ବତ୍ସଲା ହିଁ ମନିରାମଙ୍କ ଜୀବନ ବଞ୍ଚାଇଥିଲା।
‘‘ଆମେ ପାଣ୍ଡବ୍ ଝରଣାକୁ ଯାଇଥିଲୁ,’’ ମନିରାମ କଥା ଆରମ୍ଭ କରନ୍ତି, ‘‘ଆଉ ବତ୍ସଲା ଚରିବା ପାଇଁ ଚାଲି ଯାଇଥିଲା। ମୁଁ ତା’କୁ ଆଣିବାକୁ ଯାଉଥିବା ସମୟରେ ଗୋଟିଏ ବାଘ ଚାଲିଆସିଥିଲା।’’
ମନିରାମ ଯେତେବେଳେ ସାହାଯ୍ୟ ପାଇଁ ବଡ଼ ପାଟିରେ ଡାକିଲେ, ‘‘ସେ ଦୌଡ଼ି ଦୌଡ଼ି ଆସିଲା ଏବଂ ନିଜର ଆଗ ଗୋଡ଼ ଉପରକୁ ଉଠାଇଲା ଯାହାଫଳରେ ମୁଁ ତା’ର ପିଠି ଉପରେ ଚଢ଼ି ବସିପାରିବି। ମୁଁ ଯେତେବେଳେ ବସିପଡ଼ିଲି, ସେ ନିଜ ପାଦକୁ ତଳେ କଚି କଚି ଗଛଗୁଡ଼ିକୁ ଭାଙ୍ଗି ପକାଇଲା। ଟାଇଗର୍ ଭାଗ୍ ଗୟା (ବାଘ ଦୌଡ଼ି ପଳାଇଲା),’’ ଆଶ୍ୱସ୍ତି ଭରା ସ୍ୱରରେ ଏହି ମହାୱତ୍ (ମାହୁନ୍ତ) ଜଣଙ୍କ କହିଥାନ୍ତି।
ପନ୍ନା ଟାଇଗର ରିଜର୍ଭର ଏହି ବୟୋବୃଦ୍ଧା ମାଈ ହାତୀ ବତ୍ସଲାକୁ ୧୦୦ରୁ ଅଧିକ ବୟସ ହେବ। ଏହା ବିଶ୍ୱର ସବୁଠୁ ବୟସ୍କ ମାଈ ହାତୀ। ‘‘କେହି କେହି ତା’ର ବୟସ ୧୧୦ ଏବଂ ଆଉ କେହି ୧୧୫ ବୋଲି କୁହନ୍ତି। ମୁଁ ଭାବୁଛି ଏହା ସତ,’’ ମନିରାମ କୁହନ୍ତି। ଏହି ଗୋଣ୍ଡ ଆଦିବାସୀ ଜଣଙ୍କ ୧୯୯୬ ଠାରୁ ବତ୍ସଲାର ଦେଖାଶୁଣା କରି ଆସୁଛନ୍ତି।
ବତ୍ସଲା ଗୋଟିଏ ଏସୀୟ ମାଈ ହାତୀ (ଏଲିଫାସ୍ ମାକ୍ସିମସ୍) ଏବଂ ସେ କେରଳ ଓ ମଧ୍ୟପ୍ରଦେଶରେ ଅନେକ ଦିନ ଧରି ବସବାସ କରି ଆସୁଛି। ମନିରାମ କୁହନ୍ତି, ସେ ବହୁତ ସରଳ କିନ୍ତୁ ଯୁବାବସ୍ଥାରେ ଏହି ହାତୀ ବହୁତ ଉଗ୍ର ଥିଲା। ବର୍ତ୍ତମାନ ଦୃଷ୍ଟି ଓ ଶ୍ରବଣ ଶକ୍ତି କମିଯାଇଥିଲେ ସୁଦ୍ଧା ବିପଦ ଆସିବା କ୍ଷଣି ସେ ହାତୀ ପଲକୁ ସତର୍କ କରାଇ ଦେଇଥାଏ।
ମନିରାମ କୁହନ୍ତି ଯେ ତା’ର ଆଘ୍ରାଣ ଶକ୍ତି ଏବେ ମଧ୍ୟ ବହୁତ ପ୍ରଖର ଏବଂ ସେ ଅନ୍ୟ ବିପଜ୍ଜନକ ପ୍ରାଣୀଙ୍କ ଉପସ୍ଥିତି ବିଷୟରେ ଜାଣିପାରେ। ଏପରି ହେଲେ ସେ ତୁରନ୍ତ ଶବ୍ଦ କରି ହାତୀପଲକୁ ସତର୍କ କରାଇ ଦିଏ ଏବଂ ଛୁଆମାନଙ୍କୁ ମଝିରେ ରଖି ସବୁ ହାତୀ ଗୋଟିଏ ଜାଗାରେ ଏକାଠି ହୋଇଯାଆନ୍ତି। ‘‘ବାହାର ପ୍ରାଣୀ ଆକ୍ରମଣ କଲେ ସେମାନେ ତା’କୁ ପଥର, ବାଡ଼ି ଓ ଏବଂ ନିଜ ଶୁଣ୍ଢରେ ଉଠାଇଥିବା ଡାଳ ସହାୟତାରେ ଘଉଡ଼େଇ ଦିଅନ୍ତି,’’ ମନିରାମ ଆଗକୁ ଆହୁରି କୁହନ୍ତି, ‘‘ପେହଲେ ବହୁତ୍ ତେଜ୍ ଥୀ (ପୂର୍ବରୁ ସେ ବହୁତ କ୍ଷୀପ୍ର ଥିଲା)।’’










