ଅଭି ଯୋ ଆୟେଗା ନା ଭୋଟ୍‌ ଲେନେ, ତୋ କହେଙ୍ଗେ ପହଲେ ପେନ୍‌ସନ୍‌ ଦୋ (ସେମାନେ ଭୋଟ ମାଗିବାକୁ ଆସିଲେ, ଆମେ କହିବୁ, ‘ପ୍ରଥମେ ଆମକୁ ଭତ୍ତା ଦିଅ’),” ଲିଟାତି ମୁର୍ମୁ କହନ୍ତି ।

ଝାଡ଼ଖଣ୍ଡର ଦୁମକା ଜିଲ୍ଲା ଅନ୍ତର୍ଗତ କୁସୁମଡିହ ଗାଁର ବୁରୁଟୋଲା ପଲ୍ଲୀରେ ତାଙ୍କ କଚ୍ଚା ଘର ବାହାରେ ଏକ ଦଟ୍ଟି (ପିଣ୍ଢା) ଉପରେ ବସି ସେ ‘ପରୀ’କୁ କହନ୍ତି ।

“ଆମେ ଏଥର ଘର ଓ ଭତ୍ତା ଦାବି କରିବୁ,” କଥାରେ କଥା ମିଳାଇ ତାଙ୍କ ପାଖରେ ବସିଥିବା ତାଙ୍କ ପଡ଼ୋଶୀ ଓ ବନ୍ଧୁ ଶର୍ମିଲା ହେଂବ୍ରମ କହନ୍ତି ।

“ଏଇ ଥରକ ପାଇଁ ଯାହା ସେମାନେ ଆସିବେ,” ନେତାମାନଙ୍କୁ ଇଙ୍ଗିତ କରି ପରିହାସ ଛଳରେ ସେ କହନ୍ତି । ନିର୍ବାଚନ ପୂର୍ବରୁ ସେମାନେ ଯେତେବେଳେ ଗାଁକୁ ଆସନ୍ତି, ସାଧାରଣତଃ ଗାଁ ଲୋକଙ୍କୁ ଟଙ୍କା ଦେଇଥାଆନ୍ତି । “ସେମାନେ (ରାଜନୈତିକ ଦଳ) ଆମକୁ ୧,୦୦୦ ଟଙ୍କା ଦିଅନ୍ତି, ପୁରୁଷମାନଙ୍କୁ ୫୦୦ ଏବଂ ଆମକୁ ୫୦୦,” ଶର୍ମିଲା କହନ୍ତି ।

ସରକାରୀ ଯୋଜନା ଓ ସୁବିଧାଠାରୁ ଅନେକ ଦୂରରେ ରହିଆସିଥିବା ଏହି ଦୁଇ ମହିଳାଙ୍କ ପାଇଁ ଏତିକି ଟଙ୍କା ବି କିଛିଟା ମାନେ ରଖେ । ୨୦୨୨ରେ ଲିଟାତିଙ୍କ ସ୍ୱାମୀଙ୍କର ଆକସ୍ମିକ ମୃତ୍ୟୁ ହୋଇଥିଲା ଏବଂ ପ୍ରାୟ ମାସେ କାଳ ରୋଗରେ ପଡ଼ିବା ପରେ ୨୦୨୩ରେ ଶର୍ମିଲାଙ୍କ ସ୍ୱାମୀ ପ୍ରାଣ ହରାଇଥିଲେ। ଏହି ଦୁଇ ଦୁଃଖୀ ମହିଳାଙ୍କ କହିବା ଅନୁସାରେ ସେମାନେ ଦୁହେଁ ଦୁହିଁଙ୍କୁ ଭରସା କରି କାମକୁ ବାହାରି ଯାଆନ୍ତି। ଏତିକି ଯାହା ଉଭୟଙ୍କ ପାଇଁ ଆଶ୍ୱାସନାର କଥା।

