କାରଦଗା ଗାଁରେ ପିଲାଟିଏ ଜନ୍ମ ନେଲେ ପରିବାର ଲୋକମାନେ ପ୍ରଥମେ ସୋମକ୍କା ପୂଜାରୀଙ୍କୁ ସୂଚନା ଦିଅନ୍ତି। ପ୍ରାୟ ୯,୦୦୦ ଜନସଂଖ୍ୟା ବିଶିଷ୍ଟ ଏହି ଗାଁରେ ଥିବା ହାତଗଣତି କେତେଜଣ କାରୀଗରଙ୍କ ମଧ୍ୟରେ ସେ ଅନ୍ୟତମ ଯିଏକି ବର୍ତ୍ତମାନ ସୁଦ୍ଧା ମେଣ୍ଢା ଲୋମରୁ ଚୁଡ଼ି ତିଆରି କରିପାରୁଛନ୍ତି। ସ୍ଥାନୀୟ ଅଞ୍ଚଳରେ ଏହି ଆଭୂଷଣକୁ କଣ୍ଡା କୁହନ୍ତି ଏବଂ ସମସ୍ତେ ଏହାକୁ ଶୁଭ ବୋଲି ବିବେଚନା କରିଥା’ନ୍ତି। ନବଜାତ ଶିଶୁର କଚଟିରେ ଏହାକୁ ପିନ୍ଧାଇ ଦିଆଯାଏ।

‘‘ମେଣ୍ଢାମାନେ ପ୍ରାୟତଃ ଚାରଣ ଭୂମି ସନ୍ଧାନରେ ଗାଁକୁ ଗାଁ ଘୂରି ବୁଲନ୍ତି, ଖରାପ ପାଗର ସାମ୍ନା କରନ୍ତି ଓ ଭିନ୍ନ ଭିନ୍ନ ଲୋକଙ୍କୁ ଭେଟନ୍ତି,’’ ୫୦ ବର୍ଷରୁ ଅଧିକ ବୟସ୍କା ସୋମକ୍କା କୁହନ୍ତି । ମେଣ୍ଢାମାନଙ୍କୁ ଧୈର୍ଯ୍ୟର ପ୍ରତୀକ ଭାବେ ବିବେଚନା କରାଯାଇଥାଏ ଏବଂ ଏହାର ଲୋମରୁ ପ୍ରସ୍ତୁତ କଣ୍ଡା ଅଶୁଭ ଦୃଷ୍ଟିରୁ ରକ୍ଷା କରିଥାଏ ବୋଲି ବିଶ୍ୱାସ ରହିଛି।

ଧନଗର୍‌ ସମ୍ପ୍ରଦାୟର ମହିଳାମାନେ ପାରମ୍ପରିକ ଭାବେ ଏସବୁ ଚୁଡ଼ି ତିଆରି କରନ୍ତି। ବର୍ତ୍ତମାନ କାରଦଗାରେ ମାତ୍ର ଆଠଟି ଧନଗର ପରିବାର ଏହାକୁ ତିଆରି କରୁଛନ୍ତି । ‘‘ ନିମ୍ମଗୱାଲା ଘାତଲ ଆହେ (ମୁଁ ଏହି ଗାଁର ଅଧା ପିଲାଙ୍କୁ ଏଭଳି ଚୁଡ଼ି ପିନ୍ଧାଇ ଦେଇଛି,’’ ସୋମକ୍କା ମରାଠୀରେ କୁହନ୍ତି । ମହାରାଷ୍ଟ୍ର ସୀମାବର୍ତ୍ତୀ କର୍ଣ୍ଣାଟକର ବେଲଗାଭୀ ଜିଲ୍ଲା ଅଧୀନରେ କାରଦଗା ଗାଁ ରହିଛି, ତେଣୁ ସୋମକ୍କାଙ୍କ ଭଳି ଏଠାକାର ଅନେକ ବାସିନ୍ଦା ଉଭୟ କନ୍ନଡ଼ ଓ ମରାଠୀରେ କଥା ହୁଅନ୍ତି ।

