କିରଣ ରନ୍ଧାରନ୍ଧି କରେ, ସଫାସଫି କରେ ଏବଂ ଘର ଚଳାଏ। ସେ ମଧ୍ୟ ଘରକୁ ଜାଳେଣି କାଠ ଓ ପାଣି ବୋହି ଆଣେ। ଖରାଦିନ ପାଖେଇ ଆସିବା ସହିତ ତା’ ପାଇଁ ଏ ଦୂରତା ବଢ଼ି ବଢ଼ି ଯାଉଥାଏ।
ଏବେ ତା’ର ବୟସ ମାତ୍ର ୧୧ ବର୍ଷ, ହେଲେ ତା’ ପାଖରେ ଆଉ କିଛି ଉପାୟ ନାହିଁ – ପ୍ରତି ବର୍ଷ ତା’ର ବାପାମାଆ ଘର ଛାଡ଼ି ଅନ୍ୟ ସ୍ଥାନକୁ ଚାଲିଯିବା ପରେ, ବାଂସୱାଡ଼ା ଜିଲ୍ଲାର ତାଙ୍କ ଗାଁରେ (ନାମ ପ୍ରକାଶ କରାଯାଉନାହିଁ) ଘର କଥା ବୁଝିବାକୁ ଘରେ ଆଉ କେହି ନାହାଁନ୍ତି। ତା’ର ୧୮ ବର୍ଷର ଭାଇ ବିକାଶ (ପରିବର୍ତ୍ତିତ ନାମ) ପାଖରେ ଅଛି ସତ, ହେଲେ ସେ ବି ଯେ କୌଣସି ସମୟରେ ଘର ଛାଡ଼ି ବାହାରକୁ ଚାଲିଯାଇପାରେ, କାହିଁକି ନା ପୂର୍ବରୁ ସେ ଏମିତି କରିଆସିଛି। ତିନିରୁ ୧୩ ବର୍ଷ ବୟସର ତା’ର ଅନ୍ୟ ତିନି ଭାଇଭଉଣୀ, ଗୁଜରାଟର ବଡ଼ୋଦରାରେ ବିଭିନ୍ନ କୋଠାବାଡ଼ି ନିର୍ମାଣସ୍ଥଳୀରେ ଶ୍ରମିକ ଭାବରେ କାମ କରୁଥିବା ବାପାମାଆଙ୍କ ସାଙ୍ଗରେ ରହନ୍ତି। ସେମାନେ ସ୍କୁଲ ଯିବାରୁ ବଞ୍ଚିତ, ହେଲେ କିରଣ ସ୍କୁଲକୁ ଯାଏ।
ତା’ର ଦିନଯାକର କାମ ସଂପର୍କରେ ଏହି ରିପୋର୍ଟରଙ୍କୁ ବୁଝାଇବାକୁ ଯାଇ କିରଣ (ପରିବର୍ତ୍ତିତ ନାମ) କହେ, “ମୁଁ ସକାଳେ ଖାଇବା ଲାଗି କିଛି ରାନ୍ଧିଦିଏ।” ରନ୍ଧାଘରରେ ପରିଣତ ହୋଇଛି ଏହି ବଖୁରିକିଆ ଘରର ଅଧାରୁ ଅଧିକ ସ୍ଥାନ, ସୂର୍ଯ୍ୟ ବୁଡ଼ିଯିବା ପରେ ଘରେ ଆଲୁଅ ଦେଇଥାଏ ଛାତରୁ ଓହଳିଥିବା ଏକମାତ୍ର ବ୍ୟାଟେରୀଚାଳିତ ଲାଇଟ୍।
