ପୁଅ ପିଲାଟିଏ ଭାବେ ପଞ୍ଚମ ଶ୍ରେଣୀରେ ପଢ଼ିବା ବେଳେ ସେ ନିଜକୁ ଜଣେ ଝିଅ ଭାବେ ଚିହ୍ନିବା ଆରମ୍ଭ କଲେ।

“ଏମ. ଇ. ସ୍କୁଲରେ ଛୋଟ-ପ୍ୟାଣ୍ଟ ପିନ୍ଧିବାକୁ ପଡ଼ୁଥିଲା ଓ ମୋ ଜଙ୍ଘ ଦେଖା ଯାଉଥିଲା”, ସେ କହନ୍ତି - “ପୁଅପିଲାମାନଙ୍କ ସହ ସେମିତି ବସିବାଟା ଭାରି ଲଜ୍ଜାଜନକ ଥିଲା”। ବର୍ତ୍ତମାନ ତିରିଶି ବର୍ଷ ବୟସ ଡେଇଁ ସାରିଥିବା ରମ୍ୟା ଜଣେ ସ୍ତ୍ରୀ ଲୋକର ପରିଚୟ ପାଇବା ପାଇଁ ନାଲି ଶାଢୀ ପିନ୍ଧିବା ସହ ଲମ୍ବା ବାଳ ରଖୁଛନ୍ତି।

ରମ୍ୟା ଚେଙ୍ଗାଲପାଟୁ ଜିଲ୍ଲା ଅନ୍ତର୍ଗତ ଥିରୁପୋରୁର ସହରରେ ଥିବା ଗୋଟିଏ ଛୋଟ ଆମ୍ମା ଠାକୁରାଣୀଙ୍କ ମନ୍ଦିରର ପରିଚାଳନା କରୁଛନ୍ତି। ତାଙ୍କର ମା’ ଭେଙ୍ଗାମ୍ମା ଚଟାଣରେ ତାଙ୍କ ପାଖକୁ ବସିଥିଲେ। “ଛୋଟ ପିଲାରୁ ବଡ଼ ହେଲା ବେଳେ ପୁଅଟିଏ ହେଇ ବି ସେ [ରମ୍ୟାଙ୍କୁ ଦେଖାଇ] ଚୁଡ଼ିଦାର [ମହିଳାମାନେ ପିନ୍ଧୁଥିବା ହଳିକିଆ ପୋଷାକ], ଦଭାନୀ [ଅଧା-ଶାଢ଼ୀ] ଓ କମ୍ମlଲ [କାନ ଫୁଲ] ପସନ୍ଦ କରୁଥିଲା। ଆମେ ତାକୁ ପୁଅଟିଏ ଭଳି ବ୍ୟବହାର କରିବାକୁ କହୁଥିଲୁ। କିନ୍ତୁ ସେ ଏଇଆ ହିଁ ହେବାକୁ ଚାହୁଁଥିଲା”, କହନ୍ତି ରମ୍ୟାଙ୍କ ୫୬-ବର୍ଷ ବୟସ୍କା ମା’।

ଯେହେତୁ କାନ୍ନିଆମ୍ମା ମନ୍ଦିର ବନ୍ଦ ହୋଇ ସାରିଥିଲା, ସେଠାକାର ଶାନ୍ତ ପରିବେଶରେ ଏବେ ଏହି ଖୋଲା କଥାବାର୍ତ୍ତା କରିବାକୁ କୌଣସି ଅସୁବିଧା ନଥିଲା। ଇରୁଲାର ସମାଜର ଲୋକେ, ଏହି ମା’ ଝିଅ ଦୁଇଜଣଙ୍କ ପରି କାନ୍ନିଆମ୍ମା ଠାକୁରାଣୀଙ୍କୁ ପୂଜା କରିବାକୁ ଦିନ ବେଳା ଆସନ୍ତି।

ଚାରି ଭାଇଭଉଣୀଙ୍କ ଭିତରେ ରମ୍ୟା ଜଣେ ଓ ସେ ଇରୁଲାରଠାରେ ବଡ଼ ହୋଇଛନ୍ତି। ଇରୁଲାରମାନଙ୍କୁ ତାମିଲନାଡୁର ପିଭିଟିଜିଏସ ବା ବିଶେଷ ଭାବେ ଅସୁରକ୍ଷିତ ଆଦିବାସୀ ଗୋଷ୍ଠୀ ମଧ୍ୟରେ ଗଣନା କରାଯାଏ। ତାଙ୍କ ସମାଜର ଅନ୍ୟମାନଙ୍କ ଭଳି ରମ୍ୟାଙ୍କ ବାପା ମା’ ସାମୟିକ ଭାବେ ଚାଷ ଜମି, କୋଠାବାଡ଼ି ନିର୍ମାଣ ଓ ମନରେଗା (ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ ରୋଜଗାର ଯୋଜନା) କାର୍ଯ୍ୟସ୍ଥଳୀରେ ଶ୍ରମିକ ଭାବେ କାମ କରି ଦୈନିକ ପ୍ରାୟ ୨୫୦ରୁ ୩୦୦ ଟଙ୍କା ପର୍ଯ୍ୟନ୍ତ ରୋଜଗାର କରନ୍ତି।

“ସେ ସମୟରେ ଲୋକେ ଥିରୁନାନଗେଇସମାନଙ୍କ (କିନ୍ନର ବା ଟ୍ରାନ୍ସ ଓମେନ୍‌ ତାମିଲ ଶବ୍ଦ) ବିଷୟରେ କିଛି ଜାଣି ନଥିଲେ। ତେଣୁ ମୁଁ ଯେତେବେଳେ ଘରୁ ବାହାରେ, ସହରର ଲୋକମାନେ ମୋ ପଛରେ କଥା ହେଉଥିଲେ”, କହନ୍ତି ରମ୍ୟା। “ସେମାନେ କହୁଥିଲେ, “ସେ ପୁଅପିଲା ପୋଷାକ ପିନ୍ଧୁଛି, କିନ୍ତୁ ତା’ ଚାଲିଚଳଣ ଝିଅଟିଏ ପରି, ସେ ପୁଅ ନା ଝିଅ?” ଏବଂ ତାହା ମତେ କଷ୍ଟ ଦେଉଥିଲା”।