‘‘ପ୍ରତ୍ୟେକ ଜାତି ଓ ଧର୍ମର ଲୋକମାନେ ଆମ ପାଖକୁ କଣ୍ଡା ନେବା ପାଇଁ ଆସନ୍ତି,’’ ସୋମକ୍କା କୁହନ୍ତି।

ପିଲାଦିନେ ସୋମକ୍କା ନିଜ ମା’ ସ୍ୱର୍ଗୀୟା କିସନା ବାଈ ବନ୍‌କରଙ୍କୁ କାରଦଗାରେ ଉତ୍କୃଷ୍ଟ କଣ୍ଡା ତିଆରି କରିଥିବା ଦେଖୁଥିଲେ। ସେ କୁହନ୍ତି, ‘‘ କଣ୍ଡା ତିଆରି କରିବା ପୂର୍ବରୁ ମେଣ୍ଢାଙ୍କ ଲୋମ (ଯାହାକୁ ଲୋକର ମଧ୍ୟ କୁହାଯାଏ)କୁ ଅତି ସତର୍କତାର ସହିତ ମା’ କେମିତି ବାଛୁଥିଲେ ତାହା ଜାଣିବା ଲାଗି ମୋର ବିଶେଷ ଆଗ୍ରହ ଥିଲା।’’ ତାଙ୍କ ମା’ ସବୁଠୁ ଚିକ୍କଣ ଲୋମଗୁଡ଼ିକୁ ବାଛୁଥିଲେ କାରଣ ସେଗୁଡ଼ିକୁ ଆକାର ଦେବା ସହଜ ଥିଲା। ପ୍ରଥମ ଥର କଟାଯାଉଥିବା ମେଣ୍ଢାଙ୍କ ଲୋମକୁ ବ୍ୟବହାର କରାଯାଏ କାରଣ ସେଗୁଡ଼ିକର ଆକାର ଖଦଡ଼ା ହୋଇଥାଏ। ‘‘ଶହେ ମେଣ୍ଢାଙ୍କ ମଧ୍ୟରୁ ମାତ୍ର ଗୋଟିଏ ମେଣ୍ଢାଠାରୁ ସଠିକ କିସମର କେଶ ମିଳିଥାଏ।’’

ସୋମକ୍କା ତାଙ୍କ ବାପା ସ୍ୱର୍ଗତ ଅପ୍ପାଜୀ ବନ୍‌କରଙ୍କଠାରୁ କଣ୍ଡା ତିଆରି ଶିଖିଥିଲେ। ସେତେବେଳେ ତାଙ୍କୁ ୧୦ ବର୍ଷ ହୋଇଥିଲା ଏବଂ ଏହାକୁ ଶିଖିବା ଲାଗି ତାଙ୍କୁ ଦୁଇ ମାସ ଲାଗିଥିଲା। ଚାରି ଦଶନ୍ଧି ପରେ, ସୋମକ୍କା ଏହି କାରୀଗରିକୁ ଜାରି ରଖିଛନ୍ତି । ତେବେ ଏହାର ଲୋକପ୍ରିୟତାକୁ ନେଇ ସେ ଚିନ୍ତା ପ୍ରକଟ କରି କୁହନ୍ତି : ‘‘ବର୍ତ୍ତମାନ ସମୟରେ ଯୁବ ମେଷପାଳକମାନେ ମେଣ୍ଢା ଚରାଉନାହାନ୍ତି। ମେଣ୍ଢା ଲୋମରେ ତିଆରି ହେଉଥିବା ଏହି ହସ୍ତଶିଳ୍ପ ବିଷୟରେ ସେମାନେ ଜାଣିବେ କେମିତି?’’

PHOTO • Sanket Jain
PHOTO • Sanket Jain

ବାମ : ସୋମକ୍କା କାରଦଗା ଗାଁରେ ଜଣେ ଶିଶୁର କଚଟିରେ ଗୋଟିଏ କଣ୍ଡା ବାନ୍ଧୁଛନ୍ତି ଡାହାଣ : ମେଣ୍ଢା ଲୋମ କାଟିବା ଲାଗି କାଥରଭୁନି ବା ଧାତବ କଇଁଚି ବ୍ୟବହାର କରାଯାଏ