ଘର ଭିତରେ ଗୋଟିଏ ପଟେ କାଠଚୁଲି; ତା’ ପାଖକୁ ଲାଗି ରହିଛି ବଳକା କାଠ ଏବଂ ଏକ ପୁରୁଣା କିରୋସିନ ଡବାଟିଏ। ପରିବାପତ୍ର, ମସଲା ଏବଂ ଅନ୍ୟ ସାମଗ୍ରୀ ସବୁ ରହିଛି ପ୍ଲାଷ୍ଟିକ୍ ବ୍ୟାଗ୍ କିମ୍ବା ଡବାରେ ଏବଂ ସେସବୁ ହୁଏତ ଚଟାଣରେ ସଜେଇ ରଖାହୋଇଛି କିମ୍ବା କାନ୍ଥରେ ଝୁଲୁଛି – ସହଜରେ ତା’ର ଛୋଟ ଛୋଟ ହାତ ଦୁଇଟି ପାଇବା ଭଳି ସ୍ଥାନରେ। “ମୁଁ ସ୍କୁଲରୁ ଆସିବା ପରେ ରାତିରେ ଖାଇବା ପାଇଁ ବି ରାନ୍ଧେ। ଫିର ମୁର୍ଗୀ କୋ ଦେଖନା (ତା’ପରେ ମୁଁ କୁକୁଡ଼ା ଓ ଗଞ୍ଜାମାନଙ୍କୁ ଦେଖେ) ଏବଂ ତା’ପରେ ଆମେ ଶୋଇବାକୁ ଯାଉ,” କିରଣ କହେ।
ଲାଜେଇ ଲାଜେଇ ସେ କହିଥିବା ତା’ର କାହାଣୀରୁ ଘରର ଆଉ ଅନେକ କାମ ବିଷୟ ବାଦ୍ ପଡ଼ିଯାଇଥାଏ। ଯେମିତି କି ଚାଲିଚାଲି ଯାଇ, ଏଠାକାର ଭାଷାରେ ‘ବିଜଲିୟା’ ବା ‘ଦାୱଡ଼ା ଖୋରା’ ନାମରେ ପରିଚିତ ଆଖପାଖ ପାହାଡ଼ ତଳ ଜଙ୍ଗଲରୁ ଜାଳେଣି କାଠ ସଂଗ୍ରହ କରିବା। ଜଙ୍ଗଲକୁ ଯିବା ଲାଗି କିରଣକୁ ଘଣ୍ଟାଏ ଲାଗେ, ଆଉ ଘଣ୍ଟାଏ ଯାଏ କାଠ କାଟି, ଏକାଠି କରି ବିଡ଼ା ବାନ୍ଧିବାରେ, ଏବଂ ନିଶ୍ଚିତ ଭାବରେ ତା’ଠାରୁ ଉଚ୍ଚ ଏବଂ ସମ୍ଭବତଃ ତା’ର ସାମାନ୍ୟ ଗଠିତ ଶରୀରର ଓଜନଠାରୁ ଅଧିକ କିଲୋ ଓଜନର କାଠକୁ ମୁଣ୍ଡରେ ଲଦି ଘରକୁ ଫେରିବାରେ ଆଉ ଗୋଟିଏ ଘଣ୍ଟା ଲାଗେ।
“ମୁଁ ପାଣି ବି ଆଣେ,” ଏକ ଗୁରୁତ୍ୱପୂର୍ଣ୍ଣ ଘରକାମ କଥା ମନେ ପକାଇ କିରଣ କହେ। କେଉଁଠାରୁ? “ହ୍ୟାଣ୍ଡପମ୍ପରୁ।” ଏହି ହ୍ୟାଣ୍ଡପମ୍ପ ବା ନଳକୂଅଟି ତାଙ୍କ ପଡ଼ୋଶୀ ଅସ୍ମିତାଙ୍କ ପରିବାରର। “ଆମ ଜମିରେ ଆମର ଦୁଇଟି ହ୍ୟାଣ୍ଡ ପମ୍ପ୍ ଅଛି। ଏ ଅଞ୍ଚଳର ସମସ୍ତେ, ପାଖାପାଖି ଆଠଟି ପରିବାର, ଏଥିରୁ ପାଣି ନିଅନ୍ତି,” ୨୫ ବର୍ଷୀୟା ଅସ୍ମିତା କହନ୍ତି। “ଖରାଦିନ ଆସିଗଲେ ଏବଂ ନଳକୂଅଗୁଡ଼ିକ ଶୁଖି ଗଲେ, ଲୋକେ ଗ ଡ୍ଢ଼ା (ବିଜଲିୟା ପାହାଡ଼ ତଳେ ସୃଷ୍ଟି ହୋଇଥିବା ପ୍ରାକୃତିକ ପୋଖରି ବା ଗାଡ଼ିଆ) ଯାଏଁ ଯାଆନ୍ତି।” ହେଲେ ଗ ଡ୍ଢ଼ା ରହିଛି ବହୁ ଦୂରରେ ଏବଂ ଉଚ୍ଚରେ, ବିଶେଷତଃ କିରଣ ଭଳି ଛୋଟପିଲାଙ୍କ ପାଇଁ।
ସାଲୱାର କୁର୍ତା ସହିତ ଶୀତଦିନିଆ ଥଣ୍ଡାରୁ ରକ୍ଷା ପାଇବା ଲାଗି ବାଇଗଣି ରଙ୍ଗର ସ୍ୱେଟର ପିନ୍ଧି, ନିଜ ବୟସଠାରୁ ବହୁ ଅଧିକ ବୟସର ଦିଶେ ସେ। କିନ୍ତୁ ହଠାତ୍ ଯେତେବେଳେ ସେ କହିବା ଆରମ୍ଭ କରେ, “ ମମ୍ମି-ପାପା ସେ ରୋଜ୍ ବାତ୍ ହୋତି ହୈ... ଫୋନ୍ ପେ (ଆମେ ସବୁଦିନ ଆମ ବାପାମାଆଙ୍କ ସହ କଥାବାର୍ତ୍ତା କରୁ... ଫୋନ୍ରେ), ଆପଣ ତା’ର ଛୋଟ ବୟସର ଝଲକ ପାଆନ୍ତି।
ବାଂସୱାଡ଼ା ଜିଲ୍ଲା ରହିଥିବା ଦକ୍ଷିଣ ରାଜସ୍ଥାନର ଅଧାରୁ ଅଧିକ ପରିବାର ହେଉଛନ୍ତି ପ୍ରବାସୀ ପରିବାର। ଏବଂ ଜିଲ୍ଲାର ୯୫ ପ୍ରତିଶତରୁ ଅଧିକ ଲୋକ କିରଣଙ୍କ ପରିବାର ଭଳି ଭିଲ ଆଦିବାସୀ ପରିବାରର। ଘର ଓ ଜମିବାଡ଼ିର ଦେଖାରଖା କରିବା ଲାଗି ଅଧିକାଂଶ ଲୋକେ ପିଲାଙ୍କୁ ଘରେ ଛାଡ଼ି ଯାଆନ୍ତି। କିନ୍ତୁ, କୋମଳ କାନ୍ଧ ଉପରେ ଏହି ଅନୁଚିତ ବୋଝକୁ ବାଦ୍ ଦେଲେ ଏକୁଟିଆ ରହିବା ଯୋଗୁଁ ସେମାନେ ଶୋଷଣର ଶିକାର ହେବା ଆଶଙ୍କା ରହିଥାଏ।
ଜାନୁଆରୀ ଆରମ୍ଭରୁ ଏଠାକାର ଅନେକ କ୍ଷେତ ବାଦାମୀ ରଙ୍ଗର ଶୁଖିଲା ବୁଦାରେ କିମ୍ବା ତୋଳା ହେବା ଅପେକ୍ଷାରେ ଥିବା କପା ଗଛରେ ଭରି ରହିଥାଏ। ଶୀତଛୁଟି ଚାଲି ଥିବାରୁ ଅନେକ ପିଲା ନିଜ ନିଜ ଘରର ଚାଷଜମିରେ କାମ କରୁଥାଆନ୍ତି, ଜାଳେଣି କାଠ ସଂଗ୍ରହ କରୁଥାଆନ୍ତି କିମ୍ବା ଗୃହପାଳିତ ପଶୁ ଚରାଉଥାଆନ୍ତି।