ସ୍ୱାମୀଙ୍କୁ ହରାଇବା ପରେ, ଉଭୟ ଲିଟାତି ଓ ଶର୍ମିଲା ସର୍ବଜନ ପେନ୍‌ସନ ଯୋଜନା ଅନ୍ତର୍ଗତ ବିଧବା ଭତ୍ତା ପାଇବାକୁ ଚେଷ୍ଟା କରିଥିଲେ । ଏହି ଯୋଜନା ଅନୁସାରେ, ୧୮ ବର୍ଷରୁ ଅଧିକ ଜଣେ ବିଧବାଙ୍କୁ ମାସିକ ୧,୦୦୦ ଟଙ୍କା ଭତ୍ତା ପାଇବାକୁ ଯୋଗ୍ୟ ବିବେଚିତ ହୁଅନ୍ତି । ହତାଶ ଲିଟାତି କହନ୍ତି, “ଆମେ ଅନେକଗୁଡ଼ିଏ ଫର୍ମ ପୂରଣ କଲୁ ଏବଂ ମୁଖିଆ (ଗାଁର ମୁଖ୍ୟ)ଙ୍କ ପାଖକୁ ବି ଗଲୁ, କିନ୍ତୁ କିଛି ପାଇଲୁ ନାହିଁ ।”

PHOTO • Ashwini Kumar Shukla
PHOTO • Courtesy: Sharmila Hembram

ବାମ: ଝାଡ଼ଖଣ୍ଡର କୁସୁମଡ଼ିହ ଗାଁରେ ଲିଟାତିଙ୍କ କଚ୍ଚା ଘର ସାମନା ଦତ୍ତି (ପିଣ୍ଢା)ରେ ବସିଛନ୍ତି ଲଖି ହସାରୁ (ବାମ) ଲିଟାତି ମୁର୍ମୁ (ମଝି) ଏବଂ ଶର୍ମିଲା ହେଂବ୍ରମ (ଡାହାଣ) । ସାନ୍ତାଳ ସଂପ୍ରଦାୟର ଲିଟାତି ଓ ଶର୍ମିଲା ଦୁହେଁ ଦିନ ମଜୁରିଆ । ଡାହାଣ: ୨୦୨୩ରେ ଶର୍ମିଲାଙ୍କ ସ୍ୱାମୀ ପ୍ରାଣ ହରାଇଲେ । ସର୍ବଜନ ପେନ୍‌ସନ ଯୋଜନାରେ ବିଧବା ଭତ୍ତା ପାଇବା ଲାଗି ସେ ଚେଷ୍ଟା କରିଥିଲେ, କିନ୍ତୁ ବିଫଳ ହୋଇଥିଲେ

କେବଳ ଭତ୍ତା ନୁହେଁ, ଆଦିବାସୀ ବହୁଳ ଏହି ଅଞ୍ଚଳର ବିଭିନ୍ନ ଆଦିବାସୀ ସଂପ୍ରଦାୟ (ମୋଟ ଜନସଂଖ୍ୟାର ୪୩  ପ୍ରତିଶତ) ପାଇଁ କେନ୍ଦ୍ର ସରକାରଙ୍କ ପିଏମ୍ଏୱାଇ (ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା) ଅନୁସାରେ ଘର ଖଣ୍ଡେ ପାଇବା ମଧ୍ୟ ସାତସପନ ହୋଇ ରହିଆସିଛି । ସେମାନଙ୍କ ମଧ୍ୟରୁ ଅଧିକାଂଶ ସାନ୍ତାଳ, ପାହାଡ଼ିଆ ଓ ମାହଲି ସଂପ୍ରଦାୟର (୨୦୧୧ ଜନଗଣନା)। “ପୂରା ଗାଁଟା ଯାକ ବୁଲି ଆସନ୍ତୁ ସାର୍‌, କେହି ଜଣେ ହେଲେ କଲୋନି ( ପିଏମ୍‌ଏୱାଇ ଯୋଜନାରେ ଘର) ପାଇଥିବା କଥା ଆପଣ ଦେଖିବେନି,” ତାଙ୍କ କଥାକୁ ପ୍ରମାଣିତ କରାଇବା ଉଦ୍ଦେଶ୍ୟରେ ଶର୍ମିଲା କହନ୍ତି ।

କୋଭିଡ-୧୯ ଲକ୍‌ଡାଉନ ପୂର୍ବରୁ, କୁସୁମଡ଼ିହ ଗାଁରୁ ପ୍ରାୟ ସାତ କିଲୋମିଟର ଦୂର ହିଜଲା ଗାଁର ନିରୁନି ମାରାଣ୍ଡି ଏବଂ ତାଙ୍କ ସ୍ୱାମୀ ରୁବିଲା ହାଂସଦା ସରକାରଙ୍କ ଉଜ୍ଜ୍ୱଳା ଯୋଜନାରେ ଗ୍ୟାସ୍‌ ସିଲିଣ୍ଡରଟିଏ ପାଇଥିଲେ । କିନ୍ତୁ, “୪୦୦ ଟଙ୍କାର ଗ୍ୟାସ୍‌ ସିଲିଣ୍ଡରର ଦାମ୍‌ ଏବେ ୧,୨୦୦ ଟଙ୍କା । ଆମେ ଏହାକୁ କେମିତି ଭରିବୁ?” ନିରୁନି ମାରାଣ୍ଡି ପଚାରନ୍ତି ।

