ମୁଦୁମଲାଇ ବ୍ୟାଘ୍ର ଅଭୟାରଣ୍ୟରେ ଆଖିକୁ ବିଶ୍ରାମ ମିଳିଥାଏ କିନ୍ତୁ କାନକୁ ନୁହେଁ। ଏଠାରେ ପକ୍ଷୀ ଓ ପ୍ରାଣୀମାନେ ପରସ୍ପର ସହ ମତ ବିନିମୟ କରିବାର ଶବ୍ଦ ଶୁଭିଥାଏ, ଯାହାକୁ ଆମେ ବୁଝିପାରିବା ନାହିଁ। ଏସବୁ ମଧ୍ୟରେ ତାମିଲନାଡ଼ୁର ନୀଳଗିରି ପର୍ବତରେ ରହୁଥିବା ବିଭିନ୍ନ ଜନଜାତି ସମ୍ପ୍ରଦାୟର ଭାଷାଗୁଡ଼ିକ ମଧ୍ୟ ପୂରି ରହିଛି ।

‘‘ ନଲୈୟାୱୋଡୁତୁ ’’ (ଆପଣ କେମିତି ଅଛନ୍ତି)? ବେଟ୍ଟାକୁରୁମ୍ବାମାନେ ପଚାରନ୍ତି। ହେଲେ ଇରୁଲାର୍‌ମାନେ କୁହନ୍ତି ‘‘ ସନ୍ଦାକିତୈୟା ?’’ ପ୍ରଶ୍ନ ସମାନ, କିନ୍ତୁ ସମ୍ବୋଧନ ଭିନ୍ନ।

Left: A Hoopoe bird after gathering some food.
PHOTO • K. Ravikumar
Right: After a dry spell in the forests, there is no grass for deer to graze
PHOTO • K. Ravikumar

ବାମ : କିଛି ଖାଦ୍ୟ ସଂଗ୍ରହ କରିଥିବା ଗୋଟିଏ ହୁପୁ ( ହୁଦ୍ ହୁଦ୍ ‌) ପକ୍ଷୀ ଡାହାଣ : ଜଙ୍ଗଲରେ ମରୁଡ଼ି ପରେ ହରିଣଙ୍କ ଚରିବା ପାଇଁ ଘାସ ନାହିଁ

ପଶ୍ଚିମ ଘାଟ ପର୍ବତ ମାଳାର ଏକ ଦକ୍ଷିଣ କ୍ଷେତ୍ରରେ ପ୍ରାଣୀ ଓ ଲୋକଙ୍କ ସଂଗୀତ, ଅନ୍ୟ ସ୍ଥାନର ଗାଡ଼ି ଓ ମେସିନ୍‌ର କୋଳାହଳଠାରୁ ସମ୍ପୂର୍ଣ୍ଣ ଭିନ୍ନ । ଏସବୁ ଘର ପରିବେଶର ସ୍ୱର।

ମୁଦୁମଲାଇ ବ୍ୟାଘ୍ର ଅଭୟାରଣ୍ୟର ମଧ୍ୟ ଭାଗରେ ଥିବା ଗାଁ ପୋକ୍କାପୁରମ୍‌ (ସରକାରୀ ଭାବେ ବୋକ୍କାପୁରମ ନାମରେ ପରିଚିତ)ର ଗୋଟିଏ ଛୋଟିଆ ପଡ଼ା କୁରୁମ୍ବର ପଦୀରେ ମୁଁ ରହିଥାଏ। ଫେବୃଆରୀ ଶେଷ ଭାଗରୁ ମାର୍ଚ୍ଚ ଆରମ୍ଭ ପର୍ଯ୍ୟନ୍ତ, ଏହି ଶାନ୍ତ ସ୍ଥାନ ତୁଙ୍ଗନଗରମ୍ (କେବେ ବି ଶୋଇ ପଡ଼ୁନଥିବା ଏକ ସହର) ଭଳି କୋଳାହଳପୂର୍ଣ୍ଣ ସହର ପାଲଟିଯାଏ। ସାଧାରଣତଃ ବଡ଼ ସହର ମଦୁରାଇ ପାଇଁ ତୁଙ୍ଗନଗରମ୍‌ ସମ୍ବୋଧନ ବ୍ୟବହାର କରାଯାଏ। ଦେବୀ ପୋକ୍କାପୁରମ ମରିୟାମ୍ମନଙ୍କୁ ସମର୍ପିତ ଏକ ଧାର୍ମିକ ମହୋତ୍ସବ କାରଣରୁ ଏହି ପରିବର୍ତ୍ତନ ଆସିଥାଏ। ଛଅ ଦିନ ଧରି ଏହି ସହର ଜନଗହଳି, ପାର୍ବଣର ଉତ୍ସାହ ଓ ସଙ୍ଗୀତରେ କୋଳାହଳମୟ ହୋଇ ଉଠିଥାଏ। ତଥାପି, ଯେତେବେଳେ ମୁଁ ମୋ ଉର୍ (ଗାଁ) କଥା ଭାବିଥାଏ, ଏହା କାହାଣୀର ମାତ୍ର ଗୋଟିଏ ଅଂଶ ଭଳି ଲାଗେ।

ଏହା ଗୋଟିଏ ବ୍ୟାଘ୍ର ଅଭୟାରଣ୍ୟ କିମ୍ବା ମୋ ଗାଁର କାହାଣୀ ନୁହେଁ। ଏହା ଏମିତି ଜଣେ ଲୋକର କାହାଣୀ ଯିଏ ମୋ ଜୀବନରେ ସବୁଠୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛନ୍ତି । ସେ ଏମିତି ଜଣେ ମହିଳା ଯିଏକି ସ୍ୱାମୀ ପରିତ୍ୟକ୍ତା ହେବା ପରେ ଏକାକୀ ପାଞ୍ଚ ଜଣ ପିଲାଙ୍କର ଭରଣପୋଷଣ କରିଥିଲେ। ଏହା ହେଉଛି ମୋ ମା’ଙ୍କ କାହାଣୀ।

Left: Amma stops to look up at the blue sky in the forest. She was collecting cow dung a few seconds before this.
PHOTO • K. Ravikumar
Right: Bokkapuram is green after the monsoons, while the hills take on a blue hue
PHOTO • K. Ravikumar

ବାମ : ଆମ୍ମା ଜଙ୍ଗଲରେ ନୀଳ ଆକାଶକୁ ଦେଖିବା ପାଇଁ ଅଟକି ଯାଇଛନ୍ତି । ଏହାର କିଛି ସେକେଣ୍ଡ ପୂର୍ବରୁ ସେ ଗାଈ ଗୋବର ସଂଗ୍ରହ କରୁଥିଲେ। ଡାହାଣ : ମୌସୁମୀ ପରେ ବୋକ୍କାପୁରମ୍‌ ସବୁଜ ରଙ୍ଗ ଧାରଣ କରିଥିବା ବେଳେ ପାହାଡ଼ଗୁଡ଼ିକ ନୀଳ ରଙ୍ଗରେ ଚମକୁଛନ୍ତି

