“ପୂର୍ବରୁ ପାଟନାରେ ସପ୍ତାହବ୍ୟାପୀ ତିଲଙ୍ଗି (ଗୁଡ଼ି) ପ୍ରତିଯୋଗିତା ଆୟୋଜିତ ହେଉଥିଲା। ଲକ୍ଷ୍ମୌ, ଦିଲ୍ଲୀ ଓ ହାଇଦ୍ରାବାଦର ଗୁଡ଼ି ଉଡ଼ାଳିମାନଙ୍କୁ ନିମନ୍ତ୍ରଣ କରାଯାଉଥିଲା। ଏହାକୁ ଏକ ପର୍ବ ଭଳି ପାଳନ କରାଯାଉଥିଲା,” ଫୈଜାନ ରଜା କହନ୍ତି। ଗଙ୍ଗା ନଦୀ କଡ଼େ କଡ଼େ ଚାଲି ଚାଲି ଯିବା ବାଟରେ ସେ କହୁଥାଆନ୍ତି ଏବଂ ନଈର ପାଣିରେ ପ୍ରତିଫଳିତ ହେଉଥାଏ ସେହି ଖୋଲା ଆକାଶ, ଯେଉଁଥିରେ କି, ତାଙ୍କ କହିବା ଅନୁସାରେ, ଦିନେ ଏକକାଳୀନ ହଜାର ହଜାର ଗୁଡ଼ି ଉଡୁଥିଲେ।

ପାଟନାରେ ପ୍ରବାହିତ ଏହି ନଦୀକୂଳରେ ଅବସ୍ଥିତ ଦୁଲିଘାଟର ଜଣେ ପୁରୁଣା ବାସିନ୍ଦା ରଜା କହନ୍ତି ଯେ, ସମ୍ଭ୍ରାନ୍ତ ବର୍ଗର ଲୋକଙ୍କଠାରୁ ଆରମ୍ଭ କରି ତୱାଇଫ ଙ୍କ ପର୍ଯ୍ୟନ୍ତ, ସମାଜର ସବୁ ବର୍ଗର ଲୋକେ ଏହି କ୍ରୀଡ଼ାର ପୃଷ୍ଠପୋଷକତା କରୁଥିଲେ। ଆପେ ଆପେ ତାଙ୍କ ମୁହଁରୁ ବାହାରି ଆସେ କେତେକ ନାଁ- “ବିସ୍‌ମିଲା ଜାନ୍‌ ( ତୱାଇଫ ) ଆର୍ଥିକ ସହାୟତା ପ୍ରଦାନ କରୁଥିଲେ, ଏବଂ ମୀର ଅଲି ଜମିନ ଓ ମିର କିଫାୟତ ଅଲିଙ୍କ ଭଳି କେତେଜଣ ପତଙ୍ଗ-ସାଜି (ଗୁଡ଼ି ତିଆରି କରିବା) ଏବଂ ପତଙ୍ଗ-ବାଜି (ଗୁଡ଼ିଉଡ଼ା ପ୍ରତିଯୋଗିତା)ର ଉସ୍ତାଦ (ପ୍ରବୀଣ) ଥିଲେ।

ଏହି କ୍ରୀଡ଼ାର ସ୍ଥିତି ଏଭଳି ଥିଲା ଯେ, ପାଟନାର ଅଶୋକ ରାଜପଥରେ ଅବସ୍ଥିତ ଗୁଡ଼ହତା ଓ ଖ୍ୱାଜାକଲାନ ମଧ୍ୟବର୍ତ୍ତୀ ରାସ୍ତାଟି (ପ୍ରାୟ ୭୦୦-୮୦୦ ମିଟର ) କେବଳ ଗୁଡ଼ି ବ୍ୟବସାୟୀ, ସେମାନଙ୍କ ଦୋକାନ ବାହାରେ ଗ୍ରାହକଙ୍କୁ ଆକର୍ଷିତ କରିବା ପାଇଁ ଫରଫର ହୋଇ ଉଡୁଥିବା ରଙ୍ଗିନ ଗୁଡ଼ି ଓ ଅନ୍ୟାନ୍ୟ ସାମଗ୍ରୀରେ ଭରି ଯାଉଥିଲା। ରଜା ଆହୁରି କହନ୍ତି, “ସାଧାରଣତଃ ଗୁଡ଼ି ଉଡ଼ାଇବା ଲାଗି ବ୍ୟବହୃତ ସୂତା ତୁଳନାରେ ପାଟନାର ସୂତା କିଛିଟା ମୋଟା ଥିଲା ଏବଂ କପାସୂତା ଓ ରେଶମ ମିଶି କରି ରହିଥିବା ଏହି ସୂତା ନଖ ନାଁରେ ପରିଚିତ ଥିଲା’’।

୧୮୬୮ ମସିହାରେ ପ୍ରକାଶିତ ବଲ୍ଲୁଙ୍କ ମାସିକ ପତ୍ରିକା ର ଗୋଟିଏ ସଂଖ୍ୟାରେ ଗୁଡ଼ି ପାଇଁ ପାଟନାର ପ୍ରସିଦ୍ଧି ରହିଥିବା କଥା ଉଲ୍ଲେଖ କରାଯାଇଛି। “ଯଦି କେହି ତୁରନ୍ତ ନିଜ ଭାଗ୍ୟ ବଦଳାଇବାକୁ ଇଚ୍ଛୁକ, ତେବେ ସେ ଏଠାକୁ ଆସି ପାଟନାଗୁଡ଼ିକୁ ଆପଣେଇ ନେବା ଉଚିତ। ବଜାରରେ ପ୍ରତି ଦଶଟି ଦୋକାନରେ ଗୋଟିଏ ଗୁଡ଼ି ଦୋକାନ ଏବଂ ଆପଣଙ୍କୁ ଲାଗିବ ସତେ ଯେମିତି ଏଠାକାର ସବୁ ଲୋକ ଗୁଡ଼ି ଉଡ଼ାନ୍ତି। ଏଠାକାର ଗୁଡ଼ି ହୀରା ଆକାରର, ପକ୍ଷୀର ପର ଭଳି ହାଲୁକା ଏବଂ ଲାଞ୍ଜ ନଥାଏ ଏବଂ ସବୁଠାରୁ ହାଲୁକା ରେଶମ ସୂତାରେ ବି ପବନରେ ଉଡ଼ିପାରେ।”