ଏଥର ଘରେ ରହିଯାଇଛନ୍ତି ବିକାଶ, କିନ୍ତୁ ଗଲା ବର୍ଷ ସେ ବାପାମାଆଙ୍କ ସହିତ ଯାଇଥିଲେ। “ମୁଁ (ନିର୍ମାଣ ସ୍ଥଳରେ) ବାଲି ମିଶାଉଥିବା ମେସିନରେ କାମ କରେ,” କପା ତୋଳୁ ତୋଳୁ ସେ କହନ୍ତି। “ଆମକୁ ଦିନକର କାମ ପାଇଁ ୫୦୦ ଟଙ୍କା ମିଳୁଥିଲା। କିନ୍ତୁ ଆମକୁ ରାସ୍ତାକଡ଼ରେ ରହିବାକୁ ପଡୁଥିଲା। ମୋତେ ସେଇଟା ଭଲ ଲାଗିଲାନି।” ତେଣୁ ସେ ଦୀପାବଳି (୨୦୨୩) ପାଖାପାଖି, ଶିକ୍ଷାବର୍ଷର ପାଠପଢ଼ା ପୁଣି ଜୋର୍ ଧରିବା ବେଳକୁ ଫେରି ଆସିଲେ।
ଖୁବ୍ ଶୀଘ୍ର ଅଧିସ୍ନାତକ ଡିଗ୍ରୀଟିଏ ପାଇବେ ବୋଲି ଆଶା ବାନ୍ଧିଛନ୍ତି ବିକାଶ। “ ପହଲେ ପୂରା କାମ କରକେ, ଫିର ପଢ଼ନେ ବୈଠତେ ହୈ (ପ୍ରଥମେ ଆମେ ଆମର ସବୁ କାମ ସାରୁ, ତା’ପରେ ପାଠ ପଢୁ),” ‘ପରୀ’କୁ ସେ କହନ୍ତି।
ସ୍କୁଲରେ କେଉଁ ପାଠକୁ ଭଲ ପାଏ ବୋଲି ତରବର ହୋଇ କହିଉଠେ କିରଣ: “ମୋତେ ହିନ୍ଦୀ ଓ ଇଂଲିଶ ପଢ଼ିବାକୁ ଭଲ ଲାଗେ। ସଂସ୍କୃତ ଓ ଗଣିତ ମୋତେ ଭଲ ଲାଗେନା।”
ମଧ୍ୟାହ୍ନ ଭୋଜନ ଯୋଜନାରେ କିରଣକୁ ସ୍କୁଲରେ ମଧ୍ୟାହ୍ନ ଭୋଜନ ମିଳିଯାଏ: ସେ କହିବା ଅନୁସାରେ “ କିସି ଦିନ ସବଜି, କିସି ଦିନ ଚାୱଲ (କେଉଁ ଦିନ ପରିବାପତ୍ର, ଅନ୍ୟ କେଉଁ ଦିନ ଭାତ)।” କିନ୍ତୁ ବାକିତକ ଖାଦ୍ୟ ଯୋଗାଡ଼ କରିବା ପାଇଁ ଭାଇଭଉଣୀ ଦୁହିଁଙ୍କୁ ନିଜ ଜମିରେ ଗଛ ଲଗାଇବା ସହିତ ପାପ ଡ଼ (ଶିମ୍ବ) ସଂଗ୍ରହ କରିବାକୁ ଏବଂ ଶାଗ କିଣିବାକୁ ପଡ଼େ। ଅନ୍ୟ ସବୁ ଜିନିଷ ସରକାର ଯୋଗାଇ ଦେଉଥିବା ଖାଉଟି ସାମଗ୍ରୀରେ ମିଳିଯାଏ।
