ୍ତି ଭାବ)। ଏହା ହିଁ ହେଉଛି ଏହାର ସ୍ଵତନ୍ତ୍ରତା। ଡାହାଣରେ: ଦିଲ୍ଲୀପ ତିଆରି କରିଥିବା କିଛି ପ୍ରସିଦ୍ଧ ମୁଖା ଓ ସେ କରିଥିବା କିଛି ଶିବିରର ପୁରୁଣା ଫଟୋଗ୍ରାଫ ସେ ଦେଖାଉଛନ୍ତି

ମୁଖା ତିଆରି କ୍ଷେତ୍ରରେ ମଧ୍ୟ ସମାନ ଅବସ୍ଥା। ଛଉମେ ମହିଳା ନେହିଁ... ୟହି ପରମ୍ପରା ଚଲ ଆ ରହା ହୈ, ମାସ୍କ ମେକିଙ୍ଗ କା ସାରା କାମ ହମ ଖୁଦ କାରତେ ହେଁ [ଛଉରେ ମହିଳାମାନେ ଯୋଗ ଦିଅନ୍ତି ନାହିଁ... ଏହା ହେଉଛି ପରମ୍ପରା, ଏବଂ ମୁଖା ତିଆରିର ସବୁ କାମ ଆମେ ନିଜେ କରୁ]”, କହନ୍ତି ଦିଲ୍ଲୀପ ଓ ପୁଣି ଯୋଗ କରି କହନ୍ତି, “ମୋ ପୁଅ ଏଠାରେ ରହିବା ବେଳେ ମତେ ସାହାଯ୍ୟ କରେ”।

ତାଙ୍କ ପୁଅ ଦୀପକ ତାଙ୍କ ବାପାଙ୍କଠାରୁ ମୁଖା ତିଆରି କରିବା ଶିଖିଛି। ୨୫ ବର୍ଷ ବୟସ୍କ ଏହି ଯୁବକ ଜଣକ ଧାନବାଦରେ ରହି ସେଠାରେ ଗୋଟିଏ ଆଇଟି ଫାର୍ମରେ କାମ କରନ୍ତି ଓ ଯାହା ରୋଜଗାର କରନ୍ତି ମୁଖା ତିଆରି କଲେ ସେତିକି ରୋଜଗାର କେବେ ବି କରିହେବ ନାହିଁ।

ତେବେ ଯେତେବେଳେ ମୂର୍ତ୍ତି ତିଆରି କରିବାକୁ ପଡ଼େ ସେତେବେଳେ ପୂରା ପରିବାର ସେଥିରେ ଲାଗି ଯାଆନ୍ତି। ସଂଯୁକ୍ତା, ଦିଲ୍ଲୀପଙ୍କ ସ୍ତ୍ରୀ କହନ୍ତି କି ମୂର୍ତ୍ତି ତିଆରି କରିବା ପାଇଁ ସେ ସବୁ କାମ କରନ୍ତି। “ସଞ୍ଚା ବନାତେ ହୈ, ମିଟି ତୈୟାର କରତେ ହୈ, ପେଣ୍ଟିଙ୍ଗ ଭି କରତେ ହୈ। ଲେକିନ୍ ମୁଖୌଟା ମେ ଲେଡିଜ୍ କୁଛ ନହିଁ କରତି ହେ [ଆମେ ଛାଞ୍ଚ ତିଆରି କରୁ, ମାଟି ପାଗ କରୁ, ଓ ଏପରିକି ରଙ୍ଗ ବି ଲଗାଉ। କିନ୍ତୁ ଯେତେବେଳେ ମୁଖା ତିଆରି କରିବା କଥା ଆସେ, ମହିଳାମାନେ କିଛି ବି କରନ୍ତି ନାହିଁ]”।