ଶତାଧିକ ବର୍ଷ ପରେ ଅନେକ କିଛି ବଦଳି ଯାଇଛି, କିନ୍ତୁ ପାଟନାର ତିଲଙ୍ଗି ଏହାର ଅସାଧାରଣ ବିଶେଷତାକୁ ବଜାୟ ରଖିଛି- ସେଗୁଡ଼ିକ ଲାଞ୍ଜ ବିହୀନ ଗୁଡ଼ି। “ ଦୁମ୍‌ ତୋ କୁତ୍ତେ କା ନା ହୋତା ହୈ ଜୀ , ତିଲଙ୍ଗି କା ଥୋଡ଼େ (ଲାଞ୍ଜ ତ କୁକୁରର ଥାଏ, ଗୁଡ଼ିରେ କାହିଁକି ରହିବ),” ହସି ହସି କହନ୍ତି ଗୁଡ଼ି କାରିଗର ଶାବିନା। ତାଙ୍କ ବୟସ ଏବେ ସତୁରୀରୁ ଅଧିକ ଏବଂ ଦିନକୁ ଦିନ ଆଖି ଦୁର୍ବଳ ହୋଇଯିବା କାରଣରୁ ସେ କିଛି ଦିନ ହେଲା ତିଲଙ୍ଗି ତିଆରି ବନ୍ଦ କରିଦେଇଛନ୍ତି।

PHOTO • Ali Fraz Rezvi
PHOTO • Courtesy: Ballou’s Monthly Magazine

ବାମ: ଗୁଡ଼ିର ବିଭିନ୍ନ ଅଂଶ ଦର୍ଶାଯାଇଥିବା ଚିତ୍ର। ଡାହାଣ: ୧୮୬୮ରେ ପ୍ରକାଶିତ ବଲ୍ଲୁଙ୍କ ମାସିକ ପତ୍ରିକାର ଉଦ୍ଧୃତାଂଶ

PHOTO • Ali Fraz Rezvi

ଏକଦା ଗୁଡ଼ି ବ୍ୟବସାୟୀ ଏବଂ ସେମାନଙ୍କ ଦୋକାନ ବାହାରେ ଫରଫର ହୋଉ ଉଡୁଥିବା ଗୁଡ଼ି ଓ ଅନ୍ୟାନ୍ୟ ରଙ୍ଗିନ ସାମଗ୍ରୀରେ ଭରି ଯାଉଥିଲା ପାଟନାର ଅଶୋକ ରାଜପଥ ଅଞ୍ଚଳ

ଏବେ ବି ପାଟନା ଗୁଡ଼ି ପ୍ରସ୍ତୁତି ଓ ଯୋଗାଣର କେନ୍ଦ୍ରସ୍ଥଳ ରୂପେ ରହିଛି। ଏଠାରେ ତିଆରି ହେଉଥିବା ଗୁଡ଼ି ଓ ସମ୍ବନ୍ଧିତ ଅନ୍ୟାନ୍ୟ ସାମଗ୍ରୀ ସମଗ୍ର ବିହାର ସହିତ ପଡ଼ୋଶୀ ରାଜ୍ୟଗୁଡ଼ିକୁ ମଧ୍ୟ ଚାଲାଣ କରାଯାଉଛି। ଏବେ ବି ସିଲିଗୁଡ଼ି, କୋଲକାତା, ମାଲଦା, ରାଞ୍ଚି, ହଜାରିବାଗ, ଜୌନପୁର, କାଠମାଣ୍ଡୁ, ଉନ୍ନାଓ, ଝାନ୍‌ସୀ, ଭୋପାଳ ଏମିତି କି ପୁଣେ ଓ ନାଗପୁର ଯାଏ ଯାତ୍ରା କରୁଛନ୍ତି ଉଭୟ ପରେଟି ଏବଂ ତିଲଙ୍ଗି

*****

ତିଲଙ୍ଗି ବନାନେ କେ ଲିୟେ ଭି ଟାଇମ ଚାହିୟେ ଔର ଉଡ଼ାନେ କେ ଲିୟେ ଭି (ଗୁଡ଼ି ତିଆରି କରିବା ଏବଂ ଉଡ଼ାଇବା ଲାଗି ସମୟ ଥିବା ଦରକାର),” ତାଙ୍କ ବାପାଙ୍କ କଥାକୁ ଦୋହରାଇବାକୁ ଯାଇ କହନ୍ତି ଅଶୋକ ଶର୍ମା। “ଏ ସହରରେ ଆଜି ସମୟ ହିଁ ସବୁଠାରୁ ବିରଳ ଜିନିଷ।”

ତିଲଙ୍ଗି (ଗୁଡ଼ି) ତିଆରି ଏବଂ ବିକ୍ରି କରୁଥିବା ତାଙ୍କ ପରିବାରର ତୃତୀୟ ପିଢ଼ିର ସଦସ୍ୟ ଶର୍ମା। ପାଟନା ନଗରୀର କେନ୍ଦ୍ରରେ ରହିଛି ତାଙ୍କର ଶତାବ୍ଦୀ ପୁରୁଣା ଗୁଡ଼ି ଦୋକାନ। ମାଟି କାନ୍ଥ ଓ ଖପର ଛାତର ଏହି ଦୋକାନଟି ଅଶୋକ ରାଜପଥରେ ଥିବା ବିହାରର ସର୍ବପୁରାତନ ଚର୍ଚ୍ଚ ପାଦ୍ରୀ କି ହାବେଲି ଠାରୁ ୧୦୦ ମିଟର ଦୂରରେ ରହିଛି। ପରେଟି (ଗୁଡ଼ିରେ ଲାଗିଥିବା ସୂତା ଗୁଡ଼ା ହୋଇ ରହୁଥିବା ବାଉଁଶର ନଟେଇ) ତିଆରି କରୁଥିବା ଅଳ୍ପ କେଇ ଜଣ କାରିଗରଙ୍କ ମଧ୍ୟରୁ ସେ ଜଣେ। ଆଜିକାଲି ଚୀନ୍‌ରେ ଏବଂ କାରଖାନାରେ ତିଆରି ହେଉଥିବା ମା ଞ୍ଜା ବା ନଖ କୁହାଯାଉଥିବା ଗୁଡ଼ିର ସୂତା ପୂର୍ବ ସମୟ ତୁଳନାରେ ସରୁ ଓ ହାଲୁକା।

ତୀବ୍ର ବେଗରେ ଚାଲୁଥାଏ ଆମ ଆଗରେ ବସିଥିବା ଶର୍ମାଜୀଙ୍କ ହାତ। ଗୋଟିଏ ଗାଁରୁ ବରାଦ ମିଳିଥିବା ୧୫୦ଟି ପରେଟି ତିଆରି କରି ଘଣ୍ଟାକ ଭିତରେ ପହଞ୍ଚାଇବାକୁ ଲାଗି ପଡ଼ିଥାଆନ୍ତି ସେ।