ନଲ ଜଲ ଯୋଜନା ଓ ଆୟୁଷ୍ମାନ ଭାରତ ଯୋଜନା, ଏବଂ ମନରେଗା (ଏମଜିଏନ୍‌ଆର୍‌ଇଜିଏ) ଯୋଜନା ଅନ୍ତର୍ଗତ ନିଶ୍ଚିତ ରୋଜଗାର, ଜିଲ୍ଲା ସଦର ମହକୁମା ଦୁମକା ସହରଠାରୁ ମାତ୍ର ଦୁଇ କିଲୋମିଟର ଦୂରରେ ଅବସ୍ଥିତ ତାଙ୍କ ଗାଁରେ ଏ ପର୍ଯ୍ୟନ୍ତ ପହଞ୍ଚି ପାରିନାହିଁ । ଗାଁର  ଅନେକ ନଳକୂଅ ଶୁଖିଗଲାଣି । ହିଜଲା ଗାଁର ଜଣେ ବାସିନ୍ଦା ଏହି ରିପୋର୍ଟରଙ୍କୁ କହିଲେ ଯେ ପାଣି ପାଇଁ ତାଙ୍କ ପରିବାରକୁ ଏକ କିଲୋମିଟର ଦୂର ନଈ ପର୍ଯ୍ୟନ୍ତ ଚାଲି ଚାଲି ଯିବାକୁ ପଡୁଛି।

ଚାକିରି ବଜାର ଅବସ୍ଥା ବି ସେମିତି ଶୁଖିଲା ପଡ଼ିଛି । “(ନରେନ୍ଦ୍ର) ମୋଦି ୧୦ ବର୍ଷ ହେଲା କ୍ଷମତାରେ ଅଛନ୍ତି । ସେ (ପ୍ରଧାନ ମନ୍ତ୍ରୀ ଭାବରେ) କେତେ ଜଣ ଯୁବକଯୁବତୀଙ୍କୁ ଚାକିରି ଦେଇଛନ୍ତି? ଅନେକ ସରକାରୀ ପଦବି ଖାଲି ପଡ଼ିଛି,” ଦିନ ମଜୁରିଆ ରୁବିଲା କହନ୍ତି । ଉତ୍କଟ ମରୁଡ଼ି ଯୋଗୁଁ ସେମାନଙ୍କର ଦୁଇ ଏକର ଚାଷଜମିରେ ତିନି ବର୍ଷ ହେଲା ଚାଷକାମ ହୋଇନାହିଁ । ଏହି ଜମିରେ ସେମାନେ ଧାନ, ଗହମ ଓ ମକା ଚାଷ କରିଆସୁଥିଲେ । “ଆଗରୁ ଆମେ କିଲୋ ପିଛା ୧୦-୧୫ ଟଙ୍କାରେ ଚାଉଳ କିଣୁଥିଲୁ, ଏବେ ଏହା କିଲୋ ପ୍ରତି ୪୦ ଟଙ୍କା,” ରୁବିଲା କହନ୍ତି ।

ବହୁ ବର୍ଷ ଧରି ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମ୍‌ଏମ୍‌)ର ଜଣେ ପୋଲିଂ ଏଜେଣ୍ଟ ରୂପେ କାମ କରିଛନ୍ତି ରୁବିଲା । ଭୋଟଗ୍ରହଣ ସମୟରେ ଅନେକ ଥର ଇଲେକ୍‌ଟ୍ରୋନିକ୍‌ ଭୋଟିଂ ମେସିନ୍‌ (ଇଭିଏମ୍‌) ଅଚଳ ହୋଇପଡ଼ିଥିବା ସେ ଦେଖିଛନ୍ତି । “ବେଳେବେଳେ ମେସିନ ବନ୍ଦ ହୋଇଯାଏ । ଯଦି ୧୦-୧୧ଟି ଭୋଟ ଦିଆଯାଏ, ତେବେ ଏହା ଠିକ୍‌ କାମ କରେ । କିନ୍ତୁ ବାର ନମ୍ବର ଭୋଟ ବେଳକୁ ଏହା ଭୁଲ କାଗଜ ଛାପି ପାରେ,” ରୁବିଲା କହନ୍ତି । ଏହାକୁ ସୁଧାରିବା ଲାଗି ସେ ଗୋଟିଏ ପ୍ରସ୍ତାବ ଦିଅନ୍ତି । “ଏମିତି ବ୍ୟବସ୍ଥା ହେବା ଉଚିତ ଯେ, ବଟନ୍‌ ଟିପିବେ, କାଗଜ ବାହାରିବ, ଠିକ୍‌ ଭୋଟ ଦିଆଯାଇଛି ବୋଲି ନିଶ୍ଚିତ କରିବା ପରେ ଏହାକୁ ଏକ ବାକ୍‌ସରେ ରଖାଯିବ, ଠିକ୍‌ ଯେମିତି ଆଗରୁ କରାଯାଉଥିଲା,” ସେ କହନ୍ତି ।

