‘‘ ବିଜୁ (ନୂଆ ବର୍ଷର ପର୍ବ) ସମୟରେ ଆମେ ସମସ୍ତେ ସକାଳୁ ଶୀଘ୍ର ଉଠି ଫୁଲ ତୋଳିବାକୁ ଚାଲିଯାଉ। ତା’ପରେ ଆମେ ଫୁଲଗୁଡ଼ିକୁ ନଦୀରେ ଭସାଇ ଦେଇ ବୁଡ଼ ପକାଉ। ଏହାପରେ ଆମେ ଗାଁର ପ୍ରତ୍ୟେକ ଘରକୁ ଯାଉ ଏବଂ ଲୋକମାନଙ୍କୁ ଭେଟି ଅଭିନନ୍ଦନ ଜଣାଇଥାଉ,’’ ଜୟା କୁହନ୍ତି। ଅର୍ଦ୍ଧଶତାବ୍ଦୀରୁ ଅଧିକ ସମୟ ବିତିସାରିଛି, କିନ୍ତୁ ସେହି ଦିନଗୁଡ଼ିକୁ ନେଇ ତାଙ୍କର ସ୍ମୃତି ଏବେ ସୁଦ୍ଧା ସ୍ପଷ୍ଟ ରହିଛି।

‘‘ଆମେ ମୁଠାଏ ଚାଉଳ (ସୌଭାଗ୍ୟର ପ୍ରଦର୍ଶନ ରୂପରେ) ଉପହାର ଦେଉ ଏବଂ ଏହା ବଦଳରେ ସବୁ ଘରୁ ଆମକୁ ଲାଙ୍ଗି (ଚାଉଳରେ ପ୍ରସ୍ତୁତ ମଦ) ମିଳିଥାଏ। ପ୍ରତ୍ୟେକ ଘରୁ ମାତ୍ର କିଛି ଢୋକ ପାନୀୟ ମିଳେ, କିନ୍ତୁ ଆମେ ଏତେ ଘର ବୁଲୁ ଯେ ଶେଷ ବେଳକୁ ଆମେ ସମସ୍ତେ ନିଶାରେ ଥାଉ,’’ ସେ କୁହନ୍ତି। ଆହୁରି, ‘‘ସେହି ଦିନ ଗାଁରେ ଯୁବବର୍ଗ ସମ୍ମାନ ପ୍ରଦର୍ଶନ ଉଦ୍ଦେଶ୍ୟରେ ବଡ଼ମାନଙ୍କୁ ନଦୀ ପାଣିରେ ଗାଧୋଇ ଦିଅନ୍ତି।’’ ବାର୍ଷିକ ଉତ୍ସବର ସ୍ମୃତିରେ ଜୟାଙ୍କ ମୁଖମଣ୍ଡଳ ଚମକି ଉଠେ।

ବର୍ତ୍ତମାନ, ଅନ୍ତର୍ଜାତୀୟ ସୀମା ଆରପଟେ ଏବଂ ସେହି ଘରଠାରୁ ଶତାଧିକ କିଲୋମିଟର ଦୂରରେ, ଯେଉଁ ସ୍ମୃତି ଏବେ ବି ଉଜ୍ଜୀବିତ ରହିଛି ତାହା ହେଉଛି ଲାଙ୍ଗି। ଏହା ଏମିତି ଏକ ସୂତ୍ର ଯାହା ଅନେକ ଶରଣାର୍ଥୀଙ୍କୁ ସେମାନଙ୍କ ଚକମା ସମ୍ପ୍ରଦାୟର ରୀତିନୀତି ଓ ପ୍ରଥା ସହ ଯୋଡ଼ିଥାଏ। ବାଂଲାଦେଶର ରଙ୍ଗମାଟିରେ ବଡ଼ ହୋଇଥିବା ଜୟା କୁହନ୍ତି, ‘‘ଏହା ଆମ ସଂସ୍କୃତିର ଅଭିନ୍ନ ଅଙ୍ଗ ଅଟେ।’’ ଏହି ଅଞ୍ଚଳର ଅନ୍ୟ ଜନଜାତି ମଧ୍ୟ ରୀତିନୀତି ଓ ପ୍ରସାଦରେ ଲାଙ୍ଗିର ଉପଯୋଗ କରିଥା’ନ୍ତି।

‘‘ମୋ ବାପା-ମା’ଙ୍କ ଠାରୁ ଦେଖି ଦେଖି ମୁଁ ଏହାକୁ (ଲାଙ୍ଗି) ତିଆରି କରିବା ଶିଖିଥିଲି। ମୁଁ ବାହା ହୋଇଯିବା ପରେ, ମୋ ସ୍ୱାମୀ ସୁରେନ୍‌ ଏବଂ ମୁଁ ମିଶି ଏହାକୁ ତିଆରି କରିବା ଆରମ୍ଭ କରିଦେଲୁ,’’ ସେ କୁହନ୍ତି। ଅନ୍ୟ ତିନି ପ୍ରକାର ବିୟର୍‌ - ଲାଙ୍ଗି, ମୋଦ୍‌ ଜୋଗୋରା କେମିତି ତିଆରି କରିବାକୁ ହୁଏ ତାହା ଏହି ଦମ୍ପତି ଜାଣନ୍ତି।