PHOTO • Smitha Tumuluru
PHOTO • Smitha Tumuluru

ବାମରେ: ସେ ପରିଚାଳନା କରୁଥିବା ଥିରୁପୋରୁର ସହରର ମନ୍ଦିରରେ ରମ୍ୟା। ଡାହାଣରେ: ସେ ତାଙ୍କ ମା’ (କଳା ଶାଢୀ ପରିହିତା) ଓ ପଡ଼ୋଶୀଙ୍କ ସହ ବିଦ୍ୟୁତ ବିଭାଗ ଅଫିସର କର୍ମକର୍ତ୍ତାଙ୍କୁ ଭେଟିବାକୁ ଯାଉଥିବା ରାସ୍ତାରେ

PHOTO • Smitha Tumuluru
PHOTO • Smitha Tumuluru

ବାମରେ: ମାଉସୀ ଝିଅ ବଡ଼ ଭଉଣୀ ଦୀପା ସହ ରମ୍ୟା। ଡାହାଣରେ: ମନରେଗା ଅନ୍ତର୍ଗତ ଗୋଟିଏ ଫଳ ବଗିଚାରେ ଅନ୍ୟ ସ୍ତ୍ରୀ ଲୋକମାନଙ୍କ ସହ କାମ କରୁଥିବା ରମ୍ୟା

ସେ ନବମ ଶ୍ରେଣୀରୁ ସ୍କୁଲ ଯିବା ବନ୍ଦ କରିଦେଲେ ଓ ତାଙ୍କ ବାପ ମା’ଙ୍କ ପରି ଦିନ ମଜୁରିଆ ଭାବେ କାମ କରିବା ଆରମ୍ଭ କଲେ। ଗୋଟିଏ ଝିଅ ବୋଲି ସବୁବେଳେ ପରିଚୟ ଦେଲେ, ଏବଂ ସମାଜର ଅନ୍ୟମାନେ ସେମାନଙ୍କ ବିଷୟରେ କ’ ଣ କହିବେ ଭାବି ବ୍ୟସ୍ତ ହୋଇ ତାଙ୍କ ମା’ ସବୁବେଳେ “ପୁଅଟିଏ ପରି ବ୍ୟବହାର କର” ବୋଲି ରମ୍ୟାଙ୍କୁ କେମିତି ନେହୁରା ହେଉଥିଲେ ମନେ ପକେଇଲେ।

ସେ କୋଡିଏ ବର୍ଷ ବୟସର ହୋଇସାରିବା ପରେ ଘର ଛାଡ଼ି ବାହାରକୁ ଯାଇ ନିଜ ହିସାବରେ ବଞ୍ଚିବା ପାଇଁ ଜଣେଇଲେ। ସେତେବେଳେ ହିଁ ଯାଇ ତାଙ୍କ ମା’ ଓ (ଏବେ) ମୃତ ବାପା ତାଙ୍କ କଥାକୁ ଧ୍ୟାନ ଦେଇ ଶୁଣିଲେ। “ଆମର ଚାରିଟି ପୁଅ ଥିଲେ। ଆମେ କହିଲୁ ଯେ ସେ ଝିଅଟିଏ ହେଇ ରହୁ ଯାହା ଆମର ନାହିଁ”, କହନ୍ତି ଭେଙ୍ଗାମ୍ମା, “ଝିଅ ହଉ କି ପୁଅ, ସେ ତ ଆମର ପିଲା। ତାକୁ କେମିତି ଘର ଛାଡ଼ି ଯିବାକୁ ଦେଇଥାନ୍ତୁ?”

ତେଣୁ, ଘର ଭିତରେ ରମ୍ୟାଙ୍କୁ ଝିଅଙ୍କ ପରିଧାନ ପିନ୍ଧିବାକୁ ଦିଆଗଲା। ତେବେ ଭେଙ୍ଗାମ୍ମାଙ୍କର ସାଧାରଣ ଭାବେ ଦେଖା ଯାଉଥିବା କିନ୍ନରମାନଙ୍କ କଥା ମନକୁ ଆସିଲା ଓ ସେ ରମ୍ୟାଙ୍କୁ କହିଲେ, “ନି କଦାଇ ଏରାକୁଦାଢୁ”, ଅର୍ଥାତ; ରମ୍ୟା ଦୋକାନରୁ ଦୋକାନ ବୁଲି ଜୀବିକା ଅର୍ଜ୍ଜନ ପାଇଁ ଟଙ୍କା ପଇସା ମାଗିବ ନାହିଁ।

“ଯଦିଓ ବା ମୁଁ ମୋ ଭିତରେ ଜଣେ ସ୍ତ୍ରୀଲୋକ ପରି ଅନୁଭବ କରୁଥିଲି, କିନ୍ତୁ ବାହାରକୁ ଦାଢ଼ି ଥିବା ଜଣେ ପୁରୁଷ ପରି ମୁଁ ଅନ୍ୟମାନଙ୍କୁ ଦିଶୁଥିଲି”, କହନ୍ତି ରମ୍ୟା। ୨୦୧୫ ମସିହାରେ ସେ ପ୍ରାୟ ଲକ୍ଷେ ଟଙ୍କା ଖର୍ଚ୍ଚ କରି ଲିଙ୍ଗ ପରିବର୍ତ୍ତନ ଅସ୍ତ୍ରୋପଚାର ଓ ଲେଜର ଦ୍ଵାରା ଲୋମ ସଫା କଲେ।

ଥିରୁପୋରୁରଠାରୁ ୧୨୦ କି.ମି. ଦୂରରେ ପୁଡୁଚେରୀସ୍ଥିତ ମହାତ୍ମା ଗାନ୍ଧୀ ମେଡ଼ିକାଲ କଲେଜ ଆଣ୍ଡ ରିସର୍ଚ୍ଚ ଇନଷ୍ଟିଚ୍ୟୁଟଠାରେ ଲିଙ୍ଗ ପରିବର୍ତ୍ତନ ଅସ୍ତ୍ରୋପଚାର କରିବା ପାଇଁ ତାଙ୍କୁ ୫୦,୦୦୦ ଟଙ୍କା ଖର୍ଚ୍ଚ କରିବାକୁ ପଡିଲା। ଯଦିଓ ବା ଦୂର ସ୍ଥାନ ଓ ମାଗଣା ନୁହେଁ, ତଥାପି ସେହି ହସ୍ପିଟାଲରେ ଲିଙ୍ଗ ପରିବର୍ତ୍ତନ ଟିମ୍‌ରେ କାମ କରୁଥିବା ତାଙ୍କ ସାଙ୍ଗଙ୍କ ପରାମର୍ଶ କ୍ରମେ ସେ ସେଠାରେ ନିଜ ଚିକିତ୍ସା କରେଇବାକୁ ପସନ୍ଦ କଲେ। ତାମିଲନାଡୁର ସାରା ରାଜ୍ୟରେ ଥିବା କେତେକ ନିର୍ଦ୍ଦିଷ୍ଟ ସରକାରୀ ହସ୍ପିଟାଲରେ ଏହି ଅସ୍ତ୍ରୋପଚାର କରାଯାଉଛି। ୫୦ କି.ମି. ଦୂର ଚେନ୍ନାଇଠାରେ ଥିବା ଗୋଟିଏ କ୍ଲିନିକରେ ଛ’ ଥରରେ ମୁହଁ ଲୋମ ସଫା କରିବା ପାଇଁ ତାଙ୍କୁ ଆଉ ଅଧିକ ୩୦,୦୦୦ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିଲା।