PHOTO • Ashwini Kumar Shukla
PHOTO • Ashwini Kumar Shukla

ବାମ: କୁସୁମଡ଼ିହ ଗାଁର ଅନେକ ହ୍ୟାଣ୍ଡ ପମ୍ପ ଶୁଖି ଯାଇଛି । ସଚଳ ପମ୍ପ ଭିତରୁ ଏହା ଗୋଟିଏ ଏବଂ ଏଥିରୁ ଶର୍ମିଲା ଓ ଲିଟାତି ପାଣି ନିଅନ୍ତି । ଡାହାଣ: ଲୋକଙ୍କୁ ଭୋଟ ଦେବା ପାଇଁ ଉତ୍ସାହିତ କରିବା ଲାଗି ଦୁମକା ସହରରେ ଲାଗିଥିବା ଭାରତର ନିର୍ବାଚନ କମିଶନଙ୍କର ଏକ ପୋଷ୍ଟର

PHOTO • Ashwini Kumar Shukla
PHOTO • Ashwini Kumar Shukla

ବାମ: ହିଜଲା ଗାଁ ବାସିନ୍ଦା ରୁବିଲା ହାଂସଦା କହନ୍ତି, ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ନେତା ହେମନ୍ତ ସୋରେନଙ୍କୁ ଗିରଫ କରାଯିବା ପରେ ଗାଁ ଲୋକଙ୍କ ମନରେ ରାଗ ରହିଛି । ‘ଏଇଟା ରାଜନୀତି, ଏବଂ ଆଦିବାସୀ ସଂପ୍ରଦାୟ ଏହାକୁ ଭଲ ଭାବେ ବୁଝିଛନ୍ତି ।‘ ଡାହାଣ: କୋଭିଡ-୧୯ ଲକ୍‌ଡାଉନ ପୂର୍ବରୁ ଉଜ୍ଜ୍ୱଳା ଯୋଜନାରେ ଏହି ପରିବାରକୁ ଗ୍ୟାସ୍‌ ସିଲିଣ୍ଡରଟିଏ ମିଳିଥିଲା, କିନ୍ତୁ ‘୪୦୦ ଟଙ୍କିଆ ଗ୍ୟାସ୍‌ ସିଲିଣ୍ଡରର ଦର ଏବେ ୧,୨୦୦ ଟଙ୍କା । ଆମେ ଏହାକୁ କେମିତି ଭରିବୁ?’ ରୁବିଲାଙ୍କ ସ୍ତ୍ରୀ ନିରୁନି ମାରାଣ୍ଡି କହନ୍ତି

ଏଠାକାର ଲୋକସଭା ଆସନ ଅନୁସୂଚିତ ଜନଜାତି ବର୍ଗର ବ୍ୟକ୍ତିଙ୍କ ପାଇଁ ସଂରକ୍ଷିତ । ୨୦୧୯ରେ ବିଜେପି (ଭାରତୀୟ ଜନତା ପାର୍ଟି)ର ସୁନୀଲ ସୋରେନଙ୍କଠାରୁ ପରାସ୍ତ ନ ହେବା ପର୍ଯ୍ୟନ୍ତ ଜେଏମ୍‌ଏମ୍‌ ପ୍ରତିଷ୍ଠାତା ଶିବୁ ସୋରେନ୍‌ ଝାଡ଼ଖଣ୍ଡର ଦୁମକା ଆସନରୁ ଆଠ ଥର ନିର୍ବାଚିତ ହୋଇଥିଲେ ।  ଦୁଇ ମାସ ତଳେ ଜେଏମ୍‌ଏମ୍‌ ଛାଡ଼ି ବିଜେପିରେ ଯୋଗ ଦେଇଥିବା ଶିବୁ ସୋରେନଙ୍କ ବୋହୂ ସୀତା ସୋରେନ ଏବେ ଜେଏମ୍‌ଏମ୍‌ର ନଲିନ ସୋରେନ୍‌ଙ୍କ ବିପକ୍ଷରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି । ଜେଏମ୍‌ଏମ୍‌ ‘ଇଣ୍ଡିଆ’ ମେଣ୍ଟର ଅଂଶବିଶେଷ ।