“ଆମକୁ ୨୫ କିଲୋ ଗହମ ମିଳେ,” ବିକାଶ କହନ୍ତି। “ଏବଂ ତେଲ, ଲଙ୍କା, ହଳଦୀ ଏବଂ ଲୁଣ ଭଳି ଅନ୍ୟ ଜିନିଷ ବି ମିଳେ। ଆମେ ୫୦୦ ଗ୍ରାମ ମୁଙ୍ଗ (ମୁଗ) ଏବଂ ଚନା (ଚଣା) ଡାଲି ବି ପାଇଥାଉ। ଆମ ଦୁଇ ଜଣଙ୍କର ମାସକ ପାଇଁ ଏତକ ଯଥେଷ୍ଟ।” କିନ୍ତୁ ଥରେ ପୂରା ପରିବାର ଆସି ପହଞ୍ଚିଗଲେ ଏତିକି ଯଥେଷ୍ଟ ହୁଏ ନାହିଁ।
ଚାଷଜମିରୁ ହେଉଥିବା ଆୟ ପରିବାରର ଖର୍ଚ୍ଚ ଚଳାଇବା ଲାଗି ଆଦୌ ପର୍ଯ୍ୟାପ୍ତ ନୁହେଁ। ଭାଉଭଉଣୀ ପାଳିଥିବା କୁକୁଡ଼ାରୁ ସ୍କୁଲ ଫି’ ଏବଂ ନିତିଦିନିଆ ଖର୍ଚ୍ଚର କିଛି ଭାଗ ପୂରଣ ହୋଇଥାଏ, କିନ୍ତୁ ସେତକ ସରିଗଲେ, ବାପାମାଆଙ୍କୁ ଟଙ୍କା ପଠାଇବାକୁ ପଡ଼େ।
ମହାତ୍ମା ଗାନ୍ଧି ଜାତୀୟ ଗ୍ରାମୀଣ ନିଶ୍ଚିତ ରୋଜଗାର ଯୋଜନା ବା ‘ମନରେଗା’ କାମରେ ନିର୍ଦ୍ଧାରିତ ମଜୁରି ଭିନ୍ନ ଭିନ୍ନ ହୋଇଥାଏ, ରାଜସ୍ଥାନରେ ନିର୍ଦ୍ଧାରିତ ଦୈନିକ ମଜୁରି ହେଉଛି ୨୬୬ ଟଙ୍କା, ଯାହା କି ବଡ଼ୋଦରାରେ ବେସରକାରୀ ଠିକାଦାରଙ୍କ ପାଖରେ କାମ କରି କିରଣ ଓ ବିକାଶଙ୍କ ବାପାମାଆ ପାଉଥିବା ଦୈନିକ ମଜୁରି, ୫୦୦ ଟଙ୍କାର ପ୍ରାୟ ଅଧା।
ମଜୁରିରେ ଏଭଳି ତାରତମ୍ୟ ଯୋଗୁଁ କୁଶଲଗଡ଼ ବସ୍ ଷ୍ଟାଣ୍ଡରେ ଭିଡ଼ ଲାଗି ରହିବାରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ। ଗୋଟିଏ ଗୋଟିଏ ବସ୍ରେ ଥରକରେ ୫୦ରୁ ୧୦୦ ଲୋକଙ୍କୁ ନେଇ ପ୍ରତି ଦିନ ପ୍ରାୟ ୪୦ଟି ସରକାରୀ ବସ୍ ବର୍ଷ ସାରା ଚାଲିଥାଏ। ପଢନ୍ତୁ: ପ୍ରବାସୀଗଣ...ସେହି ନମ୍ବରଟିକୁ ହଜାଇ ଦେବେନି