ଭଲାରମାଥି, ଇରୁଲାର ଅନ୍ୟ ଜଣେ ଥିରୁନାନଗେଇ (କିନ୍ନର ବା ଟ୍ରାନ୍ସ ଓମେନ୍) ତାଙ୍କ ସହ ହସପିଟାଲ ଗଲେ। ଅସ୍ତ୍ରୋପଚାରର କିଛି ସମୟ ପୂର୍ବରୁ ହସପିଟାଲ ବେଡ୍‌ରେ ବସିଥିବା ବେଳେ ରମ୍ୟା ଯେ କେତେ ବଡ଼ ପଦକ୍ଷେପ ନେବାକୁ ଯାଉଛନ୍ତି ତାହା ବୁଝିପାରିଲେ। କେତେକ ସହ-ଟ୍ରାନ୍ସ ଓମେନ୍‌ ବା କିନ୍ନରମାନଙ୍କ କ୍ଷେତ୍ରରେ ଅସ୍ତ୍ରୋପଚାର ଠିକ୍‌ ରୂପେ କାମ ନକରିବା କଥା ସେ ଆଗରୁ ଶୁଣିଥିଲେ, “ସେହି ଅଂଶର ଅଙ୍ଗ ସମ୍ପୂର୍ଣ୍ଣ ଉଚ୍ଛେଦ କରାଯାଇ ପାରିଲା ନାହିଁ, କିମ୍ବା ସେମାନେ ପରିସ୍ରା କରିବାରେ ସମସ୍ୟାର ସମ୍ମୁଖୀନ ହେଲେ”।

PHOTO • Smitha Tumuluru
PHOTO • Smitha Tumuluru

ବାମରେ: ତାଙ୍କ ମା’ ଭେଙ୍ଗାମ୍ମାଙ୍କ ସହ ରମ୍ୟା। ଡାହାଣରେ: ତାଙ୍କ ଘରେ ଥିବା ବେଳେ ଭଲାରମାଥି

ତାଙ୍କ ଅସ୍ତ୍ରୋପଚାର ସଫଳ ହେଲା, ଓ “ମତେ ପୁନର୍ଜନ୍ମ ପାଇଲା ପରି ଲାଗିଲା”, କହନ୍ତି ରମ୍ୟା। “ମୋ ବାପା ମା’ ଏହି ଅସ୍ତ୍ରୋପଚାର ପରେ ହିଁ ମତେ ରମ୍ୟା ବୋଲି ଡାକିଲେ। ସେ ପର୍ଯ୍ୟନ୍ତ ସେମାନେ ମତେ ‘ପନ୍ଥି’ (ମୃତ) ବୋଲି ଡାକୁଥିଲେ”।

ସେ ବିଶ୍ଵାସ କରନ୍ତି ଯେ ଅସ୍ତ୍ରୋପଚାର ପରେ ତାଙ୍କର ଜଣାଶୁଣା ମହିଳାମାନଙ୍କର ତାଙ୍କ ପ୍ରତି ଥିବା ମନୋବୃତ୍ତି ବଦଳି ଯାଇଛି। ସେମାନେ ବର୍ତ୍ତମାନ ତାଙ୍କୁ ସେମାନଙ୍କ ଭିତରୁ ଜଣେ ବୋଲି ଭାବୁଛନ୍ତି ଓ “ସେମାନେ ବାହାରକୁ ଯାଇଥିବା ବେଳେ ତାଙ୍କ ସହ ଟଏଲେଟକୁ ମଧ୍ୟ ଯାଆନ୍ତି”, ଅଳ୍ପ ହସି ସେ କହନ୍ତି। ରମ୍ୟା ୧୪ ଜଣ ସଭ୍ୟ ବିଶିଷ୍ଟ କାଟ୍ଟୁ ମାଳି ଇରୁଲାର ପେଙ୍ଗାଲ କୁଝୁ ନାମକ ଗୋଟିଏ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀର ମୁଖ୍ୟ ରୂପେ ଦାୟିତ୍ଵ ତୁଲାଉଛନ୍ତି।

ଜଣେ ଲାଇସେନ୍ସପ୍ରାପ୍ତ ସାପଧରାଳି ଭାବେ ସେ ତାଙ୍କ ଭାଇଙ୍କ ସହ ମିଶି ବିଷ-ନିରୋଧୀ ଔଷଧ ତିଆରି ପାଇଁ ଇରୁଲାର ସ୍ନେକ-କ୍ୟାଚର୍ସ ଇଣ୍ଡଷ୍ଟ୍ରିଆଲ କୋଅପରେଟିଭ ସୋସାଇଟିକୁ ବର୍ଷା ଦିନ ଛଡ଼ା ଅନ୍ୟ ଛ’ମାସରେ ସାପ ଯୋଗାଇ ମାସକୁ ପ୍ରାୟ ୩,୦୦୦ ଟଙ୍କା ରୋଜଗାର କରନ୍ତି। ସେ ଦିନ ମଜୁରିଆ ଭାବେ ମଧ୍ୟ କାମ କରୁଛନ୍ତି।

ଗତ ବର୍ଷ, ତାଙ୍କ ଇରୁଲାର ସମାଜର ୫୬ ଟି ପରିବାରକୁ  ଥିରୁପୋରୁର ସହରଠାରୁ ପାଞ୍ଚ କି.ମି. ଦୂରରେ ଥିବା ସେମ୍ବଆକ୍କମ ସୁନ୍ନଆମ୍ବୁ କଲଭାଇଠାରେ ଗୋଟିଏ ନୂଆ ସରକାରୀ ଘର ତିଆରି ହୋଇଥିବା ଅଞ୍ଚଳକୁ ଉଠାଇ ନିଆଯାଇଛି। ରମ୍ୟା ସରକାରୀ ଅଧିକାରୀମାନଙ୍କୁ ଭେଟି ନୂଆ ବିଦ୍ୟୁତ ସଂଯୋଗ ପାଇବା ଓ ପରିଚୟ ପତ୍ର ପ୍ରସ୍ତୁତି ପାଇଁ ସାହାଯ୍ୟ କରୁଛି।