୨୦୨୪ ଜାନୁଆରୀ ୩୧ ତାରିଖ ଦିନ ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଗିରଫ କରାଯିବା ପରେ ଏ ଅଞ୍ଚଳରେ ଅସନ୍ତୋଷ ବଢ଼ିବାରେ ଲାଗିଛି । ଜମି ଦୁର୍ନୀତି ମାମଲା ସହ ସଂଯୁକ୍ତ ଅର୍ଥ ହେରଫେର ଅଭିଯୋଗରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତାଙ୍କୁ ଗିରଫ କରିଥିଲା । ପରବର୍ତ୍ତୀ ସମୟରେ ସେ ତାଙ୍କ ପଦବୀରୁ ଇସ୍ତଫା ଦେଇଥିଲେ ।

“ଏଥର ଆମ ଗାଁରୁ ଗୋଟିଏ ହେଲେ ଭୋଟ ବିଜେପିକୁ ମିଳିବ ନାହିଁ,” ରୁବିଲା କହନ୍ତି । “ ଆଜ୍‌ ଆପ୍‌କା ସରକାର ହୈ ତୋ ଆପ୍‌ନେ ଗିରଫ୍‌ତାର କର ଲିୟା । ୟେ ପଲିଟିକ୍‌ସ ହୈ ଔର ଆଦିବାସୀ ଆଚ୍ଛା ସେ ସମଝତା ହୈ (ଆଜି ଆପଣଙ୍କ ସରକାର କ୍ଷମତାରେ ଅଛି ବୋଲି ଆପଣ ତାଙ୍କୁ ଗିରଫ କରି ନଲେ,ଏଇଟା ରାଜନୀତି ଏବଂ ଆଦିବାସୀ ସଂପ୍ରଦାୟ ଏହାକୁ ଭଲ ଭାବରେ ବୁଝିଛନ୍ତି) ।”

*****

ବୟସର ତିରିଶ ଦଶକରେ ପହଞ୍ଚିଥିବା ଲିଟାତି ଓ ଶର୍ମିଲା ଉଭୟ ସାନ୍ତାଳ ଆଦିବାସୀ ସଂପ୍ରଦାୟର ଏବଂ ସେମାନଙ୍କର ନିଜର କୌଣସି ଜମିଜମା ନାହିଁ । ଫସଲ ଋତୁରେ ଦୁହେଁ ଅଧିୟା (ଭାଗ ଚାଷୀ) ଭାବେ କାମ କରନ୍ତି ଏବଂ ଅମଳର ୫୦ ପ୍ରତିଶତ ପାଆନ୍ତି । ହେଲେ ଗତ ତିନି ବର୍ଷ ହେଲା, ଶର୍ମିଲା କହନ୍ତି, “ ଏକୋ ଦାନା ଖେତି ନହିଁ ହୁଆ ହୈ ( ଗୋଟିଏ ଦାନା ବି ଚାଷ ହୋଇନାହିଁ) ।” ସେ ପାଞ୍ଚଟି ବତକ ପାଳିଛନ୍ତି ଏବଂ ତାଙ୍କ ଗାଁରୁ ପାଞ୍ଚ କିଲୋମିଟର ଦୂର ଦଶୋରାୟଡ଼ିହରେ ବସୁଥିବା ସାପ୍ତାହିକ ହାଟରେ ବତକ ଅଣ୍ଡା ବିକି ଯାହା କିଛି ରୋଜଗାର କରନ୍ତି ।