ଜୋଗୋରାକୁ ମଧ୍ୟ ଭାତରୁ ତିଆରି କରାଯାଏ ଯାହାକି ଚୈତ୍ର ମାସର (ବଙ୍ଗଳା ପଞ୍ଜିକାରେ ବର୍ଷର ଅନ୍ତିମ ମାସ) ପ୍ରଥମ ଦିନରୁ ଆରମ୍ଭ ହୁଏ । ‘‘ଆମେ ବିରୋଇନଚାଲ୍‌ (ଏକ ପତଳା ଅଠାଳିଆ ଚାଉଳ) ବ୍ୟବହାର କରୁ ଏବଂ ଏହାକୁ ପାଣିଆ କରିବା ଲାଗି ଅନେକ ସପ୍ତାହ ଧରି ବାଉଁଶରେ ପଚାଇ ଥାଉ। ଏବେ ଆମେ ପ୍ରାୟତଃ ଆଉ ଜୋଗୋରା ତିଆରି କରୁନାହୁଁ,’’ ଜୟା କୁହନ୍ତି। କାରଣ ଏହାକୁ ମଦରେ ପରିଣତ କରିବା ଲାଗି ଅତିକମ୍‌ରେ ଗୋଟିଏ ମାସ ଲାଗିଥାଏ, ତା’ଛଡ଼ା ଚାଉଳ ଦାମ୍‌ ମଧ୍ୟ ଏବେ ଅଧିକ ହେଲାଣି। ‘‘ପୂର୍ବରୁ ଆମେ ଝୁମ୍‌ (ପାର୍ବତ୍ୟ କୃଷି)ରେ ଏହି ଧାନ ଅମଳ କରୁଥିଲୁ, କିନ୍ତୁ ଏବେ ଏହାକୁ ଚାଷ କରିବା ଲାଗି ଏତେ ଅଧିକ ଜମି ନାହିଁ।’’

PHOTO • Amit Kumar Nath
PHOTO • Adarsh Ray

ବାମ : ଜୟାଙ୍କ ମଦ ପ୍ରସ୍ତୁତ କରିବାର ସାମଗ୍ରୀ ଏଠାରେ ରଖାଯାଏ - ଲାଙ୍ଗି ଓ ମୋଦ୍‌ ମଦ ପ୍ରସ୍ତୁତିରେ ବ୍ୟବହୃତ ହେଉଥିବା ବାସନକୁସନ, ପାତ୍ର ଓ ଗୋଟିଏ ଚୁଲା ଆଦି ଗୋଟିଏ କଡ଼ରେ ଥୁଆ ହୋଇଛି । ଡାହାଣ: ତ୍ରିପୁରାରେ ବାଉଁଶ କାନ୍ଥ ବିଶିଷ୍ଟ ଘର ଓ ଦୋକାନ

ଏହି ଦମ୍ପତିଙ୍କ ଘର ତ୍ରିପୁରାର ଉନାକୋଟି ଜିଲ୍ଲାରେ ରହିଛି। ଦେଶର ଏହି ଦ୍ୱିତୀୟ କ୍ଷୁଦ୍ରତମ ରାଜ୍ୟର ପ୍ରାୟ ଦୁଇ ତୃତୀୟାଂଶ ଅଞ୍ଚଳ ଜଙ୍ଗଲ। କୃଷି ଏଠାକାର ମୁଖ୍ୟ ଜୀବିକା ଏବଂ ଅନେକ ଲୋକ ଅତିରିକ୍ତ ଆୟ ପାଇଁ ଅଣ-କାଠ ଜଙ୍ଗଲ ଉତ୍ପାଦ (ଏନ୍‌ଟିଏଫ୍‌ପି) ଉପରେ ନିର୍ଭର କରନ୍ତି।