ଟାଣ କାଠକୁ ବଙ୍କା କରି ବାନ୍ଧି ପରେଟି ତିଆରି କରିବାର କୌଶଳ ଗୁଡ଼ି ତିଆରିଠାରୁ ଭିନ୍ନ ଏବଂ ଏହାକୁ ମାତ୍ର କେଇ ଜଣ କାରିଗର ହିଁ କରିପାରନ୍ତି। ତାଙ୍କର ଏହି କାରିଗରୀ କୌଶଳ ଲାଗି ଶର୍ମା ସୁପରିଚିତ। ଅନ୍ୟ କେତେକ ତିଲଙ୍ଗି କାରିଗରଙ୍କ ଅନ୍ୟ କାରିଗରଙ୍କ ହାତରେ ଗୁଡ଼ି ବା ନଟେଇ ତିଆରି କରି ସେ ବିକ୍ରି କରନ୍ତି ନାହିଁ। କେବଳ ନିଜେ ଯାହା କରନ୍ତି, ତାହାକୁ ହିଁ ସେ ବିକ୍ରି କରିଥାଆନ୍ତି।

PHOTO • Ali Fraz Rezvi
PHOTO • Ali Fraz Rezvi

ପରେଟି ତିଲଙ୍ଗି ତିଆରି କରିବା ଲାଗି କାଠି କାଟୁଛନ୍ତି ଅଶୋକ ଶର୍ମା ପରେଟି ( ଗୁଡ଼ିରେ ଲାଗିଥିବା ସୂତା ଗୁଡ଼ାଇ ହୋଇ ରହୁଥିବା ବାଉଁଶର ନଟେଇ ) ତିଆରି କରୁଥିବା ହାତଗଣତି କାରିଗରଙ୍କ ମଧ୍ୟରୁ ସେ ଜଣେ

PHOTO • Ali Fraz Rezvi
PHOTO • Ali Fraz Rezvi

ବାମ : ଅଶୋକଜୀଙ୍କ କାର୍ଯ୍ୟଶାଳାରେ ନୂଆ ନୂଆ ତିଆରି ହୋଇଥିବା ପରେଟି ଡାହାଣ : ଅଶୋକଙ୍କ ଦୋକାନରେ ବସିଛନ୍ତି ତାଙ୍କର ଜଣେ ବନ୍ଧୁ ଓ ପୁରୁଖା କାରିଗର

ସେଇ ଛୋଟିଆ ଅନ୍ଧାରିଆ ଘର ଭିତରେ ଭର୍ତ୍ତି ହୋଇ ରହିଥିଲା ତିଲଙ୍ଗି ଓ ପରେଟି। ପଛପାଖରେ ଥିବା ଖୋଲା ଦୁଆରରୁ ଯାହା କିଛି ଆଲୁଅ ଆସୁଥିଲା ଏବଂ ସେହିଠାରେ ବସି ହିସାବପତ୍ରରେ ବ୍ୟସ୍ତ ରହିଥିଲେ ତାଙ୍କ ୩୦ ବର୍ଷର ନାତି କୌଟିଲ୍ୟ କୁମାର ଶର୍ମା। ଶର୍ମାଙ୍କ କହିବା ଅନୁସାରେ ଯଦିଓ ଅନେକ ପିଢ଼ି ଧରି ତାଙ୍କ ପରିବାର ଏହି କାରିଗରୀକୁ ବଞ୍ଚାଇ ରଖିଆସିଛନ୍ତି, ତଥାପି ତାଙ୍କ ପୁଅ ଓ ନାତିମାନେ ଯେ ଏହାକୁ ଅବ୍ୟାହତ ରଖିବେ ବୋଲି ସେ ଭାବୁନାହାନ୍ତି।

ପିଲାବେଳେ, ମାତ୍ର ୧୨ ବର୍ଷ ବୟସରେ ହିଁ ସେ ପ୍ରଥମେ ତିଲଙ୍ଗି ପରେଟି ତିଆରି ଶିଖିବା ଆରମ୍ଭ କରିଥିଲେ। “ ଦୁକାନ ପେ ଆ କର ବୈଠ ଗୟେ, ଫି କୈସା ବଚପନ କୈସି ଜୱାନୀ ? ସବ୍‌ ୟହିଁ ବିତ୍‌ ଗୟା ତିଲଙ୍ଗି ବନାୟି ବହୁତ ମଗର ଉଡ଼ାୟି ନହିଁ ( ପିଲାଟି ବେଳରୁ ଦୋକାନରେ ବସି କାମ ଆରମ୍ଭ କରିଦେଲି ତ ମୋ ପିଲାଦିନ ଏବଂ ଯୌବନ ସବୁ ଏହି କାମରେ ବିତିଗଲା। ମୁଁ ବହୁତ ତିଲଙ୍ଗି ତିଆରି କରିଛି ସିନା, ହେଲେ ସେଗୁଡ଼ିକୁ ଉଡ଼ାଇ ନାହିଁ)”, କହନ୍ତି ସେହି ପ୍ରବୀଣ ଗୁଡ଼ି କାରିଗର।

“ସହରର କୁଳୀନ ଓ ସମ୍ଭ୍ରାନ୍ତ ଲୋକେ ଗୁଡ଼ି ତିଆରି କାମ ତଦାରଖ କରୁଥିଲେ। ସେମାନଙ୍କ ପୃଷ୍ଠପୋଷକତା ଗୁଡ଼ି କାରିଗରଙ୍କ ପାଇଁ ବରଦାନ ସଦୃଶ ଥିଲା,” ଅଶୋକ ଶର୍ମା କହନ୍ତି। “ମହାଶିବରାତ୍ରୀ ପର୍ଯ୍ୟନ୍ତ ପାଟନାରେ ଗୁଡ଼ିଉଡ଼ା ଋତୁ ଶିଖରରେ ରହୁଥିଲା। କିନ୍ତୁ ଆଜିକାଲି ସଂକ୍ରାନ୍ତିରେ (ପାରମ୍ପରିକ ଭାବେ ଗୁଡ଼ି ଉଡ଼ାଯାଉଥିବା ଅମଳ ସମୟର ପର୍ବରେ) ବି ଗ୍ରାହକ ମିଳିବା କଷ୍ଟକର।