ବର୍ଷର ବାକି ସମୟରେ, ସେମାନେ ସାଧାରଣତଃ ଗାଁରୁ ପ୍ରାୟ ଚାରି କିଲୋମିଟର ଦୂର ଦୁମକା ସହରର କୋଠାବାଡ଼ି ନିର୍ମାଣ ସ୍ଥଳୀରେ କାମ କରନ୍ତି । ଗାଁରୁ ଦୁମକା ଯା’ଆସ କରିବା ଲାଗି ଟୋଟୋ (ଇଲେକ୍‌ଟ୍ରିକ୍‌ ରିକ୍‌ସା)ରେ ୨୦ ଟଙ୍କା ଭଡ଼ା ଦିଅନ୍ତି । “ଆମେ ଦିନକୁ ୩୫୦ ଟଙ୍କା ରୋଜଗାର କରୁ,” ଶର୍ମିଲା ଏହି ରିପୋର୍ଟରଙ୍କୁ କହନ୍ତି । “ସବୁ କିଛି ମହଙ୍ଗା ହୋଇଗଲାଣି । ଆମକୁ କୌଣସି ପ୍ରକାରେ ଚଳେଇ ନେବାକୁ ପଡ଼ିବ ।”

ତାଙ୍କ କଥାରେ ସମ୍ମତ ହୁଅନ୍ତି ଲିଟାତି, “ଆମେ ଅଳ୍ପ ରୋଜଗାର କରୁ, ଅଳ୍ପ ଖାଉ,” ଦୁଇ ହାତ ଉଠାଇ ସେ କହନ୍ତି । “କାମ ନ ଥିଲେ ଆମକୁ ମାଢ଼-ଭାତ (ଭାତ ଓ ଜାଉ) ଖାଇବାକୁ ପଡ଼େ ।” ଯାହା ହେଲେ ବି ସେମାନଙ୍କ ପାଇଁ ଟୋଲା ରେ କାମ ନଥାଏ ବୋଲି ଦୁଇ ମହିଳା କହନ୍ତି ।

PHOTO • Ashwini Kumar Shukla
PHOTO • Ashwini Kumar Shukla

ବାମ: ଗାଁରେ କୌଣସି କାମ ମିଳୁ ନଥିବାରୁ ଏବଂ ଦେଖାରଖାର ଆବଶ୍ୟକତା ଥିବା ପରିବାର ନଥିବାରୁ ଲିଟାତି (ବସିଛନ୍ତି) ଏବଂ ଶର୍ମିଲା (ସବୁଜ ବ୍ଲାଉଜରେ) କାମ ଖୋଜିବାକୁ ଦୁମକା ସହରକୁ ଯାଆନ୍ତି । ‘ଆମକୁ ଯେଉଁ କାମ ମିଳିଲେ ବି ଆମେ କରୁ,’ ୨୦୨୨ରେ ସ୍ୱାମୀଙ୍କୁ ହରାଇଥିବା ଲିଟାତି କହନ୍ତି । ଡାହାଣ: ଦୁମକା ଜିଲ୍ଲାର କୁସୁମଡ଼ିହ ଗାଁ ଅନ୍ତର୍ଗତ ବୁରୁତୋଲା ପଲ୍ଲୀରେ ଲିଟାତି ଏବଂ ଶର୍ମିଳା ରହନ୍ତି । ଦୁମକାର ତେୟାଳିଶ ପ୍ରତିଶତ ଲୋକ ଆଦିବାସୀ ସଂପ୍ରଦାୟର ଏବଂ ଏହି ଲୋକସଭା ଆସନ ଅଧିସୂଚିତ ଜନଜାତିର ପ୍ରାର୍ଥୀଙ୍କ ପାଇଁ ସଂରକ୍ଷିତ

ଦୁମକା ଜିଲ୍ଲାରେ ବସବାସ କରୁଥିବା ଅଧିକାଂଶ ଆଦିବାସୀଙ୍କ ଜୀବିକା ଚାଷ ଏବଂ ଚାଷବାସ ସଂପର୍କିତ କାମ, କିମ୍ବା ସରକାରୀ ଯୋଜନା ଉପରେ ନିର୍ଭର କରେ । ଏଠାକାର ଯେଉଁ ଗୋଟିଏ ସରକାରୀ ଯୋଜନାର ସୁଫଳ ସବୁ ପରିବାରକୁ ମିଳେ, ତାହା ହେଲା ସାଧାରଣ ବଣ୍ଟନ ବ୍ୟବସ୍ଥା ଜରିଆରେ ମାସକୁ ପାଞ୍ଚ କିଲୋ ଖାଉଟି ସାମଗ୍ରୀ ।