*****

କାଗଜପତ୍ରରେ ମୋ ନାଁ କେ. ରବି କୁମାର, କିନ୍ତୁ ମୋ ଲୋକଙ୍କ ଗହଣରେ ମୁଁ ମାରାନ୍‌ ନାମରେ ପରିଚିତ। ଆମ ସମ୍ପ୍ରଦାୟର ଲୋକମାନେ ଏହାକୁ ପେଟ୍ଟାକୁରୁମ୍ବର ବୋଲି କୁହନ୍ତି, ଯଦିଓ ସରକାରୀ ଭାବେ ଏହା ବେଟ୍ଟାକୁରୁମ୍ବା ନାମରେ ତାଲିକାଭୁକ୍ତ ହୋଇଛି।

ଏ କାହାଣୀର ନାୟିକା ହେଉଛନ୍ତି ମୋ ଆମ୍ମା (ମା’), ସେ ‘ମେତି’ ନାମରେ ପରିଚିତ, ଉଭୟ କାଗଜପତ୍ରରେ ଏବଂ ଆମ ଲୋକମାନଙ୍କ ମଧ୍ୟରେ। ମୋ ଆପ୍ପା (ବାପା) କ୍ରିଷ୍ଣନଙ୍କୁ ଆମ ସମ୍ପ୍ରଦାୟରେ ସମସ୍ତେ କେତନ ନାମରେ ଜାଣନ୍ତି। ମୁଁ ମୋର ପାଞ୍ଚ ଭାଇଭଉଣୀ : ମୋ ବଡ଼ ଭଉଣୀ ଚିତ୍ରା (ଆମ ସମ୍ପ୍ରଦାୟରେ କିର୍କାଲି ନାମରେ ପରିଚିତ); ମୋ ବଡ଼ ଭାଇ ରବିଚନ୍ଦ୍ରନ  (ମଦନ); ମୋର ଦ୍ୱିତୀୟ ବଡ଼ ଭଉଣୀ, ଶଶିକଲା (କେତ୍ତି); ଏବଂ ମୋର ସବା ସାନ ଭଉଣୀ କୁମାରୀ (କିନମାରୀ)ଙ୍କ ମଧ୍ୟରୁ ଅନ୍ୟତମ। ମୋର ବଡ଼ ଭାଇ ଓ ଭଉଣୀ ବାହା ହୋଇସାରିଛନ୍ତି ଏବଂ ତାମିଲନାଡ଼ୁର କୁଡ଼ାଲୋର୍ ଜିଲ୍ଲାରେ ଥିବା ଏକ ଗ୍ରାମ ପାଲୱାଡ଼ିରେ ସେମାନଙ୍କ ପରିବାର ସହ ରହୁଛନ୍ତି।

ଆମ୍ମା କିମ୍ବା ଆପ୍ପା ମୋତେ ସରକାରୀ ଶିଶୁ ଯତ୍ନ କେନ୍ଦ୍ର ଅଙ୍ଗନୱାଡ଼ି ନେଇଯିବାର ମୋର ସବୁଠୁ ପୁରୁଣା ସ୍ମୃତି ରହିଛି। ଏଠାରେ ମୁଁ ମୋ ସାଙ୍ଗମାନଙ୍କ ସହିତ ଖୁସି, ଆନନ୍ଦ, ରାଗ ଓ ଦୁଃଖ ସବୁ ପ୍ରକାର ଭାବନାକୁ ଅନୁଭବ କରିଛି । ଅପରାହ୍ଣ ୩ଟା ବେଳେ ମୋର ବାପା-ମା’ ମୋତେ ନେବାକୁ ଆସୁଥିଲେ ଏବଂ ଆମେ ଘରକୁ ଫେରିଯାଉଥିଲୁ।

ମଦ ନିଶାରେ ବୁଡ଼ିବା ପୂର୍ବରୁ, ମୋ ଆପ୍ପା ଅତ୍ୟନ୍ତ ସ୍ନେହୀ ବ୍ୟକ୍ତି ଥିଲେ। ମଦ ପିଇବା ଆରମ୍ଭ କରିବା ପରେ ସେ ଦାୟିତ୍ୱହୀନ ଏବଂ ହିଂସ୍ରକ ହୋଇପଡ଼ିଥିଲେ। ‘‘ଖରାପ ଲୋକଙ୍କ ସଙ୍ଗତରେ ପଡ଼ିବା ଯୋଗୁଁ ତାଙ୍କ ବ୍ୟବହାରରେ ପରିବର୍ତ୍ତନ ଆସିଥିଲା,’’ ମୋ ମା’ କହୁଥିଲେ।

Left: My amma, known by everyone as Methi.
PHOTO • K. Ravikumar
Right: Amma is seated outside our home with my sister Kumari and my niece, Ramya
PHOTO • K. Ravikumar

ବାମ : ମୋ ଆମ୍ମାଙ୍କୁ ସମସ୍ତେ ମେତି ନାମରେ ଜାଣନ୍ତି ଡାହାଣ : ଆମ୍ମା ମୋ ଭଉଣୀ କୁମାରୀ ମୋ ଝି ଆରୀ ରାମ୍ୟା ସହିତ ଆମ ଘର ଦୁଆରେ ବସିଛନ୍ତି

ଘରେ ସମସ୍ୟାର ପ୍ରଥମ ସ୍ମୃତି ବିଷୟରେ ମୋର ମନେ ପଡ଼ିଥାଏ ଯେତେବେଳେ ଆପ୍ପା ଦିନେ ମଦ ନିଶାରେ ଘରକୁ ଆସିଥିଲେ ଏବଂ ଆମ୍ମା ଙ୍କୁ ଗାଳି କରିଥିଲେ। ସେ ମା’ଙ୍କୁ ମାଡ଼ ମାରିଥିଲେ ଏବଂ ତାଙ୍କର ବାପା-ମା’ ଓ ଭାଇଭଉଣୀଙ୍କୁ ଅତି ଆପତ୍ତିଜନକ ଭାଷାରେ ଅପମାନିତ କଲା ଭଳି କଥା କହିଥିଲେ, ଯେଉଁମାନେ ସେତେବେଳେ ଆମ ସହ ରହୁଥିଲେ। ଯଦିଓ ସେମାନେ ବାଧ୍ୟ ହୋଇ ବାପାଙ୍କ କଥା ଶୁଣିଥଲେ, ତଥାପି ତାଙ୍କ କଥାକୁ ଅଣଦେଖା କରିଥିଲେ। ଏଭଳି ଝଗଡ଼ା ସବୁଦିନିଆ ଘଟଣା ପାଲଟିଗଲା।