PHOTO • Sanket Jain

ଅଶୁଭ ଦୃଷ୍ଟି ଦୂରେଇବା ପାଇଁ ପିନ୍ଧା ଯାଉଥିବା ଗୋଟିଏ ଯୋଡ଼ି କଣ୍ଡା ଦେଖାଉଛନ୍ତି ସୋମକ୍କା

ସୋମକ୍କା କୁହନ୍ତି, ‘‘ଗୋଟିଏ ମେଣ୍ଢାଠାରୁ ସାଧାରଣତଃ ଥରେ ଲୋମ କାଟିଲେ ୧-୨ କିଲୋ ଲୋକର ମିଳିଥାଏ।’’ ତାଙ୍କ ପରିବାର ପାଖରେ ଥିବା ମେଣ୍ଢାଙ୍କର ଲୋମ ବର୍ଷକୁ ଦୁଇଥର କଟା ହୁଏ। ପୁରୁଷମାନେ ସାଧାରଣତଃ ଦୀପାବଳି ଓ ବେନ୍ଦୁର (ଜୁନ ଓ ଅଗଷ୍ଟ ମାସ ମଧ୍ୟରେ ଷଣ୍ଢଙ୍କ ସମ୍ମାନରେ ପାଳନ କରାଯାଉଥିବା ଏକ ପର୍ବ) ସମୟରେ ମେଣ୍ଢା ଲୋମ କାଟନ୍ତି। ଏଥିରେ କାଥରଭୁନି ବା ପାରମ୍ପରିକ କଇଁଚି ବ୍ୟବହାର କରାଯାଏ। ମେଣ୍ଢାଙ୍କ ଲୋମ କାଟିବାକୁ ପ୍ରାୟ ୧୦ ମିନିଟ୍‌ ଲାଗିଥାଏ ଏବଂ ଏହା ସାଧାରଣତଃ ସକାଳ ବେଳା କରାଯାଇଥାଏ। ପ୍ରତ୍ୟେକ ଲୋମର ଗୁଣବତ୍ତା ଯାଞ୍ଚ କରାଯାଏ ଏବଂ ଖରାପ ହୋଇଯାଇଥିବା ଲୋମକୁ ବାହାର କରି ଦିଆଯାଏ।

ଗୋଟିଏ କଣ୍ଡା ତିଆରି କରିବା ଲାଗି ସୋମକ୍କାଙ୍କୁ ୧୦ ମିନିଟ୍‌ ଲାଗିଥାଏ। ଦୀପାବଳି ୨୦୨୩ ସମୟରେ କଟା ହୋଇଥିବା ଲୋକର କୁ ବର୍ତ୍ତମାନ ସୋମକ୍କା ବ୍ୟବହାର କରୁଛନ୍ତି - ‘‘ମୁଁ ଏହାକୁ ନବଜାତଙ୍କ ପାଇଁ ସୁରକ୍ଷିତ ଭାବେ ସାଇତି ରଖିଥିଲି,’’ ସେ କୁହନ୍ତି।

ଲୋମକୁ ଆକାର ଦେବା ପୂର୍ବରୁ, ସୋମକ୍କା ସେଥିରୁ ଧୂଳି ଓ ଅନ୍ୟାନ୍ୟ ଅଶୁଦ୍ଧ ସାମଗ୍ରୀ ବାହାର କରି ଦେଇଥା’ନ୍ତି। ସେ ଲୋମକୁ ଟାଣି ଗୋଲ୍‌ ଆକାର ଦିଅନ୍ତି, ନବଜାତର କଚଟି ହିସାବରେ କଣ୍ଡା ର ଆକାର ନିର୍ଦ୍ଧାରିତ କରନ୍ତି। ଗୋଲାକାର ଢାଞ୍ଚା ପ୍ରସ୍ତୁତ ହୋଇଯିବା ପରେ ସେ ତା’କୁ ନିଜର ଦୁଇ ହାତ ପାପୁଲିରେ ରଗଡ଼ିଥା’ନ୍ତି। ଘର୍ଷଣରୁ ତାହା ଅଧିକ ମଜବୁତ ହୋଇଯାଏ।