ଜଣେ ନାଗରିକ ଓ ରାଜନୈତିକ କର୍ମୀ ରୂପେ ସେ ନିଜକୁ ମଜବୁତ କଲେଣି – ଗତ ୨୦୨୨ ପଞ୍ଚାୟତ ନିର୍ବାଚନ ବେଳେ ତାଙ୍କ ଗୋଷ୍ଠୀକୁ ଭୋଟ ଦେବା ଅଧିକାର ପ୍ରଦାନ କରିବା ପାଇଁ ସେ ଏକାଧିକ ପ୍ରତିବାଦ ସଭାର ନେତୃତ୍ଵ ନେଇଥିଲେ। ସେମ୍ବଆକ୍କମ ପଞ୍ଚାୟତର ଅଣ-ଇରୁଲାର ଲୋକମାନେ ସେମାନଙ୍କ ଭୋଟ ଦେବା କଥାର ବିରୋଧ କରୁଥିଲେ। “ବର୍ତ୍ତମାନ ମୁଁ ଆମ ପଡ଼ାକୁ ସ୍ଵତନ୍ତ୍ର ୱାର୍ଡ ମାନ୍ୟତା ମିଳିବା ପାଇଁ କାମ କରୁଛି”, ସେ କହନ୍ତି ଓ ଆଗକୁ ତାଙ୍କ ଗୋଷ୍ଠୀର ସେବା କରିବା ପାଇଁ ଦିନେ ନା ଦିନେ ସେ ପଞ୍ଚାୟତ ନିର୍ବାଚନ ଲଢିବା ପାଇଁ ମନସ୍ଥ କରିଛନ୍ତି।

PHOTO • Smitha Tumuluru
PHOTO • Smitha Tumuluru

ବାମରେ: ରମ୍ୟା ବିଦ୍ୟୁତ ସଂଯୋଗକୁ ଫୋନ୍‌ ନମ୍ବର ସହ ଯୋଡ଼ିବା ପାଇଁ  ମିଟର ପଢ଼ିବା ସହ ଅନ୍ୟାନ୍ୟ ଦରକାରୀ ତଥ୍ୟ ସଂଗ୍ରହ କରୁଛନ୍ତି। ଡାହାଣରେ: ବିଦ୍ୟୁତ ବିଭାଗ ଅଫିସରେ ଅଧିକାରୀମାନଙ୍କ ସହ ସେମାନଙ୍କ ନୂଆ ଘରକୁ ଆସିଥିବା ବିଦ୍ୟୁତ ସଂଯୋଗ ସଠିକ କ୍ରମାନ୍ଵୟରେ ସେମାନଙ୍କ ଫୋନ୍‌ ସହ ସଂଯୁକ୍ତ ହୋଇଛି କି ନାହିଁ ତାହାକୁ ନିଶ୍ଚିତ କରୁଛନ୍ତି

PHOTO • Smitha Tumuluru
PHOTO • Smitha Tumuluru

ବାମରେ: ମହିଳା ସ୍ଵୟଂ ସହାୟକ ଗୋଷ୍ଠୀର ସଭ୍ୟାଙ୍କ ସହ ରମ୍ୟା (ବାମରେ ମଲାର ଓ ଡାହାଣରେ ଲକ୍ଷ୍ମୀ) ଡାହାଣରେ: ସେମ୍ବଆକ୍କମ ସୁନ୍ନଆମ୍ବୁ କଲଭାଇଠାରେ ନିଜର ନୂଆ ଘର ଆଗରେ

ସାରା ରାଜ୍ୟରେ ଇରୁଲାର ସମାଜ ଅନ୍ତର୍ଗତ ଜନସଂଖ୍ୟା ପ୍ରାୟ ଦୁଇ ଲକ୍ଷ (୨୦୧୧ ସେନ୍ସସ ଅନୁଯାୟୀ)। “ଝିଅ ହେଉ କି ପୁଅ, କିମ୍ବା ଥିରୁନାନଗେଇ (କିନ୍ନର) ହେଇଥିଲେ ବି ଆମେ ଆମ ପିଲାଙ୍କୁ ପାଖରେ ରଖୁ ଓ ଖୁଏଇ ପିଏଇ ବଡ କରୁ। କିନ୍ତୁ ଏହା ପରିବାରଠୁ ପରିବାର ଉପରେ ମଧ୍ୟ ନିର୍ଭର କରେ”, ସେ କହନ୍ତି। ତାଙ୍କ ସାଙ୍ଗ ସତ୍ୟବାଣୀ ଓ ସୁରେଶ, ପ୍ରାୟ ତିରିଶ ବର୍ଷ ପାଖାପାଖି ବୟସର, ଉଭୟେ ଇରୁଲାର ସମ୍ପ୍ରଦାୟର ଓ ୧୦ ବର୍ଷ ହେଲାଣି ବାହା ହୋଇଛନ୍ତି। ୨୦୧୩ ମସିହାଠାରୁ ସେମାନେ ଥିରୁପୋରୁର ସହର ନିକଟବର୍ତ୍ତୀ କୁନ୍ନାପାଟ୍ଟୁର ଗୋଟିଏ ଇରୁଲାର ପଡ଼ାରେ ତାରପଲିନ ଘେରା କଚ୍ଚାଘରେ ରହୁଛନ୍ତି।

ଜଣେ କିନ୍ନର ହୋଇ ମଧ୍ୟ ସେ ଯେଉଁଭଳି ସୁବିଧାରେ ବଡ଼ ହୋଇ ପାରିଛନ୍ତି ରମ୍ୟା ତା’ର ସମସ୍ତ ଶ୍ରେୟ ତାଙ୍କ ଗୋଷ୍ଠୀ ଓ ଭଲାରମାଥିଙ୍କ ପରି ସାଙ୍ଗକୁ ଦିଅନ୍ତି। ରମ୍ୟାଙ୍କ ଘର ଆଗରେ ବସି ସେମାନେ କିପରି ତାମିଲ ଆଦି ମାସରେ ପାଳନ ହେଉଥିବା ଆଦି ଥିରୁଭୁଜା ଉତ୍ସବ, ଓ ମାମାଲାପୁରମ (ମହାବଳୀପୁରମ) ବେଳାଭୂମି, ଯାହା ଉଭୟଙ୍କୁ ଅତି ଆପଣାର ମନେହୁଏ, ସେଠାରେ ପ୍ରତି ବର୍ଷ ଇରୁଲାର ସମାଜର ମେଳା ବିଷୟରେ କଥାବାର୍ତ୍ତା ହୁଅନ୍ତି।