*****

ତିଲଙ୍ଗି କୁ ରମ୍ବସ୍‌ (ଠିକିରି) କିମ୍ବା ହୀରା ଭଳି ଆକାର ଦିଆଯାଏ। କେଇ ଦଶନ୍ଧି ତଳେ ଏହା କେବଳ କାଗଜରେ ତିଆରି ହେଉଥିଲା। କିନ୍ତୁ ଆଜିକାଲି ସବୁ ପ୍ଲାଷ୍ଟିକ୍‌ରେ ତିଆରି ହେଉଛି ଏବଂ ଦର ମଧ୍ୟ ଅଧାକୁ ଖସିଆସିଛି। କାଗଜ ତିଆରି ତିଲଙ୍ଗି ସହଜରେ ଚିରିଯାଏ ଏବଂ କାଗଜର ବ୍ୟବହାର କଷ୍ଟକର ହୋଇଥିବାରୁ ଏହା ବ୍ୟୟବହୁଳ ହୋଇଥାଏ। ସାଧାରଣତଃ ଗୋଟିଏ କାଗଜ ଗୁଡ଼ିର ଦାମ ୫ ଟଙ୍କା ହୋଇଥିବା ବେଳେ ପ୍ଲାଷ୍ଟିକ୍‌ ଗୁଡ଼ିର ଦାମ ୩ ଟଙ୍କା ହୋଇଥାଏ।

ଗୁଡ଼ିର ଆକାର ଭିନ୍ନ ଭିନ୍ନ ହୋଇଥାଏ ଏବଂ ସାଧାରଣ ଗୁଡ଼ିର ଆକାର ୧୨x୧୨ ଇଞ୍ଚରୁ ୧୦x୧୦ ଇଞ୍ଚ ରହିଥାଏ। କିନ୍ତୁ ୧୮ x ୧୮ ଇଞ୍ଚ ଏବଂ ୨୦x୨୦ ଇଞ୍ଚର ଗୁଡ଼ି ବି ତିଆରି ହୋଇଥାଏ। ଗୁଡ଼ିର ଆକାର ବଢ଼ିଲେ ଏବଂ ଡିଜାଇନ ଜଟିଳ ହେଲେ ଦର ମଧ୍ୟ ବଢ଼ିବା ଆରମ୍ଭ ହୁଏ। ନିର୍ଦ୍ଦିଷ୍ଟ କାର୍ଟୁନ୍‌ କିମ୍ବା ସିନେମାର ଚରିତ୍ର କିମ୍ବା ସଂଳାପ ଲେଖା ଥିବା ଗୁଡ଼ିର ଦାମ୍‌ ୨୫ ଟଙ୍କା ପର୍ଯ୍ୟନ୍ତ ହୋଇଥାଏ। କିନ୍ତୁ ରାଜ୍ୟ ବାହାରୁ ବରାଦ ମିଳିଥିବା ସ୍ୱତନ୍ତ୍ର ଗୁଡ଼ିର ଦାମ୍‌ ୮୦ରୁ ୧୦୦ ଟଙ୍କା ପର୍ଯ୍ୟନ୍ତ ହୋଇପାରେ। ଏହି ସବୁ ଗୁଡ଼ିକୁ ସ୍ୱତନ୍ତ୍ର ଭାବେ ଡିଜାଇନ କରାଯାଇଥିବା କାଗଜରେ ତିଆରି କରାଯାଏ, ଏପରି କି ଏଥିରେ ଉନ୍ନତ ମାନର ତିଲି ଖଡ୍ଡା ଏବଂ ଲେଇ (ଭାତରୁ ତିଆରି ଅଠା) ବ୍ୟବହାର କରାଯାଇଥାଏ।

ସଞ୍ଜୟ ଜୟସ୍ୱାଲଙ୍କ ତିଲଙ୍ଗି ତିଆରି କାର୍ଯ୍ୟଶାଳାର ଏଣେତେଣେ ଖେଳାଇ ହୋଇ ରହିଥାଏ ଗୋଟିଏ କାଠକଟା ମେସିନ୍‌, ଅନେକ ବାଉଁଶ କାଠି ଏବଂ ଗୁଡ଼ି ତିଆରିରେ ଲାଗୁଥିବା ଅନ୍ୟାନ୍ୟ ସାମଗ୍ରୀ। ୮ ବର୍ଗଫୁଟର ଏହି କୋଠରିରେ ଝରକାଟିଏ ବି ନାହିଁ।

PHOTO • Ali Fraz Rezvi
PHOTO • Ali Fraz Rezvi

ବାମ: ତାଙ୍କ କାର୍ଯ୍ୟଶାଳାରେ କର୍ମଚାରୀଙ୍କ କାମ ତଦାରଖ କରୁଛନ୍ତି ମନ୍ନନ (ଚଉକିରେ ବସିଛନ୍ତି)। ଡାହାଣ: ମହମ୍ମଦ ଅରମାନ ସେହି ପ୍ଲାଷ୍ଟିକ୍‌ ଫର୍ଦ୍ଦଗୁଡ଼ିକୁ ଗଣୁଛନ୍ତି ଯେଉଁଗୁଡ଼ିକରେ ବାଉଁଶ  ଖଡ୍ଡା ଲଗାଇବା ପାଇଁ ମହିଳା କର୍ମଚାରୀମାନଙ୍କ ପାଖକୁ ପଠାଯିବ

PHOTO • Ali Fraz Rezvi
PHOTO • Ali Fraz Rezvi

ବାମ : କର୍ମଚାରୀମାନେ କାଠିକୁ ବିଡ଼ା ବାନ୍ଧୁଛନ୍ତି ଡାହାଣ : ଗୋଟିଏ ମେସିନ୍‌ରେ ବାଉଁଶ କଟାଯାଉଛି

“ଆମର ଏହି କାର୍ଯ୍ୟଶାଳାରେ କୌଣସି ନାଁ ନାହିଁ,” ମନ୍ନନ ନାଁରେ ପରିଚିତ ସଞ୍ଜୟ କହନ୍ତି। ଏହା ତାଙ୍କ ପାଇଁ କୌଣସି ସମସ୍ୟା ସୃଷ୍ଟି କରେ ନାହିଁ। କାରଣ ସମ୍ଭବତଃ ସେ ହିଁ ଏ ସହରର ସବୁଠାରୁ ବଡ଼ ଗୁଡ଼ି ବ୍ୟବସାୟୀ। “ ବେ-ନାମ ହୈ, ଗୁମ୍‌ନାମ ଥୋଡ଼େ ହୈ (ଆମର ନାଁ ନାହିଁ, କିନ୍ତୁ ଆମେ ଅଜଣା ନୁହଁ),” ସେ କହନ୍ତି ଏବଂ ତାଙ୍କ କଥାରେ ହସି ଉଠନ୍ତି ସେଠାରେ କାର୍ଯ୍ୟରତ କର୍ମଚାରୀମାନେ।