ସୋମକ୍କା ଏହି ଗୋଲାକାର ଢାଞ୍ଚାକୁ କିଛି ସେକେଣ୍ଡ ବ୍ୟବଧାନରେ ପାଣି ବୁଡ଼ାଇଥା’ନ୍ତି। ‘‘ଆପଣ ଯେତେ ଅଧିକ ପାଣି ଦେବେ, ଢାଞ୍ଚା ସେତେ ଅଧିକ ମଜବୁତ ହେବ,’’ ସେ କୁହନ୍ତି । ଏହା କହି ସେ ଗୋଟିଏ ଲୋମକୁ ଦକ୍ଷତାପୂର୍ବକ ଟାଣନ୍ତି ଏବଂ ଫ୍ରେମକୁ ନିଜ ହାତ ପାପୁଲିରେ ମଳି ଚାଲିଥା’ନ୍ତି।

‘‘ବର୍ଷେରୁ ୩ ବର୍ଷ ବୟସର ପିଲାମାନେ ଏହି ଚୁଡ଼ି ପିନ୍ଧନ୍ତି’’, ସେ କୁହନ୍ତି । ଗୋଟିଏ ଯୋଡ଼ି କଣ୍ଡା ତିନି ବର୍ଷ ପର୍ଯ୍ୟନ୍ତ ଚାଲିଥାଏ। ଏହି ସମ୍ପ୍ରଦାୟର ଲୋକମାନେ ଏହିସବୁ ଚୁଡ଼ି ତିଆରି କରିବା ବ୍ୟତୀତ ଗୃହପାଳିତ ପ୍ରାଣୀମାନଙ୍କୁ ଚରେଇ ଥା’ନ୍ତି ଓ କ୍ଷେତବାଡ଼ି କଥା ବୁଝନ୍ତି। ଧନଗରମାନେ ମହାରାଷ୍ଟ୍ରରେ ଏକ ଯାଯାବର ସମ୍ପ୍ରଦାୟ ଏବଂ କର୍ଣ୍ଣାଟକରେ ଅନ୍ୟାନ୍ୟ ପଛୁଆ ବର୍ଗ ଭାବେ ତାଲିକାଭୁକ୍ତ ହୋଇଛନ୍ତି ।

PHOTO • Sanket Jain
PHOTO • Sanket Jain

ସୋମକ୍କା ସଫା ମେଣ୍ଢା ଲୋମକୁ ଦୁଇ ହାତ ପାପୁଲିରେ ରଗଡ଼ି ଏହାକୁ ଆକାର ଦିଅନ୍ତି

PHOTO • Sanket Jain
PHOTO • Sanket Jain

ସେ ଗୋଲାକାର କଣ୍ଡା କୁ ପାଣିରେ ବୁଡ଼ାଇ ଅଧିକ ଦୃଢ଼ କରନ୍ତି ଏବଂ ତା’ପରେ ଅତିରିକ୍ତ ପାଣିକୁ ବାହାର କରି ଦିଅନ୍ତି

ସୋମକ୍କାଙ୍କ ସ୍ୱାମୀ ବାଲୁ ପୂଜାରୀ ମାତ୍ର ୧୫ ବର୍ଷ ବୟସରୁ ମେଷ ପାଳକ ଭାବେ କାମ ଆରମ୍ଭ କରିଥିଲେ। ବର୍ତ୍ତମାନ ୬୨ ବର୍ଷ ବୟସରେ ସେ ବୟସାଧିକ୍ୟ କାରଣରୁ ଗୃହପାଳିତ ପ୍ରାଣୀଙ୍କୁ ଚରେଇବା ଛାଡ଼ି ଦେଇଛନ୍ତି । ବର୍ତ୍ତମାନ ସେ ଜଣେ ଚାଷୀ ଭାବେ ଗାଁରେ ଥିବା ନିଜର ଦୁଇ ଏକର ଜମିରେ ଆଖୁ ଚାଷ କରୁଛନ୍ତି ।