‘‘ଅତି ଛୋଟ ବେଳୁ ମୋତେ ଘର ଛାଡ଼ିବାକୁ ପଡ଼ିଥିଲା। ସମ୍ପୂର୍ଣ୍ଣ ସମାଜକୁ ବିସ୍ଥାପିତ ହେବାକୁ ପଡ଼ିଲା,’’ ଜୟା କୁହନ୍ତି। ତତ୍କାଳୀନ ପୂର୍ବ ପାକିସ୍ତାନ (ବର୍ତ୍ତମାନର ବାଂଲାଦେଶ)ର ଚିଟ୍ଟାଗଙ୍ଗରେ କର୍ଣ୍ଣଫୁଲି ନଦୀ ଉପରେ ଏକ ନଦୀବନ୍ଧ ନିର୍ମାଣ ପାଇଁ ସେମାନଙ୍କ ଘରଗୁଡ଼ିକୁ ବିସ୍ଥାପିତ କରିଦିଆଯାଇଥିଲା। ‘‘ଆମ ପାଖରେ ଆଦୌ ଖାଦ୍ୟ କିମ୍ବା କିଛି ଟଙ୍କା ପଇସା ନଥିଲା। ଆମେ ଅରୁଣାଚଳପ୍ରଦେଶର ଏକ ଶିବିରରେ ଆଶ୍ରୟ ନେଲୁ… କିଛି ବର୍ଷ ପରେ ଆମେ ତ୍ରିପୁରାକୁ ଚାଲିଗଲୁ,’’ ଜୟା କୁହନ୍ତି। ତା’ପରେ ସେ ତ୍ରିପୁରାର ଜଣେ ବାସିନ୍ଦା ସୁରେନ୍‌ଙ୍କୁ ବାହା ହେଲେ।

*****

ଲାଙ୍ଗି ଏକ ଲୋକପ୍ରିୟ ପାନୀୟ ଏବଂ ଏସବୁ ଜନଜାତିମାନଙ୍କର ସମସ୍ତ ସାମାଜିକ ଓ ଧାର୍ମିକ କାର୍ଯ୍ୟକ୍ରମର ଏକ ଅଭିନ୍ନ ଅଙ୍ଗ ହୋଇଥିବା ଏହି ମଦ ପ୍ରସ୍ତୁତି ଓ ବିକ୍ରିରେ ହଜାର ହଜାର ମହିଳା ନିୟୋଜିତ ହୋଇ ଏକ ସକ୍ରିୟ ବଜାରକୁ ଗତିଶୀଳ କରାଇଥା’ନ୍ତି। ତେବେ ‘ବେଆଇନ’ ମାନ୍ୟତା କାରଣରୁ ଏହାର ପ୍ରକ୍ରିୟାକରଣ ଓ ବିକ୍ରି କାର୍ଯ୍ୟରେ ନିୟୋଜିତ ସବୁ ମହିଳା ଆଇନ ପ୍ରବର୍ତ୍ତନକାରୀ ସଂସ୍ଥାର କର୍ମଚାରୀଙ୍କ ଦ୍ୱାରା ଶୋଷଣ ଓ ନିର୍ଯାତନାର ଶିକାର ହୋଇଥା’ନ୍ତି।

ଜୟା କୁହନ୍ତି ଗୋଟିଏ ବ୍ୟାଚ୍‌ ତିଆରି କରିବା ଲାଗି ଦୁଇ ତିନି ଦିନ ଲାଗିଥାଏ। ‘‘ଏହା ଆଦୌ ସହଜ କାମ ନୁହେଁ। ଦୈନନ୍ଦିନ ଘର କାମ କରିବା ପାଇଁ ମୋତେ ସମୟ ମିଳୁନାହିଁ,’’ ମଧ୍ୟାହ୍ନର ଅସହ୍ୟ ଖରାରୁ ରକ୍ଷା ପାଇବା ପାଇଁ ସାମୟିକ ଭାବେ ଆବଦ୍ଧ ହୋଇଥିବା ତାଙ୍କ ଦୋକାନରେ ବସି ମଝି ମଝିରେ ହୁକାରୁ ଧୂଆଁ ଟାଣି ସେ କୁହନ୍ତି।

ଜର୍ଣ୍ଣାଲ ଅଫ ଏଥନିକ୍‌ ଫୁଡ୍‌ସ୍‌ର ୨୦୧୬ ସଂଖ୍ୟାରେ ପ୍ରକାଶ ପାଇଥିବା ତଥ୍ୟ ଅନୁଯାୟୀ, ଲାଙ୍ଗି ତିଆରି କରିବା ଲାଗି ବ୍ୟବହୃତ ସାମଗ୍ରୀରେ ବିବିଧତା ଥାଏ, ଯାହାର ଫଳସ୍ୱରୂପ ଭିନ୍ନ ଭିନ୍ନ ସମ୍ପ୍ରଦାୟରେ ଅନ୍ତିମ ଉତ୍ପାଦର ସ୍ୱାଦ ଅଲଗା ଅଲଗା ହୋଇଥାଏ। ‘‘ପ୍ରତ୍ୟେକ ସମ୍ପ୍ରଦାୟ ପାଖରେ ଲାଙ୍ଗି ତିଆରି କରିବାର ନିଜସ୍ୱ ସାମଗ୍ରୀ ଥାଏ। ଆମେ ଯେଉଁ ଲାଙ୍ଗି ତିଆରି କରୁ, ତାହା ରିଆଙ୍ଗ ସମ୍ପ୍ରଦାୟର ଲାଙ୍ଗିଠାରୁ ଅଧିକ କଡ଼ା (ଅଧିକ ଆଲକହଲ ଉପାଦାନ) ହୋଇଥାଏ,’’ ସୁରେନ୍‌ କୁହନ୍ତି। ରିୟାଙ୍ଗମାନେ ତ୍ରିପୁରାର ଦ୍ୱିତୀୟ ସର୍ବବୃହତ ଆଦିବାସୀ ସମ୍ପ୍ରଦାୟ।