ମୁଁ ଦ୍ୱିତୀୟ ଶ୍ରେଣୀରେ ପଢ଼ୁଥିବା ବେଳେ ଗୋଟିଏ ନିର୍ଦ୍ଦିଷ୍ଟ ଘଟଣା ମୋର ମନେ ପଡ଼ିଥାଏ। ସବୁଦିନ ଭଳି, ଆପ୍ପା ଘରକୁ ମଦନିଶାରେ କ୍ରୋଧିତ ହୋଇ ଆସୁଥିଲେ ଏବଂ ପ୍ରଥମେ ଆମ୍ମାଙ୍କୁ ତା’ପରେ ମୋ ଭାଇଭଉଣୀ ଓ ମୋତେ ମାଡ଼ ମାରିଥିଲେ। ସେ ଆମର ପୋଷାକ ଓ ଅନ୍ୟାନ୍ୟ ଜିନିଷପତ୍ର ରାସ୍ତା ଉପରକୁ ଫିଙ୍ଗି ଦେଇଥିଲେ, ବଡ଼ ପାଟିରେ ଆମକୁ ଘରୁ ବାହାରି ଯିବାକୁ ଧମକ ଦେଇଥିଲେ। ସେଦିନ ରାତିରେ ଆମେ ରାସ୍ତା ଉପରେ ମା’କୁ ଜାବୁଡ଼ି ଧରି ପଡ଼ି ରହିଥିଲୁ, ଯେମିତି ଛୋଟ ଛୋଟ ପ୍ରାଣୀ ଶୀତ ଦିନେ ନିଜ ମା’ କୋଳରୁ ଉଷୁମ ପାଇଥା’ନ୍ତି।

ଆମେ ସରକାରୀ ଆଦିବାସୀ ବିଦ୍ୟାଳୟ ଜିଟିଆର ମାଧ୍ୟମିକ ସ୍କୁଲ୍‌ରେ ପଢ଼ୁଥିଲୁ। ସେଠି ରହିବା ଓ ଖାଇବା ସୁବିଧା ଥିଲା। ମୋ ବଡ଼ ଭାଇ ଓ ଭଉଣୀ ସେଠି ରହିବାକୁ ନିଷ୍ପତ୍ତି ନେଲେ। ସେଦିନଗୁଡ଼ିକ ଏମିତି ଲାଗୁଥିଲା ଯେମିତି କାନ୍ଦ ଓ ଲୁହ ଆମର ଚିର ସହଚର ପାଲଟିଯାଇଛି। ଆମେ ଘର ଛାଡ଼ି ଯାଇନଥିଲୁ, କିନ୍ତୁ ଆପ୍ପା ଆମକୁ ଛାଡ଼ି ପଳାଇ ଗଲେ।

ଆମେ ସବୁବେଳେ ବିବ୍ରତ ଅବସ୍ଥାରେ ଥିଲୁ, ପୁଣି କେବେ ଝଗଡ଼ା ଆରମ୍ଭ ହୋଇଯିବ ଜାଣିନଥିଲୁ। ଦିନେ ରାତିରେ, ଆପ୍ପା ନିଶାରେ ଆସି ପାଟିତୁଣ୍ଡ କରିବା ସମୟରେ ଆମ୍ମାଙ୍କ ଭାଇ ସହ ତାଙ୍କର ମାଡ଼ପିଟ ହେଲା। ଆପ୍ପା ଛୁରି ନେଇ ମୋ ମାମୁଙ୍କ ହାତ କାଟିବାକୁ ଉଦ୍ୟମ କଲେ। ସୌଭାଗ୍ୟବଶତଃ, ଛୁରୀରେ ଧାର ନଥିବାରୁ ବିଶେଷ କ୍ଷତି ହେଲା ନାହିଁ। ପରିବାରର ଅନ୍ୟ ଲୋକମାନେ ହସ୍ତକ୍ଷେପ କଲେ ଏବଂ ଆପ୍ପା ଙ୍କ ଉପରେ ଆକ୍ରମଣ କଲେ। ଏହି ମାଡ଼ଗୋଳ ଭିତରେ ମା’ ଧରିଥିବା ମୋ ସାନ ଭଉଣୀ ପଡ଼ିଗଲା ଏବଂ ତା’ର ମୁଣ୍ଡ ଫାଟିଗଲା। ମୁଁ ସେଇଠି ଛିଡ଼ା ହୋଇ ରହିଲି, ସମ୍ପୂର୍ଣ୍ଣ ହତବାକ୍‌ ଓ ଅସହାୟ ଭାବରେ, କ’ଣ ଘଟୁଛି କିଛି ବୁଝିପାରୁନଥିଲି।

ପରଦିନ ସକାଳେ, ଆମ ଘର ଅଗଣା ମାମୁଁ ଓ ଆପ୍ପା ଙ୍କ ଲାଲ-କଳା ରକ୍ତ ଦାଗରେ ଭରି ଯାଇଥିଲା। ଅର୍ଦ୍ଧରାତ୍ରିରେ ମୋ ବାପା ଟଳିଟଳି ଘରକୁ ଆସିଲେ ଏବଂ ମୋତେ, ମୋ ଭଉଣୀକୁ ମୋ ଜେଜେବାପାଙ୍କ ଘରୁ ବାହାରକୁ ଟାଣି ନେଇ ଚାଷ ଜମି ମଧ୍ୟରେ ଥିବା ନିଜର ଛୋଟିଆ କୋଠରୀ ଭିତରେ ରଖିଲେ। କିଛି ମାସ ପରେ ମୋ ବାପା-ମା’ ଭଲରେ ଭଲରେ ସବୁଦିନ ପାଇଁ ଅଲଗା ହୋଇଗଲେ।

Left: My mother cutting dry wood with an axe. This is used as firewood for cooking.
PHOTO • K. Ravikumar
Right : The soft glow of the kerosene lamp helps my sister Kumari and my niece Ramya study, while our amma makes rice
PHOTO • K. Ravikumar

ବାମ : ମୋ ମା କୁରାଢ଼ିରେ ଶୁଖିଲା କାଠ କାଟୁଛନ୍ତି ଏହା ରୋଷେଇ ପାଇଁ ଜାଳେଣି ରୂପେ ବ୍ୟବହୃତ ହେବ ଡାହାଣ : ଆମ ଆମ୍ମା ଭାତ ରାନ୍ଧୁଥିବା ବେଳେ କିରାସିନି ବତୀର ସ୍ତୀମିତ ଆଲୋକରେ ମୋ ଭଉଣୀ କୁମାରୀ ମୋ ଝିଆରୀ ରାମ୍ୟା ପଢ଼ୁଛନ୍ତି