ସେହି ମେଳାରେ ନୃତ୍ୟ ପରିବଷଣ କରିବାକୁ ସେମାନେ ନାମ ପଞ୍ଜୀକରଣ କରନ୍ତି “କେବଳ ଝିଅମାନଙ୍କ ପରି ପୋଷାକ ପିନ୍ଧିବା ପାଇଁ”, କହନ୍ତି ଭଲାରମାଥି। ଆଦି ଉତ୍ସବକୁ ସେ ଆଗ୍ରହର ସହ ଅପେକ୍ଷା କରି ରହିଥାଏ ଓ ଅଧିକାଂଶ ସମୟରେ ସେ ସବୁଦିନ କାହିଁକି ସେମିତି ପିନ୍ଧି ପାରିବ ନାହିଁ ବୋଲି ଭାବି ଚକିତ ହୁଏ।

“ପ୍ୟାଣ୍ଟ-ସାର୍ଟ ପିନ୍ଧୁଥିବା ଦିନରୁ ହିଁ ଆମେ ଦୁହେଁ ସାଙ୍ଗ”, କହନ୍ତି ରମ୍ୟା। ସେମାନଙ୍କର ଷଷ୍ଠ ଶ୍ରେଣୀରେ ପଢ଼ିଲା ବେଳେ ଭେଟ ହେଇଥିଲା, ଯେତେବେଳେ ଭଲାରମାଥିଙ୍କ ମା’ଙ୍କ ଦେହାନ୍ତ ହେବା ପରେ ସେ ତାଙ୍କ ବାପା ଓ ଦୁଇ ଭାଇଭଉଣୀଙ୍କ ସହ କାଞ୍ଜିପୁରମ ସହର ଛାଡ଼ି ସେମାନେ ଥିରୁପୋରୁର ସହର ନିକଟବର୍ତ୍ତୀ ଇରୁଲାରମାନଙ୍କ ପଡ଼ା ଏଦୟାଙ୍କୁପ୍ପମକୁ ଆସିଥିଲେ। ଉଭୟେ ପରସ୍ପର ସହ ସେମାନଙ୍କର ଅନୁଭବ ଓ ଆଶଙ୍କା ଆଦିକୁ ଲୁଚେଇକି କୁହାକୁହି ହେଉଥିଲେ, ଏବଂ ସେହି ଯୁବ ବୟସରେ ସେମାନେ କିପରି ସମାନ କଥା ଚାହୁଁଥିଲେ ତାହାକୁ ଜାଣି ପାରିଥିଲେ।

PHOTO • Smitha Tumuluru
PHOTO • Smitha Tumuluru

ବାମରେ: ରମ୍ୟା ଓ ଭଲାରମାଥି।  ଡାହାଣରେ: ଭଲାରମାଥି ଫ୍ରେମ ହୋଇଥିବା ଗୋଟିଏ ଫଟୋରେ ତାଙ୍କର କିଶୋର ବୟସରେ ସେ କେମିତି ସ୍ତ୍ରୀ ଲୋକମାନେ ପିନ୍ଧୁଥିବା ‘ଦଭାନୀ’ ପିନ୍ଧିଥିଲେ ଦେଖାଉଛନ୍ତି। ଗୋଟିଏ ଗୋଷ୍ଠୀ ଉତ୍ସବରେ ଅଭିନୟ କରିବା ପାଇଁ ସେ ସେହି ପୋଷାକ ପରିଧାନ କରିଥିଲେ – କେବଳ ସେହି ସମୟରେ ତାହା ପିନ୍ଧିବା ପାଇଁ ଗ୍ରହଣ କରାଯାଏ

PHOTO • Smitha Tumuluru
PHOTO • Smitha Tumuluru

ବାମରେ: ସତ୍ୟବାଣୀ ଓ ଭଲାରମାଥି। ଡାହାଣରେ: ଥିରୁପୋରୁର ସହର ନିକଟବର୍ତ୍ତୀ କୁନ୍ନାପାଟ୍ଟୁର ଇରୁଲାର ପଡ଼ାରେ ଥିବା ସେମାନଙ୍କ କଚ୍ଚାଘର ଭିତରେ ସତ୍ୟବାଣୀ ଓ ସୁରେଶ।  ଇରୁଲାର ସଂସ୍କୃତି ଅନୁଯାୟୀ ବିବାହ ଉଦ୍ଦେଶ୍ୟରେ ସେ ଦୁଇଜଣ ପରସ୍ପର ଉପରେ ହଳଦୀ ପାଣି ଢାଳୁଛନ୍ତି

*****

ପ୍ରଥମ ‘ପୁଅ’ ହେଇ ଜନ୍ମ ହୋଇଥିବାରୁ ଭଲାରମାଥିଙ୍କ ଲିଙ୍ଗଗତ ପରିଚୟ ତାଙ୍କର ତାଙ୍କ ବାପାଙ୍କ ସହ ସମ୍ପର୍କକୁ ଖରାପ କଲା। ଆଦ୍ୟ କିଶୋର ବୟସରେ ସେ ପାଠ ପଢ଼ା  ଛାଡ଼ିଦେଲେ ଓ ଘର ଛାଡ଼ି ୩୫ କି. ମି. ଦୂରରେ ଥିବା ଗୋଟିଏ ଥିରୁନାନଗେଇ (କିନ୍ନର) ପରିବାରରେ ରହିବାକୁ ଚାଲିଗଲେ। “ମୁଁ ଅନ୍ୟ ଥିରୁନାନଗେଇସମାନଙ୍କ ସହ ରହିଲି। ଆମ ସମସ୍ତଙ୍କୁ ଜଣେ ଗୁରୁ ବା ଆମ୍ମା [ମା’], ବୟସ୍କ କିନ୍ନର ପୋଷ୍ୟ କରିଥିଲେ”।