ଖଦଡ଼ ଭାବେ କୁଟା ହୋଇଥିବା ଚାଉଳ ଦାନାରେ ଏହି ଦମ୍ପତି ମଦ ତିଆରି ପ୍ରକ୍ରିୟା ଆରମ୍ଭ କରନ୍ତି। ‘‘ପ୍ରତ୍ୟେକ ବ୍ୟାଚ୍‌ ପାଇଁ ଆମେ ୮-୧୦ କିଲୋଗ୍ରାମ୍‌ ସିଦ୍ଧୋ ଚାଲ୍‌ (ଛୋଟ ଅଠାଳିଆ ଚାଉଳ ଦାନା)କୁ ଗୋଟିଏ ଡେଗ୍‌ଚି (ବଡ଼ ଧାତବ ରୋଷେଇ ପାତ୍ର)ରେ ଫୁଟାଇଥାଉ। ଏହାକୁ ଅଧିକ ରାନ୍ଧିବା ଅନୁଚିତ୍‌,’’ ଜୟା କୁହନ୍ତି।

PHOTO • Adarsh Ray
PHOTO • Adarsh Ray

ବାମ : ମଦ ତିଆରି କରିବାର ପ୍ରଥମ ପଦକ୍ଷେପ ହେଉଛି ଚାଉଳକୁ ଫୁଟାଇବା। ଜୟା କାଠ ଜାଳି ମାଟି ଚୁଲାରେ ଗୋଟିଏ ଆଲୁମିନିୟମ ପାତ୍ର ସାହାଯ୍ୟରେ ଚାଉଳ ଫୁଟାଇଥା’ନ୍ତି

PHOTO • Adarsh Ray
PHOTO • Adarsh Ray

ଫୁଟି ସାରିଥିବା ଭାତକୁ ତିରପାଲ୍‌ ଉପରେ ଖେଳାଇ ଶୁଖିବାକୁ ଛାଡ଼ି ଦିଆଯାଏ ଏବଂ ପରେ ଏଥିରେ ପଚିବା ପ୍ରକ୍ରିୟା ନିମନ୍ତେ ଷ୍ଟାର୍ଟର୍‌ କେକ୍‌ ପକାଇ ଦିଆଯାଏ

ଗୋଟିଏ ୫ କିଲୋଗ୍ରାମ ବ୍ୟାଗ୍‌ ଚାଉଳରୁ ସେମାନେ ଦୁଇ ଲିଟର ଲାଙ୍ଗି କିମ୍ବା ଏହାଠାରୁ କିଛି ଅଧିକ ମୋଦ୍‌ ତିଆରି କରିପାରିବେ। ସେମାନେ ୩୫୦ ମିଲିଲିଟର ବୋତଲ କିମ୍ବା ୯୦ ମିଲିଲିଟର ମାପର ଗ୍ଲାସ୍‌ରେ ଏହାକୁ ବିକ୍ରି କରିଥାନ୍ତି। ଗୋଟିଏ ଗ୍ଲାସ୍‌ ମୋଦ୍‌ ୨୦ ଟଙ୍କାରେ ବିକ୍ରି ହେଉଥିବା ବେଳେ ଏହାର ଅଧା ଦର ବା ୧୦ ଟଙ୍କାରେ ଗୋଟିଏ ଗ୍ଲାସ୍‌ ଲାଙ୍ଗି ମିଳିଥାଏ।

ସୁରେନ୍‌ କୁହନ୍ତି, ‘‘ସବୁ ଜିନିଷର ଦାମ୍‌ ବଢ଼ିଯାଇଛି। ଗୋଟିଏ କୁଇଣ୍ଟାଲ୍‌ (୧୦୦ କିଲୋଗ୍ରାମ୍‌) ଚାଉଳ ଦାମ୍‌ ୧୦ ବର୍ଷ ପୂର୍ବରୁ ୧,୬୦୦ ଟଙ୍କା ଥିଲା। ବର୍ତ୍ତମାନ ଏହା ୩,୩୦୦ ଟଙ୍କାକୁ ବୃଦ୍ଧି ପାଇଛି।’’ କେବଳ ଚାଉଳ ନୁହେଁ ବରଂ ଅତ୍ୟାବଶ୍ୟକ ସାମଗ୍ରୀ ଦର ମଧ୍ୟ ଗତ କିଛି ବର୍ଷ ମଧ୍ୟରେ ମହଙ୍ଗା ହୋଇଯାଇଛି ବୋଲି ମଧ୍ୟ ସେ କୁହନ୍ତି।