ଗୁଡ଼ାଲୁରର ପାରିବାରିକ ଅଦାଲତରେ ମୋ ଭାଇଭଉଣୀ ଓ ମୁଁ ଆମର ଆମ୍ମା ଙ୍କ ସହିତ ରହିବାକୁ ଇଚ୍ଛା ପ୍ରକଟ କଲୁ। କିଛି ଦିନ ପାଇଁ ଆମେ ଆମ ଅଜା-ଆଈଙ୍କ ଘରେ ଖୁସିରେ ରହିଲୁ। ସେମାନଙ୍କ ଘର ସେହି ପଡ଼ାରେ ଥିଲା ଯେଉଁଠି ଆମ ବାପା-ମା’ଙ୍କ ଘର ଥିଲା।

ଆମ ଖୁସି ବେଶୀ ଦିନ ରହିଲା ନାହିଁ କାରଣ ଆମର କଷ୍ଟ ସମୟ ଚାଲିଥିଲା। ଖାଦ୍ୟ ଯୋଗାଡ଼ କରିବା ଏକ ସମସ୍ୟା ରୂପେ ଉଭା ହେଲା। ମୋ ଅଜାଙ୍କୁ ଯେଉଁ ୪୦ କିଲୋଗ୍ରାମ ରାସନ ମିଳୁଥିଲା ତାହା ଆମ ସମସ୍ତଙ୍କ ପାଇଁ ଯଥେଷ୍ଟ ନଥିଲା। ଅଧିକାଂଶ ଦିନ, ମୋ ଅଜା ଆମ ପେଟ ଭରିବା ପାଇଁ ନିଜେ ଖାଲି ପେଟରେ ଶୋଉଥିଲେ। ବ୍ୟତିବ୍ୟସ୍ତ ହୋଇ ସେ ଆମ ପେଟ ପୂରାଇବା ପାଇଁ ମନ୍ଦିରରୁ ପ୍ରସାଦମ୍ (ଅନ୍ନପ୍ରସାଦ) କିଣି ଆଣୁଥିଲେ। ଏହି ସମୟରେ ମଜୁରିଆ ଭାବେ କାମ କରିବାକୁ ଆମ୍ମା ନିଷ୍ପତ୍ତି ନେଲେ।

*****

ଆମ୍ମା ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢ଼ିଥିଲେ କାରଣ ତାଙ୍କୁ ପାଠ ପଢ଼ାଇବାକୁ ତାଙ୍କ ପରିବାର ପାଖରେ ଯଥେଷ୍ଟ ଟଙ୍କା ନଥିଲା। ଛୋଟ ଭାଇଭଉଣୀଙ୍କ ଦେଖାଶୁଣା କରିବାରେ ତାଙ୍କର ପିଲାଦିନ ବିତିଥିଲା ଏବଂ ୧୮ ବର୍ଷ ବୟସରେ ମୋ ବାପାଙ୍କ ସହ ତାଙ୍କର ବାହାଘର କରି ଦିଆଯାଇଥିଲା।

ପୋକ୍କାପୁରମ୍‌ଠାରୁ ୧୦ କିଲୋମିଟର ଦୂର ନୀଳଗିରିର ଗୁଡ଼ଲୁର୍‌ ବ୍ଲକ୍‌ ଅନ୍ତର୍ଗତ ସିଙ୍ଗାରା ନାମକ ଗାଁରେ ଥିବା ଏକ ବଡ଼ କଫି ଇଷ୍ଟେଟ୍‌ର କ୍ୟାଣ୍ଟିନ୍‌ ପାଇଁ ଆପ୍ପା ଜାଳେଣି କାଠ ସଂଗ୍ରହ କରୁଥିଲେ।

ଆମ ଅଞ୍ଚଳର ପ୍ରାୟ ପ୍ରତ୍ୟେକ ଲୋକ ସେଠାରେ କାମ କରୁଥିଲେ। ସେମାନେ ବାହା ହୋଇ ଆସିବା ପରେ ମୋ ମା’ ଆମର ଦେଖାଶୁଣା ପାଇଁ ଘରେ ରହିଲେ। ଅଲଗା ହେବା ପରେ, ସେ ଦିନ ମଜୁରିଆ ଭାବେ ସିଙ୍ଗାରା କଫି ଇଷ୍ଟେଟ୍‌ରେ କାମ କଲେ, ଦୈନିକ ମଜୁରି ୧୫୦ ଟଙ୍କା ଥିଲା।

Left: After quitting her work in the coffee estate, amma started working in her friends' vegetable garden.
PHOTO • K. Ravikumar
Right: Here, amma can be seen picking gourds
PHOTO • K. Ravikumar

ବାମ : କଫି ଇଷ୍ଟେଟରେ କାମ ଛାଡ଼ିବା ପରେ ଆମ୍ମା ତାଙ୍କ ସାଙ୍ଗର ପରିବା ବଗିଚାରେ କାମ ଆରମ୍ଭ କଲେ ଡାହାଣ : ଏଠାରେ ଆମ୍ମା ପୋଟଳ ତୋଳୁଛନ୍ତି

ସବୁଦିନ ସେ ସକାଳ ୭ଟାରେ କାମକୁ ଯାଆନ୍ତି, ଖରା ବର୍ଷାରେ ହାଡ଼ଭଙ୍ଗା ପରିଶ୍ରମ କରନ୍ତି। ମୁଁ ତାଙ୍କ ସହକର୍ମୀଙ୍କ ଠାରୁ ଶୁଣିଛି, ‘‘ସେ ମଧ୍ୟାହ୍ନ ଭୋଜନ ସମୟରେ ମଧ୍ୟ ବିଶ୍ରାମ ନିଅନ୍ତି ନାହିଁ।’’ ଏହି କାମରୁ ହେଉଥିବା ରୋଜଗାରରେ ସେ ପ୍ରାୟ ଆଠ ବର୍ଷ ଧରି ତାଙ୍କ ଘର ଚଳାଇଥିଲେ। ମୁଁ ଦେଖିଛି, ତାଙ୍କର କାମରୁ ଫେରିବା ବିଳମ୍ବ ହେଉଥିଲା, ବେଳେବେଳେ ସନ୍ଧ୍ୟା ସାଢ଼େ ୭ଟା ବାଜୁଥିଲା। ତାଙ୍କ ଶାଢ଼ି ସମ୍ପୂର୍ଣ୍ଣ ଓଦା ହୋଇଯାଉଥିଲା, ଥଣ୍ଡାରେ ସେ ଥରୁଥିଲେ ଏବଂ ତାଙ୍କ ପାଖରେ ଘୋଡ଼େଇ ହେବାକୁ କେବଳ ଖଣ୍ଡେ ତଉଲିଆ ଥିଲା। ସେମିତି ବର୍ଷା ଦିନେ ଆମ ଘର ଚାଳର ଅନେକ ଜାଗାରୁ ପାଣି ଗଳୁଥିଲା ଏବଂ ସେହି ପାଣିକୁ ସଂଗ୍ରହ କରିବା ପାଇଁ ସେ ବାସନ ଧରି ଘରର ଗୋଟିଏ କୋଣରୁ ଆଉ ଗୋଟିଏ କୋଣ ପର୍ଯ୍ୟନ୍ତ ଘୂରି ବୁଲୁଥିଲେ।