ମୋହଲ୍ଲା ଦୀୱାନର ଗୁଡ଼ହଟ୍ଟା ଅଞ୍ଚଳରେ ଅବସ୍ଥିତ ମନ୍ନନଙ୍କ କାର୍ଯ୍ୟଶାଳା ମୁଖ୍ୟତଃ ଏକ ଖୋଲା ସ୍ଥାନରେ ବାଉଁଶ ଖୁଣ୍ଟର ଡେରା ଲାଗିଥିବା ଆଜବେଷ୍ଟସ୍‌ ଛାତ ତଳେ ରହିଥିବା ସ୍ଥାନ ଏବଂ ଏହାକୁ ଲାଗି ଥିବା ଛୋଟ କୋଠରିଟିକୁ ବୁଝାଏ। ସେ ୧୧ ଜଣ କର୍ମଚାରୀଙ୍କୁ ନିଯୁକ୍ତି ଦେଇଛନ୍ତି ଏବଂ “ଆବଶ୍ୟକତା ଅନୁସାରେ ନିଜ ନିଜ ଘରୁ କାମ କରିବା ପାଇଁ” ମହିଳାମାନଙ୍କୁ ମଧ୍ୟ ଠିକାରେ ନିୟୋଜିତ କରିଥାଆନ୍ତି।

ଏଠାକାର ସବୁଠାରୁ ବରିଷ୍ଠ କାରିଗର ହେଲେ ୫୫ ବର୍ଷୀୟ ମହମ୍ମଦ ଶମିମ୍‌। ପାଟନାର ଛୋଟି ବଜାର ଅଞ୍ଚଳ ବାସିନ୍ଦା ମହମ୍ମଦ କହନ୍ତି ଯେ, କୋଲକାତାରେ ଜଣେ ଉସ୍ତାଦ (ଗୁରୁ)ଙ୍କ ପାଖରୁ ସେ ଗୁଡ଼ି ତିଆରି କରିବା କାମ ଶିଖିଲେ। ସେ କୋଲକାତା, ଆଲ୍ଲାହାବାଦ, ମୁମ୍ବାଇ ଏବଂ ବନାରସରେ କାମ କରିଛନ୍ତି ଏବଂ ସ୍ଥାୟୀ କାର୍ଯ୍ୟଶାଳାଟିଏ ଖୋଜି ଖୋଜି ତାଙ୍କ ନିଜ ସହରକୁ ଫେରି ଆସିଛନ୍ତି।

ତିଲି ଲଗାଇବାରେ ବ୍ୟସ୍ତ ଥାଇ ସେ କହନ୍ତି ଯେ ସେ ଏଠାରେ ସେ ୨୨ ବର୍ଷ ହେଲା ରହିଲେଣି। ଗୁଡ଼ି ତିଆରି ପାଇଁ ଟାଣ ବାଉଁଶ କାଠିକୁ ମୋଡ଼ି ସେଥିରେ ଅଠା ଲଗାଇବା କାମରେ ସେ ସିଦ୍ଧହସ୍ତ। ଶମିମ ଦିନକୁ ପ୍ରାୟ ୧୫୦୦ ଗୁଡ଼ି ତିଆରି କରିପାରନ୍ତି, କିନ୍ତୁ ଏହାକୁ କ୍ଷୀପ୍ର ବେଗରେ କରିବାକୁ ପଡ଼େ।

କୋଶିଶ ହୋତା ହୈ କି ଦିନ କା ୨୦୦ ରୁପିୟା ତକ୍‌ କମା ଲେଁ ତୋ ମହିନେ କା , ୦୦୦ ବନ ଜାୟେଗା (ଦିନକୁ ୨୦୦ ଟଙ୍କା ହିସାବରେ ମାସକୁ ୬,୦୦୦ ଟଙ୍କା ରୋଜଗାର କରିବାକୁ ଚେଷ୍ଟା କରେ),” ଶମିମ କହନ୍ତି। ଦିନକରେ ୧,୫୦୦ ଗୁଡ଼ିରେ ସେ ତିଲି ଲଗାନ୍ତି ଏବଂ ଏହାକୁ ନିର୍ଦ୍ଧାରିତ ସ୍ଥାନରେ ଧରି ରଖିବା ଲାଗି ଟେପ୍‌ ଲଗାଇ ସନ୍ଧ୍ୟା ସୁଦ୍ଧା କାମ ଶେଷ କରନ୍ତି। “ ଇସ୍‌ ହିସାବ ସେ ୨୦୦ - ୨୧୦ ରୁପିୟା ବନ୍‌ ଜାତା ହୈ (ଏମିତି ମୁଁ ଦିନକୁ ୨୦୦ରୁ ୨୧୦ ଟଙ୍କା ରୋଜଗାର କରିପାରେ),” ସେ କହନ୍ତି।

ଏ ବର୍ଷ ମେ ମାସରେ ‘ପରୀ’ ସେଠାକୁ ଯାଇଥିବା ବେଳେ ସେଠାକାର ବାହ୍ୟ ତାପମାତ୍ରା ୪୦ ଡିଗ୍ରୀ ସେଲ୍‌ସିୟସ୍‌ ଥିଲା। କିନ୍ତୁ ପତଳା ପ୍ଲାଷ୍ଟିକ୍‌ କାଗଜରେ ଗୁଡ଼ି ତିଆରି କରାଯାଉଥିବାରୁ ସେଗୁଡ଼ିକୁ ତଳେ ରଖିବା ଲାଗି ସେଠାରେ ପଙ୍ଖା ବନ୍ଦ ରହିଥିଲା।

PHOTO • Ali Fraz Rezvi
PHOTO • Ali Fraz Rezvi

ବାମ: କର୍ମଚାରୀମାନେ ତିଲଙ୍ଗି ପାଇଁ କାଠି କାଟୁଛନ୍ତି। ଡାହାଣ: ଅଶୋକ ପଣ୍ଡିତ (କଳା ଶାର୍ଟ ପନ୍ଧିଛନ୍ତି) ଗୁଡ଼ିରେ କାଠି ଲଗାଉଛନ୍ତି ଏବଂ ସୁନୀଲ କୁମାର ମିଶ୍ରା ପ୍ଲାଷ୍ଟିକ୍‌ ଖଣ୍ଡ କାଟୁଛନ୍ତି