ତିନି ବର୍ଷ ପର୍ଯ୍ୟନ୍ତ ଭଲାରମାଥିଙ୍କ କାମ ଥିଲା ସ୍ଥାନୀୟ ଦୋକାନଗୁଡ଼ିକୁ ଯାଇ ଟଙ୍କା ମାଗିବା ଓ ବଦଳରେ ଆଶୀର୍ବାଦ ଦେବା। “ପ୍ରତ୍ୟେକ ଦିନ ମୁଁ ଯାଉଥିଲି। ତାହା ସ୍କୁଲକୁ ଯିବା ଭଳି ଥିଲା”, ସେ କହନ୍ତି। ସେ ତାଙ୍କର ସମସ୍ତ ଆୟ, ତାଙ୍କ ହିସାବରେ ଯାହା ପ୍ରାୟ କେତେ ଲକ୍ଷ ଟଙ୍କା ହେବ, ସବୁ ତାଙ୍କ ଗୁରୁଙ୍କୁ ଦେଉଥିଲେ। ଏପରିକି ସେଇ ସମୟରେ ତାଙ୍କୁ ଏକ ଲକ୍ଷ ଟଙ୍କାର ଋଣ ଶୁଝିବାକୁ ପଡ଼ିଥିଲା, ଯାହାକୁ ତାଙ୍କ ନାଁରେ ତାଙ୍କର ଲିଙ୍ଗ ପରିବର୍ତ୍ତନ ଅସ୍ତ୍ରୋପଚାର ଓ ତାହାକୁ ଗୋଟିଏ ଆଡ଼ମ୍ବରପୂର୍ଣ୍ଣ ଉତ୍ସବ ରୀତି ପାଳନ ପାଇଁ ତାଙ୍କ ଗୁରୁ ନେଇଥିଲେ।

ଘରକୁ ଟଙ୍କା ପଠାଇବା ସମ୍ଭବ ନହେବାରୁ ଓ ତାଙ୍କର ଜୈବିକ ପରିବାର ସହ ଭେଟିବାକୁ ଅନୁମତି ନମିଳିବାରୁ ଭଲାରମାଥି ଏହି ଘରକୁ ଛାଡ଼ିବା ପାଇଁ ଆଉ ଜଣେ ଗୁରୁଙ୍କ ସାହାଯ୍ୟ ନେଲେ। ସେହି ଗୁରୁଙ୍କ ଏହି ଟ୍ରାନ୍ସ ପରିବାରକୁ ଛାଡ଼ି ଚେନ୍ନାଇ ନିକଟବର୍ତ୍ତୀ ଗୋଟିଏ ନୂଆ ଥିରୁନାନଗେଇ (କିନ୍ନର) ପରିବାରକୁ ଯିବା ପାଇଁ ତାଙ୍କୁ ୫୦,୦୦୦ ଟଙ୍କାର ଜୋରିମାନା ଦେବାକୁ ପଡ଼ିଲା।

“ମୁଁ ମୋ ବାପାଙ୍କୁ ପ୍ରତିଶ୍ରୁତି ଦେଇଥିଲି କି ମୋ ଭାଇଭଉଣୀଙ୍କ ସହାୟତା ପାଇଁ ମୁଁ ଘରକୁ ଟଙ୍କା ପଠେଇବି”, ସେ କହନ୍ତି। କିନ୍ନରମାନଙ୍କୁ ମିଳୁଥିବା ସୀମିତ ଶିକ୍ଷା ଓ କର୍ମ ନିଯୁକ୍ତି ସୁଯୋଗ ଯୋଗୁଁ, ତାଙ୍କ ପରି କିଶୋରମାନଙ୍କ ପରି ସେ ଯୌନ-କର୍ମ କରିବା ସହ ସବ୍‌ଅରବାନ ଟ୍ରେନରେ ଯାତ୍ରା କରି ଲୋକଙ୍କୁ ଆଶୀର୍ବାଦ କରିବା ବଦଳରେ ଅର୍ଥ ଉପାର୍ଜନ କଲେ। ସେହି ଟ୍ରେନ ଯାତ୍ରା ସମୟରେ ହିଁ ଗୋଟିଏ ଜଳ-ଜାହାଜ ୟାର୍ଡରେ କାମ କରୁଥିବା ମଧ୍ୟ-କୋଡ଼ିଏରୁ ଊର୍ଦ୍ଧ୍ଵ ବୟସର ରାକେଶଙ୍କ ସହ ତାଙ୍କର ଦେଖା ହେଇଥିଲା।

PHOTO • Smitha Tumuluru

ଭଲାରମାଥି ଘରର ପ୍ରଥମ ‘ପୁଅ’ ହେଇ ଜନ୍ମ  ହୋଇଥିଲେ। ତାଙ୍କ ଲିଙ୍ଗଗତ ପରିଚୟ ତାଙ୍କ ବାପାଙ୍କ ସହ ତାଙ୍କର ସମ୍ପର୍କକୁ ଖରାପ କରିବାରୁ ସେ ଆଦ୍ୟ କିଶୋର ବୟସରେ ଘର ଛାଡ଼ି ଚାଲିଯାଇ ଗୋଟିଏ ଥିରୁନାନଗେଇ ବା କିନ୍ନର ପରିବାରରେ ରହିଲେ

PHOTO • Smitha Tumuluru
PHOTO • Smitha Tumuluru

ବାମରେ: ବେକରେ ସାପ ଟାଟ୍ଟୁ ଥିବା ଇରୁଲା ସମାଜର ଭଲାରମାଥି। ଥିରୁପୋରୁର ଚତୁରପାର୍ଶ୍ଵରେ ରହୁଥିବା ଇରୁଲାର ଗୋଷ୍ଠୀ ସେମାନଙ୍କ ସାପ ଧରିବା ଦକ୍ଷତା ପାଇଁ ବେଶ୍ ପରିଚିତ। ଭଲାରମାଥି କହନ୍ତି କି ସେ ସାପଙ୍କୁ ଭଲପାଆନ୍ତି। ଡାହାଣରେ: ରାକେଶଙ୍କ ଛାତିରେ ଲେଖା ହେଇଥିବା ତାଙ୍କ ନାଁ

ଏହି ଯୋଡ଼ି ପ୍ରେମରେ ପଡ଼ିଲେ, ବାହାଘର ରୀତିନୀତି ଅନୁଯାୟୀ ବାହା ହେଲେ ଓ ୨୦୨୧ରୁ ଏକାଠି ରହିଲେ। ଥିରୁପୋରୁର ସହରରେ ମନ ପସନ୍ଦର ଘରଟିଏ ଯାହାର ମାଲିକ ସେମାନଙ୍କୁ ସମ୍ମାନର ସହ ବ୍ୟବହାର କରିବ ନପାଇବାରୁ ସେମାନେ ପ୍ରଥମେ ଏଦାୟାଙ୍କୁପମ୍ମଠାରେ ରହୁଥିବା ଭଲାରମାଥିଙ୍କ ବାପା ନାଗାପାନ୍ନଙ୍କ ଘରେ ଯାଇ ରହିଲେ। ଘରେ ରହିବାକୁ ସମ୍ମତି ଦେଇଥିଲେ ବି ନାଗାପାନ୍ନ ସେମାନଙ୍କୁ ପୁରାପୁରି ଗ୍ରହଣ କରୁ ନଥିଲେ ଓ ସେଥିପାଇଁ ସେମାନେ ସେଠାରୁ ବାହାରି ଯାଇ ପାଖରେ ଥିବା ଗୋଟିଏ ଘରେ ଭଡ଼ାରେ ରହିଲେ।