ପିଲାମାନଙ୍କର ବୟସ ବଢ଼ିଲେ ପ୍ରାୟତଃ ସେମାନେ ବାପାମାଆଙ୍କ ସାଙ୍ଗରେ କାମକୁ ଯାଇଥାଆନ୍ତି। ତେଣୁ, ସମୟ ଗଡ଼ିବା ସହିତ ରାଜସ୍ଥାନର ବିଭିନ୍ନ ସ୍କୁଲରେ ନାମଲେଖା ହାର ଦ୍ରୁତ ହ୍ରାସ ପାଇବାରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ। ଆନୁଷ୍ଠାନିକ ଶିକ୍ଷାର ଏହି ଅଭାବକୁ ସତ ବୋଲି ପ୍ରମାଣିତ କରି ସାମାଜିକ କର୍ମୀ ଅସ୍ମିତା କହନ୍ତି, “ଏଠାରେ ଅନେକ ଲୋକ ୮ମ କିମ୍ବା ୧୦ମ ଶ୍ରେଣୀ ଯାଏଁ ପଢ଼ନ୍ତି।” ସେ ନିଜେ ହିଁ କାମଧନ୍ଦା ପାଇଁ ଅହମଦାବାଦ ଏବଂ ରାଜକୋଟକୁ ଚାଲି ଯାଉଥିଲେ, କିନ୍ତୁ ଏବେ ସେ ପରିବାର କପା ଜମିରେ କାମ କରୁଛନ୍ତି, ସରକାରୀ ଚାକିରି ପାଇଁ ପରୀକ୍ଷା ଦେଉଛନ୍ତି ଏବଂ ଅନ୍ୟମାନଙ୍କୁ ସାହାଯ୍ୟ କରୁଛନ୍ତି।
ଦୁଇ ଦିନ ପରେ ଏହି ରିପୋର୍ଟର ଯେତେବେଳେ କିରଣକୁ ଭେଟିଲେ, ସେତେବେଳେ ସେ କୁଶଲଗଡ଼ର ଏକ ଅଣ-ଲାଭକରୀ ସଂସ୍ଥା ଆଜୀବିକା ବ୍ୟୁରୋ ସହାୟତାରେ, ଅସ୍ମିତାଙ୍କ ସମେତ ସେ ଅଞ୍ଚଳର ମହିଳା ସ୍ୱେଚ୍ଛାସେବୀମାନଙ୍କ ଦ୍ୱାରା ସଂଗଠିତ ଏକ ସାମାଜିକ ପ୍ରଚାର ସଭାରେ ଯୋଗ ଦେଉଥିଲା। ସେଠାରେ ଅଳ୍ପ ବୟସର ଝିଅମାନଙ୍କୁ ବିଭିନ୍ନ ଶିକ୍ଷାଦାନ ପଦ୍ଧତି, ଜୀବିକା ଏବଂ ଭବିଷ୍ୟତ ଗଠନ ସଂପର୍କରେ ସଚେତନ କରାଯାଉଥିଲା। “ତୁମେ ଯାହା ଚାହିଁବ, ତାହା ହୋଇପାରିବ,” ବୋଲି ଉପଦେଷ୍ଟାମାନେ ବାରମ୍ବାର କହୁଥିଲେ।
ସଭା ଶେଷ ହେବା ପରେ, କିରଣ ଘରକୁ ଫେରିବା ଲାଗି ରାସ୍ତା ଧରିଲା, ଆଉ ଗରାଏ ପାଣି ଆଣିବା ଏବଂ ସାନ୍ଧ୍ୟ ଭୋଜନ ପ୍ରସ୍ତୁତ କରିବା ଲାଗି। ହେଲେ, ଆଗକୁ ସେ ପୁଣି ସ୍କୁଲକୁ ଫେରିଯିବାକୁ ବସିଛି, ତା’ର ସାଙ୍ଗମାନଙ୍କୁ ଭେଟିବା ଲାଗି ଏବଂ ଶୀତଛୁଟିରେ ଯାହା ସବୁ ସେ କରିପାରିଲାନି, ସେସବୁ କରିବା ଲାଗି।
ଅନୁବାଦ : ଓଡ଼ିଶାଲାଇଭ୍