PHOTO • Ali Fraz Rezvi
PHOTO • Ali Fraz Rezvi

ବାମ: ମହମ୍ମଦ ଶମିମ ତିଲି ଲଗାଉଛନ୍ତି। ଡାହାଣ: ସୁନୀଲ ପ୍ଲାଷ୍ଟିକ୍‌ କାଗଜ ଖଣ୍ଡରେ କାମ କରୁଛନ୍ତି

ଗୋଟିଏ ରୁମାଲରେ ଶରୀରରୁ ଝାଳ ପୋଛି ନିଅନ୍ତି ବଡ଼ ବଡ଼ ପ୍ଲାଷ୍ଟିକ୍‌ ଖଣ୍ଡରୁ ଛୋଟ ଛୋଟ ବର୍ଗାକାର ଖଣ୍ଡ କାଟୁଥିବା ସୁନୀଲ କୁମାର ମିଶ୍ର। “ଗୁଡ଼ି ତିଆରି କରି ଯେତିକି ରୋଜଗାର କରିବେ ସେତିକିରେ ଆପଣ ପରିବାର ଚଳାଇ ପାରିବେନି। ଏଠାକାର କେହି ଜଣେ ହେଲେ କର୍ମଚାରୀ ମାସକୁ ୧୦,୦୦୦ (ଟଙ୍କା)ରୁ ଅଧିକ ରୋଜଗାର କରନ୍ତି ନାହିଁ”, ସେ ଆମକୁ କହନ୍ତି।

ଏକଦା ଗୁଡ଼ି କାରିଗର ସଂପ୍ରଦାୟର ମୁଖ୍ୟ ବାସସ୍ଥଳୀ ରୂପେ ପରିଗଣିତ ହାଜିଗଞ୍ଜ ମୋହଲ୍ଲା ବାସିନ୍ଦା ସୁନୀଲ ଗୁଡ଼ି ତିଆରିର କାରିଗରୀ କୌଶଳ ଦେଖି ଦେଖି ବଡ଼ ହୋଇଛନ୍ତି। ପିଲାବେଳେ ସେ ଗୁଡ଼ି ତିଆରି ଦେଖୁଥିଲେ ଏବଂ କରୁଥିଲେ। କୋଭିଡ୍‌-୧୯ ସମୟରେ ଯେତେବେଳେ ତାଙ୍କର ଫୁଲ ବିକ୍ରି କାମ ବନ୍ଦ ହୋଇଗଲା, ସେତେବେଳେ ତାଙ୍କର ଏହି ଗୁଡ଼ି ତିଆରି କାମ ଉପଯୋଗୀ ସାବ୍ୟସ୍ତ ହେଲା ଏବଂ ସେ ଏହି କାମ ଅବ୍ୟାହତ ରଖିଲେ।

ସୁନୀଲ ଜଣେ ନିୟମିତ କର୍ମଚାରୀ ହୋଇଥିଲେ ହେଁ ଗୁଡ଼ିର ସଂଖ୍ୟା ଅନୁସାରେ ସେ ପାଉଣା ପାଆନ୍ତି। “ଏଠି ସମସ୍ତେ ସକାଳ ୯ଟାରୁ ରାତି ୮ଟା ଯାଏଁ କାମ କରି, ହଜାର ହଜାର ସଂଖ୍ୟାରେ ଗୁଡ଼ି ତିଆରି କରିବାକୁ ସମସ୍ତେ ଚେଷ୍ଟା କରୁଛନ୍ତି,” ସେ କହନ୍ତି।

*****

ଗୁଡ଼ି କାରିଗରୀରେ ବହୁସଂଖ୍ୟକ ମୁସଲମାନ ମହିଳା କାର୍ଯ୍ୟରତ। ଏହି ମହିଳାମାନେ ସଂପୂର୍ଣ୍ଣ ରୂପେ କିମ୍ବା ଆଂଶିକ ରୂପେ ନିଜ ନିଜ ଘରୁ କାମ କରନ୍ତି। ତାଙ୍କ ଚାରି ଜଣିଆ ପରିବାର ଚଳାଇବାରେ ସହାୟତା ନିମନ୍ତେ ଆଇଶା ପରବୀନ ତିଲଙ୍ଗୀ ତିଆରି ଶିଖିଥିଲେ। ଗତ ୧୬ ବର୍ଷ ହେଲା ସେ ଏହା କରିଆସୁଛନ୍ତି। ସ୍ୱାମୀ ଓ ଦୁଇ ପିଲାଙ୍କ ସହିତ ରହୁଥିବା ଗୋଟିଏ କୋଠରି ଓ ରନ୍ଧାଘର ବିଶିଷ୍ଟ ଘରୁ ସେ ଏହି କାମ କରିଆସୁଛନ୍ତି। ପୁରୁଣା ଦିନକୁ ମନେ ପକାଇ ସେ କହନ୍ତି, “ବେଶି ଦିନ ତଳର କଥା ନୁହେଁ, ମୁଁ ସପ୍ତାହକୁ ୯,୦୦୦ ତିଲଙ୍ଗି ତିଆରି କରୁଥିଲି।” ସେ ଆହୁରି କହନ୍ତି, “ଆଜିକାଲି ୨,୦୦୦ ଗୁଡ଼ିର ଗୋଟିଏ ବରାଦ ପାଇବା ବି ବଡ଼କଥା।”

“ଗୋଟିଏ ତିଲଙ୍ଗି ସାତଟି ଭାଗରେ ପ୍ରସ୍ତୁତ କରାଯାଏ ଏବଂ ପ୍ରତିଟି ଭାଗ ଭିନ୍ନ ଭିନ୍ନ କର୍ମୀଙ୍କ ଦ୍ୱାରା କରାଯାଇଥାଏ,” ଆଇଶା କହନ୍ତି। ଜଣେ ପ୍ଲାଷ୍ଟିକ୍‌ କାଗଜ ଖଣ୍ଡକୁ ଆବଶ୍ୟକତା ମୁତାବକ ଛୋଟ ଛୋଟ ବର୍ଗାକାର ଖଣ୍ଡରେ କାଟନ୍ତି। ସେହି ସମୟରେ ଅନ୍ୟ ଦୁଇ ଜଣ କର୍ମଚାରୀ ବାଉଁଶକୁ କାଟି ଛୋଟ ଛୋଟ ତିଲି ଖଡ୍ଡା କରନ୍ତି। ଏଥିରୁ ଗୋଟିଏ ଲମ୍ବା ଓ ପତଳା ଏବଂ ଅନ୍ୟଟି ତୁଳନାତ୍ମକ ଭାବେ ମୋଟା ଓ ଛୋଟ। ଅନ୍ୟ ଜଣେ ଖଡ୍ଡା କୁ ପ୍ଲାଷ୍ଟିକ୍‌ ଖଣ୍ଡ ଉପରେ ଅଠା ଦେଇ ଲଗାନ୍ତି ଏବଂ ବକ୍ରାକାରରେ ତିଲି ଲଗାଇବା ପାଇଁ ଏହାକୁ ଆଉ ଜଣଙ୍କ ପାଖକୁ ପଠାଇ ଦିଅନ୍ତି।