ମୁଁ ପ୍ରାୟତଃ ତାଙ୍କୁ ନିଆଁ ଜଳେଇବାରେ ସାହାଯ୍ୟ କରୁଥିଲି ଏବଂ ତା’ପରେ ପରିବାରର ସମସ୍ତେ ରାତି ୧୧ଟା ପର୍ଯ୍ୟନ୍ତ ନିଆଁ ପାଖରେ ବସି ପରସ୍ପର ସହ କଥା ହେଉଥିଲେ।

କେତେକ ରାତିରେ, ଆମେ ବିଛଣାରେ ଗଡ଼ିବା ସମୟରେ, ନିଦରେ ଶୋଇପଡ଼ିବା ପୂର୍ବରୁ ସେ ଆମକୁ ତାଙ୍କ ସଂଘର୍ଷର କାହାଣୀ କହୁଥିଲେ। ବେଳେବେଳେ ସେହି କଥାସବୁ ମନେ ପକାଇ ସେ କାନ୍ଦି ପକାଉଥିଲେ। ଯଦି ଆମେ ତାଙ୍କ କଥା ଶୁଣି କାନ୍ଦୁଥିଲୁ ତା’ହେଲେ ସେ ଆମ ମନ ଭୁଲାଇବାକୁ ତୁରନ୍ତ ଥଟ୍ଟାମଜା କରୁଥିଲେ। ଦୁନିଆରେ ଏମିତି କେହି ମା’ ଅଛନ୍ତି କି ଯିଏ ନିଜ ପିଲାକୁ କାନ୍ଦୁଥିବା ଦେଖି ସହିପାରିବେ?

Before entering the forest, amma likes to stand quietly for a few moments to observe everything around her
PHOTO • K. Ravikumar

ଜଙ୍ଗଲରେ ପ୍ରବେଶ କରିବା ପୂର୍ବରୁ , ଆମ୍ମା ନିଜ ପାଖରେ ସବୁକିଛି ଭଲ ଭାବେ ଅନୁଧ୍ୟାନ କରିବା ଲାଗି କିଛି ସମୟ ପାଇଁ ଶାନ୍ତ ହୋଇ ଛିଡ଼ା ହେଉଥିଲେ

ଘଟଣାକ୍ରମେ, ମସିନାଗୁଡ଼ିରେ ମୋ ମା’ଙ୍କ ନିଯୁକ୍ତିଦାତା ପରିଚାଳନା କରୁଥିବା ଶ୍ରୀ ଶାନ୍ତି ବିଜୟା ଉଚ୍ଚ ବିଦ୍ୟାଳୟରେ ମୁଁ ନାମ ଲେଖାଇଲି। ଏହି ବିଦ୍ୟାଳୟ ଶ୍ରମିକଙ୍କ ପିଲାମାନଙ୍କ ପାଇଁ ଥିଲା। ସେଠାକୁ ଯିବା କାରଗାର ଭଳି ଅନୁଭବ ହେଉଥିଲା। ମୁଁ କାକୁତିମିନତି ହେବା ସତ୍ତ୍ୱେ, ସେଠାକୁ ଯିବା ପାଇଁ ଆମ୍ମା ଜୋର ଦେଲେ। ଏପରିକି ମୁଁ ଜିଦ୍‌ ଧରିବାରୁ ସେ ମୋତେ ପିଟିଥିଲେ। ଶେଷରେ, ଆମେ ଅଜାଆଈଙ୍କ ଘରୁ ବାହାର ମୋ ବଡ଼ ଭଉଣୀ ଚିତ୍ରାଙ୍କ ଶାଶୁ ଘରକୁ ଆସିଲୁ, ଯାହା ଏକ ଦୁଇ ବଖୁରିଆ କୁଡ଼ିଆ ଥିଲା। ମୋ ସାନ ଭଉଣୀ କୁମାରୀ, ଜିଟିଆର ମାଧ୍ୟମିକ ବିଦ୍ୟାଳୟରେ ପାଠ ପଢ଼ା ଜାରି ରଖିଲା।

ମୋ ଭଉଣୀ ଶଶିକଲା ଦଶମ ଶ୍ରେଣୀ ପରୀକ୍ଷା ପାଇଁ ପାଠପଢ଼ା ଚାପ ସହ୍ୟ କରିନପାରି, ସ୍କୁଲ୍‌ ଛାଡ଼ିଦେଲା ଓ ଘର କାମରେ ମନୋନିବେଶ କଲା, ମୋ ମା’ଙ୍କୁ କିଛି ମାତ୍ରାରେ ଆଶ୍ୱସ୍ତି ମିଳିଲା। ଗୋଟିଏ ବର୍ଷ ପରେ, ଶଶିକଲା ଗୋଟିଏ ତିରୁପୁର ପୋଷାକ କମ୍ପାନୀରେ ଚାକିରି ପାଇଲା ଓ ବର୍ଷକୁ ଥରେ କିମ୍ବା ଦୁଇ ଥର ଘରକୁ ଆସୁଥିଲା। ପାଞ୍ଚ ବର୍ଷ ପର୍ଯ୍ୟନ୍ତ ଆମେ ତା’ର ୬,୦୦୦ ଟଙ୍କାର ମାସିକ ଦରମାରେ ଚଳିଲୁ। ଆମ୍ମା ଓ ମୁଁ ପ୍ରତି ତିନି ମାସରେ ଥରେ ତା’ ପାଖକୁ ଯାଉଥିଲୁ ଏବଂ ସେ ଆମକୁ ନିଜ ସଞ୍ଚିତ ଅର୍ଥ ଦେଉଥିଲା। ମୋ ଭଉଣୀ କାମ କରିବାର ଗୋଟିଏ ବର୍ଷ ପରେ ମୋ ମା’ କଫି ଇଷ୍ଟେଟ୍‌ରେ କାମ କରିବା ଛାଡ଼ିଦେଲେ। ସେ ମୋ ବଡ଼ ଭଉଣୀ ଚିତ୍ରାର ପିଲାଙ୍କ କଥା ଓ ଘର କଥା ବୁଝିବାରେ ଅଧିକାଂଶ ସମୟ ବିତାଉଥିଲେ।