ଏହି ମହିଳାମାନଙ୍କ ନାଁରେ ଶ୍ରମ କାର୍ଡ ନାହିଁ । “ଗତ ବର୍ଷ କିଛି ଲୋକ କାର୍ଡ (ଶ୍ରମ କାର୍ଡ) କରିବାକୁ ଆସିଥିଲେ । କିନ୍ତୁ ଆମେ ଘରେ ନଥିଲୁ ଏବଂ କାମକୁ ଯାଇଥିଲୁ । ତା’ପରେ ଆଉ କେହି ଆସିଲେ ନାହିଁ,” ଶର୍ମିଲା କହନ୍ତି । ବିନା କାର୍ଡରେ ସେମାନେ ମହାତ୍ମା ଗାନ୍ଧି ଜାତୀୟ ଗ୍ରାମୀଣ ନିଶ୍ଚିତ ରୋଜଗାର ଯୋଜନା (ଏମଏନଆର୍‌ଇଜିଏ)ର କର୍ମସ୍ଥଳୀରେ କାମ କରିପାରିବେ ନାହିଁ ।

“ଆମକୁ ଯେଉଁ କାମ ମିଳିଲେ ବି ଆମେ କରୁ,” ଲିଟାତି କହନ୍ତି । ସେ ଆହୁରି କହନ୍ତି, “ଜ୍ୟାଦା ଢୋନେ କା କାମ ମିଲତା ହୈ, କହିଁ ଘର ବନ ରହା ହୈ ତୋ ଇଟା ଢୋ ଦିୟେ, ବାଲୁ ଢୋ ଦିୟେ (ଆମକୁ ପ୍ରାୟ ଜିନିଷପତ୍ର ବୁହାବୁହି କାମ ମିଳିଥାଏ; ଯଦି କେଉଁଠି ଘର ତିଆରି ହେଉଛି ତ ଆମେ ଇଟା ଓ ବାଲି ବୋହି ନେଉ) ।”

ହେଲେ ଏଥିରେ କିଛି ନିଶ୍ଚିତତା ନାହିଁ ବୋଲି ଶର୍ମିଲା କହନ୍ତି । “କେଉଁ ଦିନ ତୁମକୁ କାମ ମିଳେ, ଆଉ କେବେ ମିଳେ ନାହିଁ । ବେଳେବେଳେ ସପ୍ତାହକୁ ଦୁଇ କି ତିନି ଦିନ ଧରି ବି ତୁମକୁ କାମ ମିଳେ ନାହିଁ ।” ଶେଷ ଥର ପାଇଁ ସେ ଚାରି ଦିନ ତଳେ କାମ କରିଥିଲେ । ଲିଟାତିଙ୍କ ଭଳି ଶର୍ମିଲା ମଧ୍ୟ ତାଙ୍କ ପରିବାରର ଏକମାତ୍ର ରୋଜଗାରିଆ ସଦସ୍ୟା ଏବଂ ଘରେ ତାଙ୍କ ସହିତ ତାଙ୍କ ଶାଶୁଘର ଲୋକେ ଓ ତିନିଟି ପିଲା ରହନ୍ତି ।

ଭୋରରୁ ଉଠି ସେମାନଙ୍କ ଟୋଲାରେ କାମ କରୁଥିବା ଏକମାତ୍ର ହ୍ୟାଣ୍ଡ ପମ୍ପରୁ ପାଣି ଆଣିବା ପାଖରୁ ଏହି ମହିଳାମାନଙ୍କର ଦିନଯାକର କାମ ଆରମ୍ଭ ହୁଏ । ଏହି ହ୍ୟାଣ୍ଡ ପମ୍ପ ପାଣି ଉପରେ ୫୦ଟି ପରିବାର ନିର୍ଭର କରନ୍ତି । ପାଣି ଆଣିବା ପରେ ସେମାନେ ରୋଷେଇବାସ ଓ ଅନ୍ୟାନ୍ୟ ଘରକାମ ସାରି ନିଜ ନିଜର କୋଦାଳ ଏବଂ ପ୍ଲାଷ୍ଟିକ ଝୁଡ଼ି ଧରି କାମ ଖୋଜିବାକୁ ବାହାରନ୍ତି । ସାଙ୍ଗରେ ସେମାନେ ନେଥୋ  ନେଇ ଯାଆନ୍ତି । ନେଥୋ  ହେଉଛି ଖାଲି ସିମେଣ୍ଟ ବସ୍ତାରୁ ତିଆରି ଠେକା, ଯାହାକୁ ମୁଣ୍ଡ ଉପରେ ରଖି ତାହା ଉପରେ ସେମାନେ ଓଜନିଆ ଜିନିଷ ରଖନ୍ତି ।