ଗୁଡ଼ି ତିଆରିର ଶେଷ ପର୍ଯ୍ୟାୟରେ ଦୁଇ ଜଣ କାରିଗର କାମ କରନ୍ତି। ଜଣେ ଏହାକୁ ପରଖି ଦେଖିବା ସହିତ ଏଥିରେ ଅଠା ଲାଗିଥିବା ଟେପ୍‌ ଲଗାନ୍ତି ଏବଂ ଶେଷ କର୍ମଚାରୀ ଜଣଙ୍କ ଏଥିରେ କଣା କରି କନ୍ନା ବୋଲି କୁହାଯାଉଥିବା ଡୋର ଲଗାନ୍ତି।

PHOTO • Ali Fraz Rezvi
PHOTO • Ali Fraz Rezvi

ତମନ୍ନା ପ୍ଲାଷ୍ଟିକ୍‌ ଖଣ୍ଡ ଉପରେ ଅଠା ଦେଇ ଖଡ୍ଡା ଲଗାଇବାରେ ବ୍ୟସ୍ତ। ତାଙ୍କ କାମ ସରିଗଲେ, ସେ ଗୁଡ଼ିଟିକୁ ଉଠାଇ (ଡାହାଣ) ସୂର୍ଯ୍ୟ କିରଣରେ ଏହାକୁ ପରଖି ନିଅନ୍ତି

ପ୍ଲାଷ୍ଟିକ୍‌ ଖଣ୍ଡ କାଟୁଥିବା କର୍ମଚାରୀ ଜଣକ ପ୍ରତି ୧,୦୦୦ ଗୁଡ଼ି ପାଇଁ ୮୦ ଟଙ୍କା ହିସାବରେ ପାରିଶ୍ରମିକ ପାଉଥିବା ବେଳେ ବାଉଁଶ କଟାଳିମାନେ ୧୦୦ ଟଙ୍କା ପାଆନ୍ତି। ସେହି କ୍ରମରେ ରହିଥିବା ଅନ୍ୟମାନେ ସମାନସଂଖ୍ୟକ ଗୁଡ଼ି ଲାଗି ୫୦ ଟଙ୍କା ହିସାବରେ ପାଇଥାଆନ୍ତି। ଗୁଡ଼ି କାରିଗରମାନଙ୍କର ଗୋଟିଏ ଦଳ, ମଝିରେ କିଛି ସମୟର ବିରତିକୁ ବାଦ୍‌ ଦେଲେ, ସକାଳ ୯ଟାରୁ ୧୨ ଘଣ୍ଟା ଧରି କାମ କରି ଦିନକୁ ୧,୦୦୦ ଗୁଡ଼ି ତିଆରି କରିପାରନ୍ତି।

“ମୋଟ ସାତ ଜଣ ଲୋକ ମିଶି ଯେଉଁ ଗୋଟିଏ ତିଲଙ୍ଗି ତିଆରି କରନ୍ତି ତାହା ବଜାରରେ ଦୁଇରୁ ତିନି ଟଙ୍କାରେ ବିକ୍ରି ହୁଏ,” ଆଇଶା ବତାଇ ଦିଅନ୍ତି। ସବୁ ମିଶି ୧,୦୦୦ ଗୁଡ଼ି ତିଆରି ବାବଦରେ ୪୧୦ ଟଙ୍କା ଖର୍ଚ୍ଚ ହୁଏ ଏବଂ ଏଥିରୁ ମିଳୁଥିବା ଲାଭ ସମସ୍ତଙ୍କ ମଧ୍ୟରେ ଭାଗ କରାଯାଏ। ସେ କହନ୍ତି, “ରୁକ୍‌ସାନା (ତାଙ୍କ ଝିଅ) ଏହି ଗୁଡ଼ି ତିଆରି ବ୍ୟବସାୟ କରୁ ବୋଲି ମୁଁ ଚାହେଁନା।”

ଅନ୍ୟ ଅନେକ ମହିଳାଙ୍କ ଭଳି ଘର ବାହାରକୁ ନ ବାହାରି ରୋଜଗାର କରୁଥିବାରୁ ସେ ବି ଖୁସି ସତ, ହେଲେ ରୋଜଗାର ଖୁବ୍‌ କମ୍‌, “କିନ୍ତୁ ଅନ୍ତତଃ ଆରମ୍ଭ କରିବା ସମୟରେ ନିୟମିତ କାମ ମିଳୁଥିଲା”। ୨,୦୦୦ ଗୁଡ଼ିରେ ଖଡ୍ଡା ଲଗାଇ ଏବଂ କନ୍ନା ବାନ୍ଧି ଆଇଶା ୧୮୦ ଟଙ୍କା ରୋଜଗାର କରନ୍ତି- ୧୦୦ଟି ଗୁଡ଼ିରେ ଦୁଇଟି ଯାକ କାମ ଶେଷ କରିବା ଲାଗି ତାଙ୍କୁ ୪-୫ ଘଣ୍ଟା ଲାଗିଥାଏ।

ତମନ୍ନା ମଧ୍ୟ ଦୀୱାନ ମୋହଲ୍ଲାର ସେହି ଅଞ୍ଚଳରେ ରହନ୍ତି ଏବଂ ତିଲଙ୍ଗି ତିଆରି କରନ୍ତି। “ଗୁଡ଼ି ତିଆରି ଶିଳ୍ପରେ କେବଳ ଏହି କାମରେ ସବୁଠାରୁ କମ୍‌ ପାଉଣା ମିଳୁଥିବା କାରଣରୁ (ଅନେକ କ୍ଷେତ୍ରରେ) ମହିଳାମାନେ ହିଁ ଏହି କାମ କରନ୍ତି,” ଏହି ୨୫  ବର୍ଷୀୟା ମହିଳା କହନ୍ତି। “ ଖଡ୍ଡା କିମ୍ବା ତିଲି ଲଗାଇବାରେ ବିଶେଷ କିଛି କରିବାକୁ ପଡ଼େନି, କିନ୍ତୁ ଜଣେ ମହିଳା ୧,୦୦୦ ଖଡ୍ଡା ଲଗାଇ ୫୦ ଟଙ୍କା ପାଉଥିବା ବେଳେ ୧,୦୦୦ ତିଲି ଲଗାଉଥିବା ଜଣେ ପୁରୁଷ ୧୦୦ ଟଙ୍କା ପାଆନ୍ତି।”