ମୁଁ ଶ୍ରୀ ଶାନ୍ତି ବିଜୟା ହାଇସ୍କୁଲରୁ ଦଶମ ପର୍ଯ୍ୟନ୍ତ ପାଠପଢ଼ା ଶେଷ କଲି ଏବଂ ତା’ପରେ ଉଚ୍ଚ ମାଧ୍ୟମିକ ପାଠପଢ଼ା ପାଇଁ କୋଟାଗିରି ସରକାରୀ ବୋର୍ଡିଂ ସ୍କୁଲ୍‌କୁ ଚାଲିଗଲି। ମା’ ମୋର ଗୋବର ଘଷି ବିକ୍ରି କରି ମୋର ପାଠପଢ଼ା ଖର୍ଚ୍ଚ ତୁଲାଉଥିଲେ, ମୋତେ ଯଥାସମ୍ଭବ ସୁବିଧା ସୁଯୋଗ ଦେବା ପାଇଁ ବଦ୍ଧ ପରିକର ଥିଲେ।

ଆପ୍ପା ଯିବା ସମୟରେ ଆମ ଘରକୁ ନଷ୍ଟ କରି ଦେଇଥିଲେ ଏବଂ ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ କରି ଦେଇଥିଲେ। ବିନା ବିଦ୍ୟୁତରେ, ଆମେ ମଦ ବୋତଲରେ ତିଆରି କିରାସିନି ଡିବିରେ ଅଭ୍ୟସ୍ତ ହୋଇଯାଇଥିଲୁ। ଏହାପରେ ସେସବୁ ସ୍ଥାନରେ ଦୁଇଟି ସେମ୍ବୁ (ତମ୍ବା) ଡିବି ବ୍ୟବହାର କରାଗଲା। ଏସବୁ ଲଣ୍ଠନ ଦଶ ବର୍ଷ ଧରି ଆମ ଜୀବନକୁ ଆଲୋକିତ କରିଥିଲା। ଶେଷରେ ମୁଁ ଦ୍ୱାଦଶ ଶ୍ରେଣୀରେ ପଢ଼ିବା ସମୟରେ ଆମ ଘରକୁ ପୁଣି ବିଦ୍ୟୁତ ସଂଯୋଗ ଫେରିଥିଲା।

ପ୍ରଶାସନ ସହ ସଂଘର୍ଷ ଓ ବିଦ୍ୟୁତକୁ ନେଇ ନିଜ ଭୟକୁ ମୁକାବିଲା କରି ମୋ ମା’ଙ୍କୁ ଆମ ବିଦ୍ୟୁତ ସଂଯୋଗ ଫେରାଇ ଆଣିବା ପାଇଁ ଯଥେଷ୍ଟ ପରିଶ୍ରମ କରିବାକୁ ପଡ଼ିଥିଲା। ଏକାକୀ ଥିବା ସମୟରେ, ସେ ସବୁ ଲାଇଟ୍‌ ଲିଭାଇ ଦିଅନ୍ତି, କେବଳ ଲ୍ୟାମ୍ପ୍ ବ୍ୟବହାର କରନ୍ତି। ସେ ବିଦ୍ୟୁତକୁ କାହିଁକି ଏତେ ଡରୁଛନ୍ତି ବୋଲି ମୁଁ ଯେତେବେଳେ ତାଙ୍କୁ ପଚାରିଲି, ସେ ଶୁଣିଥିବା ଗୋଟିଏ ଘଟଣା ବିଷୟରେ ମନେ ପକାଇଥିଲେ ଯେଉଁଥିରେ ସିଙ୍ଗାରାର ଜଣେ ମହିଳାଙ୍କର ବିଦ୍ୟୁତ ଆଘାତରେ ପ୍ରାଣହାନି ଘଟିଥିଲା।

Left: Our old house twinkling under the stars.
PHOTO • K. Ravikumar
Right: Even after three years of having an electricity connection, there is only one light bulb inside our house
PHOTO • K. Ravikumar

ବାମ : ତାରାଭରା ଆକାଶ ତଳେ ଆମର ପୁରୁଣା ଘର ଚମକୁଛି ଡାହାଣ : ଘରେ ବିଦ୍ୟୁତ ସଂଯୋଗର ତିନି ବର୍ଷ ପରେ ମଧ୍ୟ ଆମ ଘର ଭିତରେ ମାତ୍ର ଗୋଟିଏ ଲାଇଟ୍ ବଲ୍ ବ୍ ରହିଛି

ଉଚ୍ଚ ଶିକ୍ଷା ପାଇଁ, ମୁଁ ଉଦଗମଣ୍ଡଲମ୍‌ (ଉଟୀ) ଜିଲ୍ଲା ମୁଖ୍ୟାଳୟରେ ଥିବା କଳା ମହାବିଦ୍ୟାଳୟରେ ନାମ ଲେଖାଇଲି। ମୋର କଲେଜ ପଢ଼ା ଶୁଳ୍କ ଦେବା ଏବଂ ପୁସ୍ତକ ଓ ପୋଷାକ କିଣିବା ପାଇଁ ମୋ ମା’ ଋଣ ନେଲେ। ଏସବୁ ଋଣ ପରିଶୋଧ କରିବା ଲାଗି, ସେ ଗୋଟିଏ ପରିବା କ୍ଷେତରେ କାମ କଲେ ଏବଂ ଶୁଖିଲା ଗୋବର ଘଷି ସଂଗ୍ରହ କଲେ। ପ୍ରଥମେ ପ୍ରଥମେ ସେ ମୋତେ ଟଙ୍କା ପଠାଉଥିଲେ କିନ୍ତୁ ମୁଁ ଖୁବଶୀଘ୍ର ଭୋଜନ ସେବା ଦେଉଥିବା ଗୋଟିଏ ସଂସ୍ଥାରେ ସାମୟିକ ଭାବେ କାମ କରି ନିଜ ଖର୍ଚ୍ଚ ଉଠାଇଲି ଓ ଘରକୁ କିଛି ଟଙ୍କା ପଠାଇଲି। ମୋ ମା’ଙ୍କୁ ଏବେ ୫୦ ବର୍ଷରୁ ଅଧିକ ହେବ ଏବଂ ସେ କେବେ କାହାକୁ ଆର୍ଥିକ ସହାୟତା ମାଗି ନାହାନ୍ତି। ଯାହା କାମ ମିଳୁ ସେ ସବୁବେଳେ କରିବାକୁ ପ୍ରସ୍ତୁତ ଥାଆନ୍ତି।