ସୋମକ୍କାଙ୍କର ବଡ଼ ପୁଅ ମାଲୁ ପୂଜାରୀ (୩୪) ଏବେ ଗୃହପାଳିତ ପ୍ରାଣୀଙ୍କୁ ଚରେଇବା ଦାୟିତ୍ୱ ନେଇଛନ୍ତି । ବାଲୁ କୁହନ୍ତି ତାଙ୍କ ପୁଅ ୫୦ରୁ କମ୍‌ ମେଣ୍ଢା ଓ ଛେଳିଙ୍କୁ ଚରେଇ ଥାଏ। ‘‘ଦୁଇ ଦଶନ୍ଧି ପୂର୍ବରୁ, ଆମ ପରିବାର ୨୦୦ରୁ ଅଧିକ ଗୃହପାଳିତ ପଶୁ ରଖିଥିଲା ଓ ଚରାଉଥିଲା,’’ ପୁରୁଣା ଦିନ କଥା ମନେ ପକାଇ ସେ କୁହନ୍ତି। କାରଦଗା ଆଖପାଖରେ ଚାରଣ ଭୂମି ଅଭାବରୁ ମୁଖ୍ୟତଃ ଏମାନଙ୍କ ସଂଖ୍ୟା କମିଯାଇଛି ।

ମେଣ୍ଢା ପଲଙ୍କ ସଂଖ୍ୟା ହ୍ରାସ ପାଇବା କାରଣରୁ ପ୍ରଥମ ଥର କଟା ହେବାକୁ ଥିବା ମେଣ୍ଢା ମିଳିବା କଷ୍ଟକର ହୋଇଯାଉଛି। ଏହାଦ୍ୱାରା ଗାଁରେ କଣ୍ଡା ମିଳିପାରୁନାହିଁ ।

ସୋମକ୍କାଙ୍କର ମନେ ଅଛି ସେ ମେଣ୍ଢା ଓ ଛେଳି ଚରେଇବା ପାଇଁ ବାଲୁଙ୍କ ସହିତ ଦୈନିକ ଯାତ୍ରା କରୁଥିଲେ। ଏହି ଦମ୍ପତି ଏଠାରୁ ୧୫୧ କିଲୋମିଟର ଦୂର କର୍ଣ୍ଣାଟକର ବୀଜାପୁର ଏବଂ ୨୨୭ କିଲୋମିଟର ଦୂର ମହାରାଷ୍ଟ୍ରର ସୋଲାପୁର ପର୍ଯ୍ୟନ୍ତ ପଦଯାତ୍ରା କରିଥିଲେ। ‘‘ଆମେ ଏତେ ବୁଲୁଥିଲୁ ଯେ ପଡ଼ିଆ ଆମର ଘର ପାଲଟିଯାଉଥିଲା,’’ ଗୋଟିଏ ଦଶନ୍ଧି ପୂର୍ବରୁ ନିଜ ଜୀବନ ବିଷୟରେ ସୋମକ୍କା କୁହନ୍ତି । ‘‘ସବୁଦିନ ମୋର ଖୋଲା ପଡ଼ିଆରେ ଶୋଇବାର ଅଭ୍ୟାସ ଥିଲା। ଆମ ମୁଣ୍ଡ ଉପରେ ଜହ୍ନ ଓ ତାରା ଦେଖୁଥିଲୁ। ଚାରି କାନ୍ଥ ଦ୍ୱାରା ସୁରକ୍ଷିତ ଘର ଭଳି ଆମ ପାଖରେ କିଛି ନଥିଲା।’’

କାରଦଗା ଓ ଏହାର ଆଖପାଖ ୧୦ କିଲୋମିଟରରୁ ଅଧିକ ଦୂର କିଛି ଗାଁର ଚାଷ ଜମିରେ ସୋମକ୍କା କାମ କରୁଥିଲେ। ସବୁଦିନ ସେ ପାଦରେ ଚାଲି ଚାଲି ଯାଉଥିଲେ ଏବଂ ସେ ‘‘କୂଅ ମଧ୍ୟ ଖୋଳିଛନ୍ତି ଓ ପଥର ବି ଉଠାଇଛନ୍ତି।’’ ୧୯୮୦ ଦଶକରେ ତାଙ୍କୁ କୂଅ ଖୋଳିବା ପାଇଁ ୨୫ ପଇସା ମିଳୁଥିଲା। ‘‘ସେତେବେଳେ ଗୋଟିଏ କିଲୋଗ୍ରାମ ଚାଉଳ ଦାମ୍‌ ୨ ଟଙ୍କା ଥିଲା,’’ ସେ କୁହନ୍ତି ।