“ମୁଁ ଅସୁଲ (ଦୋକାନରୁ ଦୋକାନ ବୁଲି ପଇସା ମାଗିବା) ପାଇଁ ଯିବା ବନ୍ଦ କରିଦେଲି। ତେବେ ବାହାରେ ଯାଇ ତାଳି ମାରି କେତେ ହଜାର ଟଙ୍କା ରୋଜଗାର କରିବା ଲୋଭନୀୟ ହୋଇଥିଲେ ବି ରାକେଶ ତାହାକୁ ପସନ୍ଦ କଲାନାହିଁ”, କହନ୍ତି ଭଲାରମାଥି, ଏବଂ ସେ ବାପାଙ୍କ ସହ ଯାଇ ନିକଟରେ ଥିବା ଗୋଟିଏ ବିବାହ ମଣ୍ଡପରେ ହଣ୍ଡାହାଣ୍ଡି ମାଜିବା ଓ ସେଠାକାର ହତାକୁ ସଫା କରିବା ପାଇଁ ଦିନକୁ ୩୦୦ ଟଙ୍କା ମଜୁରିରେ କାମ କଲା।

“ସେ ତାଙ୍କ ବିଷୟରେ ମତେ ସବୁକିଛି ଖୋଲିକି କହିଲେ। ତାଙ୍କର ଏହି ଗୁଣ ମତେ ଭଲ ଲାଗେ”, ରାକେଶ ଏହି ରିପୋର୍ଟର ଯେତେବେଳେ ଡିସେମ୍ବର ୨୦୨୨ରେ ତାଙ୍କୁ ଭେଟିଥିଲା ସେତେବେଳେ କହିଥିଲେ। ଭଲାରମାଥି ଲିଙ୍ଗ ପରିବର୍ତ୍ତନ ଅସ୍ତ୍ରୋପଚାର ପରେ ଯେତେବେଳେ ସ୍ତନ ବୃଦ୍ଧି ପଦ୍ଧତିରେ ଅସ୍ତ୍ରୋପଚାର କରିବାକୁ ଚାହିଁଲେ ରାକେଶ ତାଙ୍କୁ ଆର୍ଥିକ ଓ ଆବେଗିକ ସହଯୋଗ କରିଥିଲେ। ସେମାନେ ସେହି ଅସ୍ତ୍ରୋପଚାର ଓ ଅସ୍ତ୍ରୋପଚାର-ପରବର୍ତ୍ତୀ ସ୍ଵାସ୍ଥ୍ୟ ଉପଚାର ପାଇଁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କଲେ। “ସମସ୍ତ ଅସ୍ତ୍ରୋପଚାର କରିବାକୁ ମୁଁ ନିଷ୍ପତ୍ତି ନେଇଥିଲି। ମୁଁ ଏହା ଅନ୍ୟମାନେ କରିଥିବାରୁ କରିନଥିଲି। ମୁଁ କେବେଳ ମୋ ବିଷୟରେ ଭାବିଥିଲି ଓ ମୁଁ କ’ଣ ହେବାକୁ ଚାହେଁ ତାକୁ ଦୃଷ୍ଟିରେ ରଖି କରିଥିଲି”, କହନ୍ତି ଭଲାରମାଥି।

ସେମାନଙ୍କ ବାହାଘର ପରେ ଭଲାରମାଥିଙ୍କ ପ୍ରଥମ ଜନ୍ମଦିନ ବେଳେ ସେ ଓ ରାକେଶ ଯେତେବେଳେ ଗୋଟିଏ କେକ କିଣିବାକୁ ଯାଇଥିଲେ, ତାଙ୍କୁ ଦେଖି ଦୋକାନୀ ଜଣକ ସେ ହୁଏତ ଅସୁଲ ପାଇଁ ଆସିଛି ଭାବି କିଛି କଏନ (ପଇସା) ବଢ଼େଇ ଦେଇଥିଲେ। ସେଥିରେ ବିବ୍ରତ ହୋଇ ଯେତେବେଳେ ସେମାନେ ଆସିବାର ଉଦ୍ଦେଶ୍ୟ ବିଷୟରେ କହିଲେ, ଦୋକାନୀ ଜଣକ କ୍ଷମା ମାଗିଲେ। ପରବର୍ତ୍ତୀ ସମୟରେ ସେଦିନ ରାତିରେ ଭଲାରମାଥି ତାଙ୍କ ସ୍ଵାମୀ ଓ ଭାଇଭଉଣୀମାନଙ୍କ ସହ କେକ୍‌ କାଟି ଏବଂ ହର୍ଷ ଓ ଉଲ୍ଲାସ ଭିତରେ ଏକ ଅବିସ୍ମୃତ ଜନ୍ମ ଦିନ ପାଳନ କଲେ। ସେ ଦୁଇଜଣ ଭଲାରମାଥିଙ୍କ ଜେଜେବାପାଙ୍କୁ ଭେଟି ତାଙ୍କ ଆଶୀର୍ବାଦ ମଧ୍ୟ ନେଇଥିଲେ।

ଆଉ ଗୋଟିଏ ଦିନର କଥା ସେ ମନେ ପକାନ୍ତି – ସେଦିନ ବିଳମ୍ବିତ ରାତିରେ ସେମାନେ ଯେତେବେଳେ ମଟରସାଇକେଲ ଚଢି ଆସୁଥିଲେ ପୋଲିସ ସେମାନଙ୍କୁ ଅଟକାଇ ଥିଲା। ସେ ସେମାନଙ୍କୁ ନିଜ ‘ଥାଆଲି’ ବା ମଙ୍ଗଳସୂତ୍ର (ବିବାହକୁ ଦର୍ଶାଉ ଥିବା ପବିତ୍ର ସୂତା) ଦେଖାଇଥିଲେ। ସେ ଦୁଇଜଣଙ୍କ ଆଶଙ୍କାର ବିପରୀତ ଭାବେ ପୋଲିସମାନେ ଆଶ୍ଚର୍ଯ୍ୟ ହେଲେ ଓ ସେମାନଙ୍କୁ ଯିବା ପାଇଁ ବାଟ ଛାଡ଼ିଦେଲେ।