ମୋ ବଡ଼ ଭଉଣୀଙ୍କ ପିଲାମାନେ ଟିକିଏ ବଡ଼ ହେବା ପରେ, ମୋ ମା’ ତାଙ୍କୁ ଅଙ୍ଗନବାଡ଼ି ରେ ଛାଡ଼ି ଦେଇ ଜଙ୍ଗଲରେ ଥିବା ପଡ଼ିଆକୁ ଶୁଖିଲା ଗାଈ ଗୋବର ସଂଗ୍ରହ କରିବାକୁ ଚାଲି ଯାଉଥିଲେ। ସପ୍ତାହ ସାରା ଗୋବର ସଂଗ୍ରହ କରିବା ପରେ ତାହାକୁ ସେ ଗୋଟିଏ ବାଲ୍ଟିକୁ ୮୦ ଟଙ୍କାରେ ବିକ୍ରି କରୁଥିଲେ। ସକାଳ ୯ଟାରୁ ଯାଉଥିଲେ ଏବଂ ୪ଟା ବେଳକୁ ଘରକୁ ଫେରୁଥିଲେ। ମଧ୍ୟାହ୍ନ ଭୋଜନରେ କଦଳିପଡ଼ମ ( ଏକ କଣ୍ଟାଜାତୀୟ ଫଳ ) ଭଳି ଜଙ୍ଗଲୀ ଫଳ ଖାଇ ପେଟ ଭରୁଥିଲେ।

ଏତେ କମ୍‌ ଖାଇ ସେ କିପରି ସକ୍ରିୟ ରହିଥାନ୍ତି ବୋଲି ମୁଁ ଯେତେବେଳେ ପଚାରିଥିଲି, ସେ କହିଥିଲେ, ‘‘ମୋ ପିଲାଦିନେ, ମୁଁ ଯଥେଷ୍ଟ ମାଂସ, ସବୁଜ ପନିପରିବା ଏବଂ ଜଙ୍ଗଲ ଓ ବନାଞ୍ଚଳରୁ ମିଳୁଥିବା କନ୍ଦମୂଳ ଖାଇଥିଲି। ସେତେବେଳେ ମୁଁ ଯେଉଁ ଖାଦ୍ୟ ଖାଇଥିଲି ସେଥିପାଇଁ ଆଜି ସକ୍ରିୟ ରହିପାରିଛି।’’ ସେ ଜଙ୍ଗଲି ପତ୍ରଯୁକ୍ତ ପରିବାକୁ ବହୁତ ପସନ୍ଦ କରୁଥିଲେ! ମୁଁ ମୋ ମା’ଙ୍କୁ ଭାତ ପେଜ - କେବଳ ଲୁଣ ଓ ଗରମ ପାଣି ପିଇ ବଞ୍ଚିବାର ଦେଖିଛି ।

ଆଶ୍ଚର୍ଯ୍ୟର କଥା ହେଉଛି, ଆମ୍ମା କେବେ, ‘‘ମୋତେ ଭୋକ ଲାଗୁଛି’’ ବୋଲି କହିବାର ଶୁଣିଛି। ସେ ଆମକୁ, ଅର୍ଥାତ୍‌ ନିଜ ପିଲାମାନଙ୍କୁ ଖାଉଥିବାର ଦେଖିଲେ ସନ୍ତୁଷ୍ଟ ହୋଇଯାଇଥାଏ।

ଘରେ ଆମ ପାଖରେ ତିନିଟି କୁକୁର ଅଛନ୍ତି, ଡିୟା, ଡିଓ ଏବଂ ରାସାତୀ। ଏମାନଙ୍କ ବ୍ୟତୀତ ଛେଳିମାନେ ମଧ୍ୟ ଅଛନ୍ତି, ଚମଡ଼ାର ରଙ୍ଗ ଅନୁଯାୟୀ ପ୍ରତ୍ୟେକଙ୍କ ନାମକରଣ କରାଯାଇଛି । ସେମାନେ ମଧ୍ୟ ଆମ ଭଳି ଆମ ପରିବାରର ସଦସ୍ୟ। ଆମ୍ମା ଆମର ଯେମିତି ଯତ୍ନ ନିଅନ୍ତି ସେମାନଙ୍କର ମଧ୍ୟ ସେଭଳି ଦେଖାଶୁଣା କରିଥା’ନ୍ତି, ଆଉ ସେମାନେ ମଧ୍ୟ ତାଙ୍କ ଅନ୍ତହୀନ ସ୍ନେହର ପ୍ରତିଦାନ ଦେଇଥା’ନ୍ତି। ସବୁଦିନ ସକାଳେ, ସେ ସେମାନଙ୍କୁ ଖାଇବା ଓ ପିଇବାକୁ ଦିଅନ୍ତି। ଛେଳିମାନଙ୍କୁ ସେ ସବୁଜ ପତ୍ର ଓ ଗରମ ପେଜ ପିଇବାକୁ ଦିଅନ୍ତି।

Left: Amma collects and sells dry cow dung to the villagers. This helped fund my education.
PHOTO • K. Ravikumar
Right: The dogs and chickens are my mother's companions while she works in the house
PHOTO • K. Ravikumar

ବାମ : ଆମ୍ମା ଶୁଖିଲା ଗୋବର ସଂଗ୍ରହ କରି ଗାଁ ଲୋକଙ୍କୁ ବିକ୍ରି କରନ୍ତି ଏଥିରେ ମୋର ପାଠପଢ଼ା ଖର୍ଚ୍ଚ ଚଳୁଥିଲା ଡାହାଣ : ଘରେ କାମ କରିବା ସମୟରେ କୁକୁର କୁକୁଡ଼ା ମୋ ମା ଙ୍କ ସାଥୀ ଭାବେ ବୁଲୁଥାଆନ୍ତି

Left: Amma taking the goats into the forest to graze.
PHOTO • K. Ravikumar
Right: Amma looks after her animals as if they are her own children.
PHOTO • K. Ravikumar

ବାମ : ଆମ୍ମା ଛେଳିମାନଙ୍କୁ ଜଙ୍ଗଲକୁ ଚରେଇବାକୁ ନିଅନ୍ତି ଡାହାଣ : ଆମ୍ମା ଏହି ପ୍ରାଣୀମାନଙ୍କୁ ନିଜ ପିଲା ଭଳି ସ୍ନେହ କରିଥା ନ୍ତି