PHOTO • Sanket Jain

ସୋମାକ୍କା ଏବଂ ତାଙ୍କ ସ୍ୱାମୀ ବାଲୁ ସେମାନଙ୍କ ମେ ଣ୍ଢା ଓ ଛେଳି ଚରାଇବା ପାଇଁ ଘରୁ ଶହ ଶହ କିଲୋମିଟର ଦୂର ଦୁର୍ଗମ ଅଞ୍ଚଳ ଦେଇ ଯାତ୍ରା କରିଛନ୍ତି

PHOTO • Sanket Jain
PHOTO • Sanket Jain

ଧନଗର ସମ୍ପ୍ରଦାୟର ମହିଳାଙ୍କ ଦ୍ୱାରା ବୁଣିବା ଲାଗି ବ୍ୟବହୃତ ଏକ ପାରମ୍ପରିକ ଉପକରଣ। ଡାହାଣ : କଣ୍ଟା ସାହାଯ୍ୟରେ ଗୋଟିଏ ପିତ୍ତଳ ବାସନ ଉପରେ ଖୋଦେଇ ହୋଇଥିବା ପକ୍ଷୀର ଚିତ୍ର। ବାଲୁ ପୂଜାରୀ କୁହନ୍ତି, ‘ଏହା କରିବାକୁ ମୋତେ ଭଲ ଲାଗେ, ଏ ବାସନଟି ମୋର ବୋଲି ଏହା ଏକ ପ୍ରତୀକ’

ହାତରେ କଣ୍ଡା ତିଆରି କରିବା ହୁଏତ’ ଆଖିକୁ ସରଳ ଲାଗିପାରେ, କିନ୍ତୁ ଏଥିରେ ଅନେକ ଆହ୍ୱାନ ସାମିଲ ରହିଛି। ଲୋମ ପ୍ରାୟତଃ ନିର୍ମାତାଙ୍କ ନାକ ଓ ପାଟିରେ ପଶିଯାଏ, ଫଳରେ କାଶ ଓ ଛିଙ୍କ ହୁଏ। ତା’ଛଡ଼ା କାମର ମାଗଣା ପ୍ରକୃତି - କିଛି ଟଙ୍କା ମିଳିନଥାଏ - ଏବଂ ଚାରଣ ଭୂମି ହ୍ରାସ ପାଇବା କାରଣରୁ ଏହି ହସ୍ତଶିଳ୍ପ ଗୁରୁତର ଭାବେ ପ୍ରଭାବିତ ହୋଇଛି।

ନବଜାତ ଶିଶୁ ହାତରେ କଣ୍ଡା ବାନ୍ଧିବାର ସମାରୋହ ପରେ ସୋମକ୍କାଙ୍କୁ ସାଧାରଣତଃ ହଳଦ-କୁଙ୍କୁ (ହଳଦୀ-ସିନ୍ଦୁର), ଟୋପି (ପାରମ୍ପରିକ ଟୋପି), ପାନ୍‌ (ପାନ ପତ୍ର), ସୁପାରୀ (ଗୁଆ), ଝମ୍ପର (ବ୍ଲାଉଜ୍‌ କପଡ଼ା), ଶାଢ଼ୀ, ନାରଲ (ନଡ଼ିଆ) ଓ ଟାୱଲ (ତଉଲିଆ) ମିଳିଥାଏ। ‘‘କିଛି ପରିବାର ଅଳ୍ପ କେତେ ଟଙ୍କା ମଧ୍ୟ ଦେଇଥାନ୍ତି,’’ ସୋମକ୍କା କୁହନ୍ତି, କିନ୍ତୁ ସେ କେବେ କାହାଠାରୁ କିଛି ମାଗନ୍ତି ନାହିଁ । ‘‘ଏହି କଳାର ଉଦ୍ଦେଶ୍ୟ କେବେ ହେଲେ ଟଙ୍କା ରୋଜଗାର ନଥିଲା।