ଜୟା ସେମାନଙ୍କର ମୂଲ୍ୟବାନ ପାନୀୟ ପ୍ରସ୍ତୁତ କରିବାର ପ୍ରକ୍ରିୟାକୁ ବିସ୍ତୃତ ଭାବରେ ବର୍ଣ୍ଣନା କରିବା ଆରମ୍ଭ କଲାବେଳେ ଆମେ ସ୍ଥିର ହୋଇ ବସିପଡ଼ୁ। ରନ୍ଧା ହୋଇଥିବା ଭାତକୁ ବିଛାଇ ଦିଆଯାଏ (ଶୁଖିବା ଲାଗି ଏକ ଚଟେଇ ଉପରେ) ଏବଂ ଥଣ୍ଡା ହୋଇଯିବା ପରେ ସେଥିରେ ମୂଲି ମିଶାଯାଏ ଏବଂ ପାଣିପାଗକୁ ଆଧାର କରି ଏହାକୁ ଦୁଇ ଦିନ ପର୍ଯ୍ୟନ୍ତ ପଚିବା ଲାଗି ଛାଡ଼ି ଦିଆଯାଏ। ‘‘ଖରାଦିନେ ଅଧିକ ଗରମ ହେଉଥିବା ବେଳେ ଗୋଟିଏ ରାତି ପଚେଇବା ଯଥେଷ୍ଟ ହୋଇଥାଏ। କିନ୍ତୁ ଶୀତଦିନେ ଏଥିପାଇଁ କିଛି ଦିନ ଲାଗିପାରେ,’’ ସେ କୁହନ୍ତି।

ଥରେ ପଚିଯିବା ପରେ, ‘‘ଆମେ ଏଥିରେ ପାଣି ମିଶାଇ ଏହାକୁ ଶେଷ ଥର ପାଇଁ ଫୁଟାଇଥାଉ। ତା’ପରେ ଆମେ ପାଣି ବାହାର କରିଦେଉ ଏବଂ ଏହା ଥଣ୍ଡା ହୋଇଯିବା ପରେ ଆପଣଙ୍କ ଲାଙ୍ଗି ପ୍ରସ୍ତୁତ ହୋଇଯାଏ,’’ ସେ କୁହନ୍ତି। ଅନ୍ୟପକ୍ଷରେ ମୋଦ୍‌ ପ୍ରସ୍ତୁତ କରିବା ଲାଗି ଡିଷ୍ଟିଲ୍‌ ବା ପାତନ କରିବା ଆବଶ୍ୟକ ହୁଏ- ତିନୋଟି ପାତ୍ରକୁ ପରସ୍ପର ଉପରେ ରଖି ଦିଆଯାଇ ଶୃଙ୍ଖଳାବଦ୍ଧ ବାଷ୍ପୀକରଣ ପ୍ରକ୍ରିୟାରେ ବାମ୍ଫ ଦିଆଯାଏ। ପଚିବା ପ୍ରକ୍ରିୟାକୁ ସହଜ କରିବା ପାଇଁ କୌଣସି କୃତ୍ରିମ ପାଚନ ଉପାଦାନ କିମ୍ବା ଇଷ୍ଟ ବା ସୁରାମଣ୍ଡ ବ୍ୟବହାର କରାଯାଏ ନାହିଁ।

ଉଭୟ ପାଇଁ, ସେମାନେ କେତେକ ଜଡ଼ିବୁଟି ମିଶାଇଥା’ନ୍ତି ଯଥା: ଉଚ୍ଚ ସ୍ଥାନରେ ଦେଖିବାକୁ ମିଳୁଥିବା ଏକ ଫୁଲଯୁକ୍ତ ଉଦ୍ଭିଦ ପାଥାରଡାଗାର ( ପର୍ମୋଟ୍ରେମାପର୍ଲାଟମ୍‌ ), ଆଗାଚି ପତ୍ର, ଜିନ୍‌ଜିନ୍‌ ନାମକ ସବୁଜ ଉଦ୍ଭିଦର ଫୁଲ, ଗହମ ଅଟା, ରସୁଣ ଏବଂ କଞ୍ଚାଲଙ୍କା। ‘‘ଏସବୁ ମିଶାଇ ଛୋଟ ଛୋଟ ମୂଲି ତିଆରି କରାଯାଏ-ସାଧାରଣତଃ ଏଗୁଡ଼ିକୁ ଆଗରୁ ପ୍ରସ୍ତୁତ କରି ରଖାଯାଏ,’’ ଜୟା କୁହନ୍ତି।