୨୦୨୩ ମସିହାରେ ଦିଲ୍ଲୀପ ପ୍ରାୟ ୫୦୦ରୁ ୭୦୦ ମୁଖା ତିଆରି କରି କରି ମୋଟାମୋଟି ଏକ ଲକ୍ଷ ଟଙ୍କା ଆୟ କରିଥିଲା ବେଳେ ସେଥିରୁ ୩୦୦୦ରୁ ୪୦୦୦ ରଙ୍ଗ, ତୂଳି ଓ ବର୍ଷକର ପୋଷାକପତ୍ରରେ ଖର୍ଚ୍ଚ କରିଥିଲେ। ସେ ଏହାକୁ ତାଙ୍କର ‘ସ୍ଵଳ୍ପକାଳୀନ କାମ’ ବୋଲି କହନ୍ତି, ଏବଂ ମୂର୍ତ୍ତି ତିଆରି କରିବା ହେଉଛି ତାଙ୍କର ମୁଖ୍ୟ କାମ ଯେଉଁଥିରୁ ସେ ବର୍ଷକୁ ପ୍ରାୟ ତିନିରୁ ଚାରି ଲକ୍ଷ ଟଙ୍କା ରୋଜଗାର କରନ୍ତି।

ସେ ଏକାଧିକ ଛଉ କେନ୍ଦ୍ର ପକ୍ଷରୁ ବହିନା ନେଇ ମୁଖା ତିଆରି କରନ୍ତି ଏବଂ ପ୍ରତି ବର୍ଷ ଏପ୍ରିଲ ମାସରେ ଅନୁଷ୍ଠିତ  ହେଉଥିବା ଚଇତ ପରବ ବା ଉତ୍ସବ ବେଳେ ଆୟୋଜିତ ହେଉଥିବା ଚଇତ୍ର ମେଳାରେ ବିକ୍ରି କରନ୍ତି। ଏହା ଷଢ଼େଇକଳା ଛଉର ବାର୍ଷିକ କାର୍ଯ୍ୟକ୍ରମ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଘଟଣା ଯେତେବେଳେ କି ସାରା ବିଶ୍ଵରୁ ପରିଦର୍ଶକମାନେ ଏଠାକୁ ଆସନ୍ତି। ବଡ଼ ମୁଖାର ମୂଲ୍ୟ ୨୫୦ରୁ ୩୦୦ ଟଙ୍କା ଭିତରେ ହୋଇଥିବା ବେଳେ ଛୋଟ ମୁଖା ଗୋଟିକୁ ୧୦୦ ଟଙ୍କାରେ ବିକ୍ରି କରାଯାଏ।

ଦିଲ୍ଲୀପ ଜାଣନ୍ତି ଯେ କେବଳ ଅର୍ଥ ଉପାର୍ଜନ ପାଇଁ ସେ ଏହା କରନ୍ତି ନାହିଁ। “ଏହା ମୋର ପରମ୍ପରା। ମୁଁ ବଞ୍ଚିଥିବା ପର୍ଯ୍ୟନ୍ତ ଏହି ପରମ୍ପରାକୁ ଜାରି ରଖିବି”।

ଏହି ଉପସ୍ଥାପନାଟିକୁ ମୃଣାଳିନୀ ମୁଖାର୍ଜୀ ଫାଉଣ୍ଡେସନର ଫେଲୋସିପ (ଏମଏମଏଫ) ଦ୍ଵାରା ପ୍ରସ୍ତୁତ କରାଯାଇଛି।

ଅନୁବାଦ : ଓଡ଼ିଶାଲାଇଭ୍‍

Ashwini Kumar Shukla

Ashwini Kumar Shukla is a freelance journalist based in Jharkhand and a graduate of the Indian Institute of Mass Communication (2018-2019), New Delhi. He is a PARI-MMF fellow for 2023.

Other stories by Ashwini Kumar Shukla
Editor : PARI Desk

PARI Desk is the nerve centre of our editorial work. The team works with reporters, researchers, photographers, filmmakers and translators located across the country. The Desk supports and manages the production and publication of text, video, audio and research reports published by PARI.

Other stories by PARI Desk
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Other stories by OdishaLIVE