ଆଜିକାଲି କିଛି ଲୋକ କଳା ସୂତାରେ ମେଣ୍ଢା ଲୋମ ମିଶାଇ ଏହାକୁ ମେଳାରେ ୧୦ ଟଙ୍କାରେ କଣ୍ଡା ଆକାରରେ ବିକ୍ରି କରିଦେଇଥା’ନ୍ତି। ସୋମକ୍କାଙ୍କ ସାନ ପୁଅ ୩୦ ବର୍ଷ ବୟସ୍କ ରାମଚନ୍ଦ୍ର କୁହନ୍ତି, ‘‘ଅସଲି କଣ୍ଡା ମିଳିବା କଷ୍ଟ ହେଲାଣି।’’ ରାମଚନ୍ଦ୍ର ଗାଁର ମନ୍ଦିରରେ ପୂଜାରୀ ଅଛନ୍ତି ଏବଂ ନିଜ ପିତାଙ୍କ ସହିତ ଚାଷ କାମ ମଧ୍ୟ କରନ୍ତି।

PHOTO • Sanket Jain
PHOTO • Sanket Jain

ବାମ : ବାଲୁ ଓ ସୋମକ୍କା ପୂଜାରୀଙ୍କ ପରିବାର ଛଅ ପିଢ଼ି ଧରି କାରଦଗାରେ ରହି ଆସୁଛନ୍ତି । ଡାହାଣ : ପୂଜାରୀ ପରିବାର ସହ ଜଡ଼ିତ ଏକ ପାରମ୍ପରିକ ଘୋଙ୍ଗଡ଼ି ଯାହାକି ମେଣ୍ଢା ଲୋମରେ ତିଆରି ହୋଇଥିବା ଏକ କମ୍ବଳ

ସୋମକ୍କାଙ୍କ ଝିଅ ୨୮ ବର୍ଷ ବୟସ୍କା ମହାଦେବୀ ତାଙ୍କଠାରୁ ଏହି କଳା ଶିଖିଛନ୍ତି। ସୋମକ୍କା କୁହନ୍ତି, ‘‘ଏବେ ବହୁତ କମ୍‌ ଲୋକ ଏଥିରେ ଆଗ୍ରହୀ ଅଟନ୍ତି।’’ ଏକଦା ଧନଗର ସମ୍ପ୍ରଦାୟର ଅଧିକାଂଶ ମହିଳା କଣ୍ଡା ତିଆରି କରିବା ଜାଣିଥିଲେ ବୋଲି ସେ କୁହନ୍ତି।

ଲୋକର (ମେଣ୍ଢା ଲୋମ)କୁ ଜଙ୍ଘରେ ରଗଡ଼ିରୁ ସୂତା କେମିତି ତିଆରି କରାଯାଏ ତାହା ମଧ୍ୟ ସୋମକ୍କା ଜାଣନ୍ତି। ବାରମ୍ବାର ଘର୍ଷଣ ଯୋଗୁଁ ତ୍ୱଚା ପୋଡ଼ିଥାଏ, ଏହି କାରଣରୁ କିଛି ଲୋକ ଏପରି ବୁଣିବା ଲାଗି କାଠ ଚରଖା ବ୍ୟବହାର କରନ୍ତି । ତାଙ୍କ ପରିବାର ସଙ୍ଗର୍‌ ସମ୍ପ୍ରଦାୟକୁ ବୁଣା ହୋଇଥିବା ଲୋକର ବିକ୍ରି କରୁଥିଲା। ଏହି ସମ୍ପ୍ରଦାୟ ମେଣ୍ଢା ଲୋମରୁ କମ୍ବଳ ବା ଘୋଙ୍ଗଡ଼ି ତିଆରି କରିବା ଲାଗି ପ୍ରସିଦ୍ଧ। ଏସବୁ କମ୍ବଳ ଗ୍ରାହକମାନଙ୍କୁ ୧,୦୦୦ରୁ ଅଧିକ ଟଙ୍କାରେ ବିକ୍ରି ହେଉଥିବା ବେଳେ, ସୋମକ୍କା ବୁଣିଥିବା ସୂତାକୁ କିଲୋ ପ୍ରତି ମାତ୍ର ୭ ଟଙ୍କାରେ ବିକ୍ରି କରନ୍ତି।