ମୋ ମା’ ଅତ୍ୟନ୍ତ ଧର୍ମପରାୟଣା। ଆମ ପାରମ୍ପରିକ ଦେବତାଙ୍କଠାରୁ ଜେଦାସାମୀ ଓ ଆୟାପ୍ପନଙ୍କ ଉପରେ ତାଙ୍କର ଗଭୀର ଆସ୍ଥା ରହିଛି। ସପ୍ତାହକୁ ଗୋଟିଏ ଥର ସେ ଆମ ଘରକୁ ଭଲ ଭାବେ ସଫାସୁତୁରା କରନ୍ତି ଏବଂ ଜେଦାସାମୀ ମନ୍ଦିରକୁ ଯାଆନ୍ତି, ଯେଉଁଠି ସେ ଏହି ଦେବତାଙ୍କ ଆଗରେ ନିଜ ଦୁଃଖ ଜଣାଇଥା’ନ୍ତି।

ମୋ ମା’ କେବେ ନିଜ ପାଇଁ ଶାଢ଼ୀ କିଣିଥିବାର ମୁଁ ଦେଖିନାହିଁ। ତାଙ୍କ ପାଖରେ ମୋଟ୍‌ ଆଠଟି ଶାଢ଼ୀ ରହିଛି, ସେସବୁ ମୋ ମାଇଁ କିମ୍ବା ବଡ଼ ଭଉଣୀ ତାଙ୍କୁ ଉପହାର ଦେଇଥିଲେ। ସେସବୁକୁ ସେ ବାରମ୍ବାର ପିନ୍ଧନ୍ତି, ତାଙ୍କର କୌଣସି ଅଭିଯୋଗ କିମ୍ବା ଆଶା ନଥାଏ।

ମୋ ପରିବାରରେ ସବୁବେଳେ ଝଗଡ଼ା ଲାଗି ରହୁଥିବାରୁ ଅଧିକାଂଶ ଗାଁ ଲୋକ ଆମ ବିଷୟରେ ଟୁପୁରୁଟାପୁରୁ ହେଉଥିଲେ। ଆମର ଦୈନିକ ସଂଘର୍ଷ ସତ୍ତ୍ୱେ ମୋ ଭାଇଭଉଣୀ ଓ ମୁଁ ଏତେ ଭଲରେ ରହୁଥିବା ଦେଖି ସେମାନେ ଏବେ ଚକିତ ହେଉଛନ୍ତି । ନିଜେ ବୋଝ ସହି ମଧ୍ୟ ଆମକୁ କୌଣସି ସମସ୍ୟାରେ ପକାଇ ନଦେଇ ଭଲ ଭାବେ ବଢ଼ାଇଥିବାରୁ ସେମାନେ ମୋ ମା’ଙ୍କୁ ଅଭିନନ୍ଦନ ଜଣାଉଛନ୍ତି ।

ପଛ କଥା ଭାବି ମୁଁ ଖୁସି ହୋଇଥାଏ ଯେ ମୋତେ ନପଠାଇବାକୁ ମୁଁ ଯେତେବେଳେ ବୀନତି କରିଥିଲି ଆମ୍ମା ମୋତେ ସ୍କୁଲ୍‌ ଯିବାକୁ ବାଧ୍ୟ କରିଥିଲେ। ଅତୀତକୁ ଫେରି ଚାହିଁଲେ, ଶ୍ରୀ ଶାନ୍ତି ବିଜୟା ହାଇସ୍କୁଲକୁ ପାଠ ପଢ଼ିବାକୁ ଯାଇଥିବାରୁ ମୁଁ ଖୁସି ହୁଏ। ଏହି ସ୍ଥାନରେ ମୁଁ ଇଂରାଜୀ ଶିଖିଥିଲି। ଯଦି ସେହି ସ୍କୁଲ୍‌ ଏବଂ ମା’ଙ୍କ ଜିଦ୍‌ ରହିନଥା’ନ୍ତା ତା’ହେଲେ ମୋର ଉଚ୍ଚ ଶିକ୍ଷା ସଂଘର୍ଷପୂର୍ଣ୍ଣ ହୋଇଥା’ନ୍ତା। ମୋ ଆମ୍ମା ମୋ ପାଇଁ ଯେତିକି କରିଛନ୍ତି ସେସବୁ ମୁଁ କେବେ ବି ସୁଝି ପାରିବି ନାହିଁ । ସାରା ଜୀବନ ମୁଁ ତାଙ୍କ ପ୍ରତି କୃତଜ୍ଞ ହୋଇ ରହିବି ।

ପ୍ରତ୍ୟେକ ଦିନ ସରିବା ପରେ, ଆମ୍ମା ଯେତେବେଳେ ଶେଷରେ ନିଜର ହାତପାଦ ପ୍ରସାରିତ କରି ଆରାମ କରିବାକୁ ସକ୍ଷମ ହୁଅନ୍ତି, ମୁଁ ତାଙ୍କ ପାଦ ଦୁଇଟିକୁ ଚାହିଁଥାଏ। ଯେକୌଣସି ପରିସ୍ଥିତିରେ ବି ଏହି ପାଦ ଦୁଇଟି ବର୍ଷ ବର୍ଷ ଧରି ପରିଶ୍ରମ କରିଛି। ଏପରିକି କାମରେ ତାଙ୍କୁ ଘଣ୍ଟା ଘଣ୍ଟା ପାଣିରେ ଛିଡ଼ା ହେବାକୁ ପଡ଼ିଥାଏ, ଯାହାକି ପ୍ରାୟତଃ ହୋଇଥାଏ, ତଥାପି ତାଙ୍କ ପାଦ ଏକାଧିକ ଫାଟ ଥିବା ଶୁଖିଲା ଅନୁର୍ବର ଜମି ଭଳି ଦେଖାଯାଏ । ସେହିସବୁ ଫାଟ ହିଁ ଆମକୁ ବଡ଼ କରିଛି ।

No matter how much my mother works in the water, her cracked feet look like dry, barren land
PHOTO • K. Ravikumar

ମୋ ମା’ ପାଣିରେ ଯେତେ ସମୟ କାମ କଲେ ମଧ୍ୟ ତାଙ୍କ ପାଦ ଏକାଧିକ ଫାଟ ଥିବା ଶୁଖିଲା ଅନୁର୍ବର ଜମି ଭଳି ଦେଖାଯାଏ

ଅନୁବାଦ : ଓଡ଼ିଶାଲାଇଭ୍‍

K. Ravikumar

Ravikumar. K is an aspiring photographer and documentary filmmaker living in Bokkapuram, a village in Tamil Nadu's Mudumalai Tiger Reserve. Ravi studied photography at Palani Studio, an initiative run by PARI photographer Palani Kumar. Ravi's wish is to document the lives and livelihoods of his Bettakurumba tribal community.

Other stories by K. Ravikumar
Editor : Vishaka George

Vishaka George is Senior Editor at PARI. She reports on livelihoods and environmental issues. Vishaka heads PARI's Social Media functions and works in the Education team to take PARI's stories into the classroom and get students to document issues around them.

Other stories by Vishaka George
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Other stories by OdishaLIVE