PHOTO • Adarsh Ray
PHOTO • Adarsh Ray

ଭାତକୁ ପଚିବା ଲାଗି ସହାୟକ ହେବା ନିମନ୍ତେ ଜୟା ସେଥିରେ କୁଟା ହୋଇଥିବା ମୂଲି (ଜଡ଼ିବୁଟି ଓ ଶସ୍ୟର ମିଶ୍ରଣ) ପକେଇଥା’ନ୍ତି । ଡାହାଣ: ୪୮ ଘଣ୍ଟା ଧରି ପଚିବା ପରେ ମିଶ୍ରଣ

PHOTO • Adarsh Ray
PHOTO • Adarsh Ray

ପଚିବା ପ୍ରକ୍ରିୟାକୁ ସହଜ କରିବା ପାଇଁ କୌଣସି କୃତ୍ରିମ ପାଚନ ଉପାଦାନ କିମ୍ବା ଇଷ୍ଟ ବା ସୁରାମଣ୍ଡ ବ୍ୟବହାର କରାଯାଏ ନାହିଁ, ଏହା ପରିବର୍ତ୍ତେ ବିଭିନ୍ନ ପ୍ରକାର ଜଡ଼ିବୁଟି, ଗୋଟିଏ ଫୁଲଜାତୀୟ ଉଦ୍ଭିଦ, ପତ୍ର, ଫୁଲ, ଗହମ ଅଟା, ରସୁଣ ଓ କଞ୍ଚାଲଙ୍କା ବ୍ୟବହାର କରାଯାଏ

‘‘ଏଥିରେ ଏକ ସ୍ୱତନ୍ତ୍ର ଖଟାପଣ ଥାଏ। ଅନ୍ୟ ମଦଗୁଡ଼ିକ ଭଳି ଏଥିରେ ଜ୍ୱଳନ ପ୍ରଭାବ ନଥାଏ। ଖରା ଦିନେ ଏଥିରୁ ଅତ୍ୟନ୍ତ ମନମୁଗ୍ଧକର ଓ ସୁଖଦ ସୁଗନ୍ଧ ମିଳିଥାଏ,’’ ପରିଚୟ ଗୋପନ ରଖି ଜଣେ ସନ୍ତୁଷ୍ଟ ଗ୍ରାହକ କୁହନ୍ତି। ପରୀ ଯେଉଁ ସବୁ ଗ୍ରାହକମାନଙ୍କୁ ଭେଟିଥିଲା, ସେମାନେ ଫଟୋ ଉଠାଇବା କିମ୍ବା ଖୋଲାଖୋଲି କଥା ହେବାକୁ କୁଣ୍ଠାବୋଧ କରିଥିଲେ, ବୋଧହୁଏ ଆଇନ ପ୍ରତି ସେମାନଙ୍କର ଭୟ ରହିଥିଲା।

*****

ଲାଙ୍ଗି ନିର୍ମାତାମାନେ କୁହନ୍ତି ଏହି ମଦ ପ୍ରସ୍ତୁତ କରିବା ଏବେ ଦିନକୁ ଦିନ କଷ୍ଟକର ହେଲାଣି। ଭାତ ପଚାଇ ପ୍ରସ୍ତୁତ କରାଯାଉଥିବା ପାନୀୟକୁ ତ୍ରିପୁରା ଅବକାରୀ ଆଇନ ୧୯୮୭ରେ ନିଷିଦ୍ଧ କରାଯାଇଛି।

‘‘ଜଣେ ଏଠି ବଞ୍ଚିବ କେମିତି? କୌଣସି ଶିଳ୍ପ କିମ୍ବା ସୁଯୋଗ ନାହିଁ…. କେବଳ ଚାରି ଆଡ଼କୁ ଦେଖନ୍ତୁ ଆଉ ଲୋକମାନେ ଏଠାରେ କେମିତି ବଞ୍ଚିଛନ୍ତି ଦେଖନ୍ତୁ।’’