PHOTO • Ashwini Kumar Shukla
PHOTO • Ashwini Kumar Shukla

ବାମ: ଶର୍ମିଲା ଓ ଲିଟାତି କାମକୁ ଗଲା ପରେ ସେମାନଙ୍କ ପିଲାମାନଙ୍କର ଦେଖାରଖା କରନ୍ତି ସେମାନଙ୍କ ଜେଜେବାପା ଓ ଜେଜେମାଆ । ଡାହାଣ: ପିଲାମାନେ ଶର୍ମିଲାଙ୍କ ଘର ଭିତରେ ଖେଳୁଛନ୍ତି

ଏହି ମହିଳାମାନେ କାମ କରିବା ଲାଗି ଦୁମକାକୁ ଯିବା ପରେ ସେମାନଙ୍କ ପିଲାମାନଙ୍କର କଥା ବୁଝନ୍ତି ସେମାନଙ୍କ ସହିତ ରହୁଥିବା ପିଲାମାନଙ୍କର ଜେଜେବାପା ଓ ଜେଜେମାଆମାନେ ।

“ଯଦି କାମ ନଥାଏ, ତେବେ ଘରେ କିଛି ନଥାଏ । ଯେଉଁ ଦିନ ଆମେ କିଛି ରୋଜଗାର କରୁ, ସେହି ଦିନଗୁଡ଼ିକରେ ହିଁ କିଛି ପରିବାପତ୍ର କିଣିଥାଉ,” ତିନିଟି ପିଲାଙ୍କ ମାଆ ଲିଟାତି କହନ୍ତି । ମେ ମାସ ପ୍ରଥମ ସପ୍ତାହରେ ସେ ପରିବା କିଣିବାକୁ ବଜାର ଯାଇଥିବା ବେଳେ ଆଳୁ ଦର କିଲୋ ପିଛା ୩୦ ଟଙ୍କା ଥିଲା । “ ଦାମ୍‌ ଦେଖ କର ମାଥା ଖରାବ ହୋ ଗୟା (ଦର ଦେଖି ମୁଣ୍ଡ ଘୂରି ଗଲା),” ଶର୍ମିଲାଙ୍କ ଆଡ଼କୁ ମୁହଁ ବୁଲାଇ ସେ କହନ୍ତି ।

“ଆମକୁ ଝାଡୁ-ପୋଛା (ଘରେ ଝାଡୁ ମାରିବା ଏବଂ ପୋଛିବା) ଭଳି କିଛି କାମ ଦିଅନ୍ତୁ,” ‘ପରୀ’ର ଏହି ରିପୋର୍ଟରଙ୍କୁ ଲିଟାତି କହନ୍ତି, “ତା’ହେଲେ ଆମକୁ ଆଉ ସବୁଦିନ ଏଣେତେଣେ ଘୂରି ବୁଲିବାକୁ ପଡ଼ିବନି, ଆମେ ଗୋଟିଏ ଜାଗାରେ କାମ କରିବୁ ।” ସେ ଆହୁରି କହନ୍ତି ଯେ ତାଙ୍କ ଗାଁର ଅଧିକାଂଶ ଲୋକ ଏମିତି ଅବସ୍ଥାରେ ଅଛନ୍ତି । ଅଳ୍ପ କେତେ ଜଣ ସରକାରୀ ଚାକିରି କରୁଛନ୍ତି।

ତାଙ୍କ କଥାରେ ସମ୍ମତ ହୁଅନ୍ତି ଶର୍ମିଲା: ନେତା ଲୋଗ ଭୋଟ୍‌ କେ ଲିୟେ ଆତା ହୈ, ଔର ଚଲା ଜାତା ହୈ, ହମ୍‌ଲୋଗ ୱୈସି ଯସ୍‌ କା ତସ୍‌ (ନେତାମାନେ ଭୋଟ ପାଇଁ ଆସନ୍ତି ଏବଂ ଚାଲି ଯାଆନ୍ତି; ଆମ ଅବସ୍ଥା ଯେମିତିକୁ ସେମିତି.)”...

ଅନୁବାଦ: ଓଡ଼ିଶାଲାଇଭ୍‍

Ashwini Kumar Shukla

Ashwini Kumar Shukla is a freelance journalist based in Jharkhand and a graduate of the Indian Institute of Mass Communication (2018-2019), New Delhi. He is a PARI-MMF fellow for 2023.

Other stories by Ashwini Kumar Shukla
Editor : Sarbajaya Bhattacharya

Sarbajaya Bhattacharya is a Senior Assistant Editor at PARI. She is an experienced Bangla translator. Based in Kolkata, she is interested in the history of the city and travel literature.

Other stories by Sarbajaya Bhattacharya
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Other stories by OdishaLIVE