PHOTO • Ali Fraz Rezvi

ନିଜେ ତିଆରି କରିଥିବା ତିଲଙ୍ଗି ଦେଖାଉଛନ୍ତି ରୁକ୍‌ସାନା

ଏବେ ବି ଗୁଡ଼ି ପ୍ରସ୍ତୁତି ଓ ଯୋଗାଣର କେନ୍ଦ୍ରସ୍ଥଳ ରୂପେ ପରିଗଣିତ ହେଉଛି ପାଟନା। ଏଠାରେ ପ୍ରସ୍ତୁତ ଗୁଡ଼ି ଓ ତତ୍‌ସମ୍ବନ୍ଧିତ ଅନ୍ୟାନ୍ୟ ସାମଗ୍ରୀ ସମଗ୍ର ବିହାର ସହିତ ସିଲିଗୁଡ଼ି, କୋଲକାତା, ମାଲଦା, କାଠମାଣ୍ଡୁ, ରାଞ୍ଚି, ଝାନ୍‌ସୀ, ଭୋପାଳ, ପୁଣେ ଓ ନାଗପୁରକୁ ପଠାଯାଉଛି

ଆଇଶାଙ୍କ ୧୭ ବର୍ଷୀୟା ଝିଅ ରୁକସାନା ଖଡ୍ଡା ଲଗାଇବାରେ ପାରଙ୍ଗମ- ସେ ସେହି ପତଳା ବାଉଁଶ କାଠିକୁ ମସୃଣ ପ୍ଲାଷ୍ଟିକ୍‌ ଖଣ୍ଡ ଉପରେ ଲଗାନ୍ତି। ସ୍କୁଲରେ ୧୧ଶ ଶ୍ରେଣୀରେ ନାମ ଲେଖାଇଥିବା ଏହି ବାଣିଜ୍ୟ ଛାତ୍ରୀ ଜଣକ ଖାଲି ସମୟରେ ମାଆଙ୍କୁ ଗୁଡ଼ି ତିଆରିରେ ସାହାଯ୍ୟ କରନ୍ତି।

ମାତ୍ର ୧୨ ବର୍ଷ ବୟସରୁ ତାଙ୍କ ମାଆଙ୍କ ପାଖରୁ ସେ ଏହି କାରିଗରୀ ଶିଖିଲେ। “ଛୋଟ ଥିବା ବେଳେ ସେ ଗୁଡ଼ି ଉଡ଼ାଇ ଖେଳୁଥିଲା ଏବଂ ଖୁବ୍‌ ଭଲ ଭାବରେ ଏହା କରୁଥିଲା,” ଆଇଶା କହନ୍ତି। ମୁଖ୍ୟତଃ ଏହା ପୁରୁଷମାନଙ୍କର ଏକ ଖେଳ ହୋଇଥିବାରୁ ଆଜିକାଲି ଏଥିରୁ ନିବୃତ୍ତ ରହିବା ଦିଗରେ ସେ ଝିଅକୁ ନିରୁତ୍ସାହିତ କରୁଛନ୍ତି।

ମୋହଲ୍ଲା ଦୀୱାନର ଶୀଶମହଲ ଅଞ୍ଚଳରେ ଥିବା ତାଙ୍କ ଭଡ଼ାଘର ଦୁଆର ମୁହଁରେ ସେ ସଦ୍ୟ ପ୍ରସ୍ତୁତ ତିଲଙ୍ଗି ଗୁଡ଼ିକୁ ବ୍ୟବସ୍ଥିତ କରି ରଖିଛନ୍ତି। ରୁକ୍‌ସାନା ଏହି ସବୁ ଗୁଡ଼ିରେ ଶେଷ ସ୍ପର୍ଶ ଦେବାରେ ବ୍ୟସ୍ତ। ଏଗୁଡ଼ିକ ସଂଗ୍ରହ କରି ନେବା ପାଇଁ ଆସୁଥିବା ଠିକାଦାର ଶଫିକଙ୍କୁ ସେମାନେ ଅପେକ୍ଷା କରିଛନ୍ତି।

ଆଇଶା କହନ୍ତି, “ଆମେ ୨,୦୦୦ ଗୁଡ଼ି ତିଆରି ପାଇଁ ଗୋଟିଏ ବରାଦ ପାଇଥିଲୁ। କିନ୍ତୁ ମୁଁ ମୋ ଝିଅକୁ ଏହା କହିବାକୁ ଭୁଲିଗଲି ଏବଂ ସେ ବଳକା ଜିନିଷ ବ୍ୟବହାର କରି ୩୦୦ ଗୁଡ଼ି ଅଧିକ ତିଆରି କରିଦେଲା।”

“କିନ୍ତୁ ଏଥିରେ ଚିନ୍ତା କରିବାର କିଛି ନାହିଁ, ଆମେ ଏହାକୁ ପରବର୍ତ୍ତୀ ବରାଦ ପାଇଁ ବ୍ୟବହାର କରିବୁ,” ଆମ କଥାବାର୍ତ୍ତା ଶୁଣି ତାଙ୍କ ଝିଅ ରୁକ୍‌ସାନା କହନ୍ତି।

“କେବଳ ଯଦି ଆଉ ଗୋଟିଏ ବରାଦ ମିଳେ, ତା’ହେଲେ,” ଆଇଶା କହନ୍ତି।

ମୃଣାଳିନୀ ମୁଖାର୍ଜୀ ଫାଉଣ୍ଡେସନ (ଏମ୍‌ଏମ୍‌ଏଫ୍‌)ର ଏକ ଫେଲୋସିପ୍‌ ସହାୟତାରେ ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଛି।

ଅନୁବାଦ : ଓଡ଼ିଶାଲାଇଭ୍‍

Ali Fraz Rezvi

Ali Fraz Rezvi is an independent journalist and theatre artist. He is a PARI-MMF fellow for 2023.

Other stories by Ali Fraz Rezvi
Editor : Priti David

Priti David is the Executive Editor of PARI. She writes on forests, Adivasis and livelihoods. Priti also leads the Education section of PARI and works with schools and colleges to bring rural issues into the classroom and curriculum.

Other stories by Priti David
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Other stories by OdishaLIVE