ଅଧିକ ପରିମାଣରେ ମଦ ପ୍ରସ୍ତୁତ କରିବା ସହଜରେ ସମ୍ଭବ ନୁହେଁ। ଜୟା କୁହନ୍ତି, ତାଙ୍କ ପାଖରେ ମାତ୍ର ପାଞ୍ଚଟି ପାତ୍ର ଥିବାରୁ ସବୁଥର ସେ ୮-୧୦ କିଲୋ ଚାଉଳରୁ ମଦ ପ୍ରସ୍ତୁତ କରିପାରିବେ ନାହିଁ। ତା’ଛଡ଼ା ପାଣି ମଧ୍ୟ ସୀମିତ ପରିମାଣରେ ମିଳିଥାଏ ଏବଂ ଖରାଦିନେ ସମସ୍ୟା ଆହୁରି ବଢ଼ିଯାଏ। ଅଧିକନ୍ତୁ, ‘‘ଏହାକୁ ତିଆରି କରିବା ଲାଗି ଆମେ କେବଳ ଜାଳେଣି କାଠ ବ୍ୟବହାର କରିଥାଉ ଏବଂ ଏଥିରେ ବହୁ ପରିମାଣରେ କାଠ ଖର୍ଚ୍ଚ ହୋଇଯାଏ। ପ୍ରତି ମାସରେ ଆମେ ୫,୦୦୦ ଟଙ୍କା ଖର୍ଚ୍ଚ କରୁ,’’ ସେ କୁହନ୍ତି । ଗ୍ୟାସ୍‌ ସିଲିଣ୍ଡର ଦରରେ ତୀବ୍ର ବୃଦ୍ଧି ଘଟିବା ପରେ ଏହା ଏକ ବିକଳ୍ପ ହୋଇ ରହିନାହିଁ।

‘‘ଆମେ (ଲାଙ୍ଗି) ଦୋକାନ ୧୦ ବର୍ଷ ପୂର୍ବରୁ ଖୋଲିଥିଲୁ। ଅନ୍ୟଥା ଆମ ପିଲାମାନଙ୍କର ପାଠପଢ଼ା ସମ୍ଭବ ହୋଇନଥା’ନ୍ତା,’’ ଜୟା କୁହନ୍ତି । ‘‘ଆମର ଗୋଟିଏ ହୋଟେଲ୍‌ ମଧ୍ୟ ଥିଲା, କିନ୍ତୁ ଅନେକ ଗ୍ରାହକ ସେଠି ଖାଇବା ପରେ ଟଙ୍କା ଦେଲେ ନାହିଁ, ତେଣୁ ଆମକୁ ତାହା ବନ୍ଦ କରିବାକୁ ପଡ଼ିଲା।’’

PHOTO • Adarsh Ray
PHOTO • Adarsh Ray

‘ଏହାକୁ ତିଆରି କରିବା ଲାଗି ଆମେ କେବଳ ଜାଳେଣି କାଠ ବ୍ୟବହାର କରିଥାଉ ଏବଂ ଏଥିରେ ବହୁ ପରିମାଣରେ କାଠ ଖର୍ଚ୍ଚ ହୋଇଯାଏ। ପ୍ରତି ମାସରେ ଆମେ ୫,୦୦୦ ଟଙ୍କା ଖର୍ଚ୍ଚ କରୁ,’ ଦମ୍ପତି କୁହନ୍ତି । ଗ୍ୟାସ୍‌ ସିଲିଣ୍ଡର ଦରରେ ତୀବ୍ର ବୃଦ୍ଧି ଘଟିବା ପରେ ଏହା ଏକ ବିକଳ୍ପ ହୋଇ ରହିନାହିଁ

PHOTO • Amit Kumar Nath
PHOTO • Rajdeep Bhowmik

ବାମ: ଧାତବ ପାତ୍ରଗୁଡ଼ିକୁ ବାୟୁରୋଧୀ ଓ ପରସ୍ପର ସହ ଯୋଡ଼ି ଗୋଟିଏ ଉପରେ ଆଉ ଗୋଟିଏକୁ ରଖି ଡିଷ୍ଟିଲେସନ୍‌ ବା ପାତନ ପ୍ରକ୍ରିୟା ସମ୍ପାଦନ କରାଯାଏ। ସେଥିରୁ ବାହାରୁ ଥିବା ମଦକୁ ପାଇପ୍‌ରେ ସଂଗ୍ରହ କରାଯାଏ। ଡାହାଣ: ବୋତଲରେ ଥିବା ମଦ ପରଷିବା ପାଇଁ ପ୍ରସ୍ତୁତ

ଆଉ ଜଣେ ମଦ ପ୍ରସ୍ତୁତକାରୀ ଲତା (ଛଦ୍ମନାମ) କୁହନ୍ତି, ଏଠାରେ ସମସ୍ତେ ବୌଦ୍ଧ ଅଟନ୍ତି ଏବଂ ‘‘ଆମେ ପୂଜା (ପର୍ବପର୍ବାଣୀ) ଏବଂ ନୂଆ ବର୍ଷ ସମୟରେ ସବୁଠୁ ଅଧିକ ଲାଙ୍ଗି ବ୍ୟବହାର କରୁ। କିଛି ରୀତିନୀତିରେ ଦେବତାମାନଙ୍କୁ ମଦ ଅର୍ପଣ କରିବା ଆବଶ୍ୟକ ହୋଇଥାଏ।’’ ବିଗତ କିଛି ବର୍ଷ ମଧ୍ୟରେ ଲତା କମ୍‌ ଲାଭ ହେଉଥିବା ଦର୍ଶାଇ ମଦ ପ୍ରସ୍ତୁତ କରିବା ବନ୍ଦ କରି ଦେଇଛନ୍ତି।