PHOTO • Smitha Tumuluru
PHOTO • Smitha Tumuluru

ବାମରେ: ଜଣେ ଥିରୁନାନଗେଇ ଲିଙ୍ଗ ପରିବର୍ତ୍ତନ ଅସ୍ତ୍ରୋପଚାର କରିବାର ୪୮ ଦିନ ପରେ ଯେଉଁ ‘ପାଲ’ ଉତ୍ସବ ପାଳନ କରାଯାଏ ସେତେବେଳେ ଉଠା ଯାଇଥିବା ଫଟୋ ଆଲବମ ଧରିଛନ୍ତି ଭଲାରମାଥି। ଡାହାଣରେ: ତାମିଲନାଡ଼ୁ ରାଜ୍ୟ ପକ୍ଷରୁ ସ୍ଵତନ୍ତ୍ର ସୁବିଧା ପାଇବା ପାଇଁ ତାଙ୍କୁ  ଦିଆଯାଇଥିବା ଲିଙ୍ଗ ପରିବର୍ତ୍ତନ ପରିଚୟ ପତ୍ର ଯେଉଁଥିରେ ଟିଜି କାର୍ଡ ବୋଲି ଲେଖା ଅଛି ତାହାକୁ ଧରି ଦେଖାଉଛନ୍ତି ଭଲାରମାଥି

PHOTO • Smitha Tumuluru
PHOTO • Smitha Tumuluru

ବାମରେ: ଗୋଟିଏ ଦୋକାନରେ ପ୍ରାର୍ଥନା କରୁଥିବା ବେଳେ ଭଲାରମାଥି। ଡାହାଣରେ: ଥିରୁପୋରୁରଠାରୁ ୨୫ କି.ମି. ଦୂରରେ ଥିବା ଗୁଦୁବାନଚେରୀ ସହରରେ ପରିବା ଦୋକାନ କରିଥିବା ଦମ୍ପତିଙ୍କୁ ଆଶୀର୍ବାଦ ଦେଉଛନ୍ତି। ଏହି ଅଞ୍ଚଳର ଦୋକାନୀମାନେ ତାଙ୍କ ମାସିକିଆ ଆଗମନକୁ ଅପେକ୍ଷା କରନ୍ତି। ସବୁ ଦୁଷ୍ଟଶକ୍ତିକୁ ଜଣେ ଥିରୁନାନଗେଇଙ୍କ ଆଶୀର୍ବାଦ ପରାହତ କରିବ ବୋଲି ସେମାନଙ୍କର ବିଶ୍ଵାସ

୨୦୨୪ ଅଗଷ୍ଟରେ ଗୋଟିଏ ସରକାରୀ ଚାକିରି କରିବାକୁ ରାକେଶ ଚେନ୍ନାଇ ଗଲେ। “ସେ ମୋ ଟେଲିଫୋନ କଲ୍‌ ଧରିଲେ ନାହିଁ କି ଆଦୌ ଫେରିଲେ ନାହିଁ”, କହନ୍ତି ଭଲାରମାଥି, ଯେ କି ତାଙ୍କ ବାପାଙ୍କଠାରୁ ସାହସ ପାଇ ରାକେଶଙ୍କୁ ଖୋଜିବା ପାଇଁ ସେହି ସହରକୁ ଯାଇଥିଲେ

“ରାକେଶର ବାପା ମା’ ଅତି ଶାଳୀନତାର ସହ ମତେ କହିଲେ ଯେ ତାକୁ ଯିବାକୁ ଦିଅ, ତେବେ ଯାଇ ସେ ବାହାସାହା ହେଇ ପିଲାଛୁଆ କରି ପାରିବ। ଆମ ବିବାହକୁ ପଞ୍ଜୀକୃତ କରିବା କଥା ମୋ ମୁଣ୍ଡକୁ କେବେ ବି ଜୁଟି ନଥିଲା। ସେ ମତେ ଛାଡ଼ି ଚାଲିଯିବେନି ବୋଲି ମୋର ସମ୍ପୂର୍ଣ୍ଣ ବିଶ୍ଵାସ ଥିଲା,” ଭଲାରମାଥି କହନ୍ତି। ସେ ନିଷ୍ପତ୍ତି ନେଲେ ଯେ ଆଉ ରାକେଶକୁ ଖୋଜିବେ ନାହିଁ, ଏବଂ ଚେନ୍ନାଇରେ ଥିବା ଥିରୁନାନଗେଇ (କିନ୍ନର) ପରିବାରକୁ ସେ ଫେରିଗଲେ।

ଏସବୁ ବାଧାବିଘ୍ନ ସତ୍ତ୍ୱେ ସ୍ୱଳ୍ପ-ରୋଜଗାରକ୍ଷମ ଗୋଷ୍ଠୀର ଦୁଇଜଣ ଯୁବ ଟ୍ରାନ୍ସ-ଝିଅଙ୍କୁ ସେ ନିଜ ଥିରୁନାନଗେଇ (କିନ୍ନର) ପରିବାରରେ ପୋଷ୍ୟ ରୂପେ ଗ୍ରହଣ କରି ସେମାନଙ୍କୁ ବାଟ ବତେଇବାକୁ ଚାହାନ୍ତି। ସେମାନଙ୍କ ଭିତରୁ ଜଣେ ପୋଲିସ ଅଫିସର ହେବାକୁ ଚାହେଁ ଓ ସେହି ସ୍ୱପ୍ନ ପୂରଣ କରିବାକୁ ଭଲାରମାଥି ତାକୁ ସାହାଯ୍ୟ କରିବାର ଆଶା ରଖିଛନ୍ତି।

ଅନୁବାଦ : ଓଡ଼ିଶାଲାଇଭ୍‍

Smitha Tumuluru

Smitha Tumuluru is a documentary photographer based in Bengaluru. Her prior work on development projects in Tamil Nadu informs her reporting and documenting of rural lives.

Other stories by Smitha Tumuluru
Editor : Riya Behl

Riya Behl is a multimedia journalist writing on gender and education. A former Senior Assistant Editor at People’s Archive of Rural India (PARI), Riya also worked closely with students and educators to bring PARI into the classroom.

Other stories by Riya Behl
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Other stories by OdishaLIVE