୨୦୨୨ମସିହା ଜୁନ୍ ୧୬ ରାତି ସମୟ, ଲବ ଦାସ, ଆସାମର ନଗାଓଁ ଗ୍ରାମର ଅନ୍ୟ ବାସିନ୍ଦାଙ୍କ ସହିତ ବିକଳ ହୋଇ ନନୋଇ ନଦୀ କୂଳରେ ବାଲିବସ୍ତା ଗଦା କରୁଥିଲେ। ସେମାନେ କହିଲେ ଯେ ୪୮ ଘଣ୍ଟା ପୂର୍ବରୁ, ବ୍ରହ୍ମପୁତ୍ରର ଏକ ଉପନଦୀ କୂଳ ଲଙ୍ଘିବା ଆରମ୍ଭ କରିଥିଲା। ଦରାଙ୍ଗ ଜିଲ୍ଲା ପ୍ରଶାସନ ତରଫରୁ କୂଳ ଲଙ୍ଘିବାରୁ ରକ୍ଷା ପାଇବାକୁ ବାଲି ବସ୍ତା ଧାଡ଼ି କରି ଗଦା କରିବାକୁ ଦିଆଯାଇଥିଲା।
‘‘ଏହି ବନ୍ଧ ରାତି ୧ ଟା ବେଳେ (ଜୁନ୍ ୧୭ ତାରିଖରେ) ଭାଙ୍ଗିଗଲା’’, ସିପାଝର ବ୍ଲକର ନଗାଓଁର ହୀରାସୁବୁରି ବସ୍ତିର ବାସିନ୍ଦା ଲବ କହିଥିଲେ। ‘‘ଆମେ ଅସହାୟ ହୋଇ ପଡ଼ିଥିଲୁ କାରଣ ବିଭିନ୍ନ ସ୍ଥାନରୁ ଭାଙ୍ଗିବା ଆରମ୍ଭ ହୋଇଥିଲା।’’ ଲଗାତର ଭାବରେ ୫ ଦିନ ଧରି ମେଘ ବର୍ଷୁଥିଲା କିନ୍ତୁ ମାସ ଆରମ୍ଭରୁ ରାଜ୍ୟ ସରକାର ଦକ୍ଷିଣ ପଶ୍ଚିମ ମୌସୁମୀ ଅନୁଯାୟୀ କାର୍ଯ୍ୟ କରୁଥିଲେ। ଭାରତୀୟ ପାଣିପାଗ ବିଭାଗ ଜୁନ୍ ୧୬ ଏବଂ ୧୮ ସମୟରେ ଆସାମ ଓ ମେଘାଳୟରେ ‘‘ଅତ୍ୟଧିକ ଭାରି ବୃଷ୍ଟିପାତ’’ (ଗୋଟିଏ ଦିନରେ ୨୪୪.୫ ମିଲିଲିଟର ବା ଅଧିକ) ପୂର୍ବାନୁମାନ କରି ରେଡ୍ ଆଲର୍ଟ ଜାରି କରିଥିଲେ।
ଜୁନ୍ ୧୬ ତାରିଖ ରାତି ପ୍ରାୟ ୧୦ଟା ୩୦ ରେ ନନୋଇ ମଧ୍ୟ ଖସଦିପିଲା ଗ୍ରାମର କାଲିତପରାକୁ ଗ୍ରାସ କରିଥିଲା ଯାହାକି ନଗାଓଁର ଦକ୍ଷିଣରେ ଏକ କିଲୋମିଟର ଦୂରରେ ରହିଥିଲା। ଜୟମାଟି କାଲିଟା ଏବଂ ତାଙ୍କର ପରିବାରର ସଦସ୍ୟ ଏହି ବନ୍ୟାରେ ସବୁକିଛି ହରାଇଥିଲେ। ଏକ ଟିଣ ଛାତ ସହିତ ଟାର୍ପୋଲିନ୍ ତଳେ ଆଶ୍ରୟ ନେଇଥିଲେ ସେ ଓ କହିଥିଲେ ‘‘ଚାମଚଟିଏ ବି ବାକି ନାହିଁ।’’ ଆବେଗଭରା କଣ୍ଠରେ ସେ କହିଥିଲେ ‘‘ଆମ ଘର ସହିତ କୋଠି ଏବଂ ଗୁହାଳ ପ୍ରବଳ ଜଳସ୍ରୋତରେ ଧୋଇ ହୋଇ ଯାଇଥିଲା।’’
ଆସାମର ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କର ଦୈନିକ ବନ୍ୟା ରିପୋର୍ଟ ଅନୁଯାୟୀ, ଜୁନ୍ ୧୬ରେ ବୃଷ୍ଟିପାତ ଦ୍ୱାରା ରାଜ୍ୟର ୨୮ଟି ଜିଲ୍ଲାରେ ପ୍ରାୟ ୧୯ ଲକ୍ଷ ବ୍ୟକ୍ତି (୧.୯ ନିୟୁତ) ପ୍ରଭାବିତ ହୋଇଥିଲେ। ଦରଙ୍ଗ, ଯେଉଁଠାରେ ପ୍ରାୟ ୩ ଲକ୍ଷ ବ୍ୟକ୍ତି ଅତ୍ୟଧିକ ପ୍ରଭାବିତ ହୋଇଥିଲେ ଓ ସେମାନେ ରାଜ୍ୟର ତିନିଟି ସର୍ବାଧିକ ପ୍ରଭାବିତ ଜିଲ୍ଲାର ବାସିନ୍ଦା। ସେଦିନ ରାତିରେ ନନୋଇ ନଦୀ କୂଳ ଖାଇବା ସହିତ ରାଜ୍ୟର ଅନ୍ୟ ୬ଟି ନଦୀ - ବେକି, ମାନସ, ପାଗଲାଦିଆ, ପୁଠିମାରି, ଜିରା-ଭରଲି ଏବଂ ବ୍ରହ୍ମପୁତ୍ର ଫୁଲି ବିପଦ ସଙ୍କେତଠାରୁ ଉର୍ଦ୍ଧ୍ୱରେ ପ୍ରଭାବିତ ହୋଇଥିଲା।

