ଜୟା ଓ ସୁରେନ୍‌ଙ୍କ ବୟସ ବଢ଼ିବା ସହିତ ସେମାନଙ୍କଠାରେ ସ୍ୱାସ୍ଥ୍ୟ ସମସ୍ୟା ବଢ଼ିଚାଲିଛି। ସେମାନେ ମଧ୍ୟ କମ୍‌ ଆୟକୁ ନେଇ ଚିନ୍ତିତ। ‘‘ମୋର ଦୃଷ୍ଟିଶକ୍ତି ଦୁର୍ବଳ ଏବଂ ବେଳେବେଳେ ଆଣ୍ଠୁଗଣ୍ଠି ଯନ୍ତ୍ରଣା ହେଉଛି। ପ୍ରାୟତଃ ମୋ ପାଦ ଫୁଲିଯାଉଛି।’’

ତ୍ରିପୁରାରେ ସରକାରୀ ସ୍ୱାସ୍ଥ୍ୟ ସେବା ପାଇବା ଲାଗି ଅଧିକ ସମୟ ଅପେକ୍ଷା କରିବାକୁ ପଡ଼ୁଥିବାରୁ ଏହି ସମସ୍ୟା ଏବଂ ଅନ୍ୟ ଚିନ୍ତା ଦୂର କରିବା ଲାଗି ସେମାନେ ଆସାମରେ ଥିବା ଡାକ୍ତରଖାନାଗୁଡ଼ିକୁ ଯିବା ପାଇଁ ପସନ୍ଦ କରୁଛନ୍ତି। ଯଦିଓ ସେମାନଙ୍କ ଭଳି ଗରିବ ପରିବାରକୁ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା (ପିଏମ୍‌-ଜେଏୱାଇ)ରେ ୫ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟବୀମା ମିଳୁଛି, ତଥାପି ରାଜ୍ୟର ସରକାରୀ ସ୍ୱାସ୍ଥ୍ୟସେବା ଉପରେ ଭରସା ପାଉନଥିବାରୁ ସେମାନେ ଆସାମ ଯିବାକୁ ଉଚିତ୍‌ ମଣୁଛନ୍ତି। ‘‘କେବଳ ଯିବା ଆସିବାରେ ୫,୦୦୦ ଟଙ୍କା ଯାଉଛି,’’ ଜୟା କୁହନ୍ତି। ସ୍ୱାସ୍ଥ୍ୟ ପରୀକ୍ଷାରେ ସେମାନଙ୍କର ସଞ୍ଚୟ ସବୁ ଖର୍ଚ୍ଚ ହୋଇଯାଉଛି।

ଆମେ ବିଦାୟ ନେବାର ସମୟ ଆସିଯାଇଛି ଏବଂ ଜୟା ରୋଷେଇ ଘରକୁ ସଫା କରିବାରେ ଲାଗି ପଡ଼ନ୍ତି, ଅନ୍ୟପଟେ ସୁରେନ୍‌ ପରଦିନ ସକାଳେ ଆଉ ଏକ ବ୍ୟାଚ୍‌ର ଲାଙ୍ଗି ପ୍ରସ୍ତୁତ କରିବା ଲାଗି କାଠ ଏକତ୍ରିତ କରିବା ଆରମ୍ଭ କରିଦିଅନ୍ତି।

ମୃଣାଳିନୀ ମୁଖାର୍ଜି ଫାଉଣ୍ଡେସନ (ଏମଏମଏଫ)ରୁ ମିଳିଥିବା ଏକ ଫେଲୋସିପ୍‌ ସହାୟତାରେ ଏହି ଷ୍ଟୋରୀ ପ୍ରସ୍ତୁତ କରାଯାଇଛି।

ଅନୁବାଦ: ଓଡ଼ିଶାଲାଇଭ୍‍

Rajdeep Bhowmik

Rajdeep Bhowmik is a Ph.D student at IISER, Pune. He is a PARI-MMF fellow for 2023.

Other stories by Rajdeep Bhowmik
Suhash Bhattacharjee

Suhash Bhattacharjee is a PhD scholar at NIT, Silchar in Assam. He is a PARI-MMF fellow for 2023.

Other stories by Suhash Bhattacharjee
Deep Roy

Deep Roy is a Post Graduate Resident Doctor at Safdarjung Hospital, New Delhi. He is a PARI-MMF fellow for 2023.

Other stories by Deep Roy
Photographs : Adarsh Ray
Photographs : Amit Kumar Nath
Editor : Priti David

Priti David is the Executive Editor of PARI. She writes on forests, Adivasis and livelihoods. Priti also leads the Education section of PARI and works with schools and colleges to bring rural issues into the classroom and curriculum.

Other stories by Priti David
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Other stories by OdishaLIVE