କୋହ୍ଲାପୁରର ପଟ୍ଟନ କୋଡ଼ୋଲି ଗ୍ରାମରେ ପ୍ରତି ବର୍ଷ ଅକ୍ଟୋବରରୁ ଡିସେମ୍ବର ମଧ୍ୟରେ ଆୟୋଜନ କରାଯାଉଥିବା ବିଠଲ ବୀରଦେବ ଯାତ୍ରାରେ ଏସବୁ ସୂତା ବିକ୍ରି ହୁଏ। ଏହି ଯାତ୍ରା ପୂର୍ବ ଦିନଗୁଡ଼ିକରେ ସୋମକ୍କା ଘଣ୍ଟା ଘଣ୍ଟା ଧରି କାମ କରନ୍ତି, ଯାତ୍ରା ଆରମ୍ଭ ହେବା ପୂର୍ବରୁ ଅତିକମ୍‌ରେ ୨,୫୦୦ ସୂତା ଗଣ୍ଠିଲି ବୁଣନ୍ତି । ‘‘ଏହି କାରଣରୁ ମୋର ଗୋଡ଼ ପ୍ରାୟତଃ ଫୁଲିଯାଏ,’’ ସେ କୁହନ୍ତି । ପ୍ରାୟ ୧୦ କିଲୋ ଓଜନର ସୂତା ଥିବା ଝୁଡ଼ି ମୁଣ୍ଡେଇ ନେଇ ସୋମକ୍କା ୧୬ କିଲୋମିଟର ପାଦରେ ଚାଲି ଚାଲି ଯାତ୍ରା ସ୍ଥାନରେ ପହଞ୍ଚନ୍ତି ଏବଂ ଏସବୁ ବିକ୍ରି କରି ତାଙ୍କୁ ମାତ୍ର ୯୦ ଟଙ୍କା ମିଳିଥାଏ।

ଏତେ କଠିନ ପରିଶ୍ରମ ସତ୍ତ୍ୱେ, କଣ୍ଡା ତିଆରି କରିବା ଲାଗି ସୋମକ୍କାଙ୍କର ଆଗ୍ରହ କମି ନାହିଁ । ‘‘ଏହି ପରମ୍ପରାକୁ ଜୀବିତ ରଖିଥିବାରୁ ମୁଁ ଗର୍ବିତ,’’ ସେ କୁହନ୍ତି । ସେ ତାଙ୍କ କପାଳରେ ୱଣ୍ଡାରା (ହଳଦୀ) ଲଗାଇଛନ୍ତି। ‘‘ମୁଁ ପଡ଼ିଆରେ ଜନ୍ମ ନେଇଥିଲି, ମୋ ଚାରି ପାଖରେ ଛେଳି ଓ ମେଣ୍ଢା ଥିଲେ,’’ ସୋମକ୍କା କୁହନ୍ତି, ସେ ଆହୁରି ଦର୍ଶାଇଥାନ୍ତି ଯେ ‘‘ଆଉ ମୁଁ ମଲା ପର୍ଯ୍ୟନ୍ତ ଏହି କଳାକୁ ଜୀବିତ ରଖିବି।’’

ଏ କାହାଣୀ ସଙ୍କେତ ଜୈନଙ୍କ ଦ୍ୱାରା ଗ୍ରାମୀଣ କାରୀଗରଙ୍କ ଉପରେ ରଚିତ ଏକ ଅଧ୍ୟାୟର ଅଂଶବିଶେଷ ଅଟେ ଏବଂ ମୃଣାଳିନୀ ମୁଖାର୍ଜୀ ଫାଉଣ୍ଡେସନ ଏଥିପାଇଁ ସହଯୋଗ ଯୋଗାଇ ଦେଇଛି।

ଅନୁବାଦ: ଓଡ଼ିଶାଲାଇଭ୍‍

Sanket Jain

Sanket Jain is a journalist based in Kolhapur, Maharashtra. He is a 2022 PARI Senior Fellow and a 2019 PARI Fellow.

Other stories by Sanket Jain
Editor : Dipanjali Singh

Dipanjali Singh is an Assistant Editor at the People's Archive of Rural India. She also researches and curates documents for the PARI Library.

Other stories by Dipanjali Singh
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Other stories by OdishaLIVE